Unknown

 

 

 

 

 

 

 

 

 

 

ରୋହିତର ଡାଏରୀ

(ପଞ୍ଚଦଶ ପର୍ବ)

ଚିତ୍ତରଞ୍ଜନ ଦାସ

 

—ସେ କହନ୍ତି, ତାଙ୍କ ଆଉ ମୋ’ ଭିତରେ ଅମେଳ ବେଶୀ, ମେଳ କମ୍ । ମୁଁ ସବୁବେଳେ ଓଲଟା ଅନୁଭବ କରି ଆସିଛି । ନହେଲେ ସାଙ୍ଗରୁ କେତେକେତେ ବ୍ୟକ୍ତି ବାଟରେ ରହି ଯାଇଥିଲେ ମଧ୍ୟ ଆମେ ତଥାପି ଗୋଟିଏ ଅନୁଷ୍ଠାନ ଭିତରେ ଜଡ଼ିତ ହୋଇ ରହିଛୁ । ସମ୍ଭବତଃ ମେଳଟାକୁ ଆଗ ଦେଖିଲେ ଅମେଳମାନେ ହୁଏତ ରହିଥିଲେ ମଧ୍ୟ ଆଦୌ ସନ୍ତାପ ଦେଇ ପାରନ୍ତି ନାହିଁ ।

 

‘ରୋହିତର ଡାଏରି’ର ଏହି ଖଣ୍ଡଟିକୁ ମୁଁ ବନ୍ଧୁ ଶ୍ରୀ ଗିରିଜା ଭୂଷଣ ପଟ୍ଟନାୟକଙ୍କ ହାତରେ ଅର୍ପଣ କରୁଛି ।

 

ନିଜେ ସମୃଦ୍ଧରୁ ଅଧିକ ସମୃଦ୍ଧ ହେବାରେ ଲାଗିଛି । ମୋ’ର ଆକାଶଟିକୁ ମୁଁ ଆଦୌ ଏପରି ସଂକୀର୍ଣ୍ଣ କରି ତିଆରି କରିନାହିଁ, ଯେପରିକି ତାହାମଧ୍ୟରେ ମୁଁ ଲାଭ କରିଥିବା ସାନ୍ନିଧ୍ୟଗୁଡ଼ିକ ଏକ ବ୍ୟକ୍ତିଗତ ଆତ୍ମୀୟତା ଓ ଅନ୍ତରଙ୍ଗତା ସହିତ ମୋଟେ ଫୁଟି ଉଠି ପାରିବେନାହିଁ । ଜୀବନରେ ଯେତିକି ଅଧିକ ସାନ୍ନିଧ୍ୟ ଲାଭ କରିଛି, ଜୀବନରେ ଜମା କରିବାର ବୋଝଗୁଡ଼ାକ ସେତିକି କମିଛି, ଭିତରଟା ସେତିକି ହାଲୁକା ହୋଇଛି, ତେଣୁ ସେତିକି ଗ୍ରହଣଶୀଳ ହୋଇ ପାରିଛି । ମୁଁ କୌଣସି ଜଳାଶୟରୁ ବାହାରି ଆଦୌ କୌଣସି ଜଳାଶୟ ଭିତରକୁ ଯାଇନାହିଁ । ମୁଁ କେବେହେଲେ କୌଣସି ଜଳାଶୟକୁ ଲୋଡ଼ିନାହିଁ । ତେଣୁ ନିଜକୁ ଏହି ସବୁଟିର ଅଧିକରୁ ଅଧିକ ସମୀପସ୍ଥ କରି ଆଣିପାରିଛି ।

Image

 

୨୧ । ୨ । ୮୧

 

ତାଙ୍କର ଜନ୍ମଦିନକୁ ମୁଁ ଆଜି ନିଜ ଜୀବନରେ ଅନୁଭବ କରୁଛି । ଯେଉଁ ପୃଥିବୀ ଆସୁଛି, ତାହାରି ଜନ୍ମଦିନଟିକୁ ମୁଁ ଆଜିର ଜନ୍ମଦିନଟିର ମାଧ୍ୟମରେ ପାଳନ କରୁଛି । ଯାହା ଆସୁଛି, ତାହାରି ସକାଶେହିଁ ବର୍ତ୍ତମାନର ଏତେବେଶୀ ମହତ୍ତ୍ଵ ରହିଛି । ଏହି ବର୍ତ୍ତମାନ କହିଲେ ମୁଁ ନିଜ ଭିତରର ପ୍ରସ୍ତୁତିକୁହିଁ ସବାଆଗ ବୁଝିବି । ମୁଁ ଏହି ବର୍ତ୍ତମାନର ନାନା କାତରତା ଓ କ୍ଷୁଦ୍ରତା ଭିତରେ ଗୁଡ଼ାଇ ହୋଇ ରହିଛି ଓ ଯେକୌଣସି ପ୍ରକାରେ ସେହି ବର୍ତ୍ତମାନଟି ମଧ୍ୟରେ ନିଜକୁ ନିରାପଦ ରଖିବାକୁ ଚେଷ୍ଟା କରୁଛି ନା ଆପଣାକୁ ପରବର୍ତ୍ତୀ ଭବିଷ୍ୟଟି ଲାଗି ପ୍ରସ୍ତୁତ କରୁଛି, ଆପଣାକୁ ପ୍ରତ୍ୟେକ ଦିନ ଅଧିକରୁ ଅଧିକ ସମର୍ପଣର ଅର୍ଥାତ୍ ଅଧିକରୁ ଅଧିକ ଶ୍ରଦ୍ଧାର ଯୋଗ୍ୟ କରୁଛି, ସେଇଟି ହେଉଛି ସବୁଠାରୁ ବଡ଼କଥା । ମୋ’ ଜୀବନପଥର ସବୁଠାରୁ ବଡ଼ କାହାଣୀ । ମୋ’ର ସମଗ୍ରତମ କାହାଣୀ-

 

ଏହି ପ୍ରସ୍ତୁତି ପଛରେ ବିଶ୍ଵଜନନୀଙ୍କର ନିୟତ ଆଶୀର୍ବାଦ ରହିଛି । ଆଜିର ଜନ୍ମଦିନଟିକୁ ମୁଁ ସେହି ଆଶୀର୍ବାଦର ଏକ ବିଶେଷ ସ୍ପର୍ଶରୂପେ ଗ୍ରହଣ କରିବାକୁ ସମର୍ଥ ହେବି । ଆଜି ଦିନଟିଯାକ ମୁଁ ସେଇଠି ରହିବି । ସେଇଠି ସବୁକିଛିକୁ ଛୁଇଁ କରି ରହିବି; ଆପଣା ଭିତରେ ସବୁଠାରୁ ଅଧିକ ଆପଣାର କ୍ଷେତ୍ରଟିକୁ ମୁଁ ଛୁଇଁକରି ରହିବି । ମୋ’ର ବୃତ୍ତିଗୁଡ଼ିକୁ ମୁଁ ଆହୁରି ପ୍ରସାରିତ କରିଦେବାକୁ ଚେଷ୍ଟା କରିବି । ଏହି ବୃତ୍ତର କେନ୍ଦ୍ରଟି ଯେତିକି ଏହି ସମଗ୍ରଟି ସହିତ ଏକାତ୍ମକ ହୋଇ ରହିପାରିବ, ତା’ର ପରିଧିଗୁଡ଼ିକ ମଧ୍ୟ ପ୍ରାୟ ସେତିକି ବିସ୍ତାରିତ ହୋଇ ଯାଉଥିବ । ମୋତେ ନବ ନବ ଜନ୍ମର ଯୋଗ୍ୟ କରିଦେଇ ଯାଉଥିବ ।

 

୨୨ । ୨ । ୮୧

 

ମଣିଷ ଆପଣାର ଶ୍ରଦ୍ଧା ଓ ବାସନା ବଳରେ ଭଗବାନଙ୍କ ପରି ହୋଇଥାନ୍ତା ସିନା, ଭାରି କୌଶଳରେ ସିଏ କଳ୍ପିତ ଭଗବାନମାନଙ୍କୁ ତା’ ନିଜ ଗମ୍ଭୀରଟି ଭିତରକୁ ଟାଣି ନେଇ ଆସିଲା । ଭଗବାନଙ୍କ ଆଖିରେ କିଛି ହେଲାଭଳି ଦେଖାଯିବାକୁ ସିଏ ଆପଣାକୁ ଅନୁରୂପ ଭାବରେ ନମନୀୟ କରି ରଖିଥାନ୍ତା ସିନା, ଓଲଟି ସିଏ ଅତ୍ୟନ୍ତ ଅନମନୀୟ ଏବଂ ଦୁର୍ବିନୀତ ହୋଇ ଭଗବାନଙ୍କୁହିଁ ତା’ ନିଜ ସଂକୀର୍ଣ୍ଣ କାମନାପ୍ରକୋଷ୍ଠଟି ମଧ୍ୟକୁ ଟାଣିଆଣି ତାଙ୍କୁ ଖୁଣ୍ଟରେ ବାନ୍ଧିଦେଲା । ଆପଣାର କାମନାପୂରଣ ସକାଶେ ତାଙ୍କ ସହିତ ଭଳିଭଳି ସଂଜ୍ଞା ଆଣି ଯୋଡ଼ି ଦେଲା, ତାଙ୍କୁ ଆପଣାର ପୋଷା ମାଙ୍କଡ଼ ପରି କେତେ ଭୂଷଣରେ ଖଞ୍ଜିଦେଲା, ତାଙ୍କୁ ନେଇ ପୁରାଣ ରଚିଲା, ଉପନ୍ୟାସ ଫାନ୍ଦିଲା ଓ ଆପଣାର ସୀମାଗୁଡ଼ାକ ଭିତରେ ତାଙ୍କୁ ତାହାରି ସହିତ ଏକତ୍ର ଅବସ୍ଥାନ କରିବାକୁ ବାଧ୍ୟ କଲା ।

 

ଆମର ଅନେକ ଦୁର୍ଦ୍ଦଶା ଏଇଥିସକାଶେ । ଭିତରେ କେତେକଅଣ ଉତ୍ତୋଳନକୁ ଅଟକାଇ ରଖି ଆମେ ବାହାରେ ଏହିସବୁ ଫିକର କଲୁ, ଗୋଟିଏ ଗୋଟିଏ କୂପ ଭିତରେ ଆପଣାକୁ ନିଶ୍ଚିନ୍ତ, ଉଗ୍ର ଏବଂ ଶୀତଳ କରି ରଖିଦେଲୁ । ଏହାଦ୍ୱାରା ଧର୍ମ ନାମରେ ବାହାର ସଜ୍ଜାଟା ବଢ଼ିଲା, କିନ୍ତୁ ଭିତରେ ସିଂହାସନଗୁଡ଼ାକ ଗୋଟାସୁଦ୍ଧା ଖାଲି ରହିଗଲା । ବାଟଗୁଡ଼ାକ ଅପଚରା ହୋଇ ରହିଗଲା । ତଦ୍ଦ୍ଵାରା ନିଜପାଖରେ ମଧ୍ୟ ଆମେ ନିଜେବି କେଡ଼େ ଅପଚରା ହୋଇ ରହିଗଲୁ ! ସଂସାରରେ ବୁଦ୍ଧିଗୁଡ଼ାକ ବଢ଼ିଲା, ବହିଗୁଡ଼ାକ ବଢ଼ିଲା,–ବିଜ୍ଞ ମଣିଷମାନେ ଶୂନ୍ୟରେ କେତେକଅଣ ଦର୍ଶନ ଗଢ଼ିଲେ,–ମାତ୍ର ମଣିଷ ଐଶ୍ଵର୍ଯ୍ୟହୀନ ହୋଇ ରହିଲା ।

 

୨୩ । ୨ । ୮୧

 

ଭଗବାନ ଯଦି ଅଛନ୍ତି, ତେବେ ସିଏ ଏଇଟା କାହିଁକି କରୁନାହାନ୍ତି ଓ ସେଇଟା କାହିଁକି କରୁନାହାନ୍ତି, ତାଙ୍କ ସଂସାରରେ ଏଇଟା କାହିଁକି ଘଟୁନାହିଁ ବା ସେଇଟା କାହିଁକି ଘଟୁଛି, ଆମେ ନିଜ ବୁଦ୍ଧିବିଚରଣାର କ୍ଷୁଦ୍ର ବୃତ୍ତଟିରେ ସେହିସବୁ ପ୍ରଶ୍ନର ଗୋଟାଏ ଗୋଟାଏ ଉତ୍ତର ଦାବି କରିବାରେ ଲାଗିଥାଉ । ଭଗବାନ ନାହାନ୍ତି ବୋଲି ସିଧା କହିବାକୁ ସେମାନଙ୍କର ମନ ଯାଏଁନାହିଁ ଅଥବା ଏପରି ଗୋଟାଏ କଥାକୁ ସ୍ପଷ୍ଟ ଭାବରେ କହିବାଲାଗି ସେମାନଙ୍କୁ ଭୟ ଲାଗୁଥାଏ ସତ, ତଥାପି ଆପଣାର ନାନା ସଂଶୟଦ୍ଵାରା ସେମାନେ ଭଗବାନଙ୍କୁ ବୁଡ଼ାଇ ଦେବାକୁ ଇଚ୍ଛା କରୁଥାନ୍ତି । ଭଗବାନ ସେହିମାନଙ୍କର ପ୍ରତ୍ୟାଶା ଅନୁସାରେ କାମ କରୁଥାନ୍ତେ, ଭଗବାନ ଯାହା କରୁଥାନ୍ତେ, ସେଗୁଡ଼ାକୁ ସେମାନେ ସ୍ପଷ୍ଟ ଭାବରେ ବୁଝି ପାରୁଥାନ୍ତେ, ସତେଅବା ଏହିପରି ଗୋଟାଏ ଯୁକ୍ତିର ବୁଦ୍ଧିଫାଶ ପକାଇ ସେମାନେ ଭଗବାନଙ୍କୁ ଧରିବାପାଇଁ ଚେଷ୍ଟା କରୁଥାନ୍ତି ।

 

ଆମର ବୃତ୍ତଟି ସେପାଖରେବି ଅନେକ ଘଟଣା ଘଟୁଛି–ଆମେ ନିଜ ବୃତ୍ତଟିକୁ ବଢ଼ାଇ ପାରିବାକୁ ସମର୍ଥ ନହେବା ପର୍ଯ୍ୟନ୍ତ ସେଇଟିକୁ ବୁଝି ପାରିବା କିପରି ? ନିଜର ଏହି ସିଦ୍ଧ ବୃତ୍ତଗୁଡ଼ିକୁ ଯେ ତଥାପି ବଢ଼ାଇ ଦିଆଯାଇ ପାରିବ, ଏପରି ଏକ ମୂଳଭୂତ ବିଶ୍ଵାସଦ୍ଵାରା ପ୍ରେରିତ ନହେବା ପର୍ଯ୍ୟନ୍ତ ଆମେ ସେହି ପ୍ରସାରଣ ଲାଗିବି କିପରି ସମର୍ଥ ହୋଇ ପାରିବା ? ଏବଂ, ଦମ୍ଭ ତୁଟିଲେ ଯାଇ ବିଶ୍ଵାସ ଆସିବ, ନିଜର ଅଳ୍ପତାକୁ ସ୍ଵୀକାର କଲେ ଯାଇ ଅସଲ ଜିଜ୍ଞାସାଗୁଡ଼ିକ ସମ୍ଭବ ହେବ ।

 

୨୭ । ୨ । ୮୧

 

ପୁରୁଣାଗୁଡ଼ାକ ନୂଆ ଭିତରେ ଲୀନ ହୋଇଯାଇ ପାରିବାକୁ ଅନ୍ତର ଭିତରେ ଏକ ସମ୍ମତି ରହିଥିବା ଦରକାର । ଏହି ସମ୍ମତି ହେଉଛି ଆରୋହଣ ଲାଗି ଏକ ସମ୍ମତି,–ଅତିକ୍ରମଣ ଲାଗି ଏକ ସମ୍ମତି ।

 

ଆମେ ଅଧିକାଂଶ ସମୟରେ ଆରୋହଣ ଲାଗି ଆଦୌ ସମ୍ମତ ନଥାଉ । ହୁଏତ କେବଳ ଗୋଟିଏ ଗଣ୍ଠି ପରି ହୋଇ ପଡ଼ି ରହିଥାଉ । ସେହି ଗଣ୍ଠିଟିକୁ ଆମେ ନିଜେ ପକାଇ କରି ରଖିଥାଉ ଓ ସେଇଠି ବାନ୍ଧିହୋଇ ରହିଥାଉ । ତେଣୁ, ବାହାରର ସମସ୍ତ ପରାମର୍ଶ ସତ୍ତ୍ୱେ ସେହି ଗଣ୍ଠିଟି ମୋଟେ ଫିଟି ପାରେନାହିଁ । ବାହାରେ ସଦାଚରଣ, ସାଧୁସଙ୍ଗ, ପୂଜା, ଉପାସନା ସବୁକିଛି ଚାଲିଥାଏ । ତଥାପି ଗଣ୍ଠି ଫିଟିବାର ଏକ ଯଥାର୍ଥ ଉପକ୍ରମ ମଧ୍ୟ ହୋଇ ପାରେନାହିଁ । ନିଜଲାଗି ପ୍ରଧାନତଃ ଏକ ଅସମ୍ମତିହିଁ ରହିଥାଏ । ହୁଏତ ଭିତରର ଏହି ଅସମ୍ମତିକୁ ସମ୍ବଳିତ କରି ରଖିବାପାଇଁ ବାହାରେ ସତର ପ୍ରକାରର ବିଧିନିଷ୍ଠା ଲାଗି ରହିଥାଏ । ତେଣୁ, ବ୍ୟୂହଟି ମଧ୍ୟକୁ ଆଉ କାହାରି ପ୍ରବେଶ ଘଟି ପାରେନାହିଁ । ଭିତରର ଗଣ୍ଠିଗୁଡ଼ାକୁ ଅଧିକରୁ ଅଧିକ ଜବର କରି ବାନ୍ଧି ରଖିବାକୁ କ’ଣ ଜଗତରେ ବାହାରେ ଯାବତୀୟ ବିଧି–ଆଡ଼ମ୍ବରର ବରାଦ କରାହୋଇଛି କି ? ଏହି ଆଡ଼ମ୍ବରଗୁଡ଼ାକ ଭାଙ୍ଗିଲେ ହୁଏତ ତା’ପରେ ଯାଇ ଭିତର ଆଡ଼କୁ ଧ୍ୟାନ ଭାଙ୍ଗେ, ଭିତର ଆଡ଼କୁ ଆଖି ପଡ଼େ; ଏବଂ, ଆପଣାର ଏକ ସମ୍ମତି ଯେ ଆବଶ୍ୟକ, ସେହି ବିଷୟରେ ହେତୁର ଉଦୟ ହୋଇଥାଏ ।

 

୧ । ୩ । ୮୧

 

ଗଣ୍ଠିଟା ଯଦି ସବାଆଗ ମୋରି ପାଖରେ ଫିଟିବା ଉଚିତ, ତେବେ ମୋତେହିଁ ସବାଆଗ ଗଣ୍ଠିଟାକୁ ନିଜଭିତରୁ ଫିଟାଇ ଦେବାକୁ ପଡ଼ିବ । ଆଗ ଯଦି ମୋ’ରି ଦମ୍ଭ ଭାଙ୍ଗିଲେ ଯାଇ ସବୁକିଛି ହାଲୁକା ହୋଇଯିବାର ସମ୍ଭାବନା ରହିଥିବ, ତେବେ ମୋ’ର ସବୁ ଦମ୍ଭ ଚୁଲିକୁ ଯାଉ । ଯଦି ଅବାଆଗ ମୋ’ରି ସମ୍ମତିଟିଦ୍ଵାରାହିଁ ସବୁ ଅସମ୍ମତିକୁ ସମ୍ମତ କରାଇ ଆଣିବାର ସମ୍ଭାବନା ରହିଥିବ, ତେବେ ମୋ’ର ସମ୍ମତି ସବାଆଗ ଆପଣାକୁ ପ୍ରକାଶ କରିବାରେ ଯେପରି କୌଣସି କୁଣ୍ଠା ପ୍ରକାଶ ନକରୁ । ମୋ’ର ସବୁ ଅହଂକାରକୁ ମୁଁ ତୁମରି ଆଗରେ ରଖି ଆଜି ଏତିକି ପ୍ରାର୍ଥନା କରୁଛି ।

 

ଅହଂକାରର ଅନ୍ୟନାମ କ୍ରୋଧ । ଏହି କ୍ରୋଧ ଯେତେବେଳେ ବାହାରେ ପ୍ରକାଶିତ ହୋଇପଡ଼େ, ସେତେବେଳେ ତାହା କ୍ରୋଧ ବୋଲି ବେଶ୍ ଧରା ପଡ଼ିଯାଏ । କିନ୍ତୁ ଅନେକ ସମୟରେ କ୍ରୋଧ ଭିତରେ ରହିଥାଏ ସତ, ମାତ୍ର ବାହାରକୁ ତାହାର ଆଦୌ କୌଣସି ପ୍ରକାଶ ହେଉନଥାଏ । କ୍ରୋଧ ଯେ ପ୍ରକୃତରେ ଅହଂକାରର ଅନ୍ୟ ରୂପ, ଆପଣାକୁ ଲୁଚାଇ ରଖିବାର ଯାବତୀୟ ଜାକଜକମ ଭିତରେ ସେତେବେଳେ ସେହି କଥାଟା ଭାରି ଧରା ପଡ଼ିଯାଏ । ଆପଣା ଭିତରକୁ ସ୍ଥିର ହୋଇ ଚାହିଁଦେଲା ମାତ୍ରକେ ସେଗୁଡ଼ାକ ଜଳଜଳ ହୋଇ ଦିଶିଯାଏ । ସେତିକିବେଳେ, ହେ ପ୍ରଭୁ ମୁଁ ଯେପରି ସକଳ ଅହଂକାରରୁ ବାହାରକୁ ବାହାର କରିଆଣି ତୁମର ଚରଣ ପାଖରେ ରଖି ଦେଇପାରେ । ଏମିତି ମୁଁ ଯେପରି ବରାବର ହାରି ବାରବାର ଜୟ କରିବାକୁ ସମର୍ଥ ହୁଏ ।

 

୨ । ୩ । ୮୧

 

ଆପଣାର ଶ୍ରଦ୍ଧା ଓ ବିବେକଦ୍ଵାରା ମୃତ୍ୟୁକୁ ଡେଇଁ ଚାଲିଗଲେ ମୃତ୍ୟୁ ଆପଣା ବୋଧମାନଚିତ୍ରର ଏକ ଅଂଶ ବୋଲି ଅନୁଭୂତ ହୋଇଥାଏ । ସେତେବେଳେ ମୃତ୍ୟୁ ଆଉ ସତେଅବା ବାହାରେ ଥାଇ ମୋଟେ କୌଣସି ଭୟ ଦେଖାଏନାହିଁ, ଏପରିକି ଜୀବନକୁ କଦାପି ଗିଳିଦେବ ବୋଲି ପ୍ରସ୍ତୁତ ହୋଇ ଠିଆ ହୋଇଥିବା ପରି ମୋଟେ ମନେ ହୁଏନାହିଁ । ନିଜର ଯାବତୀୟ ଦୃଷ୍ଟିରେ ମୃତ୍ୟୁ ସେପାଖକୁ ମଧ୍ୟ ଜୀବନ ରହିଥାଏ, ସମ୍ବନ୍ଧ ରହିଥାଏ, ସଖ୍ୟବି ରହିଥାଏ-

 

ତେଣୁ କୌଣସି ମୃତ୍ୟୁ ଘଟଣାରେ ସତେଅବା କେହି ଏକାବେଳେକେ ଏଠୁ ସବୁ ଛାଡ଼ିଦେଇ ଆଉକୁଆଡ଼େ ଚାଲିଗଲା ବୋଲି ମୋଟେ ମନେ ହୁଏନାହିଁ । ତେଣୁ ବିଚ୍ଛେଦର ସମଗ୍ର ସଂଜ୍ଞାଟି ମଧ୍ୟ ବଦଳିଯାଏ । ଏବଂ, ତାହାରି ଫଳରେ ବଞ୍ଚିବାର ଅର୍ଥାତ୍ ସମ୍ବନ୍ଧ ସ୍ଥାପନରବି ସଂଜ୍ଞା ବଦଳିଯାଏ । ସେତେବେଳେ ମଧ୍ୟ ଦୁଃଖ ରହେ, ମାତ୍ର ସେହି ଦୁଃଖ ଆଦୌ ମ୍ରିୟମାଣ କରେନାହିଁ, ସେହି ଦୁଃଖ ନିଜ ଭିତରେ ଅଧିକ ଡୋର ବାନ୍ଧିବାଦ୍ଵାରା ହିଁ ସଂସାରରେ ଅନେକ ମାୟାକୁ ଭେଦ କରିହୁଏ । ଜୀବନର ଅନେକ ହୃଦୟକୁ ସ୍ପର୍ଶ କରିହୁଏ । ତା’ପରେ ମୃତ୍ୟୁ ପ୍ରଧାନତଃ ଏକ ସାମୟିକ ଅବସ୍ଥା ପରି ମନେହୁଏ । ଏବଂ ଏହିପରି ଭାବରେ ମୃତ୍ୟୁକୁ ଜୟ କରି ହୋଇଯାଏ,–ମୃତ୍ୟୁପାଖରେ ଆସି ଅଟକି ଯିବାର କୌଣସି ଦୁର୍ଦ୍ଦଶା ଭୋଗିବାକୁ ପଡ଼େନାହିଁ ।

 

୩ । ୩ । ୮୧

 

ବନ୍ଧୁମାନଙ୍କର ଉତ୍ସାହ ମୋ’ ଗୋଡ଼ରେ ଦଶଗୁଣ ଅଧିକ ଉତ୍ସାହ ଦେଇ ଯାଉଥିବା ପର୍ଯ୍ୟନ୍ତ ସେମାନଙ୍କର ଯାବତୀୟ ଉତ୍ସାହଦାନକୁ ମୋ’ର ମୋଟେ ଭୟ ନାହିଁ । ବଉଳରେ ଭର୍ତ୍ତି ହୋଇଥିବା ଗଛକୁ ଦେଖିଲେ କୁଆଡ଼େ କେତେ ଉତ୍ସାହ ଭରି ଭରି ଆସେ । ଚନ୍ଦ୍ରିକାଧବଳ ରାତ୍ରିରେ ସବୁଆଡ଼ ନୀରବ ଓ ପ୍ରସନ୍ନ ହୋଇ ରହିଥିବା ସମୟରେ ଆପଣା ଭିତରେ ଥାଇ କେଉଁ ଆତ୍ମୀୟ ସତେଅବା କେତେ ଉତ୍ସାହରେ ମୋତେ ଶତବଳ କରିଦେଇ ଯାଉଥିବା ପରି ମନେହୁଏ । ସମୁଦ୍ର, ଝରଣା, ଚଢ଼େଇବି କେତେ ଉତ୍ସାହର କାରଣ ହୁଅନ୍ତି । ତେବେ, ମୋ’ ବନ୍ଧୁମାନେ ମୋତେ ଯେଉଁ ଉତ୍ସାହ ଦେବେ, ସେହି ଉତ୍ସାହ ମଧ୍ୟ ମୋ’ ଗୋଡ଼କୁ କୌଣସି ପ୍ରକାରେ ବାନ୍ଧି ପକାଇବ ନାହିଁ । ତାହା ମୋତେ ଆହୁରି ଅନେକ ଦୂରର ଆହ୍ଵାନ ଦେବ ।

 

ଗୋଡ଼ଗୁଡ଼ାକ ବାନ୍ଧିହୋଇ ରହିବ ନା ଦଶଗୁଣ ବଳରେ ଆଗକୁ ଯିବ, ସେଥିଲାଗି ଅସଲ ଉତ୍ସାହ ମୋ’ ଭିତରୁ ଆସିବ । ଭିତରେ ରହିଥିବା ମୋ’ ବିଶ୍ଵାସରୁ ସେହି ଉତ୍ସାହ ଆସିବ । ଏହି ଜୀବନ ଓ ତାହାର ପରବର୍ତ୍ତୀ ସମ୍ଭାବନାଗୁଡ଼ିକ ବିଷୟରେ ମୋ ଭିତରେ ଯେତିକି ଆତ୍ମୀୟତା ରହିଥିବ, ସକଳ ଉତ୍ସାହ ମୂଳତଃ ସେହିଠାରୁ ଆସିବ । ଭିତରୁ ଆସୁଥିବା ସକଳ ଉତ୍ସାହ ବାହାରର ଯାବତୀୟ ଉତ୍ସାହକୁ ଆପଣାର ପରିପୂରକରୂପେ ଗ୍ରହଣ କରିବ । ମୋ’ର ଅସଲ ଗ୍ରହଣପାତ୍ରରେ ପରୀକ୍ଷିତ ହୋଇ ତାହା ମୋ’ର ଆହୁରି ବାଟଚଲାର ପୁଞ୍ଜିରୂପେ ସାଇତା ହୋଇ ରହୁଥିବ ।

 

୪ । ୩ । ୮୧

 

ଗୁରୁ ମୁଣ୍ଡାଏ ସୁନା ନୁହନ୍ତି ଯେ ମୁଁ ତାଙ୍କୁ କେବଳ ନିଜର ସମ୍ପତ୍ତି ବୋଲି କହି ଆପଣାର କୌଣସି ଗାତଭିତରେ ନେଇ ସାଇତି ରଖିବି । ମୋ’ ଗୁରୁ ମୋ’ର ସମ୍ପତ୍ତି ନୁହନ୍ତି ଯେ, ମୁଁ ତାଙ୍କୁ ବଜାରରେ ସବୁଠାରୁ ଅଧିକ ମୂଲ୍ୟର ବୋଲି ପାଟିକରି ବୁଲିବି । ଗୁରୁ ହେଉଛନ୍ତି ତୀର୍ଥ । ଯଥାର୍ଥ ତୀର୍ଥକୁ ଆସି ମଣିଷ ସମ୍ପ୍ରସାରିତ ହୋଇ ପାରିବାର ପ୍ରେରଣା ପାଏ । ଗୁରୁ ଜଳାଶୟ ପରି ଝାସ ଦେବାର ପ୍ରେରଣା ଦେବନାହିଁ, ସିଏ ସତେଅବା କୌଣସି ସାଗରର ସମୀପରେ କୂଳଟିଏ ହୋଇ ସାଗରକୁ ସ୍ଵୀକାର କରିନେବାର ଯୋଗ୍ୟ କରୁଥିବେ, ଯୋଗ୍ୟରୁ ଯୋଗ୍ୟତର କରି ନେଉଥିବେ । ମୋ’ର ଗୁରୁସାନ୍ନିଧ୍ୟ ମୋ’ ଭିତରେ ଏହିପରି କେତେ କାନ୍ଥକୁ ଭାଙ୍ଗି ଦେଇଛି, କେତେ ମନ୍ଥର ବାଡ଼କୁ ଲଙ୍ଘିଯାଇ ମନ୍ତ୍ରପରେ ମନ୍ତ୍ରକୁ ସିଦ୍ଧ କରାଇଛି ।

 

କୌଣସି ଏକ ନିର୍ଦ୍ଦିଷ୍ଟ ମନ୍ତ୍ରରେ ଛନ୍ଦିହୋଇ ରହିବାଦ୍ଵାରା ନୁହେଁ, ମନ୍ତ୍ରକୁ ଡେଇଁଯିବାଦ୍ଵାରାହିଁ ମନ୍ତ୍ରର ସିଦ୍ଧି ସମ୍ଭବ ହୋଇଥାଏ । ଗୋଟିଏ ସିଦ୍ଧି ପରେ ଅନନ୍ତ ବୃତ୍ତରେ ଆହୁରି କେତେକେତେ ସିଦ୍ଧି ରହିଥିବା ପରି ମନ୍ତ୍ରପରେ ମନ୍ତ୍ର ରହିଥାଏ, ବୃତ୍ତପରେ ବୃତ୍ତ ରହିଥାଏ, ସୋପାନ ପରେ ସୋପାନ ରହିଥାଏ । ସଖ୍ୟ ଏହିପରି ଭାବରେ ବୃହତ୍ତର ସଖ୍ୟ ମଧ୍ୟକୁ ପ୍ରସାରିତ ହୋଇଯିବାରେ ଲାଗିଥାଏ । ମୋ’ର ଆତ୍ମୀୟତାଗୁଡ଼ିକୁ ଏହିପରି ଭାବରେ ଆହୁରି କେତେ ବୃହତ୍ତର ଆତ୍ମୀୟତା ମଧ୍ୟକୁ ପ୍ରସାରିତ କରାଇ ନେବାର ଅନନ୍ତ ଭାଗ୍ୟ ଅନବଚ୍ଛିନ୍ନ ହୋଇ ରହିଥାଏ-। ଯିଏ ମୋତେ ଆପଣା ଭିତରେ ତଥା ବାହାରେ ସେହି ଅନବଚ୍ଛିନ୍ନତାର ଧାରଣା ଦେଇ ଯାଉଥାଏ, ସେଇ ହେଉଛି ମୋ’ର ଗୁରୁ, ମୋ’ର ଅସଲ ବନ୍ଧୁ, ଅନ୍ତରଙ୍ଗତମ ବନ୍ଧୁ ।

 

୫ । ୩ । ୮୧

 

ମୁଁ ଅଳପରେ ମଙ୍ଗିବିନାହିଁ, ଭାବପ୍ରବଣତାରେ ମଙ୍ଗିବି ନାହିଁ । ବାନାରେ ମଙ୍ଗିବିନାହିଁ କି କୌଣସି ସହଜ ସମାଧାନରେ ମଙ୍ଗିବିନାହିଁ । ମୁଁ କେବଳ ସଖ୍ୟରେ ମଙ୍ଗିବି, ବାଟ ଚାଲିବାରେ ମଙ୍ଗିବି, ଉନ୍ମୋଚନରେ ଏବଂ ଆରୋହଣରେ ମଙ୍ଗିବି ।

 

ମହାପୁରୁଷମାନଙ୍କୁ ଶୀତଳ କରିଦେଇ ଯେଉଁଠି ବାନାଗୁଡ଼ାକ ଅତ୍ୟନ୍ତ ଦମ୍ଭର ସହିତ ଉଡ଼ନ୍ତି, ସେଠି ମୁଁ କଦାପି ମଙ୍ଗିବିନାହିଁ । ଆମର ଏହି କୃତ୍ରିମ ଧାର୍ମିକତାର ଯୁଗରେ ବାନାଗୁଡ଼ିକ ଅତି ପ୍ରବଳ ହୋଇ ସତେଅବା ସବୁ ଶାସ୍ତ୍ରପୁରାଣକୁ ଧରି ମଣିଷକୁ ଅଟକାଇ ରଖିବାକୁ ଇଚ୍ଛା କରୁଛନ୍ତି । ନିଷ୍ଠାଗୁଡ଼ାକ ଅନ୍ତଃନିଷ୍ଠାରେ ପରିଣତ ହେବା ଆଗରୁ ଗୋଟାଏ ଗୋଟିଏ ଭେକ ବା ସୂତ୍ର ଭିତରେ ବାନ୍ଧିହୋଇ ରହିବାକୁ ଭାରି ଶ୍ରଦ୍ଧା କରୁଛନ୍ତି, ଏବଂ, ସେହି ସୂତ୍ରର ରାଜତ୍ଵକୁ ଜାରି କରି ରଖିବାଲାଗି ମହାପୁରୁଷମାନଙ୍କୁ ମୂର୍ତ୍ତି କରି ଠାକୁର କରି ଥୋଇ ଦିଆଯାଉଛି । ଯିଏ ଏସବୁ କଥା କରିବାକୁ ମନ କରୁଛି ସିଏ କରୁଥାଉ, ମାତ୍ର ଏବାଟ ମୋଟେ ମୋ’ର ନୁହେଁ । ମୁଁ ବାଟରେ ଯିବାକୁ ପ୍ରସ୍ତୁତ ଅଛି ସବୁ ମହାପୁରୁଷଙ୍କର ସନ୍ଦେଶକୁ କେବଳ ମୋ’ର ଏହି ବାଟ ଚାଲିବାର ପ୍ରେରଣା ଓ ଆଶୀର୍ବାଦରୂପେ ଗ୍ରହଣ କରିବା ହେଉଛି ମୋ’ର ଧର୍ମ ମୁଁ କାହାକୁ ଅସ୍ପୃଶ୍ୟ କରି ରଖିବିନାହିଁ, ନିଜେ କେଉଁଠିହେଲେ ଅସ୍ପୃଶ୍ୟ ହୋଇ ରହିବିନାହିଁ । ପଥିକ ଦେଖିଲେ ସଙ୍ଗୀ ହେବାକୁ ମନ କରିବି, ଶ୍ରଦ୍ଧାକୁ ଶ୍ରଦ୍ଧାଦ୍ଵାରା ଚିହ୍ନିବି, ସଖ୍ୟର ବଳରେ ମୁଁ ଶୃଙ୍ଗରୁ ଶୃଙ୍ଗକୁ ଉଠିଯିବି । କେବଳ ଏତିକି ବ୍ୟତୀତ ଏହି ସଂସାରରେ ମୋ’ର ଆଦୌ କୌଣସି ଗଡ଼ ଜୟ କରିବାର ଅଭିଳାଷ ନାହିଁ ।

 

୧୮ । ୩ । ୮୧

 

ଆଗେ ଏହି ଖାତାରେ ଦିନେବି କିଛି ନଲେଖିଲେ ଆପଣାର ସାଙ୍ଗ ଛାଡ଼ି ଆଉକୁଆଡ଼େ ଚାଲିଯିବା ପରି ମନେ ହେଉଥିଲା । ତେଣୁ, ଆପଣାକୁ ଗୋଟିଏ ଅଭ୍ୟାସଦ୍ଵାରା ବାଧ୍ୟ କରି ମୁଁ ବଡ଼ି ସକାଳୁ ସବୁଦିନେ ଏଇ ଖାତା ପାଖରେ ଆସି ବସୁଥିଲି । ଆପଣାକୁ କେତେ ବାଗରେ ଶାନ୍ତ କରିଆଣି ମନ ଭିତରକୁ ଯାହା ଆସୁଥିଲା । ତାହା ଲେଖୁଥିଲି । ଲେଖି ସାରିବାପରେ ନିଜକୁ ସତେଅବା କୃତାର୍ଥ ବୋଧ କରୁଥିଲି । ଏବେ ଆଉ ସେପରି ହେଉନାହିଁ ।

 

ଏବେ ଅଭ୍ୟାସଗୁଡ଼ାକ ସମସ୍ତେ ମିଶି ଏକ ସ୍ଵାଭାବିକତା ଭିତରେ ଆପଣାକୁ ଲୀନ କରି ଦେଇଛନ୍ତି । ଭିତର ବାହାର କୋଉଠିହେଲେ ଆପଣାକୁ କାହାପାଖରେ ବାଧ୍ୟ କରିବାର ରୀତିଗୁଡ଼ାକ କୋଉଦିନୁଁ ଭୁଲି ହୋଇଗଲାଣି । ଆପଣାକୁ ଗୋଟାସୁଦ୍ଧା ଆପଣାର କରି ପାଇଲେ ଯେଉଁ ସ୍ଵାଭାବିକତା ସମ୍ଭବ ହୁଏ, ମୁଁ ଏଠି ଠିକ୍ ସେହି ସ୍ଵାଭାବିକତା କଥା କହୁଛି । ଏହି ସ୍ଵାଭାବିକତା ଖିଅ ହୋଇ ସବୁକିଛିକୁ ଏକାଠି କରି ଗୁନ୍ଥି ରଖିଛି । ଲୁଚିବାର ପ୍ରଶ୍ନ ନାହିଁ, କାହାରିକୁ ଅପ୍ରସନ୍ନ କରିବାରବି ପ୍ରଶ୍ନ ନାହିଁ । ନିୟମ ସକାଶେ ନିୟମକୁ ମାନିବାର ଆଦୌ କୌଣସି ଆବଶ୍ୟକତା ନାହିଁ । ଆପଣାର ଅସଲ କେନ୍ଦ୍ରଟି ଆପଣା ଅନୁଭବର ଅସଲ ବିନ୍ଦୁଟି ହୋଇ ରହିଲେ ସମ୍ଭବତଃ ଏହିପରି ଏକ ସ୍ଵାଭାବିକତା ସମ୍ଭବ ହୁଏ । ଏହା ପୂର୍ବରୁ ଯାହାକିଛି ଥାଏ, ତାହା ଏହି ସ୍ଵାଭାବିକତାକୁହିଁ କ୍ରମଶଃ ପ୍ରସ୍ତୁତ କରି ଆଣୁଥାଏ ।

 

୨୨ । ୩ । ୮୧

 

ଅନ୍ୟ ସମସ୍ତଙ୍କ ସହିତ ଯଦି ଏକାଠି ଯିବାକୁ ହୁଏ, ତେବେ ମୁଁ ଅନ୍ୟକୁ ତା’ର ଅଭାବଗୁଡ଼ାକ ଦେଇ ବିଚାର କରିବାକୁ ଯିବି କାହିଁକି ? ମୋ’ ନିଜର ଅଭାବଗୁଡ଼ାକୁ ଯଦି ମୁଁ ଆପଣାର ଭାବଗୁଡ଼ିକର ଅଧିକ ଅନୁଶୀଳନଦ୍ଵାରା ନିରାକୃତ କରି ପାରୁଛି, ତେବେ ସେହି ଭାବଦ୍ଵାରାହିଁ ମୁଁ ଅନ୍ୟଭିତରେ ରହିଥିବା ଅଭାବଗୁଡ଼ିକର ନିରାକରଣରେ ମଧ୍ୟ ଅବଶ୍ୟ ସାହାଯ୍ୟ କରି ପାରିବି । ଅନ୍ୟର ଅଭାବ ଦେଖି ବୁଲୁଥିବା ପର୍ଯ୍ୟନ୍ତ ହୁଏତ ଏହାହିଁ ପ୍ରତିପାଦିତ ହେବାରେ ଲାଗିଥିବ ଯେ, ମୁଁ ଆପଣାର ଅଭାବଗୁଡ଼ିକୁ ଆପଣାର ଭାବଦ୍ଵାରା ନିରାକୃତ କରିଦେଇ ପାରିବ ବୋଲି ପ୍ରକୃତରେ ବିଶ୍ଵାସ କରି ପାରୁନାହିଁ ଏବଂ ତେଣୁ ଅନ୍ୟଠାରେ ମଧ୍ୟ ଭାବ ଅପେକ୍ଷା ଅଭାବଗୁଡ଼ାକୁ ଅଧିକ ବିସ୍ଫାରିତ କରି ଦେଖିବାରେ ଶରଧା ରଖୁଛି ।

 

ଆମ ସଂସାରର ଅଧିକାଂଶ ବିଡ଼ମ୍ବନା ମଧ୍ୟ ସମ୍ଭବତଃ ଠିକ୍ ଏହିଠାରେ, ଆମ ସାଧନାର ଅଧିକାଂଶ ବିଡ଼ମ୍ବନା ମଧ୍ୟ ସମ୍ଭବତଃ ଠିକ୍ ଏହିଠାରେ । ଆମର ଯାବତୀୟ ଆଦର୍ଶ, ଯାବତୀୟ ସଂକଳ୍ପ ଓ ଯାବତୀୟ ଶ୍ରଦ୍ଧା ଅନେକ ସମୟରେ ଠିକ୍ ଏଇଠାକୁ ଆସି ଚୂନା ହୋଇଯାଏ-। ଆଦର୍ଶଗୁଡ଼ାକ ବହି ହୋଇ ରହିଯାଏ, ସାଧନାଗୁଡ଼ାକ ମନ୍ତ୍ରବାକ୍ୟ ହୋଇ ରହିଯାଏ, ଓ ତେଣେ ଅଭାବଜନିତ କେତେ ପ୍ରକାରର ଜର ଆମକୁ କାବୁ କରି ରଖିଥାଏ, ଭାରି ଉତ୍ତେଜିତ କରି ରଖିଥାଏ । ଭାବଗୁଡ଼ିକ ଲାଜରା ହୋଇ ଆଉ କେଉଁଠି ଯାଇ ଲୁଚି ରହିଥାନ୍ତି ।

 

୨୪ । ୩ । ୮୧

 

ବହିଲେଖା ସରିଗଲା, ବହିଲେଖା ପୁନର୍ବାର ଆରମ୍ଭ ହେବ । ତା’ର ଅର୍ଥ ମୋଟେ ନୁହେଁ ଯେ ଗୋଟାଏ ଦୁଆର ଏକାବେଳେକେ ବନ୍ଦ ହୋଇଗଲା, ଏଥର ଆଉ ଗୋଟାଏ ଦୁଆର ଖୋଲିବ ଓ ପୁରୁଣା ଦୁଆରଟି ସହିତ ତାହାର ଆଉ ମୋଟେ କୌଣସି ସମ୍ବନ୍ଧ ରହିବନାହିଁ । ଆପଣାକୁ ଅଭିବ୍ୟକ୍ତ କରିବାର କ୍ଷେତ୍ରରେ ମୋଟେ ଏପରି ହୁଏ ନାହିଁ । ଆପଣାର ସକଳ ଅଭିବ୍ୟକ୍ତି ଆପେ ଚାଲୁଥିବା ପଥଟିକୁହିଁ ସବୁଠାରୁ ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରିବାକୁ ଚେଷ୍ଟା କରେ ।

 

ତେଣୁ, ପଥ ଚାଲିବାଟାହିଁ ସବୁଠାରୁ ବଡ଼କଥା । ଏହି ପଥଟିକୁ ଚାଲିବା ସଙ୍ଗେ ସଙ୍ଗେ ଆପଣାକୁ ଅଭିବ୍ୟକ୍ତି କରି ପାରିବାର ଆବଶ୍ୟକତା ଏବଂ ଆହୁରି ଅଧିକ ପଥ ଚାଲିବାର ଶ୍ରଦ୍ଧା,–ମୋ’ର ଲେଖା ପ୍ରତ୍ୟେକ ବହିରେ ଏହି ଦୁଇଟିଯାକ କଥା ବ୍ୟକ୍ତ ହେଉଥିବା ପର୍ଯ୍ୟନ୍ତ ମୋ’ର କୌଣସି ଲେଖା ମୋ’ର ସମଗ୍ର ଅନୁଭବର ଧାରାଟିକୁ ଅଲଗା ହୋଇ ରହିଥିବା ପରି ମୋଟେ ଦେଖା ଯିବନାହିଁ । ମୋ’ର ଯାବତୀୟ ଲେଖା ମୋ’ର ଏହି କ୍ରମବିକାଶମାନ ଜୀବନଦୃଷ୍ଟିକୁହିଁ ପ୍ରକାଶ କରିବାରେ ଲାଗିଥିବ । ମୁଁ କେଉଁ ବିଷୟରେ ଏକ ଲେଖା ପ୍ରସ୍ତୁତ କଲି, ତାହା ଆଦୌ ବଡ଼କଥା ନୁହେଁ । କିନ୍ତୁ ମୁଁ ଯାହା ଲେଖିଲି, ତାହାରି ମାଧ୍ୟମରେ ମୁଁ ନିଜକୁ କେତେ ନିର୍ମଳ ଓ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିଲି, ସେଇଟି ହେଉଛି ଅସଲ କଥା । ଏହି ଦୃଷ୍ଟିରୁ ମୋ’ର ଲେଖାଗୁଡ଼ିକରୁ ମୋ’ ନିଜର ଗୋଟାଏ ଆଖି ଯେ ଅଛି ଓ ଗୋଟାଏ ହୃଦୟ ଯେ ଅଛି, ମୁଁ ସର୍ବୋପରି ଏହି ଅନୁଭବଟିହିଁ ଲାଭ କରିଥାଏ ।

 

୨୮ । ୩ । ୮୧

 

ଏଠି ସମସ୍ତେ ରହିବେ, ତେବେଯାଇ ମୁଁ ରହିବି । ଏହି ରାସ୍ତାରେ ସମସ୍ତେ ବାଟ ଚାଲିବେ, ତେବେଯାଇ ମୋତେ ନିଜକୁବି ଚାଲିବାପରି ଲାଗିବ, ମନ୍ଦିରର ଚୂଡ଼ାଟି ଆହୁରି ଅଧିକରୁ ଅଧିକ ସମୀପବର୍ତ୍ତୀ ହୋଇଦିଶି ଆସୁଥିବ । ଆମେ ସମସ୍ତେ ବଦଳିବା, ସମସ୍ତେ ନୂଆ ଆଖି ପାଇବା, ସମସ୍ତେ ପରସ୍ପରର ବନ୍ଧୁ ହେବା, ପରସ୍ପର ମଧ୍ୟରେ ଆପଣାର ପଥକୁ ଦେଖିବା, ପରସ୍ପରକୁ ବାଟ ଚାଲୁଥିବାର ଦେଖି ନିଜେବି ବାଟ ଚାଲିବାର ଉତ୍ସାହ ପାଇବା । ତେବେଯାଇ ହେବ, ତେବେଯାଇ ଏହି ମନ୍ଦିର ମନ୍ଦିରର ମର୍ଯ୍ୟାଦା ଲାଭ କରିବ । କିନ୍ତୁ ମୁଁ ଯଦି କେବଳ ମୋତେ ବାଡ଼ଟିଏ ପରି କରିଦେଇ ଆପଣାର ବାଟଗୁଡ଼ାକୁ ତାହାରି ଭିତରେ ଅଡ଼ୁଆ ସୂତା ମୁଣ୍ଡାଟାଏ ପରି କରି ରଖିବାର ଆଣ୍ଟ ଦେଖାଉଥିବି, ତେବେ ମୋ’ ଲାଗି ସବୁ ବାଟ, ସବୁ ଜାଗରଣ ଓ ସବୁ ସମ୍ମିଳନ ସତେଅବା ଗୁପ୍ତ ହୋଇ ରହିଥିବ । ମୁଁ ସବୁଠାରେ ରହିଥିବି, ତଥାପି ସତେଅବା ଆଦୌ କେଉଁଠି ହେଲେ ନଥିବି ।

 

ମଣିଷର ମୁହଁକୁ ଆପଣାର ଗଭୀର ପର୍ଯ୍ୟନ୍ତ ଉନ୍ମୁକ୍ତ କରି ଅନାଇଦେବା ମାତ୍ରକେ ମୁଁ ସଙ୍ଗେ ସଙ୍ଗେ ଅନୁଭବ କରେ ଯେ, ଏହି ଜଗତକୁ ମାୟା ନୁହେଁ, ଏକ ସତ୍ୟ, ଏକ ଆନନ୍ଦ ଓ ଏକ ଅନନ୍ତ ସଖ୍ୟହିଁ ଆଚ୍ଛାଦିତ କରି ରଖିଛି, ଏକାଠି ବେଢ଼ାଇ ଧରିଛି । ମାୟାଗୁଡ଼ାକ ମୋ’ କ୍ଷୁଦ୍ରତା ଭିତରେ ରହିଛି, ମୋ’ର ଭୟ ଓ ମୋ’ର ସଙ୍କୋଚ ଭିତରେ ରହିଛି । ଆପଣାର ଉଗ୍ରତା ଏବଂ ଆଶଙ୍କାଗୁଡ଼ାକ ଭିତରେ ରହିଛି । ସତ୍ୟ ଏହି ସକାଳଟି ପରି ଆମ ସମସ୍ତଙ୍କ ଦ୍ଵାର ପାଖରେ ଅପେକ୍ଷା କରି ରହିଛି, ଜନନୀ ପରି ଆଶା କରି ବସିଛି ।

 

୨୯ । ୩ । ୮୧

 

ମୋ’ର ପ୍ରସ୍ତୁତ ହେବା, ତାହାହିଁ ସାହାଯ୍ୟ କରିବା । ହୁଏତ ମୋତେ ପ୍ରସ୍ତୁତ କରାଇ ନେବାଲାଗି ମଧ୍ୟ ସିଏ ଅପେକ୍ଷା କରି ରହିଛି । ସେହି ପ୍ରସ୍ତୁତି ସକାଶେ ସମ୍ମତି ଦେବା ତାହାହିଁ ମୋ’ର ଏକମାତ୍ର କାର୍ଯ୍ୟ ।

 

ଏହି ସକାଳ ପ୍ରସନ୍ନ ନୟନରେ ମୋତେ ଅନାଇ ରହିଛି, ତାହାର ସେହି ପ୍ରସନ୍ନତାର ବାହୁବେଢ଼ ଭିତରେ ମନକୁ ମନ ଆସି ଧରାଦେବା ଲାଗି ସମ୍ମତ ହେବା ହେଉଛି ମୋ’ର କାର୍ଯ୍ୟ । ଏହି ଆକାଶ ଅପେକ୍ଷା କରି ରହିଛି, ଏହି ଆଲୋକ ଅପେକ୍ଷା କରି ରହିଛି । ଫୁଟି ଆସୁଥିବା ଫୁଲଟି ମଧ୍ୟ ମୋ’ର ସାଥୀ ହେବ ବୋଲି ଅପେକ୍ଷା କରି ରହିଛି । ସମସ୍ତେ ମୋର ସମ୍ମତି ଲାଗି ଅପେକ୍ଷା କରି ରହିଛନ୍ତି । ମୁଁ ଏଠି ଦେବାଲାଗି ପ୍ରସ୍ତୁତ ହେବି, ଆପଣାକୁ ଉନ୍ମୋଚିତ କରି ରଖିବାଲାଗି ପ୍ରସ୍ତୁତ ହେବି । ମୋ’ ମନତିଆରି ଶାସ୍ତ୍ରଗୁଡ଼ାକର ତିଥି ଓ ବେଳ ଅନୁସାରେ ନୁହେଁ, ତାହାରି ଆନନ୍ଦ ଓ ଅଭିପ୍ରାୟର ତିଥି ଓ ବେଳ ଅନୁସାରେ ଉନ୍ମୋଚିତ ହୋଇ ପାରିବାକୁ ମୁଁ ପ୍ରସ୍ତୁତ ହେବି । ମୋ’ର ପ୍ରାର୍ଥନା, ମୋ’ର ପୂଜା, ମୋ’ର ଖୁସି ଓ ମୋ’ର ଯାବତୀୟ କାର୍ଯ୍ୟ,–ଏହି ସବୁକିଛି ସେହି ଅସଲ ସମ୍ମତିରେହିଁ ରୂପାନ୍ତରିତ ହୋଇଯାଉ । ମୋ’ର ଆକାଂକ୍ଷାଗୁଡ଼ାକ ମଧ୍ୟ ସଞ୍ଚୟ ସୂଚକ ନହୋଇ ସମ୍ମତିସୂଚକ ହୋଇ ରହୁ । ମୁଁ ଯେ ଏଠି ସମସ୍ତଙ୍କ ସହିତ ଅଛି, ଏହି ଭୁବନବ୍ୟାପୀ ଆଶୀର୍ବାଦ ଭିତରେ ରହିଛି, ମୋ’ର ସକଳ ସମ୍ମତି ମୋ’ ଜୀବନର ସବୁ କ୍ଷେତ୍ରରେ ସେହି କଥାଟିକୁହିଁ ଅଭିବ୍ୟକ୍ତ କରିଦେବାରେ ଲାଗିଥାଉ ।

 

୩୧ । ୩ । ୮୧

 

ବନ୍ଧୁମାନେ ସମସ୍ତେ କହୁଛନ୍ତି ଯେ, ସେମାନଙ୍କୁ ଆଉ ମୋଟେ କିଛି ଭଲ ଲାଗୁନାହିଁ । ସଂସାରରେ ବେଭାର ନାମରେ ଚଳୁଥିବା ଅବେଭାରଗୁଡ଼ାକ ସେମାନଙ୍କୁ ଆଦୌ ଭଲ ଲାଗୁନାହିଁ । ପରିବାର ପରିବାର ବୋଲି ଲାଗୁନାହିଁ, କର୍ମସ୍ଥାନଗୁଡ଼ାକ ନାନା ଅକର୍ମ ଭିତରେ କୁଆଡ଼େ ହତବୀର୍ଯ୍ୟ ହୋଇ ରହିଛି, ଲଜ୍ଜିତ ହୋଇ ରହିଛି । ଏହିସବୁ ଭିତରେ ଘାଣ୍ଟି ହୋଇ ଓ ସଦାଧାବମାନ ରହି ସେମାନଙ୍କୁ ଭାରି କ୍ଳାନ୍ତ ଲାଗୁଛି, ଆଉ କୁଆଡ଼େ ପଳାଇ ଯିବାକୁ ମନ ହେଉଛି-

 

ମାତ୍ର, ସବୁଠାରୁ ବିଡ଼ମ୍ବନାର କଥା ହେଉଛି ଯେ, ସେମାନେ ଯାହାକୁ ଖରାପ ବୋଲି କହୁଛନ୍ତି ତାହାରି ଭିତରେହିଁ ସେମାନେ ପ୍ରାୟ ଗୋଟାସୁଦ୍ଧା ଗୁରାଇ ତୁରାଇ ହୋଇ ରହିଛନ୍ତି, ଖରାପଗୁଡ଼ାକ ଭିତରେ ତଥାପି ଭଲ ଦିଶିବାକୁ ଚେଷ୍ଟା କରୁଛନ୍ତି, ଦୁର୍ଜନତାର ଜଉଗଡ଼ଗୁଡ଼ାକ ଭିତରେ ତଥାପି ସଜ୍ଜନ ଅର୍ଥାତ୍ ଭଦ୍ରଲୋକ ପରି ଦିଶିବାକୁ ଚେଷ୍ଟା କରୁଛନ୍ତି । ଆଉ ଅଲଗା ପ୍ରକାରର କିଛିକୁ ସାହସ କରି ପାରୁନାହାନ୍ତି । ସେମାନଙ୍କର ଶ୍ରଦ୍ଧାଗୁଡ଼ାକ ସେହି ପୁରୁଣା ଗୁହଗୁଡ଼ାକର ଜ୍ୟାମିତି ଭିତରେ ନସରପସର ହୋଇ ଧାଇଁଛି, ନୀତି ଅନୀତିର ବୟାନ କରୁଛି, ଉପଦେଶର ମଣିମହକମାନ ତିଆରି କରୁଛି, ଶାସ୍ତ୍ର ଭିତରେ ସ୍ଵପ୍ନ ଦେଖୁଛି । ତଥାପି ଗୋଡ଼ଗୁଡ଼ାକୁ ପଙ୍କ ଭିତରୁ ଉଠାଇ ସମ୍ମୁଖସ୍ଥ ଅନ୍ୟ ପାହାଚଟିରେ ନେଇ ରଖି ପାରୁନାହିଁ । ଯେଉଁଦିନ ସେ ଏକଥାଟିକୁ କରି ପାରିବ, ସେଇଦିନ ସେ ନୂଆ ବାଟର ପ୍ରତ୍ୟୟ ପାଇବ, ସେଦିନ ଏଇ ଅନ୍ଧାରଗୁଡ଼ାକ ଆଗାମୀ ସକାଳକୁ ଜନ୍ମ ଦେବାରେ ସମର୍ଥ ହେବେ ।

 

୨ । ୪ । ୮୧

 

ହଟିଯିବାର ପ୍ରଶ୍ନ ନାହିଁ । ଜୀବନରେ ହଟିଯିବାର ପ୍ରଶ୍ନ ନାହିଁ । ସେହିପରି, ସାହିତ୍ୟରେ ହଟିଯିବାରବି ପ୍ରଶ୍ନ ନାହିଁ । ସାହିତ୍ୟରେ ଯାହା ହେବାର କଥା ତାହା ହେଉନାହିଁ; ସାହିତ୍ୟିକମାନେ ଯଥାର୍ଥ ସାହିତ୍ୟିକ ହେବାକୁ ମନ କରୁନାହାନ୍ତି, ତେଣୁ ଆଉ ମୋଟେ କିଛି ଲେଖିବାକୁ ମନ ହେଉନାହିଁ,–ଏଗୁଡ଼ାକ ଚାରିଆଡ଼ୁ ଯେତେ ଶୁଣିଲେ ମଧ୍ୟ ତଥାପି ଭିତରେ ଅସଲବନ୍ଧୁ ଓ ଅସଲ ସାଥୀଟି ମୋଟେ ହଟିଯିବାକୁ ପ୍ରସ୍ତୁତ ନୁହେଁ । ମୁଁ ଯାହାକିଛି କହିବାଲାଗି ସାହିତ୍ୟ ଭିତରକୁ ଆସିଛି, ସେହି କଥାଟିକୁ ମୁଁ ଅବଶ୍ୟ କହିବି, ମୋ’ ନିଜ ଭାଷାରେ ଓ ନିଜ ଶୈଳୀରେ କହିବି । ସେହି କ୍ଷେତ୍ରରେ ମୋଟେ ହଟି ଯିବିନାହିଁ ।

 

ତୋଷାମଦ ସବୁଦିନେ ଥିଲା । କପଟତାବି ନିଶ୍ଚୟ ସବୁଦିନେ ରହିଥିଲା । ସାହିତ୍ୟକୁ ବିନୋଦ ପରି ବ୍ୟବହାର କରି ଅନ୍ଧାର ଭିତରେ ଭୁଲି ରହିବାର ରୋଗଗୁଡ଼ାକ ସବୁ ଦରବାରରେ ରହିଥିଲା । ତଥାପି ସାହିତ୍ୟ ରହିଲା । ସ୍ଥିତିଗୁଡ଼ାକ ବଦଳିଲା । ସାହିତ୍ୟରେ ନୂତନ ଦିଗ୍‌ବଳୟମାନ ଉଦ୍‌ଘାଟିତ ହେଲା । ଚେତନାଗୁଡ଼ାକ କେତେ ନୂଆ ନୂଆ ପ୍ରସ୍ଥକୁ ସ୍ପର୍ଶ କରି ପାରିଲା । ବର୍ତ୍ତମାନ ଯେଉଁ ଅବସାଦ ସାହିତ୍ୟର ଆକାଶରେ ଏତେବେଶୀ ଦେଖାଯାଉଛି, ସେଇଟା ମଧ୍ୟ ବଦଳି ଯିବ । ମଣିଷର ଭିତରେ ରହିଥିବା ଜୀବନକାମୀ ପ୍ରେରଣାଗୁଡ଼ିକ ସାହିତ୍ୟକୁ କେତେକେତେ ସାମୟିକତା ମଧ୍ୟରୁ ବାହାର କରି ଆଗକୁ ନେଇ ଯାଉଥିବ ।

 

୩ । ୪ । ୮୧

 

ଗଣ୍ଠିଗୁଡ଼ାକୁ ସବାଆଗ ନିଜ ଭିତରେ ଫିଟାଇ ଦେବାକୁ ପଡ଼ିବ । ଆମେ ଅଧିକାଂଶ ସମୟରେ ସବୁକିଛି ଅଡ଼ୁଆର ଗଣ୍ଠିଗୁଡ଼ାକୁ ଅନ୍ୟମାନଙ୍କ ଭିତରେ ପ୍ରତ୍ୟକ୍ଷ କରିଥାଉ ଏବଂ ସେଥିଲାଗି ସମସ୍ତ ଜଗତକୁ ଦୋଷଦେଇ ଆପଣାର ଘର ଭିତରେ ଶୁଦ୍ଧ ହୋଇ, ଉଗ୍ର ଓ ତପ୍ତ ହୋଇ ବସିଥାଉ । ଏହିପରି ବସିବାଟାକୁହିଁ ଅଧିକାଂଶ ସମୟରେ ନୈତିକତା ବୋଲି କହିବାରେ ଲାଗିଥାଉ । ଏହିପରି ଭାବରେ ଆମେ ପ୍ରାୟ ସମସ୍ତେ ନିଜନିଜର ଗାତଟି ଭିତରେ ଯାଇ ପଶିଥାଉ, ଦୂରତାଗୁଡ଼ାକୁ ଧର୍ମପଥ ବୋଲି କହି ଭୁଲି ରହିଥାଉ; ମାତ୍ର ତେଣେ ଶାସ୍ତ୍ରଗୁଡ଼ାକ ମହାସମାରୋହରେ ବଢ଼ିବାରେ ଲାଗିଥାଏ । ଉଦ୍‌ଘୋଷିତ ହେବାରେ ଲାଗିଥାଏ । ଆମେ ସବାଆଗ ଆପଣାକୁ ସବୁଠାରୁ ଅଧିକ ବିଶ୍ଵସ୍ତ ସାଙ୍ଗରୂପେ ଗ୍ରହଣ କରି ଯଦି ସଂସାର ଭିତରକୁ ବାହାରୁଥାନ୍ତୁ, ତେବେ ସଂସାରଟାଯାକ ଆମକୁ କେତେ ସାଙ୍ଗ ମିଳିଯାଇ ପାରୁଥାନ୍ତେ । ନୀତି ଓ ନୈତିକତା ବିଷୟରେ ଆମର ଭ୍ରମଧାରଣାଗୁଡ଼ାକ ବଦଳିଯାଇ ପାରନ୍ତା । ଆମ ସଂସାରଟା ମଧ୍ୟ କେଡ଼େ ସହଜରେ ବଦଳିଯାଇ ପାରୁଥାନ୍ତା !

 

ଏଥିପାଇଁ ସାନ ସାନ ବନ୍ଧୁଗୋଷ୍ଠୀ ଦରକାର, ଯେଉଁମାନେ କି ଆପଣା ଭିତରେ ଅସଲ ବନ୍ଧୁଟିକୁ ଆବିଷ୍କାର କରିସାରି ସଂସାରରେ ବନ୍ଧୁ ଖୋଜି ବୁଲୁଥାନ୍ତେ । ନିଜର ସମଗ୍ର ଘରଟାକୁ ଖୋଲି ଦେଖାଇ ଦେବାରେ ମୋଟେ କୌଣସି ସଙ୍କୋଚ କରୁନଥାନ୍ତେ ।

 

୫ । ୪ । ୮୧

 

ଜୀବନ ଯୁକ୍ତ ହେବନାହିଁ, ଜୀବନ ଯୁକ୍ତ ହୋଇକରି ରହିଛି । ଆମେ ଅନୁଭବ କରିବାକୁ ଇଚ୍ଛା କରିବା ମାତ୍ରକେ ଏହି ନିତ୍ୟଯୁକ୍ତତାକୁ ଆପଣା ଭିତରେ ଅନୁଭବ କରି ପାରିବା ଅର୍ଥାତ୍ ଆମେ ଆପଣା ଭିତରେ ପ୍ରବେଶ କରି ପାରିବା । ଭିତରକୁ ବାଟ ପାଇଯିବା ବାହାରକୁ ବାଟ ପାଇଯିବା । ଆତ୍ମୀୟତାହିଁ ଆମ ଭିତରେ ଏବଂ ବାହାରେ ଆମର ଯାବତୀୟ ବିଚରଣରେ ସର୍ବପ୍ରଧାନ ପ୍ରେରଣା ହୋଇ ରହିବ ।

 

ଯୋଗ ଘଡ଼ିକର କସରତ ନୁହେଁ କିମ୍ବା ଏକ ନିର୍ଦ୍ଦିଷ୍ଟ ବା ବିଚ୍ଛିନ୍ନ ଅବସରର ପ୍ରତ୍ୟାହାର ମଧ୍ୟ ନୁହେଁ । କୌଣସି ପ୍ରକାର ବିସ୍ମରଣ ଅଥବା ପଳାୟନ ନିମନ୍ତେ ଯେଉଁ ତଥାକଥିତ ଯୋଗର ଆଚରଣ କରାଯାଇଥାଏ, ତାହା ଆମକୁ ବିଭକ୍ତ ହୋଇ ରହିବାରେହିଁ ସର୍ବାଧିକ ପରିମାଣରେ ସାହାଯ୍ୟ କରେ । ଅସଲ ଯୋଗ ହେଉଛି ଏହି ଜୀବନର ପରିଧିଗୁଡ଼ିକୁ ଘେରି ରହିଥିବା ବୃହତ୍ତର ପରିଧିଗୁଡ଼ିକର ଆବିଷ୍କାର କରିବା, ଆପଣାର କେନ୍ଦ୍ରଗୁଡ଼ିକୁ ଗୋଟିଏ ବୃହତ୍ ସ୍ଵୀକୃତି ମଧ୍ୟରେ ସମ୍ଭାରି ଧରିଥିବା ଅସଲ କେନ୍ଦ୍ରଟିକୁ ଆବିଷ୍କାର କରିବା; ସେହି ପରିଧିକୁ ଓ ସେହି କେନ୍ଦ୍ରଟିକୁ ଆପଣା ଭିତରେ ଅନୁଭବ କରିବା ଏବଂ ସେହି ଅନୁଭୂତିକୁ ସେତୁ କରି ସୋପାନକୁ ସୋପାନ ପାର ହୋଇଯିବା,–ଯଥାର୍ଥରେ ଯୁକ୍ତ ହୋଇ ରହିବା ।

 

୬ । ୪ । ୮୧

 

ମୋ’ ଦେଶକୁ ମୁଁ ଅତ୍ୟନ୍ତ ନିଜର ବୋଲି ଅନୁଭବ କରେ । ଏହି ଦେଶରେ ବାସ କରୁଥିବା ମଣିଷଙ୍କୁ ମୁଁ ସବୁଠାରୁ ଅଧିକ ନିକଟବର୍ତ୍ତୀ ବୋଲି ଅନୁଭବ କରେ । ତେଣୁ, ଏହି ଦେଶକୁ ମୁଁ ଯଥାସମ୍ଭବ ଅଧିକ ସମଗ୍ରରୂପେ ଦେଖିବାକୁ ଚାହେଁ, ଅନୁଭବ କରିବାକୁ ଚାହେଁ । ଭାବପ୍ରବଣତା ଆଦୌ ସମଗ୍ରତା ନୁହେଁ । ଭାବପ୍ରବଣତା ଆଦୌ ଭଲ ପାଇବାକୁ ବୁଝାଏନାହିଁ । ଭଲ ପାଇବା ବଢ଼ିଲେ ଭାବପ୍ରବଣତା କମିଯାଏ । ଆପଣାର ବୋଲି ଗ୍ରହଣ କରିନେଇ ପାରିଲେ ମୋହଗୁଡ଼ାକ କମିଯାଏ । ଭାବପ୍ରବଣତା ମୋଟେ ସମଗ୍ର ଭାବରେ ଦେଖିବାକୁ ଦିଏନାହିଁ, ଆମକୁ ଅଳପକୁ, ନିତାନ୍ତ ଅଳପକୁ ଅଧିକ ବୋଲି ଗ୍ରହଣ କରିବାର ଚକ୍ରାନ୍ତ ଭିତରେ ପକାଇଦିଏ । ଆମକୁ ନିଜ ଦେଶଲାଗି, ଯେକୌଣସି ଦେଶଲାଗି ଓ ଜୀବନ ଲାଗି ଭାରି ଅଯୋଗ୍ୟ କରି ରଖେ । ଆମକୁ ଆମ ନିଜଲାଗି ମଧ୍ୟ ଭାରି ଅଯୋଗ୍ୟ କରି ରଖେ ।

 

ମୋ’ ଦେଶର ନିନ୍ଦାବି ମୋ’ର । ମୋ’ ଦେଶର ଯାବତୀୟ ଅପୂର୍ଣ୍ଣତା ମୋ’ ସକାଶେ ଗୋଟିଏ ଗୋଟିଏ ଆହ୍ଵାନ । ଏଗୁଡ଼ାକୁ ମୁଁ ଅନ୍ୟ କୌଣସି କାରଣ ଦେଖାଇ ଲୁଚାଇ ରଖିବାକୁ ମନ କରିବିନାହିଁ । ମୁଁ ଏଗୁଡ଼ିକର ସମ୍ମୁଖୀନ ହେବି । ଏହିଗୁଡ଼ିକର ସମ୍ମୁଖୀନ ହେବାଦ୍ଵାରାହିଁ ମୁଁ ଦେଶରେ ବାସ କରୁଥିବା ଅନ୍ୟ ସବୁ ମଣିଷଙ୍କର ସହିତ ସମ୍ମିଳିତ ହୋଇପାରିବି । ଏହି ଦେଶର ଆଗରେ ଯଥାର୍ଥରେ ଯେଉଁସବୁ ସ୍ଵପ୍ନ ରହିବ, ସେସବୁ ମୋ’ ନିଜ ସ୍ଵପ୍ନର, ନିଜ ସମ୍ମତିର ଓ ନିଜ ପ୍ରସ୍ତୁତିର ଯୋଗ୍ୟତା ଉପରେ ନିର୍ଭର କରୁଥିବ । ମାତ୍ର, ଏହି ସବୁକିଛିକୁ ଭାବପ୍ରବଣତା ଦେଇ ଘୋଡ଼ାଇ ରଖିବାକୁ ଚେଷ୍ଟା କଲେ ମୁଁ ନିଜକୁ ପ୍ରକୃତରେ ବଡ଼ ଅଯୋଗ୍ୟ କରି ପକାଇ ରଖିଥିବ ।

 

୭ । ୪ । ୮୧

 

ନୂତନ ଲାଗି ମନ କଲେ ଏହି ପୁରାତନ ଭିତରୁହିଁ ସେହି ଈପ୍‌ସିତ ନୂତନ ଲାଗି ବାଟ ଫିଟିଯିବ । ତା’ପରେ ଆମେ ନିଜକୁ ଓ ବିଶ୍ଵସଂସାରକୁ ଅନ୍ୟଆଖିରେ ଦେଖିବାକୁ ଆରମ୍ଭ କରିବା । ନୂଆ ଆଉ ପୁରୁଣା ଭିତରେ ଯେଉଁ ଦ୍ଵନ୍ଦ୍ୱ, ତାହା ଆମ ନିଜର ଆପଣାକୁ ବଦଳାଇ ପାରିବାଲାଗି ଅନିଚ୍ଛାଜନିତ ଦ୍ଵନ୍ଦ୍ୱ । ଆମେ ଆଗକୁ ଗୋଡ଼ ପକାଇବାକୁ ମନ କରିବା ମାତ୍ରକେ ବର୍ତ୍ତମାନର ନୂଆ ଭବିଷ୍ୟତର ନୂତନଲାଗି ଭୂମିରୂପେ କାର୍ଯ୍ୟ କରେ, ଭବିଷ୍ୟ ମଧ୍ୟରେ ପ୍ରବେଶ କରିବାକୁ ଏକ ଦ୍ଵାରରୂପେ କାର୍ଯ୍ୟ କରେ । ଏହି ଦୃଷ୍ଟିରୁ ମୋ’ର ବର୍ତ୍ତମାନ ଓ ଭବିଷ୍ୟତକୁ ମୁଁ ଦୁଇଟି ପରିପୂରକ ସୋପାନରୂପେ ବେଶ୍ ଅନୁଭବ କରିପାରିବି । ମୋ’ ସିଦ୍ଧି ଅବିରାମ ଭାବରେ ମୋ’ର ତପସ୍ୟାରେ ପରିଣତ ହୋଇ ଯାଉଥିବା ପରି ଅନୁଭବ କରି ପାରିବି ।

 

ନୂତନ ହଠାତ୍ କୁଆଡ଼ୁ ମାଡ଼ି ଆସିବନାହିଁ, ଆଲୋକ ଅପ୍ରତ୍ୟାଶିତ ଭାବରେ ହଠାତ୍ ଆସି ଅନ୍ଧାର ଉପରେ ଅଜାଡ଼ି ହୋଇ ପଡ଼ିବନାହିଁ । ଅନ୍ଧାର ଆଲୁଅ ହେବାକୁ ମନ କଲେ ଏହି ଅନ୍ଧାରର ଭିତରୁହିଁ ଆଲୋକର ଉଦ୍‌ବେଳନ ହେବ । ନୂତନ ଲାଗି ମନ କଲେ ଆମ ଭିତରେ ସିଦ୍ଧିରୂପେ, ଭୂମିରୂପେ ଯାହାକିଛି ରହିଛି, ତାହା ଅଯଥେଷ୍ଟ ବୋଲି ଅନୁଭୂତ ହେବ ଏବଂ ନୂତନ ଉନ୍ମେଷିତ ହୋଇ ଆସିବାର ବାଟ ଫିଟିଯିବ । ସେତେବେଳେ ସେହି ବାଟ ଫିଟିବାରେ ନିମିତ୍ତରୂପେ କାର୍ଯ୍ୟ କରିବାକୁହିଁ ଈଶ୍ଵରଙ୍କର ଆଶୀର୍ବାଦ ବୋଲି ମନେ ହେବ । ଅଧିକରୁ ଅଧିକ ପ୍ରସ୍ତୁତ ହୋଇହିଁ ଆମେ ଅଧିକରୁ ଅଧିକ ଆଶୀର୍ବାଦର ଭାଜନ ହେବାରେ ଲାଗିଥିବା ।

 

୮ । ୪ । ୮୧

 

ବ୍ୟକ୍ତି ହିସାବରେ ଯେଉଁଠାରେ ପ୍ରାୟ କାହାରି ଚକ୍ଷୁ ନଥାଏ, ସେଠାରେ କେତେକ ମଣିଷ ବା କେତେଟା ବର୍ଗ ନିଜର ନାନାବିଧ ମୋହ ତଥା ନାନାବିଧ ଭ୍ରମକୁ ମିଶାଇ ଜାତି ବୋଲି ଗୋଟାଏ ମିଛପ୍ରତିମାକୁ ତିଆରି କରିଥାନ୍ତି । ଚତୁର୍ଦ୍ଦିଗରେହିଁ ଜୀବନର ଅବମାନନା ଓ ଅବଜ୍ଞା କରାଯାଉଥିଲେ ମଧ୍ୟ ସେମାନେ ତଥାପି ଏକ ଜାତୀୟଜୀବନର ଭାଣ କରୁଥାନ୍ତି । ଆପଣାର ମୋହଦ୍ଵାରା କଳ୍ପିତ ସେହି ପ୍ରତିମାକୁ ମରକତଦ୍ଵାରା ମଣ୍ଡିତ କରି ଫୁଲେଇ ହେବାରେ ଲାଗିଥାନ୍ତି । କହିବା ବାହୁଲ୍ୟ, ସେହିମାନେହିଁ କ୍ଷମତାରେ ବସିଥାନ୍ତି; ଏବଂ ସଂସ୍କୃତିଗୁଡ଼ାକୁ ଭୋଗ କରୁଥାନ୍ତି । ସଂସ୍କୃତି ଓ ସମ୍ଭାବନାର ଯାବତୀୟ ତାଟିଆକୁ କାମୁଡ଼ି ବସିଥାନ୍ତି ।

 

ମଣିଷମାନଙ୍କୁ ନେଇ ଗୋଟାଏ ସମୂହ ଅବଶ୍ୟ ଗଠିତ ହୋଇପାରେ । ମାତ୍ର, ମେଣ୍ଢାମାନଙ୍କୁ ନେଇ ଯେପରି ଗୋଟାଏ ପଲ ଗଠନ କରାଯାଇପାରେ, ଆଦୌ ସେପରି ନୁହେଁ । ବ୍ୟକ୍ତିମାନଙ୍କୁ ନେଇହିଁ ଯଥାର୍ଥ ସମୂହ ସମ୍ଭବ ହୋଇପାରେ । ବ୍ୟକ୍ତିର ଚେତନା ଥାଏ, ବ୍ୟକ୍ତିର ସମ୍ମାନ ଥାଏ,–ଅର୍ଥାତ୍ ସିଏ ସମ୍ମାନ ଦେଇଜାଣେ ଓ ପାଇଜାଣେ । ବ୍ୟକ୍ତିର ମେରୁଦଣ୍ଡ ରହିଥାଏ, ଚକ୍ଷୁଗୁଡ଼ାକ ମଧ୍ୟ ରହିଥାଏ । ସବୁ ବ୍ୟକ୍ତି ଯେପରି ଚେତନା, ସମ୍ମାନବୋଧ ତଥା ଚକ୍ଷୁ ଓ ମେରୁଦଣ୍ଡର ଯୋଗ୍ୟ ଅଧିକାରୀ ହୋଇ ପାରିବେ, ସାମୂହିକ ଜୀବନରେ ସେହିପରି ଏକ ପରିବେଶ ସମ୍ଭବ କରିବାରେ ଏକ ଯଥାର୍ଥ ଉଦ୍ୟମ ଚାଲିଥାଏ । ନେତୃତ୍ଵଗୁଡ଼ାକରେ ଆନ୍ତରିକତା ରହିଥାଏ,–ଶଠତାଗୁଡ଼ାକୁ ଶଠତା ବୋଲି ଚିହ୍ନାଇ ଦିଆଯାଇ ପାରୁଥାଏ । ତେବେଯାଇ ମଣିଷମାନଙ୍କୁ ନେଇ ଏକ ଯଥାର୍ଥ ସମୂହର ସୃଷ୍ଟି ହୋଇପାରେ, ଏକ ଯଥାର୍ଥ ଜାତିତ୍ଵର ମୂଳଦୁଆ ପଡ଼େ ।

 

୧୦ । ୪ । ୮୧

 

ଦେଶରେ, ସମାଜରେ କ’ଣ ସବୁ ହେବା ଉଚିତ, ମାତ୍ର ମୋଟେ ହୋଇ ପାରୁନାହିଁ ବୋଲି ଅନେକ ବ୍ୟକ୍ତି କେଡ଼େ ଖୁସି ହୋଇ କହି ଯାଆନ୍ତି । ଏସବୁ ଯେ ହୋଇ ପାରୁନାହିଁ, ସେଥିଲାଗି ସେମାନେ ଅମୁକକୁ ଅଥବା ସମୁକକୁ ଦୋଷୀ କରନ୍ତି ଏବଂ ଅପରକୁ ଦୋଷୀ କରି ବେଶ୍ ଏକ ଆନନ୍ଦ ଅନୁଭବ କରୁଥିବା ପରି ମନେ ହୁଅନ୍ତି ।

 

ଏମାନଙ୍କର ଦେଶ ପ୍ରକୃତରେ କେଉଁଠାରେ ଥାଏ କେଜାଣି ? ଦେଶ ଯଦି ଯଥାର୍ଥରେ ମୋ’ର ହୋଇଥାଏ, ତେବେ ଏହି ଦେଶର ଗୌରବ ଯେପରି ମୋ’ର ଗୌରବ, ଦେଶର ଲଜ୍ଜାଗୁଡ଼ାକ ମଧ୍ୟ ମୋ’ର ଲଜ୍ଜା । ମୋ’ ଭିତରେ ଏତିକି ଭାବନା ଆଣିଦେଇ ପାରିବା ମୋ’ ଦେଶରେ ଯାବତୀୟ ଜାତୀୟଶିକ୍ଷାର ସର୍ବପ୍ରଥମ ଉଦ୍ଦେଶ୍ୟ ହୋଇ ରହିଥିବା ଉଚିତ । ମାତ୍ର, ଆମ ଦେଶରେ ତାହା ହୋଇ ପାରୁନାହିଁ । ଆମେ ଯେଉଁମାନେ ପାଠ ପଢ଼ୁଛୁ, ସେମାନେ ପ୍ରଧାନତଃ ଠକ ହେଉଛୁ; ଚତୁର ହେଉଛୁ, ଅନ୍ୟର ନିନ୍ଦାଦ୍ଵାରା ଆପଣାର ଲାଜଗୁଡ଼ାକୁ ଢାଙ୍କି ରଖିବାକୁ ଇଚ୍ଛା କରୁଛୁ-। ମଣିଷଗୁଡ଼ାକ ପୋକମାଛି ପରି କଲବଲ ହେଉଛନ୍ତି । ତଥାପି ସିଆଣିଆପଣଗୁଡ଼ାକ ଉପରେ ନିର୍ଭର କରି ରହିବାର ଆମର ଦୁରାଗ୍ରହରେ କୌଣସି ପରିବର୍ତ୍ତନ ହେଉନାହିଁ । ଦେଶ ଯୁଆଡ଼େ ଯାଉଥାଉ ପଛକେ, ଆମେ ନିଜେ ଦୃଢ଼ ଓ ସମ୍ବଳସମ୍ପନ୍ନ ହୋଇ ରହିବାକୁହିଁ ସତେଯେପରି ଆମର ପ୍ରଧାନ ଧର୍ମ ବୋଲି ଗ୍ରହଣ କରିନେଇଛୁ । ଏହି ଦେଶ ଆମର ଭୂସମ୍ପତ୍ତି ହୋଇ ରହିଛି-। ସିଆଣିଆମାନଙ୍କର ଭୂସମ୍ପତ୍ତି ହୋଇ ରହିଛି ।

 

୧୧ । ୪ । ୮୧

 

ସାହିତ୍ୟରେ, ଆଧୁନିକ ସାହିତ୍ୟରେ ସମାଜଚେତନାର ଯେପରି ଏକ ଆଲୋଚନା ହୋଇ ପାରିବ, ଆଧୁନିକ ସାହିତ୍ୟ ଭିତରେ, ବିଶେଷତଃ ଆମ ଦେଶର ବର୍ତ୍ତମାନ ସାହିତ୍ୟରେ କପଟଚେତନାର ସାଧ୍ୟ ସମ୍ଭବତଃ ଠିକ୍ ସେହିପରି ଏକ ଆଲୋଚନା ଭାରି ଚମତ୍କାର ଭାବରେ ହୋଇ ପାରିବ । ଚେତନାର ଯେତେ ଆଲୋଚନା ହୋଇ ପାରିବ, ସମ୍ଭବତଃ କପଟରବି ସେତିକି ଆଲୋଚନା ହୋଇ ପାରିବ । ମୋ’ର ସାହିତ୍ୟଚେତନା ଯଦି ମୋ’ ଉପରେ କେବଳ ଏକ ଖୋଳ ହୋଇ ରହିଥାଏ ଅଥବା ମୋ’ ବାସ୍ତବ ଜୀବନ ସହିତ ମୋ’ର ସାହିତ୍ୟିକ ଯଦି ସତେଅବା ଏକ ଦ୍ଵିତୀୟ ଖୋଳ ପରି କାର୍ଯ୍ୟ କରୁଥାଏ, ତେବେ ମୋ’ର ସେହି ଅନ୍ତରାଚରଣକୁ ସର୍ବପ୍ରଥମେ ଏକ କପଟାଚରଣ ବୋଲି କହିବାକୁ ପଡ଼ିବ ।

 

ସାହିତ୍ୟଚେତନା ହେଉଛି ଏକ ସମଗ୍ର ଚେତନା । ତାହା ମୋ’ର ଜୀବନ ପରି ସମଗ୍ର । ଏଥିରେ ଭିତରଟାକୁ ଲୁଚାଇ ବାହାରଟାକୁ ଦେଖାଇ ହେବାର ଆଦୌ କୌଣସି ଫନ୍ଦି ନାହିଁ ଅଥବା ବାହାରଟାକୁ ଅସ୍ଵୀକାର କିମ୍ବା ଅବହେଳା କରି ଭିତରେ ଯାଇ ଖୋଳି ତାଡ଼ି ହେବାର କୌଣସି ଆଡ଼ମ୍ବର ନାହିଁ । ଆମେ ଯେତେ ମଣିଷ ନିଜର ତଥାକଥିତ ସାହିତ୍ୟର ଉଢ଼ୁଆଳରେ ନିଜେ ଲୁଚି ବସିବାକୁ ଫିକର କରୁଛୁ ବା ସାହିତ୍ୟ ଭିତରେ ଆପଣାର ଗ୍ଳାନିଗୁଡ଼ାକୁ, ଅନାତ୍ମୀୟତା ଓ ଅସମର୍ପଣଗୁଡ଼ାକୁ ପାସୋରି ରହି ମୁକୁଟ ପିନ୍ଧି ପଦାକୁ ବାହାରିବାକୁ ମନ କରୁଛୁ, ଆମ ଚେତନାରେ ସାହିତ୍ୟ ଅଥବା ସମାଜ ଅପେକ୍ଷା କପଟହିଁ ହୁଏତ ଅଧିକ ପରିମାଣରେ ରହିଛି ।

 

୧୨ । ୪ । ୮୧

 

ଶ୍ରୀଯୁକ୍ତ ମଧୁ ମହାନ୍ତି ଅତ୍ୟନ୍ତ ନିକଟର ଲୋକ ଥିଲେ । ମୃତ୍ୟୁପରେ ସିଏ ଆହୁରି ନିକଟରେ ରହିଛନ୍ତି ବୋଲି ମୋର ମନେହେଉଛି ।

 

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ଏହି ସଂସାରକୁ ବିଦାୟ ନେଇ ଯିବାପରେ ମଧ୍ୟ ତଥାପି ଅତି ପାଖରେ ଥିବାପରି ବୋଧ ହେଉଥାନ୍ତି । ତାହାର ଅନେକ କାରଣ ରହିଛି । ସର୍ବପ୍ରଧାନ କାରଣ ହେଉଛି ଆତ୍ମୀୟତା । ଏହି ଆତ୍ମୀୟତା ବାହାରର କୌଣସି ସମ୍ବନ୍ଧ ସକାଶେ ନୁହେଁ । ଏହା ଏକାଠି ବାଟ ଚାଲିବାର ସମ୍ବନ୍ଧ । ବର୍ତ୍ତମାନ ପ୍ରାୟ ସମସ୍ତେ ନିଜର ବିବେକଗୁଡ଼ାକୁ ପକେଟରେ ଲୁଚାଇ ରଖି ପ୍ରଧାନତଃ ଏକ ତାତ୍କାଳିକ ବ୍ୟାବହାରିକତାକୁ ଧର୍ମ ବୋଲି ଗ୍ରହଣ କରି ବିଜ୍ଞତା ପ୍ରଦର୍ଶନ କରୁଥିବା ସମୟରେ ମଧୁବାବୁ ତଥାପି ବିବେକର ସହିତ ବଞ୍ଚୁଥିଲେ, ବିବେକ ସହିତ କଥା ମଧ୍ୟ କହୁଥିଲେ । ସେହି ବିବେକରେ ଏକ ଶକ୍ତି ଥିଲା । ଏକ ସଂକ୍ରମଣଶକ୍ତି ମଧ୍ୟ ରହିଥିଲା । ସେଥିଲାଗି ଏତେ ଅଧିକ ବୟସରେ ମଧ୍ୟ ମଧୁବାବୁ ପ୍ରାୟ ସବୁ ବୟସର ମଣିଷଙ୍କୁ ଆକର୍ଷଣ କରୁଥିଲେ ଓ ଆପଣାର ବୋଲି ମନେ ହେଉଥିଲେ । ଅନେକ ମଣିଷ ଏକପ୍ରକାର ସାଂସାରିକ ବିଜ୍ଞତା ହାସଲ କରି କେଡ଼େ ସୁନ୍ଦର ଖାପ ଖାଇ ରହିଯାଆନ୍ତି ଓ କୌଶଳ ବୁଦ୍ଧି ସମ୍ପନ୍ନ ଗୁରୁଜନ ପରି ଦେଖା ଯାଉଥାନ୍ତି । ମଧୁବାବୁ ମୋଟେ ସେପରି ଦେଖା ଯାଉନଥିଲେ । ସିଏ ସହଯାତ୍ରୀର ପ୍ରେରଣା ଦେଉଥିଲେ । ଏବେ ମଧ୍ୟ ଦେଉଛନ୍ତି ।

 

୧୩ । ୪ । ୮୧

 

ଆପଣାର କେନ୍ଦ୍ରଟିକୁ ଛୁଇଁବା ପୂର୍ବରୁ ଯଦି ମୁଁ ଅନ୍ୟ କୌଣସି ଲୋଭନୀୟ ବୃତ୍ତି ଭିତରେ କୋଉଠି ନୂଆ ଭେକ ପିନ୍ଧି ଅଟକି ଯାଇଥାନ୍ତି, ତେବେ ସମ୍ଭବତଃ କେଡ଼େ ବଡ଼ ପିଣ୍ଡା ଉପରେ ବସି କେଡ଼େ ଦୁରାଗ୍ରହ ସହିତ ମୁଁ କେତେକଅଣ ପାଇଛି ବୋଲି ଅହଂକାର କରୁଥାନ୍ତି ସତ, ମାତ୍ର ଆପଣା ଭିତରେ ଆପଣାର ଅସଲ ଥଳଟିକୁ ମୋଟେ ପାଇ ପାରିନଥାନ୍ତି ।

 

ସମାଜରେ, ସଂସାରରେ ଅନେକ ଲୋକ ଅଛନ୍ତି, ଯେଉଁମାନେ କି ଆପଣା ଭିତରକୁ ହୁଏତ ମୋଟେ ଯିବେନାହିଁ ବୋଲି କେତେ ଆଦର୍ଶ ଭିତରେ ଯାଇ ପଶିଛନ୍ତି, କେତେ ସହଜ ସୂତ୍ରର କ୍ରିୟାତ୍ମକତା ଭିତରେ ପଶି ଗୋଟାସୁଦ୍ଧା ନିଷ୍କ୍ରିୟ ହୋଇ ବସିଛନ୍ତି, ବ୍ରାହ୍ମଣ ହେବେନାହିଁ ବୋଲି କେତେ ପଇତା ଭିତରେ ଗୁଡ଼ାଇ ହୋଇ ରହିଛନ୍ତି । ଏଇମାନେ ଆଜି ଆମ ସଂସାରରେ ସବୁଠାରୁ ଅଧିକ ପାଟି କରୁଛନ୍ତି । ବାଟସବୁ ମିଳି ସାରିଲେଣି ବୋଲି ଚିତ୍କାର କରି ବାନା ଉଡ଼ାଉଛନ୍ତି । ଏମାନେ ନିଜକୁ ଡରୁଛନ୍ତି, ନିଜ ସହିତ ସଖ୍ୟ କରିବାକୁ ଡରୁଛନ୍ତି । ତେଣୁ, ବାହାର ପୃଥିବୀ ସହିତ ସେମାନଙ୍କର ହୁଏତ ଆଦୌ କୌଣସି ସଖ୍ୟ ନଥିଲେ ମଧ୍ୟ ସେମାନେ ସାରା ସଂସାରକୁ ଗୋଟାଏ ବ୍ୟୂହ ଭିତରେ ଆଣି ପୂରାଇଦେଲେ ସଂସାରର ଉଦ୍ଧାର ହୋଇଯିବ ବୋଲି ବିଶ୍ଵାସ କରୁଛନ୍ତି । ହୁଏତ ସେମାନେ ଆଦୌ କିଛି ବିଶ୍ଵାସ କରୁନାହାନ୍ତି । ଅବିଶ୍ଵାସକୁ ମୂଳ କରି ଅନେକ ସମୟରେ ମଣିଷ ଯେଉଁ ବାହ୍ୟ ଉତ୍ତେଜନା ଓ ଉତ୍ସାହର ଶିକାର ହୋଇଥାଏ, ସେମାନେ ସମ୍ଭବତଃ ତାହାରି କବଳରେ ଯାଇ ପଡ଼ିଛନ୍ତି ।

 

୧୬ । ୪ । ୮୧

 

ବର୍ତ୍ତମାନର ସଂସାରରେ ଆଉ ସମସ୍ତେ ସିଆଣିଆ ଓ ମୁଁ ଏକୁଟିଆ ବୋକା, ମୁଁ ଏପରି କଥା କେବେହେଲେ ମନ ଭିତରେ ପୂରାଇନାହିଁ । ସେମାନଙ୍କ ଆଖିରେ ମୁଁ ବୋକା ହୋଇ ରହିଗଲି ବୋଲି କେବେହେଲେ ମନରେ ଏତେଟିକିଏ ଦୁଃଖ ପ୍ରକାଶ କରିନାହିଁ ବା ତଥାକଥିତ ସିଆଣିଆ ଲୋକଙ୍କ ପରି ହେବାଲାଗି ଆଦୌ କୌଣସି ଚେଷ୍ଟା କରିନାହିଁ ।

 

ତାହାର ସବୁଠାରୁ ବଡ଼ କାରଣ ହେଉଛି ଯେ, ମୁଁ ଯେଉଁ ବାଟରେ ଚାଲୁଛି, ତାହାକୁ ମୁଁ ନିଜେ ବାଛିଛି । କୌଣସି ଭୟ ବା ଆର୍ତ୍ତତାଦ୍ଵାରା ତାଡ଼ିତ ହୋଇ ମୁଁ କଦାପି ଅକର୍ତ୍ତବ୍ୟ ଭିତରୁ କର୍ତ୍ତବ୍ୟ ଭିତରକୁ ଆସିବାକୁ ମନ କରିନାହିଁ । ମୁଁ ଖୁସି ହୋଇ ଏହି ବାଟକୁ ଆସିଛି, ଆପଣାଲାଗି ବାଟଟିଏ ଖୋଜୁ ଖୋଜୁ ଏହି ବାଟରେ ଆସି ପହଞ୍ଚିଛି । ଏହି ବାଟକୁ କେହି ମୋ’ ଉପରେ ଲଦି ଦେଇନାହିଁ । ପ୍ରତିବଦଳରେ କିଛି ପାଇବି ବୋଲି ମୁଁ ଲୋଭାସକ୍ତ ହୋଇ ଏହି ବାଟକୁ ଆସିନାହିଁ । ମୁଁ ଭଲକରି ଜାଣିଛି, ଏହି ବାଟରେ ନେବା ଅପେକ୍ଷା ଦେବାହିଁ ଅନେକ ଅଧିକ ପରିମାଣରେ ରହିଛି-। ଏହି ଦେବାଟାକୁ ଅର୍ଥାତ୍ ଆପଣାଠାରୁ ଅଧିକ ବୃହତ୍ କୌଣସି ଏକ ବସ୍ତୁ ଲାଗି ବଞ୍ଚିବାକୁହିଁ ମୁଁ ଜୀବନର ଅସଲ ସୂତ୍ରରୂପେ ସ୍ଵୀକାର କରିନେଇଛି । ଯେଉଁମାନେ ଜୀବନରୂପୀ ଚତୁର ବ୍ୟବସାୟରେ ଲାଭବାନ ହୋଇଛନ୍ତି, ସେମାନଙ୍କ ପ୍ରତି ମୋ’ ମନରେ କେବେହେଲେ କୌଣସି ଈର୍ଷା ଆସିନାହିଁ । କାରଣ ମୋ’ ବାଟରେ ଚାଲି ମୁଁ ଯାହାକିଛି ପାଇଛି, ତାହାହିଁ ମୋ’ ଜୀବନର ଅସଲ ଆଧ୍ୟାତ୍ମିକ ଭର୍ତ୍ତି ହୋଇ ରହିଛି ।

 

୧୭ । ୪ । ୮୧

 

ଯିଶୁଖ୍ରୀଷ୍ଟଙ୍କର ସ୍ମରଣ କରିବାର ଏକ ଅର୍ଥ ହେଉଛି ମଣିଷ ଭିତରେ ରହିଥିବା ପ୍ରେମଶକ୍ତିର ସ୍ମରଣ କରିବା । ପ୍ରେମଶକ୍ତିକୁ ଏକ ପ୍ରତୀକରେ ପରିଣତ କରି କୌଣସି ମନ୍ଦିର ଗଢ଼ାଯାଇ ନଥିଲେ ମଧ୍ୟ ତଥାପି ସେହି ଶକ୍ତି ବଞ୍ଚି ରହିଥାନ୍ତା । ମଣିଷ ସମ୍ଭବତଃ ତାହାକୁ ମନ୍ଦିରର ଉପାସନା ଭିତରେ ଭୁଲି ନଯାଇ ଅଧିକ ବ୍ୟାକୁଳତାର ସହିତ ଆପଣା ଭିତରେ ଓ ପରସ୍ପର ଭିତରେ ତାହାର ଅନୁସନ୍ଧାନ କରିଥାନ୍ତା । ତାହାକୁ ଏକ ଅସାଧାରଣତା ଭିତରକୁ ପେଲି ନଦେଇ ଆପଣାର ସାଧାରଣ ସଙ୍ଗ ଓ ମୁହୂର୍ତ୍ତଗୁଡ଼ିକରେ ଅନୁଭବ କରିବାକୁ ଅଧିକ ଚେଷ୍ଟା କରିଥାନ୍ତା ।

 

ଆପଣାକୁ ଦେଇ ପାରିବାର ଶକ୍ତି ହେଉଛି ପ୍ରେମର ଶକ୍ତି । ସେହି ଶକ୍ତିକୁ ଏକ ଦେବତାରେ ପରିଣତ କରି ମଣିଷ ତା’ଠାରୁ କେତେକଅଣ ମାଗିବାର ଅଫିମଖିଆ ଭିତରେ ଭୁଲି ଆପଣାକୁ ଦେଇ ପାରିବାର ଶକ୍ତିକୁ କ୍ରମେ ହରାଇ ବସିଲାଣି । ଭାରି କୃପଣ ହୋଇପଡ଼ିଲାଣି ଏବଂ ଦେଇ ଦେବାର ଧର୍ମକୁ ପ୍ରାୟ ଏକ ବୋକାମି ବୋଲି କହିଲାଣି । ଏହି ପ୍ରବୃତ୍ତିଟିକୁ ଲେଉଟାଇ ପାରିବାକୁ ହେଲେ ଭିତରେ ପ୍ରକୃତରେ ଅଜସ୍ର ଜିଦ୍ ରହିଥିବା ଦରକାର, ଅଜସ୍ର ବିଶ୍ଵାସ ରହିଥିବା ଦରକାର । ମନ୍ଦିର ଉପରେ ନୁହେଁ, ଜୀବନ ଉପରେ ଅଜସ୍ର ବିଶ୍ଵାସ ରହିଥିବା ଦରକାର ।

 

୧୮ । ୪ । ୮୧

 

ମଣିଷଗୁଡ଼ାକ ଚାହୁଁଚାହୁଁ ମରି ଯାଉଛନ୍ତି, ପ୍ରବଳ ତୋଫାନ ଆସି ମାତ୍ର କେତେଟା ମିନିଟ୍ ଭିତରେ ଶହ ଶହ ମଣିଷଙ୍କର ପ୍ରାଣ ନେଇଯାଉଛି । ଏହିସବୁ ବିଡ଼ମ୍ବନାର କୌଣସି ଉତ୍ତର ତର୍କ ଭିତରେ ନାହିଁ, ବହି ଭିତରେ ନାହିଁ, ତଥାପି ମୁଁ କେବେହେଲେ କହିବାକୁ ମନ କରିବିନାହିଁ ଯେ ମଣିଷର ଜୀବନ ମୋଟେ ତା’ ନିଜ ଅକ୍ତିଆରରେ ନାହିଁ । ସିଏ ଭାଗ୍ୟ ହାତରେ କେବଳ କୁଟାଖଣ୍ଡେ ବୋଲି ମୁଁ କେବେହେଲେ କହିବିନାହିଁ ।

 

ମଣିଷ ଇଚ୍ଛା କଲେ ତଥାପି ବିଶ୍ଵାସରେ ବଞ୍ଚି ପାରିବ । ଯେତେଦିନ ପର୍ଯ୍ୟନ୍ତ ସିଏ ସଂସାର ଭିତରେ ରହିଛି, ଏକ ଅଟଳ ବିଶ୍ଵାସକୁ ଭୂମି କରି ନିଜର ଜୀବନ ବଞ୍ଚୁଥିଲେ ସିଏ ନିଜଭିତରୁ ଜୀବନର କେତେ ନା କେତେ ନିର୍ଭର ପାଇପାରିବ;–ଯାବତୀୟ ପ୍ରତ୍ୟୟ ଓ ଯାବତୀୟ ନିର୍ଭରକୁ ସିଏ ନିଜ ଭିତରେ ସତେଅବା ଜଣେ ପରମ ବନ୍ଧୁରୂପେ ଆବିଷ୍କାର କରି ପାରିବ । ତା’ପରେ ଏହି ଜଗତରେ କିଛିହେଲେ ତାକୁ ଆକସ୍ମିକ ଲାଗିବନାହିଁ । ସବୁକିଛି ସୁଅଭିପ୍ରେତ ହୋଇ ରହିଥିବା ପରି ଲାଗିବ । ସହସ୍ର ଅନିଶ୍ଚୟତା ମଧ୍ୟରେ ତଥାପି ନିଜର ଟିପଗୁଡ଼ାକ ସତେଅବା କୋଉଠି ଅତ୍ୟନ୍ତ ତଳେ ଯାଇ ଦୃଢ଼ ଭାବରେ ଲାଗି ରହିଥିବା ପରି ମନେହେବ । ତା’ପରେ ଜୀବନଟା ମୋଟେ ଅଳୀକ ମନେ ହେବନାହିଁ । ଜୀବନର ଅର୍ଥ ମିଳିଯିବ, ଏହି ତଥାକଥିତ ଅନିଶ୍ଚିତ ମୁହୂର୍ତ୍ତଗୁଡ଼ାକରୁ ମଧ୍ୟ ଅର୍ଥ ମିଳିଯିବ ।

 

୧୯ । ୪ । ୮୧

 

ମୋ’ର ଉପଲବ୍ଧ ତଥାକଥିତ ସମ୍ପୂର୍ଣ୍ଣ ସତ୍ୟଟି ମୋତେ ତଥାପି ଏକ ସମ୍ପୂର୍ଣ୍ଣତର ସତ୍ୟଲାଗି ପରିପ୍ରେରିତ କରି ନେଇଯାଇ ପାରୁଥିବା ଉଚିତ । ପ୍ରେମ ବୋଲି ମୁଁ ଯେତିକି ଜାଣିଛି, ଲୋଡ଼ିଛି ବା ଅନୁଭବ କରିଛି, ଏବଂ ତାହାରି ମଧ୍ୟରୁ ସମ୍ପୂର୍ଣ୍ଣତର ଯେତେ ଯେତେ ଅନୁଭୂତି ମଧ୍ୟ ଲାଭ କରିଛି, ତାହା ମୋତେ ପ୍ରେମର ଅଧିକ ବୃହତ୍ ବୃତ୍ତଗୁଡ଼ିକ ମଧ୍ୟକୁ ପରିପ୍ରେରିତ କରି ନେଇଯାଇ ପାରୁଥିବା ଦରକାର । ଆମର ଅନ୍ତର୍ଗତ ଅନୁରାଗ ଏବଂ ଆନୁଗତ୍ୟଗୁଡ଼ିକର କ୍ଷେତ୍ରରେ ଏହିପରି ଏକ ପ୍ରକ୍ରିୟା ସତତ ଲାଗି ନରହିଥିଲେ ଏବଂ ଏହିପରି ଏକ ଉତ୍ସାହହିଁ ଆମର ଉତ୍‌ପ୍ରେରକ ହୋଇ ରହିନଥିଲେ ତାହା ଆମକୁ ନାନା ପ୍ରମାଦ ଭିତରେ ପକାଇ ରଖିବାର ଏକ ଆଶଙ୍କା ସବୁବେଳେ ରହିଥିବ ।

 

ସାହିତ୍ୟରେ ମଧ୍ୟ ସେହି କଥା । ସଂସ୍କୃତିରେ ମଧ୍ୟ ସେହିକଥା । ତଥାକଥିତ ଧର୍ମ ଓ ଆତ୍ମୀୟତାଗୁଡ଼ିକର କ୍ଷେତ୍ରରେ ମଧ୍ୟ ସେହି କଥା । ମୋ’ର ଲବ୍ଧ ସତ୍ୟଗୁଡ଼ିକ ଆପଣାକୁ ତଥାପି ଖଣ୍ଡ ସତ୍ୟ ବୋଲି ଆବିଷ୍କାର କରିବାରେ ଲାଗିଥାନ୍ତୁ, ଅର୍ଥାତ୍ ଆପଣାକୁ ତଥାପି ଏକ ବୃହତ୍ତର ସତ୍ୟ ମଧ୍ୟକୁ ପ୍ରସାରିତ କରିଦେବାର ସାମର୍ଥ୍ୟଟିକୁ ରଖିପାରିଥାନ୍ତୁ । ସମ୍ପୂର୍ଣ୍ଣଠାରୁ ଯେ ସବୁବେଳେ ଏକ ସମ୍ପୂର୍ଣ୍ଣତର ରହିଛି ଏବଂ ଏହି ପ୍ରକ୍ରିୟାଟିରେ ଯେ କେବେହେଲେ କୌଣସି ବିରତି ନାହିଁ, ତାହାହିଁ ମୋ’ ଜୀବନର ଯାବତୀୟ ଅନ୍ଵେଷଣ ଓ ଯାବତୀୟ ଆତ୍ମୀୟତାରେ ସବୁଠାରୁ ବଡ଼ ସମ୍ପଦ ହୋଇ ରହିଥାଉ ।

 

୨୦ । ୪ । ୮୧

 

ବଡ଼ ଆଦର୍ଶ ନେଇ ସମାଜ ଗଢ଼ାହେବ, ଦେଶ ଗଢ଼ା ହେବ ଏବଂ ଯୁଗ ଗଢ଼ା ହେବ ସତ, ମାତ୍ର ଏହି ସାନନଜର ମଣିଷଗୁଡ଼ାଙ୍କ ହାତରେ ପଡ଼ି ବଡ଼ବଡ଼ ସ୍ଵପ୍ନଗୁଡ଼ାକ ମଧ୍ୟ ପାଣି ଫାଟିଯିବାରେ ଲାଗିଛି । ସେମାନେ ନେତୃତ୍ଵର ଅବଧାରକ ହିସାବରେ ସୃଷ୍ଟିଟାଯାକକୁ ଖାଲି ସିଆଣିଆ ହେବାଲାଗି ଅପପ୍ରେରଣା ଦେଉଛନ୍ତି । ସେମାନେ ସତେଯେପରି ଏହିଭଳି ଏକ ପ୍ରରୋଚନା ଦେବାରେ ଲାଗିଛନ୍ତି ଯେ, କେବଳ ନିଜର କାନ୍ଥଗୁଡ଼ାକୁ ଓ ଦୁର୍ଗଗୁଡ଼ାକୁ ମଜବୁତ କରି ରଖିବାକୁ ମଣିଷ ଆଦର୍ଶ ସୃଷ୍ଟି କରିଛି, ସ୍ଵପ୍ନ ବଖାଣିଛି, ଦେଶ ଓ ଜାତି ଆଦି ବୃହତ୍ତର ଏକକଗୁଡ଼ିକର ଭିଆଣ କରିଛି । ସିଏ ଏଗୁଡ଼ାକୁ ଆବଶ୍ୟକ ମାୟା ବୋଲି ଗ୍ରହଣ କରିଛି, ଆପଣାର ସ୍ଫୀତି ଓ ପୁର୍ତ୍ତିଗୁଡ଼ାକୁହିଁ ଏକମାତ୍ର ସତ୍ୟ ବୋଲି ମାନିନେଇଛି । ତେଣୁ ଆଦର୍ଶଗୁଡ଼ାକ ଥିବ, ସ୍ଵପ୍ନଗୁଡ଼ାକ ଥିବ, ବହିଗୁଡ଼ାକରେ କବିତା ଭର୍ତ୍ତି ହୋଇ ରହିଥିବ;–ତଥାପି ସଂସାରଟା ଯେମିତି ଅଛି, ଠିକ୍ ସେହିମତି ଥିବ ବୋଲି ଏବେ ସେମାନେ ଭାରି ଆଣ୍ଟ କରି କହୁଛନ୍ତି ।

 

ଆଗାମୀ ମଣିଷ ଆଦର୍ଶକୁ ମୁଣ୍ଡରେ ବୋହିବନାହିଁ ବା ଦିହ ଉପରେ ଗୁଡ଼ାଇ ହୋଇ ଦିହଟାକୁ ସୁନ୍ଦର କରି ଦେଖାଇବା ସକାଶେ ମୋଟେ କୌଣସି ଚେଷ୍ଟା କରିବନାହିଁ । ଆଗାମୀ ମଣିଷ ତା’ର ଆଦର୍ଶକୁ ପାଦରେ ଚାଲିବ । ଭଗବାନ ଏଇଠି ଆମରି ସାଥିରେ ରହିବେ,–ଅନ୍ୟ ମଣିଷଙ୍କ ସହିତ ଆମର ଯାବତୀୟ ସମ୍ପର୍କ, ସଖ୍ୟ ତଥା ସ୍ଵପ୍ନ ମଧ୍ୟରେହିଁ ସେ ରହିଥିବେ । ଭଗବାନ ଏହି ଧୂଳିଗୁଡ଼ାକ ଭିତରେ ପ୍ରବେଶ କରି ଧୂଳିକୁ ମନ୍ତ୍ରରେ ରୂପାନ୍ତରିତ କରିଦେବେ ।

 

୨୧ । ୪ । ୮୧

 

ଏହି ତଥାକଥିତ ସାନ ଭିତରେ ବଡ଼ ଲୁକ୍କାୟିତ ହୋଇ ରହିଛି, ଅପେକ୍ଷା କରି ରହିଛି । ମଣିଷ, ହୁଏତ ପ୍ରତ୍ୟେକ ମଣିଷ ଆପଣାର କୌଣସି ବଡ଼ ପରିଚୟ ପାଇବ ବୋଲି ଏକ ଅନ୍ତର୍ଗତ ବ୍ୟାକୁଳତା ନେଇ ଯଥାର୍ଥ ସୁରାଖଟି ପାଇ ନପାରି ସାନ ସାନ ସଂଗ୍ରହ ଓ ସାନ ସାନ ବିଚ୍ଛିନ୍ନ ଅହଂକାରିତା ମଧ୍ୟରେ ଆପଣାକୁ କେତେପ୍ରକାରେ ଭୁଲାଇ କରି ରଖିଛି ।

 

ଯେଉଁ ପରିବର୍ତ୍ତନ ଆସୁଛି, ତାହାର ସବାମୂଳରେ ଏହି ବଡ଼ ପରିବର୍ତ୍ତନଟି ରହିଛି । ମୋ’ ଭିତରେ ଯାହା ପ୍ରକୃତରେ ବଡ଼, ଏହି ବିଶ୍ଵପରି ବଡ଼ ବା ବିଶ୍ଵଠାରୁ ଆହୁରି ବଡ଼ ମୁଁ ତାହାରିପାଇଁ ବଞ୍ଚିବି । ତାହାକୁ ଖାଲି ବହିରେ ପଢ଼ିବିନାହିଁ ଅଥବା ମାଳା ଧରି ଜପିବିନାହିଁ; ମୁଁ ତାହାକୁ ବଞ୍ଚିବି, ଅର୍ଥାତ୍ ମୋ’ର ସାନ ବଡ଼, ବ୍ୟକ୍ତିଗତ ଓ ସାମୂହିକ ପ୍ରତ୍ୟେକ କାର୍ଯ୍ୟରେ ମୁଁ ତାହାକୁ ମାର୍ଗର ମୀମାଂସକ ବୋଲି ଗ୍ରହଣ କରିବି; ତାହାକୁହିଁ ଅନୁଭବ କରିବି । ମୋ’ର ଯାବତୀୟ ସଖ୍ୟ ତଥା ସମ୍ପର୍କ ସ୍ଥାପନରେ ସେଇ ମୋ’ର ପରମ ଉତ୍ସାହ ଓ ପରମ ପ୍ରତ୍ୟୟ ହୋଇ ବିରାଜିତ ରହିଥିବ । ତା’ପରେ ଯାଇ ଅସଲ ନିମିତ୍ତଟି ହେବା ସମ୍ଭବ ହେବ, ତା’ପରେ ଯାଇ ଅସଲ ଦୁଆରଟି ଖୋଲିବ, ଅସଲ ସୂତ୍ରଟି ଲାଗିଯିବ । ତା’ପରେ ମୋ’ ଆଖିରେ ଆଉ କେହିହେଲେ ଗୋଡ଼ିପଥର ପରି ମୋଟେ ଦେଖା ଯିବେନାହିଁ । ନିଜ ଭିତରେବି କାର୍ପଣ୍ୟର ସକଳ ବାଡ଼ କୁଆଡ଼େ ଉଠି ପଳାଇବ,–ନିଜକୁ ଅନୁଭବ କଲା ବେଳକୁ ଏକ ଅନ୍ତରଙ୍ଗ ପବିତ୍ରତାର ଅନୁଭବ ହୋଇ ପାରୁଥିବ ।

 

୨୨ । ୪ । ୮୧

 

ବାହାରେ ଏତେ ଘୃଣା, ଏତେ ଉତ୍ତପ୍ତତା,–ତଥାପି ଆହୁରି ଭିତରେ ପ୍ରବେଶ କରିବାକୁ ହେବ; ଆହୁରି ଅନେକ ବିଶ୍ଵାସ ରଖିବାକୁ ପଡ଼ିବ । ନିଜ ଭିତରକୁ ପ୍ରବେଶ କରିବା ସକାଶେ ଓ ନିଜର ଅତି ପାଖରେ ଯାଇ ବସିପାରିବା ସକାଶେ ଯେତିକି ସ୍ନେହ, ଧୈର୍ଯ୍ୟ ଓ ସହାନୁଭୂତି ଦରକାର, ଆଉଜଣେ ମଣିଷର ଅତି ପାଖକୁ ଯାଇପାରିବା ସକାଶେ ମଧ୍ୟ ଠିକ୍ ସେତିକି ସ୍ନେହ, ଧୈର୍ଯ୍ୟ ଏବଂ ସହାନୁଭୂତି ଦରକାର । ଆଉଜଣେ ମଣିଷକୁ ଠିକ୍ ଆପଣାପରି ସ୍ଵୀକାର କରିନେଇ ପାରିଲେ ଯାଇ ତାହା ସମ୍ଭବ ହେବ । ଆପଣା ପାଖରେ ନିର୍ଭୟ ହୋଇ ପାରିଥିଲେ ଯାଇ ମଣିଷ ଏକଥା କରି ପାରିବ । କିନ୍ତୁ, ମୋତେ ଯଦି ନିଜ ଭିତରକୁ ଅନାଇବାକୁ ମଧ୍ୟ ଭୟ ଲାଗୁଥାଏ, ଯଦି ମୁଁ ନିଜକୁ ଫାଙ୍କି ଦେଇ ନିଜପାଖରୁ ପଳାଇ ଯିବାର ଫିକର କରୁଥାଏ, ତେବେ ମୁଁ କଦାପି ଉଶ୍ଵାସ ହୋଇ ବିଶ୍ଵାସର ସହିତ ଆଉଜଣେ ମଣିଷର ଅତି କତି ହୋଇ ବସି ପାରିବିନାହିଁ ।

 

ମୁଁ ଏହି ସକାଳ ପରି ନୀରବ ହେବି, ଠିକ୍ ଏହି ସକାଳ ପରି ପ୍ରସନ୍ନ ହେବି । ସେହି ପ୍ରସନ୍ନତାକୁ ପାଥେୟ କରି ମୁଁ ନିଜ ଭିତରେ ପ୍ରବେଶ କରୁଥିବି, ଅନ୍ୟ ସମସ୍ତଙ୍କ ମଧ୍ୟରେବି ପ୍ରବେଶ କରୁଥିବି । ତେବେଯାଇ ହେବ । ତେବେଯାଇ ଏହି ମୁହୂର୍ତ୍ତଗୁଡ଼ାକ ପରିପୂର୍ଣ୍ଣ ହେବ,–ଆପଣାର ଭିତରକୁ ଅନାଇଲେ ମଧ୍ୟ ପରିପୂର୍ଣ୍ଣ ଦିଶିବ,–ଅନ୍ୟ ସମସ୍ତଙ୍କ ଆଡ଼କୁ ଅନାଇଥିବାବେଳେ ସବୁକିଛି ନାନା ସମ୍ଭାବନାରେ ପରିପୂର୍ଣ୍ଣ ହୋଇ ରହିଥିବା ପରି ଅନୁଭୂତ ହେଉଥିବ ।

 

୨୩ । ୪ । ୮୧

 

ସଂସାର ଭିତରେ ଯିଏ ବାଟ ଚାଲୁଥାଏ, ଯଥାର୍ଥରେ ଚାଲୁଥାଏ, ସିଏ ବାଟ ଚାଲିବାର ଉତ୍ସାହ ଦିଏ । ଯିଏ ବାଟ ଚାଲୁନଥାଏ, ସିଏ ବାଟ ଚାଲିବା ଲୋକକୁ ନିନ୍ଦେ, ଚାଲିବାର ପଦ୍ଧତିଟାକୁ ନିନ୍ଦେ; ଚାଲିବାଟ ଏମିତି ନହୋଇ ସେମିତି ହୋଇଥାଆନ୍ତା, ହୁଏତ ଅମୁକର ଚାଲିବାପରି ହୋଇଥାନ୍ତା ବୋଲି କେତେ ମତ ଓ ଅମତ ଦେବାକୁ ବାହାରେ ।

 

ବାଟ ଚାଲିବା; ଆତ୍ମୀୟତା ବଢ଼ାଇବା, ଗଭୀରତା ବଢ଼ାଇବା ଏବଂ ଅନ୍ତରଙ୍ଗ ସ୍ତରରେ କିଛି ଯଥାର୍ଥରେ ଜାଣିବା, ବୁଝିବା ଏବଂ ଅନୁଭବ କରିବା, ଆନ୍ତରିକ ସ୍ତରରେ ଆଉ ଜଣକୁ ବା ଆଉ କୌଣସି କାର୍ଯ୍ୟକୁ ଉତ୍ସାହ ଦେବା, ଅନେକ ମଣିଷକୁ ଏଇଟାକୁ ସତେଅବା ବୁଦ୍ଧିକ୍ଷେତ୍ରର ଏକ ଔପଚାରିକ କାର୍ଯ୍ୟ ବୋଲି ମନେ କରୁଥାଆନ୍ତି । ସେମାନେ ସଭାରେ କଥା କହୁଥିବାବେଳେ ପ୍ରାୟ ସେହିପରି ମନେ ହେଉଥାଏ । ଆଗେ ରାଜା କବିତା ଲେଖୁନଥିଲେ । କବିତାଗୁଡ଼ାକୁ ଉତ୍ସାହ ଦେବାକୁ ରହିଥିଲେ । ସେହିମାନଙ୍କ ସଭାରେ କବିତା ଲେଖିବାପାଇଁ ଅନ୍ୟ ବିଶେଷ ଲୋକମାନେ ନିଯୁକ୍ତ ହୋଇ ରହିଥିଲେ । ଏବେ ମଧ୍ୟ ରାଜା ମିଜାଜର ଅନେକ ଲୋକ ଅଛନ୍ତି, ଯେଉଁମାନେ କି ବାଟ ଚାଲିବା ସମୟରେ ମୋଟେ ସାଙ୍ଗରେ ନଥାନ୍ତି, ସେମାନେ କାହାରି ଆତ୍ମୀୟ ହେବାକୁ ଇଚ୍ଛା କରୁନଥାନ୍ତି, ମାତ୍ର ବୁଦ୍ଧି ସ୍ତରରେ ଉତ୍ସାହ ଦେବାରେ ଲାଗିଥାନ୍ତି । ସଂସାରଯାକର ଅଭିଭାବକ ବନିବାକୁ ମନ କରି ସଂସାର ଭିତରେ ବାହାରି ଥାଆନ୍ତି । ସାଙ୍ଗ ଖୋଜୁଥିବା, ବାଟ ଚାଲୁଥିବା ମଣିଷ ଏମାନଙ୍କ ଠାରୁ ହୁଏତ ଆଦୌ କୌଣସି ଉତ୍ସାହ ପାଇ ପାରେ ନାହିଁ ।

 

୨୫ । ୪ । ୮୧

 

ଅଟକିଯିବା ପ୍ରକୃତରେ କେଡ଼େ ସହଜ । ସଂସାରଯାକର ସବୁ ନିଧି ସବୁ ପ୍ରତିଶ୍ରୁତି ଓ ସବୁ ସମ୍ଭାବନା ଗୋଟିଏ ଆଦର୍ଶ, ଗୋଟିଏ ଗୁରୁ ଅଥବା ଗୋଟାଏ ପାଚେରୀ ଭିତରେ ଠିକ୍ ହୋଇ ରହିଛି ବୋଲି ମାନିନେଇ ସାରିବା ପରେ ନିଜର ହୃଦୟକୁ ସେଇଟି ମଧ୍ୟରେ ପୋଷ ମନାଇ ରଖିବା ପ୍ରକୃତରେ କେତେ ସହଜ ! ବୋଧହୁଏ ଏହିସବୁ କାରଣରୁ ତନ୍ତ୍ରଶାସ୍ତ୍ରରେ ସାଧକକୁ ବୀର ବୋଲି କୁହାଯାଇଛି । ସାଧନାରେ ଅଗ୍ରଗତି କରିବାର ଅର୍ଥ ହେଉଛି ଅଟକି ରହିବାର ନାନା ପ୍ରରୋଚନାକୁ ଏଡ଼ି ଏଡ଼ି ଓ ତତ୍‌ସଂକ୍ରାନ୍ତୀୟ ଯାବତୀୟ ଆହ୍ଵାନର ସମ୍ମୁଖୀନ ହୋଇ ବାଟ ତିଆରି କରି ଆଗକୁ ଯିବା । ବୀର ନହେଲେ ସେକଥା କରି ହୁଏନାହିଁ ।

 

ଖାଲି ତନ୍ତ୍ରଶାସ୍ତ୍ରରେ ନୁହେଁ, ଭକ୍ତି, ଜ୍ଞାନ ତଥା କର୍ମ ଯାବତୀୟ ପଥରେ ମଧ୍ୟ ବୀର ହୋଇ ବାଟ ଚାଲିବାର ସତର୍କବାଣୀ, ଆଦୌ କୌଣସି ଥାନରେ ଅଟକି ନରହିବାର ଚେତାବନୀ । ଭକ୍ତିର ଯୋଗ୍ୟ ହୋଇ ନଥିଲେ ସୂତ୍ରାନୁଷଙ୍ଗିକଗୁଡ଼ାକ କେଡ଼େ ସୂତରରେ ଯେ ଆମର ତଥାକଥିତ ଭକ୍ତିରୂପେ ସତେଅବା ବାଡ଼ ହୋଇ ଆମକୁ ବାନ୍ଧିପକାଏ, ସେକଥାର ଭୁରିଭୁରି ପ୍ରମାଣ ଏବେମଧ୍ୟ ରହିଛି । ବାଡ଼ଗୁଡ଼ାକ ଭାରି ଉତ୍ତେଜିତ ହୋଇ ଯଥାର୍ଥ ଭକ୍ତିକୁ କେତେକେତେ ଆସ୍ଫାଳନ କରିଛନ୍ତି । କେତେକେତେ ଉତ୍ତେଜନା ଭିତରେ ଅଯୋଗ୍ୟ ଭକ୍ତମାନେ ଆତ୍ମହତ୍ୟା କରି ତାହାକୁହିଁ ମୁକ୍ତି ବୋଲି ଘୋଷଣା କରିବାରେ ଲାଗିଛନ୍ତି । ବୀର ହେବାର, ଯୋଗ୍ୟ ହେବାର ଆହ୍ଵାନଟି ଆଜି ମଧ୍ୟ ବଳବତ୍ତର ରହିଛି ।

 

୨୬ । ୪ । ୮୧

 

କୌଣସି ଅନୁଷ୍ଠାନକୁ ନିଜର କାମରେ ଲଗାଇବାର ଅଭିପ୍ରାୟରେ ଅନେକ ମଣିଷ ଅନୁଷ୍ଠାନରେ ଆଗ୍ରହୀ ହୋଇ ବାହାରିଥାନ୍ତି । ସେମାନେ ଅନୁଷ୍ଠାନ ଜରିଆରେ ଆପେ ବଡ଼ ହୋଇ ଦିଶିବେ ବୋଲି ଭାବୁଥାନ୍ତି । ଅର୍ଥାତ୍, ନିଜ ଭିତରେ କୋଉଠି କ’ଣ ଏକ ଗ୍ଳାନିମୂଳକ ପ୍ରତିବନ୍ଧକ ରହି ଯାଇଥାଏ କେଜାଣି, ସେମାନେ ଅନୁଷ୍ଠାନର ସାଞ୍ଜୁଟାକୁ ପିନ୍ଧି ହୁଏତ ଯାହାକିଛି ଦେଖାଯାଇ ପାରିବେ ବୋଲି ଭାବୁଥାନ୍ତି । ଏହି ଲୋକମାନେ ସ୍ଵଭାବତଃ ଅଥବା ଅନ୍ୟକୌଣସି କାରଣରୁ ଉଗ୍ର ହୋଇଥିଲେ ଅନୁଷ୍ଠାନକୁ ନିଜର ବୁଦ୍ଧିପାଇଁ ମଧ୍ୟ କାମରେ ଲଗାନ୍ତି । ଉତ୍ସର୍ଗ ଶବ୍ଦଟି ସେମାନଙ୍କର ପାଞ୍ଜି ଭିତରେ କେଉଁଠିହେଲେ ନଥାଏ । ସେମାନେ କାହାରିଲାଗି ବଞ୍ଚି ପାରନ୍ତିନାହିଁ, କେବେହେଲେ କାହାରି ହୋଇ ପାରନ୍ତିନାହିଁ । ଇଏବି ଆଉ ଗୋଟିଏ ପ୍ରକାରର ଦୁର୍ଗତି, ଆଉଗୋଟାଏ ପ୍ରକାରର ଦାରିଦ୍ର୍ୟ ।

 

ଆଉ ଗୋଟାଏ ପ୍ରକାରର ଜୀବନ ଅଛି, ଯାହାକି ନିଜକୁ ଦେଇଦେବାରେହିଁ ସାର୍ଥକତା ପାଏ; ପରିପୂର୍ଣ୍ଣତା ପାଏ । ଏଠି ବଞ୍ଚିବାର ସମ୍ପୂର୍ଣ୍ଣ ଅର୍ଥଟାହିଁ ଆଉ କିଛି ଲାଗି ବଞ୍ଚିବାରେ ପରିଣତ ହୋଇ ଯାଇଥାଏ । ଏହିପରି ଜୀବନ ବଞ୍ଚୁଥିବା ମଣିଷମାନେ ଜଣେ ଜଣେ ବ୍ୟକ୍ତି ହିସାବରେ ଆପଣାକୁ ଆପଣା ଭିତରେ ଠାବ କରି ସାରିଥାନ୍ତି,–ତେଣୁ ଅନୁଷ୍ଠାନମାନଙ୍କରେବି ଆପଣାକୁ ଦେଇପାରନ୍ତି,–ଦାସ ପରି ଅନୁଷ୍ଠାନର ବେଠି ଖଟନ୍ତିନାହିଁ, ମାତ୍ର ଅନୁଷ୍ଠାନକୁ ଆପଣା ଜୀବନର ପରିପୂରକ ବୋଲି ଅନୁଭବ କରନ୍ତି, ଅନୁଷ୍ଠାନଗୁଡ଼ିକ ମାଧ୍ୟମରେ ବ୍ୟକ୍ତି ଆପଣାର ଉତ୍ସଗାକାଂକ୍ଷାଗୁଡ଼ିକୁ ସାର୍ଥକ ଭାବରେ ବ୍ୟକ୍ତ କରିପାରିବ ଓ ମାର୍ଗ ଯୋଗାଇଦେଇ ପାରିବ ବୋଲି ଏମାନେ ଅନୁଷ୍ଠାନ ଭିତରକୁ ଯାଇଥାନ୍ତି ।

 

୨୭ । ୪ । ୮୧

 

ଲୁଚାଇବାହିଁ ମଣିଷର ଧର୍ମ ହୋଇଗଲେ ତା’ପରେ ମଣିଷ ନିଜକୁ ମଧ୍ୟ ନିଜପାଖରେ ଲୁଚାଇବାକୁ ଆରମ୍ଭ କରେ । ନିଜ ପାଖରେ ମୁଖା ପିନ୍ଧେ, ନିଜକୁବି ଭେକ ଦେଇ ଭୁଲାଇବାକୁ ଚେଷ୍ଟା କରେ, ଶାସ୍ତ୍ରବାକ୍ୟ କହି ସାନ୍ତ୍ଵନା ଦିଏ । ତା’ପରେ ବାଟ ଚାଲିବା ଭୁଲି ହୋଇଯାଏ ।

 

କଥାଗୁଡ଼ାକ ତଳେ ତା’ପରେ କର୍ମମାନେ ମାଡ଼ି ହୋଇ ରହନ୍ତି, ନାନାପ୍ରକାର ଭାବପ୍ରବଣତା ତଳେ ଅସଲ ଭାବଗୁଡ଼ାକ ମାଡ଼ିହୋଇ ରହିଯାଆନ୍ତି, ନାନା କୃତ୍ରିମତା ଭିତରେ ଅସଲ ସ୍ଵପ୍ନ ଏବଂ ସାହସଗୁଡ଼ିକ ମାଡ଼ିହୋଇ ରହିଯାଆନ୍ତି । ତା’ପରେ ଆପଣାକୁ ନେଇ ଅସଲ ବଣିଜ କରିବାର ମାର୍ଗଗୁଡ଼ିକ, ଅର୍ଥାତ୍ ଆପଣାକୁ ନିର୍ମଳ ଭାବରେ ଦେଇ ପାରିବାର ଓ ତାହାରି ମାଧ୍ୟମରେହିଁ ନିକଟବର୍ତ୍ତୀ ହୋଇ ଆସିବାର ଅର୍ଥାତ୍ ପରିପୂର୍ଣ୍ଣ ହେବାର ବାଟଗୁଡ଼ିକ କ୍ରମେ ବନ୍ଦ ହୋଇ ଆସନ୍ତି । ଯାହାସବୁ ହେବାର କଥା, ସେହି ସବୁଗୁଡ଼ାକ ପ୍ରଧାନତଃ କଥାରାଜ୍ୟର ରତ୍ନ ହୋଇ ରହିଯାଆନ୍ତି ଏବଂ ଭେକର ସୁଦୃଶ୍ୟତା ଭିତରେ କୁଆଡ଼େ ଚାପିହୋଇ ରହନ୍ତି । ଅନ୍ତରଙ୍ଗତା ବୋଲି ଗୋଟାଏ ଭୂମି ବା ପ୍ରସ୍ଥ ଯେ ରହିଛି, ନିଜ ପାଖରେ ମଧ୍ୟ ସେହି ବିଶ୍ଵାସଟି କ୍ରମେ ପାସୋରି ହୋଇଯାଏ । ନିଜକୁବି ସତେଅବା ଗୋଟାଏ ଯାନ୍ତ୍ରିକତା ବୋଲି ମନେହୁଏ, କେବଳ ଖାପ ଖାଇ ରହିଯିବାଟା ହିଁ ଧର୍ମରୂପେ ଗୃହୀତ ହୁଏ । ଉନ୍ମୋଚିତ ନିଷିଦ୍ଧ ହୋଇ ରହେ । ଉପଚାରଗୁଡ଼ାକ ପ୍ରବଳ ହୋଇଯାଏ । ଏବଂ ତା’ପରେ ନିଜର ଅସଲ କବାଟଗୁଡ଼ାକ ଖୋଲି ନିଜ ସହିତ ସାକ୍ଷାତ କରିବାକୁହିଁ ଡର ମାଡ଼େ । ତା’ପରେ, ଭୀରୁ ହୋଇ ରହିବାର ସାଜଗୁଡ଼ାକହିଁ ସବୁଠାରୁ ଅଧିକ ବ୍ୟାବହାରିକ ବୋଲି ମନେହୁଏ ।

 

୨୮ । ୪ । ୮୧

 

ଆଉ ପ୍ରାୟ ମାସକ ପରେ ହିମାଳୟ ସହିତ ପୁନଃସାକ୍ଷାତ ହେବ । ହିମାଳୟ ସେଥିଲାଗି ଆଜିଠାରୁହିଁ ଦିଶିବାକୁ ଆରମ୍ଭ କଲାଣି ।

 

ହିମାଳୟ କହିଲେ ମୁଁ ଜୀବନର ଅନେକ ଦୂରରେ ସକଳ ଶ୍ରାନ୍ତି ଓ ସକଳ ପଳାୟନର ଆଶ୍ରୟଦାତା ପରି ରହିଥିବା କୌଣସି ପର୍ବତଶ୍ରେଣୀକୁ ବୁଝେନାହିଁ,–ମୋ’ ଜୀବନର ଧ୍ୟାନପକ୍ଷଟିକୁହିଁ ମୁଁ ହିମାଳୟ ବୋଲି ବୁଝେ । ଏହି ଧ୍ୟାନପକ୍ଷଟି ମୋ’ ସମଗ୍ର ଜୀବନଟିର ଅନ୍ତର୍ଭୁକ୍ତ ହୋଇ ରହିଛି ବୋଲିହିଁ ମୁଁ ବାହାରେ ହିମାଳୟକୁ ଅନାଇଲେ ତାକୁ ଏତେ ନିକଟର କରି ଚିହ୍ନିପାରେ-। ଗୋଟାଏ ପାଖରେ ଧ୍ୟାନ, ଆଉଗୋଟାଏ ପାଖରେ କର୍ମ; ତା’ପରେ ଧ୍ୟାନ ଓ କର୍ମ, ଓ ବୋଧହୁଏ ସବାଶେଷରେ ଧ୍ୟାନହିଁ କର୍ମ, କର୍ମହିଁ ଧ୍ୟାନ । ତଥାକଥିତ ଅତ୍ୟନ୍ତ କର୍ମରତ ହୋଇ ରହିଥିବା ସମୟରେ ମୁଁ ତଥାପି ଆପଣା ଭିତରେ ତଥା ଆପଣା ବାହାରେ ସ୍ଥିର ଓ ଧ୍ୟାନମଗ୍ନ ହୋଇ ରହିଥାଏ, ମୋ’ ସହିତ ସବୁଟିର ଡୋରଗୁଡ଼ିକୁ ଅତ୍ୟନ୍ତ ସହଜ ଓ ପ୍ରତ୍ୟକ୍ଷ ଭାବରେ ଅନୁଭବ କରୁଥାଏ,–ସେଥିଲାଗି ଧ୍ୟାନ ବୋଲି କୌଣସି ବିଶେଷ ଧନ୍ଦା ରହିଛି ବୋଲି କ୍ରମେ ପାସୋରି ପାସୋରି ଯାଉଥାଏ । ସ୍ଥିରତା ମଧ୍ୟରୁ ଏକ ଅନିର୍ବଚନୀୟ କର୍ମଠତା ଜନ୍ମଲାଭ କରେ, ତାହାହିଁ ଜୀବନରେ ଧ୍ୟାନ ଓ କର୍ମ ଉଭୟଜନିତ ସନ୍ତୋଷ ଆଣିଦିଏ, ଉଭୟଜନିତ ଆତ୍ମପ୍ରତ୍ୟୟ ଆଣିଦିଏ । ତେଣୁ, ଅସଲ କଥା ହେଉଛି, ଜୀବନରେ ସବୁକିଛିକୁ ଯୋଡ଼ି ଗୋଟାଏ ହୋଇ ବଞ୍ଚି ପାରିବାକୁ ନିଜକୁ ଏକ ସେତୁରେ; ଏକ ଆଧାରରେ ପରିଣତ ହୋଇଯିବାକୁ ପଡ଼ିଥାଏ ।

 

୨୯ । ୪ । ୮୧

 

ମଣିଷ ଭିତରେ ଏପରି ଏକ ପ୍ରବୃତ୍ତି ରହିଛି, ଯାହାକି ସବୁକିଛିକୁ ଯୋଡ଼ି ଆଣିବାକୁ ଚାହେଁ,–ସିଏ ଭୁଲିଯିବାକୁ ସଙ୍କୋଚ କରେନାହିଁ, କ୍ଷମା କରିବାକୁ କୁଣ୍ଠିତ ହୁଏନାହିଁ,–ସୂତାଗୁଡ଼ିକୁ ବାରବାର ସଜାଡ଼ି ତଥାପି ଡୋର ଲଗାଇ ରଖିବାକୁ ଉତ୍ସାହ ରଖିଥାଏ । ସେହି ପ୍ରବୃତ୍ତି ବନ୍ଧୁ କରିବାକୁ ଚାହେଁ, ବନ୍ଧୁ ହୋଇ ରହିବାକୁ ଚାହେଁ,–ବିଚାର ନକରି ଗ୍ରହଣ କରେ, ଜାତି ନବାରି ସ୍ଵୀକାର କରିନିଏ । ତାହାହିଁ ଅସଲ ପ୍ରବୃତ୍ତି । ସକଳ ଅବିଶ୍ଵାସ ସତ୍ତ୍ୱେ ତାହା ତଥାପି ବିଶ୍ଵାସ କରେ-। ଉପରେ ନାନା ଅସ୍ଵୀକୃତିର ଅଭିନୟ କରିବାକୁ ପଡ଼ୁଥିଲେ ଓ ନାନା ମିଛ ସମ୍ମାନକୁ ଜଗୁଥିଲେ ମଧ୍ୟ ସିଏ ତଥାପି ଭିତରେ ସିଧା ହୋଇ ବାଟ ଚାଲିବାକୁ, ଦୁଆରଗୁଡ଼ାକୁ ଖୋଲି ରଖିବାକୁ ଇଚ୍ଛା କରୁଥାଏ । ଏହି ପ୍ରବୃତ୍ତିହିଁ ଶ୍ରଦ୍ଧାର ଜନନୀରୂପେ କାର୍ଯ୍ୟ କରେ, ଏହି ସଂସାରୀର ତିଷ୍ଠି ରହିବାରେ ସବୁଠାରୁ ଅଧିକ ସାହାଯ୍ୟ କରେ ।

 

ଏହି ପ୍ରବୃତ୍ତି ସହିତ ଜଗତରେ, ଭିତରେ ଓ ବାହାରେ, ଅହଂଟାରହିଁ ସବୁଠାରୁ ବେଶୀ ଅପଡ଼ ଲାଗି ରହିଥାଏ । ଅହଂ କାନ୍ଥ ତିଆରି କରେ, ବାଡ଼ ବସାଏ, ପାଚେରୀ ଗଢ଼ିବାରେ ମନ ରଖିଥାଏ । ଏଗୁଡ଼ାକୁ ସେ ସମ୍ମାନ ବୋଲି କହେ । ସେହି ସମ୍ମାନକୁ ସବୁବେଳେ ଜଗିଥାଏ । ସମ୍ମାନ ଜଗିବାକୁ ଯାଇ ତାକୁ ମୁଖାବି ପିନ୍ଧିବାକୁ ପଡ଼େ । ମୁହଁଟା ଅପେକ୍ଷା ମୁଖାଗୁଡ଼ାକ ଉପରେ ହୁଏତ ଏକ କର୍ତ୍ତବ୍ୟର ଅନୁରୋଧରେ ଅଧିକ ବିଶ୍ଵାସ କରିବାକୁ ପଡ଼େ । ଆପଣା ପାଖରେ ମଧ୍ୟ କ୍ରମେ ମୁଖା ପିନ୍ଧି ଶିଖେ । ଆପଣାର ଅସଲ ସଂସ୍ରବଗୁଡ଼ିକୁ ସିଏ ଭାରି ଅଲୋଡ଼ା କରି ରଖିଥାଏ, ବାହାରେ ଉଗ୍ର ଓ ଭିତରେ ଦୁଃଖୀ ହୋଇ ରହିଥାଏ ।

 

୩୦ । ୪ । ୮୧

 

ପୁନର୍ବାର ସେହି କଥାଟାକୁ ଆଜି ଘୋଷି ହେବାଲାଗି ମନ ହେଉଛି ଯେ ମଣିଷକୁ ଅସ୍ଵୀକାର କରି ଭଗବାନଙ୍କ ପାଖକୁ ଆସିବା କଦାପି ସମ୍ଭବ ନୁହେଁ । ଆଗେ ମୁଁ ଯେପରି ଅନେକ ସମୟରେ ଭାବୁଥିଲି, ଭଗବାନଙ୍କ ପାଖକୁ ଯାଇଥିବା ରାସ୍ତାଟି ଆମ ସମସ୍ତଙ୍କ ଲାଗି ମଣିଷମାନଙ୍କ ଭିତରେ ଦେଇହିଁ ପଡ଼ିଛି । ଆମେ ଯେତେବେଳେ ମଣିଷଙ୍କୁ ଅବଜ୍ଞା କରି, ଅନ୍ୟ ସବୁ ମଣିଷଙ୍କୁ ତୁଚ୍ଛ ମନେ କରି ନିଜର ଏକାକୀ ରାସ୍ତାରେ ଭଗବାନଙ୍କ ପାଖକୁ ଯିବୁ ବୋଲି ଓ କେବଳ ଏକାଏକା ତାଙ୍କର ଅନୁଗ୍ରହ ପାଇବୁ ବୋଲି ଦମ୍ଭ କରୁ, ସେତେବେଳେ ଆପଣାର ଅହଂ ଓ ଅହଂଗତ ବିଚ୍ଛିନ୍ନତା ତଥା ଭୀରୁତାଗୁଡ଼ାକୁ ସମ୍ପ୍ରସାରିତ କରି ଆମେ ତାହାକୁ ଭଗବାନ ବୋଲି କହୁ ଓ ତାହାକୁହିଁ ନାନାପ୍ରକାର ମୂର୍ତ୍ତିକଳ୍ପନା ଦେବାରେ ଲାଗିଥାଉ । ତା’ଫଳରେ ଆମେ ଆଉ କେବେହେଲେ କୌଣସି ଭଗବାନ ପାଇଁ ଜୀବନ ବଞ୍ଚି ପାରୁନାହିଁ । ସେତେବେଳେ ଆମର କଳ୍ପିତ ଭଗବାନମାନେହିଁ ଆମ ଖୁଣ୍ଟରେ ବନ୍ଧା ହୋଇ ଖାସ୍ ଆମଲାଗି ସେବା ଖଟିବାକୁ ରହିଥାନ୍ତି, ଆମ ସ୍ଵାର୍ଥ ଓ କ୍ଷୁଦ୍ର କାମନାଗୁଡ଼ାକର ଦୋସର ହୋଇ ରହିଥାନ୍ତି ।

 

ଆମର ସକଳ ସାଧନା ଚେତନାକୁ ଭିତ୍ତି କରି ନିଜକୁ ପ୍ରସ୍ଫୁଟିତ କରାଇ ଶିଖିଲେ ଆମେ ଆଗ ମଣିଷ ଭିତରେହିଁ ଆମର ସକଳ ଆତ୍ମୀୟତାକୁ ଆହୁରି ସମ୍ପ୍ରସାରିତ କରି ତାହାରିଦ୍ଵାରା ଭଗବାନଙ୍କର ସ୍ପର୍ଶ ପାଇପାରନ୍ତେ । ତାଙ୍କୁ ଆମେ ଏଇଠି ପାଆନ୍ତେ ଓ ତାଙ୍କର ସ୍ପର୍ଶରେ ଆମ ସମେତ ଏହି ସବୁକିଛିକୁ ନୂଆ କରିଦେଇ ପାରନ୍ତେ ।

 

୧ । ୫ । ୮୧

 

ଆଗେ ମୁଁ ନିଷ୍ଠା ବୋଲି ଲେଖୁଥିଲି, ଏବେ ଆନ୍ତରିକତା ବୋଲି ଲେଖୁଛି । ନିଷ୍ଠା ଅର୍ଥରେ ଆନ୍ତରିକତା ଲେଖୁଛି । ଏହି ଆନ୍ତରିକତା ଶବ୍ଦଟି ମୋତେ ଅଧିକ ଭଲ ଲାଗୁଛି ଏବଂ ତାହା ଅସଲ ଅର୍ଥଟିକୁ ଅଧିକ ପରିମାଣରେ ପ୍ରକାଶ କରି ଆଣୁଥିଲା ପରି ମନେ ହେଉଛି ।

 

ନିଷ୍ଠା ଅନ୍ତରର ପଦାର୍ଥ । ଅନ୍ତର ରାଜୀ ହେଲେ ତାହାକୁ ନିଷ୍ଠା କୁହାଯିବା କଥା । ଯେଉଁଠି ଖାଲି ଉପରଟା କାମ କରେ, ବୋଲ ମାନେ, ସମ୍ମତିର କୌଣସି ଅବକାଶ ନଥାଏ, ସେଠାରେ ବାହାରକୁ ଯେତେ ନୈଷ୍ଠିକତା ରହିଥିଲେ ମଧ୍ୟ ତଥାପି ନିଷ୍ଠା ନଥାଏ, କାରଣ ଆନ୍ତରିକତା ନଥାଏ । ଭିତରୁ ସମ୍ମତିଟି ଆସିବା ସଙ୍ଗେ ସଙ୍ଗେ ଯାନ୍ତ୍ରିକତା ଆନ୍ତରିକତାରେ ପରିଣତ ହୁଏ । ସେତେବେଳେ ସ୍ଵାଧୀନତା ଓ ସମର୍ପଣ ଦୁଇଟିଯାକର ଅନୁଭୂତି ହୁଏ । ସେତିକିବେଳେହିଁ ସହଜ ଲାଗେ, ପ୍ରକୃତରେ ବାଟ ଚାଲିବା ପରି ମନେହୁଏ, ପ୍ରକୃତରେ ଡୋର ଲାଗିଥିବା ପରି ମନେହୁଏ, ଦଉଡ଼ିରେ ନିଜର ଇଚ୍ଛା ବିରୁଦ୍ଧରେ କୁଆଡ଼େ ଘୋଷରା ହେଉଥିବା ପରି ମୋଟେ ଲାଗେନାହିଁ । ସେତେବେଳେ, ଅର୍ଥାତ୍ ଆନ୍ତରିକତା ସହିତ ନିଜର ଜୀବନଟିକୁ ବଞ୍ଚୁଥିବାବେଳେ ମୋଟେ ଏକୁଟିଆ ଲାଗେନାହିଁ । ଭିତରୁ ଯିଏ ସମ୍ମତି ଦେଉଛି, ଭିତର ଆଉ ବାହାର ଭିତରେ ଯିଏ ଅସଲ ସେତୁଟିକୁ ପକାଉଛି, ସିଏ ସର୍ବଦା ସାଙ୍ଗରେ ରହିଥିବା ପରି ମନେହୁଏ । ଆନ୍ତରିକତା ବାହାରକୁ ଗୋଡ଼ ହୋଇ ବାଟ ଚଲାଇନିଏ, ଭକ୍ତି ହୋଇ ଅସଲ ସମର୍ପଣଟିକୁ ଶିଖାଏ, ବନ୍ଧୁ ହୋଇ ଅସଲ ଅର୍ଥରେ ନିର୍ଭୟ କରି ରଖେ ।

 

୨ । ୫ । ୮୧

 

ରୁଷି ବସିଲେ ସଂସାର ଅଣ୍ଟିବନାହିଁ, ଆପଣାର ହେବାକୁ ବସିଲେବି ସଂସାର ଅଣ୍ଟିବନାହିଁ । ଆପଣାର ପରିଧିଗୁଡ଼ାକୁ ବଢ଼ାଇବାର ପଣ ନେଇ ବାହାରିଲେ କ୍ରମେ ସାରା ସଂସାରଟାବି ନିଜର ଘର ପରି ଲାଗିବ । ସମର୍ପଣର ସଂଜ୍ଞାକୁ ଜାଣି ବୁଝାଇ ପାରିବା ଆଗରୁ ଏକ ସମର୍ପଣମୟ ଜୀବନର ସତତ ଅନୁଭବବି ଅନୁଭୂତ ହେବାକୁ ଆରମ୍ଭ କରିବ । ତେଣୁ ମୁଁ ନିଜ ପାଖରେ କୋଉ କାଳରୁ ପଣ କରି ସାରିଛି ଯେ, ଏହି ଆକାଶ, ଏହି ପବନ ଓ ଏହି ଆଲୋକ ମତେ ଭଲ ଲାଗୁଥିବା ପର୍ଯ୍ୟନ୍ତ ମୁଁ ଏଠି କେବେହେଲେ ରୁଷି ବସିବିନାହିଁ । ଏହି ସଂସାର ଭଲ ଲାଗୁଥିବା ପର୍ଯ୍ୟନ୍ତ ମୁଁ କେବେହେଲେ ମଣିଷ ଲାଗି ରହିଥିବା ମୋ’ର ମୂଳ ବିଶ୍ଵାସଗୁଡ଼ିକୁ ହରାଇବି ନାହିଁ । ପରିସ୍ଥିତି ଅନ୍ୟପ୍ରକାର ଦେଖାଗଲେ ଯେ ମୂଳ ବିଶ୍ଵାସଗୁଡ଼ିକ ଯେ ବଦଳିଯିବ, ଏପରି ଏକ ଅତତ୍ତ୍ଵରେ ମୁଁ କଦାପି ବିଶ୍ଵାସ କରିବିନାହିଁ ।

 

ପରିସ୍ଥିତି ବଦଳିଲେ ମଣିଷ ବଦଳି ଯାଇପାରେ, ତଥାପି ମଣିଷ ଭିତରେ ଯେ ପରିସ୍ଥିତିକୁ ବଦଳାଇବାର ଶକ୍ତି ସବୁବେଳେ ରହିଛି, କେବେ ଏହି କଥାଟିର ସମର୍ଥନରେ ମୋତେ କୌଣସି ପ୍ରଣାମ ମିଳୁନଥିଲେ ମଧ୍ୟ ମୁଁ ତଥାପି ଏହି ମୂଳସତ୍ୟଟି ଉପରେ ବିଶ୍ଵାସ ରଖିଥିବି । କାରଣ ଏହି ସତ୍ୟଟି ଉପରେ ବିଶ୍ଵାସ ହେଉଛି ଆପଣା ଉପରେ ଯଥାର୍ଥ ବିଶ୍ଵାସ, ଯଥାର୍ଥ ଈଶ୍ଵର ବିଶ୍ଵାସ । ଜୀବନପ୍ରତି ରହିଥିବା ମୋ’ର ଏହି ବିଶ୍ଵାସଟି ବଢ଼ି ବଢ଼ି ଚାଲିଛି, ମୋ’ ଜୀବନରେ ହୁଏତ ସେଇଥିଲାଗି ଭକ୍ତି ବଢ଼ିଛି, ଜ୍ଞାନ ବଢ଼ିଛି ଓ କର୍ମ ବଢ଼ିଛି । ହୁଏତ ସେଇଥିଲାଗି ମୁଁ ଗୁଡ଼ାଏ ବୁଦ୍ଧି ଖରଚ କରି କେବେହେଲେ କୌଣସି ଗୁରୁର ପରୀକ୍ଷା କରିବାକୁ ଯାଉନାହିଁ । ଏହି ବିଶ୍ଵାସ ମତେ ଏହି ସମଗ୍ର ଜୀବନକୁ ସ୍ଵୀକାର କରିବାର ଉପାୟଟିକୁ କହିଦେଇଛି, ମୋତେ ମାଆ ପରି ଅନେକ ପ୍ରମାଦରୁ ବଞ୍ଚାଇ ରଖିଛି ।

 

୪ । ୫ । ୮୧

 

ରତ୍ନାକର ଦସ୍ୟୁ ଆଗ ବାଲ୍ମୀକି ହେଲା ଏବଂ ତା’ପରେ ଯାଇ ତା’ ଭିତରୁ ଯଥାର୍ଥ କାବ୍ୟ ସମ୍ଭବ ହେଲା, ଅର୍ଥାତ୍ ତା’ଠାରୁ ଯଥାର୍ଥ ସମ୍ବେଦନା ସମ୍ଭବ ହେଲା । ଆମେ ଏ ଯୁଗରେ ଭାବୁଛୁ, ଆମେ ସଂସାର ଭିତରେ ଯାହା ମନ ତାହା କରି ପାରିବା, ସମ୍ବେଦନା ହୀନତା ଏବଂ ସ୍ଵାର୍ଥପରବଶତାର ଚରମ ସୀମାକୁ ଯିବା ପଛକେ, ତଥାପି ଆମେ ସାହିତ୍ୟ କରି ପାରିବା । ଅର୍ଥାତ୍, ଭିତରେ ସମ୍ବେଦନା ନଥିଲେ ମଧ୍ୟ ସମ୍ବେଦନା ଦେଖାଇ ପାରିବା । ସାହିତ୍ୟପଟେ ସମ୍ବେଦନାଗୁଡ଼ାକୁ ରଖି ତେଣେ ଜୀବନପଟେ ସମ୍ବେଦନାହୀନ ଓ ଚତୁର ହୋଇ ଜୀବନ ବଞ୍ଚିପାରିବା ।

 

ସାହିତ୍ୟ ଭିତରେ ବର୍ତ୍ତମାନ ସତେଅବା ଏକ ଚତୁରତାର ଯୁଗ ଚାଲିଛି । ଆମେସବୁ ଆଗ ଗୋଟାସୁଦ୍ଧା ଚତୁର ହୋଇ ସାରିବା ପରେ ଯାଇ ସାହିତ୍ୟକୁ ମଧ୍ୟ ଗୋଟାଏ ଅଧିକା ଭୂଷଣ କରି ଅଙ୍ଗସଜ୍ଜାରେ ଲଗାଇବାକୁ ମନ କରୁଛୁ । ସାହିତ୍ୟ ଯେ ମୂଳତଃ ଏକ ସମଗ୍ର ଦୃଷ୍ଟିକୋଣ, ଆମ ଜୀବନ ସ୍ଵୀକୃତିର ଏକ ସମଗ୍ର ଧର୍ମରୂପେ ପ୍ରକାଶିତ ହୁଏ, ଏକଥା ଆମ ଜୀବନରେ ଆଉ ମୋଟେ ସମ୍ଭବ ହୋଇ ପାରୁନାହିଁ । ଆମ ସାହିତ୍ୟ ପ୍ରଧାନତଃ ଆମ ଭିତରେ ରହିଥିବା ମୌଳିକ ବିଭାଜନ ଏବଂ ବିଭକ୍ତତାଗୁଡ଼ାକର ସଙ୍କେତ ଦେବାରେ ଲାଗିଛି । ଆମେ ରତ୍ନାକର ଦସ୍ୟୁ ହେବାକୁ ଯେମିତି ମନ କରୁଛୁ । ସାହିତ୍ୟ କରିବାକୁ ମଧ୍ୟ ଠିକ୍ ସେମିତି ମନ କରୁଛି, ଦସ୍ୟୁ ହୋଇ ସାହିତ୍ୟ ଭିତରେ ପଶୁଛୁ, ସାହିତ୍ୟକୁ ନିଜର ସମ୍ପତିରୂପେ ଆତ୍ମସାତ୍ କରୁଛୁ । ମଣିଷ ସାହିତ୍ୟ କଲେ ସାହିତ୍ୟର ହୋଇଯାଏ, ଜୀବନ ବଞ୍ଚିବାକୁ ଯଥାର୍ଥରେ ମନ କଲେ କ୍ରମଶଃ ଅଧିକରୁ ଅଧିକ ନିବିଡ଼ ଭାବରେ ଜୀବନ ହୋଇଯାଏ, ଭଗବାନଙ୍କୁ ମନ କଲେ ଆପଣାର ପୂର୍ଣ୍ଣ ସମ୍ମତି ସହିତ ସେହି ଭଗବାନଙ୍କର ହୋଇଯାଏ । ଆମ ଦେଇ ସେ କଥାଗୁଡ଼ାକ ମୋଟେ ସମ୍ଭବ ହୋଇ ପାରୁନାହିଁ ।

 

୫ । ୫ । ୮୧

 

ଭିତରେ ଏପରି ଏକ ଶିଖର ରହିଛି, ଯେଉଁଠାରେ କି କେବଳ କ୍ଷମାହିଁ ଏକମାତ୍ର ଧର୍ମ ଓ ଏକମାତ୍ର ରୀତି ହୋଇ ରହିଛି । ନିଜର ଆରୋହଣଟି ବ୍ୟତୀତ ସେଠାରେ ଆଉ କୌଣସି ବିଷୟରେ ଭାବିବାଲାଗି ବେଳ ନାହିଁ । କ୍ଷମା ଦେବାର ଅସଲ ଅର୍ଥ ହେଉଛି ଆଉ ସମସ୍ତଙ୍କୁ ମଧ୍ୟ ସାଙ୍ଗରେ ନେବା । ସେମାନଙ୍କ ଭିତରେ ଜଣେ ସମଧର୍ମୀର ସାକ୍ଷାତ ଘଟିପାରିଲେ ଯାଇ ଏପରି ଏକ ଦୃଷ୍ଟିକୋଣ ସମ୍ଭବ ହୋଇଥାଏ । କ୍ଷମାକୃପଣ ମଣିଷ ଅନ୍ୟମାନଙ୍କୁ ଭାରି ଡରେ, ଏକୁଟିଆ ଯିବାଲାଗି ଭାରି ଆଣ୍ଟ କରିଥାଏ, ତା’ର ତଥାକଥିତ ଯାବତୀୟ ସାଧନା ଏବଂ ଅନୁଧାବନର ଚାରିପାଖରେ ସିଏ କେତେ ପ୍ରକାରର ପାଚେରୀ ଠିଆ କରି ଭାରି ଅଲଗା ହୋଇ ବସିଥାଏ । ସିଏ ନିଜପାଇଁ ସଦାଚରଣ ଶିଖେ, ନିଜପାଇଁ ଧର୍ମ ଓ ଧନ ସଞ୍ଚେ, ନିଜର ପୁଣ୍ୟ ଲାଗି ଭଲର କାମନା ରଖିଥାଏ ଏବଂ ଭଗବାନଙ୍କୁ ଗୋଟାସୁଦ୍ଧା ନିଜର ଖୁଣ୍ଟରେ ଆଣି ବାନ୍ଧି ରଖିବାର ଫିକର କରୁଥାଏ ।

 

କ୍ଷମା ଅନ୍ୟ ସମସ୍ତଙ୍କୁ ଲୋଡ଼େ । ସେମାନେ ସମସ୍ତେ ସାଙ୍ଗରେ ନଗଲେ ଯେ ଯାବତୀୟ ବାଟ ଚାଲିବା କେବଳ ଏକ ଅହଂକାରୀ ଆଡ଼ମ୍ବରରେ ପରିଣତ ହୋଇଯିବ, ଏହି କଥାଟିକୁ ସିଏ ଭଲ କରି ବୁଝିଥାଏ । କ୍ଷମାର ଯୋଗ୍ୟ ହୋଇ ପାରିଲେ ଯାଇ ଯାବତୀୟ ଆରୋହଣ ସମ୍ଭବ ହୋଇଥାଏ । କ୍ଷମା ନଦେଇ ପାରୁଥିବା ବ୍ୟକ୍ତି ଯେଉଁମାନଙ୍କୁ ଅକ୍ଷମଣୀୟ ଓ ଅମାର୍ଜନୀୟ ବୋଲି ଭାବି ସେମାନଙ୍କ ପ୍ରତି କ୍ରୂର ଆଚରଣ କରିବାକୁ ଧର୍ମର କର୍ତ୍ତବ୍ୟ ବୋଲି ବିଚାରୁଥାଏ, ସିଏ ସେହିମାନଙ୍କଦ୍ଵାରାହିଁ ସର୍ବଦା ତଳକୁ ଟାଣିହୋଇ ରହିଥାଏ । ତା’ର ସକଳ ଆରୋହଣ ପଣ୍ଡ ହୋଇଯାଏ । ଯେଉଁ ଶିଖରରେ ସମସ୍ତଙ୍କ ଲାଗି ସ୍ଥାନ ରହିଛି, ସିଏ କିପରି ଏକୁଟିଆ ଯାଇ ସେଠାରେ ଆସନ ମାଡ଼ି ବସିପାରନ୍ତା ?

 

୬ । ୫ । ୮୧

 

ସାହିତ୍ୟର ମାଧ୍ୟମରେ ଏକ ପଳାୟନ ସମ୍ଭବ ହୋଇପାରେ, ଏକ ବିମୋଚନବି ସମ୍ଭବ ହୋଇପାରେ । ଧର୍ମର କ୍ଷେତ୍ରକୁ ସତେଅବା ଏକ ଆଚ୍ଛାଦନ ପରି ଗ୍ରହଣ କରି ତା’ ଭିତରେ ଆତ୍ମଗୋପନ କରି ରହିବା ସମ୍ଭବ ହୋଇପାରେ, ସେହି କ୍ଷେତ୍ରର ଅନ୍ତର୍ଗତ ପ୍ରେରଣାଟି ଆମକୁ ଆହୁରି ଅନେକ ଉଦ୍‌ଘାଟନ ଏବଂ ଅନ୍ତରଙ୍ଗ ପରିଚୟ ଆଡ଼କୁ ମଧ୍ୟ ପରିଚାଳିତ କରି ନେଇପାରେ-। ତେଣୁ, ଅସଲ କଥା ହେଉଛି ଆମେ ଆପଣାର କେଉଁ ପ୍ରୟୋଜନରେ ସାହିତ୍ୟ, ସଂସ୍କୃତି ଓ ଧର୍ମ ଆଡ଼କୁ ପ୍ରବୃତ୍ତ ହୋଇଥାଉ । ଆମେ ଭିତରର ଏକ ଅଭାବକୁ ଭୁଲିବା ଲାଗି ଏଗୁଡ଼ିକ ଭିତରେ ପଶି ପାରିବା, ଅଧିକ ପରିପୂର୍ଣ୍ଣତା ଅର୍ଥାତ୍ ଅଧିକ ଆତ୍ମନିବେଦନର ଆକାଂକ୍ଷା ନେଇ ମଧ୍ୟ ଏସବୁର ନିକଟବର୍ତ୍ତୀ ହୋଇ ପାରିବା ।

 

ତେଣୁ, ଏଠାରେ ମଧ୍ୟ ଠିକ୍ ସେହି ନୀତିରେ ଆମକୁ ଯାବତୀୟ ମୂଲ୍ୟନିରୂପଣ କରିବାକୁ ପଡ଼ିବ । ସାହିତ୍ୟରେ କ’ଣ ଲେଖାହେଲା, ସେତିକି ଅପେକ୍ଷା, ସାହିତ୍ୟରେ କ’ଣ କାହିଁକି ଲେଖାଗଲା ଓ କିଏ ତାକୁ ଲେଖିଲା, ସେହି ବିଷୟରେ ମଧ୍ୟ ଆମେ ଖବର ରଖିବା । ତେବେଯାଇ ସାହିତ୍ୟର ସମୀପବର୍ତ୍ତୀ ହେବାଦ୍ଵାରା ଆମେ ଆମ ନିଜ ଉନ୍ମୋଚନରେ ମଧ୍ୟ ଅନେକ ସହଭୋଗ କରି ପାରିବା । ଆତ୍ମଉନ୍ମୋଚନର ବାସନା ରହିଥିଲେ ଯାଇ ଆମର ସାହିତ୍ୟ, ଧର୍ମ ଓ ସଂସ୍କୃତିକୁ ଲୋଡ଼ିବାର କ୍ଷେତ୍ରରେ ତାହା ସମ୍ଭବ ହୋଇ ପାରିବ । ଏହି ଯାବତୀୟ ଲୋଡ଼ିବା ଏକ ଯାତ୍ରାରେ ପରିଣତ ହୋଇ ପାରିବ, ଏକ ସଖ୍ୟରେ ପରିଣତ ହେବ, ଆମକୁ ପରସ୍ତ ପରସ୍ତ କରି ଫିଟାଇ ନେଇ ପାରୁଥିବ ।

 

୭ । ୫ । ୮୧

 

ତେଣୁ, ସାହିତ୍ୟ ଦେଇ ଯେଉଁମାନେ ଜାତିର, ଦେଶର କିମ୍ବା ଭାଷାର ସେବା କରିବାକୁ ବାହାରି ଥାଆନ୍ତି, ସେମାନଙ୍କର ମର୍ମଗତ ଅଭିପ୍ରାୟଗୁଡ଼ାକୁ ମୁଁ ମୋଟେ ବୁଝି ପାରେନାହିଁ । ସେମାନେ ଯଦି ପ୍ରଧାନତଃ ଆପଣାର ଉନ୍ମୋଚନ ଲାଗିହିଁ ସାହିତ୍ୟ ଭିତରକୁ ପ୍ରବେଶ କରିବାଲାଗି ମନ କରି ପାରୁଥାନ୍ତେ, ତେବେ ତଦ୍ଦ୍ଵାରା ଜାତି, ଦେଶ ଏବଂ ଭାଷା ମଧ୍ୟ ଯଥାର୍ଥ ଭାବରେ ଉପକୃତ ହୋଇ ପାରୁଥାନ୍ତେ । ନିଜର ସର୍ବମୂଳ ସେହି ଭଲ ପାଇବାର ଓ ଉନ୍ମୋଚିତ ହେବାର ପ୍ରବୃତ୍ତିଗୁଡ଼ିକୁ ହିଁ ବିକଶିତ ଏବଂ ବୃଦ୍ଧିପ୍ରାପ୍ତ ହେବାରେ ସାହାଯ୍ୟ କରୁଥାନ୍ତେ । ତେବେ ସାହିତ୍ୟ ସେମାନଙ୍କୁ ଏକ ସମ୍ପତ୍ତି ପରି କଦାପି ଲାଗନ୍ତାନାହିଁ, ଏକ ମାର୍ଗ ପରିହିଁ ଲାଗନ୍ତା । କେଉଁ ମାର୍ଗଦ୍ଵାରା ନିଜକୁ ସବୁରି ଲାଗି ଓ ସବୁଟି ଲାଗି ପ୍ରସାରିତ କରି ଦେଇହୁଏ, ଠିକ୍ ସେହିପରି ଗୋଟିଏ ମାର୍ଗ ପରି ଲାଗନ୍ତା । ସେହି ସାହିତ୍ୟ ସ୍ନେହ ବଢ଼ାଇ ପାରନ୍ତା, ଗଣ୍ଠି ଫିଟାଇ ପାରନ୍ତା, ଦୂରତାଗୁଡ଼ାକୁ ହ୍ରାସ କରିଦେଇ ପାରନ୍ତା, କୃତ୍ରିମତାକୁ ଅସ୍ଵୀକାର କରି ପାରନ୍ତା ।

 

ସାହିତ୍ୟର ଆୟତନରେ ସେଥିଲାଗି ସାହିତ୍ୟିକହିଁ ସବାଆଗ ହୋଇ ରହିଛି । ତା’ ନିବେଦନର ସ୍ତରଟିହିଁ ତା’ର ଯାବତୀୟ ସାହିତ୍ୟରଚନାର ସ୍ତରନିରୂପଣ କରୁଛି । ସେହି ସ୍ତରଟି ଅନୁସାରେହିଁ ଜାତି, ଦେଶ ବା ଭାଷାର ସେବା କରୁଛି ଅଥବା କ୍ଷତି ମଧ୍ୟ କରୁଛି । ଘୃଣା ବଢ଼ାଉଛି, ଉଗ୍ରତା ବଢ଼ାଉଛି, ଅଥବା ସେଗୁଡ଼ାକୁ ହ୍ରାସ କରୁଛି । ଆପେ ଏକ ବାଟ ଚାଲୁଛି, ଅଥବା ଅଟକି ରହିଛି ଏବଂ ଅନ୍ୟ ଅନେକଙ୍କର ବାଟକୁ ବଣା କରି ରଖିଛି ।

 

୮ । ୫ । ୮୧

 

ଜୀବନରେ ଖୁସିକୁ ଖୋଜିବା, ଖୁସିର ସେତୁ ଦେଇ ଯାବତୀୟ ବ୍ୟବଧାନକୁ ଅତିକ୍ରମ କରିଯିବା,–ହାଲୁକା ହୋଇ ନିଜ ଆଡ଼କୁ ଓ ଏହି ଆକାଶ ଆଡ଼କୁ ଚାହିଁ ପାରିବା ଓ ଅଜାଣତରେ ଆପଣାର ସବୁକିଛିକୁ ମୁକୁଳା କରିଦେଇ ପୂର୍ଣ୍ଣ ହୋଇଯିବା,–ମୋ’ ଜୀବନରେ ମୁଁ ଏଗୁଡ଼ାକୁ ଗୁରୁଦେବ ରବୀନ୍ଦ୍ରନାଥଙ୍କଠାରୁହିଁ ବିଶେଷ ଭାବରେ ପାଇଛି । ଏବେବି ଏହିସବୁର ଅନ୍ଵେଷଣରେ ମୁଁ ଶାନ୍ତିନିକେତନର ସେହି ନୀରବ ତରୁବିଥିଗୁଡ଼ିକ ଭିତରେ ବୁଲୁଛି । ସେଇଠି ଏକଦା ଯେଉଁ ଆଖିଗୁଡ଼ିକୁ ପାଇଥିଲି, ସେହିଗୁଡ଼ିକ ସେଦିନଠାରୁ ସମଗ୍ର ସଂସାରରେ ସତେଅବା ସେହି ଶାନ୍ତିନିକେତନକୁହିଁ ଠାବ କରିବାରେ ଲାଗିଛି । ଅଶାନ୍ତି ଦୂର ହେଲେ ଶାନ୍ତି ଆସେନାହିଁ, ସମଗ୍ର ଭାବରେ ଛୁଇଁ ପାରିଲେ ଭିତରେ ଯେଉଁ ଅଜସ୍ର ବିଶ୍ଵାସ ଓ ଅଜସ୍ର ଆତ୍ମୀୟତାର ଜାଗରଣ ହୁଏ, ତାହାରି ସକାଶେହିଁ ଶାନ୍ତି ଅନୁଭୂତ ହୁଏ, ଅଶାନ୍ତି ଭିତରୁବି ସେହି ସମଗ୍ର ଆଖି ଏକ ଶାନ୍ତିର ଅନୁଭବ ଲାଭ କରେ, ଅନ୍ଧକାରକୁ ସମଗ୍ର ଭାବରେ ଦେଖିଲେ ଆଲୋକ ସହିତ ସେତୁ ଲାଗିଗଲା ପରି ମନେହୁଏ । ଏହି ଧନଟିକୁ, ସେହି ଆଖିଟିକୁ ମୁଁ ବିଶେଷ ଭାବରେ ଶାନ୍ତିନିକେତନରୁ ପାଇଛି ।

 

ଆପଣା ସହିତ ଶାନ୍ତିନିକେତନରୁ ପୁଳାଏ ନେଇ ସଂସାର ଭିତରେ ଓ ଜୀବନ ଭିତରେ ବୁଲୁଥିବାରୁହିଁ ମୁଁ ସମ୍ଭବତଃ କେବେହେଲେ ନିରାଶ ହୋଇନାହିଁ, ନାନା ନକାରାତ୍ମକ ନୈତିକତାର ଅବଜ୍ଞା ଦେଖାଇ କୌଣସି ସ୍ଥାନରୁବି ଦୂରକୁ ଚାଲି ଯାଇନାହିଁ । ମୁଁ ସତେଅବା ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇଆସିଛି ।

 

୯ । ୫ । ୮୧

 

ବଦ୍ରୀନାଥର ଦେବତାଙ୍କୁ ବଦ୍ରୀବିଶାଳ ବୋଲି କୁହାଯାଏ । ଜୀବନରେ ଯେଉଁ ଦିଗଟି ବିଶାଳ, ବୃହତ୍, ଯେଉଁ ଦିଗଟି କୌଣସି ବୃତ୍ତର ଘେରଟିକୁ ମାନି ସେଇଠାରେହିଁ ଅଟକି ରହି ଯାଏଁ ନାହିଁ, ସମ୍ଭବତଃ ତାହାହିଁ ହେଉଛି ମଣିଷର ଦେବତ୍ଵର ଦିଗ । ସେହି ଦେବତ୍ଵହିଁ ତା’ ଜୀବନରେ ଅସଲି ଗତି ଆଣିଦିଏ ।

 

ଜୀବନର ତଥାକଥିତ ସାନ ସାନ କଥାର ମଧ୍ୟ ଏକ ବିଶାଳ ପ୍ରସ୍ଥ ରହିଛି । ସାନ ସାନ ବ୍ୟାପାରର କ୍ଷେତ୍ରରେ ମଧ୍ୟ ଏପରି ଏକ ସମ୍ପ୍ରସାରଣର ଆୟାମ ରହିଛି, ଯାହାକି ଆମକୁ କେତେ ଗଭୀରକୁ ନେଇଯାଏ, କେତେ ଅଧିକ ଖବର ଦିଏ, କେତେ ନିବିଡ଼ ଭାବରେ ଆନ୍ଦୋଳିତ କରେ ଓ କେଡ଼େ ନିଶ୍ଚିତ ଭାବରେ ନିକଟ କରାଏ । ସେତେବେଳେ ଜୀବନର ଆକାଂକ୍ଷା ଓ ଜୀବନର ଆକୁତିଗୁଡ଼ାକ ସତେଅବା ଆକାଶକୁ ସ୍ପର୍ଶ କରେ, ଏହି ପବନକୁ ଅଭିନ୍ନ ଭାବରେ ଆପଣାର କରିନିଏ । ଯୁଆଡ଼େ ଅନାଇଲେବି ଏକ ଆଲୋକର ପ୍ରତ୍ୟକ୍ଷ କରେ । ସେହି ଆଲୋକର ସୂତ୍ରଟି ସବୁକିଛିକୁ ଏକ ଅଭେଦ ସୂତ୍ରରେ ପରସ୍ପର ସହିତ ଗଅଁଠାଇ ରଖିଛି ବୋଲି ଅନୁଭବ କରୁଥାଏ । ସେହି ଆଲୋକଦ୍ଵାରା ନିଜକୁ ଚିହ୍ନି ହୁଏ, ସଂସାରକୁବି ଚିହ୍ନିହୁଏ । ସେତେବେଳେ ଅତୀତଗୁଡ଼ାକ ଆଉ ପଛରେ କେଉଁଠି ରହିଗଲା ପରି ମୋଟେ ମନ ହୁଏନାହିଁ । ବର୍ତ୍ତମାନଟା ଆପଣାର ଘର ପରି ଦେଖାଯାଏ ଏବଂ ଭବିଷ୍ୟ କେଡ଼େ ନିର୍ଭରରେ ସତେଅବା ଜନନୀ ପରି ଡାକେ । ଜାତି, ଦେଶ, ଭାଷା ଏବଂ ସମାଜ–ଏସବୁ ଭିତରେ ଏକ ବିଶାଳ ପରିଚୟ ମିଳିଯାଏ । ସବୁଠାରେ ଆତ୍ମୀୟତାର ପ୍ରତ୍ୟକ୍ଷ ହୁଏ । ମାୟା ଛାଡ଼ି ପଳାଏ, ଅନିତ୍ୟ ଭିତରେ ନିତ୍ୟ ଏବଂ ଅନ୍ଧାର ଭିତରେ ଜ୍ୟୋତିର୍ମୟର ଅନୁଭବ ପ୍ରାପ୍ତ ହୁଏ । ସେହି ବିଶାଳ ଏହି ଜୀବନକୁ ଧନ୍ୟ କରେ ଜୀବନକୁ ତା’ର ଲୋଡ଼ିବା ସମ୍ପଦଟି ପାଖରେ ନେଇ ପହଞ୍ଚାଇ ଦିଏ ।

 

୧୦ । ୫ । ୮୧

 

ସୁଅ ବିରୁଦ୍ଧରେ ସୁଅହିଁ ଲଢ଼ିବ, ପଥର କଦାପି ଲଢ଼ି ପାରିବନାହିଁ । ପଥର ସୁଅକୁ କେବଳ ବାଧା ଦେଇ ପାରିବ । ଠିକ୍ ସେହିପରି ଅଶିକ୍ଷା ବିରୁଦ୍ଧରେ ଅଶିକ୍ଷା କେବେହେଲେ ଲଢ଼ି ପାରିବନାହିଁ । ଅଶିକ୍ଷା ବିରୁଦ୍ଧରେ କେବଳ ଶିକ୍ଷାହିଁ ଲଢ଼ି ପାରିବ । ଅମଣିଷ ବିରୁଦ୍ଧରେ ମଣିଷ ଲଢ଼ି ପାରିବ ।

 

ବର୍ତ୍ତମାନ ପ୍ରଚଳିତ ହେଉଥିବା ଶିକ୍ଷାକୁ ଆମେ ଅଶିକ୍ଷା ବୋଲିହିଁ କହୁଛୁ । ଏ ଶିକ୍ଷା ମଣିଷକୁ ଭୀରୁ କରିଦେଉଛି, ମଣିଷକୁ ମଣିଷଠାରୁ ଅଧିକ ଦୂରବର୍ତ୍ତୀ କରି ପକାଉଛି, ମଣିଷ ଭିତରେ ରହିଥିବା ତା’ର ଯଥାର୍ଥ ଭାଗବତ ଚେରଟି ସହିତ ମଣିଷର ସୂତ୍ରଗୁଡ଼ାକୁ ଛିଣ୍ଡାଇ ପକାଉଛି, ତେଣୁ ଏ ଶିକ୍ଷା ମଣିଷକୁ ଭାରି ଅଲକ୍ଷଣା କରି ପକାଉଛି, ଜୀବନକୁ ଭାରି ଅସୁନ୍ଦର କରି ରଖୁଛି, ମଣିଷ ଏହି ଶିକ୍ଷାର ଭ୍ରମରେ ପଡ଼ି ନିଜ ଭିତରକୁ କୌଣସି ବାଟ ପାଉନାହିଁ । ତେଣୁ, ନିଜ ଭିତରେ ସିଏ ଯେଉଁଠାରେ ସମସ୍ତଙ୍କ ସହିତ ଆତ୍ମୀୟ ହୋଇ ରହିପାରନ୍ତା, ସେଠାରେ ପ୍ରବେଶ କରିବାକୁ ସିଏ ଭାରି ଡରୁଛି । ନିଜ ଭିତରେ ଅନାବିଷ୍କୃତ ହୋଇ ରହିଯାଉଛି ନିଜ ପାଖରେ ସତେଅବା ଅସ୍ପୃଶ୍ୟ ରହିଯାଉଛି । ତେଣୁ, ଏହି ଅଶିକ୍ଷାକୁ ଆମେ ଶିକ୍ଷାଦ୍ଵାରା ବଦଳାଇବାକୁ ବାହାରିଛୁ । ଆମେ ଖୁସି ହେବୁ, ଆମେ ଜୀବନ ପାଖରେହିଁ ଭରିବୁ, ଭାବାତ୍ମକ ଭାବରେ ଜୀବନକୁ ଓ ସଂସାରକୁ ଦେଖିବୁ । ସଂସାରକୁ ଅନିତ୍ୟ ବୋଲି କହି ଆମେ ଏଠୁ ପଳାଇ ଯିବାକୁ ବା ସେହି ବାହାନାରେ ଆପଣାକୁ କୌଣସି ପ୍ରକାର ବୁଦ୍ଧିସମ୍ବଳିତ ସ୍ଵାର୍ଥ ବା ଅହଂକାର ଭିତରେ ବାନ୍ଧି ରଖିବୁ ନାହିଁ । ବଜାରରେ ଜିତିବା ସକାଶେ ଆମେ ମୋଟେ ଚଲାଖ ହେବୁନାହିଁ । ଆମେ ଆପଣାକୁ ସଦାନିବେଦିତ କରି ରଖିବାକୁ ପ୍ରସ୍ତୁତ ହୋଇ ରହିବୁ । ଆମ ଶିକ୍ଷାର ଅସଲ ଉତ୍‌ପ୍ରେରକ ଏହିଗୁଡ଼ିକହିଁ ହୋଇ ରହିବ ।

 

୧୧ । ୫ । ୮୧

 

ଗୋଟାଏ ଗୋଟାଏ ଥାନରେ ଜାଣି ଜାଣି ଗୋଡ଼ ଖସିଯାଏ, ଜାଣି ଜାଣି ଲଜ୍ଜା ଛାଡ଼ିଯାଏ, ଜାଣି ଜାଣି ଗଣ୍ଠି ଫିଟିଯାଏ, ପ୍ରହରୀମାନେ କୁଆଡ଼େ ବିଦାହୋଇ ଚାଲିଯାନ୍ତି । ବାଡ଼ଗୁଡ଼ାକ ଭାଙ୍ଗିଯାଏ, ତଥାପି ସୁରକ୍ଷିତ ଥିବାପରି ମନେହୁଏ । ଗୋଡ଼ ଖସି ଗଲାପରେ ଆଦୌ କୌଣସି ଗ୍ଳାନି ଅନୁଭବ ହୁଏ ନାହିଁ । ପଶ୍ଚାତାପ ହୁଏ ନାହିଁ । ଭିତରେ କୌଣସି ସ୍ଥାନରେ କୌଣସି ସ୍ଖଳନ ହୋଇଥିବାର ବୋଧହୁଏ ନାହିଁ । ସଂସାରରେ ସାଙ୍ଗ ମିଳି ଗଲାପରି ଲାଗେ । ତେଣୁ, ନିଜକୁ ଆଉ ମୋଟେ ଲୁଚାଇ ହୁଏ ନାହିଁ । ନିଜକୁ ଲୁଚାଇ ରଖିବାର ସବୁ ଆବଶ୍ୟକତା କୁଆଡ଼େ ପାସୋରି ଯାଏଁ ।

 

ଠିକ୍ ସେତିକିବେଳେ ଭିତରୁ କିଏ ଉଦ୍‌ବୋଧନ ଦେଲାପରି କହେ ଯେ, ଏହି ଯାତ୍ରା ଆଦୌ ଏକାକୀ ଯାତ୍ରା ନୁହେଁ । ଏଠି ସମସ୍ତଙ୍କ ସହିତ ଏକାଠି ବାଟ ଚାଲିଲେ ବାଟ ଆହୁରି ପବିତ୍ର ହୋଇଯିବ, ଆହୁରି ଅଧିକ ପ୍ରଶସ୍ତ ହେବ, ଅଧିକ ଆଶୀର୍ବାଦପ୍ରାପ୍ତ ଏବଂ ଅଧିକ ସମ୍ପଦକ୍ଷମ ହୋଇ ପାରିବ । ଆପଣାକୁ ଦେଇଦେବାରେ, କାହାପାଖରେ ଓ କାହାଲାଗି, ଯେଉଁ ଆନନ୍ଦ ଥାଏ, ତାହା ଠିକ୍ ଏହିପରି ବେଳମାନଙ୍କରେ ଅନୁଭୂତ ହୁଏ । ଅନେକ ଧାରା ଏକାଠି ମିଶି ସତେଅବା ଗୋଟିଏ ଧାରାରେ ପରିଣତ ହୋଇ ଯାଉଥିବା ପରି ଲାଗେ । ସେତେବେଳେ ମୋ’ ଧାରାଟି ଆଉ ମୋଟେ କେବଳ ମୋ’ରି ଧାରା ହୋଇ ରହେନାହିଁ । ତାହା କେବଳ ମୋତେ ସିକ୍ତ ବା ଶୀତଳ କରି ଦେବାଲାଗି ଉଦ୍ଦିଷ୍ଟ ହୋଇ ରହିନଥାଏ । ସେତେବେଳେ ରାଧା ଘରଛଡ଼ା ଦାଣ୍ଡକୁ ବାହାରି ଆସେ । ତାଙ୍କରି ଧାରାହିଁ ଆପଣାର ନିଜ ଧାରାଟି ପରି ଲାଗେ । ସତେଅବା ଆଉ କାହାଲାଗି ଗୋଟାସୁଦ୍ଧା ଅଭିପ୍ରେତ ହୋଇ ରହିଥିବା ପରି ଅଭିସାରରେ ବାହାରି ଗଲାପରି ମନେହୁଏ ।

 

୧୨ । ୫ । ୮୧

 

ପଥ ମୋତେ ସବୁବେଳେ ଭଲ ଲାଗେ । ମତଠାରୁ ପଥ ଅଧିକ ଭଲ ଲାଗେ । ପଥ ଉପରେ ଆହୁରି ଅଧିକ ଅନ୍ତରଙ୍ଗ ଭାବରେ ଚାଲି ପାରିବ ବୋଲି ଓ ପଥରେ ଚାଲିବାକୁ ଅଧିକ ମନ କରି ପାରିବି ବୋଲି ମୁଁ ମତଗୁଡ଼ାକୁ ଓ ପଥ ଯାତ୍ରାର ବିଗତ ସଂଗ୍ରହଗୁଡ଼ାକୁ ଛାଡ଼ିବା ଲାଗି ଆଦୌ କେତେବେଳେ ହେଲେ ଅରାଜି ନଥାଏ ।

 

କେବଳ ପଥ ସରିଲେ ଯେ ବନ୍ଧୁର ଦର୍ଶନ ହୁଏ, ଈପ୍‍ସିତ ଲାଭ କରାଯାଏ, ସେକଥା ମୋଟେ ନୁହେଁ । ପଥ ଚାଲିଲାବେଳେ ମଧ୍ୟ ସତେଅବା କାହା ସହିତ ଚାଲୁଥିବା ପରି ଅନୁଭବ ହୁଏ-। ସେଥିରୁ ଯେଉଁ ବିଶ୍ଵାସ ଉପଲବ୍ଧ ହୁଏ, ତାହାହିଁ ଯଥାର୍ଥରେ ଜୀବନରେ ଯାବତୀୟ ଦର୍ଶନର କାରଣ ହୋଇ ରହିଥାଏ । ପଥ ସରିଲେ ଯେଉଁ ମନ୍ଦିର ମିଳିବ ବୋଲି ଶାସ୍ତ୍ରମାନଙ୍କରେ ଲେଖା ହୋଇ ରହିଛି, ସେହି ମନ୍ଦିରକୁ ମୁଁ କେବେହେଲେ ଲୋଡ଼ିନାହିଁ । ଏହି ପଥ ଚାଲିବାର ପଥରେ ଏକ ବାସନା ରହିଛି ଏବଂ ସେହି ବାସନାହିଁ ମୋତେ ପ୍ରତ୍ୟେକ ମୁହୂର୍ତ୍ତରେ ଯାବତୀୟ ମନ୍ଦିରଲାଗି ଅଧିକରୁ ଅଧିକ ଯୋଗ୍ୟ କରାଇ ଦେବାରେ ଲାଗିଛି । ମୋ’ ନିଜ ଭିତରେ ମଧ୍ୟ ସେହି ମନ୍ଦିର ଅଛି, ସେହି ପଥ ମଧ୍ୟ ଅଛି । ହୁଏତ ସେଇଥିସକାଶେ ପଥ ଚାଲିବାଟାହିଁ ମୋ’ ଜୀବନର ସବୁଠାରୁ ଅଧିକ ଚିହ୍ନା ଏବଂ ସବୁଠାରୁ ଅଧିକ ବାସନାନୁରୂପ ସାଧନା ପରି ମନେ ହେଉଛି । ଅସଲ ସହାୟଗୁଡ଼ାକ ମହଜୁଦ୍ ରହିଥିଲେ ପଥରେ ଚାଲିବା ସମୟରେ ଯେ ଆଦୌ ଅସହାୟ ମନେ ହୁଏନାହିଁ, ମୁଁ ସେକଥା ଅଙ୍ଗେ ନିଭାଇ ଜାଣିଛି । ମୋ’ ଜୀବନରେ ସେହି ପଥରହିଁ ଜୟ ହେଉ, ମୋ’ର ସମସ୍ତ ଜୀବନ ଏକ ପଥରେହିଁ ପରିଣତ ହୋଇ ରହୁ ।

 

୧୩ । ୫ । ୮୧

 

ଏ ଶରୀରକୁ ଧନ୍ୟବାଦ ଦେଉଛି । ଶରୀର କେତେ କଥା ମାନେ । ଭୃତ୍ୟ ପରି ନୁହେଁ, ଠିକ୍ ବନ୍ଧୁ ପରି । ବନ୍ଧୁ ପରି ପାଖେପାଖେ ଥାଏ, ବନ୍ଧୁ ପରି ସହଯୋଗ କରେ, ବନ୍ଧୁ ପରି ପ୍ରସ୍ତୁତ ହୋଇଯାଏ । କେବେହେଲେ ନିଜପାଇଁ କୌଣସି ଜିଦ୍ କରେ ନାହିଁ । ମୋ’ର ଶରୀରର ଯେ ଗୋଟାଏ ଅଲଗା ଅସ୍ତିତ୍ଵ ରହିଛି, ଅନେକ ସମୟରେ ମୁଁ ସେକଥା ଏକାବେଳେକେ ଭୁଲି ଯାଇଥାଏ । କୋଉ ପଣ୍ଡିତମାନେ ଏହି ଶରୀରକୁ କାହିଁକି ଯେ ମାୟା ବୋଲି କହିଥିଲେ ବେଳେବେଳେ ଭାରି ଆଶ୍ଚର୍ଯ୍ୟ ହୋଇ ମୁଁ ସେହିକଥା ଭାବିଥାଏ । ଆଗ ଶରୀରକୁ ସାଧ୍ୟ କରି ତା’ପରେ କୁଆଡ଼େ ସାଧନାପଥରେ ଅଗ୍ରସର ହେବା ସମ୍ଭବ ବୋଲି କେତେ ଶାସ୍ତ୍ରରେ କୁହାଯାଇଛି-। ଶରୀରକୁ ସାଙ୍ଗରେ ନେବାକୁ ମନ କଲେ ଯେ ଶରୀର କେବେହେଲେ ଧୋକା ଦିଏ ନାହିଁ, ପଣ୍ଡିତ ଶାସ୍ତ୍ରକାରମାନେ କ’ଣ କେବେହେଲେ ଏକଥା ଅନୁଭବ କରି ନଥିଲେ ?

 

ମୋ’ ଚେତନାରେ ସମଗ୍ର ମେଦିନୀଟି ଭିତରେ ଶରୀର ଅତ୍ୟନ୍ତ ସ୍ଵାଭାବିକ ଭାବରେ ରହିଛି । ତେଣୁ, ତା’ର ଅନିଚ୍ଛାସତ୍ତ୍ୱେ ତାକୁ ମୋଟେ ଟାଣିକରି ସାଙ୍ଗରେ ଆଣିବାକୁ ପଡ଼ୁ ନାହିଁ । ତାହାହିଁ ମୋ’ର ମହାଭାଗ୍ୟ । ତାହା ମୋ’ଲାଗି ଜୀବନ ବିଧାତାର ଏକ ବଡ଼ କରୁଣା । ଶରୀର ସ୍ଵାଭାବିକ ଭାବରେ ସାଙ୍ଗରେ ଥିବାଯୋଗୁଁ ସମ୍ଭବତଃ ମୁଁ କେବେହେଲେ ସଂସାରକୁ ମାୟା ବୋଲି କହୁ ନାହିଁ । ହୁଏତ ସେଇଥିସକାଶେ ସଂସାରରେ ଏତେ କଥା ମୋତେ ଏତେବେଶୀ ଭଲ ଲାଗୁଛି-। ମଣିଷମାନେବି ଏତେ ଭଲ ଲାଗୁଛନ୍ତି । ପୃଥିବୀଯାକର ସବୁ ପ୍ରକାରର ଜଳବାୟୁ ଓ ସବୁ ପ୍ରକାରର ଚଳଣି ଏତେ ସ୍ଵାଭାବିକ ଭାବରେ ଆରେଇ ହୋଇ ଯାଉଛି । ସବୁଠାରେ ଘର ପରି ମନେ ହେଉଛି । ସମ୍ଭବତଃ ସେହି ଶରୀରଟା ସାଙ୍ଗରେ ଅଛି ବୋଲି ରୋଗ ସାହସ କରି ମୋଟେ ଭିତରକୁ ପଶି ପାରୁ ନାହିଁ । ମୋ’ର ଏହି ଶରୀର ପାଖରେ ମୁଁ ପ୍ରକୃତରେ ଭାରି କୃତଜ୍ଞ ।

 

୧୬ । ୫ । ୮୧

 

କର୍ଣ୍ଣପ୍ରୟାଗଠାରୁ ଗୋପେଶ୍ଵର, ବାଆଁପାଖରେ ପରିଚିତା ଅଳକାନନ୍ଦା, ଡାହାଣ ପାଖରେ ହିମାଳୟର ସଜୀବ ପର୍ବତମାଳା । ମନକୁ ଓ ହୃଦୟକୁ ଏହି ହିମାଳୟ ପରି ବିଶାଳ କରିପାରିଲେ ଯାଇ ହିମାଳୟକୁ ଯଥାର୍ଥ ଭାବରେ ଚିହ୍ନି ହୁଏ । ହିମାଳୟକୁ ଆସିବା ମାତ୍ରକେ ଯେ ମନ ଓ ହୃଦୟ ବିଶାଳ ହୋଇଯାଏ, ସେକଥା ସବୁ ସମୟରେ ସମ୍ଭବ ହୁଏ ନାହିଁ । ଯିଏ ଯେତିକି ବିଶାଳତାର ବାସନା ନେଇ ଏଠାକୁ ଆସେ, ଏହି ବିସ୍ତାରର ସାନ୍ନିଧ୍ୟରୁ ସିଏ ସେତିକି ବିଶାଳ ହେବାର ପ୍ରେରଣା ଲାଭ କରେ ।

 

ଦୀର୍ଘ ବାଇଶିବର୍ଷ ପୂର୍ବେ ମୁଁ ଏହି ସତ୍ୟଟିକୁ ଅଙ୍ଗେ ନିଭାଇଥିଲି । ଆଜି ସେହି ସତ୍ୟଟିହିଁ ପୁନର୍ବାର ମୋ’ର ଅନ୍ତର ମନକୁ ଶିଖରର ସମ୍ମୁଖରେ ଏପରି ମୌନ କରି ରଖିଛି । ଅନିକେତ ଭିତରେହିଁ ନିକେତ ରହିଛି;–ଅନ୍ତର ଭିତରେ ରହିଛି, ଏହି ଆକାଶ ଭରି ରହିଛି, ଅନୁଭବ କରିବାକୁ ମନ କଲାମାତ୍ରକେ ସର୍ବତ୍ରହିଁ ମୁଁ ନିଜ ଜୀବନର ଅସଲ ଚେରଗୁଡ଼ିକୁ ଅନୁଭବ କରି ପାରୁଛି, ଏହି ସବୁ କିଛିକୁ ମୁଁ ବନ୍ଧୁ ପରି ସ୍ପର୍ଶ କରିପାରୁଛି ଏତିକି କ’ଣ କମ୍ ଭାଗ୍ୟ ? ଏହାହିଁ ଜୀବନରେ ସେହି ପରମ ସ୍ଵୀକୃତିର ଅନୁଭୂତି, ଏକ ଗଭୀର ଓ ଅଚ୍ଛେଦ୍ୟ ସ୍ଵୀକାରାତ୍ମକତାର ଅନୁଭବ । ସେହି ସ୍ଵୀକାରାତ୍ମକତା ମୋତେ ସେତୁପରି କରି ହିମାଳୟଠାରୁ ଓଡ଼ିଶା ପର୍ଯ୍ୟନ୍ତ ଗୋଟିଏ ଫଳଗ୍ନତା ଅର୍ଥାତ୍ ଆତ୍ମୀୟତାରୂପେ ବିସ୍ତୃତ ହୋଇ ରହିଛି । ମୁଁ ଯେ ସେଥିଲାଗି ଏକ ସେତୁ ହୋଇ ପାରିଛି, ମୋତେ ତାହାରି ପ୍ରତ୍ୟୟ ଦେଇଯାଉଛି । ଏଇ ଜଗତର ସବୁ ମଣିଷ ଗୋଟିଏ ସେତୁ ହେବାଲାଗି ଯେ ଅଭିପ୍ରେତ ହୋଇ ରହିଛନ୍ତି, ମୋତେ ତାହାରି ବିଶ୍ଵାସ ଦେଇ ଯାଉଛି ।

 

୨୦ । ୫ । ୮୧

 

ପଥରକୁ ମୁଁ କେବେହେଲେ କୌଣସି ବିଶ୍ଵାସ କରି ପାରେନାହିଁ । ପଥର ଯାହାର ପ୍ରତୀକ, ମୁଁ ତାହାକୁହିଁ ସର୍ବଦା ବିଶ୍ଵାସ କରୁଥାଏ । ତେଣୁ ପଥରକୁ ମଧ୍ୟ ପବିତ୍ର ବୋଲି ଅନୁଭବ କରିଥାଏ । ଯେଉଁମାନେ ପ୍ରତୀକଟିଏ ଖୋଜୁ ଖୋଜୁ ପଥର ପାଖରେ ଆସି ଅଟକି ଯାଇଥାନ୍ତି, ସେମାନଙ୍କ ସହିତ ମୁଁ କେବେହେଲେ ମେଳ ଖାଇ ପାରେନାହିଁ । ଅନେକ ସମୟରେ ମୁଁ ସେମାନଙ୍କର ଭାଷାକୁହିଁ ବୁଝି ପାରେନାହିଁ । ସେମାନେ ଆପଣାକୁ ବିଶ୍ଵାସର ପ୍ରତୀତି ଭିତରେ କେଡ଼େ ସୁନିଶ୍ଚିତ ଓ ସୁରକ୍ଷିତ କରି ରଖିଥାନ୍ତି । ପ୍ରତୀକଟିକୁ ଖୋଜିବାର ଆଦୌ କୌଣସି ଆବଶ୍ୟକତାହିଁ ଅନୁଭବ କରନ୍ତି ନାହିଁ । ପ୍ରତୀକଟିକୁ ଖୋଜି ମଣିଷ ଯେ ସୋପାନ ସୋପାନ ହୋଇ ଉଠିଯାଇ ପାରିବ, ସୋପାନ ସୋପାନ ହୋଇ ଆପଣା ଭିତରକୁ ପ୍ରବେଶ କରିପାରିବ, ସେମାନଙ୍କର ଜୀବନ ଜିଜ୍ଞାସା ଭିତରେ ସେଭଳି କୌଣସି ପ୍ରଶ୍ନରବି ଆବଶ୍ୟକତା ନଥାଏ ।

 

ମୁଁ ଯେତିକି ଦେଖେ, ଯେତିକି ଅନୁଭବ କରେ ଓ ଯେତିକି ଛୁଏଁ, ତାହାକୁ କଦାପି ସେତିକି ବୋଲି ଗ୍ରହଣ କରିପାରେ ନାହିଁ । ନିଜ ଜୀବନଟିକୁ ନେଇ ସମ୍ଭାରି ପାରିଥିବା ବୃତ୍ତଟିକୁ ମୁଁ କଦାପି ସର୍ବଶେଷ ବୃତ୍ତ ବୋଲି ଗ୍ରହଣ କରି ପାରେନାହିଁ । ବୃତ୍ତର ସେ ପାଖରେ ମଧ୍ୟ ଅନାବିଷ୍କୃତ ଆହୁରି କେତେ ବୃତ୍ତ ରହିଛି । ମୋ’ ଲାଗି ଅପେକ୍ଷା କରି ରହିଛି, ହୁଏତ ସେହି କାରଣରୁହିଁ ମୁଁ ବର୍ତ୍ତମାନ ବୃତ୍ତଟିକୁ ଆପଣାର ବୋଲି ସ୍ଵୀକାର କରେ, ଆପଣାର ବୋଲି କହେ । ମୋ’ର ପରିଚୟଗୁଡ଼ିକ ଏହିପରି ଭାବରେ ମୋ’ର କାନ୍ଥଗୁଡ଼ାକୁ ଭାଙ୍ଗିବାରେହିଁ ସାହାଯ୍ୟ କରିଥାନ୍ତି । ମୋତେ ଆକାଶ ସହିତ ସଂଯୁକ୍ତ କରି ରଖିଥାନ୍ତି, ମୋତେ ଅଶେଷ କରି ରଖିଥାନ୍ତି ।

 

୨୧ । ୫ । ୮୧

 

ଆଗେ ଅନାସକ୍ତିରୁ ଆରମ୍ଭ ନକରି ଆସକ୍ତିରୁହିଁ ଆରମ୍ଭ କରୁଥିଲେ ଆମେ ହୁଏତ ଆପଣାର ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସି ପାରୁଥାନ୍ତୁ । ଆସକ୍ତି ଭିତରେ ଯେ ଅନେକ ସୋପାନ ରହିଛି, ଆସକ୍ତି ଯେ ଅନୁରାଗ ମଧ୍ୟକୁ ଉତ୍ତୋଳିତ ହୋଇ ଯାଇପାରେ ଏବଂ ସେହି ଅନୁରାଗ ଯେ ଆମକୁ ଯଥାର୍ଥ ଭାବରେ ସମର୍ପିତ ହୋଇ ରହିବାକୁ ସାହାଯ୍ୟ କରିପାରେ; ଆସକ୍ତିରୁ ଆରମ୍ଭ କରୁଥିଲେ ଆମେ ହୁଏତ ଅଧିକ ସହଜ ଭାବରେ ସେହି କଥାକୁ ଅନୁଭବ କରି ପାରୁଥାନ୍ତୁ ।

 

ମୋ’ର ଏଇଟା ଦରକାର ନାହିଁ, ମୋତେ ଏଇଟାକୁ ବର୍ଜନ କରିବାକୁ ହେବ, ମୋ’ର ପ୍ରକୃତରେ କେଉଁଥିରେ ଆସକ୍ତି ବା ଅନୁରାଗ ରହିଛି ସେଇଟାକୁ ସ୍ଥିର କରି ସାରିଥିଲେ ଯାଇ ସେସବୁ ଅନାସକ୍ତି ଓ ତଥାକଥିତ ବର୍ଜନର କୌଣସି ଯଥାର୍ଥ ମୂଲ୍ୟ ରହି ପାରିବ । ଆମକୁ ଯୋଉମାନେ ଆଗ ଅନାସକ୍ତିର କଥା କହନ୍ତି, ଆଗ ସଂସାରବିରାଗୀ ବା ଜୀବନବିରାଗୀ କରାଇବାକୁ ଚେଷ୍ଟା କରନ୍ତି, ହୁଏତ ସେମାନେବି ଜୀବନରେ କୌଣସି ଅନୁରାଗ ସମ୍ଭବ କରି ପାରିନଥାନ୍ତି, କୌଣସିଠାରେ ଧରା ଦେଇନଥାନ୍ତି, କାହାରି ଲାଗି ଆପଣାର ଦ୍ଵାରକୁ ଖୋଲିଦେଇ ପାରିନଥାନ୍ତି । ତେଣୁ ଆମ ଆସକ୍ତିର ସ୍ତରହିଁ ଆମ ଅନାସକ୍ତିଗୁଡ଼ିକର ମୂଲ୍ୟକୁ ଯଥାର୍ଥରେ ନିରୂପଣ କରିବାକୁ ସମର୍ଥ ହେବ । ମୁଁ ଯଦି ଆଗ ନିଜକୁ ଆପଣାର ଆସକ୍ତିର ଭୂମି ଉପରେ ଆବିଷ୍କାର କରିବାକୁ ସମର୍ଥ ହୋଇଥିବି, ତେବେ ମୋତେ ଅନାସକ୍ତି ବୋଲି ଆଉ ଗୋଟାଏ ସାଧନା ଲାଗି କୌଣସି ବିଶେଷ ଚେଷ୍ଟା ମୋଟେ କରିବାକୁ ପଡ଼ିବ ନାହିଁ । ମୁଁ ଆଗକୁ ଯାଉଥିବି, ଖୋଳଗୁଡ଼ାକୁ ସ୍ଵାଭାବିକ ଭାବରେ ଖସି ପଡ଼ିବାରେ ଲାଗିଥିବ ।

 

୨୨ । ୫ । ୮୧

 

ସମାଜରେ ଯେଉଁମାନେ ଅଧିକ ସୌଭାଗ୍ୟବନ୍ତ ହୋଇ ବାସ କରୁଛନ୍ତି, ସେମାନଙ୍କର କମ୍ ସୌଭାଗ୍ୟବନ୍ତମାନଙ୍କ ପ୍ରତି ଦୟା ପ୍ରଦର୍ଶନ କରିବା ଉଚିତ ବୋଲି କେତେକେତେ ଶାସ୍ତ୍ରୋପଦେଶ ଜରିଆରେ କୁହାହୋଇ ଆସିଛି । ଦୟାକୁ ସେବା ବୋଲି କୁହାଯାଇଛି ଓ ଆହୁରି ପାଦେ ଆଗକୁ ଲମ୍ବିଯାଇ ସେହି ସେବାକୁ ଧର୍ମ ବୋଲି କୁହାଯାଇଛି ।

 

ମଣିଷର ନିଜ ଭିତରେ ଶକ୍ତି ରହିଛି, ଅର୍ଥାତ୍ ନିଜର ସୀମାଗୁଡ଼ିକୁ ସତତ ସମ୍ପ୍ରସାରିତ କରିବାର ଏକ ଈଶ୍ଵରୀୟ ସାମର୍ଥ୍ୟ ଯେ ମଣିଷ ଭିତରେ ରହିଛି, ମଣିଷର ସେବା କରିବାକୁ ଆପଣାର ବ୍ରତ ଅଥବା ବୃତ୍ତିରୂପେ ଗ୍ରହଣ କରିଥିବା ସୌଭାଗ୍ୟବନ୍ତ ମଣିଷମାନେ ଯଦି ତଥାକଥିତ ସମସ୍ତ ଦୟାଭାବରୁ ଆପଣାକୁ ମୁକ୍ତ କରି ଅନ୍ୟ ମଣିଷମାନଙ୍କୁ ସେତିକି କଥାର ବିଶ୍ଵାସ ଦେଇ ପାରିଥାନ୍ତେ କିମ୍ବା ସବୁ ମଣିଷ ସେହିପରି ଅନୁଭବ କରି ପାରିବାଭଳି ଏକ ପରିସ୍ଥିତି ସୃଷ୍ଟି କରି ପାରିଥାନ୍ତେ, ତେବେ ତାହା ପୃଥିବୀର ମଣିଷଭାଗ୍ୟ ଲାଗି ଅଧିକ ହିତକାରୀ ହୋଇ ପାରିଥାନ୍ତା । ଅନେକ ସମୟରେ ଦୟା ଉପରର ଦୟା କରୁଥିବା ମଣିଷକୁ ତଳେ ରହିଥିବା ଦୟା ଲାଭ କରୁଥିବା ମଣିଷଟି ଠାରୁ ବିଚ୍ଛିନ୍ନ କରି ରଖେ । ସେହି ଦୟାଳୁ ସେବା ଓ ଧର୍ମର ପୋଷାକ ପିନ୍ଧାଇ ନାନା ଆନୁଷ୍ଠାନିକତା ଭିତରେ ତାହାକୁ ମଜ୍ଜାଇ ରଖି ଦୟାଳୁ ମଣିଷକୁ ଭାରି ଆତ୍ମସନ୍ତୁଷ୍ଟ ଓ ନିର୍ଦ୍ଦୟ କରିବି ରଖାଯାଏ । ତଦ୍ଦ୍ଵାରା ପୃଥିବୀରେ ଅନ୍ୟାୟ ବଢ଼େ, ଅଧର୍ମ ବଢ଼େ । ଆମେ ସମସ୍ତେ ଯେ ଗୋଟିଏ ଉତ୍ସରୁ ଏଠାକୁ ଆସିଛୁ, ଏକ ନିର୍ଦ୍ଦିଷ୍ଟ ଲୀଳାର ସହଚରରୂପେ ଆସିଛୁ, ସଂସାରରେ ଏହି ସତ୍ୟଟି ଭାରି ଭୁଲି ହୋଇଯାଏ ।

 

୩୧ । ୫ । ୮୧

 

ମୋ’ ଚେରଗୁଡ଼ାକ ମୋ’ ଗୋଡ଼ ତଳର ଭୂଇଁ ଭିତରକୁ ମାଡ଼ିକରି ରହିଥିବ, ଆଖି ବୁଜିଦେଲା ମାତ୍ରକେ ମୋ’ର ସକଳ ଦିଗ୍‌ବଳୟ ଉପରେ ମୁଁ ଶୁଭ୍ର ହିମାଳୟର ଦର୍ଶନ ଓ ସାନ୍ନିଧ୍ୟ ଲାଭ କରି ପାରୁଥିବି, ତେବେଯାଇ ମୁଁ ଏହି ଧରଣୀକୁ ମୋ’ର ମାଆ ଓ ଆକାଶକୁ ମୋ’ର ବାପା ବୋଲି କହିପାରିବି । ଠିକ୍ ଗଛର ଜୀବନରେ ଯାହା ହୋଇଥାଏ, ସମ୍ପୂର୍ଣ୍ଣତଃ ସେହିପରି । ସମ୍ଭବତଃ ସେଇଥିଲାଗିହିଁ ଗଛର ଜୀବନରେ ଫୁଲ ଫୁଟାଇବା ସମ୍ଭବ ହୁଏ । ଜୀବନରେବି ଫୁଲ ଫୁଟାଇବା ସମ୍ଭବ ଓ ସ୍ଵାଭାବିକ ହୋଇଥାଏ ଠିକ୍ ଏହି ରୀତିରେ ।

 

ମୋ’ ହିମାଳୟକୁ ମୁଁ ମୋ’ ସାଙ୍ଗରେ ଧରି ବୁଲୁଥାଏ । ଏଣେ ମୋ’ ଚେରଗୁଡ଼ିକ ମଧ୍ୟ ମୋତେ ଏକ ଗୌରବମଣ୍ଡିତ ସ୍ଵପରିଚୟ ସହିତ ସର୍ବଦା ମୋ’ର ନିର୍ଦ୍ଦିଷ୍ଟ ଭୂମିଟି ଉପରେ ମୋତେ ଟାଣ କରି ଧରିଥାନ୍ତି । କେତେବେଳେ ସେ ଦିଗ୍‌ବଳୟର ହିମାଳୟଗୁଡ଼ାକ ସତେଅବା ଭୂମିଟାକୁ ଲାଗିଆସି ମୋ’ର ଚେରଗୁଡ଼ିକୁ ସ୍ପର୍ଶ କରନ୍ତି ଓ ପୁଣି କେତେବେଳେ ଚେରଗୁଡ଼ିକ ମଧ୍ୟ ଅନୁଭବ କରିବା ମାତ୍ରକେ ହିମାଳୟକୁ ସ୍ପର୍ଶ କରି ଆସିଲାପରି ମନେହୁଏ, ସେ କଥା ନିଜେବି ଠଉରାଇ ପାରେନାହିଁ । ଏକଥାଟି ଅତ୍ୟନ୍ତ ସହଜ ଓ ସ୍ଵାଭାବିକ ଭାବରେ ସମ୍ଭବ ହୁଏ, ବାସ୍ତବରେ ପରିଣତ ହୁଏ । ତା’ପରେ କୌଣସି ଶାସ୍ତ୍ର ବା କୌଣସି ନିଷେଧ ମୋତେ ମୋ’ ନିଜ ପାଖରୁ ଅଲଗା କରି ରଖିପାରେନାହିଁ । ମୋ’ ନିଜଭିତରେହିଁ ସବୁ ଶାସ୍ତ୍ରର ଓ ସବୁ ନିଷେଧ ନିୟମର ସମାଧାନ ହୁଏ । ଦୁଇ ଆଡ଼କୁ ଖିଅ ଲାଗି ରହିଥିବାରୁହିଁ ତାହା ସମ୍ଭବ ହୁଏ । କ୍ଷଣଭିତରେ କ୍ଷଣାତୀତ ମିଳେ, ବିନ୍ଦୁମାନେ ସମ୍ବନ୍ଧସିନ୍ଧୁର ପ୍ରତୀକ ହୋଇ ରହନ୍ତି । ମୁଁ ଅସଲ ଥଳଟି ପାଇ ରହିଥାଏ ।

 

୧ । ୬ । ୮୧

 

ଅନ୍ୟ ସମସ୍ତେ ଠିକ୍ ମୋ’ରି ପରି ମଣିଷ, ମୁଁ ଜଣେ ମଣିଷ ବୋଲି ଉପଲବ୍ଧି କରି ପାରିବାଲାଗି ଏହାହିଁ ହେଉଛି ଯଥାର୍ଥତମ ସୋପାନ । ଆପଣାକୁ ମଣିଷ ବୋଲି ଅନୁଭବ କରି ପାରିବାକୁ ହେଲେ ସେହି ଅନ୍ୟ ଉପଲବ୍ଧିଟି ମଧ୍ୟ ଦେଇ ଆମକୁ ଅତିକ୍ରମ କରି ଆସିବାକୁ ହେବ । ପୁଞ୍ଜିବାଦୀ ଅର୍ଥାତ୍ ଅହଂବାଦୀ ସମାଜରେ ଅଧିକାଂଶ ମଣିଷ ପୂର୍ଣ୍ଣଭାବରେ ଅସ୍ତ୍ର ସଜ୍ଜିତ ହୋଇ ଆପଣାକୁ ଗୋଟାଏ ଗୋଟାଏ ଅସ୍ତିତ୍ଵରୂପେ ପ୍ରତିଷ୍ଠିତ କରିବା ଲାଗି ଅହରହ କେତେ ଚେଷ୍ଟା କରୁଥାନ୍ତି । କେତେ ନିନ୍ଦନୀୟ ନିମ୍ନତାଗୁଡ଼ାକ ଭିତରେ କେଡ଼େ ଉତ୍ସାହିତ ଏବଂ ଉତ୍ତେଜିତ ହୋଇ ରହିଥାନ୍ତି । ଏହିପରି କରି ସେମାନେ ଆପଣାକୁ ଗୋଟାଏ ଗୋଟାଏ ପ୍ରଚଣ୍ଡ ଘୁଷୁରି ଅଥବା ପାମର ଦୈତ୍ୟପରି ତିଆରି କରିବାରେ ଯଥେଷ୍ଟ ପାଚନ ଓ ଇନ୍ଧନ ଯୋଗାଇଥାନ୍ତି ସତ, ମାତ୍ର ମଣିଷ ହେବାର ଅନେକ ଦୂରରେ ରହିଥାନ୍ତି । ପୁଣି, ଯେତେବେଳେ ଏହି ତଥାକଥିତ ଅହଂପରବଶ ଉଦ୍ୟମଗୁଡ଼ାକ ପଛରେ କୌଣସି ଧର୍ମ ଅପଶକ୍ତି ଦାଦା ହୋଇ ରହିଥାଏ, ସେତେବେଳେ ପ୍ରଚଣ୍ଡତାଗୁଡ଼ାକ ମଧ୍ୟ ଏକ ବୀଭତ୍ସ ହୀନସ୍ତରକୁ ଆସି ପ୍ରଧାନତଃ ଆତ୍ମଘାତରହିଁ କାରଣ ହୋଇଥାଏ ।

 

ତେଣୁ, ଆପଣା ଲାଗି ଅନ୍ୟ ସମସ୍ତଙ୍କୁ ମଧ୍ୟ ସ୍ଵୀକାର କରି ନେବାକୁ ପଡ଼େ । ଅଳପର ପରିତ୍ରାଣ ବିଧାନ ଲାଗି ସମଗ୍ରଟିକୁ ସ୍ଵୀକାର କରିନେବାକୁ ହୁଏ । ଅନ୍ୟ ସମସ୍ତଙ୍କର ଭିତରେ ଆପଣାକୁ ଅନୁଭବ କରି ପାରିବାକୁ ହୁଏ । କୌଣସି ପ୍ରକାର ସାମ୍ରାଜ୍ୟ ବିସ୍ତାରର ପ୍ରମତ୍ତତାଦ୍ଵାରା ନୁହେଁ, ସମସ୍ତଙ୍କ ସହିତ ଅତ୍ୟନ୍ତ ଆତ୍ମୀୟତା ସହକାରେ ଏକାଠି ବାଟ ଚାଲିବାର ଆନନ୍ଦଦ୍ଵାରା ଆପଣାକୁ ହାଲୁକା କରି ନେବାକୁ ହୁଏ, ଆପଣାକୁ ପ୍ରଶସ୍ତ ଓ ଉନ୍ମୁକ୍ତ କରି ରଖିବାକୁ ହୁଏ । ଅସଲ ଆଦାନପ୍ରଦାନ ସେତିକିବେଳେ ସମ୍ଭବ ହୁଏ, ଅସଲ ମୁକ୍ତି ସେତିକିବେଳେ ସମ୍ଭବ ହୁଏ ।

 

୨ । ୬ । ୮୧

 

ବାହାରର ତଥାକଥିତ ସଫଳତାକୁ ଯଥାର୍ଥ ଔଚିତ୍ୟ ଦେବାଲାଗି ଭିତରର ସଫଳତା ମଧ୍ୟ ସର୍ବଦା ତାହାର ପୁରୋବର୍ତ୍ତୀ ହୋଇଥାଉ । ସଫଳତାଗୁଡ଼ିକ କଦାପି ସତେଅବା ଗୋଟାଏ ଗୋଟାଏ ରାଜ୍ୟଜୟ କରିବାଭଳି ମୋଟେ ଅନୁଭୂତ ନ ହେଉ । ମୁଖ୍ୟତଃ ସେଗୁଡ଼ାକ ସତେଅବା ସୋପାନ ପରେ ସୋପାନ ଉଠାଗଲା ପରି ମନେ ହେଉଥାଉ ।

 

ଆମେ ଯେ ଗୋଟିଏ ବାଟକୁ ଚିହ୍ନି ସେଇଥିରେ ଚାଲିବାକୁ ମନ କରିଛୁ, ତାହାହିଁ ସଫଳତା । ଆମେ ଯେ ଆପଣାର ମନୋମତ ବାଟଟିକୁ ବାଛିନେଇ ପାରିଛୁ, ତାହାହିଁ ଅସଲ ସଫଳତା । ତେଣୁ, ଆମକୁ ମୋଟେ ଅଭିନୟ କରିବାକୁ ପଡ଼ୁ ନାହିଁ, ମୋଟେ ମୁଖା ପିନ୍ଧିବାକୁ ପଡ଼ୁନାହିଁ,–ଆମେ ଯେତିକି ଯେତିକି ଆଗକୁ ଚାଲିଛୁ, ଏହି ଜୀବନ ସହିତ ଓ ଏହି ଜଗତ ସହିତ ଆମର ଆତ୍ମୀୟତାଟି ସେତିକି ଅଧିକ ପ୍ରଗାଢ଼ ହେବାରେ ଲାଗିଛି । ତାହାହିଁ ସଫଳତା, ତାହାହିଁ ଅତିକ୍ରମଣ । ଆମେ ଯେତିକି ଅତିକ୍ରମ କରି ଯାଉଥିବା, ସେତିକି ଅଧିକ ନିକଟବର୍ତ୍ତୀ ହୋଇ ଆସୁଥିବା ପରି ଅନୁଭବ କରୁଥିବା । ଆପଣାର ଘରକୁ ଫେରି ଆସୁଥିବା ପରି ଅର୍ଥାତ୍ ଆପଣା ଘରଟିକୁ ନିତ୍ୟନୂତନ କରି ଆବିଷ୍କାର କରୁଥିବା ପରି ଆମେ ଅନୁଭବ କରୁଥିବା । ଆମର ଆଖି ନିତି ନୂଆ ରୀତିରେ ଓ ନୂତନ ନାନା ଆୟାମରେ ଆପଣାକୁ ପ୍ରସାରିତ କରିଦେଇ ପାରୁଥିବ । ଯାବତୀୟ ପ୍ରୟାସରେ ଆମର ଆଖି ସେହି ପ୍ରୟାସର ଅନୁରାଗରୂପୀ ଆୟାମଟିକୁ ସ୍ପର୍ଶ କରି ପାରୁଥିବ । ତେବେଯାଇ ଅସଲ ସଫଳତା ମିଳିବ ଆପଣା ପାଖରେ ଆପଣାର ଅସଲ ସ୍ଵୀକୃତିଟି ମିଳିଯାଇ ପାରିବ ।

 

୩ । ୬ । ୮୧

 

ନିଜ ଭିତରର ଖରାପଟାକୁ ଲୁଚାଇ ରଖିବାକୁ ଇଚ୍ଛା କରୁଥିଲେ ନିଜକୁ ଛାଡ଼ି ସଂସାରରେ ଆଉ ସମସ୍ତଙ୍କର ସବାଆଗ ସେଇ ଖରାପଟାକୁହିଁ ଦେଖିବାକୁ ଭାରି ଇଚ୍ଛା ହୁଏ । ନିଜ ଭିତରର ଖରାପଟାର ସମ୍ମୁଖୀନ ହେବାକୁ ସାହସ ହେଉନଥିବା ପର୍ଯ୍ୟନ୍ତ ଅନ୍ୟମାନଙ୍କର ଖରାପଗୁଡ଼ାକୁ ଖୋଳି ତାଡ଼ି ଦେଖାଇ ଦେବାକୁ ଭିତରେ ଭାରି ଉତ୍ସାହ ଆସୁଥାଏ । ନିଜ ଭିତରର ଖରାପଟାକୁ ଭଲ ପାଉଥିଲେ ଓ ତାହାକୁ କୌଣସି କାରଣରୁ ସାଇତି ରଖିବାକୁ ଇଚ୍ଛା କରୁଥିଲେ ମଧ୍ୟ ଅନ୍ୟମାନଙ୍କର ଖରାପଗୁଡ଼ାକୁ ସବାଆଗ ଦେଖି ସେଇଥିରୁ ଏକ ଆନନ୍ଦ ଅନୁଭବ କରିବାର ବାଟଟି ଆମକୁ ଭାରି ସହଜରେ ମିଳି ଯାଇଥାଏ ।

 

ତେଣୁ, ମୋ’ ଭିତରେ ଯାହାକିଛି ରହିଛି, ମୁଁ ତାହାକୁ ସ୍ଵୀକାର କରିବି ଓ ତାହାର ସମ୍ମୁଖୀନ ହେବି । ଜୀବନରେ ଶ୍ରଦ୍ଧାର ଭୂମି ଉପରେ ଦଣ୍ଡାୟମାନ ହୋଇ ପାରିଲେହିଁ ମୁଁ ଆପଣାକୁ ସମଗ୍ର ଭାବରେ ଦେଖିବାଲାଗି ଯଥାର୍ଥରେ ସମର୍ଥ ହୋଇ ପାରିବି । ଅନ୍ୟମାନଙ୍କର ଅନ୍ଧାରଗୁଡ଼ାକ ଉପରେ ମୋ’ର ତଥାକଥିତ ଉଜ୍ଜ୍ଵଳ ପାଖଗୁଡ଼ାକ ସେତେବେଳେ ଆଉ କୌଣସି ପ୍ରକାରେ ନିର୍ଭର କରି ରହିବନାହିଁ । ସେତେବେଳେ ନିଜ ଅନ୍ଧାରର ସମ୍ମୁଖୀନ ହେବା ମାତ୍ରକେ ମୁଁ ଆପଣା ଭିତରେ ରହିଥିବା ଆଲୋକର ସମ୍ଭାବନାଟିର ମଧ୍ୟ ସନ୍ଧାନ ପାଇ ପାରିବି । ତା’ପରେ ମୁଁ ଆପଣାର ବାଟ ଚାଲିବାରେ ଆପଣାକୁ ବନ୍ଧୁରୂପେ ଲାଭ କରି ପାରିବି । ତା’ପରେ ମୁଁ ନିଜ ଭିତରେ ଅସଲ ବନ୍ଧୁଟିର ସ୍ପର୍ଶ ଓ ପ୍ରେରଣାକୁ ଅନୁଭବ କରି ପାରିବି । ମୋତେ ଜୀବନରେ ଅସଲ ସାହଚର୍ଯ୍ୟଟି ମିଳିଯାଇ ପାରିବ । ସେହି ସାହଚର୍ଯ୍ୟ ଏକ ଆର୍ତ୍ତତାମୁକ୍ତ ସାହଚର୍ଯ୍ୟ, ଯଥାର୍ଥରେ ଏକ ଆନନ୍ଦମୟ ସାହଚର୍ଯ୍ୟ-

 

୪ । ୬ । ୮୧

 

ଆପଣାକୁ ସବାଆଗରେ ରଖି ଆମେ କଦାପି କାହାରିକୁ ଆପଣା ମଧ୍ୟକୁ ସ୍ଵୀକାର କରିନେଇ ପାରିବା ନାହିଁ । ଆପଣାକୁ ସଂସାରର କେନ୍ଦ୍ରରୂପେ ରଖି ଆମେ କେବେହେଲେ ସଂସାରର ଅସଲ କେନ୍ଦ୍ରଟିକୁ ଅନୁଭବ କରି ପାରିବାନାହିଁ । ସଂସାରର ଅସଲ କେନ୍ଦ୍ରଟି ସହିତ ଆଏଣା କେନ୍ଦ୍ରଟିର କୌଣସି ସୂତ୍ର ଲଗାଇ ପାରିବାନାହିଁ ।

 

ତେଣୁ, ଆପଣାକୁ ବୃହତ୍‍ର ଏକ ପ୍ରତୀକରୂପେହିଁ ସ୍ଵୀକାର କରି ନେବାକୁ ହେବ । ବୃହତ୍ ଅର୍ଥାତ୍ ସମଗ୍ର । ଆପଣାକୁ ସମଗ୍ର ମଧ୍ୟରେ ଅନୁଭବ କରିବାଦ୍ଵାରାହିଁ ଆମେ ଆପଣାର ସମଗ୍ର ପରିଚୟଟିକୁ ପାଇବାର ଯୋଗ୍ୟ ହୋଇ ପାରିବା । ସମଗ୍ର ଭିତରେ ଅର୍ଥାତ୍ ସମଗ୍ର ସହିତ ଆପଣାକୁ ଅନୁଭବ କରିବାର ଅର୍ଥ ହେଉଛି ଆପଣାକୁ ସମସ୍ତଙ୍କ ସହିତ ଓ ଏହି ସବୁଟି ସହିତ ସଂଯୁକ୍ତ ହୋଇଥିବାର ଅନୁଭବ କରିବା । ନିଜ ଜୀବନର ଅସଲ ଡୋରଗୁଡ଼ିକୁ ଓ ଅସଲ ଚେରଗୁଡ଼ିକୁ ଆବିଷ୍କାର କରିବା । ଏହି ଡୋରଗୁଡ଼ାକ ହେଉଛି ଆତ୍ମୀୟତାର ଡୋର ଏହି ଚେରଗୁଡ଼ାକ ହେଉଛି ଆତ୍ମୀୟତାର ଚେର । ସେଗୁଡ଼ିକୁ ଅସ୍ଵୀକାର କରି ଆପଣାର କୌଣସି ଆବଦ୍ଧ ଗହ୍ଵର ମଧ୍ୟରେ ରହିଥିବା ପର୍ଯ୍ୟନ୍ତ ଆମେ କଦାପି ଆପଣାକୁ ମଧ୍ୟ ଯଥାର୍ଥ ଭାବରେ ସ୍ଵୀକାର କରିନେଇ ପାରିବାନାହିଁ । ସକଳ କ୍ଷେତ୍ରରେ ଏକ ବିଚ୍ଛିନ୍ନତାହିଁ ଆମକୁ କାମୁଡ଼ି ଧରିଥିବ । ସବୁକିଛିକୁ ଗ୍ରାସ କରିବାଲାଗି ଆମର ଗ୍ରହଗୁଡ଼ାକ ଯେତିକି ଉତ୍ତେଜନା ଯୁକ୍ତ ହେବାରେ ଲାଗିଥିବ, ଆମେ ପ୍ରାୟ ସେତିକି ଦୁଃଖଦ ଭାବରେ ଏହି ସବୁଟିଠାରୁ ବିଚ୍ଛିନ୍ନ ହୋଇ ରହିଥିବା ।

 

୬ । ୬ । ୮୧

 

ଶିକ୍ଷାଦ୍ଵାରା ସମାଜ ବଦଳିବ । କିନ୍ତୁ ଅପରକୁ ଶିକ୍ଷା ଦେବାଦ୍ଵାରା ନୁହେଁ, ଆପଣାକୁ ଅଧିକରୁ ଅଧିକ ସାର୍ଥକ ଭାବରେ ଶିକ୍ଷିତ କରୁଥିବାଦ୍ଵାରା । ପ୍ରକୃତ ଶିକ୍ଷା ମଣିଷକୁ ସାହସ ଦିଏ; ମଣିଷର ଭୀରୁତାକୁ ଭାଙ୍ଗେ, ଜଡ଼ତାକୁ ଭାଙ୍ଗେ । ଶିକ୍ଷିତ ମଣିଷ କଦାପି ମେଣ୍ଢାପରି ସବୁକିଛିକୁ ସହି ଯାଏନାହିଁ । ସିଏ ଆପଣାଲାଗି ଏକ ପଥ ବାଛିନିଏ ଓ ସକଳ ପ୍ରକାର ବିରୋଧ ସତ୍ତ୍ୱେ ସେହି ଜୀବନଟିକୁ ବଞ୍ଚାଇବାକୁ ଚେଷ୍ଟା କରେ । ତଦ୍ଦ୍ଵାରା ତାକୁ ବିରୋଧର ସମ୍ମୁଖୀନ ହେବାକୁ ହୁଏ । ତଦ୍ଦ୍ଵାରା ପୁରୁଣା ଓ ନୂଆ ଭିତରେ ବଳ କଷାକଷି ହୁଏ । ଅସଲ ପରିବର୍ତ୍ତନ ସେଇଥିରୁ ଆସେ ।

 

ରାଷ୍ଟ୍ର ଆପଣାକୁ ପ୍ରାୟ କୌଣସି ଶିକ୍ଷା ଦିଏ ନାହିଁ । ରାଷ୍ଟ୍ର, ଅର୍ଥାତ୍ କ୍ଷମତାରେ ରହିବାକୁହିଁ ମନସ୍ଥ କରିଥିବା ମଣିଷମାନେ ସମାଜକୁ ବଦଳାଇବାକୁ ଚାହାନ୍ତି ନାହିଁ ସେମାନେ କ୍ଷମତାରେ ରହିବାକୁ ଚାହୁଁଥାନ୍ତି । ସେମାନେ ଅନ୍ୟକୁ ଶିକ୍ଷା ଦିଅନ୍ତି । ଶୀତଳ ହୋଇ ରହିବାର, ବୋଲ ମାନିବାର ଓ ବାଧ୍ୟ ହେବାର ଶିକ୍ଷା ଦିଅନ୍ତି । ସଂସ୍କୃତି, ସଭ୍ୟତା, ଧର୍ମ ଓ ସାହିତ୍ୟ ପ୍ରଭୃତିର ନାନା ନିରାପଦ ବ୍ୟାଖ୍ୟା ଦେଇ ସେମାନେ ଚାରିଆଡ଼ର ଦୁଆରଗୁଡ଼ାକୁ କେବଳ ବନ୍ଦ କରି ରଖିଥାନ୍ତି । ମଣିଷର ଗୋଡ଼ଗୁଡ଼ାକୁ ବାନ୍ଧି ରଖିବାକୁବି ଅନେକ ସମୟରେ ଆଦର୍ଶବାଦ ବୋଲି କୁହାଯାଏ । ହୁକୁମ ମାନି ଶୀତଳ ହୋଇ ରହିବାର ଜର୍ଜରତାକୁ ଆଦର୍ଶ ରାଜ୍ୟ ବୋଲି କୁହାଯାଏ । ରାଷ୍ଟ୍ରରେ ଶାସନ କରୁଥିବା ଲୋକେ ଯେତେବେଳେ ନିଜକୁ ଶିକ୍ଷା ଦେବାର ଦାୟିତ୍ଵଟିକୁ ସର୍ବାଗ୍ର ବୋଲି ମନେ କରିବେ, ସେତେବେଳେ ସେମାନେ କ୍ଷମତା ଛାଡ଼ି ବାହାରକୁ ଚାଲି ଆସିବେ, ସେତେବେଳେ ସେମାନେ ମଣିଷ ହେବେ ।

 

୧୨ । ୬ । ୮୧

 

କୌଣସି ବଡ଼ ଆଦର୍ଶକୁ ଭାବପ୍ରବଣ ଭାବରେ ଗ୍ରହଣ କରି ଆମେ ଅନେକ ସମୟରେ ହୁଏତ ନିଜେହିଁ ନିଜକୁ ଅତିବଡ଼ ପରି ଦେଖିବାକୁ ଆରମ୍ଭ କରିଦେଉ । ତା’ପରେ ଆଦର୍ଶ ସାନ ହୋଇଯାଏ, ଅର୍ଥାତ୍ ଗୌଣ ହୋଇଯାଏ । ଆମେ ଆପେହିଁ ଆପଣା ପାଖରେ ସବୁଠାରୁ ବଡ଼ ହୋଇ ରହୁ । ଆପଣା ପାଖରେ ସତେଅବା ପରମ ସେବା ଓ ପରମ କାମ୍ୟ ହୋଇ ରହିଯାଉ । ତା’ପରେ ଆଦର୍ଶ ନାମରେ ଆମରି ସମ୍ଭୋଗ ଓ ଆମରି ସ୍ଫୀତି ଲାଗି ଦେଉଳ ଗଢ଼ା ହୁଏ, ମଣିଷମାନଙ୍କୁ ଗୋଟିଏ ଖୁଆଡ଼ ଭିତରେ ଭର୍ତ୍ତି କରି ମଣ୍ଡଳୀମାନ ତିଆରି ହୁଏ; ଭଗବାନଙ୍କ ନାଆଁରେ ହୁଏତ ଆମେ ନିଜେହିଁ ଅଧିକରୁ ଅଧିକ ଫୁଲିବାରେ ଲାଗିଥାଉ ।

 

ଏଗୁଡ଼ାକୁ ଆଖି ଆଗରେ ଦେଖୁଥିଲେ ମଧ୍ୟ ମୁଁ ତଥାପି ଭଗ୍ନହୃଦୟ ହୋଇ ପଡ଼ିବ ନାହିଁ-। ସଂସାରରେ ଯାହାକିଛି ଯଥାର୍ଥ ଭାବରେ ଘଟେ, ତାହା ଏହି ମଣ୍ଡଳୀଗୁଡ଼ାକ ଭିତରେ ମୋଟେ ଘଟେନାହିଁ;–ଆପଣାକୁ ନିବେଦନ କରିଦେବାର ଅତ୍ୟନ୍ତ ଅନ୍ତରଙ୍ଗ କ୍ଷେତ୍ରଟିରେହିଁ ତାହା ଘଟିଥାଏ । ନିବେଦନ କରିବାର ଆନନ୍ଦ ଲାଗିହିଁ ଆପଣାକୁ ନିବେଦିତ କରି ଦେବାର ଅନ୍ତରଙ୍ଗ ବିଦ୍ୟାଟିକୁ ଶିଖିବାକୁ ହୁଏ । ତା’ପରେ, ମୁଁ କେତେ ଦେଲି ଓ ଅନ୍ୟମାନେ କେତେ ଦେଲେ, ସେକଥା ବିଚାର କରିବାରବି ବେଳ ନଥାଏ । ଏହି ଜୀବନଟା ସତେଅବା କୌଣସି ଅଭିସାରରେ ବାହାରିଥିବା ପରି ମନେ ହୁଏ । ଅଭିସାରର ଅର୍ଥାତ୍ ଅନ୍ତରଙ୍ଗତାର ପରିଧିମାନ ବଢ଼ିବଢ଼ି ଯାଉଥାଏ । ସେହି ପରିଧିବୃଦ୍ଧି ଅସଲ କାମ୍ୟଗୁଡ଼ିକୁ ଅଧିକରୁ ଅଧିକ ନିକଟବର୍ତ୍ତୀ କରି ଆଣୁଥାଏ । ସେହି ନିକଟବର୍ତ୍ତୀ ହେବାହିଁ ଅସଲ ସିଦ୍ଧି ।

 

୨ । ୭ । ୮୧

 

ମଣିଷ ଯେତେବେଳେ ଆପଣାକୁ ସବାଆଗ ଦେଖେ, ସେତେବେଳେ ସିଏ ଅନ୍ୟମାନଙ୍କୁ ତଳକୁ ଫୋପାଡ଼ି ଦେବାକୁ କୌଣସି ଦ୍ଵିଧା ପ୍ରକାଶ କରେନାହିଁ । ସେହି ଆପଣାକୁହିଁ ସବାଆଗ ଦେଖିବାକୁ ସିଏ ଅନେକ ସମୟରେ ଆପଣାର ସମ୍ମାନବୋଧ ବୋଲି କହିଥାଏ । ଆମ ପୃଥିବୀରେ ଅନେକ ମଣିଷ ଏହିପରି ଆଉ ସମସ୍ତଙ୍କଠାରୁ ଅଲଗା ହୋଇ ରହିଥାନ୍ତି, ଅହଂକାରୀ ହୋଇ ରହିଥାନ୍ତି ଓ ଅସମ୍ମାନିତ ହୋଇ ରହିଥାନ୍ତି । ବାହାରେ ଯେଡ଼େ ବଡ଼ ହୋଇ ଦେଖା ଯାଉଥିଲେ ମଧ୍ୟ ନିଜ ଭିତରେ ଆପଣା ପାଖରେ ଭାରି ସାନ ହୋଇ ରହିଥାନ୍ତି । ଆପଣାକୁ ନେଇ ଭାରି ସନ୍ତପ୍ତ ଏବଂ ଉତ୍ତେଜିତ ହୋଇ ରହିଥାନ୍ତି । ସେହି ସନ୍ତାପ ଓ ସେହି ଉତ୍ତେଜନା ସେମାନଙ୍କୁ ଭାରି ଶୋଚନୀୟ ଭାବରେ ଅଟକାଇ ରଖିଥାଏ ।

 

ସେପରି କୌଣସି ସମ୍ମାନବୋଧ ମୋତେ କେତେବେଳେ ହେଲେ ଆକୃଷ୍ଟ କରି ପାରିନାହିଁ । ଆପଣାକୁ ସମ୍ମାନିତ କରି ରଖିବା ନାଆଁରେ ଆପଣା ପାଖରେ ଛୋଟ ହୋଇ ରହିବାକୁ ଏବଂ ଅନ୍ୟମାନଙ୍କ ଠାରୁ ଦୂର ହୋଇ ରହିବାକୁ ମୁଁ କେବେହେଲେ କୌଣସି ଆକର୍ଷଣ ଅନୁଭବ କରିନାହିଁ । ତଥାକଥିତ ଅସମ୍ମାନର ପୂର୍ଣ୍ଣ ଆଶଙ୍କା ରହିଥିଲେ ମଧ୍ୟ ମୁଁ ତଥାପି ମଣିଷର ନିକଟକୁ ଯାଇଛି, ଅନ୍ୟ ପ୍ରତ୍ୟେକ ମଣିଷ ସହିତ ମୋ’ ଭିତରେ କେଉଁଠି ଏକ ନିବିଡ଼ ଯୋଗସୂତ୍ର ରହିଛି ବୋଲି ମୁଁ ସର୍ବଦା ଅନୁଭବ କରିଛି ଏବଂ ସେହି ଅନୁଭବଟିଦ୍ଵାରାହିଁ ପରିଚାଳିତ ହେବାକୁ ଆପଣାର ଧର୍ମ ବୋଲି ଗ୍ରହଣ କରିଛି ।

 

୩ । ୭ । ୮୧

 

ସାମନାକୁ ଅନାଇବା ବେଳକୁ ଭିତରଟା ଜଳଜଳ ହୋଇ ଦିଶିଯାଉଛି । ନିଜ ଭିତରକୁ ଅନାଇବା ବେଳକୁ ସାମନାଟାବି ଜଳଜଳ ହୋଇ ଦିଶିଯାଉଛି । ଯାହା ଭିତରେ ଅଛି, ଦେଖିବାର ଶକ୍ତି ଓ ଶ୍ରଦ୍ଧା ଯୋଗାଇ ଦେଉଛି, ମୁଁ ବାହାରକୁ ଅନାଇବା ବେଳକୁ ମଧ୍ୟ ସତେଅବା ଅବିକଳ ତାହାକୁହିଁ ଦେଖିବାକୁ ପାଉଛି । ସେଠାରେ, ଭିତରେ ତଥା ବାହାରେ, ମୁଁ ମୋଟେ ଏକୁଟିଆ ହୋଇ ରହିନାହିଁ । ସେଠି ସମସ୍ତେ ଅଛନ୍ତି । ସବୁ ମଣିଷ ଅଛନ୍ତି । ବନ୍ଧୁ ଭାବରେ ଅଛନ୍ତି । ସହଯୋଗୀ ଓ ସହଯାତ୍ରୀ ଭାବରେ ରହିଛନ୍ତି । ତେଣୁ, ନିଃସଙ୍ଗତାର ଆଦୌ କୌଣସି ପ୍ରଶ୍ନ ନାହିଁ । ଭିତରେ ନାହିଁ କି ବାହାରେ ନାହିଁ ।

 

ସଂସାରରେ ଯେଉଁମାନେ ନିଜଲାଗି ପୃଥିବୀକୁ ଚାହାନ୍ତି, ନିଜଲାଗିହିଁ ସଙ୍ଗ ଚାହାନ୍ତି ଓ ଏପରିକି ନିଜଲାଗିହିଁ ଭଗବାନଙ୍କୁ ଇଚ୍ଛା କରନ୍ତି, ସେମାନେ ପ୍ରକୃତରେ ଅଭିପ୍ରେତ ଅନେକ ସଙ୍ଗଲାଭରୁ ବଞ୍ଚିତ ହୋଇ ରହନ୍ତି । ସାହିତ୍ୟ ଭିତରେ ପଶିଲେ ସେମାନେ ନିଃସଙ୍ଗତାର କବିତା ଲେଖନ୍ତି । ରାଜନୀତି ଭିତରେ ରହିଥିଲେ ସେମାନେ କ୍ଷମତାଗୁଡ଼ାକୁ ଏକାଏକା ଭୁଞ୍ଜନ୍ତି, ଦେଶଟାକୁ ନିଜର ଫାଇଦା ଲାଗି ବ୍ୟବହାର କରନ୍ତି ଓ ନିଜର ଭବିଷ୍ୟତଟାକୁହିଁ ସମଗ୍ର ଦେଶର ଭବିଷ୍ୟତ ବୋଲି ଭାରି ବାଉଳା ହୋଇ ଭାବନ୍ତି । ସେମାନେ ଭାରି ନିଃସଙ୍ଗ ହୋଇ ରହନ୍ତି । ନିଜ ଭିତରେ ତଥା ନିଜ ବାହାରେ ନିଜକୁ ଭାରି ନିଃସଙ୍ଗ ଓ ତେଣୁ ଅସହାୟ ବୋଲି ଅନୁଭବ କରୁଥାନ୍ତି ।

 

୪ । ୭ । ୮୧

 

ଯେଉଁମାନେ ସରଳ ଭାବରେ ବିଶ୍ଵାସ କରୁଛନ୍ତି, ସେମାନେ ନିର୍ବୋଧ ନା ଯେଉଁମାନେ ବିଶ୍ଵାସ କରିବାଲାଗି ଆଗ ଯୁକ୍ତି ଖୋଜି ବାହାରିଛନ୍ତି, ସେମାନେ ନିର୍ବୋଧ ? ଯେଉଁମାନେ ଅତ୍ୟନ୍ତ ସହଜ ଭାବରେ ଖୁସି ହୋଇ ପାରୁଛନ୍ତି, ସେମାନେ ନିର୍ବୋଧ ନା ଯେଉଁମାନେ ଖୁସିରେ ସବୁଯାକ ସର୍ତ୍ତ ଓ ଅନୁସର୍ତ୍ତଗୁଡ଼ାକ ଆଗ ପୂରଣ ହୋଇଯିବା ପରେ ଯାଇ ଖୁସି ହେବାର ଏକ କାରଣ ପାଇବେ ବୋଲି ଅପେକ୍ଷା କରିଛନ୍ତି, ସେମାନେ ନିର୍ବୋଧ ? ଯେଉଁମାନେ ଅତି ସହଜରେ ଆପଣାକୁ ଦେଇ ପାରୁଛନ୍ତି, ସେମାନେ ନିର୍ବୋଧ ନା ଯେଉଁମାନେ ନିଜର ଦେବା ବଦଳରେ କ’ଣସବୁ ପାଇବେ, ସେଗୁଡ଼ିକର ସ୍ପଷ୍ଟ ପ୍ରତ୍ୟୟ ଓ ହିସାବ ନମିଳିବା ପର୍ଯ୍ୟନ୍ତ ଅପେକ୍ଷା କରି ବସିଛନ୍ତି, ସେମାନେ ନିର୍ବୋଧ ? ଆମ ସଂସାରରେ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ସମ୍ଭବତଃ ସବୁଦିନ ଏକ ଦ୍ଵନ୍ଦ୍ୱ ଲାଗିରହିଛି । ସିଆଣିଆମାନେ ଅପରପକ୍ଷକୁ ନିର୍ବୋଧ ବୋଲି ପ୍ରମାଣ କରିଦେବା ସକାଶେ ସବୁପ୍ରକାରେ ତତ୍ପର ରହି ଆସିଛନ୍ତି । ସିଆଣିଆମାନେହିଁ ସବୁବେଳେ ଜିତୁଛନ୍ତି ବୋଲି ଭାବୁଛନ୍ତି । ମାତ୍ର ଯେଉଁମାନେ ସିଆଣିଆ ନୁହନ୍ତି, ସମ୍ଭବତଃ ସେଇମାନଙ୍କ ସକାଶେହିଁ ସଂସାର ରହିଛି ।

 

ବିଶ୍ଵାସ ସକାଶେ ସଂସାର ରହିଛି, ଖୁସି ସକାଶେ ସଂସାର ରହିଛି, ଆପଣାକୁ ଦେବାଲାଗି ପ୍ରସ୍ତୁତ ରହିଥିବା ବ୍ୟକ୍ତିମାନଙ୍କ ସକାଶେହିଁ ସଂସାର ରହିଛି । ଭଲ ଉପରେ ଆମ ପ୍ରତ୍ୟେକଙ୍କ ରହିଥିବା ବିଶ୍ଵାସ ଉପରେହିଁ ଭଲ ତିଷ୍ଠି ରହିଛି । ଖୁସି ହେବାଦ୍ୱାରା ହାଲୁକା ହେବାଦ୍ଵାରା ଜୀବନର ନାନା ଅଳ୍ପତାକୁ ଲଙ୍ଘି ହେଉଛି, ସ୍ଵୀକୃତି ନାନା ବୃତ୍ତକୁ ଭାଙ୍ଗି ସେପାଖକୁ ଛୁଇଁବା ଓ ସେପାଖକୁ ମନ କରିବା ସମ୍ଭବ ହେଉଛି । ଜୀବନ ଆଗକୁ ଯାଇପାରୁଛି ।

 

୫ । ୭ । ୮୧

 

ଆଖିର ଅସଲ ରଙ୍ଗ ବୋଧହୁଏ ସବୁଜ । ସେଇଥିଲାଗି ସବୁଜ ଦେଖିଲେ ଆଖିକୁ ଏତେ ଭଲ ଲାଗେ । ମୋ’ ଭିତରେ ଯେଉଁଠାରେ ହୃଦୟର ସହିତ ଆଖିର ଖିଅ ଲାଗିଛି, ସେଇଠି ଯାଇ ବାହାରର ସକଳ ସବୁଜିମାର ସ୍ପର୍ଶ ଅନୁଭୂତ ହୋଇଥାଏ । କେତେ ଭଲ ଲାଗେ, କେଡ଼େ ପ୍ରସାରିତ ହୋଇ ଗଲାପରି ଲାଗେ, କେଡ଼େ ତରୁଣ ଲାଗେ ।

 

ସବୁଜ ହେଉଛି ତାରୁଣ୍ୟର ରଙ୍ଗ । ଜୀବନ ଯେ ବଢ଼ିବାରେ ଲାଗିଛି, ଶୁଖିଲା ପତର ଯେ ନୂଆ ପତର ଲାଗି ବାଟ ଛାଡ଼ି ଦେଇ ପୃଥିବୀକୁ ଅମର କରି ରଖିଛି, ବର୍ଷା ସମୟରେ ଏହି ସବୁଜ ରଙ୍ଗର ପାହାଡ଼, ଧାନବିଲ ଆଉ ତୋଟାଗୁଡ଼ାକୁ ଅନାଇଲେ ସବାଆଗ ସେହିପରି ଲାଗେ । ଜୀବନର ଅର୍ଥ ଖୋଜିବାକୁ ପଡ଼େ ନାହିଁ, ସମଗ୍ର ଜୀବନଟି ସତେଅବା ଏକ ନୂତନ ଅର୍ଥ ସହିତ ଆପଣାର ଅତ୍ୟନ୍ତ ନିକଟବର୍ତ୍ତୀ ହୋଇ ଆସେ, ଏକାବେଳେକେ ହୃଦୟବର୍ତ୍ତୀ ହୋଇ ରହିଥିବା ପରି ଲାଗେ । ଏହି ସମୟରେ ଆପଣାକୁ ଭାରି ଭଲ ଲାଗେ । ସଂସାରରେ ସବୁକିଛି ଭଲଲାଗେ । ମଣିଷଠାରୁ ଆରମ୍ଭ କରି ଧୂଳିମାଟି ପର୍ଯ୍ୟନ୍ତ ଏହି ସବୁଟି ସହିତ ସେତୁ ଲାଗିଯାଏ । ଭଗବାନ ସେତୁରୂପରେ ପ୍ରତ୍ୟକ୍ଷ ହୋଇ ଆସନ୍ତି, ଅତ୍ୟନ୍ତ ନିକଟ ହୋଇ ଆସନ୍ତି । ଶାସ୍ତ୍ର କଥାଗୁଡ଼ାକ ସତ ବୋଲି ପ୍ରମାଣିତ ହୋଇଯାଏ । ସତଗୁଡ଼ାକ ଅନୁଭବରେ ପରିଣତ ହୁଅନ୍ତି । ଭଗବାନ କହିଲେ ସମ୍ଭବତଃ ଏମିତି ଏକ ପ୍ରସାରକୁ ବୁଝାଉଥିବ,–ଠିକ୍ ଏହିପରି ଏକ ସବୁଜ, ସହଜ ଓ ଉନ୍ମୀଳନକାରୀ ପ୍ରସାରକୁ ବୁଝାଉଥିବ ।

 

୬ । ୭ । ୮୧

 

ମଣିଷ ଆପଣାକୁ ଅର୍ଥାତ୍ ଆପଣାର ଅନ୍ତଃପ୍ରକୃତିକୁ ବହିଃପ୍ରକୃତିର ଏକ ଅଂଶ ବୋଲି ଗ୍ରହଣ କରୁଥାନ୍ତା । ଅର୍ଥାତ୍, ଆପଣାର ଭିତରକୁ ଅନାଇ ମଧ୍ୟ ସିଏ ସେହିପରି ବିସ୍ତୃତ, ଉନ୍ମୁକ୍ତ ଏବଂ ପ୍ରସ୍ତୁତ ବୋଲି ଅନୁଭବ କରି ପାରୁଥାନ୍ତା । ତେବେଯାଇ ହୁଏତ ଏହି ବହିଃବିଶ୍ଵଟିକୁ ମଧ୍ୟ ଯଥାର୍ଥ ଭାବରେ ବୁଝୁଥାନ୍ତା, ତାହାକୁ ଯଥାର୍ଥ ଆତ୍ମୀୟତା ସହିତ ନିଜ ଭିତରେ ଗ୍ରହଣ କରିନେଇ ପାରନ୍ତା । ଅନ୍ତଃବିଶ୍ଵ ଓ ବହିଃବିଶ୍ଵ ମଧ୍ୟରେ ଏକ ଦ୍ଵନ୍ଦ୍ୱ ଲାଗି ରହିଥିବା ପର୍ଯ୍ୟନ୍ତ ମଣିଷ ଯଥାର୍ଥ ଭାବରେ ଅନ୍ତଃବିଶ୍ଵ ବା ବହିଃବିଶ୍ଵ କାହାରି ହୋଇ ପାରେନାହିଁ, କୌଣସିଟିକୁ ଆଦରି ନେଇ ପାରେନାହିଁ । ଦୁଇଟିଯାକକୁ ହୁଏତ ଏକ ମୁଖା ପରି ଅନୁଭବ କରୁଥାଏ, ଗୋଟାକରୁ ପଳାଇଯାଇ ଅନ୍ୟଟି ମଧ୍ୟରେ ଆଶ୍ରୟ ଗ୍ରହଣ କରିବାକୁ ମନ କରୁଥାଏ ।

 

ମୁଁ ଏଗୁଡ଼ିକୁ ସବୁଟିକୁ ଗୋଟିଏ କରି ଦେଖିବି । ଏଗୁଡ଼ିକ ସବୁଟି ଭିତରେ ଏକ ଆତ୍ମୀୟତାକୁ ଅନୁଭବ କରି ପାରିବି । ଏଗୁଡ଼ିକ ମୋ’ ବାହାରେ ରହିଥିଲେ ମଧ୍ୟ ତଥାପି ମୋର ଅନ୍ତଃସମ୍ପତ୍ତି ହୋଇ ରହିଥିବେ । ତାହାର ମୋ’ର ଅନ୍ତରକୁ ପ୍ରେରଣା ଦେଉଥିବ, ମୋ’ର ଅନ୍ତର ମଧ୍ୟ ଆପଣାର ଘର ପରି ଏହି ବାହାର ମଧ୍ୟରେ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଆଶ୍ରୟ ନେଇ ପାରୁଥିବ । ଏହି ଆକାଶ, ଚତୁର୍ଦ୍ଦିଗର ଏହି ବିସ୍ତାରିତ ପ୍ରକୃତି ଓ ସେଗୁଡ଼ିକ ଭିତରୁ ଉଦ୍ଭାସିତ ହୋଇ ଉଠୁଥିବା ଆଲୋକ;–ସବୁ ନିଜର ବୋଲି ମନେ ହେଉଥିବ । ସେଗୁଡ଼ାକୁ ମୁଁ କେବେହେଲେ ଉପଭୋଗ କରିବାକୁ ମନ କରିବି ନାହିଁ । ଆପଣାକୁ ସ୍ପର୍ଶ କରୁଥିବାବେଳେ ମୁଁ ସେଗୁଡ଼ିକୁ ମଧ୍ୟ ସ୍ପର୍ଶ କରି ରହିଥିବା ପରି ଅନୁଭବ କରିବାର ଯୋଗ୍ୟ ହେବି । କାରଣ, ଏଗୁଡ଼ାକ ମୋତେ ଯେ ଏଡ଼େ ସୁନ୍ଦର ଲାଗୁଛି, ମୁଁ ସେଗୁଡ଼ିକୁ ସ୍ପର୍ଶ କରି ରହିଛି ବୋଲି ତ ସେପରି ହେଉଛି !

 

୭ । ୭ । ୮୧

 

ସମ୍ମୁଖରେ ଥିବା ଏହି ପାହାଡ଼ ଓ ତା’ପରେ ଅଭୟ ଡେଣା ପ୍ରସାର କରି ରହିଥିବା ଆକାଶକୁ ଅନାଇଦେଲା ବେଳକୁ ବୋଧ ହେଉଛି, ଏହି ସଂସାରରେ ମୁଁ ଯେତେବେଳେ ଯାହା ମାଗିଛି, ତାହା ସେତେବେଳେ ପାଇ ପାରିଛି । ଏହି ଜୀବନରେ ନିଜକୁ କେବେହେଲେ ବଞ୍ଚିତ ବୋଲି ମନେ ହୋଇ ନାହିଁ ।

Unknown

 

ସଙ୍ଗ ମାଗିଛି, ସଙ୍ଗ ପାଇଛି; ଅଭୟ ମାଗିଛି, ଅଭୟ ପାଇଛି । ଏପରିକି, ସ୍ପର୍ଶ ମାଗିଛି, ସ୍ପର୍ଶ ପାଇଛି । ମୋ’ର ଯାବତୀୟ ଇନ୍ଦ୍ରିୟଗୁଡ଼ାକୁ ସମ୍ପଦବାନ୍ କରି ଏହି ଜଗତ ସତେଅବା ବନ୍ଧୁ ପରି ଆପଣାର ଗନ୍ତାଘର ପରି ଓ ଆପଣାର ସହସ୍ର ସାକ୍ଷାତର ତୀର୍ଥପରି ମୋ’ ଉପରେ ଅଜାଡ଼ି ହୋଇ ପଡ଼ିଛି । ଅନେକ ସମୟରେ ମୁଁ ଆଦୌ କିଛିହେଲେ ମାଗି ନାହିଁ, ଅଥଚ ମୋ’ଲାଗି ସତେଅବା ସବୁ ଅଜାଡ଼ି ହୋଇ ପଡ଼ିଛି । ସମ୍ଭବତଃ ତାହାରି ଫଳରେହିଁ ମୋ’ ଜୀବନରେ ଅବିଶ୍ଵାସ ଉପରେ ବିଶ୍ଵାସର ବିଜୟ ଘୋଷଣା ସମ୍ଭବ ହୋଇ ପାରିଛି । ଏହି ବିଶ୍ଵାସ ମୋତେ କେତେକଅଣକୁ ସମ୍ଭବ ଓ ସାଧ୍ୟ କରିବାଲାଗି ଭିତରେ କେତେକେତେ ବଳ ଆଣି ଦେଇଛି । ନିଜ ଭିତରେ ତଥା ବାହାରେ ପ୍ରକୃତରେ କେତେକଅଣ ସମ୍ଭବ ଓ ସାଧ୍ୟ କରିବାଲାଗି ବଳ ଆଣି ଦେଇଛି-। ମୋତେ କେତେକେତେ ଉପାୟରେ ଆର୍ତ୍ତ ହୋଇ ବସିବାର ଓ ଦୀନ ହୋଇ ରଡ଼ି ଛାଡ଼ିବାର ଦୈନ୍ୟରୁ ରକ୍ଷା କରିଛି । ଅନେକ ମଣିଷଙ୍କର ଚତୁର୍ଦ୍ଦିଗରେ ସବୁକିଛି ଭରି ରହିଥାଏ, ଅଣ୍ଟି ଭରିହୋଇ ରହିଥାଏ, ତଥାପି ସେମାନେ ଆର୍ତ୍ତ ହୁଅନ୍ତି କାହିଁକି କେଜାଣି ? ସମ୍ପତ୍ତିଗୁଡ଼ାକ ସବୁ ସେମାନଙ୍କର ହୋଇ ରହିଥାଏ, ତଥାପି ସେମାନେ ସମ୍ପତ୍ତି ଅର୍ଜିବା ଲାଗି ଏପରି ବାତୁଳ ଓ ଏପରି କ୍ଷୁଦ୍ର ହୋଇ ପଡ଼ନ୍ତି କାହିଁକି କେଜାଣି ? ସେମାନେ କ’ଣ ନିଜ ପାଖରେ, ଏହି ପର୍ବତ ଓ ଏହି ଆକାଶ ପାଖରେ କେବେହେଲେ ଆପଣାର ବନ୍ଧୁ ପରି ଘଡ଼ିଏ ପୂର୍ଣ୍ଣ ହୋଇ, ଶାନ୍ତ ହୋଇ ବସି ନଥାନ୍ତି ? ସେହି ଲୋକମାନଙ୍କୁ ମଧ୍ୟ ସାଙ୍ଗ କରି ସାଥିରେ ନେବାଲାଗି ଭାରି ଇଚ୍ଛା ହୁଏ ।

 

୮ । ୭ । ୮୧

 

ମଣିଷ ଅସତ୍ୟ ବିରୁଦ୍ଧରେ ଲଢ଼ିଥାନ୍ତା, ଅନ୍ୟାୟ ଓ ଅସୁନ୍ଦରତା ବିରୁଦ୍ଧରେ ଲଢ଼ିଥାନ୍ତା; ନିଜ ଜୀବନରେ ସିଏ ଆପଣାର ସ୍ଵଭାବଟିର ଅନ୍ଵେଷଣ କରି ସିଏ କେତେକେତେ ବାଟ ଫିଟାଇଥାନ୍ତା ! ନିଜ ଭିତରେ କେତେକେତେ ସଂଯୋଗକାରୀ ସ୍ପର୍ଶର ଅନୁଭବ କରି ପାରୁଥାନ୍ତା, ଏବଂ ତାହାରି ବଳରେ କେତେକେତେ ଅଦୃଶ୍ୟ ଆତ୍ମୀୟତାର ଡୋରକୁ ତା’ର ସାମୂହିକ ସମ୍ପର୍କଗୁଡ଼ିକର ମଧ୍ୟଦେଇ ଦୃଶ୍ୟ କରାଇପାରିଥାନ୍ତା । କିନ୍ତୁ, ମଣିଷ ହିସାବରେ ଆମର ଶିକ୍ଷା ଓ ସଂସ୍କାରଗୁଡ଼ାକ ଏପରି ଅବାଗିଆ ହୋଇ ରହିଲା ଯେ; ଆମେ ମୂଳତଃ ପରସ୍ପର ସହିତ ଲଢ଼ିଲୁ, ପରସ୍ପରର ଶକ୍ତି ହ୍ରାସ କଲୁ ଏବଂ ଆମର ତଥାକଥିତ ଆଦର୍ଶଗୁଡ଼ାକୁ ଏହି ଲଢ଼ାଇରେ ହତିଆର ପରି ବ୍ୟବହାର କରାଗଲା । ଆଦର୍ଶଗୁଡ଼ାକ ଆମ ସ୍ଵାର୍ଥାକାଂକ୍ଷାର ନାନା ବିକୃତି ଭିତରେ ରଞ୍ଜା ହୋଇ ରହିଗଲା ।

 

ଉଭୟ ଭିତରେ ଏବଂ ବାହାରେ ମଣିଷ ଯଦି ଅସତ୍ୟ ଏବଂ ଅନ୍ୟାୟଗୁଡ଼ାକ ସହିତ ଲଢ଼ିଥାନ୍ତା, ଅର୍ଥାତ୍ ଯଦି ସେ ସେଗୁଡ଼ାକୁ ନିଜର ଭିତରେ ଏବଂ ବାହାରେ ଉଭୟ କ୍ଷେତ୍ରରେ ଆବିଷ୍କାର କରିବାକୁ ସମର୍ଥ ହୋଇଥାନ୍ତା, ତେବେ ସେ ଏପରି ଦୟନୀୟ ଭାବରେ ଆପଣା ଭିତରେ ରହିଥିବା ଅସତ୍ୟ ଓ ଅନ୍ୟାୟଗୁଡ଼ାକୁ ଲୁଚାଇ ବାହାରେ ଅସତ୍ୟ ଏବଂ ଅନ୍ୟାୟଗୁଡ଼ାକ ସହିତ ଲଢ଼ିବା ଲାଗି ଏଡ଼େ ଉତ୍ସାହ ଦେଖାଇ ନଥାନ୍ତା । ନିଜ ଭିତରର ଅସତ୍ୟ ଓ ଅନ୍ୟାୟ ଉପରେ ହୁଏତ କୌଣସି ପ୍ରକାରେ ନିର୍ଭର କରୁଥିବାରୁ ଓ ସେଗୁଡ଼ାକ ଉପରେ ଭରସା ରଖୁଥିବାରୁହିଁ ସିଏ ବାହାରର ଅସତ୍ୟ ଓ ଅନ୍ୟାୟଗୁଡ଼ାକ ସହିତ ଲଢ଼ିବି ବୋଲି କହି ତଜ୍ଜନିତ ଗ୍ଳାନିଗୁଡ଼ାକର ଅପନୋଦନ କରିବାକୁ ମନ କଲା । ତାହା ଫଳରେ ଅସତ୍ୟ ଓ ଅନ୍ୟାୟ ଆମର ପ୍ରାୟ ହୋଇ ରହିଲେ । ମଣିଷର ଅସଲ ଦୁଆରଗୁଡ଼ାକ ଅଲୋଡ଼ା ହୋଇ ରହିଗଲେ । ଅସଲ ଆତ୍ମୀୟତାଗୁଡ଼ାକ ଭାରି ଅପୁଚ୍ଛା ହୋଇ ରହିଲେ । ଭିତରେ ଯାହାସବୁ ସତର୍କ ପାଳିତ ହୋଇ ରହିଲା, ବାହାରେ ତାହାହିଁ ମଣିଷର ଜୀବନ ଦିଗଗୁଡ଼ିକୁ ଆଚ୍ଛନ୍ନ କରି ରଖିଲା ।

 

୧୦ । ୭ । ୮୧

 

ଶିକ୍ଷା ଭିତରକୁ ପ୍ରବେଶ କରିବାଲାଗି ଭିତରେ ଅମଙ୍ଗ ହୋଇ ବସିଥିବା ମଣିଷ ତଥାପି ପାଠ ପଢ଼େ, ପରୀକ୍ଷାରେ ଭଲ କରେ, ତା’ପରେ ଉଚ୍ଚ ଚାକିରି ଭିତରେ ପଶେ ଏବଂ ସେଇଠି ଆପଣା ଲାଗି ନିରାପଦ ଉଚ୍ଚ ଥାନଟିଏ ଥିର କରି ସେଇଠି ଅତ୍ୟନ୍ତ ନିର୍ଲିପ୍ତ ଭାବରେ ଲାଖି କରି ରହିଯାଏ । କେବଳ ଆପଣାକୁ ନେଇ ଅତିଲିପ୍ତ ହୋଇ ରହିବା ହେତୁ ସିଏ ଜୀବନ ବିଷୟରେ ଏକାନ୍ତ ଭାବରେ ନିର୍ଲିପ୍ତ ହୋଇ ରହିଯାଏ । ଆପଣାର ପ୍ରସାରିତ ଡୋରଗୁଡ଼ାକୁ ସିଏ ଏକାନ୍ତ ଉଦାସୀନ ଭାବରେ ଅସ୍ଵୀକାର କରେ ।

 

ଶିକ୍ଷାକୁ ମନ କରୁଥିବା ମଣିଷବି ପାଠ ପଢ଼େ । ପାଠରେ ସିଏ ମୋଟେ କୌଣସି ତ୍ରୁଟି କରେନାହିଁ । ମାତ୍ର, ଶିକ୍ଷାକୁ ମନ କରେ ବୋଲି ପାଠକୁ ସିଏ ବିଦ୍ୟା ବୋଲି ଗ୍ରହଣ କରେ, ବିମୁକ୍ତି ଅର୍ଥାତ୍ ସମ୍ପ୍ରସାରଣର ଏକ ସାଧନ ବୋଲି ଗ୍ରହଣ କରେ । ସିଏ ନିରାପତ୍ତା ଚାହେଁନାହିଁ, ଜୀବନ ସହିତ ଅଶେଷ ପ୍ରକାରେ ଯୁକ୍ତ ରହିବାକୁ ଚାହେଁ । ଜୀବନ ଲାଗି ଆପଣାକୁ ସେ ଅଧିକରୁ ଅଧିକ ଯଥାର୍ଥ ଭାବରେ ପ୍ରସ୍ତୁତ କରେ, ଅର୍ଥାତ୍ ନିଜକୁ ଜୀବନ ପାଖରେ ଅଧିକରୁ ଅଧିକ ଦେବାଲାଗି ସମର୍ଥ ହୋଇ ସିଏ ଜୀବନ ଲାଗି ଯୋଗ୍ୟ ହୁଏ । ଶ୍ରଦ୍ଧାଲାଗି ଯୋଗ୍ୟ ହୁଏ ଏବଂ ଭଗବାନଙ୍କ ଲାଗି ଯୋଗ୍ୟ ହୁଏ । ସେ ବିଶ୍ଵ ଭିତରେ ରହେ, ବିଶ୍ଵ ବାହାରେ ଆପଣାର ସମୃଦ୍ଧି ଲାଗି ମୋଟେ କୌଣସି ଗୀତକୁ ଲୋଡ଼ିବାକୁ ଯାଏନାହିଁ । ଶିକ୍ଷା ମଣିଷକୁ ସହସ୍ର ଚକ୍ଷୁ କରେ, ସହସ୍ର ଦ୍ଵାର କରେ-। ଯୁକ୍ତ କରେ, ବିମୁକ୍ତ କରେ । ଜାଗ୍ରତ କରି ରଖେ ।

 

୧୧ । ୭ । ୮୧

 

କୌଣସି ଏକ ଧର୍ମ ପୁସ୍ତକରେ ଭଗବାନଙ୍କୁ fiercest of avengers ବୋଲି କୁହାଯାଇଛି । ଭଗବାନଙ୍କ ନାମରେ ଧର୍ମୋତ୍ସାହୀମାନେ ନିଜ ଧର୍ମକାମନାଗୁଡ଼ାକର ପୂର୍ଣ୍ଣ ଚରିତାର୍ଥ ବିଧାନ ଲାଗି ଭଗବାନଙ୍କ ଉପରେ ଏପରି ଏକ ବିଶେଷଣକୁ ନେଇ ଯେ ଲାରି ଲଦି ଦେଉଥିବେ, ସେଥିରେ କୌଣସି ସନ୍ଦେହ ନାହିଁ । ଭଗବାନଙ୍କୁ ସର୍ବଭୟଙ୍କର ପ୍ରତିଶୋଧ ନେବାର ଅଧିକାରୀ ବୋଲି ଘୋଷଣା କରି ନୃଶଂସ ଅତ୍ୟୁତ୍ସାହୀ ଭକ୍ତମାନେ ଆପଣାକୁ ଯେ ଅତ୍ୟନ୍ତ ଉଗ୍ର ଭାବରେ ସେହି ଅଧିକାରଟିଦ୍ଵାରା ଉତ୍ତେଜିତ କରି ରଖିଥିବେ, ସେକଥା ମଧ୍ୟ ଭାରି ପରିଷ୍କାର ଭାବରେ ବୁଝି ହେଉଛି । ମାତ୍ର, ମୁଁ ନିଜେ ଭଗବାନଙ୍କୁ ମୋଟେ ସେପରି ଭାବରେ କେବେହେଲେ ଅନୁଭବ କରିନାହିଁ । ଆପଣା ଭିତରେ ଓ ଆପଣା ବାହାରେ ଗଭୀରକୁ ଯାଇ ମୁଁ ଯେଉଁ ପରମବନ୍ଧୁଙ୍କର ସାନ୍ନିଧ୍ୟ ଲାଭ କରିଛି, ମୁଁ ତାଙ୍କୁ କେବେହେଲେ ଭୟ କରେନାହିଁ । ସେହି ସାନ୍ନିଧ୍ୟଟିକୁ ଲାଭ କରି ମୁଁ ଭିତରେ ତଥା ବାହାରେ କେତେକେତେ ଭୟକୁ ଲଙ୍ଘନ କରିଯାଇ ପାରିଛି ।

 

ମୋ’ ଚେତନାରେ ଏହି ସବୁଟିପାଇଁ ଯେଉଁ ଡୋର ପ୍ରାୟ ଅବିଚ୍ଛିନ୍ନ ଓ ଅଶେଷ ଭାବରେ ଲାଗି ରହିଛି, ତାହାକୁ ଅନୁଭବ କରିହିଁ ମୁଁ ଭଗବାନଙ୍କୁ ଅନୁଭବ କରିଛି । ଯଦି ସିଏ ଭୟଙ୍କର ହୋଇଥାନ୍ତେ ଯଦି ପ୍ରତିଶୋଧ ନେବାର ଅଧିକାର ରଖିଥାନ୍ତେ, ତେବେ ମୁଁ ତାଙ୍କଠାରୁ ଅଧିକରୁ ଅଧିକ ଦୂରକୁ ପଳାଇ ଯିବାଲାଗି ସର୍ବଦାହିଁ ଇଚ୍ଛା କରୁଥାନ୍ତି । ତାଙ୍କୁ ମୁଁ ସୁନ୍ଦର ବୋଲି କହନ୍ତି ନାହିଁ, ତାଙ୍କ ଆଡ଼କୁ ଆକୃଷ୍ଟ ହୋଇ ଆସିବାକୁ ମୋଟେ ଇଚ୍ଛା କରନ୍ତି ନାହିଁ, ପ୍ରେମାସ୍ପଦ ବୋଲି କଦାପି କହନ୍ତି ନାହିଁ । ତାଙ୍କରି ସ୍ପର୍ଶ ପାଇ ମୁଁ କେବେହେଲେ ଆପଣା ଭିତରର କୋମଳତମ ଓ ସର୍ବାଧିକ ଗ୍ରହଣକ୍ଷମ ଉପାଦାନଟିକୁ ଆବିଷ୍କାର କରି ପାରନ୍ତି ନାହିଁ ।

 

୧୨ । ୭ । ୮୧

 

ଭଗବାନ ଭୟଙ୍କର ହୋଇଥିବେ, ଭଗବାନ ପ୍ରତିଶୋଧ ନେଇ ପାରୁଥିବେ । ମୁଁ ଏକଥା କଳ୍ପନା କରି ପାରୁନାହିଁ । ଏହି କଥାଟି ମୋ’ ନିଜ ଧର୍ମରେ କୁହାଯାଇଥିଲେ ମଧ୍ୟ ମୁଁ କଦାପି ସେଇଟିକୁ ଆପଣା ଭିତରକୁ ସ୍ଵୀକାର କରିନେଇ ପାରନ୍ତି ନାହିଁ । କାରଣ, ଭଗବାନ ଏହି ସଂସାରର ବାହାରେ ରହିଛନ୍ତି ଓ ଦଣ୍ଡଧାରୀ ହୋଇ ରହିଛନ୍ତି, ସେହିପରି ଏକ ଅନ୍ଧ ବିଶ୍ଵାସରୁହିଁ ସେହି କଳ୍ପନାଟି ଜନ୍ମଲାଭ କରିଛି, ଏକ ମୂଳଭୂତ ଭୟରୁହିଁ ତାହା ଜନ୍ମଲାଭ କରିଛି ।

 

ମୁଁ କୌଣସି ପ୍ରକାର ଭୟଦ୍ଵାରା ଭଗବାନଙ୍କର ସମୀପବର୍ତ୍ତୀ ହେବାପାଇଁ କେବେହେଲେ କୌଣସି ଉତ୍ସାହ ଅନୁଭବ କରିନାହିଁ । ନିର୍ଭୟ ହେଲାବେଳେହିଁ ମୁଁ ଆପଣାଦ୍ଵାରା ସୃଷ୍ଟ ଅନେକ କ୍ଷୁଦ୍ରତା ମଧ୍ୟରୁ ବାହାରକୁ ବାହାରିଯାଇ ପାରିଛି ଓ ଯାହାକିଛି ବୃହତ୍ତର ଓ ସତ୍ୟତରର ଆବିଷ୍କାର କରିପାରିଛି । ଭଗବାନ ମଣିଷମାନଙ୍କୁ ଛାଡ଼ିକରି ରହି ନାହାନ୍ତି । ଭଗବାନ ମଣିଷମାନଙ୍କର ଭିତରେ ମଧ୍ୟ ରହିଛନ୍ତି । ବନ୍ଧୁଭଳି ରହିଛନ୍ତି, ବନ୍ଧୁଭଳି ପ୍ରେରଣା ଦେଉଛନ୍ତି ଓ ବାଟ ଦେଖାଉଛନ୍ତି । ବନ୍ଧୁ ପରି କ୍ଷମା ଦେଉଛନ୍ତି ଓ ସତେଅବା ହାତ ଧରି ପାହାଚକୁ ପାହାଚ ଉଠାଇ ନେଇ ଯାଉଛନ୍ତି । ସିଏ ମୋ’ ଆଖି ଭିତରେ ରହିଛନ୍ତି, ଯେଉଁ ଆଖି ମୋ’ ଭିତରକୁ ଲମ୍ବି ଯାଇଛି ଓ ମୋ’ ବାହାରେ ଏହି ଗିରିଶିଖରଗୁଡ଼ିକୁ ମଧ୍ୟ ଲମ୍ବି ଯାଇଛି ସିଏ ତାହାରି ଭିତରେ ରହିଛନ୍ତି । ସିଏ ସବୁ ମଣିଷଙ୍କର ଆଖି ଭିତରେ ରହିଛନ୍ତି, ଆଖିଭରା ଶ୍ରଦ୍ଧା ଭିତରେ ରହିଛନ୍ତି, ଆଖିର ମାର୍ଗ ଦେଇ ଗଭୀରତମ ତଥା ଉଚ୍ଚତମ ସହିତ ସ୍ପର୍ଶ ଘଟାଇଦେଇ ପାରୁଛନ୍ତି ।

 

୧୩ । ୭ । ୮୧

 

ଭିତରେ ଆପଣାଲାଗି ଅସଲ ସମ୍ମାନଟି ରହିଥିଲେ ତଥାକଥିତ ବାହାର ସମ୍ମାନକୁ ଜଗିବାକୁ ଆଉ ମୋଟେ ବେଶୀ ବେଳ ରହେନାହିଁ । ଭିତରେ ଆପଣାର ଅସଲ ଇଚ୍ଛା ଓ ଅସଲ ଅନୁରାଗଟି ପ୍ରତି ସମ୍ମାନ ରହିଥିଲେ ମଣିଷ ସମ୍ପୂର୍ଣ୍ଣ ନିର୍ଭୟ ଭାବରେ ସକଳ ସ୍ଥାନକୁ ଗତି କରିପାରେ, ସକଳ ପାତ୍ରକୁ ସ୍ପର୍ଶ କରିପାରେ, ସେହି ବିଷୟରେ ତାହାର ଆଉ କୌଣସି ସଙ୍କୋଚ ରହେନାହିଁ । ନିଜ ଭିତରେ ଅସଲ ସମ୍ମାନଟି ରହିଥିଲେ ମଣିଷକୁ ଆଉ ତୁଚ୍ଛା ଆପଣାଟାକୁ ନେଇ ପହରା ଦେବାକୁ ପଡ଼େନାହିଁ,–ସେତେବେଳେ ଆପଣା ବିଷୟରେ ରହିଥିବା ଯାବତୀୟ କ୍ଷୁଦ୍ର ସଚେତନତା ଭାଙ୍ଗିଯାଏ, ଆପଣା ଭିତରୁ ସବୁରି ସହିତ ଲାଗି ରହିଥିବା ଡୋରଗୁଡ଼ାକ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଅନୁଭୂତ ହୁଅନ୍ତି । ସମ୍ମାନ ସଚେତନତାର ସବୁ ପାଚେରୀ ଭାଙ୍ଗିଯାଏ, ସବୁରି ସହିତ ଏବଂ ସବୁଟି ସହିତ ସଂଯୁକ୍ତ ହୋଇ ରହିବାକୁହିଁ ସେତେବେଳେ ଭୂମା ବୋଲି କୁହାଯାଏ ।

 

ଆପଣା ଭିତରେ ଆପଣାପ୍ରତି ହୁଏତ କେଉଁଠି ଏକ ଲୋଷ୍ଟ୍ରଜ୍ଞାନ ଅର୍ଥାତ୍ ହୀନମ୍ମନ୍ୟତା ରହିଥିବା ସମୟରେହିଁ ଅନ୍ୟପାଖକୁ ଯିବାଲାଗି ସଙ୍କୋଚ ଲାଗେ । ଅନ୍ୟ ଅନେକଙ୍କ ପାଖରୁ ଆପଣାକୁ ଲୁଚାଇ ରଖିଲେ ଯାଇ ଆପଣାର ପ୍ରକୃତ ସମ୍ମାନ ରକ୍ଷା ସମ୍ଭବ ହୋଇ ପାରିବ, ଭିତରେ ଏହିପରି ଏକ ଭ୍ରାନ୍ତ ବିଶ୍ଵାସ ରହିଥିଲେ ଯାଇ ଅନ୍ୟପାଖରେ ସ୍ପଷ୍ଟ ଏବଂ ସହଜ ହେବାଲାଗି ସଙ୍କୋଚ ଲାଗେ । ସେହି ସଙ୍କୋଚକୁ ପୁଣି ଅନେକ ସମୟରେ ନାନା ନୈତିକତା ଏବଂ ଅସୂୟାପୂର୍ଣ୍ଣ ସନ୍ତପ୍ତତାଦ୍ଵାରା ସୁନାଛାଉଣି କରି ରଖାଯାଏ । ଭିତରେ ଏଡ଼େ ବଡ଼ ହୋଇ ଫୁଲିକରି ରହିଥିବା କ୍ଷୁଦ୍ର ଅହଂଟା ତଦ୍ଦ୍ୱାରା ଭାରି ପାଣି ପାଏ । ଏପରି ଅବସ୍ଥାରେ ସଂସାରଦର୍ଶନ ମୋଟେ ସମ୍ଭବ ହୁଏନାହିଁ ।

 

୧୫ । ୭ । ୮୧

 

ମୋ’ ଦେଶ କହିଲେ ମୁଁ ଏକ ସ୍ଵାଧୀନ ଦେଶକୁ ବୁଝେ । ଏପରି ଏକ ସ୍ଵପ୍ନକୁ ବୁଝେ, ଯାହାମଧ୍ୟରେ କି କେହି କୌଣସି ପ୍ରକାର କ୍ଷୁଦ୍ରତାକୁ ନେଇ ଘାଣ୍ଟି ହେଉନଥିବେ । କେହି ନିଜର ଦେଶଟାକୁ ନିଜର ସାନ ଗାତ ଏବଂ ସାନ ସ୍ଵାର୍ଥଗୁଡ଼ାକ ଲାଗି ବ୍ୟବହାର କରୁନଥିବେ । ଆଗେ, ଅର୍ଥାତ୍ ଦେଶକୁ ବିଦେଶୀ ଶାସନରୁ ମୁକ୍ତ କରିବାର ସଂଗ୍ରାମ ଚାଲିଥିବା ସମୟରେ, ଏଠି କେତେ ବୀର ଦେଶ ଲାଗି ମୃତ୍ୟୁ ବରଣ କରୁଥିଲେ, ସହିଦ ହେଉଥିଲେ । ଦେଶ ରାଜନୀତିକ ସ୍ଵାଧୀନତା ପାଇବା ପରେ ବର୍ତ୍ତମାନ ସେହିପରି ଅନେକ ସନ୍ତାନ ବାହାରନ୍ତେ, ଯେଉଁମାନେ କି ଦେଶଲାଗି ଆପଣାର ଜୀବନଟିକୁ ଉତ୍ସର୍ଗୀକୃତ କରି ରଖିପାରନ୍ତେ । ସେମାନେ ଦେଶଲାଗି ଆପଣାକୁ ପାହାଚକୁ ପାହାଚ ଉପରକୁ ଉଠାଇନେଇ ପାରନ୍ତେ, ଆପଣାକୁ ଆପଣାର ସକଳ ପ୍ରକାରର ଆବରଣ ଓ ଭୟାଳୁତା ମଧ୍ୟରୁ ମୁକ୍ତ କରି ସେମାନେ ନିଜକୁ ଅଧିକରୁ ଅଧିକ ଯୋଗ୍ୟ କରି ପାରୁଥାନ୍ତେ । ପାଖରେ ସେହି ଅଧିକରୁ ଅଧିକ ଯୋଗ୍ୟ ହେବାର କଥା କହିପାରନ୍ତେ, ପରସ୍ପରକୁ ଏକ ସ୍ଵପ୍ନାନୁରାଗୀ ସାହସ ଏବଂ ସମର୍ପଣ ବୋଧଦ୍ଵାରା ଆପଣାର ଅତ୍ୟନ୍ତ ନିକଟବର୍ତ୍ତୀ ଭାବରେ ଗ୍ରହଣ କରି ପାରୁଥାନ୍ତେ । ତେବେ, ଗୋଟିଏ ଦେଶରେ ଜନ୍ମ ହୋଇ ମଧ୍ୟ ସେମାନେ ତଥାପି ଦେଶଗତ ଯାବତୀୟ ସଂକୀର୍ଣ୍ଣସୀମାକୁ ମଧ୍ୟ ଅତିକ୍ରମ କରିଯାଇ ପାରୁଥାନ୍ତେ । ସେମାନଙ୍କର ହୃଦୟ ଭିତରେ ଦେଶତ୍ଵର ସୀମା ଓ ସଂଜ୍ଞାଗୁଡ଼ାକ ସତେ କ୍ରମପ୍ରସାରିତ ହେଉ ଥାଆନ୍ତେ । ସେମାନଙ୍କର ଭୂମିବୋଧବି ଅଧିକରୁ ଅଧିକ ସମ୍ପ୍ରସାରିତ ହେବାରେ ଲାଗିଥାନ୍ତା । ଅନୁରାଗ ବଢ଼ୁଥାଆନ୍ତା, ଅର୍ଥାତ୍ ମଣିଷ ମଣିଷକୁ ଲୋଡ଼ୁଥାଆନ୍ତା । ନିର୍ଭୟ ହୋଇ ଆପଣାର କରିପାରୁଥାଆନ୍ତା ।

 

୧୭ । ୭ । ୮୧

 

ଏହି ପାହାଡ଼, ଏହି ଅରଣ୍ୟ, ଏହି ଆକାଶ, ଏହି ବିସ୍ତୃତି,–ଏସବୁ ମଣିଷର ପାଖେପାଖେ ରହିଛନ୍ତି । ମଣିଷ ହୁଏତ ଅନେକ ସମୟରେ ଏଗୁଡ଼ିକୁ ଆପଣା ସହିତ ରଖି ପାରୁନାହିଁ । ମଣିଷ ଆପଣାକୃତ ନାନା ବାଡ଼ ଭିତରେ ତଥାକଥିତ ସୁରକ୍ଷିତ ହୋଇ ରହିବାକୁ ଇଚ୍ଛା କରୁଛି, ତଥାକଥିତ ଅନେକ ଅଲଗା ସଂସାରରେ ଗୋଟାସୁଦ୍ଧା ବୁଡ଼ି ରହିବାକୁ ଇଚ୍ଛା କରୁଛି;–ସେଥିଲାଗି ଏଗୁଡ଼ିକୁ ଆପଣାର ସଂସାର ଭିତରକୁ ଗ୍ରହଣ କରିନେଇ ପାରୁନାହିଁ । ଏଗୁଡ଼ିକ ତା’ ବାହାରେ ରହିଛନ୍ତି, ତା’ପାଇଁ ସତେଅବା ତା’ ବୈରାଗ୍ୟର ଗୋଟିଏ ଗୋଟିଏ ସାଧନ ହୋଇ ରହିଛନ୍ତି । ଯେତେବେଳେ ଯିଏ କୌଣସି କାରଣରୁ ସଂସାର ଭିତରୁ ବିରକ୍ତ ହୋଇ ଘରଛଡ଼ା ହୋଇ ବାହାରି ଯିବାକୁ ଇଚ୍ଛା କରୁଛି, ସେତିକିବେଳେ ଯାଇ ସେ ଏଗୁଡ଼ିକୁ ମନେ କରୁଛି, ଏଗୁଡ଼ିକ ଭିତରେ ଘଡ଼ିକ ଆଶ୍ରୟ ଗ୍ରହଣ କରିପାରୁଛି ।

 

ଏହି ପର୍ବତ, ଅରଣ୍ୟ ଓ ଆକାଶ,–ଏହି ବିସ୍ତୃତି ମୋ’ ନିଜ ଘରଟି ଭିତରେ ରହିଛି । ଏଗୁଡ଼ିକ ମୋ’ ସହିତ ଅଛନ୍ତି ବୋଲି ମୁଁ କୌଣସି ପ୍ରକାର ଗାତ ଭିତରେ ଡୁବି ରହିବାର ପ୍ରମାଦ ଭିତରୁ ତଥାକଥିତ ସଂସାର ଭିତରେ ମଧ୍ୟ ରକ୍ଷା ପାଇ ପାରୁଛି । ଏମାନେ ମୋ’ ନିଜ ଆୟତନଟି ଭିତରେ ରହିଛନ୍ତି । ମୋ’ ଧ୍ୟାନର ମୂର୍ତ୍ତି ଏବଂ ବିସ୍ତୃତି ହୋଇ ରହିଛନ୍ତି । ମୋ’ ଭିତରେ ଓ ବାହାରେ ହୁଏତ ଉପୁଜି ପାରୁଥିବା ଅନେକ ସମ୍ଭାବ୍ୟ ଦ୍ଵନ୍ଦ୍ଵର ମୋତେ ପରିତ୍ରାଣ କରି ରଖିପାରିଛନ୍ତି । କାଲି ସନ୍ଧ୍ୟାବେଳେ ପର୍ବତଗୁଡ଼ାକୁ ଅନାଇ ବିସ୍ତୃତ ହୋଇ ଯାଉଥିବା ସମୟରେ ମୁଁ ଏହିସବୁ କଥାକୁ ଅନୁଭବ କରୁଥିଲି । ଏ ଘରଟା ଯେ ମୋଟେ ସାନ ନୁହେଁ, ଏହି ଘରଟି ଯେ କେଡ଼େ ବଡ଼ ଆଶୀର୍ବାଦକୁ ବହନ କରି ଯଥାର୍ଥରେ ଏକ ଘର ହୋଇ ରହିପାରିଛି, ମୁଁ ସେହିକଥା ଅନୁଭବ କରୁଥିଲି ।

 

୧୮ । ୭ । ୮୧

 

ଆମେ କେହି କାହାକୁ ହରାଇବାକୁ ଅର୍ଥାତ୍ କେହି କାହା ଉପରେ ବିଜୟ ହାସଲ କରିବାକୁ ଏହି ପୃଥିବୀରେ ପରସ୍ପର ସହିତ ପରିଚୟରେ ଆସିନାହୁଁ, ଠିକ୍ ବାଟ ବା ଠିକ୍ କଥା କହିଲେ କେବଳ ଗୋଟାଏ ବାଟ ବା ଗୋଟାଏ କଥାକୁ ବୁଝାଏ ନାହିଁ, ପରସ୍ପରର ସହଯୋଗ ଓ ଅନୁଭବ ସହିତ ଆମେ ଏଠି ଜୀବନର ଓ ଜଗତର ବାଟଟିକୁ ଚାଲିବାପାଇଁ ଆସିଛୁ ଏବଂ ପରସ୍ପର ପାଖରେ ସେହି କଥାଟିକୁ ସ୍ଵୀକାର କରିବାକୁ ଆସିଛୁ । ପରସ୍ପରର ବନ୍ଧୁ ହୋଇ ରହିବାର ଅସଲ ଅର୍ଥ ହେଉଛି ପରସ୍ପରର ସହଯାତ୍ରୀ ହୋଇ ରହିବା । ପରସ୍ପରକୁ ଗିଳି ପକାଇବା ନୁହେଁ, ମାଡ଼ି ଚକଟି ବା ମନ୍ଥି ପକାଇବା ନୁହେଁ,–ପରସ୍ପରକୁ ସହଯାତ୍ରୀ ଭାବରେ ସ୍ଵୀକାର କରିବା, ପରସ୍ପର ମଧ୍ୟରେ ସତ୍ୟର ଅଧିଷ୍ଠାନଟିକୁ ଠାବ କରିବା ଏବଂ ସେହି ଅଧିଷ୍ଠାନଟିର ମାଧ୍ୟମରେ ପରସ୍ପରକୁ ଚିହ୍ନିବା; ପରସ୍ପରର ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ପାରୁଥିବା ।

 

ଆଗ ଏତକ କଥା ସ୍ଵୀକୃତ ହୋଇ ସାରିବା ପରେ ତା’ପରେ ଯାଇ ଆଦର୍ଶ, ତା’ପରେ ଯାଇ ଧର୍ମ । ତା’ପରେ ଯାଇ ଆଉ ସବୁକିଛି । ପରସ୍ପରକୁ ସ୍ଵୀକାର ନକରି ଯେଉଁ ଧର୍ମ ବା ଯେଉଁ ଆଶୀର୍ବାଦର ଆଚରଣ କରାଯାଏ, ସେହି ଧର୍ମ ଓ ସେହି ଆଦର୍ଶ ସତେଅବା ନିଜ ଉପରେ ଉଗାଡ଼ି ହୋଇ ପଡ଼ୁଥିବା ପରି ମନେହୁଏ, ନିଜକୁ ଗ୍ରାସ କରି ତାହା ନିଜଲାଗି ସକଳ ସମ୍ମିଳନ ଏବଂ ସକଳ ଆତ୍ମୀୟତାକୁ ସତେଅବା ସୁଦୂରପରାହତ କରି ରଖିଥାଏ । ଆଗ ବାଟ ଚାଲିବାର ଆସ୍ପୃହା, ଅର୍ଥାତ୍ ଆପଣାର ଅନ୍ତଃସ୍ଵଭାବ ଅନୁସାରେ ଅଗ୍ରଗତି କରିବାର ଅବିରାମ ଶ୍ରଦ୍ଧା,–ତା’ପରେ ଯାଇ ଆଉ ଯାହାକିଛି ଅଭିକ୍ରମ । ସେହି ଶ୍ରଦ୍ଧାଟିକୁ ନେଇହିଁ ଆମର ପରସ୍ପର ସହିତ ପରିଚୟଗୁଡ଼ିକ ଘଟି ପାରୁଥିବା ଉଚିତ । ସେହି ଶ୍ରଦ୍ଧାଟି ସହିତ ସାମୂହିକ ଜୀବନର ଆବିଷ୍କାର ହୋଇ ପାରୁଥିବା ଉଚିତ, ସାମୂହିକ ସମ୍ପର୍କର ଯାବତୀୟ ଉପଲବ୍ଧି ହୋଇ ପାରୁଥିବା ଉଚିତ ।

 

୧୯ । ୭ । ୮୧

 

ଅସଲ କଥାଗୁଡ଼ାକ କିଛି ଭୁଲି ହୁଏନାହିଁ । ଅସଲ ମଣିଷଟି ମୋଟେ ପାସୋରି ଯାଏନାହିଁ । ସିଏ ଭିତରେ ସାଇତା ହୋଇ ରହିଥାଏ, ଏକ ଆତ୍ମୀୟତାରୂପେ ସାରଣୀ ହୋଇ ରହିଥାଏ । ନିଜକୁ ଅଧିକରୁ ଅଧିକ ଆତ୍ମୀୟତାର ଭାଜନ କରିବାରେ ଲାଗିଥାଏ । ଅସଲ ଦୁଃଖଗୁଡ଼ାକୁବି କଦାପି ଭୁଲି ହୁଅନ୍ତି ନାହିଁ । ସେଗୁଡ଼ିକ ଅନ୍ତରର ଅନେକ ଗଭୀର ଭିତରେ ସାଇତା ହୋଇ ରହିଥାନ୍ତି, ସମୟ ପାଇଲେ ପୁଣି ଅଙ୍କୁରିତ ହୋଇ ଉଠନ୍ତି,–ଦୁଃଖ ରୂପରେ ନୁହେଁ, ପୁନଃପ୍ରାପ୍ତ ସମ୍ପଦରୂପେ ଅଙ୍କୁରିତ ହୋଇ ଉଠନ୍ତି ।

 

ବାହାରର ଅବିଶ୍ଵାସଗୁଡ଼ାକୁ ମୁଁ ବଡ଼ କରି ଧରି ଅନ୍ତରର ବିଶ୍ଵାସଗୁଡ଼ାକୁ କଦାପି ଊଣା କରି ପକାଇବି ନାହିଁ । ଦିନେ ମୋ’ର ସକଳ ଅସ୍ତିତ୍ଵ ଓ ଅନୁଭବକୁ ଆକୁଳ କରି ବହିଥିବା ଅଶ୍ରୁଗୁଡ଼ାକ ଲାଗି ଖେଦ କରି ମୁଁ ଆପଣାର ଆତ୍ମୀୟତାଗୁଣଟି ସହିତ କଦାପି ବାଦ କରିବାକୁ ଯିବିନାହିଁ । କଟି ଯାଇଥିବା ଡୋରଗୁଡ଼ିକ ସକାଶେ ମୁଁ ସମଗ୍ର ସୂତାଟିକୁ କଦାପି ନିନ୍ଦିବିନାହିଁ । ପୁଣି ସେହି ଆତ୍ମୀୟତା ପାଖକୁ ଫେରି ଆସିବାର ଆନନ୍ଦ ମୋ’ର ଦୁଃଖଗୁଡ଼ାକୁ ମଧ୍ୟ ମହନୀୟ ଓ ମୂଲ୍ୟବାନ କରି ରଖିବ । ମୋ’ର ବିଶ୍ଵାସକୁ ଆହୁରି ଦୃଢ଼ କରିବ । ମୁଁ ଯେ ସର୍ବଦା ଅପେକ୍ଷା କରି ରହିଛି, ସର୍ବଦା ବିଶ୍ଵାସ ରଖି ବସିଛି, ସର୍ବଦା ଦୁଆରଟିକୁ ଖୋଲା କରି ରଖିଛି,–ମୋ’ର ହିସାବ ନେଉଥିବା ବିଧାତା ଯେପରି ମୋ’ ବିଷୟରେ ସର୍ବଦା ଏହି କଥାଟିକୁ କହି ପାରିବ । ସେତିକି ହୋଇପାରିଲେ ରାତିଗୁଡ଼ିକ ମଧ୍ୟ ଆଶାପୂର୍ଣ୍ଣ ପ୍ରତୀକ୍ଷାର ଶୁଭମୁହୂର୍ତ୍ତ ପରି ମନେ ହେବ । ରାତିଗୁଡ଼ାକର ଏକ ଆବଶ୍ୟକତା ରହିଛି ବୋଲି ପ୍ରତିପାଦିତ ହେବ । ଦୁଃଖଗୁଡ଼ାକ ମଧ୍ୟ ପଥପ୍ରଦର୍ଶକ ବନ୍ଧୁ ପରି ମନେ ହେଉଥିବେ ।

 

୨୦ । ୭ । ୮୧

 

ମଣିଷ ଯେତେବେଳେ ଭାରି ଉତ୍ତେଜିତ ହୋଇ ସଂସାରଯାକ ସବୁ ମଣିଷ କାହିଁକି ସଙ୍ଗେ ସଙ୍ଗେ ବଦଳି ଯାଉନାହାନ୍ତି ବୋଲି ଏଡ଼େ ବଡ଼ପାଟି କରି କହେ, ସେତିକିବେଳେ ଅନେକ ସମୟରେ ନିଜକୁ ବଦଳାଇବାର ସବାଆଗ କର୍ତ୍ତବ୍ୟଟିକୁ ଭୁଲିଯାଏ । ସମସ୍ତଙ୍କୁ ଆଗୁଆ କରିବାଲାଗି ଉଚ୍ଛନ୍ନ ହୋଇପଡ଼ି ସିଏ ଆପେ ପଛୁଆ ହୋଇ ରହିଯାଏ, ଏବଂ ଆମ ସମସ୍ତଙ୍କୁ ସର୍ବଶ୍ରେଷ୍ଠ କରି ତିଆରି କରିବାର ସନ୍ତାପରେ ପଡ଼ି ଆପେ ସତେଅବା ବର୍ବର ହୋଇ ରହିଯାଏ ।

 

ସେଥିଲାଗି ସବାଆଗ ନିଜକୁ ସାଙ୍ଗ କରି ରଖିବାକୁ ହୁଏ, ନିଜକୁ ସବାଆଗ ପଚାରିବାକୁ ହୁଏ ନିଜ ସହିତ ଦୁଃଖସୁଖ ହୋଇ ପାରିବାକୁ ହୁଏ, ନିଜକୁ ଉପଯୁକ୍ତ ଉତ୍ସାହ ଦେଇ ସାଙ୍ଗରେ ନେବାକୁ ହୁଏ । ନାନା ଅନ୍ୟ କାରଣରୁ ଅନେକ ଲୋକ ନିଜକୁ ଭୁଲି ଅନ୍ୟମାନଙ୍କର କଥା ଆଗ ଭାବନ୍ତି, ଆପଣାକୁ ସମ୍ଭବତଃ ମୋଟେ ପାରିବେନାହିଁ ବୋଲି ଭାବି ଅନ୍ୟମାନଙ୍କର ପିଛା ଧରନ୍ତି; ନିଜ ଉପରୁ ପ୍ରାୟ ସବୁ ବିଶ୍ଵାସ ହରାଇ ବସିଥିବା ପରି ଅନ୍ୟମାନଙ୍କୁ ଉପରେ ବିଶ୍ଵାସ ସ୍ଥାପନ କରିବାକୁ ମନ କରନ୍ତି । ଏମାନେ ଭାରି ହଇରାଣ ହୁଅନ୍ତି, ଏମାନଙ୍କର ଉଦ୍ୟମର ଚକଟି ହୁଏତ ମୋଟେ ନବୁଲି ଯୋଉଠି ଥାଏ ସେଇଠି ରହିଯାଏ । ନିଜ ଭିତରେ ଅପେକ୍ଷା କରି ରହିଥିବା ଅନେକ ଗୁଣକୁ ଚିହ୍ନି ନପାରି ସେମାନେ ସତେଅବା ଭାରି ନିଃସହାୟ ଭାବରେ ଏକ ଦିନିକିଆ ବିପ୍ଳବରେ ଅନ୍ୟ ସମସ୍ତଙ୍କୁ ବଦଳାଇ ଦେବାଲାଗି ଆଣ୍ଟ କରୁଥାନ୍ତି, ଜିଦ୍ ଧରି ବସିଥାନ୍ତି । ଏମାନଙ୍କୁ ସ୍ପର୍ଶ କରିପାରିବା ଆଦୌ ସହଜ ହୁଏ ନାହିଁ । ଏମାନଙ୍କୁ ସାଙ୍ଗରେ ନେବାବି ଆଦୌ ସହଜ ହୁଏ ନାହିଁ । ହୁଏତ ଏଇମାନେହିଁ ଆମ ସଂସାରରେ ସମସ୍ତଙ୍କ ପଛରେ ଅଧାସିଆଣିଆ ହୋଇ ପଡ଼ିଥାନ୍ତି-। ଅନେକ ସମୟରେ ଭାରି ଅନମନୀୟ ହୋଇ ବସିଥାନ୍ତି, ଦୁଆରଗୁଡ଼ାକୁ ବନ୍ଦ କରି ତାହାରି ଭିତରେ ଅସ୍ପୃଶ୍ୟ ଓ ଅନେକ ଦୂର ହୋଇ ରହିଥାନ୍ତି ।

 

୨୧ । ୭ । ୮୧

 

ଭାରତବର୍ଷରୁ ଯେଉଁମାନେ ଅଳ୍ପ କେତେଦିନ ପାଇଁ ବିଦେଶ, ଅର୍ଥାତ୍ ବିଲାତ ବା ଆମେରିକା ବୁଲି ଯାଆନ୍ତି, ସେମାନେ ତେଣୁ ଫେରିବା ସମୟରେ ସେହି ବିଦେଶରେହିଁ ଆପଣା ଚେତନାରୁ କେତେ ଖଣ୍ଡ ବା କେତେ ଅଂଶ ଛାଡ଼ି ଦେଇ ଆସିଥାନ୍ତି । ସେହି କାରଣରୁ ଏହି ଦେଶକୁ ଅନେକ ସମୟରେ ସେମାନଙ୍କୁ ଭାରି ଖଣ୍ଡିଆ ହୋଇ ଫେରିବାକୁ ପଡ଼ିଥାଏ । ବିଦେଶରୁ କେତେଟା କଥା ନିଜ ସାଙ୍ଗରେ ନେଇ ଘରକୁ ଫେରୁଥିଲେ ତାହା ଅବଶ୍ୟ ଅନ୍ୟପ୍ରକାର କଥା ହେଉଥାନ୍ତା । ତଦ୍ଦ୍ଵାରା ସେମାନେ ସାଙ୍ଗରେ ଆଣିଥିବା ଆଖି ଏବଂ ସମ୍ପଦଗୁଡ଼ିକ ଦେଇ ଏଠି ମଧ୍ୟ ଆପଣା ଘରଟିକୁ ଆହୁରି ଅଧିକ ଅନ୍ତରଙ୍ଗତା ଦେଇ ଦେଖିବାକୁ ଏବଂ ସମ୍ପଦଯୁକ୍ତ କରିବାକୁ ହୁଏତ ସମର୍ଥବି ହୋଇ ପାରୁଥାନ୍ତେ ।

 

ବିଦେଶରେବି ମଣିଷ ଅଛନ୍ତି । ବିଦେଶରେବି ମଣିଷର ଏକ ଘର ଅଛି । ସେମାନଙ୍କ ସାମୂହିକ ଜୀବନରେ ଏକ ସାଂସ୍କୃତିକ ଆଖି ରହିଛି । ଆମେ ଯେଉଁମାନେ ବୁଲିବା ସକାଶେ ସେଠାକୁ ଯାଉ, ସେମାନେ ଉପରୁ ଉପରୁ କେତେଟା କଥା ଦେଖି ସେଇଥିରେ ଲାଖିଯାଉ । ଜୀବନକୁ ନଦେଖି ସେଠାରେ ଆମେ ବଜାରଗୁଡ଼ାକୁ ଦେଖୁ । ବଜାରଗୁଡ଼ାକ ଭିତରେ ବାୟା ହୋଇଯାଉ, କେତେପ୍ରକାରେ ଅଟକିଯାଉ । ସେଠିକାର ବଜାରଗୁଡ଼ାକ ସହିତ ଆମେ ଆମ ଏଠିକାର ବଜାରଗୁଡ଼ାକର ତୁଳନାବି କରିଥାଉ । ତେଣୁ, ଆମ ଘରଟି ଲାଗି ସେଠାରୁ ହୁଏତ ଆମେ ଆଦୌ କିଛିହେଲେବି ସାଙ୍ଗରେ ଆଣି ପାରୁନାହିଁ । ଆମ ନିଜ ଘର ସହିତ ଆମର ଏଠାରେ ଏକ ଯଥାର୍ଥ ଆତ୍ମୀୟତା ରହିଥିଲେ ହୁଏତ ସଂସାରଯାକ ସବୁ ଘରକୁ ମଧ୍ୟ ଆମେ ସେହି ଆତ୍ମୀୟତା ଦେଇ ଦେଖି ପାରୁଥାନ୍ତୁ । ଏଠା ଜୀବନର କୌଣସି ସମ୍ପର୍କଗତ ସାରକୁ ବହନ କରି ପାରିଥିଲେ ହୁଏତ ଆମେ ସେଠାରେ ମଧ୍ୟ ସାର ଜିନିଷଗୁଡ଼ାକୁ ଦେଖି ପାରୁଥାନ୍ତୁ । ମାତ୍ର ଆମଦ୍ଵାରା ସେକଥା ହୋଇ ପାରେନାହିଁ । ଆମର ସେହି ଦେଖିବାଦ୍ଵାରା ଆମର ପ୍ରାୟ କୌଣସି ସମୃଦ୍ଧି ହୋଇ ପାରେନାହିଁ ।

 

୨୩ । ୭ । ୮୧

 

ବାଟ ଚାଲିବାର ପ୍ରେରଣା ଭିତରୁ ଆସେ, ବାଟରେ କୋଉଠି ଅଟକି ଯିବାର ପ୍ରଲୋଭନ ମଧ୍ୟ ସେହି ଭିତରୁ ଆସିଥାଏ । ଭିତରେ ଯେତେବେଳେ ଖିଅଗୁଡ଼ାକ ଛିଡ଼ିଗଲା ପରି ଲାଗେ, ଏହି ଆକାଶ ଏହି ଆଲୋକ ଏବଂ ଏହି ପବନ ଅନେକ ଦୂରକୁ ଚାଲି ଯାଇଥିବା ପରି ମନେ ହୁଅନ୍ତି, ସେତିକିବେଳେ ସତେଅବା ଆଳସ୍ୟହିଁ ପରମ ବନ୍ଧୁ ହୋଇ ମୋତେ ପ୍ରାୟ ଗୋଟାସୁଦ୍ଧା ଅଧିକାର କରିବା ଲାଗି ଆସେ; ଅବିଶ୍ଵାସଗୁଡ଼ାକ ବାସ୍ତବ ବୋଲି ବୋଧହୁଏ ଓ ନିଜର ବଳଗୁଡ଼ାକ ନିଜ ପାଖରେ ସତେଅବା ମୋଟେ ଧରା ଦେବାକୁ ଇଚ୍ଛା କରୁ ନଥାନ୍ତି ।

 

ଖିଅଗୁଡ଼ାକ କାହିଁକି ଛିଡ଼ିଯାଏ, ଆପଣା ଭିତରକୁ ଥିର ହୋଇ ଅନାଇଲେ ସେହି କଥାର ହୁଏତ କିଛି କିଛି ଆଭାସ ଅବଶ୍ୟ ମିଳିଯାଏ, ମାତ୍ର ଖିଅଗୁଡ଼ାକ ପୁନର୍ବାର କାହିଁକି ଯୋଡ଼ି ହୋଇଯାନ୍ତି, କେତେବେଳେ ଯୋଡ଼ି ହୋଇ ଯାଆନ୍ତି, ସେଗୁଡ଼ାକର କିଛି କାରଣ ଜାଣି ହୁଏନାହିଁ । କାରଣ ଜାଣିବାକୁ ବେଳ ମଧ୍ୟ ନଥାଏ ହୃଦୟ ଆପଣା ଭିତରେ ବାଟ ପାଇଯାଏ, ସେତେବେଳେ ସତେଅବା କେବଳ ଆନନ୍ଦହିଁ ଯାବତୀୟ ଆତଯାତ ହେବାର ଏକମାତ୍ର କାରଣରୂପେ ଅନୁଭୂତ ହେଉଥାଏ । ସେତେବେଳେ ଭିତର ଆଉ ବାହାର ଭିତରେ ମୋଟେ କୌଣସି ଦ୍ଵନ୍ଦ୍ୱ ରହେନାହିଁ । ଭିତରଟାଯାକ ସତେଅବା ଏକ ଦ୍ଵିଧାହୀନ ସମ୍ପୂର୍ଣ୍ଣ ସମର୍ପଣରୂପେ ପ୍ରସ୍ତୁତ ହୋଇ ରହିଯାଏ, ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ରହିଥାଏ । ଆଳସ୍ୟ ବହୁଦୂରକୁ ହଟି ପଳାଏ । ବିଶ୍ଵାସ ଯାବତୀୟ ଆଳସ୍ୟର ସର୍ବଶ୍ରେଷ୍ଠ ପ୍ରତିଷେଧକରୂପେ କାର୍ଯ୍ୟ କରିଥାଏ । ସେତେବେଳେ ଜୀବନଟାଯାକ ଖାଲି ବନ୍ଧୁମୟ ବୋଧ ହେଉଥାଏ । ଭିତରେ ଅସଲ ବନ୍ଧୁଟି ସହିତ ଖିଅ ଲାଗି ରହିଥାଏ, ତେଣୁ ବାହାରେ ମଧ୍ୟ ସମସ୍ତଙ୍କର ମୁହଁ ଭିତରେ କେବଳ ସେହି ବନ୍ଧୁର ମୁହଁଟିହିଁ ଦିଶି ଦିଶି ଯାଉଥାଏ ।

 

୨୫ । ୭ । ୮୧

 

ଗୁଡ଼ାଏ ବରାଦଦିଆ କାମ ଭିତରେ ଆପଣାକୁ ଭାରି ଅଧାପନ୍ତରିଆ ପରି ମନେ ହେଉଛି । ମୋ’ ଚାରିପାଖରେ ଯେପରି କେତେକଅଣ କାମ ପଡ଼ି ରହିଛି, ଅଥଚ ମୁଁ କୌଣସିଟିକୁ ସମ୍ପୂର୍ଣ୍ଣ ଭାବରେ କରି ପାରୁନାହିଁ, କୌଣସିଟି ଲାଗି ଆପଣାର ସମ୍ପୂର୍ଣ୍ଣ ଶ୍ରଦ୍ଧାଟିକୁ ମୋଟେ ଦେଇ ପାରୁନାହିଁ ।

 

ସେଇଥିଲାଗି ଭାରି ବିରକ୍ତି ଲାଗୁଛି, ଭାରି କ୍ଳାନ୍ତବି ଲାଗୁଛି । ନିଜର କାମଗୁଡ଼ାକ ପୂରାପୂରି ନିଜର ହୋଇ ରହିଥିବା ଉଚିତ । ସେହି କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରିବାର ଅସଲ ପ୍ରେରଣା ମୂଳଟି ନିଜ ଭିତରେ ରହିଥିବା ଉଚିତ । ତେବେଯାଇ ନିଜର ସମୟଗୁଡ଼ାକ ମଧ୍ୟ ନିଜ ହାତରେ ରହିଥିବ । ସମୟଗୁଡ଼ାକ ସତେଅବା ଆଗେଆଗେ ଦଉଡ଼ି ପଳାଇବାରେ ଲାଗିଥିବ ଏବଂ ମୁଁ ତା’ପଛରେ ଧଇଁସଇଁ ହୋଇ ଧାଇଁଥିବି ଅଥଚ ସମୟକୁ ଆଦୌ ଧରି ପାରୁନଥିବି, ଏକଥା କଦାପି ହେବନାହିଁ । ଏହିପରି ଭାବରେ ନିଜକୁ ଯେତେବେଳେ ଗୋଟାଏ ଜାଲ ଭିତରେ ଆସି ପଡ଼ିଯିବା ପରି ଲାଗୁଥାଏ, ସେତେବେଳେ ପ୍ରକୃତରେ ଭାରି ଅସହାୟ ଲାଗେ, ଆପଣାର ବଳଗୁଡ଼ାକୁ ପୂର୍ଣ୍ଣ ପ୍ରତ୍ୟୟର ସହିତ ମୋଟେ ବ୍ୟବହାର କରି ହୁଏନାହିଁ । ଆପଣା ପାଖରେ ଆପଣାକୁ ଅସହାୟ ଲାଗିବା, ଏହାଠାରୁ ବଳି ଆଉ କୌଣସି ଶୋଚନୀୟ ପରିସ୍ଥିତି କିଛି ଅଛି ବୋଲି ମୋତେ ଜଣାନାହିଁ । ମୁଁ ଜାଣିଛି, ଏହିପରି ଏକ ଅବସ୍ଥାରେ ଆପଣାକୁ ତଥାପି ସ୍ଥିର କରି ଆଣିବାକୁ ପଡ଼ିବ, ଆପଣାର ରଜ୍ଜୁଗୁଡ଼ିକୁ କ୍ରମଶଃ ସଜାଡ଼ି ଆଣିବାକୁ ପଡ଼ିବ, ଶ୍ରଦ୍ଧାର ସହିତ ସେଗୁଡ଼ିକ ପୁନର୍ବାର କେନ୍ଦ୍ର ସହିତ ସଂପୃକ୍ତ କରି ଆଣିବାକୁ ପଡ଼ିବ । ତେବେଯାଇ ମୁଁ ଆପଣା ଭିତରେ ଆପଣାକୁ ଖୋଜି ପାଇପାରିବି, ଆପଣାକୁ ଏକ ପୂର୍ଣ୍ଣ ଅସ୍ତିତ୍ଵରୂପେ ଅନୁଭବ କରି ପାରିବି,–ଜୀବନଟା ମୋ’ ନିଜର ଘର ପରି ଲାଗିବ ।

 

୨୭ । ୭ । ୮୧

 

ଜ୍ଞାନ ଭିତରକୁ ଗଲେ ବିଶ୍ଵାସରେ ପରିଣତ ହୁଏ ଏବଂ ସେହି ବିଶ୍ଵାସରେହିଁ ଜୀବନ ଗଢ଼ାହୁଏ । ଅନେକ ବ୍ୟକ୍ତି ଏପରି ଅଛନ୍ତି, ଯେଉଁମାନେ କି ଜ୍ଞାନ ନଥାଇ ମଧ୍ୟ ଆଗ ବିଶ୍ଵାସ କରି ପକାଇ ଥାଆନ୍ତି; ଅନେକ ଗୁରୁ ଏପରି ଅଛନ୍ତି, ଯେଉଁମାନେ କି ବ୍ୟକ୍ତିକୁ ଜ୍ଞାନ ବାଟରେ ନଯାଇ ଆଗ ବିଶ୍ଵାସର ବାଟରେ ଯିବାଲାଗି ପରାମର୍ଶ ଦେଇଥାନ୍ତି । ସେମାନେ ବିଶ୍ଵାସର ମାର୍ଗକୁ ସହଜ ବୋଲି କହନ୍ତି, ଏହିପରି ବିଶ୍ଵାସ କରିବାକୁହିଁ ସେମାନେ ଭକ୍ତି ବୋଲି କହନ୍ତି ।

 

ଜ୍ଞାନ ନଥିଲେ ବିଶ୍ଵାସ ଉଗ୍ର ହୁଏ, ଭକ୍ତି ଦାୟିତ୍ଵହୀନ ହୁଏ । ଜୀବନ ଶ୍ରଦ୍ଧାହୀନ ଏବଂ ଉତ୍ତେଜିତ ହୋଇ ରହିବାଲାଗି ଅନେକ ପ୍ରଶ୍ରୟ ପାଇଥାଏ । ଅନେକ ତଥାକଥିତ ଜ୍ଞାନୀ ଗୁରୁବି ଅନେକ ସଂଖ୍ୟାରେ ଅଛନ୍ତି ଯେଉଁମାନେ ଭକ୍ତି ସହିତ ଜ୍ଞାନର କଥା କହିବାକୁ ଅର୍ଥାତ୍ ଭକ୍ତି ସହିତ ଜ୍ଞାନର ପ୍ରେରଣା ଦେବାକୁ ପ୍ରମାଦ ମଣନ୍ତି ଓ ଜ୍ଞାନ ଲାଗି ଶ୍ରଦ୍ଧା ଜନ୍ମିଲେ ଭକ୍ତି ବିପଥଗାମୀ ହୋଇଯିବ ବୋଲି ମଧ୍ୟ କହିଥାନ୍ତି । ଜ୍ଞାନ ସଂଯୁକ୍ତ ହୋଇଥିଲେହିଁ ଭକ୍ତିରେ ଏକ ଯଥାର୍ଥ ସଚଳତା ସମ୍ଭବ ହୁଏ । ଜ୍ଞାନ ସହିତ ସଂଯୁକ୍ତ ହୋଇ ରହିଥିଲେ ମଣିଷର ଭକ୍ତି ଏପରି ଏକ ସୋପାନରେ ଯାଇ ପହଞ୍ଚେ, ଯେଉଁଠାରେ ଜ୍ଞାନ ଓ ଭକ୍ତି ମଧ୍ୟରେ ଆଦୌ କୌଣସି ତାରତମ୍ୟ ରହେ ନାହିଁ; ଯେଉଁଠି ଜ୍ଞାନ ବିଷୟରେ କୌଣସି କାତରତା ରହେନାହିଁ ଅଥବା ଭକ୍ତି ବିଷୟରେବି କୌଣସି ଆତୁରତା ରହେନାହିଁ । ଜ୍ଞାନ ଓ ଭକ୍ତି ସେତେବେଳେ ଜୀବନରହିଁ ଦୁଇ ସଙ୍ଗୀ ହୋଇ ରହନ୍ତି । ଭକ୍ତି ଉଦ୍ୟତ କରେ, ଜ୍ଞାନ ବିନୟ ଆଣିଦିଏ, ଜ୍ଞାନ ଅନ୍ୟ ସମସ୍ତଙ୍କ ସହିତ ସଂଯୁକ୍ତ କରି ରଖେ ଏବଂ ଭକ୍ତି ସମସ୍ତଙ୍କର ଅନ୍ତର ଭିତରକୁ ବାଟ ଦେଖାଇଦିଏ । ଜ୍ଞାନ ଓ ଭକ୍ତି ଏକାଠି ମିଶିଲେ ଜୀବନରେ କର୍ମଦ୍ଵାରାହିଁ ପ୍ରତିବିମ୍ବିତ ହୋଇ ଉଠନ୍ତି । ସେତେବେଳେ ଯାଇ କର୍ମ ଏକ ଜଞ୍ଜାଳର ସୋପାନରୁ ମୁକ୍ତ ହୋଇ ଏକ ଅନୁରାଗ ମାର୍ଗରେ ପରିଣତ ହୁଏ ।

 

୨୮ । ୭ । ୮୧

 

ମୁଁ ଆହୁରି ଚୁପ୍ ହୋଇ ରହିବି,–ସାବଧାନ ବା ସତର୍କ ହୋଇ ନୁହେଁ, ଆହୁରି ନୀରବ ହୋଇରହିବି । ଆଦୌ କୌଣସି କୋଳାହଳ କରିବି ନାହିଁ । ମୋ’ର ଅସଲ ଖିଅଗୁଡ଼ାକ ଯେପରି ମୋଟେ ବାହାରକୁ ଦେଖା ନଯିବ । ମୁଁ ଯେ କୋଉଠି ଶରଣ ପାଇଛି, କାହାର ପାଦ ଛୁଇଁ ପାରିଛି, ସେ ବିଷୟରେ ମୁଁ ଯେପରି କୌଣସି କୋଳାହଳ କରିବିନାହିଁ । ବାହାରେ ମୋତେ ସମସ୍ତେ ଏହିପରି ଚଗଲା ବୋଲିହିଁ କହୁଥାନ୍ତୁ;–ମାତ୍ର, ଭିତରେ ମୁଁ ଯେ ଏକ ବରଦ ଆକାଶର ଅଭୟ ତଳେ ନିର୍ଭୟ ହୋଇ ବାଟ ଚାଲି ପାରୁଛି, ଏହି ଦିନ ଓ ଏହି ରାତି ସହିତ ମୋ’ର ଯେ ଏକ ସଞ୍ଜୀବନକାରୀ ଖିଅ ସର୍ବଦା ଲାଗି ରହିଛି,–ଏଠି ଯେ ମୋ’ ସହିତ ତଥାକଥିତ ଜୀବନଧାରୀ ଓ ନିର୍ଜୀବ ସମସ୍ତେ କଥାବାର୍ତ୍ତା ହୋଇ ପାରୁଛନ୍ତି, ଏ ବିଷୟରେ ମୁଁ ଯେପରି ଆଦୌ କୌଣସି କୋଳାହଳ ନକରେ । ମୋ’ ବାହାରୁ ଯେପରି ଏଗୁଡ଼ାକର କୌଣସି ଖବର ନମିଳୁ ।

 

ନୀତି ଖୋଜୁଥିବା ମଣିଷ ମୋ’ ଭିତରେ ସିଏ ବୁଝିଲାଭଳିଆ ଆଦୌ କୌଣସି ନୀତି ଥିବାପରି ଠାବ ନପାଉ, ସଙ୍ଗତି ଖୋଜୁଥିବା ମଣିଷ ଆଦୌ କୌଣସି ସଙ୍ଗତି ନଦେଖୁ । ସୂତ୍ର ଦେଇ ସବୁ ବୁଝିବାକୁ ଚେଷ୍ଟା କରୁଥିବା ସୁଧୀମାନେ ମୋତେ ସକଳ ସୂତ୍ରନିପାତର ବାହାରେ ବୋଲି କହି ପ୍ରତ୍ୟାଖ୍ୟାନ କରନ୍ତୁ । ମୁଁ ଏହିପରି ଭାବରେ ଯାବତୀୟ କୋଳାହଳର ବାହାରେ ମୋ’ ନିଜ ଶ୍ରଦ୍ଧାଗୁଡ଼ିକର ଅନ୍ତରଙ୍ଗତା ମଧ୍ୟରେ ସବୁଦିନେ ରହି ପାରିବାକୁ ସମର୍ଥ ହୁଏ । ଏବଂ, ଏଣେ ମୋ’ର ଝରକା ଓ କବାଟଗୁଡ଼ାକ ସମ୍ପୂର୍ଣ୍ଣ ଭାବରେ ଖୋଲା ହୋଇ ରହିଥାଉ;– ଯିଏ ବନ୍ଧୁ ହୋଇ ମୋ’ ପାଖକୁ ଆସିବାକୁ ଇଚ୍ଛା କରୁଛି, ତା’ଲାଗି ମୋ’ ଜୀବନରେ କିଛିହେଲେ ବାରଣ ହୋଇ ନରହୁ ।

 

୨୯ । ୭ । ୮୧

 

ଆମ ଦେଶ ଏତେ ଏତେ ଦେଶର ସମକକ୍ଷ ହେବ, ବଡ଼ ହେବ, ବିଖ୍ୟାତ ହେବ ବୋଲି ଯେଉଁମାନେ ଭାରି ଉଲ୍ଲାସର ସହିତ କହି ବୁଲୁଥାନ୍ତି ସେମାନେ ହୁଏତ ଆପଣା ପିଲାମାନଙ୍କର କଥା ଭାବୁଥାନ୍ତି । ଆମ ଦେଶର ଭବିଷ୍ୟକୁ ଏଡ଼େ ବଡ଼ କରି ଗଢ଼ିବେ ବୋଲି ଯେଉଁମାନେ ସ୍ଵପ୍ନ ଦେଖୁଥାନ୍ତି, ସେମାନେ ଅଧିକାଂଶ କ୍ଷେତ୍ରରେ ଆପଣା ପିଲାଙ୍କର ବା ଆପଣା ଭବିଷ୍ୟରହିଁ ସ୍ଵପ୍ନ ଦେଖୁଥାନ୍ତି । ଦେଶରେ ଯେ ଏତେ ପିଲା ଅଛନ୍ତି ଓ ଏତେ ମଣିଷ ଅଛନ୍ତି, ସେମାନେ ମୋଟେ ସେସବୁ ଭାବନ୍ତି ନାହିଁ ।

 

ଦେଶକୁ ଉପରଆଡ଼ୁ ତଳକୁ ନୁହେଁ, ତଳୁ ଉପର ଆଡ଼କୁ ତିଆରି କରିବାକୁ ହୁଏ । ଆଗ ମୂଳଦୁଆଟିକୁ ଗଠନ କରିବାକୁ ପଡ଼େ । ଅର୍ଥାତ୍, ସବୁ ମଣିଷଙ୍କର ବିଚାର କରିବାକୁ ପଡ଼େ । ସବୁ ମଣିଷଙ୍କୁ ସ୍ଵୀକାର କରିବାକୁ ପଡ଼େ । ଆମ ଦେଶରେ ଏବେ ମଧ୍ୟ ସମ୍ପନ୍ନମାନେ ସେପରି ଚିନ୍ତା କରି ନାହାନ୍ତି । ଦେଶ, ଭବିଷ୍ୟ, ସମୃଦ୍ଧି ଓ ସଂସ୍କୃତି କହିଲେ ସେହି ଉପରସ୍ତରର କେତେଟା ଆଡ଼ମ୍ବର ଓ ଅତିକରଣକୁହିଁ ବୁଝାଉଛି । ଅନେକ ଅନେକ ମଣିଷଙ୍କୁ ଦାରୁଣତମ ହତାଦର ଦେଖାଇ ସେସବୁ ହେଉଛି । ଆମେ ଦଳେ ବଡ଼ ଓ ଆହୁରି ବଡ଼ ହେବାର ସ୍ଵପ୍ନ ଦେଖୁଛୁ, ଆହୁରି ଉପରକୁ ଯିବାକୁ ସ୍ଵପ୍ନ ଦେଖୁଛୁ, ତଳିଗୁଡ଼ାକ ଛାଡ଼ି ଛାଡ଼ି ଯିବାରେ ଲାଗିଛି । ତେଣୁ ଦେଶଟାଯାକ ସବୁଠାରେ ମଣିଷ ମଣିଷ ଭିତରେ ଏପରି ଫାଙ୍କଫାଙ୍କ ହୋଇ ରହିଛି । ମଣିଷ ମଣିଷଠାରୁ ଦୂରଛଡ଼ା ହୋଇ ରହିଛି, ମଣିଷ ମଣିଷକୁ ପଶୁପରି ଦେଖୁଛି, ପଶୁପରି କାମରେ ଲଗାଉଛି । ତେଣୁ, ବର୍ବରତାମାନ ଭାରି ପ୍ରଶ୍ରୟ ପାଉଛନ୍ତି । ଆତ୍ମୀୟତା ଅସ୍ଵୀକୃତ ହୋଇ ରହିଛି, ଏଇଟାକୁ କ’ଣ ଦେଶ ବୋଲି କହନ୍ତି ?

 

୩୦ । ୭ । ୮୧

 

ମନ ଲାଗୁନାହିଁ, ଅର୍ଥାତ୍ ଯେଉଁପରି ପରିବେଶଟିଏ ରହିଥିଲେ ମନ ଲାଗୁଥାନ୍ତା, ମୁଁ ଅଧିକାଂଶ ସମୟରେ ସେହି ପରିବେଶଟିକୁ ପାଇ ପାରୁନାହିଁ । ସେହିପରି ଏକ ପରିବେଶ ଲାଗି ଲଢ଼େଇ କଲେ ଯେ ସେହି ପରିବେଶଟି ମିଳିଯିବ, ସେକଥାବି ନୁହେଁ । ହୁଏତ ସେହି ଲଢ଼େଇରୁହିଁ ଯାହା ସାନ୍ତ୍ଵନା ମିଳିବ ଓ ଲଢ଼େଇ ପରେ ହୁଏତ ଭାରି କ୍ଳାନ୍ତବି ଲାଗିବ । ଏପରିକି, ନିଜ ପାଖରେ ହାରି ଯାଇଥିବା ପରି ମନେ ହେଉଥିବ । ତାହା ଆହୁରି ଅଧିକ କ୍ଷତିକାରକ । ତେଣୁ, ଆପଣା ଭିତରେ ଆପଣା ସହିତ ଆହୁରି ବନ୍ଧୁତା କରିବାକୁ ହେବ । ସତତ ଅସଲ ଥାନଟି ସହିତ ଆହୁରି ଅଧିକ ଦୃଢ଼ ଭାବରେ ଖିଅ ଲଗାଇ ରଖିବାକୁ ହେବ । ବାଟଟି ଯେଉଁଠି ମୋ’ ନିଜ ଭିତରୁ ଆରମ୍ଭ ହୋଇଛି, ଅସଲ ପ୍ରେରଣାଟି ଅସଲ ଖୁସିଟି ମୁଁ ସବାଆଗ ସେହିଠାରୁହିଁ ପାଇବି । କେବଳ ସେହି ପାଇବାର ଯୋଗ୍ୟ ହୋଇ ପାରିଲେ ଯାଇ ହେବ । ଅର୍ଥାତ୍, ଅଧିକରୁ ଅଧିକ ଯୋଗ୍ୟ ହେବାକୁ ପଡ଼ିବ ।

 

ଆହୁରି ଅଧିକ ସ୍ଥିର ହୋଇ ତଥାପି ଏଇଠି ରହିବାକୁ ହେବ । ଆପଣାକୁ କେତେବେଶୀ ବନ୍ଧୁ କରିନେଲେ ଯେ ତାହା ସମ୍ଭବ ହେବ, ତା’ ମୁଁ ନିଜ ଅନୁଭବରୁ ଜାଣେ । ମୁଁ ନିଜ ଘରଟି ଭିତରେ ରହିଛି, ଆପଣାର ଘନିଷ୍ଟତମ ବନ୍ଧୁଟି ପାଖରେ ବସିଛି, ଏହିପରି ଏକ ଅନୁଭବ ସମ୍ଭବ ହେଲେ ଯାଇ ସେକଥା ହେବ । ରଜ୍ଜୁଟି ସେହି ଭିତର ଆଡ଼ୁ ବାହାରର ସବୁକିଛିକୁ ସଂଯୁକ୍ତ କରି ରଖିଛି ଓ ସବୁକିଛିକୁ ଏପରି ଆପଣାର କରି ରଖିଛି, ମୁଁ ଯେପରି ସକଳ ଅବସରରେ ତାହାହିଁ ଅନୁଭବ କରୁଥିବି । ବାବାଜି ହେଲେ ସେହି କଥାଟି ଆଦୌ ସମ୍ଭବ ହେବ ନାହିଁ । ଥିର ହେଲେ ହେବ । ଖୁସି ହେଲେ ହେବ, କୃତଜ୍ଞ ହୋଇ ରହିପାରିଲେ ଯାଇ ହେବ ।

 

୩୧ । ୭ । ୮୧

 

ମୋ’ଲେଖିବାର ମାଧ୍ୟମରେହିଁ ମୁଁ ଆଗକୁ ହାତ ବଢ଼ାଏ । ମୋ’ ଭିତରେ, ସଂସାର ଭିତରେ, ନିତିଦିନର ନାନା ସମ୍ପର୍କ ଭିତରେ ମୁଁ ଯାହାକୁ ଖୋଜୁଛି, ଯାହାଲାଗି ଅଧିକରୁ ଅଧିକ ପ୍ରସ୍ତୁତ ହେଉଛି, ମୋ’ ଲେଖିବାର ମାଧ୍ୟମରେ ମୁଁ ସତେଅବା ତାହାରି ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସିବାପରି ଅନୁଭବ କରିଥାଏ । ସେଇଥିପାଇଁ ଆପଣାକୁ ଦିଏ । ଆପଣାର ଅଧିକ ନିକଟବର୍ତ୍ତୀ ହେବାକୁ ଲେଖେ । ମୋ’ର ଲେଖା ମୋ’ ଭିତରେ, ଅନେକ ଭୟ ଭଙ୍ଗାଏ । ଏହି ସବୁକିଛିକୁ ଏକାଠି ଏକ ସ୍ନେହର ଆଧାର କରି ଧାଡ଼ି ରଖିଥିବା ସୂତ୍ରଟିକୁ ନିଜ ଭିତରେବି ଅନୁଭବ କରିହୁଏ । ତାତିଗୁଡ଼ାକୁ ଊଣା ହୋଇଯାଏ । ସୂତ୍ରଟାକୁ ହରାଇଥିଲେ ଯେଉଁ ଦରିଦ୍ରତା ଓ ଯେଉଁ ଉଗ୍ରତା ମୋତେ କେଡ଼େ ବିକଳ କରି ରଖିଥାନ୍ତା, ମୋ’ ଲେଖା ମୋତେ ସେହି ଦରିଦ୍ରତାରୁ ବଞ୍ଚାଇ ରଖେ ।

 

ଅନେକ ମଣିଷ ଲେଖନ୍ତି ଆପଣାକୁ ଆହୁରି ଏକୁଟିଆ କରି ରଖିବାକୁ । ଆପଣାକୁ ଲୁଚାଇ ରଖିବାଲାଗି ସେମାନେ ଗୁଡ଼ାଏ ଅଳଙ୍କାର ପିନ୍ଧନ୍ତି ଏବଂ ସେହି ମତଲବରେ ଲେଖନ୍ତି । ତେଣୁ, ସେମାନଙ୍କର ଲେଖାଟି ଜରିଆରେ ସେମାନଙ୍କୁ ଧରିବା କାଠିକର ପାଠ ହୋଇ ରହିଥାଏ । ସେମାନେ ନିଜର ଲେଖାକୁ ମୁଖାପରି ବ୍ୟବହାର କରନ୍ତି । ପୁଣି ଆଉକେତେ ଲେଖକ ଅଛନ୍ତି, ଯେଉଁମାନେ ସତେଅବା ଆପଣାଠାରୁ ଆଉକୁଆଡ଼େ ଛାଡ଼ି ପଳାଇବାକୁହିଁ ଲେଖନ୍ତି । ସେମାନେ ଘଡ଼ିକଲାଗି ନିଜ ପାଖରୁ ନିଷ୍କୃତ ପାଇବା ସକାଶେ ଲେଖନ୍ତି । ଭିତରର ବନ୍ଧୁଟିକୁ ଅସ୍ଵୀକାର କରନ୍ତି-। ଅଥବା, ତାକୁ ଭାରି ଭୟ କରୁଥାନ୍ତି । ଏହିସବୁ ମଣିଷଙ୍କ ପାଖରେ ବସିଥିବା ସମୟରେ ତଥାପି ସେମାନଙ୍କ ଠାରୁ ଯୋଜନ ଯୋଜନ ଦୂରରେ ଯାଇ ରହିଥିବା ପରି ମନେ ହୋଇଥାଏ ।

 

୧ । ୮ । ୮୧

 

ବୟସ କମି କମି ଯାଉଛି । କାରଣ ଦୂରତା କମି କମି ଯାଉଛି । ସ୍ପର୍ଶଗୁଡ଼ାକୁ ଆଉ ଖୋଜିବାକୁ ହେଉନାହିଁ, ବହି ପଢ଼ି ବୁଝିବାକୁବି ହେଉନାହିଁ । ସେଗୁଡ଼ାକୁ ମୁଁ ନିଜ ଭିତରେ ଅନୁଭବ କରି ପାରୁଛି, ସେହି ଅନୁଭବ ଭିତରେହିଁ ଜୀବନ ବଞ୍ଚୁଛି । ଏହି ଆଲୋକ, ପବନ ଏବଂ ଆକାଶକୁ ଯେପରି ଭାବରେ ଅନୁଭବ କରିପାରୁଛି, ଠିକ୍ ସେହିପରି ଅତ୍ୟନ୍ତ ସ୍ପଷ୍ଟ ଭାବରେ ।

 

ବୟସ ବଢ଼ିବା ସଙ୍ଗେ ସଙ୍ଗେ ଅନେକ ମଣିଷ ଏପରି ବୁଢ଼ା ହୋଇ ଯାଆନ୍ତି ଯେ, ସେମାନେ କ୍ରମେ ଆଲୁଅ, ପବନ ଓ ଆକାଶର ସ୍ପର୍ଶଗୁଡ଼ିକୁ ମଧ୍ୟ ଅନୁଭବ କରିବାର ଅନୁରାଗ ଓ ସାମର୍ଥ୍ୟଟିକୁ ହରାଇ ବସନ୍ତି । ସେମାନେ ଏଠୁ ଯିବାଟା ବିଷୟରେ ଏତେବେଶୀ ଚିନ୍ତା ଭିତରେ ଭ୍ରମି ରହିଥାନ୍ତି ଯେ, ଏଠାରେ ଯେଉଁସବୁ ସ୍ପର୍ଶ ସେମାନଙ୍କ ଲାଗି ସତତ ଅପେକ୍ଷା କରି ରହିଛି, ତାହାକୁ ଲୋଡ଼ିବାର ସାଧାରଣ ଆକାଂକ୍ଷାଟିକୁ ମଧ୍ୟ ପ୍ରାୟ ହରାଇ ବସନ୍ତି । ସେମାନେ ଏହି ସଂସାରକୁ ମାୟା ବୋଲି କହନ୍ତି,–ନିଜକୁ ମଧ୍ୟ ସେହି ମାୟାର ଖେଳରେ ସତେଅବା ଏକ ଅନିଚ୍ଛୁକ ଖେଳନା ପରି ଅନୁଭବ କରିବାକୁ ଆରମ୍ଭ କରନ୍ତି । ନିଜର ତଥାକଥିତ ମୁକ୍ତି ବିଷୟରେ ସେମାନେ ଏତେବେଶୀ ବ୍ୟସ୍ତ ତତ୍ପର ହୋଇ ରହିବାରେ ଲାଗନ୍ତି ଯେ, ଏଠି ଆଲୋକ, ଆକାଶ ଏବଂ ପବନରୁ କୌଣସି ଆତ୍ମୀୟତା ଅନୁଭବ କରି ପାରନ୍ତି ନାହିଁ । ଏବଂ, ଆତ୍ମୀୟତା ନଥିଲେ କୌଣସି ସ୍ପର୍ଶ ବା ସମ୍ଭବ ହେବ କିପରି ? ମୁଁ ଏପରି ଏକ କାଷ୍ଠବୈରାଗ୍ୟର ଆବଶ୍ୟକତା କେବେହେଲେ ଅନୁଭବ କରିନାହିଁ । ତେଣୁ ଆତ୍ମୀୟତା ବଢ଼ିବାରେ ଲାଗିଛି । ଗଭୀରକୁ ପ୍ରବେଶ କରିବାର ଶ୍ରଦ୍ଧା ରହିଥିଲେ ବାହାରର ପାଚେରୀଗୁଡ଼ାକ ଯେ ସ୍ଵାଭାବିକ ଭାବରେ ଭାଙ୍ଗିଯାଏ, ଅତିକ୍ରମ କରୁଥିବା ସଙ୍ଗେ ସଙ୍ଗେ ସେଗୁଡ଼ାକ ଯେ ଆଉ ମୋଟେ ବାଧା ହୋଇ ଠିଆ ହୁଅନ୍ତିନାହିଁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ମୁଁ ଅଧିକରୁ ଅଧିକ ସେହି କଥାହିଁ ଅନୁଭବ କରୁଛି ।

 

୨ । ୮ । ୮୧

 

ବୁଢ଼ାମାନଙ୍କୁ ବୁଝି ହେଉନାହିଁ, ବରଂ ପିଲାମାନଙ୍କୁ ବେଶ୍ ବୁଝା ହେଉଛି । ବୁଢ଼ାମାନେ ଆଉକିଛି ଚାହୁଁନାହାନ୍ତି । ଯିଏ ଯେଉଁ ଆଟିକାଟିକୁ ଜୀବନସାର କରି ତୁଣ୍ଡରେ କାମୁଡ଼ିଛନ୍ତି, ଆଟିକାଗୁଡ଼ାକ ଭାଙ୍ଗିଗଲେ ମଧ୍ୟ ସେମାନେ ସେଇଗୁଡ଼ାକର ଭଙ୍ଗା ଫନ୍ଦଗୁଡ଼ାକୁ ବେକରେ ଗୁଡ଼ାଇ ହୋଇ ତଥାପି ବୈଷ୍ଣବ ପରି ଦିଶିବେ ବୋଲି ଭାରି ମନ କରିଛନ୍ତି । ତେଣୁ, ସେମାନଙ୍କର ହୃଦୟ ଭିତରେ ହୃଦୟଭରା କପଟ ରହିଛି, ହୃଦୟଭରା ଭୟ ରହିଛି, କୌଣସି ପରିସ୍ଥିତିରେ ମଧ୍ୟ ମୋଟେ ନବଦଳିବା ପାଇଁ ଗୋଟାଏ ଏଡ଼େ ବଡ଼ ଏବଂ ଏଡ଼େ ବିପଜ୍ଜନକ ଜିଦ୍ ମଧ୍ୟ ରହିଛି । ଏବଂ, ବାହାରେ ଗଦାଗଦା ବହି ରହିଛି । ବହିର ସୂତ୍ରଗୁଡ଼ାକୁ ସେମାନେ ଜୀବନର ସର୍ବପ୍ରଧାନ ଅବଲମ୍ବନରୂପେ ଗ୍ରହଣ କରି ନେଇଛନ୍ତି ।

 

ପିଲାମାନଙ୍କୁ ବୁଝି ହେଉଛି । ନୂଆମାନଙ୍କୁ ବୁଝି ହେଉଛି । ସେମାନେ ନିଜ ଭିତରେ ଏବେ ମଧ୍ୟ ତରଳ ରହିଛନ୍ତି, ଇଚ୍ଛୁକ ରହିଛନ୍ତି । ସେମାନେ ନିଜର ଅନେକ ଭିତରେ କୋଉଠି କିଛି ହେଲେ ବିଶ୍ଵାସ ମଧ୍ୟ କରୁଛନ୍ତି । ସେଗୁଡ଼ାକ ବିଷୟରେ ବହିମାନଙ୍କରେ କିଛି ଲେଖା ହୋଇ ନଥିଲେ ମଧ୍ୟ ତଥାପି ସେମାନେ ସେଗୁଡ଼ିକୁ ବିଶ୍ଵାସ କରୁଛନ୍ତି । ବହିଗୁଡ଼ାକୁ ଅବିଶ୍ଵାସ କରୁଛନ୍ତି ପଛକେ, ଆପଣା ଭିତରର ସେହି ଅସଲ ଅସ୍ତିବାଚକତାଟିକୁ ବିଶ୍ଵାସ କରୁଛନ୍ତି । ବାହାରେ କେତେଟା ପିତୁଳାକୁ ପରମ ଭରସା ବୋଲି ଧରି ଭିତରେ ପଥର ହୋଇ ବସିଥିବା ବଡ଼ମାନଙ୍କୁ ସେମାନେ କପଟୀ ବୋଲି ଅତ୍ୟନ୍ତ ସହଜରେ ଚିହ୍ନି ପାରୁଛନ୍ତି, ଲମ୍ପଟୀ ବୋଲି ସନ୍ଦେହବି କରୁଛନ୍ତି ।

 

୩ । ୮ । ୮୧

 

ଦେହ, ପ୍ରାଣ ଓ ମନ,–ଏମାନେ ସବୁବେଳେ ସାଙ୍ଗେ ସାଙ୍ଗେ ରହିଛନ୍ତି । ଅଧସ୍ତନ ଭାବରେ ନାହାନ୍ତି, ଅକିଞ୍ଚନ ଭାବରେବି ନାହାନ୍ତି, ଏକ ଆବଶ୍ୟକ ବୋଝ ଅଥବା ବାଧ୍ୟ ହୋଇ ସହିବାକୁ ପଡ଼ୁଥିବା ଅନର୍ଥ ହିସାବରେ ନାହାନ୍ତି । ଏମାନେ ସମସ୍ତେ ସାଙ୍ଗେ ସାଙ୍ଗେ ଅଛନ୍ତି । ସେହି ଆଲୋକଟିକୁ ସ୍ପର୍ଶ କରି ରହିଛନ୍ତି । ହଁ ବେଳେବେଳେ ଏପରିବି ଲାଗୁଛି ଯେ ସେମାନେ ସେହି ଆଲୋକଟିରେ ପରିଣତ ହୋଇ ରହିଛନ୍ତି । ଏହି ଆଲୋକ ଚିରଦିନହିଁ ସେମାନଙ୍କ ଭିତରେ ରହିଥିଲା । ଅସଲ ସ୍ପର୍ଶଟିକୁ ପାଇ ଅସଲ ସଂକ୍ରମଣଟି ସକାଶେ ତାହା ଭିତରୁ ବାହାରି ବାହାରର ବୃହତ୍‌ଟି ସହିତ ମିଶିଲା । ଜଡ଼କୁ ଶକ୍ତିରେ ପରିଣତ କଲା, ଏବଂ ତୁଚ୍ଛା ଉପେକ୍ଷାଗୁଡ଼ାକୁ ଶ୍ରଦ୍ଧାରେ ପରିଣତ କରିଦେଲା ।

 

ଏଗୁଡ଼ିକୁ ମୁଁ ଆପଣାର ସାଙ୍ଗେ ସାଙ୍ଗେ ବହନ କରି ବାଟ ଚାଲିଛି । ଏମାନେ ସାଙ୍ଗରେ ନଥିଲେ ମୋତେ ହୁଏତ ଅନେକ ସମୟରେ ଗୋଟାଏ ବିଚିତ୍ର ପ୍ରକାରର ଶୁଦ୍ଧିବାଦର ଲାଙ୍ଗୁଳ ଭରି ଏକୁଟିଆ ହୋଇ ରହିବାକୁ ପଡ଼ୁଥାନ୍ତା । ନିଜକୁ ପ୍ରତ୍ୟକ୍ଷ ଭାବରେ ଅନୁଭବ କରି ପାରୁଥିଲେ ମଧ୍ୟ ବହିର ସୂତ୍ରଗୁଡ଼ାକ ଅନୁସାରେ ମୁଁ ତାହାକୁ ମାୟା ବୋଲି କହୁଥାନ୍ତି । ସଂସାରକୁ ମାୟା ବୋଲି କହୁଥାନ୍ତି । ଆଗ ମଣିଷର ମୁହଁଟାକୁ ନଦେଖି, ତା’ର ମୁହଁଟିରୁହିଁ ତାକୁ ନଚିହ୍ନି ମୁଁ ତାହାର ଗୁହଗୁଡ଼ାକୁ ଦେଖୁଥାନ୍ତି ଓ ଗୁହଗୁଡ଼ାକରୁହିଁ ତା’ର ବିଚାର କରୁଥାନ୍ତି । ସବୁ ଘରକୁ ହୁଏତ ଉପେକ୍ଷା କରିବାରେ ଲାଗିଥାନ୍ତି । ଏବଂ ସକଳ ସୌନ୍ଦର୍ଯ୍ୟ ଭିତରେ ରହି ମଧ୍ୟ ତଥାପି ବିରକ୍ତ ଓ ବୈରାଗୀ ହୋଇ ରହିଥାନ୍ତି । ଅତ୍ୟନ୍ତ ଜଡ଼ସଚେତନ ହେବାକୁହିଁ ଆଧ୍ୟାତ୍ମିକତା ବୋଲି କହୁଥାନ୍ତି । ମୁଁ ନିଜ ଭିତରେ କେତେ ଭାଗରେ ବିଭକ୍ତ ହୋଇ ରହିଥାନ୍ତି । ଆକାଶଟା କେତେ ଜାତିର ଭେଦବିଚାରଦ୍ଵାରା ଭାଗ ଭାଗ ହୋଇ ରହିଥାନ୍ତା ।

 

୫ । ୮ । ୮୧

 

ପ୍ରବନ୍ଧ ପାଠ ପରେ ଆଲୋଚନା ହେବାର ଥିଲା । ପ୍ରବନ୍ଧଟି ପାଠ କରାଯାଇ ସାରିବାପରେ ଅଧିକ ସମୟ ପର୍ଯ୍ୟନ୍ତ ଆଲୋଚନା ହେବ; ଏହାହିଁ ପ୍ରବନ୍ଧ ପାଠର ସର୍ବପ୍ରଧାନ ଅଭିପ୍ରାୟ ଥିଲା । ପ୍ରବନ୍ଧ ଏକ ତଥ୍ୟ ବା ସତ୍ୟ ଯୋଗାଇ ଦେଉଥିବା ଓ ତା’ପରେ ସନ୍ତୁଷ୍ଟ କରି ରଖିଥିବା ଅଫିସ୍ ପରି କାର୍ଯ୍ୟ କରିବନାହିଁ, ତାହା ଏକ ଉତ୍‌ପ୍ରେରକ ପରି କାର୍ଯ୍ୟ କରିବ । ଅଧିକ ଭାବିବାକୁ ଅଧିକ ଦେଖିବାକୁ ଏବଂ ଅଧିକ ନିକଟବର୍ତ୍ତୀ ହେବାକୁ ପ୍ରେରଣା ଦେବ । ତାହାହିଁ ସବୁଠାରୁ ବଡ଼ ଲାଭ ହେବ ।

 

ମାତ୍ର, ପ୍ରବନ୍ଧପାଠ ପରେ ପ୍ରାୟ କୌଣସି ଆଲୋଚନା ହେଲାନାହିଁ । ସମସ୍ତେ ଖୁସି ହେଲାପରି ପ୍ରବନ୍ଧଟି ଭାରି ଭଲ ହୋଇଛି ବୋଲି କହିଲେ ଏବଂ ଗୋଟି ଗୋଟି କରି ଘରକୁ ଗଲେ-। ଶ୍ରୋତାମାନେ ସମସ୍ତେ ଓଡ଼ିଆ ଭାଷା ଓ ସାହିତ୍ୟର ଅଧ୍ୟାପକ । ସେମାନଙ୍କୁ ଏପରି ନିଷ୍କ୍ରିୟ ଭାବରେ ଖୁସି ହୋଇ ବିଦାୟ ନେବାର ଦେଖି ମୁଁ ନିରାଶ ହେଲି । ସତେ ଯେପରି କାହାରି ଘରେ ପ୍ରବେଶ କରି ପାରିବାର ଅନୁମତି ନପାଇବା ପରିହିଁ ମନେହେଲା । ଅଧ୍ୟାପକମାନେ ସମ୍ଭବତଃ ସେମାନଙ୍କ ଶ୍ରେଣୀରେ ମଧ୍ୟ ଖାଲି ଏମିତି ବକ୍ତୃତା ଦେଇ ବାହାରି ଆସୁଥିବେ । ସେଠି ମଧ୍ୟ ଗ୍ରନ୍ଥମାନଙ୍କ ପକ୍ଷରୁ ଆଦୌ କୌଣସି ପ୍ରଶ୍ନ ହେଉ ନଥିବ ବା ଶ୍ରେଣୀ ଭିତରେ ବିଷୟଗୁଡ଼ିକର କୌଣସି ଆଲୋଚନା ହେଉ ନଥିବ । ଶୁଣିଲାବାଲା ଓ କହିଲାବାଲାଙ୍କର କୌଣସି ଭେଟ ହେଉନଥିବ । ଏହିପରି ଏକ କୁସଂସ୍କାରକୁ ଅଧ୍ୟାପନା ବୋଲି କହି ଅଧ୍ୟାପକମାନେ କାଳକ୍ରମେ ଆପଣାର ଜିଜ୍ଞାସାକୁ ହରାଇ ବସିଲେଣି । ସେମାନେ ଆଉ କାହାରି ସହିତ ଏକାଠି ବସିବାକୁ ହୁଏତ ଭାରି ଭୟ କଲେଣି, ଏବଂ ଏକାଠି ପରସ୍ପରକୁ ପ୍ରଶ୍ନ ପଚାରି ଗୋଟିଏ ବିଷୟର ଗଭୀରକୁ ପ୍ରବେଶ କରିବା,–ସେହି ରୀତିଟିକୁ ଭାରି ଶୋଚନୀୟ ଭାବରେ ହରାଇ ବସିଲେଣି ।

 

୭ । ୮ । ୮୧

 

ବୋଝ ମୁଣ୍ଡଉପରେ ରହିଛି, ତଥାପି ବୋଝଗୁଡ଼ାକ ବୋଝ ପରି ଲାଗୁନାହିଁ । କାରଣ, ଏହିସବୁ କାର୍ଯ୍ୟର ଦାୟିତ୍ଵକୁ ମୁଁ ନିଜ ଇଚ୍ଛାରେ ଅର୍ଥାତ୍ ନିଜ ଖୁସିରେ ନିଜ ମୁଣ୍ଡ ଉପରକୁ ନେଇଛି । ମୋତେ କେହି ବାଧ୍ୟ କରି ଏହି କାର୍ଯ୍ୟଗୁଡ଼ିକୁ ମୋ’ ଉପରେ ଫୋପାଡ଼ି ଦେଇ ଯାଇନାହିଁ । ତେଣୁ ମୁଁ ମଧ୍ୟ ସେହି କାର୍ଯ୍ୟଗୁଡ଼ିକୁ ଯଥାସମ୍ଭବ ଶୀଘ୍ର ମୋ’ ମୁଣ୍ଡ ଉପରୁ କାଢ଼ି ଫୋପାଡ଼ି ଦେବାକୁ ମୋଟେ ମନ କରୁନାହିଁ । ମୋ’ କାର୍ଯ୍ୟଗୁଡ଼ିକ ମୋ’ ଶ୍ରଦ୍ଧାର ଅନ୍ତର୍ଗତ ହୋଇ ରହିଛି, ଶ୍ରଦ୍ଧାଦ୍ଵାରା ଆପଣାକୁ ପ୍ରସାରିତ କରି ଦେବାର ପର୍ଯ୍ୟାୟଟିର ସେଗୁଡ଼ିକ ଗୋଟିଏ ଗୋଟିଏ ଅଂଶ ହୋଇ ରହିଛି । ତେଣୁ, ମୁଣ୍ଡଉପରେ ତଥାକଥିତ ବୋଝଗୁଡ଼ାକ ଲଦାହୋଇ ରହିଥିଲେ ମଧ୍ୟ ତଥାପି ହାଲୁକା ଲାଗୁଛି, ତଥାପି ଖୁସି ଲାଗୁଛି ।

 

ତେଣୁ, ସକଳ କର୍ମସଂଗ୍ରହ ମଧ୍ୟରେ ମୁଁ କେତେବେଳେ ହେଲେ ଏକୁଟିଆ ବାଟ ଚାଲୁନାହିଁ । ମୋ’ ସହିତ ସର୍ବଦା ଆଉଜଣେ ମଧ୍ୟ ରହିଛି । ସିଏ ମୋ’ ଭିତରେ ରହିଛି । ମୁଁ ତାକୁ ଯେଉଁଠାରେ ମନେ ପକାଉଛି ସିଏ ସେଠି ରହିଛି, ଯେଉଁଠାରେ ତାକୁ ଅନୁଭବ କରୁଛି ସେଠି ରହିଛି । ମୋ’ ବାହାରେବି ରହିଛି, ବାହାର ଆଉ ଭିତରକୁ ସତେଅବା ଏକ ସେତୁପରି ଏକାଠି ଯୋଡ଼ି ରଖିଛି । ହୁଏତ ଠିକ୍ ସେଇଥିଲାଗି ଏହି କାମଗୁଡ଼ାକ କରିସାରିବା ପରେ, ମୋ’ର ତଦ୍ଦ୍ଵାରା କେତେ ଲାଭ ହେବ, ମୁଁ ତାହାର କୌଣସି ହିସାବ କେବେ କରୁନାହିଁ । ହୁଏତ ଏପରିବି ହେଉଛି ଯେ; ଯେଉଁ କାର୍ଯ୍ୟଦ୍ଵାରା ମୋ’ର ଲାଭ ହେବ, କେବଳ ସେହିପରି କାର୍ଯ୍ୟ ଆସି ମୋ’ ପାଖରେ ଜୁଟୁଛି । ମୋ’ ସହିତ ଜଣେ ରହିଛି ବୋଲି ସେକଥା ସମ୍ଭବ ହେଉଛି । ସେଇ ମୋ’ପାଇଁ ସବୁ ବାଛିଦେଉଛି । ମୁହୂର୍ତ୍ତଗୁଡ଼ିକୁ ବାଛି ଦେଉଛି, ଗ୍ରହଣ ଓ ତେଣୁ ବର୍ଜନଗୁଡ଼ିକୁ ମଧ୍ୟ ବାଛିଦେଉଛି । ମୋତେ ନିର୍ଭୟ କରି ରଖିଛି । ଲୋଡ଼ିବା ମାତ୍ରକେ ସର୍ବଦା ଉପଯୁକ୍ତ ସହାୟ ଲାଭ କରୁଥିବା ଜଣେ ଧନୀ କରି ରହିଛି ।

 

୮ । ୮ । ୮୧

 

ମଣିଷର ଅହଂଟା ଯେତିକି ଅଧିକ ବଶକୁ ଆସେ, ତା’ର ଅନୁରାଗ ସେତିକି ବୃଦ୍ଧି ପାଇବାର ପରିସର ପାଏ । ଅହଂଦ୍ଵାରା ପ୍ରକୁପିତ ହୋଇ ରହିଥିବା ପର୍ଯ୍ୟନ୍ତ ମଣିଷ ସଂସାରର ନାନା ଥାନରେ ନାନା କୋଳାହଳ ଭିତରେ ରହିଥାଏ ଓ କେତେ ପ୍ରକାରର ପରାକ୍ରମ ଦେଖାଉଥାଏ ସତ, ମାତ୍ର ସେଥିରେ କୌଣସିଠାରେ ଆଦୌ କୌଣସି ଯଥାର୍ଥ ଅନୁରାଗ ନଥାଏ । ନିଜର କାରାଗାରଗୁଡ଼ାକରୁ ନିଜକୁ ମୁକ୍ତ କରି ସାରିଲେ ଯାଇ ମଣିଷର ଅସଲ ଅନୁରାଗଗୁଡ଼ିକ ମଧ୍ୟ ମୁକ୍ତି ପାଆନ୍ତି ଓ ତା’ପରେ ଯାଇ କାହାକୁ ଯଥାର୍ଥରେ ସ୍ପର୍ଶ କରିବାର ଅବସର ଆସି ପହଞ୍ଚେ । ତା’ ପୂର୍ବରୁ ଭିତରେ ଏକ ମୂଳଭୂତ ବିରକ୍ତିହିଁ ବାହାରେ ସମସ୍ତଙ୍କୁ ନାନା ରଜ୍ଜୁରେ ବାନ୍ଧି ରଖିବାରେ ଓ ତାହାକୁହିଁ ନାନା ପ୍ରସଙ୍ଗରେ ଆଗ୍ରହ ଓ ଅନୁରାଗ ବୋଲି କହିବାରେ ଲାଗିଥାଏ ।

 

ତେଣୁ, ଅନୁରାଗର ପର୍ବଟି ସର୍ବପ୍ରଥମେ ଆପଣାଠାରୁ ଆରମ୍ଭ ହୁଏ । ଆପଣା ଭିତରର ସକଳ ବିରକ୍ତିରୁ ମୁକ୍ତିଲାଭ ହେଲେ ଯାଇ ବାହାରେ ଉତ୍ତେଜନା ଦେଖାଇବାର ଆବଶ୍ୟକତାଗୁଡ଼ାକ ମଧ୍ୟ ଅନାବଶ୍ୟକ ହୋଇପଡ଼େ । ଆଗ ଆପଣାକୁ ସ୍ଵୀକାର କରିନେବାକୁ ହୁଏ, ଆପଣା ପ୍ରତି ସର୍ବଦା ବନ୍ଧୁପରି ଆଚରଣ କରିବାକୁ ହୁଏ, ଜୀବନରେ ସମ୍ବେଦନଶୀଳତାର କ୍ଷେତ୍ରମାନ ବୃଦ୍ଧି ପାଏ, ଆପଣାକୁ ଆପଣାର ବନ୍ଧୁପରି ଲାଗେ । ଯେଉଁମାନେ ଭିତରେ ବିରକ୍ତ ହୋଇ ନିଜପାଖରେ ରୁଷି ବାହାରେ ବାବାଜି ହୁଅନ୍ତି ଓ ସଂସାରର ଉଦ୍ଧାର କରିବାକୁ ଯାଆନ୍ତି, ସଂସାର ସେମାନଙ୍କୁ ଡରିକରି ରହେ । ସେତେବେଳେ ଅନୁରାଗ ମଧ୍ୟ ସୁଦୂରପରାହତ ହୋଇ ରହିଥାଏ । ଅସଲ ଅନୁରାଗୀର ଶରୀରଟା ଉପରେ ମଧ୍ୟ ତାହାର ପ୍ରତିଫଳନ ହୁଏ,–ଅନୁରାଗୀର ଘରଟାଯାକ ସୁସ୍ଥତାର ନିର୍ମଳ ବାୟୁ ଓ ସହଜ ଆଲୋକରେ କେଡ଼େ ହାଲୁକା ହୋଇ ରହିଥାଏ, ସଂସାରଯାକର ସ୍ଵାଗତ କରୁଥାଏ-

 

୯ । ୮ । ୮୧

 

ଭଲ ପାଇବାକୁ ହେଲେ ଅନେକ ଥର ହାରିବାକୁ ହୁଏ । ଭଲ ପାଇବାକୁ ଜିତାଇବାକୁ ହେଲେ ବାରବାର ଆପଣାର ପରାଜୟ ସହିବାକୁ ହୁଏ । ଆପଣାର କେତେ ଅଭିମାନ ବୋଲି ସ୍ଵୀକାର କରିବାକୁ ହୁଏ । ଆପଣାର ଜିଦ୍‌ଟା ଅନୁସାରେ ଯେ ସମସ୍ତ ସଂସାର ଚାଲିବି, ଏହିସବୁ ଧୃଷ୍ଟତାକୁ ନିଜ ଇଚ୍ଛାରେ ଛାଡ଼ି ଆସିବାକୁ ପଡ଼େ ।

 

ଅନେକେ ଭଲ ପାଇବା କହିଲେ ଠିକ୍ ଓଲଟା କଥାଟାକୁହିଁ ବୁଝିଥାଆନ୍ତି । ଭଲ ପାଇବା କହିଲେ ସେମାନେ ଏକ ବିଚିତ୍ର ଉତ୍ତେଜନାକୁ ବୁଝନ୍ତି । ସେହି ଉତ୍ତେଜନତାକୁ ଆପଣାକୁ ଉତ୍ତପ୍ତ କରି ରଖିବାର ପ୍ରାୟ ସର୍ବଶ୍ରେଷ୍ଠ ସାଧନ ବୋଲି ବୁଝନ୍ତି । ଭଲ ପାଇଲେ ଯେ ମଣିଷ ଆପେଆପେ ଚୁପ୍ ହୋଇ ଆସେ, ସେ କଥା ସେମାନେ କେବେହେଲେ ଅନୁଭବ କରି ପାରନ୍ତିନାହିଁ । ଭଲ ପାଇବାକୁ ହେଲେ ଅନେକ ବାଟ ଛାଡ଼ିଦେବାକୁ ହୁଏ, ଆପଣାକୁ ଗୋଟାସୁଦ୍ଧା ମୁକ୍ତ କରି ରଖିବାକୁ ହୁଏ । ଦୁଆରଗୁଡ଼ାକୁ ଖୋଲା ରଖିବାକୁ ହୁଏ । ଅର୍ଥାତ୍, ଆପଣାକୁ ସବାଆଗ ନରଖି ଅନେକ ଅପେକ୍ଷା କରି ଶିଖିବାକୁ ହୁଏ । ଅନେକ ଧୈର୍ଯ୍ୟ, ଅନେକ ବିଶ୍ୱାସ–ଏଗୁଡ଼ାକୁ ବହି ପଢ଼ି ଶିଖା ଯାଏନାହିଁ । ଏଗୁଡ଼ାକୁ ଏକ କୌଶଳରୂପେ ଅବଲମ୍ବନ କରିବା ସମ୍ଭବ ହୁଏନାହିଁ । ଏଗୁଡ଼ାକ ସତେଅବା ଅନ୍ତରର କେଉଁ ପ୍ରେମାକାଂକ୍ଷୀର ନିର୍ଦ୍ଦେଶରେ ଅତ୍ୟନ୍ତ ସ୍ଵାଭାବିକ ଭାବରେ ସମ୍ଭବ ହୁଏ,–ମଣିଷର ସ୍ଵଭାବକୁ ସତେଅବା ଏକ ଅନ୍ୟ ଭୂମି ଉପରେ ଆଣି ଉପସ୍ଥାପିତ କରେ । ସେହି ଭୂମିକୁ ଆସି ସବୁକିଛି ଭଲ ଲାଗେ, ସବୁକିଛି ହାଲୁକା ଲାଗେ । ଆଖିଟା କାହାର ସ୍ପର୍ଶ ବାଜି ବା କେଉଁ ବାସନାର ଜାଦୁ ସ୍ପର୍ଶଦ୍ଵାରା ଭାରି ନିର୍ମଳ ହୋଇଯିବା ପରି ମନେହୁଏ ।

 

୧୦ । ୮ । ୮୧

 

ସଂସାର ଉପରେ ବିଶ୍ଵାସ ଘନିଷ୍ଟ ହେଲେ ସଂସାରକୁ ଭଲ ପାଇହୁଏ । ଜୀବନ ଉପରେ ବିଶ୍ଵାସ ଘନିଷ୍ଟ ହେଲେ ଜୀବନକୁ ଭଲ ପାଇହୁଏ । ମଣିଷ ଉପରେ ବିଶ୍ଵାସ ଘନିଷ୍ଟ ହେଲେ ମଣିଷକୁ ଭଲ ପାଇହୁଏ । ଶିକ୍ଷକର ଛାତ୍ରଉପରେ ରହିଥିବା ବିଶ୍ଵାସ ଘନିଷ୍ଟ ହେଲେ ଶିକ୍ଷକ ଓ ଛାତ୍ର ମଧ୍ୟରେ ଯେଉଁ ସମ୍ବନ୍ଧଟି ପ୍ରତିଷ୍ଠିତ ହୁଏ, ତାହା ଭଲ ପାଇବାର ପରିଧିଟିକୁ ମଧ୍ୟ ସ୍ପର୍ଶ କରିବାର ଶ୍ରଦ୍ଧା ରଖିଥାଏ । ଭଗବାନଙ୍କଠାରେ ବିଶ୍ୱାସ ଘନିଷ୍ଟ ହେଲେ ଭଗବାନଙ୍କୁ ଭଲ ପାଇହୁଏ । ପାଖରେ ଦେଖି ହୁଏ, ପାଖରେ ଅନୁଭବ କରିହୁଏ, ପାଖରେ ସ୍ପର୍ଶ କରିହୁଏ । ସେତେବେଳେ ଅମୂର୍ତ୍ତଗୁଡ଼ାକ ମଧ୍ୟ ଏକାବେଳେକେ ମୂର୍ତ୍ତ ହୋଇ ଆସନ୍ତି । ମୂର୍ତ୍ତଗୁଡ଼ାକ ଆଉ କଦାପି କୌଣସି ପ୍ରକାର ପ୍ରମତ୍ତ ପୌତ୍ତଳିକତା ମଧ୍ୟରେ ନେଇ ଛନ୍ଦିଦେଇ ପାରନ୍ତିନାହିଁ । କୌଣସିଠାରେ ବିଶ୍ଵାସ କରିବାର ଅର୍ଥ ହେଉଛି ଆକର୍ଷିତ ହେବା, ଅତ୍ୟନ୍ତ ସ୍ଵତଃପ୍ରବୃତ୍ତ ଭାବରେ ଆକର୍ଷିତ ହେବା, ପାଖରେ ଯାଇ ବସିବାକୁ ଭଲ ପାଇବା, କୌଣସି ଶଙ୍କା ନରଖି ଆପଣାକୁ ଉନ୍ମୁକ୍ତ କରି ରଖିବା । ଭଲ ପାଇବା ମଧ୍ୟ ଠିକ୍ ଏହି ପ୍ରକ୍ରିୟାଗୁଡ଼ିକୁହିଁ ବୁଝାଏ । ସେଇଥିଲାଗି, ବିଶ୍ଵାସଟି ଅଧିକରୁ ଅଧିକ ଆତ୍ମୀୟତାର ସମର୍ଥ ହେବା ସଙ୍ଗେ ସଙ୍ଗେ ତାହା ଭଲ ପାଇବାରେ ପରିଣତ ହେବାରେ ଲାଗେ । ସେହି ଆତ୍ମୀୟତା ବଢ଼ିଲେହିଁ ମଣିଷ ଯଥାର୍ଥରେ ଧନୀ ହୁଏ, ମାୟାର ମାୟାତ୍ଵଗୁଡ଼ାକ କଟିଯାଏ ।

 

ଏହି ଦିନଟି ଉପରେ ମୋ’ର ଅତ୍ୟନ୍ତ ଘନିଷ୍ଟ ବିଶ୍ଵାସ ରହିଛି । ତେଣୁ ଏହି ସକାଳଟି, ସକାଳର ଏହି ନୀରବତା ଏବଂ ଖୁସିଟି ପାଖରେ ଆସି ବସିବା ମାତ୍ରକେ ଆପଣାକୁ ସତେଅବା କେଉଁ ଆତ୍ମୀୟ ପାଖରେ ବସିଗଲା ପରି ଲାଗୁଛି । ସବୁଟି ପାଖରେ ଆଜି ଆପଣାକୁ ଭାରି ଆତ୍ମୀୟ ପରି ଲାଗୁଛି ।

 

୧୧ । ୮ । ୮୧

 

ଜୀବନର ଯାହାକିଛି ଉପଲବ୍ଧି; ଶାସ୍ତ୍ରର ଭାଷାରେ ତାହା ମୋ’ ଜୀବନରେ ‘ନିଃଶ୍ଵାସବତ୍’ ହୋଇ ରହିପାରିବା ଉଚିତ । ମୋ’ର ଭଲ ପାଇବା, ମୋ’ର ଆନ୍ତରିକତା, ମୋ’ର ଆସ୍ପୃହା ଓ ଆକାଂକ୍ଷା ମୋ’ ଜୀବନର ଯାବତୀୟ ଗତି ଓ ପ୍ରବୃତ୍ତି, ମୋ’ର ସକଳ କର୍ମ ମୋ’ ଜୀବନରେ ଠିକ୍ ନିଃଶ୍ଵାସ ପରି ହୋଇ ରହିଥିବା ଉଚିତ ।

 

ଜୀବନରେ ଭୂଷଣର ପ୍ରୀତି ହୁଏତ କୋଉଦିନରୁ ବିଦାୟ ନେଇ ଗଲାଣି । ସେଇଟା ଯେ ମୋ’ ଭିତରେ କୋଉଦିନ ଥିଲା, ସେକଥାବି ଆଉ ମନେ ପଡ଼ୁନାହିଁ । ଅର୍ଥାତ୍ ସେଗୁଡ଼ାକ ଅତ୍ୟନ୍ତ ସ୍ଵାଭାବିକ ଭାବରେ ମୋ’ଠାରୁ ବିଦାୟ ନେଇ ଚାଲି ଯାଇଛନ୍ତି । ସେଗୁଡ଼ାକୁ ବିଦାୟ ଦେଲାବେଳେ ମୁଁ କୌଣସି ଦୀର୍ଘ ନିଃଶ୍ଵାସ ତ୍ୟାଗ କରିନାହିଁ କିମ୍ବା ସେଗୁଡ଼ାକର ଦାଉରୁ ଆପଣାକୁ ବାହାର କରି ଆଣିବାଲାଗି ମୋତେ ନିଜକୁ ସାଧ୍ୟ କରିବାର ଆଦୌ କୌଣସି କୃଚ୍ଛ୍ର କରିବାକୁ ପଡ଼ିନାହିଁ, ସେଗୁଡ଼ାକ ଯିବା ପୂର୍ବରୁ ମୋତେ କେବେ କୌଣସି ନାତ ମାରିନାହାନ୍ତି ତେଣୁ ସେହି ନାତର ଆଘାତଗୁଡ଼ାକୁ ଜୀବନ ଉପରେ ବହନ କରି ରହିବାର ଦୁର୍ଭାଗ୍ୟଟିକୁ ମଧ୍ୟ ମୋତେ କେବେହେଲେ ଭୋଗିବାକୁ ପଡ଼ିନାହିଁ । ଏହି ସୌଭାଗ୍ୟର କେବଳ ଗୋଟିଏ ବାଟରେହିଁ ପରିଶୋଧ ହୋଇପାରିବ,–ତାହା ହେଉଛି କୃତଜ୍ଞତା । ଏହି ସବୁକିଛିଟା ପାଖରେ, ଜଡ଼ଠାରୁ ଆରମ୍ଭ କରି ମର୍ମଯାଏ ସବୁଟି ପାଖରେ କୃତଜ୍ଞ ରହିବାକୁ ପଡ଼ିବ । କୃତଜ୍ଞ ହୋଇ ରହିବାକୁହିଁ ଜୀବନରେ ସତେଅବା ନିଃଶ୍ଵାସ ପରି ଗ୍ରହଣ କରିବାକୁ ମୋତେ ଏହି ସୌଭାଗ୍ୟଟି ମିଳିଲା ଅଥବା ଏହି ସୌଭାଗ୍ୟଟି ମିଳିଥିବାର ପ୍ରତିଦାନସ୍ଵରୂପହିଁ କୃତଜ୍ଞତାକୁହିଁ ଜୀବନର ଅନ୍ତରତମ ଓ ସ୍ଵାଭାବିକତମ ବାସନା ବୋଲି ଗ୍ରହଣ କରି ପାରିଲି, ସେହି ତର୍କ ଦ୍ଵନ୍ଦ୍ଵରେ ପଡ଼ିବାଲାଗି ମୋ’ର ଆଦୌ କୌଣସି ବେଳ ନାହିଁ ।

 

୧୨ । ୮ । ୮୧

 

ସମ୍ପୂର୍ଣ୍ଣ କୋଳାହଳଶୂନ୍ୟ, ସମ୍ପୂର୍ଣ୍ଣ ସ୍ଥିର, ଅଥଚ ସମ୍ପୂର୍ଣ୍ଣ ପ୍ରସନ୍ନ ସମ୍ପୂର୍ଣ୍ଣ ସକ୍ରିୟ । ମୁଁ ଯାହାକୁ ଖୋଜିଛି, ସିଏ ସତେଯେପରି ମୋ’ର ଆଗରେ ଠିଆ ହୋଇଛନ୍ତି । ଠିକ୍ ସେହିପରି ଏକ ପ୍ରସନ୍ନତା । ଯାହା ହେବ ବୋଲି ମୁଁ ସ୍ଵପ୍ନ ଦେଖୁଛି ଏବଂ ଶ୍ରଦ୍ଧାର ସହିତ ଯେଉଁଟି ଲାଗି ପ୍ରତ୍ୟହ ପ୍ରସ୍ତୁତ ହେବାରେ ଲାଗିଛି, ସତେଅବା ତାହାହିଁ ଫଳବତୀ ହୋଇ ମୋ’ର ଚତୁର୍ଦ୍ଦିଗରେ ରହିଥିବା ପରି ଏକ ସକ୍ରିୟତା । ଏହା ମଧ୍ୟରେ କେଉଁଠି ହେଲେ ସଂଶୟ କିମ୍ବା ଅବସାଦର ଆଦୌ କୌଣସି କାରଣ ନାହିଁ ।

 

ମୋ’ର ଯାବତୀୟ କଥା କେବଳ ଏହି ପ୍ରସନ୍ନତା ଓ ସକ୍ରିୟତାର ଅଧୀନ ହୋଇ ରହିବ-। ଅର୍ଥାତ୍, ମୁଁ ଅତ୍ୟନ୍ତ ସ୍ଵାଭାବିକ ଭାବରେ କେବଳ ସ୍ଥିର ହୋଇ ମୋ’ର ଶ୍ରଦ୍ଧାର ସ୍ଥାନଟିକୁ ଅନୁଭବ କରି ପାରୁଥିବି । ସେହି ଶ୍ରଦ୍ଧାର ବାହାରେ ପୃଥିବୀରେ ଆଉ ଆଦୌ କେହି ନଥିବେ । ଏହି ଶ୍ରଦ୍ଧାର ବାହାରେ ଅଶ୍ରଦ୍ଧା ବୋଲିବି ଆଉ କୌଣସି ବସ୍ତୁ ନଥିବ । ମୋ’ ଶ୍ରଦ୍ଧାର ପଥରେ ଅଗ୍ରସର ହୋଇଯିବା ସଙ୍ଗେ ସଙ୍ଗେ ମୁଁ ଏହି ଜଗତର ଯାବତୀୟ ଅଶ୍ରଦ୍ଧାକୁ କାଟିକାଟି ଯାଉଥିବି । ତେଣୁ, ଯେଉଁମାନେ ଆଗ ଶତ୍ରୁମାନଙ୍କୁ ମାରି ତା’ପରେ ଏହି ଜଗତକୁ ବନ୍ଧୁତାର ପ୍ରତିଷ୍ଠା ଲାଗି ପ୍ରସ୍ତୁତ କରନ୍ତି, ସେମାନଙ୍କ ଭିତରେ ମୁଁ ମୋଟେ ନାହିଁ । ଏହି ଆଲୋକ, ଏହି ପବନ ଏବଂ ଏହି ଆକାଶ ମୋ’ର ଶ୍ରଦ୍ଧାଲାଗିହିଁ ପ୍ରସ୍ତୁତ ହେବାଲାଗି ମୋତେ ସାହାଯ୍ୟ କରୁଛନ୍ତି । ମୁଁ ଯେତିକି ଯେତିକି ଅଧିକ ସ୍ଵାଭାବିକ ଭାବରେ ସେହି ଶ୍ରଦ୍ଧାର ନିକଟବର୍ତ୍ତୀ ହେଉଛି, ମୋ’ ନିଜ ଭିତରେ ମୁଁ ସଂସାରର ଅଧିକରୁ ଅଧିକ ଅଂଶକୁ ଅନୁଭବ କରିବାକୁ ଆରମ୍ଭ କରୁଛି । ଏହି ସଂସାର କ୍ରମେ ମୋ’ର ନିଜ ଘରପରି ଅନୁଭୂତ ହେଉଛି । ତେଣୁ ମୋ’ ନିଜ ଭିତରୁ ମଧ୍ୟ ଅନେକ ଅଶ୍ରଦ୍ଧା କଟି କଟି ଯାଉଛି, ଅଧିକରୁ ଅଧିକ ଦୁଆର ଖୋଲିଯିବାରେ ଲାଗିଛି ।

 

୧୪ । ୮ । ୮୧

 

ସ୍ଵାଧୀନତା ଦିବସ ପାଖ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ଚାରିପାଖରେ ଥିବା ମଣିଷମାନେହିଁ ସବାଆଗ ଦୃଷ୍ଟିଗୋଚର ହୋଇ ଆସୁଛନ୍ତି । ଦୀର୍ଘ ଚଉତିରିଶବର୍ଷର ରାଜନୀତିକ ଚନ୍ଦନପର୍ବ ପରେ ମଣିଷଗୁଡ଼ାକ ପ୍ରଧାନତଃ ଦୁଇ ପ୍ରକାରର ବେଶ ପିନ୍ଧି ଠିଆ ହୋଇଥିବାର ଦେଖା ଯାଉଛନ୍ତି । ଅଧିକାଂଶ ମଣିଷ ତଳେ ଅଛନ୍ତି । ଏବେବି ଭାଗ୍ୟକୁ ଆଦରି ରହିଛନ୍ତି । ନରମାନଙ୍କୁ ନାରାୟଣ ବୋଲି ଏବେବି ବିଶ୍ଵାସ କରୁଛନ୍ତି । ଜଣେ ଜଣେ ନର ହିସାବରେ ନିଜଭିତରେ ମଧ୍ୟ ଚତୁରାୟୁଧ ନାରାୟଣ ରହିଛନ୍ତି ବୋଲି ସେମାନେ କୋଉକାଳୁ ପାସୋରି ସାରିଲେଣି । ଏମାନେ ମୂକ ହୋଇ ବସିଛନ୍ତି । ଆର୍ତ୍ତ ହୋଇ ରହିଛନ୍ତି । ଆଗକୁ ଆଉକିଛି ଆସିବ ବୋଲି ହୁଏତ ଅପେକ୍ଷା ମଧ୍ୟ କରିନାହାନ୍ତି । ଆଉଦଳେ ତୋଷାମଦକୁହିଁ ଶ୍ରୀଭାଜନ ହେବାର ପରମ ମହାବିଦ୍ୟା ଓ ମହୋପଚାର ବୋଲି ଗ୍ରହଣ କରି ନେଇଛନ୍ତି । ଏମାନଙ୍କର ମେରୁଦଣ୍ଡଗୁଡ଼ାକ ଯାଇ ପେଟଭିତରର ଲଟାଗୁଡ଼ାକରେ ପଶିଲେଣି । ଏମାନେ ଚତୁର ପରି ଦେଖା ଯାଉଛନ୍ତି । ଚତୁରତାର ଅବଲମ୍ବନକୁହିଁ ସମୟକୁ ଜିତିବାର ଅନ୍ୟ ନାମ ବୋଲି ମାନି ନେଇଛନ୍ତି ।

 

ନିଜ ଭିତରେ ଥିବା ଦୁଃଖୀ ଅସଲ ମଣିଷଟିକୁ ଲୁଚାଇ ରଖିଛନ୍ତି ଓ ତାକୁ ମାଡ଼ି ବସିଥିବା ବ୍ୟାଧିଟାକୁ ଘୋଡ଼ାଇ ରଖିବେ ବୋଲି ଉପରେ ରାଜଦରବାରମାନଙ୍କରୁ ପାଇଥିବା ପାଟକନାଗୁଡ଼ାକୁ ଗୁଡ଼ାଇ ବସିଛନ୍ତି । ଉପରକୁ ଭାରି ଚହଟ ଓ ଚିକଣ ଦେଖାଯିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଭିତରେ ଏମାନଙ୍କୁ ଅଶେଷ ପ୍ରକାରର ଧ୍ଵଜଭଙ୍ଗ ଘାରିଛି ।

 

ତେଣୁ ସ୍ଵାଧୀନ ମଣିଷମାନେ କାହାନ୍ତି ? ଦୈତ୍ୟବିନାଶକାରୀ ନରସିଂହ କାହାନ୍ତି ? ଏଠି ଖୁଣ୍ଟ ପାଲଟି ଯାଇଥିବା ମଣିଷମାନଙ୍କ ଭିତରେ ସିଏ ରହିଛନ୍ତି ବୋଲି ଅନ୍ତର୍ଗତ ନିର୍ଭର ସହିତ କହି ପାରୁଥିବା ଜୀବନଭକ୍ତ ଓ ଶକ୍ତିନିଷ୍ଟ ପ୍ରହ୍ଲାଦମାନେବି କାହାନ୍ତି ?

 

୧୫ । ୮ । ୮୧

 

ଆମେ କେହି ଏହି ପୃଥିବୀରେ ଚିରଦିନ ଲାଗି ରହିବାନାହିଁ । ଆମକୁ ଦିନେ ନା ଦିନେ ଏହି ପୃଥିବୀ ଛାଡ଼ି ଚାଲିଯିବାକୁ ହେବ । ଏକଥା ମଣିଷମାନେ ଅନେକ ଆଗରୁ କହି ଯାଇଛନ୍ତି । ସେମାନେ ସେଥିଲାଗି ଏହି ପୃଥିବୀର ଜୀବନକୁ ମାୟା ବୋଲି କହିଛନ୍ତି । ମାୟାକୁ କାଟି ସତ୍ୟ ପାଖକୁ ଆସିବାର ଉଦ୍‍ବୋଧନ ଦେଉଛନ୍ତି ।

 

ଏଥିରେ କୌଣସି ସନ୍ଦେହ ନାହିଁ ଯେ, ମାୟାକୁ କାଟିବାକୁହିଁ ପଡ଼ିବ । ଅଳପକୁ କାଟିବାକୁ ପଡ଼ିବ, ଅହଂର କାନ୍ଥଗୁଡ଼ାକୁ କାଟିବାକୁ ପଡ଼ିବ । ମାତ୍ର ଅହଂ, ମାୟା ଓ ଅଳପକୁ କାଟି ଆଉ କୁଆଡ଼େ ବାହାରକୁ ପଳାଇଯିବାକୁ ପଡ଼ିବନାହିଁ । ଅହଂକୁ କାଟିବାର ଅର୍ଥ ହେଉଛି ଅହଂର ଉପର ଆବରଣଗୁଡ଼ାକୁ ଭେଦି ଆହୁରି ଯିବା ଓ ସେଠାରେ ଏକ ଆତ୍ମାର ଆବିଷ୍କାର କରିବା, ଅର୍ଥାତ୍ ଏକ ଅଶେଷ ଅଥଚ ସହଜ ଆତ୍ମୀୟତାର ଆବିଷ୍କାର କରିବା । ଅଳପକୁ ଛାଡ଼ି ଅଳପର ବାହାରେ ଆଉ କେଉଁଠି ବହୁତ ଅବସ୍ଥିତ ରହିଥିବା ପରି ଆମକୁ ଅଳପକୁ ଛାଡ଼ି ଆଉ କୁଆଡ଼େ ମୋଟେ ପଳାଇଯିବାକୁ ପଡ଼ିବନାହିଁ । ଅଳପର ଗଭୀର ଭିତରକୁ ପ୍ରବେଶ କରି ଆମକୁ ବହୁତର ଓ ଭୂମାର ଆବିଷ୍କାର କରିବାକୁ ହେବ । ମାୟାଭିତରେ ପ୍ରବେଶ କରି ଅନେକ ଗଭୀରରେ ସତ୍ୟର ସ୍ତରଟିକୁ ଛୁଇଁ ପାରିବାକୁ ପଡ଼ିବ । ଆମେ ଯାହାକୁ ନିଜର ଦେଶ ବୋଲି କହୁଛୁ, ତା’ର କେବଳ ଉପରସ୍ଥ ଆବରଣଗୁଡ଼ାକରେ ଛନ୍ଦିହୋଇ ରହିଥିବା ପର୍ଯ୍ୟନ୍ତ ତାହା କେବଳ ବାନ୍ଧି ପକାଇବ, କେବଳ ଅଳପ ଭିତରେ ଭ୍ରମ କରାଇ ରଖିଥିବ, ମାୟାପରି ଗ୍ରାସ କରି ରହିଥିବ । କିନ୍ତୁ ଭିତରକୁ ପ୍ରବେଶ କରି ପାରିଲେ ବହୁତର ଅନୁଭବ ହେବ, ସେଠାରେ ମଧ୍ୟ ଆତ୍ମୀୟତା ବ୍ୟତୀତ ଆଉକିଛି ଦେଖିବାକୁ ମିଳିବ । ଦେଶର ମାଟି ପବିତ୍ର ମାଟିରେ ପରିଣତ ହେବ ।

 

୧୭ । ୮ । ୮୧

 

ଭଗବାନଙ୍କୁ ଖାଲି ମାଗିବାରେହିଁ ସଂସାରଯାକର କେତେକେତେ ମଣିଷ ଜୀବନ ବିତାଇଲେ ! ସେମାନେ ଆପଣାକୁ ସତେଅବା କେତେ ନିଃସ୍ଵ ଓ କେଡ଼େ ଦୟନୀୟ ଦରିଦ୍ର ବୋଲି ମନେ କରୁଥିଲେ କେଜାଣି, ଖାଲି ଭଗବାନଙ୍କ ଠାରୁ ନେଇ ଘର ଭର୍ତ୍ତି କରିବାକୁ ଇଚ୍ଛା କଲେ ଏବଂ ତଥାପି ଆପଣାକୁ ଦରିଦ୍ର ପରିହିଁ ଦେଖିଲେ ।

 

ଶୂନ୍ୟଭାବରେ ଯେଉଁ ପୂର୍ଣ୍ଣଭାବଟିର ପରିଚୟ ଆମକୁ ମିଳି ପାରୁଥାନ୍ତା, ତାହା ଆମ ଦରିଦ୍ରମାନଙ୍କ ଠାରୁ କେଉଁଦିନୁଁ କେତେ ଅନ୍ତରାଳ ହୋଇ ରହିଲାଣି । ମଣିଷ ଭଗବାନଙ୍କୁ ଲୋଡ଼ି ଆପଣା ପାଖକୁ ଫେରିଆସେ, ଆପଣା ଭିତରେ ଭଗବତ ମହିମାର ଆବିଷ୍କାର କରେ, ତା’ପରେ ସିଏ ଆପଣାକୁ ଦେଇଦେବାରେହିଁ ଆପଣାର ଅସଲ ଐଶ୍ଵର୍ଯ୍ୟଟିକୁ ଅନୁଭବ କରେ । ସିଏ କେବଳ ଆପଣାକୁ ଦିଏ । ଦେବାଦ୍ୱାରାହିଁ ଅଧିକରୁ ଅଧିକ ଯୋଗ୍ୟ ହୁଏ । ଯେଉଁ ସମାଜରେ ଅଧିକ ମଣିଷ ଆପଣାର ଖାଲି ଅଖାଗୁଡ଼ାକ ଭର୍ତ୍ତି କରିବେ ବୋଲି ଖାଲି ବୋହିନେବାରେ ଲାଗିଥାନ୍ତି, ଧନ ଓ ଯଶର କାଙ୍ଗାଳ ହୋଇ ରହିଥାନ୍ତି, ସେମାନେ ଶ୍ରଦ୍ଧାରୁ ଅନ୍ତର ହୋଇ ରହିଥାନ୍ତି,–କେବଳ ଆର୍ତ୍ତ ହୋଇ ରହିଥାନ୍ତି । ଭିତରେ ଆର୍ତ୍ତ ରହି ବାହାରେ ଅତ୍ୟାଡ଼ମ୍ବର କରିବାର ଏକ ଦୟନୀୟ ଦୃଷ୍ଟାନ୍ତ ଅନେକ ସମୟରେ ଏହିମାନଙ୍କଠାରୁହିଁ ଦେଖିବାକୁ ମିଳିଥାଏ । ଏମାନଙ୍କଦ୍ଵାରା କୌଣସି ଭଗବତ୍ ପ୍ରତିଷ୍ଠା ହୋଇ ପାରେନାହିଁ । ସେମାନଙ୍କର ଏହି ସଂସାରଟା ମଧ୍ୟ ଭାରି ହୀନମାନ ହୋଇ ରହିଯାଏ । ଲାଳସାଗୁଡ଼ାକ ଅନୁଶୀଳନୀୟ ଗୁଣରୂପେ ସ୍ଵୀକୃତ ହୁଏ । ଏବଂ ତା’ପରେ ମଣିଷଗୁଡ଼ାକ ଭାରି ଲକ୍ଷ୍ମୀଛଡ଼ା ହୋଇ ପରସ୍ପରର ଧନ ଲୁଟିବାରେ ଲାଗିଥାନ୍ତି । ସଂସାର ଭିତରୁ ଭଗବାନ ବହିଷ୍କୃତ ହୋଇ ରହିଥାନ୍ତି ।

 

୧୯ । ୮ । ୮୧

 

ମଣିଷ କ’ଣ ଅଳପ ଚାହୁଁଥାଏ ବୋଲି ଅଳପରେ ସନ୍ତୁଷ୍ଟ ହୋଇଯାଏ ? ବା ଗୋଟାଏ କଥାକୁ ଅତ୍ୟଧିକ ଭାବରେ ଚାହୁଁଥାଏ ବୋଲି ଆଉଗୋଟାକୁ ଅଳପ ଚାହେଁ ? ଆପେ ଆପଣାଲାଗି ଅଧିକରୁ ଅଧିକ ନେବାକୁ ଚାହେଁ ବୋଲ ଆପେ ଦେଲାବେଳକୁ ଅତି ଅଳପ ଭିତରେ ଆପଣାର ଦେବାର ଇଚ୍ଛାଟାକୁ ସୀମାବଦ୍ଧ କରି ରଖିଥାଏ ଓ ଆପଣାକୁ ଅଧିକରୁ ଅଧିକ ଦେବାକୁ ଇଚ୍ଛା କରୁଥିବାରୁହିଁ ସିଏ ଆଉ ନେବାଲାଗି ଅଧିକ ମନ କରିପାରେ ନାହିଁ ? ଆପଣାଠାରୁ ଅଧିକ ଦାବି କରୁଥିଲେ ସଂସାରଠାରୁ ଅଧିକ ଦାବି କରିବାର ଆଗ୍ରହ ରହେନାହିଁ ଏବଂ ନିଜଠାରୁ ଅଳପ ଦାବି କରୁଥିଲେ ସିଏ ସଂସାର ଉପରେ ଅଧିକରୁ ଅଧିକ ଦାବି କରି କୋଳାହଳ କରିବାରେ ଲାଗିଥାଏ ? ଯିଏ ଅଧିକ ନେବାକୁ ଚାହେଁ, ସିଏ ଆପଣା ଭିତରେ ରହିଥିବା କୌଣସି ଏକ ମୂଳଭୂତ ଆଳସ୍ୟକୁହିଁ ଆପଣାର ଅସଲ ଗଣ୍ଠି ପରି ଗ୍ରହଣ କରିଥାଏ । ସେହି ଆଳସ୍ୟ ପାଖରେ ସମ୍ମତ ହୋଇ ରହିବାକୁହିଁ ସିଏ ସୁଖଦ ବୋଲି ଧରି ନେଇଥାଏ ।

 

ଅନେକ ମଣିଷ ଅଛନ୍ତି, ନିଜର ଅନ୍ତରତମ ଅନ୍ତଃପୁରୁଷଟି ମଧ୍ୟ ସେମାନେ ଅନିଚ୍ଛୁକ ହୋଇ ରହିଥାନ୍ତି । ସେମାନେ ତା’ର ରଜ୍ଜୁଗୁଡ଼ାକର ବାହାରେ ବୁଲୁଥାନ୍ତି ଓ ତାହାକୁହିଁ ସ୍ଵାଧୀନ ନିଶ୍ଚିନ୍ତ ଜୀବନ ବୋଲି ମନେ କରୁଥାନ୍ତି । ମୁଁ ସେହି ସ୍ଵାଧୀନତାକୁ କୋଉଦିନୁଁ ତୁଚ୍ଛ କରି ବାହାରି ଆସିଛି । ନିଜ ପାଖରେ ନିଜକୁ ଅଧିକରୁ ଅଧିକ ଦେବା ଓ ବାହାର ପୃଥିବୀରେ ମଧ୍ୟ ନିଜକୁ ଅଧିକରୁ ଅଧିକ ଦେବା ମଧ୍ୟରେ ରହିଥିବା ତଥାକଥିତ ଦ୍ଵନ୍ଦ୍ଵକୁ ମୁଁ କୋଉଦିନୁଁ ଅତିକ୍ରମ କରି ଆସିଛି-

 

୨୦ । ୮ । ୮୧

 

ବଙ୍ଗଳାଦେଶରେ ଆତତାୟୀ ଷଡ଼ଯନ୍ତ୍ରକାରୀମାନେ ଫାଶୀ ପାଇଲେ । ଏମାନେ ସମସ୍ତେ ବର୍ତ୍ତମାନର ଶାସକଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିଥିଲେ ବୋଲି ପ୍ରମାଣିତ ହେଲା । ସେମାନେ ବର୍ତ୍ତମାନର ଶାସକଙ୍କୁ ଗାଦିଚ୍ୟୁତ କରିଥାନ୍ତେ, ଅର୍ଥାତ୍ ତାଙ୍କୁ ଜୀବନରୁ ମାରି ଦେଇଥାନ୍ତେ । ତା’ପରେ ନିଜେ ସେହି ଗାଦିଟିକୁ ଅଧିକାର କରିଥାନ୍ତେ ଓ ବଙ୍ଗଳାଦେଶର ଶାସକ ହୋଇଥାନ୍ତେ ।

 

ବଙ୍ଗଳା ଦେଶରେ ଯିଏ ବର୍ତ୍ତମାନ ଶାସନରେ ଅଛନ୍ତି, ତାଙ୍କର ମୂଳ ଧର୍ମଟି ହେଉଛି ସମରର ଧର୍ମ । ସମରଧର୍ମ ଅନୁସାରେ ସିଏ ରାଜନୀତିର ଧର୍ମକୁ ଅଧର୍ମରୂପେ କାମରେ ଲଗାଇ ଦେଶରେ ସର୍ବେସର୍ବା ହୋଇଛନ୍ତି । ହୁଏତ ଏହାଙ୍କୁ ମଧ୍ୟ ଆଉକିଏ ମାରିବାର ଚକ୍ରାନ୍ତ କରିବାକୁ ଆରମ୍ଭ କରିଦେବଣି । ସେଥିଲାଗି ସେଠାରେ ନ୍ୟାୟର ବିଚାର କେବଳ ଫାଶୀଦ୍ଵାରାହିଁ ହେଉଛି । ମଣିଷ ହତ୍ୟାରେ ସଫଳ ହେଲେ ଯେଉଁ ଭୀରୁମାନଙ୍କୁ ରାଜମୁକୁଟ ମିଳେ ଓ ତା’ପରେ ଯେଉଁମାନେ ଜନଭାଗ୍ୟର ପୌଗମ୍ବର ବା ପରିତ୍ରାଣରୂପେ ପ୍ରତିଷ୍ଠିତ ହୁଏନ୍ତି, ରାଜନୀତିରେ ସେମାନଙ୍କୁ ହୁଏତ କ’ଣ କୁହାଯିବ କେଜାଣି, ମାନବନୀତି ଅନୁସାରେ ଏମାନଙ୍କୁ କେବଳ ସଇତାନ ବୋଲି କୁହାଯିବ । ଏମାନେ କ୍ଷମତାରେ ବିଶ୍ଵାସ କରନ୍ତି, ଅନ୍ଧଗୁଡ଼ାଙ୍କ ଉପରେ ଏକମାତ୍ର ଆଖି ହୋଇ ଶୋଭା ପାଇବାରେ ବିଶ୍ଵାସ କରନ୍ତି । ଏମାନେ ଯୋଉ ଦେଶରେ ଯେଡ଼େ ବଡ଼ ହୋଇ ବସିଥାନ୍ତୁ ପଛକେ, ଏମାନେ ହେଉଛନ୍ତି ଯେକୌଣସି ମହିମାନ୍ଵିତ ଜୀବନଲାଗି ଆତଙ୍କର ପ୍ରତୀକ, ଘାତକତାର ପ୍ରତୀକ । ଆମ ପୃଥିବୀରେ, ଏସିଆ, ଆଫ୍ରିକା ଏବଂ ଲାଟିନ୍ ଆମେରିକାରେ ଗତ ତିରିଶବର୍ଷ ମଧ୍ୟରେ ଅଧିକାଂଶ ଦେଶରେ ଅଭିନୀତ ହୋଇଥିବା ହତ୍ୟା–ରାଜନୀତିଟାକୁ ସମ୍ଭବତଃ ମୁଖ୍ୟତଃ ଏହି ଦୃଷ୍ଟିରୁ ବିଚାର କରିବାକୁ ପଡ଼ିବ । ମଣିଷର ଉଦୟ ଏସବୁ ଦେଶରେ ଏବେ ମଧ୍ୟ ବହୁଦୂରବର୍ତ୍ତୀ ହୋଇ ରହିଛି ।

 

୨୧ । ୮ । ୮୧

 

ଏହି କୋହଲା ପାଗର ଆବେଶଟି ସାରା ଆକାଶକୁ ପୃଥିବୀ ସହିତ ଛୁଆଁଇ ଆଣୁଥିବା ପରି ମୋ’ ମନର ଅଞ୍ଜନ ସତେ ଯେପରି ସ୍ନେହପରି ହୋଇ ସଂସାରର କେତେକେତେ ଘରକୁ ସ୍ପର୍ଶ କରି ଆସୁଛି । ଆଖିକୁ ଆଖି ମଧ୍ୟ ଏହି ସଂସାରରେ ସତେଅବା କେଉଁ ଅଦୃଶ୍ୟ ଅଥଚ, ନିଶ୍ଚିତ ସୂତ୍ରରେ ଲାଗି ରହିଛି । ମୁଁ ଯାହାକୁ ଦେଖି ଏତେ ଆନନ୍ଦ ପାଉଛି, ସତେଅବା ସିଏବି ମତେ ଦେଖି ଏତେ ଆନନ୍ଦ ପାଉଛି । ଅନେକ ସମୟରେ ମଣିଷ ତା’ର ଏହି ଅସଲ ସମ୍ପର୍କଗୁଡ଼ାକୁ ଅନୁଭବ କରି ନପାରୁଥିଲେ ମଧ୍ୟ ସେହି ସମ୍ପର୍କଗୁଡ଼ାକ ତଥାପି ରହିଛି । ସେହି ସମ୍ପର୍କଗୁଡ଼ାକୁ ଚିହ୍ନିବା, ତଥାକଥିତ ବାସ୍ତବତାଠାରୁ ଆହୁରି ଅଧିକ ବାସ୍ତବରୂପେ ଅନୁଭବ କରିବା, ଜୀବନରେ ସମ୍ଭବତଃ ତାହାହିଁ ମଣିଷ ହେବାର ଅସଲ ଯୋଗ୍ୟତା, ଏକ ମଣିଷର ଜୀବନକୁ ବଞ୍ଚିବାର ଅସଲ ଆନନ୍ଦ । ସେହି ଅସଲ ଆନନ୍ଦଟିରୁ ଆଉ ସକଳ ଆନନ୍ଦର ଉତ୍ପତ୍ତି ଓ ସ୍ଫୁରଣ ।

 

ସେହି ସୂତ୍ରଟି ଲାଗିଥିବାରୁହିଁ ବୋଧହୁଏ ସବୁଠାରେ ଏପରି ହାଲୁକା ଲାଗେ, ସବୁ ଘରେ ପ୍ରବେଶ କରି ଏଡ଼େ ଆନନ୍ଦ ଲାଗେ । ଜାତି ବାରି ହୁଏନାହିଁ । ସତେଅବା ଭିତରେ ସଞ୍ଚିତ ହୋଇ ରହିଥିବା କୌଣସି ଚିହ୍ନା ଜାଗା ବା ଚିହ୍ନା ମଣିଷର ଭେଟ ମିଳିଯାଏ । ମୁଁ ଏଠି କାହାରିଠାରୁ ଅଲଗା ହୋଇ ରହିନାହିଁ, ଠିକ୍ ଏହି ଆକାଶ ଓ ଏହି ପୃଥିବୀର ଗଛଲତା ଯେପରି ମୋଟେ କାହାରିଠାରୁ ଅଲଗା ହୋଇ ରହିନାହାନ୍ତି । ଅନେକ ଭିତରେ ଏକର ଅନୁଭବ ଓ ତଜ୍ଜନିତ ଆତ୍ମୀୟତା, ଆମ ଜୀବନର ଏହି ଆଧାରଟିରୁହିଁ ସମ୍ଭବତଃ ଯାବତୀୟ ଆଧ୍ୟାତ୍ମିକ ଅନୁଭବର ମୂଳଦୁଆ ପଡ଼ିଛି ।

 

୨୨ । ୮ । ୮୧

 

ଖାଲି ମଣିଷ ମଣିଷ ଭିତରେ ଖାଇ ନାହିଁ,–ମଣିଷର ନିଜ ଭିତରେ ମଧ୍ୟ କେତେ ଖାଇ ରହିଛି । ସେହି ଗୋଟାଏ ମଣିଷ,–ଭିତରେ ସିଏ ହୁଏତ ଏପାଖରୁ ଅନାଇଲେ ସେପାଖକୁ ଦେଖା ଯାଉନାହିଁ । ଏ ପାଖରୁ ଅନାଇ ସେ ସେପାଖଟାକୁ ଆଦୌ ଚିହ୍ନି ପାରୁନାହିଁ । ଗୋଟାକୁ ଲୁଚାଇ ନରଖିଲେ ହୁଏତ ଆଉଗୋଟାକୁ ଭଲ କରି ଦେଖାଇ ପାରୁନାହିଁ, ସେ ନିଜ ଭିତରେ ପରସ୍ପର ବିରୋଧୀ କେତେକେତେ ଖଣ୍ଡ ରାଜ୍ୟର କଳ୍ପନା ଓ ସର୍ଜନା କରି ରଖିଛି । ଗୋଟାଏ ରାଜ୍ୟରୁ ଲୁଚି ପାରିଲେ ଯାଇ ସିଏ ଆଉ ଗୋଟାଏ ରାଜ୍ୟରେ ବିଚରଣ କରି ପାରିବାର ଭରସା କରିପାରୁଛି । ଏହି କାରଣରୁହିଁ ସିଏ ଆପଣା ଭିତରେ ଦୁଇଖଣ୍ଡ ବା କେତେ ଖଣ୍ଡ ହୋଇ ରହିଛି, ଆପଣାର ଘର ଭିତରେ ସତେଅବା କେତେ ଘର ହୋଇ ରହିଛି ।

 

ନିଜ ଭିତରେ ସେଥିଲାଗି ଆକାଶର ଧ୍ୟାନ କରିପାରିବା ଉଚିତ । ନିଜ ଭିତରେ ଆକାଶକୁ ଦେଖିପାରିବା ଉଚିତ, ଆପଣା ଭିତରେ ରହିଥିବା ଯାବତୀୟ ବିସ୍ତାରକୁ ଗୋଟିଏ ଆକାଶର ସମଗ୍ର ବିସ୍ତାର ମଧ୍ୟରେ ମିଶାଇ ଅନୁଭବ କରିପାରିବା ଉଚିତ । ଆକାଶ ଶୂନ୍ୟ ନୁହେଁ, ଆକାଶ ସମଗ୍ରତାର ପ୍ରତୀକ, ସବୁଟିକୁ ଏକତ୍ର ସମ୍ଭାରି ରଖିଥିବା ସ୍ନେହର ଅର୍ଥାତ୍ ସମ୍ପ୍ରସାରଣର ପ୍ରତୀକ । ନିଜ ଭିତରକୁ ଅନାଇବା ବେଳକୁ ଏହି ଆକାଶଟାହିଁ ଦିଶି ଯାଉଥିବା ଉଚିତ, ଆପଣାର ଏକାନ୍ତ ଆତ୍ମୀୟ ପରି ଦିଶି ଯାଉଥିବା ଉଚିତ । ଆପଣା ଭିତରେ ସବୁଟିକୁ ଏକତ୍ର ଗୋଟିଏ ଅଭୀପ୍ସା ମଧ୍ୟରେ ସମ୍ଭାରି ଧରିଥିବା ଆକାଶ ପରି ଦିଶି ଯାଉଥିବା ଉଚିତ । ତା’ପରେ, ବାହାରେ ମଧ୍ୟ ମଣିଷ ଯାହା ଦେଖିବ, ସିଏ ତାହାକୁ ଆଉ କଦାପି ଖଣ୍ଡଖଣ୍ଡ କରି ଦେଖିବନାହିଁ, ସମସ୍ତଙ୍କୁ ମିଶାଇ ଗୋଟିଏ କରି ଦେଖିବ, ଗୋଟିଏ କରି ଅନୁଭବ କରିପାରିବ ।

 

୨୩ । ୮ । ୮୧

 

ଜୀବନରେ କେତେଟା କଥାକୁ ମାନିଛି ବୋଲି ଆଉ କେତେଟା କଥାରେ ମଣିଷ ଅମାନିଆ ହେବାକୁ ଆବଶ୍ୟକ ମନେ କରିଛି । ଯୋଉ ମଣିଷ ସଂସାର ଭିତରେ ସବୁକିଛିକୁ ମାନେ, ସିଏ ଖୁବ୍‌ସମ୍ଭବ ସତକୁସତ କୌଣସି ଗୋଟିଏ ଜାଗାରେବି ନିଜର ହୃଦୟ ଦେଇ ପାରେନାହିଁ । ସିଏ ନିରାପଦ ହୋଇ ରହିବ ବୋଲି ସବୁକିଛିକୁ ମାନେ । ଏବଂ ଭିତରେ ସବୁକିଛିକୁ ଅସ୍ଵୀକାର କରି ରହିଥାଏ ।

 

ଶୁଣିଛି, ଜଣେ ଭଲ ମଣିଷ କୁଆଡ଼େ ସବୁକଥାକୁ ମାନେ । କାହାରି ପାଖରେ ଅମାନିଆ ହୁଏନାହିଁ । ଯୁଗକୁ ମାନେ, ରାଜତ୍ଵ କରୁଥିବା ହାଉଆଗୁଡ଼ାକୁ ମାନେ, ଯୁଗାସନଗୁଡ଼ାକୁ ଅଧିକାର ବସିଥିବା କର୍ତ୍ତାମାନଙ୍କୁ ମାନେ, ସ୍ଵୀକୃତ ଠାକୁରମାନଙ୍କୁବି ମାନେ । ସେ କାହାରି ପାଖରେ କେବେହେଲେ ଅପରାଧୀ ହୁଏନାହିଁ । ସମ୍ଭବତଃ ସେଇ କାରଣରୁହିଁ ଆପଣା ପାଖରେ ଭାରି ଅପରାଧୀ ହୋଇ ରହିଥାଏ । ନିଜର କଥା ଶୁଣିବାକୁ ତା’ର ମୋଟେ ବେଳ ନଥାଏ । ନିଜର ବିବେକରୁ ସିଏ ପ୍ରାୟ ଏତେଟିକିଏ ସ୍ଵୀକୃତି ଦିଏନାହିଁ । ବିବେକଗୁଡ଼ାକ ତା’ଲାଗି ପ୍ରାୟ ବାହାରୁହିଁ ଆସନ୍ତି । ତାକୁ ଗୋଟାଏ ଭଲ ମଣିଷ ବୋଲି ଦେଖାଇବାର ସାଧନାରେ ତା’ପାଇଁ ସତେଅବା ଲାଗୁଡ଼ ପରି କାର୍ଯ୍ୟ କରୁଥାନ୍ତି । ଏଭଳି ଜଣେ ଭଲ ମଣିଷ ହେବାଲାଗି ମୁଁ କେବେହେଲେ କୌଣସି ଆଗ୍ରହ ଅନୁଭବ କରିନାହିଁ । ମୁଁ ନିଜ ଭିତରେ ଘରଟିଏ ପାଇଛି, ବାଟଟିଏ ପାଇଛି, ତେଣୁ ବାହାରେ ମଧ୍ୟ ଘରଟିଏ ପାଇଛି ବାଟଟିଏବି ପାଇଛି । ଅନ୍ୟମାନଙ୍କର ବାଟକୁ ଚିହ୍ନି ସମ୍ମାନ ଦେଇ ଜାଣିଛି । ଅନ୍ୟମାନଙ୍କର ଘରେ ପ୍ରବେଶ କଲେ ମୋ’ର ଜାତି ଚାଲିଯିବ ବୋଲି ମୁଁ କେବେ କୌଣସି ଆଶଙ୍କା କରିନାହିଁ । ତେଣୁ, ମୋ’ ଜାତି କେବେହେଲେ ଯାଇନାହିଁ । କୌଣସି ଦେବତା ମୋ’ପ୍ରତି କେବେ ଅପ୍ରସନ୍ନ ହୋଇନାହାନ୍ତି । ଦିନ ଓ ରାତି ଉଭୟର ଆଶୀର୍ବାଦ ମୋ’ଲାଗି ଅଜାଡ଼ି ହୋଇ ପଡ଼ିଛି । ଆଲୁଅମାନେ ମୋ’ ଲାଗି କେତେକେତେ ସାନ୍ନିଧ୍ୟ ଆଣି ଯୋଗାଇ ଦେଇଛନ୍ତି, ଅନ୍ଧାରଗୁଡ଼ାକୁ ଆହୁରି କେତେ ଭିତରକୁ ପ୍ରବେଶ କରି ପ୍ରତିଭାମଗୁଡ଼ାକ ପଛରେ ରହିଥିବା ଅସଲଗୁଡ଼ାକର ପରିଚୟ ପାଇବାଲାଗି ମୋଟେ କେତେ ପ୍ରକାରେ ଆମନ୍ତ୍ରଣ କରି ନେଇଛନ୍ତି । ସଂସାରରେ ମୁଁ କେଉଁଠି ହେଲେ କୌଣସି ଛୁଆଁ ବାରିନାହିଁ, ସେଥିଲାଗି ସଂସାରର କୌଣସି ଜିନିଷକୁ ମୁଁ ଅଲୋଡ଼ା ବୋଲି ଛାଡ଼ି ପଳାଇ ଆସିନାହିଁ ।

 

୨୪ । ୮ । ୮୧

 

ଗାଁରେ ଚଢ଼େଇ ଗୀତ ଗାଆନ୍ତି, ଗାଁରେ ଗଛଗୁଡ଼ାକ ମଣିଷର ବନ୍ଧୁ ଭଳି ଦେଖାଯାଆନ୍ତି-। ଗାଁରେ ମଣିଷ ତା’ ପରିବେଶଟି ଭିତରୁ ଅଲଗା ହୋଇ ନ ଥାଏ, ବାହାରୁ ଥାଇ ପରିବେଶଟିକୁ ଆପଣାର କାମରେ ଲଗାଇବାକୁ ଓ ତାହାରିଦ୍ଵାରା ସଫଳ ହେଲା ବୋଲି ଅନୁଭବ କରିବାକୁ ଗାଁର ମଣିଷ ଖୁବ୍‌ବେଶୀ ମନ କରେନାହିଁ । ସହରରେବି ଗଛ ଥାଏ, ମଣିଷର ବରାଦ ଅନୁସାରେ ଗଛଗୁଡ଼ାକ ଧାଡ଼ି ଧାଡ଼ି ହୋଇ ଛିଡ଼ା ହୋଇ କେଡ଼େ ସୁନ୍ଦର ଦେଖା ଯାଉଥାନ୍ତି । ମାତ୍ର, ସେଗୁଡ଼ାକ ଯେପରି ଈଶ୍ଵରଙ୍କ ଇଚ୍ଛାରେ ସେଠି ନାହାନ୍ତି, କେବଳ ମଣିଷହିଁ ଆନନ୍ଦଲାଭ କରିବ ବୋଲି ତାହାରି ଫରମାସ ଅନୁସାରେ ଠିଆ ହୋଇ ରହିଛନ୍ତି, ଅଧିକାଂଶ ସମୟରେ ଠିକ୍ ସେହିପରି ମନେ ହୁଅନ୍ତି-। ତେଣୁ, ସହରରେ ସବୁ ଥାଏ, ତଥାପି କିଛି ନଥାଏ । ଭିତର ସହିତ ବାହାରର, କେନ୍ଦ୍ର ସହିତ ପରିଧିମାନଙ୍କର ସେହି ଅସଲ ଯୋଗସୂତ୍ରଟି ନଥାଏ । ଆତ୍ମୀୟତାଗୁଡ଼ାକ ସେଠି ଅହଂର ସାଜଗୁଡ଼ାକୁ ପିନ୍ଧି କେଡ଼େ ରାଜକୀୟ ଓ କେଡ଼େ ପରିପାଟୀଯୁକ୍ତ ହୋଇ ଦିଶୁଥାନ୍ତି ସତ, ତଥାପି ସେଗୁଡ଼ିକ ଭିତରେ କୌଣସି ଆର୍ଦ୍ରତା ଅଥବା ନମନୀୟତା ନଥାଏ ।

 

ସହରରେ ‘ମୁଁ’ଟାହିଁ ସବୁକିଛିର କେନ୍ଦ୍ର ହୋଇ ରହିଥାଏ । ଗାଁରେ ଏକ ସହଜ ଉନ୍ମୁକ୍ତତା ଭିତରେ ଅହଂଗୁଡ଼ାକୁ କୁଆଡ଼େ କେତେ ବିସ୍ତାର ଭିତରେ ମିଳାଇ ମିଳାଇ ଯାଉଥିବା ପରି ଲାଗେ, ‘ମୁଁ’ଟା ଆହୁରି କେତେ ଆତ୍ମୀୟତା ଭିତରେ ସ୍ଵେଚ୍ଛାରେ ବାନ୍ଧି ହୋଇ କେଡ଼େ ଉଶ୍ଵାସ ହୋଇ ରହିଥାଏ । ଗାଁରେ ଆଖିଗୁଡ଼ାକ ବେଶୀ ଦେଖନ୍ତି, ଗାଁରେ କେତେକେତେ ଅଧିକ ସ୍ପର୍ଶ ସମ୍ଭବ ହୁଏ-। ସେଠି ଡୋରଗୁଡ଼ିକ ମୋଟେ ମାୟାଜାଲ ପରି ଲାଗନ୍ତିନାହିଁ । ଏହିପରି ଗୋଟିଏ ଗାଁରେ ମୁଁ ମୋ’ର ପିଲାସମୟ କଟାଇଥିଲି । ତା’ପରେ ବଡ଼ ହୋଇ ସହର ଦେଖିଲି, କେତେକେତେ ସହରକୁ ଗଲି, ତଥାପି ସେହି ମୂଳ ଆଖିଟିହିଁ ଅସଲ ଆଖି ହୋଇ ରହିଲା, ସେହି ସର୍ବମୂଳ ସହଜତାହିଁ ଅସଲ ଭୂମି ହୋଇ ରହିଲା । ତାହାହିଁ ଅନେକ ସହଜ ପ୍ରବେଶ ଓ ସହଜ ସ୍ପର୍ଶ ଲାଗି ଖୋରାକ ଯୋଗାଇଦେଲା । ନୂଆ ସଂଜ୍ଞାଗୁଡ଼ାକ ପୁରୁଣା ସଂଜ୍ଞାମାନଙ୍କୁ ଗିଳି ପକାଇଲେ ନାହିଁ । ସେମାନେ ପରସ୍ପରକୁ ସମୃଦ୍ଧ କଲେ, ସ୍ଵାଭାବିକ କଲେ ଓ ହୃଦୟଟାକୁ ସତେଅବା ସବୁଦିନ ପାଇଁ ଧର୍ମତଃ ଗ୍ରହଣଶୀଳ କରି ରଖିଲେ ।

 

୧ । ୮ । ୮୧

 

ମୋ’ ବିଷୟରେ ଆଉକାହା ମୁହଁରେ ପ୍ରକାଶ ପାଉଥିବା କୌଣସି ମନ୍ତବ୍ୟ ମୋ’ଲାଗି ଶ୍ରୁତିମଧୁର ନହେଉଥିଲେ ମଧ୍ୟ ତାହାକୁ ତଥାପି ପୂର୍ଣ୍ଣ ସହାନୁଭୂତି ସହିତ ଶୁଣିବା,–ଏଥିଲାଗି ନିଜର ଘରଟି ଉପରେ ଅନେକ ବିଶ୍ଵାସ ରହିଥିବା ଦରକାର, ଅର୍ଥାତ୍ ଆପଣାର ଅନେକ ଗଭୀର ପର୍ଯ୍ୟନ୍ତ ଆପଣାର ସଂସ୍ପର୍ଶ ପରିଚୟ ଦରକାର । ମୁଁ ନିଜେ ନିଜକୁ ଯେପରି ଦେଖୁଛି; ଅନ୍ୟ ସମସ୍ତେ ମୋତେ ଠିକ୍ ସେହିପରି ଦେଖନ୍ତୁ; ଏପରି ଏକ ଦାବି କରି ବସିବା ଓ ନିଜଭିତରେ ତାହାକୁ ନେଇ ପ୍ରାୟ ଅନମନୀୟ ଭାବରେ ମୋଟା ହୋଇ ବସିବା ଏହାକୁ ଅତି କମ୍‌ରେ ଏକ ଅହଂକାର ବୋଲିହିଁ କହିବାକୁ ପଡ଼ିବ । ଅନ୍ୟଜଣେ ତା’ ନିଜର ଦୃଷ୍ଟି ଦେଇ ମୋତେ ଦେଖିବ, ମୁଁ ମଧ୍ୟ ତାହାର ସେହି ନିଜସ୍ୱ ଦୃଷ୍ଟିଟିକୁ ଯଥାସମ୍ଭବ ଅଧିକ ମୋହମୁକ୍ତ ଭାବରେ ବୁଝି ତାହାରି ଅନୁସାରେହିଁ ତା’ର ମନ୍ତବ୍ୟକୁ ବୁଝିବାକୁ ଚେଷ୍ଟା କରିବି । ଏଥିଲାଗି ଆପଣ ଭିତରେ ଦ୍ଵିଖଣ୍ଡିତ ଓ କଳହରତ ହୋଇ ପଡ଼ିବାଲାଗି ଆଦୌ କୌଣସି ପ୍ରୟୋଜନ କଦାପି ରହିବନାହିଁ ।

 

ବେଳେବେଳେ ଆପଣାର ଅସଲ ଦଉଡ଼ିଗୁଡ଼ିକ ଆପଣାର ହାତରେ ନଥିବା ସମୟରେ ସତେଅବା କେବଳ ଆପଣାକୁହିଁ ଏହି ଜଗତର ଏକମାତ୍ର ସାମନ୍ତ ବୋଲି ମନେ ହୋଇଥାଏ । ସେତେବେଳେ ଆପଣା ଘରଟି ମୋଟେ ଯଥେଷ୍ଟ ବୋଲି ମନେ ହୁଏନାହିଁ । ଆପଣା ଭିତରେ ରହିଥିବା ଅସଲ ବନ୍ଧୁଟି ମଧ୍ୟ ମୋଟେ ଯଥେଷ୍ଟ ବୋଲି ମନେ ହୁଏନାହିଁ । ସେତେବେଳେ ପ୍ରତ୍ୟୟପତ୍ରଗୁଡ଼ାକ ଆପଣାର ଚେରଗୁଡ଼ିକୁ ଅନୁଭବ କରିବାଲାଗି ବାହାର ଉପରେ ନିର୍ଭର କରି ରହିଥାନ୍ତି । କେବଳ ମଧୁର ଶୁଣିବାକୁ ସେତେବେଳେ ଭାରି ଭଲ ଲାଗେ, ଆପଣାଲାଗି ଅନ୍ୟମାନେ ପ୍ରୟୋଗ କରୁଥିବା ମଧୁର ବିଶେଷଣଗୁଡ଼ାକ ଆପଣାର ସର୍ବପ୍ରଧାନ ଅଳଙ୍କାର ପରି ମନେ ହେଉଥାନ୍ତି । ଅନ୍ୟମାନଙ୍କ ଆଖିରେ ଆପଣାକୁ ଚିହ୍ନିଲେ ଯାଇ ଆପଣ ଉପରେ କୌଣସି ଭରସା କରିହୁଏ । ନିର୍ବୋଧତାଗୁଡ଼ାକ ଭଅଁ ଭଅଁ ହୋଇ ବାଜିବାରେ ଲାଗିଥାନ୍ତି ।

 

୨୬ । ୮ । ୮୧

 

ଅଗଷ୍ଟ ଛବିଶ ତାରିଖରେ ଆଉ କାହାପାଖରେ କୌଣସି ମହତ୍ତ୍ଵ ଥାଉ ବା ନଥାଉ ପଛକେ, ମୋ’ ପାଖରେ ଅନେକ ମହତ୍ତ୍ଵ ରହିଛି । ଦିନେ ଏକ ଅନୁଷ୍ଠାନକୁ ମଝିରେ ରଖି ଆମେ କେତେଜଣ କେତେ ଉତ୍ସାହରେ ଏହି ଦିନଟିକୁ ପାଳନ କରୁଥିଲୁ । ସେତେବେଳେ ଉତ୍ସାହରେ ଆମ ଲାଗି ସଂସାର ଅଣ୍ଟୁ ନଥିଲା, ବର୍ତ୍ତମାନଟା ଆଦୌ ଯଥେଷ୍ଟ ବୋଲି ମନେ ହେଉନଥିଲା । ପରସ୍ପରର ମୁହଁକୁ ଅନାଇବା ବେଳକୁ ଆମ ପ୍ରତ୍ୟେକଙ୍କୁ ନିଜନିଜକୁ ସତେଅବା ଦେବତାଭିପ୍ରେତ ବୋଲି ମନେ ହେଉଥିଲା । ଜୀବନର କୌଣସି ପ୍ରକୃତ ଅନୁଭୂତି କଦାପି ଯେ ବ୍ୟର୍ଥ ହୋଇ ଯାଏନାହିଁ, ନିଜ ଜୀବନରେ ଏହି ଅଗଷ୍ଟ ଛବିଶର ସାତତ୍ୟରୁ ମୁଁ ସେହି କଥାଟିକୁ ସତ୍ୟ ବୋଲି ଅନୁଭବ କରିଛି ।

 

ଅଗଷ୍ଟ ଛବିଶ କଥା ମନେ ପଡ଼ିଲେ ସବାଆଗ ଅରଣ୍ୟ ମନେପଡ଼େ, ଜୀବନମୟ ନୀଳବର୍ଣ୍ଣ ହୋଇ ଅନାଇ ରହିଥିବା ପାହାଡ଼ମାନେ ମନେପଡ଼ନ୍ତି । ସାଥୀମାନେ ମନେ ପଡ଼ନ୍ତି । ଯେଉଁମାନେ ସାଙ୍ଗରେ ରହିଲେ ଓ ସ୍ମୃତିରେ ରହିଲେ ଓ ଯେଉଁମାନେ ଅଧାବାଟରୁ ମୋଟେ ଛାଡ଼ିଦେଇ ଏକୁଟିଆ ଘରଟାଯାକର ମାଲିକ ହୋଇ ରହିବାକୁ ମନ କଲେ, ସେମାନେ ସମସ୍ତେ ମନେ ପଡ଼ନ୍ତି, ସମସ୍ତେ ସାଥୀରୂପେହିଁ ମନେ ପଡ଼ନ୍ତି । ଆମେ ସମସ୍ତେ ଯେପରି ଏବେ ମଧ୍ୟ ବାଟ ଚାଲୁଛୁ, ଅର୍ଥାତ୍ ଯେପରି ଏବେ ମଧ୍ୟ ପରସ୍ପରକୁ ପାସୋରି ଦେଇନାହୁଁ, ଠିକ୍ ସେହିପରି ଅନୁଭବ ହୁଏ । ତା’ପରେ ଆପଣାକୁ କାହାର ଆଶୀର୍ବାଦ ପାଇଥିଲା ପରି ମନେହୁଏ । ନିଜ ଭିତରକୁ ଅନାଇଲେ ଖାଲି ତାରୁଣ୍ୟଟାହିଁ ଦେଖାଯାଏ । ସଫଳତା ଏବଂ ବିଫଳତା ଉଭୟ ଉପରେ ଯେଉଁ ତାରୁଣ୍ୟ ଅହରହ ଆଧାର ଲୋଡ଼ୁଥାଏ ଓ ମଣିଷ ଲୋଡ଼ୁଥାଏ, ମୁଁ କେବଳ ତାହାରି ବ୍ୟତୀତ ଆଉ କିଛି ନୁହେଁ ବୋଲି ଅନୁଭବ ହୁଏ ଓ ସକଳ ଅନୁଭୂତି କୃତଜ୍ଞ ପ୍ରଣାମଟିଏ ହୋଇ ଆପେଆପେ ବାହାରକୁ ବାହାରିଆସେ ।

 

୨୭ । ୮ । ୮୧

 

ଚମ୍ପତିମୁଣ୍ଡାରେ ମୁଁ କେବଳ ଓଡ଼ିଶାକୁ ବା କେବଳ ଭାରତବର୍ଷକୁ ଅନୁଭବ କରୁନଥିଲି, ମୁଁ ସମଗ୍ର ପୃଥିବୀକୁ ଅନୁଭବ କରୁଥିଲି, ଅର୍ଥାତ୍ ସମଗ୍ର ମଣିଷକୁ ଅନୁଭବ କରୁଥିଲି । ଆମେ ଯେତେ ସ୍ଥାନୀୟ ହୋଇ ଜନ୍ମ ହୋଇଥିଲେ ଓ ଯେତେ ସ୍ଥାନୀୟ ଭାବରେ କାର୍ଯ୍ୟ କରୁଥିଲେ ମଧ୍ୟ ଯଥାର୍ଥରେ ଭୂମିନିଷ୍ଠ ହେବାକୁ ହେଲେ ଆମକୁ ଯେ ଏକାବେଳେକେ ସମଗ୍ର ପୃଥିବୀଟିକୁ ଅନୁଭବ କରି ପାରିବାକୁ ହେବ, ମୂର୍ତ୍ତି ଭିତରେ ମର୍ମଟିକୁ ଅନୁଭବ କରିବାକୁ ହେବ, ଏହି ସତ୍ୟଟିକୁ ମୁଁ ମୋ’ ଜୀବନଯାକ ଅଧିକରୁ ଅଧିକ ସ୍ପଷ୍ଟ ଭାବରେ ଅନୁଭବ କରି ଆସିଛି । ପିଣ୍ଡ ଭିତରେ ବ୍ରହ୍ମାଣ୍ଡକୁ ଦେଖିବାର ତତ୍ତ୍ଵଟି ମଧ୍ୟରେ ସମ୍ଭବତଃ ଏହିଭଳି ଏକ ପ୍ରେରଣା ଅଭିଷିକ୍ତ ହୋଇ ରହିଛି ।

 

ଆମେ ପିଣ୍ଡଟି ଭିତରକୁ ବ୍ରହ୍ମାଣ୍ଡକୁ ଟାଣିବାକୁ ଚେଷ୍ଟା କରି ସାନ ହୋଇ ରହିବାର ଫିସାଦ କରୁ, ଆହ୍ଵାନଗୁଡ଼ିକୁ ନାନାବିଧ ଚିହ୍ନା ଦଉଡ଼ିରେ ବାନ୍ଧି ରଖିବାର ଫିସାଦ କରୁ । ପୃଥିବୀଟାକୁ ଠିକ୍ ଆମରି ଭଳିଆ ଛୋଟ ଓ ତେଣୁ ପ୍ରପୀଡ଼ିତ କରି ରଖିବାର ଫିକର କରୁଥାଉ । ଯଥାର୍ଥ ରୀତିଟି ଠିକ୍ ଓଲଟା ହେଉଥାନ୍ତା । ପିଣ୍ଡ ବ୍ରହ୍ମାଣ୍ଡର ବ୍ୟଞ୍ଜନା ଧରି ବ୍ରହ୍ମାଣ୍ଡ ମଧ୍ୟକୁ ପ୍ରସାରିତ ହୋଇଯାଇ ପାରୁଥାନ୍ତା । ଗୋଟିଏ ପାହାଡ଼ର ମନୋମୁଗ୍ଧକାରୀ ଦୃଶ୍ୟ ଆମ ହୃଦୟର ଆଖି ଅର୍ଥାତ୍ ଅନୁରାଗଗୁଡ଼ିକୁ ଦୃଶ୍ୟ ଓ ଅଦୃଶ୍ୟ ସବୁ ପାହାଡ଼ ଆଡ଼କୁ ଲମ୍ବାଇ ନେଇଯାଇ ପାରନ୍ତା । ମଣିଷର ସ୍ପର୍ଶ, ମଣିଷର ସାନ୍ନିଧ୍ୟ ସବୁ ମଣିଷଙ୍କ ସହିତ ଡୋର ଲଗାଇ ଦେଇପାରନ୍ତା ଓ ଗୋଟାଏ ସମସ୍ୟାର ସମାଧାନ କରିବାକୁ ଯାଇ ଆମେ ଏକାବେଳେକେ ସବୁ ସମସ୍ୟାର ସମାଧାନ ଦିଗରେ ଏକ ଯଥାର୍ଥ ପଦକ୍ଷେପ ମଧ୍ୟ ଗ୍ରହଣ କରି ପାରନ୍ତେ ।

 

୨୮ । ୮ । ୮୧

 

ସଂସ୍କୃତିକୁ ଯେତେବେଳେ ସଙ୍କଟ ପଡ଼େ, ସେତେବେଳେ ଭିନ୍ନ ଭିନ୍ନ ମଣିଷ ଭିନ୍ନ ଭିନ୍ନ ପ୍ରକାରରେ ସେଥିପ୍ରତି ନିଜନିଜର ପ୍ରତିକ୍ରିୟା ଜ୍ଞାପନ କରିଥାନ୍ତି । ଭିନ୍ନ ଭିନ୍ନ ଲୋକସମୂହ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରେ ସେଇଟିପ୍ରତି ନିଜନିଜର ପ୍ରତିକ୍ରିୟା ଜ୍ଞାପନ କରିଥାନ୍ତି । ମାତ୍ର ସାଧାରଣତଃ ଦେଖା ଯାଇଥାଏ ଯେ, ଅଧିକାଂଶ ମଣିଷ ଓ ଅଧିକାଂଶ ସମୂହ ପୁରୁଣାଗୁଡ଼ାକୁ ଆହୁରି ଅଧିକ ବ୍ୟାକୁଳ ଏବଂ ଆହୁରି ଅଧିକ ଜ୍ଵରଗ୍ରସ୍ତ ଭାବରେ ଜାବୁଡ଼ି ରଖି ସେହି ପ୍ରତିକ୍ରିୟାଟି ଜଣାଇଥାନ୍ତି । ସେମାନେ ମୋହଗ୍ରସ୍ତ ହୋଇ ପଡ଼ିଥାନ୍ତି; ଭବିଷ୍ୟ ଆଡ଼କୁ ଅନାଇ ପାରିବାକୁ ସେମାନଙ୍କ ପାଖରେ କୌଣସି ଆଖି ନଥାଏ । କୌଣସି ସାହସବି ନଥାଏ । ସେମାନେ ହୁଏତ କେବେହେଲେ ଆପଣାର କ୍ଷୁଦ୍ର ସଂସ୍କୃତି ଅର୍ଥାତ୍ କ୍ଷୁଦ୍ର ସୂତ୍ରଗୁଡ଼ାକର ପରିଧି ଡେଇଁ ବାହାରକୁ ଯିବାକୁ ଓ ଅଧିକ ଅନୁଭବ କରି ପାରିବାକୁ ମନ କରିନଥାନ୍ତି । ତେଣୁ ଆପଣାର ତଥାକଥିତ ସଂସ୍କୃତି ଭିତରେ ଯେତିକି ଗ୍ରହଣକ୍ଷମ ଓ ବର୍ଦ୍ଧନକ୍ଷମ ଉପାଦାନ ରହିଥିଲା, ସେଇଟିକୁ ମଧ୍ୟ ସେମାନେ ସୁସ୍ଥ ଭାବରେ ଅନୁଭବ କରି ପାରିନଥାନ୍ତି । ସେଗୁଡ଼ିକୁ ସୁସ୍ଥ ଭାବରେ ବଞ୍ଚିପାରିବା ତ ଆହୁରି ଅଧିକ ଦୂରର କଥା ।

 

ଯାହା ଥିଲା, ମୁଁ ତାହାକୁ ଜାବୁଡ଼ି ଧରିଥିଲି ବୋଲି, ତାହାକୁ ନିଜର ଗୋଟାଏ ସମ୍ପତ୍ତି ପରି ମନେ କରୁଥିଲି ବୋଲି ବର୍ତ୍ତମାନର ଏହି ସଙ୍କଟ ଆସି ଉପସ୍ଥିତ ହୋଇଛି । ଏହି ସଙ୍କଟକୁ ଯଥାର୍ଥଭାବେ ଚିହ୍ନି ପାରିବା ସକାଶେ ମଧ୍ୟ, ମୋ’ପାଖରେ ସଂସ୍କୃତି ନାମରେ ଯାହାସବୁ ଗଣ୍ଠିପଡ଼ି ରହିଛି, ମୋତେ ସେଗୁଡ଼ିକର ପୁନରବଲୋକନ କରି ପାରିବାକୁ ହେବ । ତେବେଯାଇ ମୋତେ ଆଉକିଛି ହେବାର ଯୋଗ୍ୟତା ପ୍ରାପ୍ତ ହୋଇ ପାରିବ ।

 

୨୯ । ୮ । ୮୧

 

ଯେଉଁମାନେ ସଂସ୍କୃତିକୁ ଭୋଗ କରିବାକୁ ଚାହାନ୍ତି, ସେଇମାନେହିଁ ସଂସ୍କୃତି ମଧ୍ୟକୁ ଏକ ସାଂଘାତିକ ସଙ୍କଟକୁ ଡାକିନେଇ ଆସିଥାନ୍ତି । ସେମାନେ ଜୀବନଟାକୁ ବଞ୍ଚିବା ବୋଲି ଗ୍ରହଣ ନକରି ସଂଗ୍ରହ କରିବା ଓ ଭୋଗ କରିବା ବୋଲି ଗ୍ରହଣ କରିଥାନ୍ତି, ଦେବା ବୋଲି ଗ୍ରହଣ ନକରି ନେବା ବୋଲି ଗ୍ରହଣ କରିଥାନ୍ତି । ନିଜର ସଂସ୍କୃତି ଭୋଗକୁ ଅନେକ ସମୟରେ ସେମାନେ ମିଛଜାତିତ୍ଵର ଏକ ଭାବନା ସହିତ ମିଶାଇ ଦେଇଥାନ୍ତି, ଜାତିର ନିୟତିଟିକୁ ମଧ୍ୟ ସେମାନେ ମୁଖ୍ୟତଃ ଏକ ଭୋଗର ସାମଗ୍ରୀରୂପେ ଗ୍ରହଣ କରିଥାନ୍ତି । ଆପଣାର ପ୍ରାୟ ସକଳ ଆନ୍ତରିକତା ଦେଇ ସେମାନେ ଏକ ଭାବପ୍ରବଣତା ବ୍ୟୁହ ଭିତରେ ଆପଣାର ଏକ ସ୍ଵତନ୍ତ୍ର ପ୍ରାସାଦ ନିର୍ମାଣ କରି ରହିଥାନ୍ତି ।

 

ଏହିପରି ଏକ ଦୃଷ୍ଟିକୋଣ ପୋଷଣ କରୁଥିବା ଲୋକମାନେ ସାଧାରଣତଃ ଧନବାନ୍ ହୋଇ ରହିଥାନ୍ତି । ଚାରିପାଖରେ ଅଧିକାଂଶ ମଣିଷ ଦରିଦ୍ର ଓ ବଞ୍ଚିତ ହୋଇ ରହିଥିବା ସମୟରେ ସେମାନେ ଅଧିକରୁ ଅଧିକ ଧନବାନ୍ ହୋଇ ପାରିବାକୁହିଁ ବାସ୍ତବ ଭାଗ୍ୟ ବୋଲି ବିଚାର କରୁଥାନ୍ତି-। ଧନବାନ୍ ହେବା ସହିତ ସଂସ୍କୃତିବାନ୍ ହେବାର ସନ୍ତକଟିକୁ ମଧ୍ୟ ମିଶାଇ ଦିଆଯାଇଥାଏ । ମଣିଷପ୍ରତି ଏକ ମୂଳଭୂତ ଘୃଣା ରହିଥିଲେ ଯାଇ ଏକଥା ହୁଏ । ତା’ପରେ ନାଚ, ଗୀତ; ପଥର ଉପରେ କରାଯାଇଥିବା କାରିଗରି, କାଗଜ ଉପରେ ଅଙ୍କା ଯାଇଥିବା ଛବି, ବହିପତ୍ର ଏବଂ ପଣ୍ଡିତ ପଣିଆକୁ ସଂସ୍କୃତି ବୋଲି କୁହାଯାଏ । ଜୀବନ ଦୃଷ୍ଟିରେ ରାକ୍ଷସପଣିଆ ବଢ଼ିବାରେ ଲାଗିଥିଲେ ମଧ୍ୟ ତଥାପି ସଂସ୍କୃତି ବଢ଼ିବାରେ ଲାଗିଛି ବୋଲି ପ୍ରଚାର କରାଯାଉଥାଏ । ବାହାରେ ଅନେକ ଆଡ଼ମ୍ବର ଓ ଅନେକ ହୃଦୟହୀନତା, ଅନେକ ଉପେକ୍ଷା ଓ ଅନେକ ଅଶ୍ରଦ୍ଧାକୁ ସମ୍ବଳ କରି ଭିତରେ ସଙ୍କଟ ବଢ଼ି ବଢ଼ି ଯାଉଥାଏ, ଶୂନ୍ୟତା ବଢ଼ି ବଢ଼ି ଯାଉଥାଏ ।

 

୩୦ । ୮ । ୮୧

 

ସଂସ୍କୃତିର ସର୍ବମୂଳ କଥା ହେଉଛି ମଣିଷ । ମଣିଷହିଁ ତା’ର ସଂସ୍କୃତିକୁ ଗଢ଼େ, ଆପଣାର ଉତ୍ତରୋତ୍ତର ଅଗ୍ରଗତିପଥରେ ସିଏ ଆପଣାର ସଂସ୍କୃତିକୁ ଭୂମିପରି ବ୍ୟବହାର କରେ, ଅନେକ ସମୟରେ ଏକ ଦର୍ପଣ ପରିବି ବ୍ୟବହାର କରିଥାଏ । ସେହି ଦର୍ପଣଟିକୁ ସିଏ ଆହୁରି ଘଷିମାଜି ତାହାକୁ ଆହୁରି ଉଜ୍ଜ୍ଵଳ ଏବଂ ପ୍ରତିଫଳକ୍ଷମ କରି ରଖିବାରେ ଲାଗିଥାଏ, ଯେପରିକି ତାହାରି ଉପରେ ଆପଣାକୁ ସିଏ ଅଧିକ ଅର୍ଥପୂର୍ଣ୍ଣ ଭାବରେ ଦେଖିପାରିବ, ଅଧିକ ଅର୍ଥପୂର୍ଣ୍ଣ ଏବଂ ପ୍ରେରଣାଦାୟକ ଭାବରେ ଯେପରି ସିଏ ସତତ ନିଜର କଳନା କରିବାକୁ ସମର୍ଥ ହେଉଥିବ । ଯେଉଁ ସମାଜରେ ସଂସ୍କୃତିକ୍ଷେତ୍ରର ଏହି ପ୍ରକ୍ରିୟାଟିରେ ଅଧିକରୁ ଅଧିକ ମଣିଷ ସକ୍ରିୟ ଓ ମୁକ୍ତ ଭାବରେ ଅଂଶଗ୍ରହଣ କରି ପାରନ୍ତି, ସେହି ସଂସ୍କୃତିକୁ ମଣିଷର ଅର୍ଥାତ୍ ମାନବତ୍ଵର ସେତେ ଅଧିକ ସହଯୋଗୀ ବୋଲି କୁହାଯାଇ ପାରିବ ।

 

ସଂସ୍କୃତିକୁ ଏହିପରି ଭାବରେ ଦେଖିବା ଓ ଅନୁଭବ କରିବା, ଏହିପରି ଏକ ସମ୍ବନ୍ଧର ଭୂମି ଉପରେ ସଂସ୍କୃତିର ସମ୍ମୁଖୀନ ହେବା, ଆଜି ପ୍ରଧାନତଃ ଏହି କ୍ଷେତ୍ରରେ ଏକ ସଙ୍କଟ ଆସି ଦେଖାଦେଇଛି । ନାନା କାରଣରୁ ଅନେକ ମଣିଷ ଆଜି ସଂସ୍କୃତିକୁ ସତେଅବା ଏକ ସମ୍ପତ୍ତି ପରି ଭାବୁଛନ୍ତି, ଯାହାକୁ କି ଅଧିକାର କରିହେବ, ଭୋଗ କରାଯାଇପାରିବ, ନାନା ମୋହର ଐକାନ୍ତିକ ଉତ୍ତପ୍ତତା ଦେଇ ଦେଇ ଯାହାକୁ ଆଉ ଏକ ସମୂହର ସଂସ୍କୃତି ବା ସମ୍ପତ୍ତିଠାରୁ ଅଧିକ ବଡ଼ ବୋଲି କହି ଗର୍ବବି ଅନୁଭବ କରାଯାଇପାରିବ । ଏହିପରି ଏକ ପ୍ରମାଦ ଭିତରେ ପଡ଼ି ମଣିଷ ନିଜେ କିଛି ହେବା ଅପେକ୍ଷା ଓ ନିଜେ କିଛି ଅନୁଭବ କରିବା ଅପେକ୍ଷା ଆଗ ଅଧିକାର କରିବା ଓ ଗିଳିହୋଇ ରହିବାକୁହିଁ ଅଧିକ ଶ୍ରେୟଃପଦ ବୋଲି ଗଣିବାକୁ ଆରମ୍ଭ କଲାଣି । ଏଇଥିଲାଗିହିଁ ସିଏ ଯଥାର୍ଥ ଯାବତୀୟ ଶ୍ରେୟଃରୁ ଆପଣାକୁ ଏପରି କର୍କଶ ଭାବରେ ବଞ୍ଚିତ କରି ରଖିଛି ।

 

୩୧ । ୮ । ୮୧

 

ଶ୍ରୀଯୁକ୍ତ ଜେ.ପି. ନାୟକ ଚାଲିଗଲେ । ଠିକ୍ ତେଇଶବର୍ଷ ପୂର୍ବେ ତାଙ୍କୁ ଯେତେବେଳେ ମୁଁ ପଶ୍ଚିମଘାଟର ପାଦଦେଶରେ ଥିବା ତାଙ୍କର କର୍ମକ୍ଷେତ୍ରରେ ଭେଟିଥିଲେ ଓ ବେଶ୍ କେତେ ଦିନ ସକାଶେ ତାଙ୍କୁ ତାଙ୍କର ଗୋଷ୍ଠୀଗତ ନାନା କର୍ମର ମଧ୍ୟଦେଇ ଦେଖିବାର ସୁଯୋଗ ପାଇଥିଲି, ସେତେବେଳେ ତାଙ୍କଠାରୁ ପ୍ରକୃତରେ କେତେ ପ୍ରେରଣା ଲାଭ କରିନଥିଲି ! ତା’ପରେ ତାଙ୍କର କାର୍ଯ୍ୟ ରାଷ୍ଟ୍ରକର୍ତ୍ତାମାନଙ୍କର ଦୃଷ୍ଟି ଆକର୍ଷଣ କଲା, ହୁଏତ ଆପଣାର କାର୍ଯ୍ୟକୁ ଏଇ ଅଧିକ ପ୍ରସାର ଭିତରେ ଜ୍ଞାତ କରାଇବାକୁ ସିଏ ନିଜେ ମଧ୍ୟ ରାଷ୍ଟ୍ରକର୍ତ୍ତାମାନଙ୍କ ଆଡ଼କୁ ଆକୃଷ୍ଟ ହେଲେ । ଦିଲ୍ଲୀ ଗଲେ, ବଡ଼ ହେଲେ, ବିଖ୍ୟାତ ହେଲେ, ଥାନରୁ ଥାନକୁ ଗଲେ ସେଗୁଡ଼ିକୁ ନିଜ ଜୀବନର ହୁଏତ କେତେ ଉନ୍ନତି ବୋଲି ଭାବିଲେ । ଆସନ ଉପରୁ ଦେଶର ସେବା କରୁ କରୁ ତା’ପରେ କ୍ରମେ ବୁଢ଼ା ହେଲେ, ତାଙ୍କରି କହିବା ଅନୁସାରେ ଅଧିକରୁ ଅଧିକ ନିରାଶାବାଦୀ ହେଲେ ଆପଣାକୁ ଅଧିକରୁ ଅଧିକ ଅସମର୍ଥ ବୋଲି ଘୋଷଣା କଲେ । ହୁଏତ ଯେଉଁ ଥାନଗୁଡ଼ାକୁ ତାଙ୍କର ଆଦୌ ମନ ବଳାଇବା ଉଚିତ ନଥିଲା, ସେହିସବୁ ଥାନକୁ ମନ ବଳାଇବାରୁହିଁ ସିଏ ଏପରି ଗ୍ଳାନିକର ଭାବରେ ପଥ ସାରିଲେ ବୋଲି ଉପଲବ୍ଧିବି କଲେ ।

 

ତେଣୁ ଆପଣାର ବାଟକୁ ଆହୁରି ଅନ୍ତରଙ୍ଗ ଭାବରେ ଖୋଜି ବାହାର କରିବାକୁ ହୁଏ । ଅନ୍ୟ ବାଟଗୁଡ଼ିକ ପ୍ରତି ଆଦୌ କୌଣସି ଅସୂୟା ନରଖି ଆପଣାର ବାଟଟିକୁ ଖୋଜିବାକୁ ହୁଏ । ସେଥିଲାଗି ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ନିଜ ଭିତରେ ପ୍ରବେଶ କରିବାକୁ ହୁଏ । ନଚେତ୍, ଅନେକ ଖ୍ୟାତି ଓ ଅନେକ ପଦ ମିଳେ ସତ, ଭିତରର ଅସଲ ଫୁଲଟି ଅଲୋଡ଼ା ହୋଇ ମଉଳିଯାଏ, ଭିତରର ଅସଲ ସାଥୀ ଓ ଅସଲ ଯାତ୍ରୀଟି ଅପଚରା ହୋଇ ରହେ, ଅବସନ୍ନ ହୋଇ ବିଦାୟ ନିଏ ।

 

୧ । ୯ । ୮୧

 

ଅଧିକ କାମ ଆସି ଅଧୀର କରିଦେବା ପୂର୍ବରୁ ଠିକ୍ ଏହିପରି ଭାବରେ ସେହି କାମଗୁଡ଼ିକୁ ତୁଲାଇବା ଲାଗି ଯଥେଷ୍ଟ ବଳ ବିଶ୍ଵାସ ଆସି ପହଞ୍ଚି ଯାଉଥିବା ପର୍ଯ୍ୟନ୍ତ ମୋ’ର ଆଉ କୌଣସି ଚିନ୍ତା ନାହିଁ । ଏହି ବଳ ଓ ବିଶ୍ଵାସ ବାହାରୁ ଆସେନାହିଁ, ଭିତରୁ ଆସେ । ବା ସମ୍ଭବତଃ ବାହାରୁହିଁ ଆସେ, ମାତ୍ର ମୁଁ ତାକୁ ନିଜଭିତରେ ଅନୁଭବ ନ କରି ପାରିବା ପର୍ଯ୍ୟନ୍ତ ମୋ’ ଲାଗି ତାହାର କୌଣସି ଅସ୍ତିତ୍ଵହିଁ ନଥାଏ । ବାହାରକୁ ବିଶ୍ଵକୁ ନିଜଭିତରେ ଅନୁଭବ କରିପାରିଲେ ଯାଇ ଆପଣାର ବଳ ବହୁଗୁଣିତ ହୋଇଯାଏ ।

 

ଏହି ବଳ କାର୍ଯ୍ୟଗୁଡ଼ିକ ପ୍ରତି ଏକ ଶ୍ରଦ୍ଧା ଜାତ କରେ । ସେହି ଯାବତୀୟ କାର୍ଯ୍ୟ ଆଉ କଦାପି ଏକ ବୋଝ ପରି ଲାଗେନାହିଁ । ତେଣୁ, ସେହି କାର୍ଯ୍ୟଗୁଡ଼ିକର ସମ୍ମୁଖୀନ ହେବାରେ ଆଦୌ କୌଣସି କ୍ଳାନ୍ତ ଆସେନାହିଁ । ଏପରି କେତେକ ମଣିଷ ଅଛନ୍ତି, ଯେଉଁମାନେ କି ବାଧ୍ୟ ହୋଇ କାମ କରୁଥାନ୍ତି ଓ ଆଠପହରଯାକ କ୍ଳାନ୍ତ ହୋଇ ରହିଥାନ୍ତି । କାମ ସରିଲେ ଯେଉଁ ବିଶ୍ରାମ ମିଳିବ, ସେମାନେ ସର୍ବଦା ତାହାରି ସ୍ଵପ୍ନ ଦେଖୁଥାନ୍ତି । ମୁଁ କୌଣସି କାର୍ଯ୍ୟ ବାଧ୍ୟ ହୋଇ କରିନାହିଁ । ସେହି କାର୍ଯ୍ୟଗୁଡ଼ିକୁ ମୁଁ ମୋ ଜୀବନର ଏକ ସ୍ଵାଭାବିକ ଅଂଶ ପରି ଗ୍ରହଣ କରି କରିଛି । ତେଣୁ, ଯେତିକି କାମ କରିଛି; ଆପଣା ଭିତରେ ସେତିକି ହାଲୁକା ହୋଇଗଲା ପରି ଅନୁଭବ କରିଛି । ଭିତରେ ପାଦଗୁଡ଼ାକ ସେତିକି ଅଗ୍ରସର ହୋଇଗଲା ପରି ମନେ ହୋଇଛନ୍ତି । ମୋ’ର କାମଗୁଡ଼ିକହିଁ ମୋତେ ଯାବତୀୟ କ୍ଳାନ୍ତିରୁ ମୁକ୍ତ କରି ରଖିବାରେ ସବୁଠାରୁ ଅଧିକ ସାହାଯ୍ୟ କରିଛନ୍ତି । ବାହାର ଆଉ ଭିତର ମଧ୍ୟରେ ଏହି ସୌହାର୍ଦ୍ଦ୍ୟ, ତାହାହିଁ ମୋ’ ଜୀବନର ଏକ ବଡ଼ ସୌଭାଗ୍ୟ ।

 

୨ । ୯ । ୮୧

 

ପାଖରେ ପଇସା ନଥିବା ସମୟରେ ମୁଁ କେବେହେଲେ ସେହି କାରଣରୁ ଆପଣାକୁ ଅଳପ ବୋଲି ଭାବିନାହିଁ, ଆପଣାକୁ ମୋଟେ ଅସମର୍ଥ ବୋଲିବି ଭାବିନାହିଁ । ପାଖରେ ପଇସା ଥିବା ସମୟରେ ମଧ୍ୟ ମୁଁ ସେହି କାରଣରୁ ବହୁତ ବୋଲି ଭାବିନାହିଁ କିମ୍ୱା ଅଧିକ ସମର୍ଥ ବୋଲି ଭାବିନାହିଁ । ଏଇ ହାତ ଦେଇ କେତେ ପଇସା ଆସିଛି ଓ କେତେ ପଇସା ଯାଇଛି ସତ, ମାତ୍ର ସେଗୁଡ଼ାକ ହାତମୁଠାରେ ଯାବୁଡ଼ି ରଖିବାକୁ ଏବଂ ତାହାରି ବଳରେହିଁ ଆପଣାକୁ ଅଧିକ ସମ୍ପନ୍ନ ବା ସମର୍ଥ ବୋଲି ଅନୁଭବ କରିବାକୁ ମୁଁ କେବେହେଲେ ନିଜ ଭିତରୁ କୌଣସି ଆବଶ୍ୟକତା ଅନୁଭବ କରିନାହିଁ ।

 

ଜୀବନରେ ପଇସାଠାରୁ ଆହୁରି ଅଧିକ ବଡ଼ ଏକ ଧନର ସ୍ପର୍ଶ ପାଇଲେ ପଇସାକୁ ତୁଚ୍ଛ ମନେ ହୁଏନାହିଁ ସତ, ପଇସା ନହେଲେ ଯେ ମୁଁ ମୋଟେ ବାଟ ଚାଲିପାରିବିନାହିଁ, ସେହି ମୋହଟି ସମ୍ପୂର୍ଣ୍ଣଭାବେ ଦୂର ହୋଇଯାଏ । ମଣିଷ ମଣିଷର ସମ୍ପର୍କ ଭିତରେ ରହିଥିବା ଏକ ଅନ୍ୟ ଆତ୍ମୀୟତାର ପରିଚୟ ପାଇଯିବା ପରେ, ପଇସାଟା ଯେ ଏହି ସମ୍ପର୍କଗୁଡ଼ାକର ସବୁଠାରୁ ବଡ଼ ସନ୍ତକ ସେହି ଅନ୍ଧବିଶ୍ଵାସଟି ମନଭିତରୁ ଏକାବେଳେକେ ତୁଟିଯାଏ । ତା’ପରେ ସଂସାରର କୌଣସି ସମ୍ପର୍କ ଓ କୌଣସି ବନ୍ଧନ ଅନିତ୍ୟ ବୋଲି ମୋଟେ ମନେ ହୁଏନାହିଁ ଓ ପଇସା ବା ସେହିପରି ଆଉକୌଣସି ବଳଦ୍ଵାରା ସେହି ଅନିତ୍ୟବୋଧକୁ ଭୁଲି ରହିବାଲାଗି କୌଣସି ଆବଶ୍ୟକତା ମଧ୍ୟ ରହେନାହିଁ । ଗୁଡ଼ାଏ ପଇସା ପାଖରେ ରଖିବାକୁ ଯଦି ମୁଁ ଜୀବନର ସର୍ବପ୍ରଥମ ଶ୍ରଦ୍ଧାଟିକୁ ବିନିଯୁକ୍ତ କରି ରଖିଥାନ୍ତି; ତେବେ ସେହି ପଇସା ହୁଏତ ମୋ’ର ଚୁଟି ଧରି ମୋତେ ତା’ର ଆପଣା ଗାତଟି ଭିତରେ ବନ୍ଦ କରି ରଖିଥାନ୍ତା । ସଂସାରଟାକୁ ମୁଁ କେବଳ ସେହି ଗାତଭିତରୁହିଁ ଦେଖୁଥାନ୍ତି,–ମୋ’ର ଯାବତୀୟ ଆତ୍ମୀୟତା ସେଇଠାରେ ଅସହାୟ ହୋଇ ପଡ଼ିଥାନ୍ତା ଓ ମୁଁ ଭାରି ଅଳପ ହୋଇ ରହିଥାନ୍ତି ।

 

୩ । ୯ । ୮୦

 

ସମସ୍ତେ କହୁଛନ୍ତି, ଇଏ ସବୁ କ’ଣ ହେଉଛି । ଭକ୍ତି ନାହିଁ, ନାନା ଉଗ୍ର ସାମୂହିକ ଆଦିମତାର ଆଡ଼ମ୍ବର ଚାଲିଛି । ପୂଜା ନାହିଁ କି ଆରାଧନା ନାହିଁ, ଠାକୁରଗୁଡ଼ାଙ୍କୁ ବଜାର ମଝିରେ ବସାଇ ମଣିଷ ସାଧାରଣ ଅବସରଗୁଡ଼ିକରେ ଯାହା କରି ପାରୁନଥାନ୍ତା । ଅତ୍ୟନ୍ତ ଦଂଶନଶୂନ୍ୟ ଭାବରେ ସିଏ ସେଇଗୁଡ଼ାକୁ କରିବାରେ ଲାଗିଛି ଧର୍ମ କେବଳ ମନ୍ଦିରଗୁଡ଼ାକ ପାଖରେ ଯାଇ ରହିଲାଣି । ବାବାଜିମାନଙ୍କ ପାଖରେ ରହିଲାଣି, ଠାକୁରଙ୍କ ନାମରେ ପଇସା ଖରଚ କରି ଅନ୍ୟମାନଙ୍କ ନାମରେ ଏକ ଚକିତଭାବେ ସୃଷ୍ଟି କରିବାରେ ଆସି ରହିଲାଣି । ସମସ୍ତେ କହୁଛନ୍ତି ଏସବୁ ଅବକ୍ଷୟର ଲକ୍ଷଣ, ପତନର ଲକ୍ଷଣ ଓ ଅମାନୁଷିକତାର ଲକ୍ଷଣ । ମାତ୍ର କେହି ବଜାର ଭିତରକୁ ଯାଇ ଏଗୁଡ଼ିକ ବନ୍ଦ କର ବୋଲି କହିବାକୁ ମୋଟେ ସାହସ କରି ପାରୁନାହାନ୍ତି । ଭୀରୁତା ବଢ଼ିଲେ, ଚୋର ହୋଇ ଉପରେ ଏଡ଼େ ପାଟି କରି ନୈତିକ ଚାରୁବାକ୍ୟଗୁଡ଼ିକୁ ପଇଟାଇଲେ ଯାହା ହୁଏ, ବର୍ତ୍ତମାନ ପ୍ରାୟ ତାହାହିଁ ହେଉଛି ।

 

ଭଲମାନେ ଭଲହେବା ନାଆଁରେ ଉଦାସୀନ ହୋଇ ରହିବାକୁହିଁ ଧର୍ମ ଓ ନୀତି ବୋଲି ଗ୍ରହଣ କଲେ ପ୍ରାୟ ଏଇଆ ହୁଏ । ସଂସାର ପ୍ରତି ଉଦାସୀନ ରହିବା, ଆହ୍ଵାନଗୁଡ଼ାକର କ୍ଷେତ୍ରରୁ ନିଜକୁ ଅତ୍ୟନ୍ତ ସୁବିଧାଜନକ ଭାବରେ ପ୍ରତ୍ୟାହୃତ କରି ରଖିବା, ଏଗୁଡ଼ାକ ସତେଅବା ଆମ ସାଂସ୍କୃତିକ ଜୀବନ ଦୃଷ୍ଟିର ମଞ୍ଚ ଭିତରେ ପଶିକରି ରହିଥିଲା, ଏବେ ମଉକା ପାଇ ବାହାରକୁ ବାହାରୁଛି । ମୁକ୍ତିଟା ଏକାନ୍ତ ବ୍ୟକ୍ତିଗତ ଓ ଆପେ ମୋକ୍ଷଲାଭ କରିବାଲାଗିହିଁ ଭଗବାନ ପ୍ରତ୍ୟେକ ମଣିଷକୁ ଏହି ଜଗତର ଲୀଳା ଭିତରେ ଆଣି ପୂରାଇଛନ୍ତି, ସମଗ୍ର ଅସମର୍ଥ ପଛରେ ଏହିପରି ଏକ କୁବିଶ୍ଵାସ ମଧ୍ୟ ଭାରି ଲୁକ୍କାୟିତ ହୋଇ ରହିଛି ।

 

୪ । ୯ । ୮୧

 

ସଂସାରରେ ପ୍ରାୟ ସବୁ ଦେଶରେ ଥୋକେ ଲୋକ ରହିଛନ୍ତି, ଯେଉଁମାନେ ଏକ ଅନ୍ୟ ସମାଜ ଚାହୁଁଛନ୍ତି, ମଣିଷ ମଣିଷ ମଧ୍ୟରେ ଏକ ଅନ୍ୟ ସମ୍ପର୍କର ପ୍ରତ୍ୟାଶା ରଖିଛନ୍ତି । ଏବଂ ସେଇଥିଲାଗି ସେମାନେ ବର୍ତ୍ତମାନ ରୀତି ବୋଲି ପ୍ରଚଳିତ ସମାଜ ଓ ସମ୍ପର୍କଗୁଡ଼ାକୁ ମୋଟେ ମାନିନେଇ ପାରୁନାହାନ୍ତି । ଏହି ଲୋକମାନଙ୍କର ଏକ ଜାତି ଓ ଏକ ଦେଶ ରହିଛି ସତ, ମାତ୍ର ସେମାନେ ଜାତି ଓ ଦେଶକୁ ନେଇ ପୁରାତନ ମଣିଷଦ୍ଵାରା ସ୍ପଷ୍ଟ ହୋଇଥିବା ବାଡ଼ଗୁଡ଼ାକର ଊର୍ଦ୍ଧ୍ଵରେ ରହିଛନ୍ତି । ସେମାନେ ବାଡ଼ଗୁଡ଼ାକୁ ମୋହ ବୋଲି ଜାଣିଛନ୍ତି ଓ ମୋହଗୁଡ଼ାକୁ ବାଡ଼ ବୋଲି ଜାଣିଛନ୍ତି । ମଣିଷର ଅନ୍ତର ଭିତରେ ଓ ମଣିଷ ମଣିଷ ମଧ୍ୟରେ ପ୍ରତିଷ୍ଠିତ ହୋଇ ରହିଥିବା ପ୍ରତିଶ୍ରୁତି ନିହିତ ହୋଇ ରହିଛି ବୋଲି ଏମାନେ ବିଶ୍ଵାସ କରୁଛନ୍ତି ।

 

ଏହି ଲୋକମାନେ କୌଣସି ବାହ୍ୟ ଆନୁଷ୍ଠାନିକ ଉପଚାରଦ୍ଵାରା ଯେ କେବେ ଏକାଠି ହେବେ, ସେକଥା ଆଦୌ ସମ୍ଭବ ପରି ଦିଶୁନାହିଁ । ଏମାନେ ଯିଏ ଯେଉଁଠାରେ ଅଛନ୍ତି, ସେଠାରେ ଏକ ଅନ୍ୟ ଜୀବନ ବଞ୍ଚି ଓ ଏକ ଅନ୍ୟ ଭବିଷ୍ୟର ଆହ୍ଵାନ ଦେଇ ପୃଥିବୀର ବିଭିନ୍ନ ସ୍ଥାନରେ ଯେଉଁ ସ୍ପନ୍ଦନ ସୃଷ୍ଟି କରିବେ ତାହାହିଁ ଏକ ବିଶ୍ଵମୟ ବ୍ୟାକୁଳତା ମଧ୍ୟରେ କ୍ରମଶଃ ଏକତ୍ରିତ ହୋଇ ଆସିବ ଏବଂ ପୁରୁଣା ସିଂହାସନଗୁଡ଼ାକୁ ଦୋହଲାଇବାକୁ ଆରମ୍ଭ କରିବ । ଏହାକୁ ମଧ୍ୟ ଏକ ବୃହତ୍ ବିପ୍ଳବ ବୋଲି କୁହାଯାଇ ପାରିବ । ପୃଥିବୀର ବିଗତ ଯାବତୀୟ ବିପ୍ଳବ ମଣିଷ ମଣିଷଠାରୁ ଓ କାଳଠାରୁ ଯେତିକି ଦାବି କରିଥିଲା, ଏହି ବିପ୍ଳବ ତା’ଠାରୁ ଅନେକ ଗୁଣ ଅଧିକ ଦାବି କରିବ ।

 

୫ । ୯ । ୮୧

 

ସଂସାରରେ ଅନ୍ୟମାନେବି ମୋତେ ଦେଖୁଛନ୍ତି, ଅର୍ଥାତ୍ ଅନ୍ୟମାନଙ୍କ ସହିତ ମୁଁ ରହିଛି ବୋଲି ଅନ୍ୟମାନେ ମୋ’ଠାରୁ ଶିକ୍ଷା କରିଛନ୍ତି, ତେଣୁ ସେହି ଅନୁସାରେହିଁ ମୋତେ ସମସ୍ତଙ୍କ ସହିତ ମୋ’ର ଆଚରଣକୁ ଠିକ୍ କରିବାକୁ ପଡ଼ିବ, ଏହି ବୃତ୍ତିଟିକୁ ମଧ୍ୟ ଗୋଟାଏ ଦୃଷ୍ଟିରୁ ଜଣେ ଶିକ୍ଷକର ବୃତ୍ତି ବୋଲି କୁହାଯାଇ ପାରିବ । ଯିଏ ଖାଲି ଇସ୍କୁଲ୍‍ରେ ପିଲାମାନଙ୍କୁ ପାଠ ପଢ଼ାଏ, କେବଳ ତାକୁହିଁ ଶିକ୍ଷକ ବୋଲି କୁହାଯିବ, ସେପରି କହିବାର ଆଦୌ କୌଣସି କାରଣ ନାହିଁ ।

 

ବସ୍ତୁତଃ ପ୍ରତ୍ୟେକ ଶିକ୍ଷକକୁ ମଧ୍ୟ ପ୍ରାୟ ସେହିପରି ଏକ ଦୃଷ୍ଟି ନେଇ ଆପଣାର କର୍ମାଚରଣ ମଧ୍ୟରେ ପ୍ରବେଶ କରିବାକୁ ପଡ଼ିବ । ଶିକ୍ଷକ ଯେମିତି ଚାହିଁବ, କଦାପି ଆପଣାକୁ ସେହିପରି ନେଇ ଅନ୍ୟମାନଙ୍କ ଉପରେ ଲଦି ଦେବନାହିଁ । ସିଏ ଆହୁରି ଅଧିକ ସାବଧାନ ହେବ, ଅର୍ଥାତ୍ ଆହୁରି ଅଧିକ ସହାନୁଭୂତିଶୀଳ ହୋଇ ଅନ୍ୟପକ୍ଷଟିକୁ ନିଜଭିତରେ ଅନୁଭବ କରିବ ଓ ସେହି ସହାନୁଭୂତିକୁ ଭୂମିରୂପେ ଗ୍ରହଣ କରି ଅନ୍ୟମାନଙ୍କ ସହିତ ଆପଣାର ସମ୍ପର୍କଗୁଡ଼ିକୁ ନିର୍ଦ୍ଧାରଣ କରିବ । ପିଲାମାନେ ପିଲା ନୁହନ୍ତି, ସେମାନେ ମଣିଷ, ଗ୍ରହଣଶୀଳ ମଣିଷ ଏବଂ ଗ୍ରହଣ ସଚେତନ ମଣିଷ । ସେମାନେ ମଧ୍ୟ ସମ୍ମତର ସହିତ ଗ୍ରହଣ କରିବାକୁ ଇଚ୍ଛା କରନ୍ତି ଏକ ସମକକ୍ଷ ସମ୍ମାନିତ ସ୍ତରରେ ରହି ଜଗତର ଯାବତୀୟ ଗ୍ରହଣ ଏବଂ ବିତରଣରେ ଅଂଶଗ୍ରହଣ କରିବାକୁ ଇଚ୍ଛା କରୁଥାନ୍ତି । ଆମେ ଯେଉଁମାନେ ଶିକ୍ଷକ ହେବାରେ ଶ୍ରଦ୍ଧା ରଖିଛୁ, ଆମ ସମସ୍ତଙ୍କୁ ସେହି କଥାଟିକୁ ସ୍ମରଣ ରଖିବାକୁ ପଡ଼ିବ । ଶିକ୍ଷକର ସର୍ବପ୍ରଥମ କର୍ତ୍ତବ୍ୟ ପିଲାମାନଙ୍କ ପ୍ରତି; ସରକାରଙ୍କ ପ୍ରତି ମୋଟେ ନୁହେଁ । ସରକାର ଶିକ୍ଷକ ଲାଗି ପୁରସ୍କାରର ବରାଦ କରାଉଥିଲେ ମଧ୍ୟ ତଥାପି ପିଲାମାନଙ୍କ ପ୍ରତି ତା’ର ଆଚରଣରୁହିଁ ଶିକ୍ଷକର ସର୍ବୋତ୍ତମ ବିଚାର କରାଯାଇପାରିବ ।

 

୬ । ୯ । ୮୧

 

ଏମାନେ ସମସ୍ତେ ନିଜ ନିଜ ଅକ୍ତିଆରର ବାହାରେ । ସେହି କାରଣରୁହିଁ ଏମାନେ କେହି କାହାରିକୁ ଅକ୍ତିଆରରେ ରଖିବାଲାଗି ସମର୍ଥ ହେଉନାହାନ୍ତି । ଶୃଙ୍ଖଳାଗୁଡ଼ିକ ବିଶୃଙ୍ଖଳାରେ ପରିଣତ ହୋଇ ଯାଉଛି ।

 

ଛାତ୍ରମାନେ ଶିକ୍ଷକମାନଙ୍କର ଅକ୍ତିଆରରେ ନାହାନ୍ତି । କୁଳପତିଙ୍କ ଅକ୍ତିଆର ଭିତରେ ନାହିଁ । ଦେଶଟା ମଧ୍ୟ ସରକାରଙ୍କ ଅକ୍ତିଆରରେ ନାହିଁ ଓ ସେହି ଅସମର୍ଥତାଟାକୁ ଘୋଡ଼ାଇ ରଖିବା ଲାଗି ବାହାରେ ଅକ୍ଷୌହିଣୀ ସୈନ୍ୟଙ୍କ ପରି ପୋଲିସ୍‍ ନିଯୁକ୍ତ ହୋଇ ରହିଛନ୍ତି । ଛାତ୍ରମାନେ, ଅର୍ଥାତ୍ ଯେଉଁମାନେ ପଇସା ଦେଇ ପ୍ରମାଣପତ୍ର କିଣିବାକୁ ଆସିଛନ୍ତି, ସେମାନେ ଶିକ୍ଷାର ଅକ୍ତିଆର ଭିତରେ ମୋଟେ ନାହାନ୍ତି । ଯେଉଁ ଧର୍ମଟା ଆମ ସମସ୍ତଙ୍କୁ ଏକାଠି ରଖନ୍ତା ଓ ପରସ୍ପର ସହିତ ଏକତ୍ର ବାସ କରି ବଞ୍ଚିବା ଲାଗି ସମର୍ଥ କରାଉଥାଆନ୍ତା, ଆମେ ସମସ୍ତେ ହୁଏତ କୋଉଦିନରୁ ତାହାର ଅକ୍ତିଆର ଭିତରୁ ହୁଗୁଳି ବାହାରକୁ ଚାଲି ଆସିଲୁଣି । ବାହାରେ କେବଳ କେତେଗୁଡ଼ାଏ କୃତ୍ରିମ ଆନୁଷ୍ଠାନିକତା ଭିତରେ ଆମେ ଆପଣାକୁ ନାନାଭାବେ ଅହଂକାର ଯୁକ୍ତ କରି ରଖିଛୁ ଏବଂ ଭିତରେ ଭାରି ଅକ୍ତିଆରହୀନ ଭାବରେ ଆମ ନିଜଠାରୁ ଲୁଚି ଲୁଚି ବୁଲିବାରେ ଲାଗିଛୁ । ସମସ୍ତେ ଅନିତ୍ୟ ସଂସାରକୁ କେବଳ ଅନିତ୍ୟ ବୋଲି ମଣି ତାହାରି ଭିତରେ କେବଳ ଆପଣାଲାଗି ଅନ୍ତତଃ ନିଜର ପ୍ରତ୍ୟୟ ହୋଇ ପାରିବା ଭଳି ସ୍ଥାୟୀ ଖୁଣ୍ଟଟିଏ ପୋତିବାରେ ବ୍ୟସ୍ତ ଅଛନ୍ତି । ଗୁରୁଠାରୁ ଶିଷ୍ୟଯାଏ ସମସ୍ତେ ଏହି ଅକର୍ମପାଟଣା ଭିତରେ ବେଶ ହୋଇ ବାହାରିଛନ୍ତି ଓ ଛିଣ୍ଡା ଡାଳଗୁଡ଼ାକ ଉପରେ ସମାଜ ନାମରେ ଦେଶ ନାମରେ ହେଉଥିବା ତାମସା ଭିତରେ ଯଥାସମ୍ଭବ ଗୋଟାଏ ଗୋଟାଏ ହିରୋ ହୋଇ ଅବତୀର୍ଣ୍ଣ ହେବାକୁ ଚେଷ୍ଟା କରୁଛନ୍ତି । ଖବରକାଗଜରେ କେବଳ ପୋଡ଼ି ଯାଇଥିବା ବସ୍‌ଗୁଡ଼ାକର ଛବି ବାହାରିଛି । କୁଳର ଚନ୍ଦ୍ରମାମାନଙ୍କ ଠାରୁ ଆରମ୍ଭ କରି କୁଳଗୃହପତି ଓ କୁଳେନ୍ଦ୍ରମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଭିତରଟା ଯେ କିପରି ଗୋଟାସୁଦ୍ଧା ଆପଣା ସାର୍ତ୍ତିକିଆ ହୋଇ ପୋଡ଼ିଗଲାଣି, ତା’ର ଛବି ନେବାକୁ ଫଟୋ ଉଠା ଯନ୍ତ୍ରର ବଳ କାହିଁ ?

 

୭ । ୯ । ୮୧

 

ଜୀବନରେ ବାଟ ଚାଲିବାର ଅନ୍ୟ ନାମ କୃତଜ୍ଞତା । କାଲି ସେଠି ମୁଁ କେବଳ ସେହି କଥାଟିକୁ ମୋ’ ଚେତନାର ପ୍ରତ୍ୟେକ କୋଷ ଓ ଉପକୋଷ ମଧ୍ୟରେ ଅନୁଭବ କରୁଥିଲି । ମୋ’ର ଅନେକ ଦିନର ପରିଚିତ ଗଛମାନଙ୍କ ପାଖକୁ ଗଲି । ସେମାନେ ଏହି ଦୀର୍ଘ ତିନିବରଷ ସତେଯେପରି ମୋ’ଲାଗି ଅପେକ୍ଷା କରି ରହିଥିବା ପରି ମନେହେଲା । ବା, ହୁଏତ ମୁଁ ହିଁ ସେମାନଙ୍କ ଲାଗି ଏତେକାଳ ଅପେକ୍ଷା କରି ରହିଥିଲି । କାଲି ପୁଣି ଚିହ୍ନାଚିହ୍ନି ହେବାପାଇଁ ମୋଟେ ବେଶୀ ସମୟ ଲାଗିଲା ନାହିଁ ।

 

କୃତଜ୍ଞତା ପ୍ରକାଶ କରି ଜାଣିଥିଲେ ଗଣ୍ଠିଗୁଡ଼ାକ ପ୍ରକୃତରେ କେଡ଼େ ସହଜରେ ଫିଟି ନଯାଏ ! ଦୂରଗୁଡ଼ାକ କେଡ଼େ ସହଜରେ ନିକଟ ହୋଇ ନଆସନ୍ତି । ଆପଣାର ସାନ ସାନ ଦେଖିବା, ସମ୍ପର୍କରେ ଆସିବା ଓ ସ୍ପର୍ଶ କରିବା ମଧ୍ୟ କେଉଁ ଅନ୍ତରଙ୍ଗତମର ସ୍ପର୍ଶ ପାଇଯିବା ପରେ କେଡ଼େ ମହନୀୟ ହୋଇ ନଉଠନ୍ତି ! କାଲି ଜୀବନରେ ଆହୁରି ଗୋଟିଏ ଥରପାଇଁ ସେହି ପୁରାତନ ସତ୍ୟଟିକୁ ଅନୁଭବ କଲି । ସଙ୍ଗେ ସଙ୍ଗେ ସ୍ପଷ୍ଟ ପ୍ରମାଣ ପାଇଗଲି ଯେ, ଏପର୍ଯ୍ୟନ୍ତବି ମୁଁ କାହାଲାଗି ଦ୍ଵାର ବନ୍ଦ କରି ଦେଇନଥିଲି, କାହାରି ଉପରେ କ୍ଷୁବ୍ଧ ହୋଇନଥିଲି, କାହାରି ନାମରେ ମୋ’ର ଆଦୌ କୌଣସି ଅଭିଯୋଗହିଁ ନଥିଲା । କୌଣସି ଗଣ୍ଠି ମଧ୍ୟ ମୋତେ ମୋ’ ନିଜ ଅଭିମାନର ଉତ୍ତପ୍ତତା ମଧ୍ୟରେ ମୋଟେ ବନ୍ଦ କରି ନିଃଶ୍ଵାସରୁଦ୍ଧ ଏବଂ ଉତ୍‌କ୍ଷିପ୍ତ କରି ରଖି ନଥିଲା । ସଂସାରରେ ଏମିତି ଫେରି ପାଇବାର ଆନନ୍ଦ ଲାଗି ରହିଥାଉ, ଠିକ୍ ଏହିପରି ଭାବରେ ଘଟଣାଗୁଡ଼ାକ ଆଶୀର୍ବାଦର ଆନନ୍ଦ ନେଇ ମୋ’ ଉପରେ ଅଜାଡ଼ି ହୋଇ ପଡ଼ୁଥାଉ, ମୋତେ ହାଲୁକା କରି ରଖିଥାଉ, ମୋତେ ଅବାକ୍ କରିଦେବାରେ ଲାଗିଥାଉ । ମୁଁ ସର୍ବଦା ସେହି ବିଶ୍ଵାସର ଯୋଗ୍ୟ ହୋଇ ରହିଥାଏ, ସେହି ଯଥାର୍ଥ ରଜ୍ଜୁଟିର ଯୋଗ୍ୟ ହୋଇ ରହିଥାଏ ।

 

୮ । ୯ । ୮୧

 

ଯିଏ ମୋ’ର ଉପକାର କଲା, କେବଳ ତାହାରି ପାଖରେ କୃତଜ୍ଞ ହୋଇ ରହିଥିବା ପର୍ଯ୍ୟନ୍ତ ମୋ’ କୃତଜ୍ଞତା ସତେଅବା ଗୋଟାଏ ପ୍ରକାରର ହିସାବଖାତାର ଅନ୍ତର୍ଗତ ହୋଇ ରହିଥିବ-। ଯାହା ପାଖରେ ମୁଁ କୌଣସି ଦୋଷ କଲି, ଏକ ଔପଚାରିକ କର୍ତ୍ତବ୍ୟ ହିସାବରେ ତା’ ପାଖରେ କ୍ଷମା ମାଗି ଆସିବାକୁ କେତେ ମଣିଷ ଯେପରି ଭଲ ସ୍ଵଭାବର ହିସାବ ଭିତରେ ଗଣନ୍ତି, ଏକଥାଟିବି ପ୍ରାୟ ସେହିପରି । କ୍ଷମାପ୍ରାର୍ଥନା ଜୀବନର ଏକ ସ୍ଵଭାବ ବା ସମଗ୍ର ଦୃଷ୍ଟିକୋଣ ହୋଇ ରହିବା ଉଚିତ । ଠିକ୍ ସେହିପରି କୃତଜ୍ଞତା ମଧ୍ୟ ଜୀବନର ଏକ ସ୍ଵଭାବ ଓ ଦୃଷ୍ଟିକୋଣ ପରି ହୋଇ ରହିଥିବା ଉଚିତ । ଅର୍ଥାତ୍, କୌଣସି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିପ୍ରତି ଏକ ନିର୍ଦ୍ଦିଷ୍ଟ ଅବସରରେ ଆପଣାର କୃତଜ୍ଞତା ପ୍ରକାଶ କରାଯିବ ନାହିଁ, ଆମ ଜୀବନର ଯାବତୀୟ କର୍ମାଚରଣରେ ଅସଲ ଭାବଟି ଏହି କୃତଜ୍ଞତାରହିଁ ଭାବ ରହିପାରିବା ଉଚିତ ।

 

କୃତଜ୍ଞ ମଣିଷପାଇଁ କେବଳ ଶୁଭହିଁ ରହିଥିବ, କେବଳ ଭଲ ମଣିଷହିଁ ରହିଥିବେ । ଜୀବନକୁ ସିଏ କେବେହେଲେ ଏକ ବ୍ୟବସାୟ ଅର୍ଥାତ୍ ସଉଦା ବିକିବା ଓ ସଉଦା କିଣିବା ବୋଲି ଭାବୁନଥିବ । ସିଏ ଏହି ଜୀବନରେ କାହାକୁ ହେଲେ ବର୍ଜନ କରି ପାରୁନଥିବ, କାରଣ କେବଳ ପ୍ରତ୍ୟେକ ବ୍ୟକ୍ତିଙ୍କର ନୁହେଁ, ପ୍ରତ୍ୟେକ ବସ୍ତୁର ହୃଦୟକୁ ମଧ୍ୟ ସିଏ ସ୍ପର୍ଶ କରି ପାରୁଥିବ । ସେହି ସ୍ପର୍ଶରୁହିଁ ସିଏ ଅସଲ ସମ୍ପର୍କଗୁଡ଼ିକର ନିର୍ଦ୍ଧାରଣ କରି ପାରୁଥିବ । କୃତଜ୍ଞ ହୋଇ ରହିବାର ଅର୍ଥ ହେଉଛି ସମ୍ମତ ହୋଇ ରହିବା,–ଆପଣାକୁ କୌଣସି ଅବସରରେ ମଧ୍ୟ ଜଣେ ବହିଃସ୍ଥ ବିଦେଶୀ ବୋଲି ନଭାବିବା ।

 

୯ । ୯ । ୮୧

 

ଜୀବନକୁ ଜୀବନ ପରି ବଞ୍ଚିବାଲାଗି ସବାଆଗ ଶ୍ରଦ୍ଧା ଦରକାର । ଏହି ଶ୍ରଦ୍ଧା ଆପଣାକୁ ଠିକ୍ ଜୀବନ ଯେତିକି ବିସ୍ତୃତ, ସେହିପରି ବିସ୍ତୃତ ଭାବରେ ଦେଇ ପାରୁଥିବ । ଶ୍ରୀଯୁକ୍ତ ଆଲ୍‍ବର୍ଟ୍ ସ୍ୱାଇଡ଼୍‌ଜର୍ ଯାହାକୁ Ehrfurcht fuers Leben ବୋଲି କହିଛନ୍ତି, ମୁଁ ପ୍ରାୟ ସେହିପରି ଏକ ଗତିଶୀଳ ଅର୍ଥରେ ଶ୍ରଦ୍ଧା ଶବ୍ଦଟିର ବ୍ୟବହାର କରିଛି ।

 

ଶ୍ରଦ୍ଧାକୁ ଅନେକ ସମୟରେ ଭକ୍ତି ବୋଲି କୁହାଯାଇଥାଏ । ଭାରତବର୍ଷରେ ଭକ୍ତି କହିଲେ କେତେଲୋକ କେତେ ଆଡ଼େ ଯେ ମାଡ଼ି ଯାଇଥାନ୍ତି; ତାହାର କୌଣସି ସୀମା ନଥାଏ । ଅନେକ ମଣିଷ ତ ଆପଣାକୁ ଗୋଟାଏ ଅହଂକାରୀ ଓ ଅତ୍ୟାଚାରୀ ହେବା ପର୍ଯ୍ୟନ୍ତବି ଆପଣା ଭିତରେ ଭକ୍ତିକୁ ପ୍ରଶ୍ରୟ ଦେଇଥାନ୍ତି । ଅଥବା, ଯେଉଁସବୁ ଉଗ୍ରତାକୁ ପ୍ରଶ୍ରୟ ଦେଇଥାନ୍ତି, ସେମାନେ ତାହାକୁହିଁ ମୁଗ୍ଧ ଭାବରେ ଭକ୍ତି ବୋଲି କହନ୍ତି । ସେହି ଭକ୍ତି ମଣିଷକୁ ପୌତ୍ତଳିକ କରାଏ, ସେହି ଭକ୍ତି ନାନା ଜାତିବାରଣର ଅର୍ଗଳି ଭିତରେ ଆଣି ପକାଇ ଦେବାର ଚକ୍ରାନ୍ତ କରି ମଣିଷକୁ ଅଜାତିଆ କରି ରଖେ । ଏପରି ଏକ ଭକ୍ତିବି ଏହି ଜୀବନରେ ସମ୍ଭବ ହୋଇପାରେ, ଯାହାକି ଗୋଟାଏ ହୃଦୟକୁ ଭୂମି କରି ରହିଥିଲେ ମଧ୍ୟ ସବୁରି ହୃଦୟକୁ ସ୍ପର୍ଶ କରି ପାରିବ, ଯାହାକି ବାହାରକୁ ତୁଚ୍ଛ ବସ୍ତୁ ପରି ପ୍ରତୀତ ହେଉଥିବା ପଦାର୍ଥଗୁଡ଼ିକ ଭିତରେ ମଧ୍ୟ ଏକ ହୃଦୟର ସ୍ପର୍ଶ ପାଇପାରିବ, ଏକ ଆତ୍ମୀୟତା ଅନୁଭବ କରି ପାରିବ । ସେହି ଭକ୍ତି ବା ସେହି ଶ୍ରଦ୍ଧାଟିହିଁ ଆପଣା ଜୀବନ ବଞ୍ଚିବାର ସନ୍ତକ ହୋଇ ରହିଥିବା ପର୍ଯ୍ୟନ୍ତ ମଣିଷ କଦାପି ତା’ ଜୀବନକୁ ଅନିତ୍ୟ ଅଥବା ନୈରାଶ୍ୟମୟ ବୋଲି କହିବନାହିଁ । ତାକୁ ସବୁଯାକ ଧନ ଏଇଠି ମୁହୂର୍ତ୍ତଗୁଡ଼ାକ ଭିତରେହିଁ ମିଳି ଯାଉଥିବ; ସବୁଯାକ ଭଗବାନ ମୋ’ ଭିତରେ ଯାବତୀୟ ପୌତ୍ତଳିକତା ଉପରେ ବିଜୟ ଘୋଷଣା କରି ଏଇଠି ମହଜୁଦ୍‍ ହୋଇ ରହିଥିବେ । ଏହି ଆକାଶ ପର୍ବତର ମୌନକୁ ସଚଳ ଓ ସହୃଦୟ କରି ରଖିଥିବା ପରି ତା’ର ଜୀବନ ସତେଅବା କେଉଁ ପ୍ରତ୍ୟକ୍ଷ ବିସ୍ତୃତି ମଧ୍ୟରେ ସର୍ବଦା ଆଶୀର୍ବାଦପ୍ରାପ୍ତ ହୋଇ ରହିଥିବ ।

 

୧୦ । ୯ । ୮୧

 

ପିଲାମାନଙ୍କ ସହିତ ଘଡ଼ିଏ ଏକାଠି ବସି କଥାବାର୍ତ୍ତା କରିବାପରେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଆବିଷ୍କାର କରିବାକୁ ସମର୍ଥ ହୁଏ ଯେ, ଏପର୍ଯ୍ୟନ୍ତ ମଧ୍ୟ ମୋ’ ଭିତରର ପିଲାଟି ବଞ୍ଚିକରି ରହିଛି ଓ ମୋ’ର ଯାବତୀୟ ବୟସ୍କ ବୁଦ୍ଧିକୁ ଏକ ସମଗ୍ର ବିବେକର ସହିତ ବାଟ ଦେଖାଇ ନେଉଛି-। ମୋ’ ଭିତରର ପିଲାକୁ ମୋ’ ଅଭିମାନର ବୟସ୍କ କେବେହେଲେ ଈର୍ଷା କରିନାହିଁ । ସିଏ ସେହି ପିଲାଟାକୁ ଏବେ ମଧ୍ୟ କାନ୍ଧରେ ବସାଇ ବାଟ ଚାଲୁଛି । ସେଇଥିଲାଗି, ବୟସ ବଢ଼ୁଥିଲେ ମଧ୍ୟ ମୋ’ ଭିତରର ପର୍ବତଗୁଡ଼ାକ କେବେହେଲେ ଥୁଣ୍ଟା ହୋଇ ଗଲାପରି ମନେ ହେଉନାହିଁ ଏବଂ ସେହିଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ଆକୃତି ଓ ସ୍ଵଭାବ ଦେଇ ଘେରି ରହିଥିବା ଆକାଶଗୁଡ଼ାକୁ କଦାପି ରୁକ୍ଷ କରି ପକାଉନାହିଁ । ମୋ’ ଭିତରେ ସମ୍ଭବତଃ ଏହି କାରଣରୁହିଁ Subject ଓ Object ମଧ୍ୟରେ କେବେହେଲେ ଏକ ଧର୍ମଗତ ତାରତମ୍ୟ ବାଟ ଉଗାଳି ବସି ମୋତେ ଦୁର୍ଦ୍ଦଶାଗ୍ରସ୍ତ କରି ପକାଇବା ଲାଗି ମୋଟେ ଆସୁନାହିଁ ।

 

ବୃଦ୍ଧି ଲାଗି ରହିଥିବ, ଅଥଚ ବୁଢ଼ା ହେଲାପରି ଲାଗୁନଥିବ; ନିଜର ମାର୍ଗଟି କ୍ରମଶଃ ଅଧିକରୁ ଅଧିକ ଆତ୍ମୀୟତା ସହିତ ଅତ୍ୟନ୍ତ ସୁନିର୍ଦ୍ଦିଷ୍ଟ ଭାବରେ ବାରି ହୋଇ ଯାଉଥିବ, ଅଥଚ ପୃଥିବୀରେ ଅନ୍ୟ କୌଣସି ବାଟଲାଗି ମୋଟେ କୌଣସି ଈର୍ଷା ହେଉନଥିବ, ସମ୍ଭବତଃ ଆପଣାର ଯାବତୀୟ ଅଭିବୃଦ୍ଧି ଓ ପରିପକ୍ଵତାଲାଭର ପ୍ରକ୍ରିୟାଟି ମଧ୍ୟରେ ପିଲାଟି ସାଙ୍ଗରେ ରହିଥିଲେ ସେହି ସୌଭାଗ୍ୟର ଅଧିକାରୀ ହେବା ସମ୍ଭବ ହୋଇଥାଏ । ସେହି ଅଧିକାର ମୋ’ ଜୀବନର ସର୍ବପରମ ସୌଭାଗ୍ୟ । ହୁଏତ ସେହି ସୌଭାଗ୍ୟର ନିତ୍ୟ ସ୍ପର୍ଶରେ ରହିଥିବାରୁହିଁ ମୁଁ ଜୀବନଟାକୁ କେବେହେଲେ ଅନିତ୍ୟ ବୋଲି ଅନୁଭବ କରିନାହିଁ, ଜୀବନର କୌଣସି ସମ୍ପର୍କକୁ ମଧ୍ୟ ନିଃସାର କିମ୍ବା ସତ୍ତ୍ଵଶୂନ୍ୟ ବୋଲି ମଣିନାହିଁ ।

 

୧୧ । ୯ । ୮୧

 

ଏକ ଅନ୍ୟ ପୃଥିବୀରେ ବାସ କରିବାଲାଗି ଏକ ଅନ୍ୟ ମନ ଦରକାର । ସେହି ମନର ଚେର ହୃଦୟଦ୍ଵାରା ପରିଚାଳିତ ହେଉଥିବ । ତେବେଯାଇ ଏକ ଅନ୍ୟ ସମ୍ପର୍କ ଲାଗି ସାହସ ହେବ । ବାହାରୁ ଯଥାସମ୍ଭବ ସବୁକିଛିକୁ ଦୁହିଁ ଆଣି ଆପଣାର ଭୟସମାକୁଳ ଗାତଟି ଭିତରେ କେବଳ ନିଜପାଇଁ ଜମା କରି ରଖିବାର ମୋଟେ କୌଣସି ଆବଶ୍ୟକତା ରହିବନାହିଁ । ସେତେବେଳେ ଆମେ ଖୁସି ହୋଇ ଆପଣାକୁ ଦେଇପାରିବା ଓ ଖୁସି ହୋଇ ଆପଣାକୁ ବିତରଣ କରିଦେଇ ପାରିବା ।

 

ଭବିଷ୍ୟତର ସମାଜ ଠିକ୍ ସେହିପରି ହେବ । ଭବିଷ୍ୟତର ସେହି ସମାଜ ଲାଗି ଆବଶ୍ୟକ ସାହସଟିକୁ ଆଣି ଦେବାଲାଗି ବର୍ତ୍ତମାନର ଶିକ୍ଷା ମଧ୍ୟ ଆପଣାକୁ ନିୟୋଜିତ କରି ରଖିବ । ପୁରୁଣାଟାକୁ ଆହୁରି ଅଧିକ ଦୂରକୁ ଲମ୍ବାଇ ପକାଇଲେ ଅଥବା ପୁରୁଣା ଉପରେ ସୁଦୃଶ୍ୟ ନୂଆକନାମାନ ଗୁଡ଼ାଇ ତାହାରି ଭିତରେ ନୂଆ ଶବ୍ଦାବଳୀରେ ଆପଣାକୁ ଭୟପ୍ରଣୋଦିତ ସତର୍କତାଗୁଡ଼ାକୁ ଘୋଡ଼ାଇ ରଖିବାକୁ ଚେଷ୍ଟା କରିବାରେ ଲାଗିଥିଲେ ଆମେ କଦାପି ନୂଆର ଯୋଗ୍ୟ ହୋଇ ପାରିବାନାହିଁ । ନୂଆ ଲାଗି ଯଥାର୍ଥ ସମ୍ମତିଟି ଆମ ଜୀବନର ସର୍ବାଙ୍ଗକୁ ସ୍ପର୍ଶ କରି ପାରିଲେ ଯାଇ ଆମ ଭିତରେ ଅସଲ ସାହସଟି ଆସିବ, ଅସଲ ପ୍ରତ୍ୟୟଟି ଆସିବ । ଏହି ପ୍ରତ୍ୟୟ ପ୍ରତ୍ୟହ ସମ୍ପ୍ରସାରିତ ହୋଇ ପାରୁଥିବ, ପ୍ରତ୍ୟହ ଆପଣାର କେନ୍ଦ୍ରଟି ଲାଗି ନୂତନ ସଖ୍ୟର ପରିଧିଗୁଡ଼ିକୁ ଆବିଷ୍କାର କରି ପାରୁଥିବ ।

 

୧୨ । ୯ । ୮୧

 

ସାହିତ୍ୟ ଭିତରେ ଜୀବନକୁ ଖୋଜିବା ଓ ସାହିତ୍ୟର ଆସ୍ଵାଦନରେ ଜୀବନରେ ଆସ୍ଵାଦନ କରିବା, ଏଇଟି ହେଉଛି ପ୍ରାଚୀନ ସାହିତ୍ୟର ଦୃଷ୍ଟି । ଜୀବନ ଭିତରେ ସାହିତ୍ୟକୁ ଖୋଜିବା ଏବଂ ଜୀବନର ଆସ୍ଵାଦନ ମଧ୍ୟରେହିଁ ସାହିତ୍ୟର ଆସ୍ଵାଦନ କରିବା, ଏଇଟି ହେଉଛି ଆଧୁନିକ ସାହିତ୍ୟର ଦୃଷ୍ଟି । ସମ୍ଭବତଃ ସେଇଥିଲାଗି ଜୀବନର ଅଧିକତର ଅଂଶଟି ପ୍ରତି ବିରକ୍ତ ହୋଇ, ସେଇଟି ଭିତରୁ ପଳାଇ ଯାଇ ଆଗେ ସାହିତ୍ୟରସିକ ମଣିଷ ସାହିତ୍ୟକୁ ମନ ବଳାଉଥିଲା, ସାହିତ୍ୟ ଭିତରେ ଶାନ୍ତି ପାଇବାକୁ ଯାଉଥିଲା ଓ ସମ୍ଭବତଃ ପ୍ରଧାନତଃ ସେହି ଦୃଷ୍ଟିରୁହିଁ ସିଏ ସାହିତ୍ୟର ଅର୍ଥାତ୍ କାବ୍ୟର ଆସ୍ଵାଦନ କରି ବ୍ରହ୍ମାନନ୍ଦ ଲାଭ କରିବାପରି ଅନୁଭବ କରୁଥିଲା । ଆଧୁନିକ ସାହିତ୍ୟିକାର ବ୍ରହ୍ମ ଜୀବନକୁ ବାଦ୍ ଦେଇ ନୁହେଁ । ବ୍ରହ୍ମ ଏଇଠି ଏହି ଜୀବନର ଗଭୀରତମ ଆକୃତିକେନ୍ଦ୍ରଟି ମଧ୍ୟରେ ଯେ ଅବସ୍ଥିତ ରହିଛି ତାହାରି ଅନୁଭବ କରିବା ହେଉଛି ଜୀବନର ଆଧୁନିକ ଦୃଷ୍ଟି । ତେଣୁ, ଏହି ଜୀବନର ଅସଲ କେନ୍ଦ୍ରଟିକୁ ଖୋଜିବା ଏବଂ ସେହି କେନ୍ଦ୍ରଟି ସହିତ ଜୀବନର ଯାବତୀୟ ପରିଧିଗୁଡ଼ିକୁ ସଂଯୁକ୍ତ କରି ରଖିବା, ଏଇଟି ହେଉଛି ଆଧୁନିକ ସାହିତ୍ୟର ଯଥାର୍ଥ କାର୍ଯ୍ୟ ।

 

ମୋ’ର ଏହି ଉପଲବ୍ଧିଟିକୁ ନେଇ ମୁଁ କଦାପି କାହାରି ସହିତ ଯୁଦ୍ଧ କରିବାକୁ ଯିବିନାହିଁ । ସାହିତ୍ୟରେ ତଥା ଜୀବନରେ ତାହାହିଁ ଯେ ଏକମାତ୍ର ଯଥାର୍ଥ ଉପଲବ୍ଧି, ମୁଁ ସେକଥା ମଧ୍ୟ ଆଦୌ ଦାବି କରିବାକୁ ମନ ବଳାଇବି ନାହିଁ । ମାତ୍ର ତଥାପି ମୋ’ ନିଜର ଉପଲବ୍ଧିଟିକୁ ମୁଁ ନିଜ ଜୀବନରେ ସତ୍ୟପାଥେୟରୂପେ ବହନ କରିବି ଓ ସେଇଟି ଅନୁସାରେ ବାଟ ଚାଲିବି ସେହି ସତ୍ୟଟିରୁହିଁ ମୁଁ ନିଜ ଜୀବନର ସର୍ବୋତ୍ତମ ଉଦ୍‌ବୋଧନଟିକୁ ଲାଭ କରିବି ଏବଂ ତାହାରିଦ୍ଵାରା ଜୀବନ ଓ ଅନ୍ୟ ମଣିଷମାନଙ୍କ ସହିତ ମୋ’ର ଯାବତୀୟ ସମ୍ପର୍କ ନିର୍ଦ୍ଧାରିତ ହେଉଥିବ । ଏଇଟିକୁ ମୁଁ ମୋ’ର ନିଜର ବାଟ ବୋଲି ଗ୍ରହଣ କରି ନେଇଛି ।

 

୧୩ । ୯ । ୮୧

 

ମେଘ ଘୋରା ଘୋରା ଏକ ପରିବ୍ୟାପ୍ତ ଅନୁରାଗମୟ ଆକାଶତଳେ ଘନସବୁଜ ଲେସା ହୋଇଥିବା ଉଜ୍ଜ୍ଵଳଗମ୍ଭୀର ପର୍ବତମାଳା,–ଏହିଗୁଡ଼ାକୁ ଦୁଇପାଖରେ ରଖି ବାଟ ଚାଲିବାବେଳେ ମୁଁ ସତେଅବା ସବୁଯାକ ଭୂଗୋଳ ଭୁଲିଯାଏ । ମୁଁ ଢେଙ୍କାନାଳରେ ଅଛି, ଓଡ଼ିଶାରେ ଅଛି, ଭାରତରେ ଅଛି ବା ଏପରିକି ପୃଥିବୀରେ ଅଛି ବୋଲି ମଧ୍ୟ ଏକାବେଳେକେ ଭୁଲିଯାଏ । ଅନନ୍ତ ଯୁଗରୁ ମୋ’ ଭିତରେ ଏବଂ ମୋ’ ସମ୍ମୁଖରେ ଦେଖୁଥିବା ଏକ ସହାନୁଭବ ବା ଏକାନୁଭବର ସୂତ୍ର ଲାଗିରହିଛି ବୋଲି ମୁଁ ଅନୁଭବ କରିବାକୁ ଆରମ୍ଭ କରେ ଓ ସେହି ଅନୁଭୂତି ମୋତେ ନିର୍ଭୟ କରିଦିଏ । ସମ୍ପୂର୍ଣ୍ଣ ଭାବରେ ହାଲୁକା କରିଦିଏ ।

 

ଏହି ସୁନ୍ଦର ପୃଥିବୀଟିକୁ ଭଗବାନ ତିଆରି କରିଛନ୍ତି ବୋଲି ଅନେକ ଅନୁଭବୀ କହିଥାନ୍ତି । ବେଳେବେଳେ ମୁଁ ଭାବେ, ଏସବୁକୁ ମୋଟେ କେହି ତିଆରି କରିନାହାନ୍ତି । ଏସବୁ ସବୁଦିନେ ଯେପରି ରହିଥିଲେ, ଆଜି ମଧ୍ୟ ସେହିପରି ରହିଛନ୍ତି । ଭଗବାନ ଯୋଉଦିନରୁ ଅଛନ୍ତି, ଏଗୁଡ଼ିକ ମଧ୍ୟ ସେହିଦିନଠାରୁ ରହିଛନ୍ତି । ଏକାତ୍ମକତାକୁହିଁ ଜୀବନର ଅର୍ଥାତ୍ ଚେତନାର ସର୍ବସାର ଅନୁଭବ ସମ୍ବାଦ ବୋଲି ଉପଲବ୍ଧି କରିବାର ଆହ୍ଵାନଟି ହୁଏତ ଚିରଦିନ ଏହିପରି ଭାବରେ ରହିଆସିଛି । ଯିଏ ଆପଣାର ନୀରବ ଜୀବନ ନିବେଦନଟିଦ୍ଵାରା ସେହି ଆହ୍ଵାନକୁ ଯେତିକି ସ୍ପଷ୍ଟ ଭାବରେ ଶୁଣି ପାରୁଛି, ସିଏ ସେତିକି ଜାଣୁଛି, ଏହି ସମଗ୍ର ଜଗତକୁ ସେତିକି ଅଧିକ ପରିମାଣରେ ଆପଣାର ଘର ବୋଲି ଜାଣୁଛି, ସେତିକି ପରିମାଣରେ ଆପଣାର ଘର ବୋଲି ଜାଣୁଛି, ସେତିକି ପରିମାଣରେ ସିଏ ଅମରତ୍ଵ ଲାଭ କରୁଛି । ପ୍ରକୃତି ମୋତେ କେବେହେଲେ ଜୀବନର କୌଣସି ବିରକ୍ତି ଭିତରୁ ଶାନ୍ତିଦାତ୍ରୀ ହିସାବରେ ଛଡ଼ାଇ ନେଇ ଯାଇନାହିଁ । ଆପଣାକୁ ପ୍ରସାରିତ ଓ ସଂଯୁକ୍ତ କରି ପାରିବାଦ୍ୱାରା ଯେ କିପରି ବିରକ୍ତି ଓ ଆସକ୍ତିଗୁଡ଼ାକ ଅନୁରକ୍ତିରେ ପରିଣତ ହୋଇ ଯାଆନ୍ତି; ଏହି ସବୁଜ ପର୍ବତର ସାନ୍ନିଧ୍ୟ ଲାଭ କରି ମୁଁ ତାହାହିଁ ଅନୁଭବ କରି ଶିଖିଛି ।

 

୧୪ । ୯ । ୮୧

 

ବିନୋବାଜୀ କେତେ ପଛରେ ଯାଇ ରହିଗଲେଣି । ଏହି ଦେଶର ଜୀବନ ସିଡ଼ିରେ ଆକାଂକ୍ଷାଗୁଡ଼ାକ ତାଙ୍କୁ ସତେ ଯେମିତି କେତେ ପଛରେ ପକାଇ ଦେଇ ଚାଲି ଆସିଲାଣି । ମହାତ୍ମା ଗାନ୍ଧୀଙ୍କର ଜୀବନରେ ଏପରି ମୋଟେ ଘଟି ନଥିଲା । ମହାତ୍ମା ଗାନ୍ଧୀ ତାଙ୍କ ଜୀବନର ଶେଷକ୍ଷଣ ପର୍ଯ୍ୟନ୍ତ ଏହି ଦେଶର ସାଙ୍ଗେ ସାଙ୍ଗେ ରହିଥିଲେ । ଆମେ ତାଙ୍କୁ ଜଣେ ମହାତ୍ମା କହି ଯେତେ ଉପରକୁ ଟେକି ଦେବାଲାଗି ଅନେକ ସମୟରେ ମନ କରିଥିଲେ ମଧ୍ୟ ସିଏ ତଥାପି ଆମ ସହିତ ରହିଥିଲେ । ସେ ସମଗ୍ର ମାନବଜାତି ସହିତ ରହିଥିଲେ । ହୁଏତ ଆଜି ମଧ୍ୟ ରହିଛନ୍ତି ।

 

ମଣିଷ ସହିତ ତା’ ଜୀବନର ନିକଟ ହୋଇ ରହିବାଲାଗି ପ୍ରକୃତରେ ଅନେକ ସାହସ ଦରକାର । ଶ୍ରଦ୍ଧା, ଈଶ୍ଵରାନୁରକ୍ତି ଏବଂ ପାଣ୍ଡିତ;–ଏଗୁଡ଼ିକ ସହିତ ସାହସ ରହିଥିବା ଦରକାର । ତା’ ନହେଲେ ଜୀବନ ପ୍ରତି ଶ୍ରଦ୍ଧା ଜୀବନ ପ୍ରତି ଏକ ବୈରାଗ୍ୟକୁହିଁ ସର୍ବସାର କରି ଧରି କ୍ରମଶଃ ଏକ ଆତ୍ମ ଅପସାରଣରେ ପରିଣତ ହୋଇ ପଡ଼ିବାର ଏକ ଆଶଙ୍କା ସବୁବେଳେ ରହିଥାଏ । ବିନୋବା ଆପଣା ବାଟରେ ଆଗକୁ ଯିବା ସଙ୍ଗେ ସଙ୍ଗେ ସିଏ ଆମର ଆହୁରି ଅଧିକ ନିକଟ ହୋଇ ଆସୁଥିବା ପରି ମନେ ହୋଇଥାନ୍ତେ, ମାତ୍ର ତାଙ୍କର ଆଶ୍ରମଟିକୁହିଁ ସିଏ ସବାଶେଷକୁ ଆପଣାର ଆକାଶରେ ପରିଣତ କରି ରଖିଲେ । ଯେତେବେଳେ ଋଷିର ବିବେକ ଭିତରୁ ନିର୍ଭୀକ ବାଣୀ କିଛି ଶୁଣିବ ବୋଲି ଦେଶରେ କେତେ ଲୋକ ଅପେକ୍ଷା କରି ରହିଥିଲେ, ସେତେବେଳେ ସିଏ ମୌନ ଅବଲମ୍ବନ କଲେ, ମୁନି ହୋଇ ରହିଲେ । ଏ ଯୁଗ ଋଷିର ଯୁଗ, ଆରୋହଣର ଯୁଗ, ଜୀବନର ଯୁଗ, ସାହସର ଯୁଗ । ଯିଏ ତଥାପି ମୌନ ଅବଲମ୍ବନ କରି ରହିବ, ଆପଣାକୁ ପ୍ରତ୍ୟାହୃତ କରି ରଖିବ, ତାକୁ ଏହି ଯୁଗ ପଛରେ ପକାଇ ଆଗକୁ ଚାଲିଯିବ । ମୁନି ପ୍ରତି ତା’ର ଶ୍ରଦ୍ଧାରେ କୌଣସି ଊଣା ହେବନାହିଁ ସତ, ମାତ୍ର ତଥାପି ସିଏ ତାକୁ ପଛରେ ପକାଇ ଆଗକୁ ବାହାରିଯିବ ।

 

୧୫ । ୯ । ୮୧

 

ସନ୍ଥ ବିନୋବା ଆଗ ବୈରାଗୀ, ତା’ପରେ ଶ୍ରଦ୍ଧାଶୀଳ । ମୋକ୍ଷ କହିଲେ ତାଙ୍କ ଜୀବନରେ ସିଏ ତଥାପି ଆଗ ନିଜର ମୋକ୍ଷକୁ ବୁଝନ୍ତି, ଅର୍ଥାତ୍ ଜଣେ ବ୍ୟକ୍ତି ହିସାବରେ ପରମେଶ୍ଵର ପରମସତ୍ତାଙ୍କ ସହିତ ତାଙ୍କର ସମ୍ବନ୍ଧଗୁଡ଼ିକ କେତେବେଳେ କିପରି ହୋଇ ରହିବ, ସିଏ ହୁଏତ ସବାଆଗ ସେହି ଗହନଟିକୁ ବୁଝନ୍ତି, ସେହି ଗତିଟି ବିଷୟରେ ଚିନ୍ତା କରିବାକୁହିଁ ପରମ ଚିନ୍ତା ବୋଲି ଅନୁଭବ କରନ୍ତି । ଭାରତୀୟ ଜୀବନଦର୍ଶନ ସାଧାରଣତଃ ଏହିପରି ଏକ ବୈରାଗ୍ୟଭିତ୍ତିକ ପ୍ରତ୍ୟାହାରଧର୍ମୀ ଦୃଷ୍ଟିକୋଣ ହୋଇ ରହି ଆସିଥିଲା । ଊନବିଂଶ ଶତାବ୍ଦୀର ମଧ୍ୟଭାଗଠାରୁ ପାଶ୍ଚାତ୍ୟ ଜୀବନଦୃଷ୍ଟିଟି ଆସି ଭାରତୀୟ ଦୃଷ୍ଟିକୁ ଅଧିକ ଜୀବନଧର୍ମୀ କରାଇଲା, ସମୂହଧର୍ମୀ କରାଇଲା,–ତଥାକଥିତ ଅନ୍ନମୟ ଓ ଆନନ୍ଦମୟକୁ ଜୀବନୋଦ୍ୟମର ବହୁତର କ୍ଷେତ୍ରରେ ଏକତ୍ର କରାଇ ଆଣିବାରେ ତାହା ଭାରି ସାହାଯ୍ୟ କରିଥିଲା । ମଣିଷ ପ୍ରତି ଶ୍ରଦ୍ଧା ବଢ଼ିଲା, ମଣିଷର ଅର୍ଥାତ୍ ସବୁ ମଣିଷଙ୍କର ମହତ୍ତମ ସମ୍ଭାବନାଗୁଡ଼ିକୁହିଁ ଅଗ୍ରତମ ଅଧିକାର ଦେଇ ସାମୂହିକ ଜୀବନଟିକୁ ଅର୍ଥାତ୍ ଇହସଂସାରଟିକୁ ଅଧିକ ଈଶ୍ଵରାନୁକୂଳ କରି ଗଢ଼ିବାକୁ ସେଥିରୁ ଏକ ପ୍ରେରଣା ମିଳିଥିଲା ।

 

ସେହି ପ୍ରେରଣା ଆମେ ରବୀନ୍ଦ୍ର ନାଥ, ମହାତ୍ମା ଗାନ୍ଧୀ ଓ ଶ୍ରୀଅରବିନ୍ଦଙ୍କର ଦୃଷ୍ଟି ମଧ୍ୟରେ ପ୍ରତିଫଳିତ ହୋଇଥିବାର ଦେଖିବାକୁ ପାଇଥାଉ । ଏକ ସମନ୍ଵୟାତ୍ମକ ଆହ୍ଵାନର ପର୍ଯ୍ୟାୟରେ ସେହିମାନେହିଁ ଭାରତବର୍ଷର ସର୍ବଶ୍ରେଷ୍ଠ ପ୍ରତିନିଧି ହୋଇ ରହିଥିବେ । ଏହିମାନଙ୍କର କର୍ମପ୍ରଧାନ ମାନବଦୃଷ୍ଟିରେ ଜ୍ଞାନ, ମୋକ୍ଷ, ପୁରୁଷାର୍ଥ ଓ ଭକ୍ତିର ସଂଜ୍ଞାଗୁଡ଼ାକ ବଦଳିଗଲା । ଭାରତବର୍ଷକୁ ତାହା ଏକ ନୂତନ କର୍ମପ୍ରୟାସର ପ୍ରେରଣା ଆଣିଦେଲା । ଏମାନଙ୍କ ସହିତ ବିନୋବାଜୀଙ୍କର ହୁଏତ ଅନେକ ପାର୍ଥକ୍ୟ ରହିଛି । ସିଏ ପ୍ରତ୍ୟାହାରକୁହିଁ ମାନବଜୀବନର ସର୍ବଶ୍ରେଷ୍ଠ ପଥ ବୋଲି ଗ୍ରହଣ କରିଛନ୍ତି, ଆମରି ଭିତରେ ଥାଇ ମଧ୍ୟ କ୍ରମେ ଅଧିକରୁ ଅଧିକ ମୌନ ହୋଇ ଯାଉଛନ୍ତି ।

 

୧୬ । ୯ । ୮୧

 

ପିଲାଟିବେଳୁ ଏହି ଦେଶର ପିଲାଙ୍କୁ ଦେଶ ବିଷୟରେ ଏପରି ଧାରଣା ଦିଆଯାଉଥାନ୍ତା, ଯାହାକି ସେମାନଙ୍କ ଭିତରେ ବଡ଼ ହେବାପରେ ମଧ୍ୟ ପକ୍କା ହୋଇ ରହୁଥାନ୍ତା । ନିଜ ଦେଶକୁ ଭଲ ପାଇବା ବିଷୟରେ ଏପରି ଏକ ଜୀବନଧର୍ମୀ ନୈକଟ୍ୟ ଓ ଆତ୍ମୀୟତାରେ ପ୍ରେରଣା ଦିଆଯାଉଥାନ୍ତା, ଯାହାକି ସେମାନେ ବଡ଼ ହେବାପରେ ମଧ୍ୟ ମୂଳତଃ ଏକ ଭଲପାଇବା ହୋଇ ରହୁଥାନ୍ତା, ଅଧିକରୁ ଅଧିକ ପରିମାଣରେ ସେମାନଙ୍କ ଭିତରେ ଏକ ସମର୍ପଣ ଶକ୍ତିର ଉଦ୍‍ବୋଧନ ଆଣି ଦେଇପାରୁଥାନ୍ତା । ସେମାନଙ୍କୁ କୌଣସି ପ୍ରକାର ଭାବପ୍ରବଣତା ଭିତରେ ବାନ୍ଧିରଖି ଅଫିମ ଖୁଆଇବାକୁ ମନ କରୁନଥାନ୍ତା ।

 

ପିଲାମାନେ ଅତି ସାନ ହୋଇଥିବାବେଳେ ଆମେ ବଡ଼ମାନେ ସେମାନଙ୍କ ଭିତରେ ଦେଶ ନାମରେ କେତେ ଭାବପ୍ରବଣତା ଓ ଅକର୍ମା ଅଳ୍ପମୁଗ୍ଧତା ଆଣି ପୂରାଇ ନ ଦେଉଛୁ ! ଆମର ଦିଗ୍‌ବଳୟଗୁଡ଼ିକ ଯେତିକି ବିସ୍ତାରିତ ହୋଇ ପାରିଛି, ସେମାନଙ୍କର ସ୍ଵଦେଶଚେତନାରେ ଆମେ ପ୍ରାୟ ସେତିକି ବିସ୍ତାର ଆଣି ଦେଇପାରୁଛୁ । ସେମାନେ ଦେଶକୁ ଭଲ ପାଇବା ନାଁରେ କେତେଟା ବାହାରି ଉପଚାରକୁ ଉପରେ ଉପରେ ଆଦରି ନେଉଛନ୍ତି, ଭାବପ୍ରବଣ କରି ରଖିଲାଭଳି କେତେଟା ଗୀତ ଗାଉଛନ୍ତି, ଅଥବା କେତେଟା ମୋହକୁ ଆବରଣ ପରି କରି ଅସଲ ହୃଦୟଗୁଡ଼ିକୁ ବାନ୍ଧି ରଖୁଛନ୍ତି । ବଡ଼ ହୋଇ ସେମାନଙ୍କର ଭାବପ୍ରବଣତା ତୁଟି ଯାଉଛି, ଚଲାଖ ହୋଇ ସେମାନେ ଏହି ଦେଶକୁ ଯେକୌଣସି ବିଦେଶୀ ପରି ଶୋଷଣ କରୁଛନ୍ତି ଯେକୌଣସି ବର୍ବର ପରି ଏଠି ଅନେକ ମଣିଷଙ୍କ ଉପରେ ସବାର ହୋଇ ରହୁଛନ୍ତି । ପିଲାବୟସବେଳେ ସେମାନଙ୍କୁ ଯେ ଦେଶ ନାମରେ କେତେଟା ମଧୁର କଥା କୁହାଯାଇଥିଲା ଓ ବଡ଼ବେଳେ ତାହାର ଯେ ଆଦୌ କୌଣସି ମୂଲ୍ୟ ନାହିଁ, ଏପରିକି ଦେଶ ବା ସମାଜ ପାଖରେ ଯେ କୌଣସି ପ୍ରକାର ଆନୁଗତ୍ୟର ଆବଶ୍ୟକତା ନାହିଁ, ଏପରି ଏକ ଅମାନୁଷିକ ଦମ୍ଭହିଁ ସେମାନଙ୍କ ଜୀବନରେ ପ୍ରଧାନ ପରିଚାଳନା ସୂତ୍ରରୂପେ ପରିଣତ ହୋଇଯାଉଛି ।

 

୧୭ । ୯ । ୮୧

 

ଯଦି ପାଠ ପଢ଼ୁଥିବା ପିଲାମାନେ ପାଠ ପଢ଼ିବାକୁ ପ୍ରକୃତରେ ପାଠ ପଢ଼ିବା ବୋଲି ଗ୍ରହଣ କରୁଥାନ୍ତେ ଓ ଯଦି ଅଧ୍ୟାପକମାନେ ପାଠ ପଢ଼ାଇବାକୁ ମଧ୍ୟ ପ୍ରକୃତରେ ପଥ ପଢ଼ାଇବା ବୋଲି ଗ୍ରହଣ କରୁଥାନ୍ତେ, ତେବେ ପାଠ ପଢ଼ିବା ଓ ପାଠ ପଢ଼ାଇବାର ଜାଗାଗୁଡ଼ାକ ନାନା ବର୍ବରତାର ଦୂଷିତ ଉତ୍ୟକ୍ତତା ଭିତରେ ଅଶାନ୍ତ ହୋଇ ରହିନଥାନ୍ତା । ଏହି ଅଶାନ୍ତି ପଛରେ ଆହୁରି ଅନେକ କାରଣର ହାତ ଯେ ଅବଶ୍ୟ ରହିଛି ସେକଥା ମୁଁ ମୋଟେ ଅସ୍ଵୀକାର କରୁନାହିଁ । ତଥାପି, ବାହାରର ସକଳ ସଂକ୍ରମଣ ସତ୍ତ୍ୱେ ଶିକ୍ଷକ ଓ ଛାତ୍ର ଯଦି ଯଥାର୍ଥ ମନ ନେଇ ପରସ୍ପରର ସମୀପବର୍ତ୍ତୀ ହୋଇ ପାରୁଥାନ୍ତେ ଏବଂ ବିଶ୍ଵବିଦ୍ୟାଳୟକୁ ସବାଆଗ ସେହିମାନଙ୍କର ଘର ବୋଲି ଅନୁଭବ କରି ପାରୁଥାନ୍ତେ, ତେବେ ବାହାରର କୌଣସି ଶକ୍ତି ବିଦ୍ୟାଳୟର ପରିବେଶ ଭିତରେ କଦାପି କୌଣସି ଦୁଷ୍ଟତା ଆଣି ଭରି ଦେଇ ପାରନ୍ତାନାହିଁ ।

 

ବିଶ୍ୱବିଦ୍ୟାଳୟର ଯାବତୀୟ ଅଶାନ୍ତି ଓ ଅମଙ୍ଗତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରି ପାରିବାଲାଗି ଆଗ ଅନ୍ୟ ପ୍ରକାରର ଏକ ମନ ଦରକାର, ଅନ୍ୟ ପ୍ରକାରର ଏକ ଜିଦ୍ ଦରକାର । ଏମିତି କେତେଜଣ ଅଧ୍ୟାପକ ଓ ଛାତ୍ର ବାହାରନ୍ତେ, ଯେଉଁମାନେ କି ପରସ୍ପର ଭିତରେ ଏକ ସ୍ଵାଭାବିକ ଆତ୍ମୀୟତା ରଖିପାରନ୍ତେ, ବିଦ୍ୟା ଦାନ କରନ୍ତେ ଓ ବିଦ୍ୟା ଗ୍ରହଣ କରନ୍ତେ, ମନୁଷ୍ୟକୃତ ଯାବତୀୟ ଧୂଳି ଓ ଝଡ଼ରୁ ସେଠି ଆପଣାକୁ ଜାଣିଶୁଣି ଅଲଗା ରଖିପାରନ୍ତେ, ତେବେ ବାଟ ପାଉନଥିବା ଆମ ସମସ୍ତଙ୍କ ଲାଗି ଏକ ସମାନ୍ତର ବିକଳ୍ପ ମଧ୍ୟ ଆଖି ଆଗରେ ଦିଶିଯାଇ ପାରନ୍ତା । ମାତ୍ର, ସେଥିଲାଗି ଯେଉଁ ସାହସ ଦରକାର, ସେହି ସାହସ ବାମ ଅଧ୍ୟାପକମାନଙ୍କର କାହିଁ ? ସେଥିଲାଗି ଯେଉଁ ଅଚଞ୍ଚଳତା ଦରକାର, ସେହି ଅଚଞ୍ଚଳତା ଆମ ଛାତ୍ରମାନଙ୍କଠାରେବି କାହିଁ ? କିଏ ଏପରି ଏକ ଅନ୍ୟ ବାଟ ଲାଗି ସାହସୀ ହୋଇ ବାହାରି ଆସି ପାରିବ ?

 

୧୮ । ୯ । ୮୧

 

ପୁରୁଣା ପରିଚିତ ଜାଗାକୁ ଗଲେ ସତେଯେପରି ସେଠି ସମସ୍ତେ ଅପେକ୍ଷା କରି ରହିଥିଲା ପରି ମନେହୁଏ । ବଗିଚାର ଗଛମାନେ ଅପେକ୍ଷା କରି ରହିଥାନ୍ତି । ଗଛର ଫୁଲମାନେ ଅପେକ୍ଷା କରି ରହିଥାନ୍ତି । ଯୋଉମାନେ ଗୋଟାସୁଦ୍ଧା ପାସୋରି ସାରିଲେଣି ବୋଲି ମନେ ହେଉଥାଏ, ସେମାନେ ମଧ୍ୟ ଅପେକ୍ଷା କରି ରହିଥାନ୍ତି । ତେଣୁ, ପୁରୁଣା ଥାନଟିରେ ଯାଇ, ପହଞ୍ଚିବା ମାତ୍ରକେ ଆଦୌ କେଉଁଠି କିଛି ବ୍ୟବଧାନ କେବେ ରହିଥିଲା ବୋଲି ମୋଟେ ମନେ ହୁଏନାହିଁ । କାଳର ବ୍ୟବଧାନଟି ମଧ୍ୟ ଅତିକ୍ରମି ହୋଇଯାଏ ।

 

ଯୋଉ ମଣିଷମାନେ ବାହାରକୁ ଶତ୍ରୁପରି ମନେ ହେଉଥିଲେ, ଉପେକ୍ଷାଦ୍ଵାରା ପ୍ରେରିତ ହୋଇ କବାଟ କିଳି ବସିଥିଲେ, ସେମାନଙ୍କ ଭିତରେବି ସତେକେଉଁ ଚିହ୍ନା ଆତ୍ମୀୟତାର ଅପେକ୍ଷା କରି ରହିଥିବା ପରି ବୋଧ ହେଉଥାଏ । ଏମାନେ ସତେଯେପରି କେହି ପର ନୁହନ୍ତି, କେବଳ ମୁଖାଗୁଡ଼ାକୁହିଁ ପର,–ଠିକ୍‍ ସେହିପରି ମନେହୁଏ । ଅନେକ ସମୟରେ ମଣିଷ ଏଇ ମୁଖାଗୁଡ଼ାକୁହିଁ ନିଜର ଅସଲ ମୁହଁଠାରୁ ଅଧିକ ବିଶ୍ଵାସଯୋଗ୍ୟ ବୋଲି ଗ୍ରହଣ କରିନିଏ । ସୂତ୍ରଗୁଡ଼ାକୁ କାଟିଦେଇ ଆପଣାକୁ ଲକ୍ଷ୍ମୀଛଡ଼ା ବୋଲି ଦେଖାଇ ସତେଅବା ଭାରି ଭଲ ପାଏ । ସେହି ସମୟରେହିଁ ସିଏ ପର ହୋଇଯାଏ । ହୁଏତ ନିଜ ପାଖରେହିଁ ଭାରି ପର ହୋଇ ରହେ । ଅତ୍ୟନ୍ତ ଅନମନୀୟ ଭାବରେ ଆଖି ଫିଟାଇ ଦେଖିବା ଲାଗି ସିଧା ମନା କରିଦିଏ । ମୁଖାଗୁଡ଼ାକ ସକାଶେ ମଣିଷମାନଙ୍କୁ ମୁଁ କଦାପି ଭୁଲ୍ ବୁଝିବିନାହିଁ । ବାହାରୁ ଦୂରତା ବୋଲି ଦିଶୁଥିବା ଉପେକ୍ଷାଗୁଡ଼ାକ ସକାଶେ ମୁଁ ଆତ୍ମୀୟତାଗୁଡ଼ାକୁ କଦାପି ସଂଶୟ କରିବିନାହିଁ । ନିଜେ ଯାବତୀୟ ମୁଖାରୁ ବାହାରେ ରହିଥିଲେ ଯାଇ ତାହା ସମ୍ଭବ ହେବ ।

 

୧୯ । ୯ । ୮୧

 

ନିଜ ଭିତରେହିଁ ଅସଲ ଶକ୍ତି ନିହିତ ହୋଇ ରହିଛି । ଅପେକ୍ଷା କରି ରହିଛି । ସେହି ଅସଲ ଶକ୍ତିଟିକୁ ନିଜ ଭିତରେ ଅନୁଭବ କରି ପାରିଲେ ତାହା ପ୍ରକୃତରେ ଏକ ଅମିତ ଶକ୍ତିରୂପେବି ଅନୁଭୂତ ହୋଇଥାଏ ଏବଂ ତା’ପରେ ଆଉ କୌଣସି ଭୟ ରହେନାହିଁ ।

 

ଭିତରେ ଅସଲ ଶକ୍ତି ଓ ଅମିତ ଶକ୍ତି ରହିଛି, କାରଣ ଅସଲ ବନ୍ଧୁ ସେଇ ଭିତରେ ରହିଛି । ସଂସାରରେ ଯାହାକିଛି ସ୍ନେହର ଡାଳ ପତର ମେଲାଇ ମୁଁ ଏଇ ସବୁଟି ସହିତ ସଂଯୁକ୍ତ ହୋଇ ବାଟ ଚାଲି ପାରୁଛି, ତାହାର ଅସଲ ମୂଳଟି ମୋ’ ଭିତରେ ରହିଛି । ସେହି ମୂଳଟିକୁ ମନ କଲା ମାତ୍ରକେ ସ୍ପର୍ଶ କରି ପାରିବାର ଅର୍ଥ ହେଉଛି ଆପଣାକୁ ଅସଲ ଶ୍ରଦ୍ଧା ଅର୍ଥାତ୍ ଅସଲ କର୍ମ ଦେଇ ବିତରିତ କରିଦେଇ ସତତ ଧନୀ ହୋଇ ରହିପାରିବା । ମୁଁ ଭାଗ୍ୟବାନ, କାରଣ ଏହି ଜଗତ ଓ ଏହି ଆକାଶର ସବୁଯାକ ଆଶୀର୍ବାଦ ମୋତେ ସେହିପରି ଧନୀ ହୋଇ ରହିବାର ରହସ୍ୟ ନିଦାନଗୁଡ଼ିକୁ ବତାଇ ଦେଇ ଯାଇଛି । ଆପଣାକୁ ମୁଁ କେବେହେଲେ ନିଃସ୍ଵ ବୋଲି ମନେ କରିନାହିଁ ବଞ୍ଚିତ ଦୁର୍ବଳ ଅଥବା ରୁଗ୍‍ଣ ବୋଲି କେବେ ମନେ କରିନାହିଁ । ସେଇଥିପାଇଁ ମନ କଲାମାତ୍ରକେ ମୋତେ ସହାୟତା ମିଳିଛି ଓ ଆଗକୁ ବାଟ ମିଳିଯାଇଛି । ଏବଂ, ଯେତେବେଳେ ପର୍ଯ୍ୟନ୍ତ ଏହିପରି ବାଟଗୁଡ଼ାକ ଦିଶି ଦିଶି ଯାଉଥିବ, ଭିତରେ ଥିବା ସ୍ନେହର ଗନ୍ତାଘରଟି ସଂସାରରେ ସବୁ ମଣିଷଙ୍କୁ ଛୁଇଁ ପାରିଲା ଭଳି ପାଥେୟଟିକୁ ଅତ୍ୟନ୍ତ ଉଦାର ଭାବରେ ଦେବାରେ ଲାଗିଥିବ, ସେତେବେଳେ ପର୍ଯ୍ୟନ୍ତ ଜୀବନରେ ବିଶ୍ଵାସଟାହିଁ ଅସଲ ପ୍ରେରଣା ହୋଇ ରହିଥିବ । ଏବଂ, ଅବିଶ୍ଵାସମାନେ ପାଖ ମାଡ଼ୁନଥିବେ । ପ୍ରାୟ ଅନମନୀୟ ଭାବରେ ଜଣେ ବିଶ୍ଵାସୀ ଭାବରେ ସଂସାରରେ ସମସ୍ତଙ୍କର ସମୀପବର୍ତ୍ତୀ ହେବା,–ଏହାକୁହିଁ ମୁଁ ଅସଲ ଚରଣଟିର ଯୋଗ୍ୟ ହେବା ବୋଲି ଅନୁଭବ କରିଥାଏ । ସେହି ଯୋଗ୍ୟତା ହେଉଛି ମୋ’ ଜୀବନର ଅସଲ ସମ୍ପର୍କ, ମୋ’ ସନ୍ତାନତତ୍ତ୍ଵର ଅସଲ ଗର୍ବ ।

 

୨୦ । ୯ । ୮୧

 

ବାଧ୍ୟ ହୋଇ ଦେଖିଲା ବେଳକୁ ସତେଅବା କୋଉଠି କେହି ହେଲେ ନଥାନ୍ତି । ଆତ୍ମୀୟତା ଦେଇ ଦେଖିଲାବେଳେ ଠିକ୍ ସେହି ସଂସାରଟି ସତେଅବା ଆତ୍ମୀୟମାନଙ୍କଦ୍ଵାରା ଭରି ଉଠିଲା ପରି ମନେହୁଏ । ସଂସାରରେ ଅତି ସତର୍କ ଭାବରେ ଆଗ ଆପଣାର ଶତ୍ରୁମାନଙ୍କୁ ଠାବ କରି ବୁଲୁଥିବା ପର୍ଯ୍ୟନ୍ତ କୋଉଠି କେହି ଜଣେହେଲେ ବନ୍ଧୁ ଦେଖିବାକୁ ମିଳନ୍ତି ନାହିଁ । ମାତ୍ର, ବନ୍ଧୁ ଖୋଜୁଥିବା ଜଣେ ବନ୍ଧୁ ପରି ସଂସାର ଭିତରକୁ ଅନାଇଦେବା ମାତ୍ରକେ ତଥାକଥିତ ଶତ୍ରୁମାନଙ୍କ ଭିତରେ ମଧ୍ୟ ବନ୍ଧୁର ଦର୍ଶନ ମିଳିଯାଏ ।

 

ସତର୍କ ସଜ୍ଜନ ମଣିଷମାନେ ଅନେକ ସମୟରେ ଏହି କଥାଟାକୁ ପ୍ରାୟ ଏକ ବୋକାମି ବୋଲି କହିଥାନ୍ତି । ସତର୍କ ରହିବାକୁ ଦୂରଛଡ଼ା ହୋଇ ରହିବାକୁହିଁ ସେମାନେ ଅନେକ ସମୟରେ ସାଧୁତା ବୋଲି ବିଚାରୁଥାନ୍ତି । ମାତ୍ର, ଅସଲ ସାଧୁତା ସତର୍କ ରହିବାର ଏବଂ ଧରା ନପଡ଼ିବାର ସାଧ୍ୟତା ନୁହେଁ, ଅସଲ ସାଧୁତା ହୃଦୟର ସାଧୁତା । ହୃଦୟ ହେଉଛି ନୈକଟ୍ୟ ସାଧନର ସଙ୍ଗୀ । ନିକଟବର୍ତ୍ତୀ ହେବାର ଚେଷ୍ଟା କରିବା, ବାର ପ୍ରକାରର ବିଭିନ୍ନତା ବୈମନସ୍ୟ ସତ୍ତ୍ୱେ ତଥାପି ସବୁରି ଭିତରେ ସଧର୍ମୀଟିଏ, ଆତ୍ମୀୟଟିଏ ଲୋଡ଼ିବାକୁ ଯିବା,–ଏହି ଜୀବନରେ ମୁଁ ତାହାକୁହିଁ ସବୁଠାରୁ ବଡ଼ ଆନନ୍ଦ ବୋଲି ଅନୁଭବ କରିଛି । ମୋତେ ତାହାହିଁ ଆପଣାର ଜୀବନକୁ, ଅର୍ଥାତ୍ ଅଗ୍ରସର ହେବାର ଯାବତୀୟ ଆକାଂକ୍ଷା ଏବଂ ଆବଶ୍ୟକତାକୁ ଅତ୍ୟନ୍ତ ନିବିଡ଼ ଭାବରେ ଅନୁଭବ କରିବାର ପାଠଟିକୁ ଶିଖାଇ–ଦେଇଯାଇଛି, ସେଥିଲାଗି ମୋତେ ଆବଶ୍ୟକ ସାହସଟିକୁ ଦେଇଯାଇଛି, ମୋତେ ଅଜସ ସଂସାର ସହିତ ଯୋଡ଼ିଦେଇ ଯାଇଛି । ତାହାହିଁ ମୋତେ ଆପଣା ପାଖରେ ସାଧ ହୋଇ ଶିଖାଇଛି, ଆପଣାର ମିତ୍ର ହୋଇ ଶିଖାଇଛି ।

 

୨୧ । ୯ । ୮୧

 

ରାଜନୀତିରେ ବର୍ତ୍ତମାନ ଯେଉଁମାନେ ବାନପ୍ରସ୍ଥର ମଧ୍ୟଦେଇ ଗତି କରୁଛନ୍ତି, ସେମାନେ ଉପସ୍ଥିତ ପରିସ୍ଥିତିଗୁଡ଼ିକ ବିଷୟରେ କେତେ ଭଲ କଥା ଶୁଣାଉଛନ୍ତି, କେତେ ସାଧୁବାଣୀର ବୟାନ କରୁଛନ୍ତି ଓ ଆମେ ସମସ୍ତେ କିପରି ଉଚିତ ଆଚରଣ କରିବୁ, ସେଥିଲାଗି କେତେ ଉଦ୍‌ବୋଧନ ଦେବାରେ ଲାଗିଛନ୍ତି । ଏମାନେ କୋଡ଼ିଏ ପଚିଶିବର୍ଷ ତଳେ ରାଜନୀତି ଭିତରେ ଯେତେବେଳେ ପୂର୍ଣ୍ଣ ଗୃହସ୍ଥ ହୋଇ ରହିଥିଲେ ଓ ଚତୁର୍ବର୍ଗକାମୀ ଗାର୍ହସ୍ଥ୍ୟଧର୍ମ ଆଚରଣ କରୁଥିଲେ, ସେତେବେଳେ ସେମାନେ ଗୋଟାଏ ଗୋଟାଏ ରାକ୍ଷସ ପରି ଏହି ଦେଶର ସମ୍ପୂର୍ଣ୍ଣ ଆକାଶଟାକୁ ଗିଳି ଆତ୍ମସାତ୍ କରିବାରେ ମାତିଥିଲେ । ସେତେବେଳେ ଲାଳସାହିଁ ସେମାନଙ୍କର ସର୍ବାକର୍ଷକ ଧର୍ମ ହୋଇ ରହିଥିଲା । ସଂସ୍କୃତି ମଧ୍ୟରେ ଯାହାକିଛି ଉଦାର ଓ ଯାହାକିଛି ମାନବୀୟ, ଏମାନେ ତାହାକୁ କେଡ଼େ ଲୋଲୁପତା ସହିତ ଗ୍ରାସ କରିବାକୁ ବାହାରିଥିଲେ ।

 

ବାନପ୍ରସ୍ଥ କହିଲେ ଜୀବନର ଏକ ବିଶେଷ ପର୍ଯ୍ୟାୟକୁ ବୁଝାଏ ନାହିଁ, ତାହା ମୂଳତଃ ଏକ ବିଶେଷ ଅଥଚ ସମଗ୍ର ଦୃଷ୍ଟିକୋଣଟି ଗୃହସ୍ଥ ଭିତରେ ରହିଲେ ଗାର୍ହସ୍ଥ୍ୟ ମଧ୍ୟ ତଦ୍ଦ୍ଵାରା ଅଧିକ ଉଜ୍ଜ୍ଵଳତାଯୁକ୍ତ ହୋଇଥାଏ । ସେହି ଦୃଷ୍ଟିକୋଣଟି ରାଜନୀତି ଭିତରେ ସମ୍ଭବ ହେଲେ ରାଜନୀତି ଦୂଷିତତାମୁକ୍ତ ହୁଏ । ଆମ ରାଜନୀତିର ମାମଲତ୍‍କାରମାନେ ନିଜ ଗାର୍ହସ୍ଥ୍ୟ ସମୟରେ ବାନପ୍ରସ୍ଥ ଦୃଷ୍ଟିର ଯୋଗ୍ୟ ହୋଇ ପାରିଥିଲେ ଆମର ଦେଶ ହୁଏତ ଅନେକ ଦୁର୍ଗତିରୁ ରକ୍ଷା ପାଇ ପାରିଥାନ୍ତା-। ବର୍ତ୍ତମାନ ବାର୍ଦ୍ଧକ୍ୟ ଆସିବା ପରେ ଯେଉଁମାନେ ବାନପ୍ରସ୍ଥଗ୍ରସ୍ତ ବୃଦ୍ଧଙ୍କ ପରି ସାଧୁଶକ୍ତିମାନ ଶୁଣାଉଛନ୍ତି ଓ ଆମକୁ ବର୍ତ୍ତମାନର ଉତ୍ତେଜନାଗୁଡ଼ାକ ଭିତରେ ସଦ୍‌ବୁଦ୍ଧି ଅବଲମ୍ବନ କରିବାର ପରାମର୍ଶ ଦେଉଛନ୍ତି, ସେମାନଙ୍କର ସମସ୍ତ ଆଚରଣ ପଛରେ ଆଦୌ କୌଣସି ସାଧୁତା ନାହିଁ ଓ ସେଥିଲାଗି ତାହାର ଆଦୌ କୌଣସି ପ୍ରଭାବ ପଡ଼ୁନାହିଁ ।

 

୨୨ । ୯ । ୮୧

 

ଯିଏ ବାଟ ପାଇଲା, ସିଏ ଚୁପ୍ ହୋଇ ଯାଉଥାନ୍ତା, ଯିଏ ଭଲ ପାଇଲା, ସିଏବି ଚୁପ୍ ହୋଇ ଯାଉଥାନ୍ତା । ଯିଏ ସୁନିର୍ବାଚିତ କୌଣସି ଯଥାର୍ଥ ଆଦର୍ଶକୁ ସମ୍ମୁଖରେ ରଖି ଜୀବନ ବଞ୍ଚୁଥାନ୍ତା, ସିଏବି ଆପେଆପେ ଚୁପ୍ ହୋଇ ଯାଉଥାନ୍ତା । ଏମାନେ ଯେଉଁମାନେ ଜୀବନରେ ରାସ୍ତାମଝିରେ ଖାଲି ବଡ଼ପାଟି କରିବାରେ ଲାଗିଛନ୍ତି, ସେମାନେ କ’ଣ ନିଜ ଜୀବନରେ କିଛିହେଲେ ପାଇନାହାନ୍ତି ? ଏମାନେ ଭଲ ପାଇ ପାରିନାହାନ୍ତି, ଆପଣା ଲାଗି ବାଟଟିଏ ପାଇ ନାହାନ୍ତି,–ନିଜ ଜୀବନଟିକୁ ଯାହାପାଇଁ ଯଥାର୍ଥରେ ବଞ୍ଚିହେବ, ସେପରି କୌଣସି ଆଦର୍ଶବି କ’ଣ ଏମାନଙ୍କର ହାତରେ ମୋଟେ ଧରା ଦେଇନାହିଁ ।

 

ଆପଣାକୁ ଠିକ୍ ବୋଲି ସାବ୍ୟସ୍ତ କରିବାକୁ ଏମାନେ ଦାଣ୍ଡଗୁଡ଼ାକରେ କେଡ଼େ ଗୋଳ ନକରୁଛନ୍ତି ! ଅନ୍ୟମାନଙ୍କର ଭୁଲ୍ ଦେଖାଇ ନିଜକୁ ସାଧୁ ବୋଲି ସାବ୍ୟସ୍ତ କରିବାକୁ ଯାଇ ଏମାନେ ପ୍ରକୃତରେ କେଡ଼େ ଅସୁନ୍ଦର ଓ ଅବର୍ଜିଆ ଦିଶୁନାହାନ୍ତି ! ନିଜର ଅସଭ୍ୟତା, ଅହଂକାର ଓ ଔଦ୍ଧତ୍ୟ ସବୁକିଛିକୁ ଏମାନେ ବଡ଼ପାଟି କରି ଘୋଡ଼ାଇ ରଖିବାକୁହିଁ ଇଚ୍ଛା କରୁଛନ୍ତି, ସମଗ୍ର କାଳଟାକୁ ଲଟାରେ ବାନ୍ଧି ରଖିଛନ୍ତି ! ଏହିମାନଙ୍କର ପ୍ରକୋପରୁ ରାଜନୀତି, ଶିକ୍ଷା, ସମାଜସେବା ପ୍ରଭୃତି ସାମାଜିକ ଜୀବନର ଯାବତୀୟ କ୍ଷେତ୍ର କେବଳ ଏକ ଉତ୍ତ୍ୟକ୍ତ ଜଙ୍ଗଲରେ ପରିଣତ ହୋଇ ରହିଛି । ଘୃଣାଗୁଡ଼ାକ କ୍ଷମତାର ହାତୀମାନଙ୍କ ଉପରେ ବସି ଶୋଭାଯାତ୍ରା କରି ବାହାରିଛନ୍ତି । ଏବଂ, ସବୁରି ପଛରେ ଅତିଲୋଲୁପ ସାନ ଅହଂଗୁଡ଼ାକ ଆପଣାକୁ ଚରିତାର୍ଥ କରିବାରେ ଲାଗିଛନ୍ତି-। ନିଜର ସାନପଣିଆ ଓ ଶୂନ୍ୟତାଗୁଡ଼ାକୁ ଲୁଚାଇ ରଖିବା ସକାଶେ ଚଉକିଗୁଡ଼ାକୁ ଦଶଟା ଗୋଡ଼ ଦେଇ ଦଶହାତ ଉଚ୍ଚ କରି ରଖାଯିବାରେ ଲାଗିଛି । ଏବଂ, ଉପରେ ଯାହା ଚାଲିଛି, ତାହାକୁହିଁ ତନ୍ତ୍ର କୁହାଯାଉଛି । ଭାଟମାନେବି ଏଡ଼େ ବଡ଼ପାଟି କରି ସେହି ତନ୍ତ୍ରର ପ୍ରଶସ୍ତିଗାନ କରିବାରେ ଲାଗିଛନ୍ତି-

 

୨୩ । ୯ । ୮୧

 

କେବଳ ହୃଦୟଦ୍ଵାରାହିଁ ସମ୍ଭବ ହେବ । ମସ୍ତିଷ୍କ ବା ବୁଦ୍ଧିଦ୍ଵାରା ମୋଟେ ହେବନାହିଁ । ସିଆଣିଆପଣଦ୍ଵାରା ପରିଶେଷରେ କେବଳ ଆପଣା ପାଖରେହିଁ ବଞ୍ଚିତ ହୋଇ ରହିବାକୁ ପଡ଼ିବ । ଘୃଣାଦ୍ଵାରା ଉତ୍ତେଜନାଟା ବଢ଼ିବାହିଁ ସାର ହେବ; ମାତ୍ର ଯାହା ହେବାର କଥା, ତାହା କେବଳ ହୃଦୟଦ୍ଵାରାହିଁ ସମ୍ଭବ ହେବ ।

 

ହୃଦୟଦ୍ଵାରାହିଁ ଆପଣାର ଯଥାର୍ଥ ନିକଟବର୍ତ୍ତୀ ହୋଇ ପାରିବା ସମ୍ଭବ ହେବ । ମସ୍ତିଷ୍କ, ବୁଦ୍ଧି, ଚତୁରତା ଓ ଘୃଣା ପ୍ରଭୃତିକୁ ଅତିକ୍ରମି ଯିବାପରେ ଯେତେବେଳେ ସବୁଟିର ଗହ୍ଵରରେ ରହିଥିବା ହୃଦୟସ୍ତରରେ ଯାଇ ପହଞ୍ଚିହେବ, ସେତିକିବେଳେ ଯାଇ ଆପଣାକୁ ଆପଣାର କରି ଦେଖିବା ସମ୍ଭବ ହେବ, ଆପଣାକୁ ସବୁରି ସହିତ ସଂଯୁକ୍ତ ହୋଇ ରହିଥିବାର ଅନୁଭବ କରିହେବ । ସେହି ହୃଦୟ ସହିତ ସୂତ୍ର ଯୋଡ଼ି ପାରିଲେହିଁ ବୁଦ୍ଧି ମସ୍ତିଷ୍କ ଦୀପ୍ତିମନ୍ତତାର ଏପରି ଏକ ସ୍ତରକୁ ସ୍ପର୍ଶ କରିବେ, ଯାହାଦ୍ୱାରା ଅଳ୍ପତାର ଯାବତୀୟ ବାଡ଼ ଭୁଶୁଡ଼ି ପଡ଼ିବ, ଯାବତୀୟ ଭୟାର ଅବସାନ ଘଟିବ । ବହିଗୁଡ଼ାକ ହୃଦୟର ଅସଲ ଭାବଟିଦ୍ଵାରା ଅନୁସିକ୍ତ ହୋଇ ପାରିଲେ କେଡ଼େ ଜୀବନ୍ତ ପରି ଅନୁଭୂତ ହେବେ ଏବଂ ନାନାବିଧ ଦୂରତା ଓ ନାନାବିଧ ସଙ୍କୋଚ କାଠିନ୍ୟ ହେତୁ ଆମ ଜୀବନରେ ଯେତେ ଯେତେ ସମସ୍ୟାର ଉଦ୍ଭବ ହୋଇଥାଏ ଓ ଯାହାକୁ ଆମେ ଜୀବନର ଏଡ଼େବଡ଼ ବୋଝଟିଏ ପରି କରି ଇତସ୍ତତଃ ହରକତ୍ ହୋଇ ବୁଲୁଥାଉ ଅଥଚ ଆପଣା ପାଖକୁ ଫେରି ଆସିବାକୁ ମୋଟେ ଇଚ୍ଛା କରୁନଥାଉ, ଆମେ ସେହିସବୁ ସମସ୍ୟାର ମଧ୍ୟ ସେତେବେଳେ ଏକ ଅନ୍ୟ ସ୍ତରରେ ଓ ଅନ୍ୟ ଆଖିରେ ସମ୍ମୁଖୀନ ହେବାକୁ ସମର୍ଥ ହେବା । ମାତ୍ର, ସେହି ହୃଦୟଟି ଉପରେ ଅସଲ ବିଶ୍ଵାସଟିକୁ ରଖିପାରିବା ସକାଶେ ନିଜପାଖରେ ଯେ କେତେ ବିଶ୍ଵାସ ରହିଥିବା ଦରକାର ଓ ସେହି ବିଶ୍ଵାସ ଯେ କିପରି ଜୀବନର ଏକ ସର୍ବମୂଳ ଦୃଷ୍ଟିକୋଣରେ ପରିଣତ ହୋଇ ପାରିବା ଦରକାର ଏହି କଥାଟି ମଧ୍ୟ ସର୍ବଦା ମନେ ରହିଥିବା ଉଚିତ ।

 

୨୪ । ୯ । ୮୧

 

ସମର୍ପଣ ଆମ ଜୀବନର ନାନା ସାଧନ ଭିତରେ କେବଳ ଗୋଟାଏ ସାଧନ ନୁହେଁ, ତାହା ଏକ ସମଗ୍ର ଦୃଷ୍ଟିକୋଣ । ଆପଣାର ଜୀବନକୁ ସମଗ୍ର ଭାବରେ ବଞ୍ଚି ପାରିବାର ଅର୍ଥାତ୍ ଅନୁଭବ କରି ପାରିବାର ଆକାଂକ୍ଷାଟି ଏକ ମୂଳ ଆକାଂକ୍ଷାରେ ପରିଣତ ହୋଇ ପାରିଲେ ଆମ ଜୀବନରେ ଏହି ସମର୍ପଣ ମଧ୍ୟ ଏକ ସ୍ଵାଭାବିକ ଦୃଷ୍ଟିକୋଣରେ ପରିଣତ ହୋଇ ଆସିଥାଏ । କୃତଜ୍ଞତା ମଧ୍ୟ ଠିକ୍ ସେହିପରି ଗୋଟିଏ ଜିନିଷ । କୃତଜ୍ଞତା ମଧ୍ୟ ଜୀବନ ବଞ୍ଚିବାର କେବଳ ଏକ ସାଧନ ନୁହେଁ ବା କେବଳ ଏକ କର୍ତ୍ତବ୍ୟ ନୁହେଁ । ଯେଉଁମାନେ କର୍ତ୍ତବ୍ୟର ତରାଜୁରେ ଓଜନ କରି ଗୋଟାଏ ଥାନରେ କୃତଜ୍ଞ ହେବାକୁ ଉଚିତ ବୋଲି ନିଷ୍ପତ୍ତି କରୁଥାନ୍ତି, ସେମାନେ ଆପଣାର ଜୀବନକୁ ନେଇ ବେଶ୍ ଏକ ସଫଳ ବ୍ୟବସାୟ କରି ପାରନ୍ତି ସତ, ମାତ୍ର ତାହାକୁ ମୋଟେ ସମଗ୍ର ଭାବରେ ବଞ୍ଚି ପାରନ୍ତିନାହିଁ, ସମଗ୍ର ଭାବରେ ଅନୁଭବ କରି ପାରନ୍ତି ନାହିଁ । କୃତଜ୍ଞତା ମଧ୍ୟ ଏକ ସମଗ୍ର ଦୃଷ୍ଟିକୋଣ । ଜଗତରେ ନିଜର ସକଳ ଆକାଂକ୍ଷା ଦେଇ ସବୁଟି ସହିତ ନିବିଡ଼ ଭାବରେ ସଂଯୁକ୍ତ ହୋଇ ପାରିବାର ଏକ ଦୃଷ୍ଟିକୋଣ ।

 

ସମାଧିକୁ ସାଧନାର ସାତୋଟି ବା ଆଠୋଟି ଅଙ୍ଗ ମଧ୍ୟରେ କେବଳ ଗୋଟିଏ ଅଙ୍ଗ ବୋଲି କୁହାଯାଇଛି । ସମାଧି ଏକ ସମ୍ପତ୍ତି ନୁହେଁ, ଯାହାକୁ କି ପ୍ରଥମ ଅଙ୍ଗଗୁଡ଼ିକର କୃଚ୍ଛ୍ର ବଳରେ ଅର୍ଜନ କରାଯାଇପାରେ । ସମାଧି ମଧ୍ୟ ଜୀବନର ଏକ ମୂଳ ଦୃଷ୍ଟିକୋଣ, ଏକ ସମଗ୍ର ରଙ୍ଗ, ଯାହାର ସର୍ବମୂଳ ଭୂମି ଉପରେହିଁ ପ୍ରଥମ ଅଙ୍ଗଗୁଡ଼ିକୁ ସାଧ୍ୟ କରାଯାଇପାରେ । ନହେଲେ, ଅର୍ଥାତ୍ ସମାଧିର ମୂଳ ଦୃଷ୍ଟିଟିଦ୍ଵାରା ନିଜର ଅନୁରକ୍ତିକୁ ରଞ୍ଜାଇ ରଖିନଥିଲେ ଜୀବନର ତଥାକଥିତ ଅନ୍ୟ ଅଙ୍ଗଗୁଡ଼ାକ ମଧ୍ୟ ପ୍ରାୟ ଗୋଟାଏ ଗୋଟାଏ techniqueରେ ପରିଣତ ହୋଇ ରହେ । ସେହି technique ଗୁଡ଼ାକ ଆମକୁ ବିଭିନ୍ନ ସାମର୍ଥ୍ୟ ଆଣି ଦିଅନ୍ତି ସତ, ମାତ୍ର କୌଣସି ଯଥାର୍ଥ ସାନ୍ନିଧ୍ୟ ବା ଉତ୍ତରଣ ଆଣି ମୋଟେ ଦେଇ ପାରନ୍ତି ନାହିଁ ।

 

୨୫ । ୯ । ୮୧

 

ତିନିବର୍ଷ ତଳେ ଯେଉଁମାନେ ପିଲା ବୋଲି ଲାଗୁଥିଲେ, କାଲି ସେମାନେ ସତେଅବା ସତୀର୍ଥ ବୋଲି ଲାଗିଲେ । ସଂସାରରେ ସମସ୍ତଙ୍କୁ ଯେତେବେଳେ ଏହିପରି ସତୀର୍ଥ ବୋଲି ମନେହେବ, ଅତ୍ୟନ୍ତ ସ୍ଵାଭାବିକ ଭାବରେ ଯେତେବେଳେ ଠିକ୍ ଏହିପରି ମନେହେବ, ସେତେବେଳେ ସଂସାରଟା ଆଉ କଦାପି ମିଥ୍ୟା ବୋଲି ଲାଗିବ ନାହିଁ, ମାୟା ବୋଲି ଲାଗିବନାହିଁ ।

 

ମୁଁ ପଛରେ ପଡ଼ିରହିଲି ଓ ଅନ୍ୟମାନେ ମୋତେ ଛାଡ଼ିଦେଇ ନିଜ ଖୁସିରେ ନିଜ କାର୍ଯ୍ୟଗୁଡ଼ିକରେ ଆଗକୁ ବାହାରିଗଲେ, ଅଥବା, ମୁଁ ବୁଢ଼ା ହୋଇଗଲି, ବଳ ଓ ସାମର୍ଥ୍ୟର ପର୍ଯ୍ୟାୟଟିକୁ ପଛରେ ପକାଇ ଆସିଲି ଓ ଅନ୍ୟମାନେ ବଳ, ସାମର୍ଥ୍ୟ ଓ ସୌନ୍ଦର୍ଯ୍ୟର ଅଧିକାରୀ ହୋଇ ରହିଲେ, ଯେତେବେଳେ ଏହିପରି ଏକ ଈର୍ଷାଜନିତ ଦୁଃଖ ଆପଣାକୁ ଅଧିକାର କରି ରଖିଥାଏ, ହୁଏତ ସେତିକିବେଳେ ମାୟା ଓ ମିଥ୍ୟାର ଦାର୍ଶନିକ ଗହ୍ଵର ଗୁଡ଼ାକ ଭାରି ଆକର୍ଷକ ବୋଧହୁଏ । ଆମେ କେହି କାହାକୁ ଛାଡ଼ି ଆସୁନାହୁଁ, ଏକ ଅସରନ୍ତି ଅଥଚ ଉତ୍ତରଣର ପଥରେ ଆମେ ସମସ୍ତେ ଚାଲିଛୁ, ଅନବରତ ଚାଲିଛୁ, ଜୀବନରେ ଖୁସି ହୋଇ ରହିବାର ଓ କେତେବେଳେ ହେଲେ ମଧ୍ୟ ଆପଣାକୁ ମୋଟେ ଏକୁଟିଆ ବୋଲି ନଭାବିବାର ଏହାହିଁ ହେଉଛି ସର୍ବପ୍ରଥମ ଉପାୟ । ମୁଁ ସେହି ଉପାୟଟିକୁ ଜୀବନରେ ଅତି ସ୍ଵାଭାବିକ ଭାବରେ ଗ୍ରହଣ କରି ପାରିଛି, ତେଣୁ ତରି ଯାଇଛି । ତେଣୁ କନିଷ୍ଠକୁ ଈର୍ଷା କରିବାଲାଗି ମୁଁ କେବେହେଲେ ଏକ ଆବଶ୍ୟକତା ଅନୁଭବ କରିନାହିଁ । ତେଣୁ, ଆପଣାକୁ କେବେହେଲେ କାହାର ପ୍ରତିଦ୍ଵନ୍ଦ୍ଵୀ ବୋଲି ମନେ ହୋଇନାହିଁ । ଜୀବନକୁ କେବେହେଲେ ଯମର ପ୍ରତିଦ୍ଵନ୍ଦ୍ଵୀ ବୋଲି ମନେ ହୋଇନାହିଁ । ଯିଏ ଘୃଣାଗୁଡ଼ାକୁହିଁ ପସରା କରିଛି, କେବଳ ତାହାରିଠାରୁ ସର୍ବଦା ଦୂରରେ ରହିବାକୁ ଇଚ୍ଛା ହୋଇଛି । ଯିଏ କନିଷ୍ଠମାନଙ୍କୁ ସତୀର୍ଥରୂପେ ଗ୍ରହଣ ନକରି ସେମାନଙ୍କୁ ସତେଅବା କେବଳ ଏକ ସମ୍ପତ୍ତି ବୋଲି ମନେ କରିଛି ଓ ସେମାନଙ୍କୁ ହାତୁଡ଼ି ଦେଇ ଏକ ନିର୍ଦ୍ଦିଷ୍ଟ ଛାଞ୍ଚରେ ଗ୍ରହଣ କରିବାକୁ ଇଚ୍ଛା କରିଛି, ତାହାଠାରୁ ଦୂରରେ ରହିବାକୁ ଇଚ୍ଛା ହୋଇଛି ।

 

୨୬ । ୯ । ୮୧

 

ଏହି ଝଡ଼ର ରାତି, ଏହି ଝଡ଼ଦ୍ଵାରା ପୂର୍ଣ୍ଣସ୍ନାତ ହୋଇ ରହିଥିବା ଏହି ସକାଳଟି,–ଏମାନେ ମୋ’ର ଅତି ଆପଣାର ବୋଲି ମନେ ହୁଅନ୍ତି । ଠିକ୍ ଯେମିତି ଜହ୍ନରାତି, ବିସ୍ତୀର୍ଣ୍ଣ ହୋଇ ପଡ଼ିଥିବା ଥିର ବେଳାଭୂମି, ପର୍ବତ ଉପରେ ଲେସି ହୋଇ ରହିଥିବା ଅରଣ୍ୟ ଅତି ଆପଣାର ବୋଲି ମନେ ହୁଅନ୍ତି, ଅବିକଳ ସେହିପରି । ଏହିପରି ଝଡ଼ୁଆ ସକାଳର ସବାଆଗ ଆପଣା ଭିତରକୁ ଅନାଇବାକୁ ମନ ହୁଏ ।

 

ଏବଂ, ଆପଣା ଭିତରେ ଆପଣାର ଅସଲ ଘରଟିକୁ ଆବିଷ୍କାର କରିନେବାକୁ ହୁଏ । ଉପରର ପରସ୍ତଗୁଡ଼ାକ କୁଆଡ଼େ ଉଡ଼ି ଯାଇଥାନ୍ତି, ଉଚ୍ଚ ଉଚ୍ଚ ପାଚେରୀଗୁଡ଼ାକ ଏକାବେଳେକେ ଭାଙ୍ଗି ଯାଇଥାନ୍ତି, ଭାରି ସତର୍କ ପ୍ରହରୀମାନେ ସତେଅବା ନିଜକୁ ଅନାବଶ୍ୟକ ମନେ କରି ଆଉକୁଆଡ଼େ ପଳାଇ ଯାଇଥାନ୍ତି । ଆପଣାର ଦୁଆରଟି ଭିତରକୁ ସିଧା ବାଟ ପଡ଼ି ରହିଥିବା ପରି ମନେହୁଏ । ଆଉ କୋଉଠିହେଲେ ଝୁଣ୍ଟିବାକୁ ପଡ଼େନାହିଁ, ମୋତେ କୋଉଠିହେଲେ ପାଦ ଅଟକି ଯାଏନାହିଁ । –ଭିତରୁ ବାହାରକୁ ଓ ବାହାରୁ ଭିତରକୁ ସିଧା ବାଟ ପଡ଼ିଥାଏ ଏହିସବୁ ମୁହୂର୍ତ୍ତ ଜୀବନର ଗୋଟିଏ ଗୋଟିଏ ସଙ୍କୋଚବିହୀନ ମୁହୂର୍ତ୍ତ । ସେତେବେଳେ ଆପାଣକୁ ଭାରି ନିର୍ମଳ ଭାବରେ ଦେଖିହୁଏ, ଭାରି ନିବିଡ଼ ଭାବରେ ଦେଖି ହୁଏ । ଆପଣା ସହିତ ଏହି ସବୁକିଛି ମିଳାଇ ସମଗ୍ର ଓ ସ୍ଵଚ୍ଛ କରି ଦେଖିବାର ଏହି ବାଟରେ ଆଉ କୌଣସି ତାତି ବା କୌଣସି ଅନିଚ୍ଛା ମଝିରେ ବାଧା ହୋଇ ଠିଆ ହେବାକୁ ଆସେନାହିଁ । ଆପଣା ଭିତରର ସବୁଯାକ ବୈରାଗୀ ସତେଅବା ହଠାତ୍ ଶ୍ରଦ୍ଧାଶୀଳ ହୋଇଉଠନ୍ତି, ନୀରବ ହୋଇ ରହିଥାନ୍ତି, ତଥାପି ଶ୍ରଦ୍ଧାଶୀଳ ହୋଇବି ରହିଥାନ୍ତି । ଭିତରେ ରହିଥିବା ଅମଙ୍ଗମାନେ ମଙ୍ଗି ଯାଆନ୍ତି; ଆପଣା ଭିତରର ଅସ୍ପୃଶ୍ୟଗୁଡ଼ାକ ସତେଅବା ଚରଣସ୍ପର୍ଶ କରିବେ ବୋଲି ଅପେକ୍ଷା କରି ରହିଥାନ୍ତି । ଏହି ଅପେକ୍ଷା,–ଏହାରି ଅନ୍ୟ ନାମ ହେଉଛି ଆଗ୍ରହ । ଏହି ଆଗ୍ରହ ମୋ’ର ସକାଳଗୁଡ଼ିକୁ ପୂର୍ଣ୍ଣ କରି ରଖିଥାଏ । ମୋ’ର ଦିନଗୁଡ଼ିକୁ ସାର୍ଥକ କରିବ ବୋଲି ବର ପାଇ ବାହାରିଥାଏ ।

 

୨୭ । ୯ । ୮୧

 

Unknown

କଲେଜରେ ୟୁନିୟନ୍ ଲାଗି ନିର୍ବାଚନ ହେଲା । କିଏ ଜିତିଲେ କିଏ ହାରିଲେ । ଯେଉଁମାନେ ହାରିଲେ, ସେମାନେ ଲଜ୍ଜାକୁ ଭୁଲିବା ସକାଶେ ହଷ୍ଟେଲ୍‍ ଭିତରେ ପଶି ପିଲାମାନଙ୍କୁ ପିଟିଦେଇ ଆସିଲେ । ନିଜ ସାଙ୍ଗରେ ପଢ଼ୁଥିବା ଅନ୍ୟ ପିଲାମାନଙ୍କୁ ପିଟିଦେଇ ଆସିଲେ । ମଣିଷର ଜୀବନରେ ପୁରୁଷାର୍ଥ ବୋଲି ଯେଉଁ କଥାଟି ରହିଛି, ତାହାର କେଡ଼େ ହୀନ ପରିଚୟ ସେମାନେ ଦେଇ ଆସିଲେ ପାଠ ପଢ଼ିଲେବି ଯେ ମଣିଷ ଭିତରର ବର୍ବରଟା ତଥାପି ଭିତରେ ରହିଥାଏ ସାଆନ୍ତଙ୍କ ପୁଅ ପରି ଅତ୍ୟନ୍ତ ସନ୍ତର୍ପଣ ସହିତ ବଢ଼ିବାରେ ଲାଗିଥାଏ ଓ ଜୀବନର ଅସଲ ଲଜ୍ଜା ଓ ଅସଲ ଶାଳୀନତାଗୁଡ଼ିକୁ ଗୋଟି ଗୋଟି କରି ହତ୍ୟା କରି ଏକାବେଳେକେ ବିବସନ ହେବାକୁ ମନ କରୁଥାଏ, ସେମାନେ ତାହାରି ପରିଚୟଦେଇ ଆସିଲେ ।

 

ଏହି ପିଲାମାନେ ବଡ଼ମାନଙ୍କର ଅନୁକରଣ କଲେ, ହୁଏତ ବଡ଼ମାନଙ୍କର ପ୍ରରୋଚନା ଓ ପ୍ରୋତ୍ସାହନରେ ଏପରି କଲେ । ପିଲାମାନଙ୍କୁ ଗିନିପିଗ୍ ପରି ବ୍ୟବାହାର କରି ରାଜନୀତି–ଗହନର ବୀରମାନେ ଏବେ କୁଆଡ଼େ କଲେଜମାନଙ୍କରେବି ନିର୍ବାଚନ ଲଢ଼ୁଛନ୍ତି ଓ ଏହାଦ୍ଵାରା ସେମାନେ ଆପଣା ଧାତୁରେ ଆପଣାର ଏକ ଦାୟାଦକୁଳ ଗଢ଼ୁଛନ୍ତି । ଆଉଗୋଟାଏ ପୁରୁଷକୁ ନିତାନ୍ତ ଦାୟିତ୍ୱଶୂନ୍ୟ ଓ ବିବେକଶୂନ୍ୟ କରି ତିଆରି କରୁଛନ୍ତି । ବିବେକଶୂନ୍ୟ ଅଧ୍ୟାପକମାନେ ଭଲଲୋକଙ୍କ ପରି ଏସବୁକୁ ଦେଖିଛନ୍ତି, ମାତ୍ର ଶରଶଯ୍ୟା ଉପରେ ଥାଇ ସେମାନେ ଧର୍ମୋପଦେଶ ଶୁଣାଇବାରେ ଲାଗିଛନ୍ତି । ଦେଶ ଓ କଳା ଏହି ଯାବତୀୟ ବିବରତା ଏବଂ ଭୀରୁତାରୁ ରକ୍ଷା ପାଇବ ବୋଲି ତଥାପି ଅପେକ୍ଷା କରିଛନ୍ତି, ଉପଯୁକ୍ତ ନିମିତ୍ତମାନେ ବାହାରିବେ ବୋଲି କାଳରୂପୀ ଚକକୁ ଗଡ଼ାଇ ନେଉଥିବା ବିଧାତା ତଥାପି ଅପେକ୍ଷା କରି ରହିଛନ୍ତି । ଏହି ବର୍ବରତାକୁ ଯେତେବେଳେ ରାସ୍ତାରେ ଚାଲିଯାଉଥିବା ସାଧାରଣ ଲୋକମାନେବି ବର୍ବରତା ବୋଲି କହିପାରିବେ ସେତେବେଳେ ଯାଇ ଏହି ବର୍ବରତା ଯିବ । ସେତେବେଳେ ଯାଇ ବର୍ବରମାନଙ୍କୁ ବର୍ବର ହେବାକୁ ଲାଜ ମାଡ଼ିବ, ବର୍ବରମାନେ ପାଠଘରମାନଙ୍କରେ ପଶି ପାଠଘରର ବିଧିଗୁଡ଼ାକୁ ମାନିବାକୁହିଁ ଅସଲ ଲାଜ ବୋଲି ଗ୍ରହଣ କରିବେ ।

 

୨୮ । ୯ । ୮୧

 

ଯେଉଁ ଦେଶରେ ସବୁଜମାନେ ଗେହ୍ଲା ସାମନ୍ତଙ୍କ ପରି ଆଚରଣ କରନ୍ତି ସେହି ଦେଶରେ ଆମେ ସବୁଜମାନଙ୍କୁ ବା ସେହି ଦେଶରେ ଧର୍ମବତ୍ ଜବର ହୋଇ ସବୁଯାକ ଦିଗକୁ ମାଡ଼ି ବସିଥିବା ସାମନ୍ତବାଦକୁ ବା ସେହି ଦେଶକୁ ଦୋଷ ଦେବା ନା ଆଉ କାହାକୁ ଦୋଷ ଦେବା-? ଓଡ଼ିଶା ସାହିତ୍ୟରେବି ଗୋଟାଏ ଯୁଗକୁ ଏବେ ଆମ ସାମନ୍ତମାନେ ସବୁଜ ବୋଲି କହୁଛନ୍ତି । ସେହିପରି କହି ଆପଣାର ପିଲାବେଳର ଉତ୍ତେଜନାଗୁଡ଼ାକୁ ମନେ ପକାଇ କେତେ ଗୌରବବି ଅନୁଭବ କରୁଛନ୍ତି । ବର୍ତ୍ତମାନ ଯେଉଁମାନେ ତରୁଣ ବୟସରେ ଅଛନ୍ତି, ଆମର ଉଚ୍ଚ ଶିକ୍ଷାଳୟମାନଙ୍କର ପାଠ ପଢ଼ୁଛନ୍ତି, ଅନେକ ଦୃଷ୍ଟିରୁ ଯୁକ୍ତିସଙ୍ଗତ ଭାବରେ ସେହିମାନଙ୍କୁହିଁ ସବୁଜ ବୋଲି କୁହାଯାଇ ପାରନ୍ତା । ସେମାନେ ମନ କଲେ ନିଜକୁ ଓ ତାହାରି ମାଧ୍ୟମରେ ନିଜ କାଳଟାକୁବି ଅନ୍ୟପ୍ରକାରେ ଗଢ଼ିପାରନ୍ତେ । କିନ୍ତୁ ସେମାନେ ତାହା କରି ପାରୁନାହାନ୍ତି । ନିଜ ବୁଦ୍ଧିରେ ପ୍ରତିଷ୍ଠିତ ବୟସ ସମାନ୍ତମାନଙ୍କର ପ୍ରତ୍ୟାଖ୍ୟାନ କରୁଛନ୍ତି ଓ ସେହିମାନଙ୍କ ଅଶାନ୍ତି ଭିଆଣ କରିବାଭଳି ଏଇଟା ବା ସେଇଟା କରୁଛନ୍ତି ସତ, ମାତ୍ର ନିଜେ ସାମନ୍ତ ହୋଇ ସେମାନେ ସମସ୍ତଙ୍କ ସହିତ ଲଢ଼ିବାକୁ ଫନ୍ଦା କରି ବାହାରିଛନ୍ତି ।

 

ଅସଲ ଲଢ଼େଇ ବୁଢ଼ା ବା ବୟସ୍କମାନଙ୍କ ବିରୁଦ୍ଧରେ ନୁହେଁ, ଅସଲ ଲଢ଼େଇ ହେଉଛି ସାମନ୍ତବାଦୀ ଗେହ୍ଲାପଣଗୁଡ଼ାକ ବିରୁଦ୍ଧରେ ଓ ଗେହ୍ଲାମାନେ ନିର୍ବିବେକ ଭାବରେ କରିଯାଉଥିବା ଅସୁନ୍ଦରତା ଏବଂ ବର୍ବରତାଗୁଡ଼ାକ ବିରୁଦ୍ଧରେ । ଏଗୁଡ଼ିକ ବିରୁଦ୍ଧରେ ଯିଏ ଲଢ଼ିବ, ସିଏ ବୟସରେ ସାନ ହୋଇଥାଉ ବା ବଡ଼ ହୋଇଥାଉ ପଛକେ, ତାହାକୁହିଁ ଅସଲ ତରୁଣ ବୋଲି କୁହାଯିବ । ସେହି ତରୁଣମାନଙ୍କ ଭିତରେ ବିଶ୍ଵାସ ବଢ଼ିଲେ, ସାହସ ବଢ଼ିଲେ ଏବଂ ଆତ୍ମୀୟତା ବଢ଼ିଲେ ଯାଇ ତାହା ସମ୍ଭବ ହୋଇ ପାରିବ ।

 

୨୯ । ୯ । ୮୧

 

ନିଜକୁ ସମଗ୍ର ଭାବରେ ଦେଖିବାକୁ ଆରମ୍ଭ କଲା ମାତ୍ରକେ ଏହି ଭାବପ୍ରବଣତାଗୁଡ଼ାକ କ୍ରମେ ସାନରୁ ଆହୁରି ସାନ ହୋଇ କୁଆଡ଼େ ଅନ୍ତର୍ହିତ ହୋଇ ଯାଆନ୍ତି । ନିଜକୁ ଆପଣାର ଅତି ପାଖରେ ସମଗ୍ର ଭାବରେ ଅନୁଭବ କରି ପାରିବା ମାତ୍ରକେ ଏହି ଜିଦ୍‍ଗୁଡ଼ାକବି କୁଆଡ଼େ ଆପଣାର ଗଣ୍ଠିଗୁଡ଼ାକୁ ହୁଗୁଳା କରି ଦେଇ ଲୁଚି ପଳାନ୍ତି ।

 

ବାରବାର ଫେରି ଆସିବାର ଏହି ସୌଭାଗ୍ୟଟି ମୋତେ ଯେପରି ଆଦୌ କେଉଁଦିନ ହେଲେ ଛାଡ଼ି ଚାଲିନଯାଉ । ମୁଁ ନିଜ ଭିତରେ ସବୁଦିନ ସେପରି ନିଜର ଅସଲ ନିର୍ଭରଟିକୁ ପାଇବାଲାଗି ସମର୍ଥ ହେଉଥାଏ । ଦୁଃଖ ଆସୁ, ଜ୍ଵଳନ ଆସୁ, ନୌରାଶ୍ୟ ଆସୁ, ମାତ୍ର ତଥାପି ମୁଁ ଯେପରି ଆପଣାର ଅସଲ କେନ୍ଦ୍ରଟିକୁ ସ୍ପର୍ଶ କରି ସବୁବେଳେ ରହିଥାଏ ! ସେହି ଅସଲ ନିର୍ଭରଟି ରହିଥିବା ପର୍ଯ୍ୟନ୍ତ ଜୀବନରେ ସବୁ ରହିଥାଏ, ଦଉଡ଼ିଗୁଡ଼ାକ ଯେତେ ହାତଛଡ଼ା ହୋଇଗଲେ ମଧ୍ୟ ପୁଣି ଅତ୍ୟନ୍ତ ନିଶ୍ଚିତ ଭାବରେ ହାତରୁ ଫେରି ଆସୁଥାଏ । ଭିତରକୁ ଅନାଇଦେଲା ମାତ୍ରକେ ନିଜର ଘରଟି ଅତ୍ୟନ୍ତ ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହୋଇଯାଏ । ସେଇ ଘରେ ନିଜକୁ ଫେରିପାଇବା ସମ୍ଭବ ହୁଏ ନିଜର ଉତ୍ତାପଦ୍ଵାରା ହରାଇ ବସିଥିବା ପୃଥିବୀଟିକୁ ଫେରିପାଇବା ମଧ୍ୟ ସମ୍ଭବ ହୁଏ । ସେତିକି ହୋଇ ପାରୁଥିବା ପର୍ଯ୍ୟନ୍ତ ଜୀବନରେ ଆଉ ଚିନ୍ତା କରିବାର କ’ଣ ଅଛି ? ତେଣୁ, ଆଜି ପ୍ରାର୍ଥନା କରିବି, ନିଜକୁ ମୁଁ ଯେପରି କେବେହେଲେ ଖାଲି ଆପଣା ଭିତରେହିଁ ପୋତି ନପକାଏ, ନିଜକୁ ଫୁଲାଇ ଆଖିଗୁଡ଼ାକୁ ଏଡ଼େ ଅହଂକାରୀ କରି ନଦିଏ, ଯାହାଦ୍ଵାରା କି ସେହି ଆଖି ଜୀବନଟାକୁ ଦେଖି ପାରିବାଲାଗି ଏକାନ୍ତ ଅସମର୍ଥ ହୋଇ ରହିବ । ଯେତେବେଳେ ଆଖିର ଦୃଷ୍ଟିସାମର୍ଥ୍ୟ ନଷ୍ଟ ହୋଇଯାଏ, ଅର୍ଥାତ୍ ଯେତେବେଳେ ହୃଦୟ ଆଉ ଆଖି ଭିତରେ ରହିଥିବା ସୂତ୍ରଟି ଛାଡ଼ିଯାଏ; କେବଳ ସେତିକିବେଳେହିଁ ସଂସାରର ସବୁଯାକ ଗ୍ଳାନି ଗ୍ରାସ କରିବାପାଇଁ ମୋ’ର ଚାରିଆଡ଼ୁ ହୁଙ୍କାର କରି ଦଉଡ଼ି ଆସନ୍ତି ।

 

୩୦ । ୯ । ୮୧

 

ଆମ ଯାହାର କଥା କହୁଛୁ, ସିଏ ଆମଠାରୁ ସର୍ବଦା ଆଗରେ ରହିଥିବା ଉଚିତ । ଆମେ ଯାହାର କାମକରୁଛୁ, ସିଏ ସର୍ବଦାହିଁ ଆମ ଆଗରେ ରହିଥିବା ଉଚିତ । ଅବଶ୍ୟ ଯଦି ଆମେ କେବଳ ନିଜର କଥା କହିବାପାଇଁ ଆଉ ଯାବତୀୟ କଥା କହୁଛୁ ଓ ନିଜର କାମ କରିବାପାଇଁ ଆଉ ଯାବତୀୟ କାମ କରିବାରେ ଧାଇଁଛୁ, ତାହା ହେଉଛି ଏକ ଅଲଗା କଥା ।

 

ଅନେକ ସମୟରେ ଆପଣା ଭିତର ଏକ ପ୍ରେରଣା ପାଇହିଁ ଆମେ ଆମ ମୁହଁ ଦେଇ ଆଉଜଣଙ୍କ କଥାକୁ କହିବାକୁ ମନ କରିଥାଉ ବା ଆଉ ଜଣକର କାର୍ଯ୍ୟକୁ କରିବାଲାଗି ନିଜ ଜୀବନର ବ୍ରତରୂପେ ଗ୍ରହଣ କରିଥାଉ । ଆମେ ପଛକେ ଥାଉ ସିଏ ଆମ ଆଗରେ ରହିଥାନ୍ତି । ଆମେ ନିମିତ୍ତ ହୋଇ ରହିଥାଉ । କ୍ରମେ ହୁଏତ ଆମେ ଆଉଏକ ମୋହ ଭିତରେ ଆସି ପଶିଯାଉ-। କଥାଗୁଡ଼ିକୁ କହିବାର ଉତ୍ସାହରେ ଆମେ ଆଗ ଆମକୁ ଦେଖୁ, ଯାହାର କଥା ତାକୁ ହୁଏତ ତା’ପରେ ଯାଇ ଦେଖିବାକୁ ମନ କରୁ । କାମ କରିବାର ଏକ ଅହଂସଚେତ ଉତ୍ତେଜନାରେ ଆମେ କାମଗୁଡ଼ାକରୁ ଆଗ ନିଜେ ବାହାଦୁରି ନେଉ, ତା’ପରେ କାର୍ଯ୍ୟରେ ଯିଏ ଯଥାର୍ଥ କର୍ତ୍ତା, ତାଙ୍କୁ ପଛେ ଯାଇ ମନେ ପକାଉ । ତାଙ୍କର କାମ କରି ଆମେ ସତେଅବା ତାଙ୍କୁ ଅନୁଗୃହୀତ କରୁଛୁ ବୋଲି ଅନୁଭବବି କରୁ । ତା’ପରେ ଆମର କଥା ଓ କାମରେ ବିଭ୍ରାଟ ଆସି ପହଞ୍ଚେ । ଆମେ କ’ଣ କହିବାକୁ ଯାଇ ଆଉ କ’ଣ କହିପକାଉ ଓ କ’ଣ କରିବାକୁ ଯାଇ ଆଉ କ’ଣ କରିବସୁ । ଯାହାର କାମ ତା’ର କୌଣସି କ୍ଷତି ହୁଏନାହିଁ, ଯାହାର କଥା, ତାକୁ କୌଣସି ଅପବାଦ ସ୍ପର୍ଶ କରେନାହିଁ । ଆମେହିଁ ଯେଉଁଠାରେ ଥାଉ, ସେହିଠାରେ ରହିଯାଉ । ଆମର ଆଗକୁ ଯିବାର ସବୁ ଆଣ୍ଟ ବିଡ଼ମ୍ବିତ ହୋଇ ରହିଯାଏ । ଆମର କଥା ଓ ଆମର କାମଗୁଡ଼ାକ ତା’ପରେ ଆମଲାଗି ଅଫିମ ପରି କାର୍ଯ୍ୟ କରିବାକୁ ଆରମ୍ଭ କରନ୍ତି ।

 

୧ । ୧୦ । ୮୧

 

ସମ୍ମିଳନୀ ଭାବରେ ହେଉ, ସଦ୍‌ଭାବର ହେଉ । ଅଧିକ ଭାବରେ ସୃଷ୍ଟି କରୁ; ଅଧିକ ସଦ୍‍ଭାବ ଆଣିଦେଉ । ଅଧିକ ଯୋଗ୍ୟ କରୁ । ଅଧିକ ନିକଟ କରୁ । ଯେକୌଣସି ସାମୂହିକ ବାଟ ଚାଲିବାରେ ଯେ ଶୃଙ୍ଖଳା । ଅପେକ୍ଷା ଆତ୍ମୀୟତା ଅନେକ ବେଶୀ ଦରକାର, ସେହି ବୋଧଟିକୁ ଆଣିଦେଉ । ସମ୍ମିଳନୀ ଆମକୁ ପରସ୍ପର ଅଧିକ ନିକଟ କରୁ, ଆମକୁ ନିଜରବି ଅଧିକ ନିକଟବର୍ତ୍ତୀ କରାଇ ଆଣୁ । ଆମରି ନିବିଡ଼ତମ ଚେତନା ମଧ୍ୟରେ ଅବସ୍ଥିତ ରହି ଯିଏ ଆମକୁ ସବୁରି ସହିତ ତଥା ସବୁଟି ସହିତ ସଂଯୁକ୍ତ କରି ରଖିଛନ୍ତି, ତାଙ୍କରବି ଅଧିକ ନିକଟବର୍ତ୍ତୀ କରାଇଆଣୁ ।

 

ଶିକ୍ଷକମାନଙ୍କର ସମ୍ମିଳନୀ, ତାହା ହେଉଛି ଯଥାର୍ଥରେ ବୀରମାନଙ୍କର ସମ୍ମିଳନୀ । ବାଟ ଚାଲିବାକୁ, ଆଦୌ କୌଣସି ବାଟ ନଥିବା ଥାନରେ ବାଟଟିଏ ତିଆରି କରିବାକୁ ସଂକଳ୍ପ ନେଇ ବାହାରିଥିବା ବ୍ୟକ୍ତିମାନଙ୍କର ସମ୍ମିଳନୀ । ଏହି ସମ୍ମିଳନୀ ପରସ୍ପରକୁ ଗ୍ରହଣ କରିନେବାର ସମ୍ମିଳନୀ, ଆପଣାକୁ ପରସ୍ପର ପାଖରେ ଗୃହୀତ ଏବଂ ସ୍ଵୀକୃତ କରି ରଖିବାର ସମ୍ମିଳନୀ । ଆମେ ଅସୁନ୍ଦରତାକୁ ମାନିବୁନାହିଁ, ଅଧିକ ସୁନ୍ଦର ହୋଇ ଆମେ ସେହି ଅସୁନ୍ଦରତାଗୁଡ଼ିକୁ ଅସ୍ଵୀକାର କରିବୁ । ଆମେ ଏହି ବ୍ୟବସ୍ଥାଗୁଡ଼ାକୁ ବ୍ୟବସ୍ଥା ବୋଲି ମାନିବୁନାହିଁ, ଏକ ବିକଳ୍ପ ଲାଗି ଜୀବନ ବଞ୍ଚି ଆମେ ଆଉ ଏକ ସ୍ତରର ବ୍ୟବସ୍ଥା ଲାଗି କାର୍ଯ୍ୟ କରିବୁ । ଆମେ ଅନ୍ୟପ୍ରକାରର ହେବୁ, ସଂସାରକୁ ଅନ୍ୟପ୍ରକାରେ ଗଢ଼ିବୁ । ଆମର ସମ୍ପର୍କଗୁଡ଼ାକ ଅନ୍ୟପ୍ରକାର ହୋଇ ରହିବ । ଭିତର ନୀରବ ହୋଇ ଆସିବ, ଆକାଶରେ ଅସଲ ତାରାଟି ସୁନିଶ୍ଚିତ ଭାବରେ ଜଳୁଥିବ ଏବଂ ଆମେ ଜୀବନଟାକୁ ତାଙ୍କରି ଏକ ଦାନ ଏବଂ ଆଶୀର୍ବାଦରୂପେ ଗ୍ରହଣ କରି ଏକାଠି ଅଗ୍ରସର ହେଉଥିବୁ । କାହାକୁ କେହି ଛାଡ଼ିବୁନାହିଁ, କାହାକୁ କେହି ପ୍ରତ୍ୟାଖ୍ୟାନ କରିବୁ ନାହିଁ । ସମ୍ମିଳନୀ ପରେ ମଧ୍ୟ ଆମେ ତଥାପି ସମ୍ମିଳିତ ହୋଇ ରହିଥିବୁ ।

 

୨ । ୧୦ । ୮୧

 

ଏହି ସବୁକିଛିକୁ କେବଳ ଏକ ବିସ୍ମୟ ବୋଲି କୁହାଯିବ । ଶ୍ରଦ୍ଧାର ସମ୍ଭବତଃ କେବଳ ଗୋଟିଏ ମାତ୍ର ଅନୁଭୂତି ରହିଛି । ତାହା ହେଉଛି ନିବିଡ଼ ବିସ୍ମୟର ଅନୁଭୂତି । ବାହାରୁ କିଛି କାରଣ ଜାଣି ହୁଏନାହିଁ, ଅଥଚ ଗୋଟାସୁଦ୍ଧା ଭେଦିକରି ରହିଥିବି ପରି ମନେହୁଏ । ଯେଉଁମାନେ ଅନେକ ଦିନ ହେଲା ଦୂର ହୋଇ ରହିଯିବା ପରି ମନେ ହେଉଥିଲେ, ସେମାନେ ଅତି ନିକଟ ହୋଇ ରହିଥିବା ପରି ମନେହୁଅନ୍ତି । ସେମାନେ ସତେଯେପରି ଆଦୌ କେବେହେଲେ ଦୂର ହୋଇ ରହିନଥିଲେ, ହଠାତ୍ ଆପଣା ଭିତରେ ସେହିପରି ଏକ ନୂତନ ଆବିଷ୍କାର କରିଥିବା ପରି ମନେହୁଏ-। ମନେହୁଏ, ହୁଏତ ମୁଁ କୌଣସି କାରଣରୁ ଆପେ ସେମାନଙ୍କ ଠାରୁ ଦୂର ହୋଇ ରହିଥିଲି ବୋଲି ଏତେଦିନ ଯାଏଁ ସେମାନଙ୍କ ସମ୍ପର୍କରେ ସେଭଳି ମନେ ହେଉଥିଲା ।

 

ମଣିଷ ଆଉଜଣେ ମଣିଷର ବାହାରଟାକୁ ଦେଖିହିଁ ତାକୁ ଭୟ କରିବାକୁ ମନ କରେ । ନିଜେ ନିଜ ଭିତରକୁ ଦେଖି ନପାରୁନଥିବା ପର୍ଯ୍ୟନ୍ତ ଅନ୍ୟମାନଙ୍କରବି କେବଳ ବାହାରଟାହିଁ ସତେଅବା ଏକ ଦୌରାତ୍ମ୍ୟ ପରି ଆପଣାର ଚେତନା ଉପରେ ଆସି ବାଜିବାରେ ଲାଗିଥାଏ । ସେଇଥିରୁ ଭୟ ଜାତ ହୁଏ, ଏବଂ ଭୟରୁ ଦୂରତା ଜନ୍ମଲାଭ କରେ । ନିଜର ଭିତରଟାକୁ ସବାଆଗ ଦେଖିବାକୁ ପଡ଼େ, ତାହାରି ସହିତ ସଖ୍ୟ ସ୍ଥାପନ କରିବାକୁ ପଡ଼େ । ଏବଂ, ସତେଅବା ତାହାରି ଏକ ପରବର୍ତ୍ତୀ ସୋପାନସ୍ୱରୂପ, ଅନ୍ୟମାନଙ୍କର ଭିତରଟାବି କ୍ରମେ ଜାଣିହୁଏ । ତା’ପରେ ସମସ୍ତେ ମୂଳତଃ ବନ୍ଧୁପରି ଲାଗନ୍ତି, ଭାରି ନିକଟ ହୋଇ ଆସନ୍ତି, ଦୂରତାମାନେ ଲଜ୍ଜିତ ହୋଇ ରହନ୍ତି । ଅନ୍ତର ଭିତରୁ ଦୂର ହୋଇ ରହିଥିବା ଜାଗାମାନେ ପୁଣି ନିକଟ ହୋଇ ଆସନ୍ତି । ସେତେବେଳେ ମନେହୁଏ, ସତେଅବା ମୋ’ରି ଉପରେ ଏତେଦିନ ଯାଏଁ କୌଣସି ଏକ ଆବରଣ ରହିଥିଲା, ସେଇଟା ଖସିପଡ଼ିବାରୁ ତଥାକଥିତ ଦୂରମାନେ ପୁଣି ନିକଟ ହୋଇ ଆସିଲେ । ଏହି ସୌଭାଗ୍ୟଟିକୁ ଆଣି ଦେଇଥିବାରୁ ସେତେବେଳେ ଏପର୍ଯ୍ୟନ୍ତ ଦୂର ହୋଇ, ଶତ୍ରୁ ପରି ହୋଇ ରହିଥିବା ସୁହୃଦ୍‍ମାନଙ୍କ ପାଖରେ ମନ ଆପେଆପେ କୃତଜ୍ଞ ହୋଇଆସେ ।

 

୩ । ୧୦ । ୮୧

 

ମହାତ୍ମାମାନେ ସଂସାର ଛାଡ଼ି ଚାଲିଯାଆନ୍ତି ନାହିଁ । ସେମାନେ ବାରବାର ଫେରନ୍ତି । ସେମାନଙ୍କୁ ମନେପକାଇବା ମାତ୍ରକେ ସେମାନେ ଫେରନ୍ତି । ସେମାନେ ସମ୍ଭବତଃ କେବେହେଲେ ଦୂରକୁ ଚାଲିଯାଇ ନଥାନ୍ତି, ଆମକୁ ଅସମ୍ଭବ ଓ ଅଯୋଗ୍ୟ ମଣି କେବେହେଲେ ଆମକୁ ଛାଡ଼ି ପଳାଇ ଯାଇନଥାନ୍ତି । ସେମାନେ ପାଖରେ ରହିଥାଆନ୍ତି, ଆମ ପରିବେଶ ଭିତରେ ଆମରି ସମ୍ମତି ଲାଗି ଅର୍ଥାତ୍ ଆମ ଉପରେ ଅତ୍ୟନ୍ତ ଭରସା ରଖି ଆମକୁ ବେଷ୍ଟିତ ନକରି ରହିଥାନ୍ତି । ଆମର ଅତ୍ୟନ୍ତ ନିକଟବର୍ତ୍ତୀ ହୋଇ ରହିଥାନ୍ତି । ସ୍ମରଣ କଲା ମାତ୍ରକେ ଆସନ୍ତି, ବନ୍ଧୁ ହୋଇ ଆସନ୍ତି;–ଆମକୁ ସାହାଯ୍ୟ କରନ୍ତି, ସମର୍ଥ କରନ୍ତି, ବଳ ଦିଅନ୍ତି । ସେମାନେ ହୁଏତ ଆମରି ଭିତରେ ଆମ ସମ୍ମତି ସକାଶେ ଅପେକ୍ଷା କରି ରହିଥାନ୍ତି । ତେଣୁ, ଆମେ ସେମାନଙ୍କୁ ଲୋଡ଼ିବା ମାତ୍ରକେ ସେମାନେ ଆମ ନିଜ ଭିତରେହିଁ ଅନୁଭୂତ ହେବାକୁ ଆରମ୍ଭ କରନ୍ତି । ସେମାନେ ଯେ ସର୍ବଦା ଆମରି ଭିତରେ ରହିଥିଲେ, ତା’ପରେ ସେହି ସତ୍ୟଟି ଅନୁଭୂତ ହେବାକୁ ଆରମ୍ଭ କରେ । ତା’ପରେ, ଅର୍ଥାତ୍ ସେହିମାନଙ୍କୁ ଆପଣାର ବୋଲି ଅନୁଭବ କଲା ପରେ, ସେମାନଙ୍କୁ ଆପଣା ଭିତରେ ଆବିଷ୍କାର କଲା ପରେ ଏହି ଜୀବନ କେଡ଼େ ଆପଣାର ମନେ ହୁଏ, ଏହି ମାର୍ଗଗୁଡ଼ାକ କେଡ଼େ ଆପଣାର ମନେହୁଅନ୍ତି, ଏହି ସଂସାରଟା ବଳି କେଡ଼େ ଆପଣାର ମନେ ହୁଏ, ମହାନ୍ ଆତ୍ମାମାନଙ୍କର ପରିଚୟ ସ୍ପର୍ଶ ଲାଭ କରି ସକଳ ଆତ୍ମାକୁହିଁ ମହାନ୍ ବୋଲି ଅନୁଭବ ହୁଏ ।

 

ମହାତ୍ମା ଗାନ୍ଧୀ ଆମଠାରୁ କୁଆଡ଼େ ଦୂରକୁ ଚାଲିଯାଇ ନଥିଲେ । ଯେଉଁ କପଟୀ ଅର୍ଥାତ୍ ଅନିଚ୍ଛୁକମାନେ ସେମାନଙ୍କୁ ଏକଦା ରକ୍ତମାଂସର ଶରୀରଟାଏ ବା ସୁନ୍ଦର ପିତୁଳାଟିଏ ବୋଲି ଭାବି ଜାବୁଡ଼ି କରି ଧରିଥିଲେ, ସିଏ ବର୍ତ୍ତମାନ ସେହିମାନଙ୍କ ଲାଗି ଦୂର ହୋଇ ରହିଛନ୍ତି । ମାତ୍ର, ଆପଣା ଭିତରେ ରହିଥିବା ଅସଲ ପ୍ରେରଣାଗୁଡ଼ିକୁ ଅର୍ଥାତ୍ ଅସଲ ସହଯୋଗୀଗୁଡ଼ିକୁ ଯିଏ ଅନୁଭବ କରିପାରିଛି, ସିଏ ମନ କଲା ମାତ୍ରକେ ତାଙ୍କୁ ନିଜର ଅତି ପାଖରେ, ନିଜର ଚାରିପାଖରେ ଓ ନିଜର ଏକାନ୍ତ ଭିତରେ ଅବଶ୍ୟ ଅନୁଭବ କରିପାରିବ । ଯିଏ ସବୁଦିନେ ମନେ ପଡ଼ନ୍ତି, ବାଟ ଚାଲିବା ସମୟରେ ଯିଏ ସବୁବେଳେ ଲୋଡ଼ା ହୁଅନ୍ତି ତାଙ୍କୁ ନିଜର ବୋଲି କହିବାକୁ ଅଥବା ନିଜର ବୋଲି ଅନୁଭବ କରିବାକୁ ଆଦୌ କୌଣସି ଜୟନ୍ତୀ ରୂପକ ବିଶେଷ ଅବସରର ଆବଶ୍ୟକତା ନଥାଏ । ସଙ୍ଗୀ ଲୋଡ଼ୁଥିବା ହୃଦୟ ଓ ପ୍ରତ୍ୟେକ ପଥିକ ମନ କଲା ମାତ୍ରକେ ସଙ୍ଗୀର ସାହଚର୍ଯ୍ୟ ଲାଭ କରିବାକୁ ସମର୍ଥ ହୁଏ ।

 

୪ । ୧୦ । ୮୧

 

ଭିତରେ ଗଣ୍ଠିଗୁଡ଼ାକ ଖୋଲି ଖୋଲି ଆସିବା ସଙ୍ଗେ ସଙ୍ଗେ ବାହାରେ ଗଣ୍ଠିଗୁଡ଼ାକ ପଡ଼ି ପଡ଼ି ଆସୁଥାଏ । ଭିତରେ ଆମର ଗଣ୍ଠିଗୁଡ଼ାକହିଁ ରାଜତ୍ଵ କରୁଥିବା ପର୍ଯ୍ୟନ୍ତ ବାହାରେ ଗଣ୍ଠି ପକାଇବାକୁ ପ୍ରକୃତରେ ଭାରି ଡର ମାଡ଼େ । ଭିତରେ ଗଣ୍ଠି ପକାଇ ରଖିବାରେ ନାନାଭାବେ ବ୍ୟସ୍ତ ରହିଥିଲାବେଳେ ଆମେ ତଦ୍ଦ୍ଵାରା ଆପଣାକୁ ସୁରକ୍ଷିତ କରି ରଖିପାରିବୁ ବୋଲି ବିଚାର କରିବାରେ ଲାଗିଥାଉ । ମାତ୍ର, ବାସ୍ତବ କ୍ଷେତ୍ରରେ ଠିକ୍ ତାହାର ଓଲଟା ହୋଇଥାଏ ।

 

ଗଣ୍ଠି ପକାଇ ରଖିବାକୁ ମନ କରୁଥିଲା ପର୍ଯ୍ୟନ୍ତ ଆମେ ଆପଣା ପାଖରେ ଭାରି ଲୁଚି ଲୁଚି ରହିଥାଉ । ଆପଣାର ଅସଲ ପରିଚୟଟି ପାଖରୁ ଭାରି ଦୂରବର୍ତ୍ତୀ ହୋଇ ରହିଥାଉ । ଆପଣା ସହିତ ଯେଉଁ ଅସଲ ଆତ୍ମୀୟତାଟିର ଖିଅ ଲାଗିଥିଲେ ଆପଣାକୁ ନିର୍ଭୟ ଏବଂ ଉଶ୍ଵାସ ଲାଗି ପାରୁଥାନ୍ତା, ଆମେ ସେହି ଆତ୍ମୀୟତାରୁ ଆପଣାକୁ ବଞ୍ଚିତ କରି ରଖିଥାଉ । ଏବଂ, ଭିତରଟା ବନ୍ଦ ଏବଂ ବାରିତ ହୋଇ ରହିଥିବା ପର୍ଯ୍ୟନ୍ତ ବାହାରଟା ମଧ୍ୟ ବାରିତ ହୋଇ ରହିଥାଏ । ଆମ ନିଜ ଗ୍ରହଣ ଦ୍ଵାର ଏବଂ ସମ୍ପର୍କଦ୍ଵାରଗୁଡ଼ାକରେ ସତେଅବା କେଉଁ କବାଟ ପଡ଼ିଥାଏ କେଜାଣି, ଆମେ ଗୋଟିଏ ବିଚିତ୍ର ଆତ୍ମକାତରତାଦ୍ଵାରା ଜର୍ଜର ହୋଇ ବାହାରେ କାହାରି ସହିତ କୌଣସି ଗଣ୍ଠି ପକାଇବାରେ ଭାରି ସଂକୁଚିତ ହୋଇ ରହିଥାଉ, ବାହାର ପୃଥିବୀଟା ଆମକୁ ସତେଅବା ଗୋଟିଏ ଶତ୍ରୁଦୁର୍ଗପରି ମନେ ହେଉଥାଏ । ବାହାରର ମଣିଷମାନେ ମୋ’ର ସହୃଦୟତା ଲାଗି ଅପେକ୍ଷା କରି ରହିଛନ୍ତି ବୋଲି ମୋଟେ ମନେ ହେଉନଥାଏ । କିନ୍ତୁ, ଭିତରେ ଗଣ୍ଠି ଫିଟାଇ ଦେବାର ସାହସଟି ଆସିଯିବା ସହିତ ବାହାରେ ନାନା ସମ୍ପର୍କ ଏବଂ ସହୃଦୟତା ମଧ୍ୟରେ ଆପେଆପେ ବାନ୍ଧିହୋଇ ରହିବାକୁ ମନ ହୁଏ । ଜୀବନରେ ଅସଲ ଖିଅଟିକୁ ଲଗାଇ ପାରିବା ସକାଶେ ବାହାରର ଏହିସବୁ ସମ୍ପର୍କ ସ୍ଥାପନ ସତେଅବା ଏକ ଅବଶ୍ୟମ୍ଭାବୀ ମଝିବାଟ ପରି ମନେ ହେଉଥାଏ-। ଭିତରେ ଗଣ୍ଠି ପଡ଼ିଥିବା ଯାଏଁ ବାହାରେ ଭାରି ଡର ମାଡ଼େ । ତେଣୁ ସଂସାରରେ ଭାରି ଏକୁଟିଆ ଲାଗେ । ଏବଂ, ସଂସାରରେ ଏକୁଟିଆ ଲାଗୁଥିବା ପର୍ଯ୍ୟନ୍ତ ଭିତରେ ମଧ୍ୟ ଆପଣା ସହିତ ମୋଟେ ନିର୍ଭୟ ହୋଇ ବାସ କରି ହୁଏନାହିଁ । ଘରଗୁଡ଼ାକ ଗାତରେ ପରିଣତ ହୋଇ ରହିଥାଏ, ନିର୍ଭରଗୁଡ଼ାକ ସତେଅବା ଗୋଟାଏ ଗୋଟାଏ କାନ୍ଥରେ ପରିଣତ ହୋଇ ରହିଥାନ୍ତି ।

 

୫ । ୧୦ । ୮୧

 

ଧର୍ମ ବଡ଼ବଡ଼ କଥା ଭିତରେ ଉଡ଼ିବାରେ ଲାଗିଥାଏ, ଆଧ୍ୟାତ୍ମିକତା ପାଖରେ ସାନ ସାନ କଥାଲାଗି ମଧ୍ୟ ସମୟ ରହିଥାଏ । ଧର୍ମ ସ୍ୱର୍ଲୋକର କଳ୍ପନା କରେ, ମହାଲ୍ଲୋକର କଳ୍ପନା କରେ, ଆଧ୍ୟାତ୍ମିକତା ଏଇ ଘରଟିକୁ ଲୋଡ଼େ ଏଇ ଘରଟିକୁ ଅତ୍ୟନ୍ତ ନିବିଡ଼ ଭାବରେ ତାହାରି ସକଳ ଅଗଭୀରତା ଦେଇ ଅତି ପାଖରେ ଧରି ରଖିବାକୁ ଚାହୁଁଥାଏ । ଧର୍ମ ପଳାଇ ଯିବାକୁ ମନ କରେ, ଆଧ୍ୟାତ୍ମିକତା ଗୁନ୍ଥି ରଖିବାର ମନ ରଖିଥାଏ । ଧର୍ମ ଶୁଦ୍ଧ ଅଶୁଦ୍ଧ ବାରେ, ଅଧିକରୁ ଅଧିକ ଆତ୍ମୀୟତାଦ୍ଵାରା ଆଧ୍ୟାତ୍ମିକତା ତଥାକଥିତ ଅଶୁଦ୍ଧତାକୁ ମଧ୍ୟ ପାଖକୁ ଟାଣି ଆଣିବାକୁ ଇଚ୍ଛା କରୁଥାଏ । ଧର୍ମ ଅଧିକରୁ ଅଧିକ ପ୍ରବଳ ହେଲେ ଅଧିକରୁ ଅଧିକ କୋଳାହଳ କରିବାକୁ ମନ କରେ, ଅଧିକରୁ ଅଧିକ ପ୍ରଗାଢ଼ ହେଉଥିବା ସଙ୍ଗେ ସଙ୍ଗେ ଆଧ୍ୟାତ୍ମିକତା ଅଧିକରୁ ଅଧିକ ନୀରବ ହୋଇ ଆସେ, ଅଧିକରୁ ଅଧିକ ସ୍ଵାଭାବିକ ଭାବରେ ନୀରବ ହୋଇଆସେ; ଏହିପରି ଭାବରେ ସହଜ ସ୍ଵାଭାବିକ ଅଥଚ ସମ୍ମିଳିତ ହୋଇ ରହିବାକୁହିଁ ଆଧ୍ୟାତ୍ମିକତା ଯଥାର୍ଥ ନୀରବତା ବୋଲି ବୁଝିବାକୁ ମନ ରଖିଥାଏ ।

 

ଉଚ୍ଚରୁ ଆହୁରି ଉଚ୍ଚକୁ ମନ କରି ଧର୍ମ ଗାତଭିତରୁ ଯାଇ ଆହୁରି ଗାତରେ ପଶିବାରେ ଲାଗିଥାଏ । ବ୍ରହ୍ମର ପ୍ରତ୍ୟକ୍ଷ ଅନୁଭବ କରିବ ବୋଲି ମୂର୍ତ୍ତି ପାଖରେ ଯାଇ ବାନ୍ଧି ହୋଇଯାଏ, ପରମାର୍ଥ ବା ପରମସ୍ଵାଦକୁ ଲାଭ କରିବ ବୋଲି ନାନାବିଧ ପୌତ୍ତଳିକତା ଏବଂ ଆତ୍ମମ୍ଭରିତା ଉପରେ ଯାଇ ଲେସି ହୋଇ ରହିଯାଏ । ଆଡ଼ମ୍ବର ଭିତରେ ଆରୋହଣମାନେ ଅପମାନିତପ୍ରାୟ ହୋଇ ରହିଯାଆନ୍ତି, ଶ୍ରଦ୍ଧାମାନେ ବୈରାଗ୍ୟ ବୋଲି ହୋଇ ଆତ୍ମାଗୋପନ କରନ୍ତି,–ଆଦର୍ଶମାନେ ଠାକୁର ହୋଇ ଭୋଗ ଖାଆନ୍ତି ଓ ଦୌରାତ୍ମ୍ୟ ଅଭିଯାନମାନଙ୍କରେ ବାହାରନ୍ତି । ଆଧ୍ୟାତ୍ମିକତାରେ ପଶିଲେ ଦଶାଗୁଡ଼ାକ ଠିକ୍ ଓଲଟା ହୁଏ । ବାହାର ଖୋଳଗୁଡ଼ାକ ଖସିପଡ଼େ ସଂସାରକୁ ବାଡ଼େଇ ପିଟି ଭଲ କରିବାକୁ ମୋଟେ ଇଚ୍ଛା ହୁଏନାହିଁ । ସଂସାରର ଅଧିକରୁ ଅଧିକ ନିକଟରୁ ଆସିବାଲାଗି ମନହୁଏ । ଜୀବନର ଅଧିକରୁ ଅଧିକ ନିକଟକୁ ଆସିବାକୁ ମନ ହୁଏ । ଆପଣା ଭିତରେ କ’ଣ ଗୋଟାଏ ନୂତନ ଆବିଷ୍କାର ସମ୍ଭବ ହୋଇଯାଏ କେଜାଣି, ଆପଣାଲାଗି ଏକ ଆକର୍ଷଣ ବଢ଼େ, ଦୁଆରଗୁଡ଼ାକୁ ଖୋଲିଦେବା ପରେ କିଏ ଭିତରୁ ଥାଇ ତଥାପି ଆହୁରି ପାଖରେ ଯାଇ ବସିବାକୁ ଡାକିବାରେ ଲାଗିଥାଏ । ନିଜକୁ ସ୍ଵୀକାର କରି ନେବାପରେ ସମଗ୍ର ଜଗତକୁ ସ୍ଵୀକାର କରିନେବାରେ ଆଉ କୌଣସି କଷ୍ଟ ସ୍ଵୀକାର କରିବାକୁ ପଡ଼େନାହିଁ ।

 

୬ । ୧୦ । ୮୧

 

ଆମେ ନିୟମଗୁଡ଼ାକୁ ଯେତେ ବେଶୀ ନିଷ୍ଠାର ସହିତ ମାନୁଛୁ, ତେଣେ ଆମ ଭିତରେ ପରସ୍ପର ସହିତ ବାଦଗୁଡ଼ାକ ମଧ୍ୟ ପ୍ରାୟ ସେତିକି ପ୍ରକୋପର ସହିତ ବଢ଼ିବାରେ ଲାଗିଛି । ନିଜ ସହିତ ମଧ୍ୟ ନାନାବିଧ ବିଭାଜନର ଏକ ଦୟନୀୟ କୈବଲ୍ୟ ମଧ୍ୟରେ ଆମେ କେତେପ୍ରକାର ବାଦ ଓ ବିଷମତାର ଜାଲ ବିଛାଇକରି ରଖିଛୁ । ମୁଁ ନିଜେ ହେଉଛି ସମସ୍ତଙ୍କ ଠାରୁ ଅଧିକ ନିୟମନିଷ୍ଠ; ଯେକୌଣସି ପ୍ରକାରେ ଅନ୍ତତଃ ଆପଣା ପାଖରେ ଏହି କଥାଟିକୁ ପ୍ରମାଣିତ କରିବାରେହିଁ ମୋ’ର ସର୍ବାଧିକ ଶକ୍ତିର ବିନିଯୋଗ ହେବାରେ ଲାଗିଛି ।

 

ତଥାପି ସ୍ଵାଭାବିକ ଭାବରେ ଆମ ନିଜଭିତରୁ ନିଜ ଜୀବନଲାଗି କୌଣସି ନିୟମର ଅଙ୍କୁରକାଂକ୍ଷା ମୋଟେ ସମ୍ଭବ ହୋଇ ପାରୁନାହିଁ । ନିଜ ଜୀବନରେ ଏକ ଗନ୍ତବ୍ୟ ଶ୍ରଦ୍ଧାମୟ ସ୍ଥାନର ସନ୍ଧାନ ପାଇ ପାରିଲେ ଯେଉଁ ଅସଲ ଆନୁଗତ୍ୟ ଏବଂ ଅସଲ ଶୃଙ୍ଖଳାଟି ସମ୍ଭବ ହୋଇ ପାରୁଥାନ୍ତା, ଆମ ଜୀବନରେ ଆମେ ହୁଏତ ସେପରି କୌଣସି ସ୍ଥାନର ଠାବ କରି ପାରୁନାହୁଁ । ଭିତରେ ଶୃଙ୍ଖଳାଗତ ଅଭାବଗୁଡ଼ାକ ଆମକୁ ପ୍ରାୟ କାବୁ କରି ରଖି ଯେତିକି ଦୌରାତ୍ମ୍ୟ ଲଗାଇବାରେ ଲାଗିଛନ୍ତି, ବାହାରେ ଆମ ଉପରେ ନାନା କାରଣରୁ ଲଦା ହୋଇଥିବା ନିୟମଗୁଡ଼ାକୁ ଆମେ ହୁଏତ ସେତେ ଉତ୍ତେଜନା ଓ ସେତିକି ଅତିପ୍ରୀତି ସହିତ କାମୁଡ଼ି ଧରିବାର ଉତ୍ସାହ ଦେଖାଇବାରେ ଲାଗିଛୁ । ଏହିପରି ଏକ ଦୁର୍ଦ୍ଦଶା ଫଳରେ ନିୟମର କୌଣସି ଲାଭ ହେଉନାହିଁ ଓ ଆମର ମଧ୍ୟ ଆଦୌ କୌଣସି ଲାଭ ହେଉନାହିଁ । ଅଥଚ; ଶାସ୍ତ୍ରଗୁଡ଼ାକ ବଢ଼ିବାରେ ଲାଗିଛି, ତୁଚ୍ଛା ଶାସ୍ତ୍ରକୁ ଆଦରିଥିବା କାରଣରୁ ଜନ୍ମଲାଭ କରୁଥିବା ଜୁଗୁପ୍‌ସାଗୁଡ଼ାକ ବଢ଼ିବାରେ ଲାଗିଛି ଓ ସେହି ନକରାତ୍ମକତାଟିକୁ ଏକ ସମଗ୍ର ଆବରଣ ଦେଇ ରଖିବା ସକାଶେ ଆମର କୃତ୍ରିମତାଗୁଡ଼ାକବି ପ୍ରାୟ ନିର୍ବିବେକ ଭାବରେ ପ୍ରବଳ ହେବାରେ ଲାଗିଛନ୍ତି । କୃତ୍ରିମତାହିଁ ଆମ ନୈତିକତାର ପ୍ରାୟ ଏକମାତ୍ର ପରିଚ୍ଛଦ ହୋଇ ରହୁଛି । ପରିଚ୍ଛଦମାନେ କ୍ରମେ ମୁଖାହେବାକୁ ମନ କରୁଛନ୍ତି । ମୁଖାଗୁଡ଼ାକ ଆମ ଜୀବନର ଯାବତୀୟ ସହଜ କୋମଳତାକୁ ଗିଳି ପକାଇବାକୁ ମନ କରୁଛନ୍ତି । ଏବଂ, ସେଥିରୁ ଯେଉଁ ଜୀବନର ସମ୍ଭବ ହେଉଛି, ତାହାକୁ ଏକ ନୈତିକ ଜୀବନ ବୋଲି କିଏ କାହିଁକି କହିବ ?

 

୭ । ୧୦ । ୮୧

 

ପିଲାମାନେହିଁ ସବାଆଗ କୃତ୍ରିମତାଗୁଡ଼ାକୁ ଧରିପାରନ୍ତି । ଭିତରର ପିଲାଟି ମରି ମରି ଆସୁଥିବା ସଙ୍ଗେ ସଙ୍ଗେ କୃତ୍ରିମତାଗୁଡ଼ାକ ସତେଅବା ସ୍ଵାଭାବିକତା ପରି ମନେ ହେବାରେ ଲାଗିଥାଏ । ପିଲାକୁ ସମସ୍ତେ ଦେଖିପାରନ୍ତି । କାରଣ ତା’ ଭିତରର କୌଣସି ଅଂଶକୁ ସିଏ ଆଦୌ ଲୁଚାଇ ରଖିବାର ଚେଷ୍ଟା କରୁନଥାଏ । ବୟସ୍କ ବେରସିକର ଭିତର ମଣିଷଟା ସର୍ବଦା ଘୋଡ଼ାଇ ହୋଇ ରହିବାକୁ ଚେଷ୍ଟା କରୁଥାଏ । ତେଣୁ ତା'ର ଭିତରଟାକୁ କେହି ଦେଖି ପାରନ୍ତି ନାହିଁ ସତ, ମାତ୍ର ତା' ବେରସିକତାଗୁଡ଼ାକ ଭାରି ପଦାରେ ପଡ଼ି ଯାଉଥାଏ । ତା’ର ତଥାକଥିତ ସ୍ଵାଭାବିକତାଗୁଡ଼ାକବି କେବଳ ବେରସିକତା ବୋଲି ପ୍ରମାଣିତ ହୋଇ ଯାଉଥାନ୍ତି ।

 

ଅନେକ ଲୋକ ଅଛନ୍ତି, ଯେଉଁମାନେ ଯାବତୀୟ ସମ୍ପର୍କରେ କେବଳ କୃତ୍ରିମତାକୁ ସବୁଠାରୁ ବଡ଼ ଆଶ୍ରା ଓ ବଡ଼ ଅସ୍ତ୍ରରୂପେ ଗ୍ରହଣ କରି ନେଇଥାନ୍ତି । ସାହିତ୍ୟରେ ମଧ୍ୟ ଅନେକ ସାହିତ୍ୟିକଙ୍କ ମଧ୍ୟରେ ସେହି କୃତ୍ରିମତାଟା ଭାରି ସୌଖୀନ ଭାବରେ ରାଜତ୍ଵ କରିବାରେ ଲାଗିଥାଏ-। ଅଳଙ୍କାରଗୁଡ଼ାକ ଭିତରେ ଯାବତୀୟ ସତ୍ୟ ଘୋଡ଼ାଇ ହୋଇ ପଡ଼ିବାରେ ଲାଗିଥାଏ । ଏହାଦ୍ୱାରା ହୁଏତ ଅନେକ ଅଭିପ୍ରାୟ ସାଧିତ ହୋଇପାରେ ସତ, ମାତ୍ର ଏଗୁଡ଼ାକ ମଧ୍ୟରେ ରହିଥିବା ବେରସିକତାଟା ଭାରି ସ୍ପଷ୍ଟ ଭାବରେ ଧରା ପଡ଼ି ଯାଉଥାଏ । ବେରସିକ ମଣିଷମାନେ ଆପଣାର ସେହି ବେରସିକତା ମଧ୍ୟରେହିଁ ଗୁରାଇ ତୁରାଇ ହୋଇ ରହିଥାନ୍ତି । ସୁନ୍ଦରଗୁଡ଼ାକୁ ଅସୁନ୍ଦର କରି ଏମାନେ ନିଜେବି ଭାରି ଅସୁନ୍ଦର ଦିଶନ୍ତି । ସହଜଗୁଡ଼ାକୁ ଜଟିଳ କରି ଏମାନେ ନିଜେବି ଭାରି ଅବାଗିଆ ଦିଶନ୍ତି । ଏମାନେ ନିଜ ଭିତରେ ମଧ୍ୟ ଆପଣାଠାରୁ ସତେଅବା କୌଣସି ଏକ ଅନ୍ୟସ୍ଥାନରେ ଅତ୍ୟନ୍ତ ଦୂରବର୍ତ୍ତୀ ହୋଇ ରହିଥାନ୍ତି । ନାନା ଅଳଙ୍କାରମଣ୍ଡନର ନୈକଟ୍ୟପ୍ରତୀତିକୁ ବୁହାଇ ଦେଇ ଏମାନେ ଗୋଟାସୁଦ୍ଧା ନିକଟବର୍ତ୍ତୀ ହୋଇ ଆସିବାର କେତେ ପ୍ରତୀତି ଆଣିବାକୁ ଚେଷ୍ଟା କରୁଥାନ୍ତି, ତଥାପି ଭାରି ଦୂର ହୋଇ ରହିଥାନ୍ତି । ନିଜ ଭିତରେ ଭାରି ଅଘର ହୋଇ ରହିଥିବା ପରି ମନେ ହେଉଥାନ୍ତି । ପ୍ରଧାନତଃ ସେହିମାନଙ୍କ ସକାଶେହିଁ ଆମ ସଂସାରଟା ଭାରି ଦରିଦ୍ର ଦେଖା ଯାଉଥାଏ, ଆମର ଅତି ପାଖରେ ଥାଇ ମଧ୍ୟ ଆମଠାରୁ ଅତ୍ୟନ୍ତ ଦୂରରେ ରହିଥାଏ; ସଂସାରଟା ସତେଅବା ଗୋଟାଏ ଜଙ୍ଗଲ ହୋଇ ରହିଥାଏ ।

 

୮ । ୧୦ । ୮୧

 

ସରିବା ବେଳକୁ ମନେ ହୁଏ, ସରିଲା ନାହିଁ, ଆରମ୍ଭ ହେଲା । ଅର୍ଥାତ୍, ଯେଉଁ ସୋପାନଟି ସରିଲା, ତା’ର ପରବର୍ତ୍ତୀ ସୋପାନଟି ଆରମ୍ଭ ହେଲା । ଆମେ ଯାହାକୁ ପରବର୍ତ୍ତୀ ସୋପାନ ବୋଲି କହୁଛୁ, ଦିନେ ସେଇଟି ମଧ୍ୟ ସରିଯିବ । ଏମିତି ପରସ୍ତକୁ ପରସ୍ତ ଅତିକ୍ରାନ୍ତ ହୋଇ ଯାଉଥିବ, ପରସ୍ତକୁ ପରସ୍ତ ଖୋଲି ଯାଉଥିବ । ଏହି ଅତିକ୍ରମଣ କରିବାରେ ଏବଂ ଉନ୍ମୋଚିତ ହୋଇଯିବାରେ ଯେଉଁ ଗତି, ତାହାହିଁ ଯଥାର୍ଥ ଗତି । ସେହି ଗତି ଜୀବନର ସତେଅବା ଜନନୀ ପରି କାର୍ଯ୍ୟ କରିଥାଏ । ସେହି ଗତି ଜୀବନର ଅସଲ ନିର୍ଭର ପରି କାର୍ଯ୍ୟ କରେ ।

 

କେତେ ନୂଆ ମଣିଷଙ୍କର ସମ୍ପର୍କରେ ଆସିଲି, କେତେ ନୂଆ ମୁହଁ ଉପରେ ସେହି ଚିହ୍ନା ହସଟିକୁ ଦେଖିଲି; ଆତ୍ମୀୟତାର କେତେ ନୂଆ ନୂଆ ସ୍ପର୍ଶ ପାଇଲି । ଏଗୁଡ଼ିକୁ ଯୋଗ୍ୟ ଭାବରେ ଗ୍ରହଣ କରିପାରିବା ଉଚିତ, ଯୋଗ୍ୟ ଭାବରେ ଆପଣା ମଧ୍ୟକୁ ସ୍ଵୀକାର କରିନେଇ ପାରିବା ଉଚିତ-। ଏହି ସତତ ସ୍ୱୀକାରର ମାଧ୍ୟମରେ ଆପଣା ପାଖରେ ଆପେ ବାରବାର ସ୍ଵୀକୃତି ହେବାରେ ଲାଗିଥିବା, ଏହି ସତତ ଗ୍ରହଣ କରିବାର ମାଧ୍ୟମରେ ଆପଣା ପାଖରେ ଆପେ ବାରବାର ଗୃହୀତ ହେବାରେ ଲାଗିଥିବା,–ତାହାହିଁ ଜୀବନକୁ ବିକାଶବନ୍ତ କରେ, ସମ୍ପଦବାନ୍ କରେ । ତାହାହିଁ ଲଜ୍ଜା ଛଡ଼ାଏ, ଜ୍ଞାନ ଓ ଭକ୍ତିର ଦୁଃସମୟଗୁଡ଼ାକରେ ସହ୍ୟ କରିବାକୁ ପଡ଼ୁଥିବା ସଙ୍କୋଚଗୁଡ଼ାକରୁ ବିମୋଚିତ କରି ନେଇଆସେ । ଜ୍ଞାନ ଓ ଭକ୍ତିକୁ ଯୋଗ୍ୟତର କରେ, ଅଧିକରୁ ଅଧିକ କର୍ମକ୍ଷମ କରେ । ତେଣୁ, ଏହି ସବୁକିଛି ସମ୍ପର୍କ ଓ ପରିଚୟଗୁଡ଼ିକୁ ନେଇ ମୁଁ ନିଜପାଇଁ କୌଣସି ଏକ ବଡ଼ ଗଣ୍ଠି ତିଆରି କରି ରଖିବାକୁ କଦାପି ମନ ବଳାଇବି ନାହିଁ । ଏହି ଯାବତୀୟ ସ୍ପର୍ଶ ଓ ସମ୍ପର୍କ ସତେଅବା ଏକ ରସାୟନ ପରି କାର୍ଯ୍ୟ କରି ମୋତେ ଅଧିକ ନମନୀୟ କରୁ, ସମସ୍ତଙ୍କ ଲାଗି ମୋତେ ଅଧିକ ପରିମାଣରେ ଯୋଗ୍ୟ କରୁ ।

 

୯ । ୧୦ । ୮୧

 

ସବାଶେଷରେ ନିଜପାଖକୁହିଁ ଫେରି ଆସିବାକୁ ହୁଏ । ବାହାରର ଯାବତୀୟ ସମ୍ମିଳନ ତଥା ସଂସ୍ରବ ପ୍ରତି ବିରକ୍ତ ହୋଇ ଆଦୌ ନୁହେଁ, ବାହାରକୁ ସତେଅବା ସାଙ୍ଗରେ ଧରି ଆପଣା ଭିତରକୁ ଫେରି ଆସିବାକୁ ହୁଏ । ସେତେବେଳେ କୋଳାହଳଗୁଡ଼ାକ କ୍ରମେ ଶାନ୍ତ ହୋଇଆସେ, ସୂତ୍ରଗୁଡ଼ାକ ଅତ୍ୟନ୍ତ ସ୍ପଷ୍ଟତର ଭାବରେ ଅନୁଭୂତ ହେବାକୁ ଲାଗନ୍ତି ।

 

ଆଠଦିନ କାଳ ସେଠି ସକଳ ସମୟରେ ସତେଅବା ସମସ୍ତଙ୍କ ସହିତ ଏକାଠି ଗୋଟିଏ ସଖ୍ୟର କୋଳାହଳ ଭିତରେ ରହିବାକୁ ପଡ଼ୁଥିଲା । ଦିନରାତି ଜଣା ପଡ଼ୁନଥିଲା, ସକାଳ ସଞ୍ଜବି ଜଣା ପଡ଼ୁନଥିଲା । ଆପଣାକୁ ନିଃଶେଷିତ ଭାବରେ ସମସ୍ତଙ୍କ ଲାଗି ଦେଇପାରିଲେ ଯେ ଆପଣାର ସଂଗ୍ରହପାତ୍ରଗୁଡ଼ିକୁ କଦାପି ନିଃଶେଷିତ ହୋଇ ଯାଆନ୍ତିନାହିଁ, ସେହିପରି ଏକ ସହଜ ଉପଲବ୍ଧି ସେତେବେଳେ ସକଳ କର୍ମବ୍ୟସ୍ତତା ସତ୍ତ୍ୱେ ଆପଣାକୁ କେତେ ପୁଲକରେ ଭରି ରଖିଥିଲା-। ବର୍ତ୍ତମାନ ସେହି ଗହଳି ଭିତରୁ ନିଜ ଘରକୁ ଆସି ମନେ ହେଉଛି, ଏହିପରି ଭାବରେ ଏକାକୀ ନିଜ ଘରଟି ମଧ୍ୟରେ ରହିଥିବାବେଳେ ମଧ୍ୟ ତଥାପି ସମସ୍ତେ ସାଙ୍ଗରେ ରହିଥାନ୍ତି । କେହି ଗୋଟିଏ ହେଲେ କୁଆଡ଼େ ଚାଲି ଯାଆନ୍ତିନାହିଁ । ଗୋଟିଏ ଆକାଶରେ ସମସ୍ତଙ୍କ ସହିତ ତାରା ହୋଇ ଆପଣାର ଅସଲ ଆଲୋକସୂତ୍ରଗୁଡ଼ିକୁ ଅନୁଭବ କରୁଥିବା ପରି ସେତେବେଳେ ଭାରି ମନେହୁଏ । ଏହି ସମ୍ମିଳନୀ ଲାଗି ମୁଁ ଅନେକ ଦିନ ହେଲା ଅପେକ୍ଷା କରି ରହିଥିଲି । ସମ୍ମିଳନୀ ଆସିଲା, ଗଲା-। ମୋତେ ଏକ ତୀର୍ଥ ଦର୍ଶନର ସୌଭାଗ୍ୟ ଦେଇଗଲା, ଏକ ପୁନଃସ୍ପର୍ଶର ଅଭିଭୂତି ଦେଇଗଲା । ପ୍ରତ୍ୟେକ ଗଛ ସହିତ ମଧ୍ୟ ମଣିଷ ଯେଉଁ ସଖ୍ୟ ଅର୍ଜନ କରିଥାଏ; ତାହା ସେହିରୂପେ ସେହି ମଣିଷର ହୃଦୟରେ ସଞ୍ଚିତ ହୋଇ ରହିଯାଏ । ତାହା କଦାପି ବିସ୍ତୃତ ହୋଇ ରହିଯାଏନାହିଁ । ସେହି ସଖ୍ୟ ଅନ୍ୟ ମଣିଷଙ୍କ ସହିତ ଅର୍ଜନ କରାଯାଇଥିବା ସଖ୍ୟ ମଧ୍ୟକୁ ବିସ୍ତୃତ ହୋଇଯାଏ । ମଣିଷକୁ ଅନେକ ଅହଂକାର ମୁକ୍ତିର ସୌଭାଗ୍ୟ ଆଣିଦିଏ, ତାକୁ ଅସୀମ କରି ରଖେ, ଅପରିମେୟ କରି ରଖିଥାଏ ।

 

୧୦ । ୧୦ । ୮୧

 

ଜାତିକୁ ଭଲ ପାଇବାକୁ ମନ କରି ଅନେକ ମଣିଷ ଏକପ୍ରକାରର ଭାବପ୍ରବଣତା ପାଖରେ ଅଟକି ରହିଯାଆନ୍ତି । ନିତାନ୍ତ ବ୍ୟକ୍ତି ସ୍ଵାର୍ଥପରତାର ସ୍ତରଟି ଠାରୁ ଜାତିର ସ୍ତରକୁ ଅବଶ୍ୟ ଏକ ପ୍ରଶସ୍ତତର ସ୍ତର ବୋଲି କୁହାଯାଇପାରିବ । ମାତ୍ର ତାହାକୁହିଁ କଦାପି ଜୀବନର ଅସଲ ସ୍ତର ବୋଲି ଗ୍ରହଣ କରି ହେବନାହିଁ । ଜାତିର ମଧ୍ୟଦେଇ ଜାତିର ମଣିଷମାନଙ୍କୁ ଆତ୍ମୀୟତାରୂପେ ସ୍ଵୀକାର କରିନେବାକୁ ପଡ଼ିବ ।

 

ତେଣୁ ମୋ’ ଜାତି ମୋତେ ଆପଣାକୁ ପ୍ରସାରିତ କରିଦେବା ସକାଶେ ଏକ ସହଜ ଓ ପରିଚିତ କ୍ଷେତ୍ର ଯୋଗାଇଦେବ । ତାହାହିଁ ଯଥେଷ୍ଟ । ତା’ ସେପାଖକୁ ଆପଣାର ଜାତିତ୍ଵଟାକୁ ନେଇ ଯାହାକିଛି ଉତ୍ତେଜନା ପ୍ରକାଶ ପାଏ, ତାହା ଆମକୁ ଅଧିକାଂଶ ସମୟରେ ଭାବପ୍ରବଣ କରିପକାଏ, ଗାରଭିତରେ ବାନ୍ଧିପକାଏ, ଆମକୁ ନାନାପ୍ରକାରର ଘୃଣାବି ଶିଖାଏ । ସେହି ଘୃଣାଗୁଡ଼ାକ ବାହାରରୁ ଭଲ ପାଇବା ବୋଲି ମନେ ହୁଅନ୍ତି ଓ ଆମକୁ ଆହୁରି ଅଧିକ ଉଦ୍ଧତ ହୋଇ ରହିବାରେ ସାହାଯ୍ୟ କରନ୍ତି । ସେହି ଘୃଣା ଏକ ଅତ୍ୟୁତ୍ସାହର ସ୍ରୋତ ଉପରେ ବସି ସାହିତ୍ୟ ଭିତରେ ଆସି ପଶେ, ତଥାକଥିତ ସାଂସ୍କୃତିକ କ୍ଷେତ୍ରଗୁଡ଼ାକୁ ମଧ୍ୟ ସଂକ୍ରାମିତ କରେ;–ଆପଣା ଜାତିକୁ ନିଜର ବୋଲି ମନେ କରି ଭଲ ପାଇବା ପଛରେ ଯେଉଁ ମାନବିକ ଆବେଦନଟି ରହିଥାଏ, ସେଇଟି କୁଆଡ଼େ ଅବହେଳିତ ହୋଇ ରହିଯାଏ । ତା’ପରେ ଜାତି ଜାତି ଭିତରେ ଲଢ଼େଇ ଆରମ୍ଭ ହୋଇଯାଏ, ଗୋଟିଏ ଜାତିକୁ ଆଉଗୋଟିଏ ଜାତିଠାରୁ ବଡ଼ ବୋଲି ଦେଖାଇବା ଲାଗି ଭାରି ଆଡ଼ମ୍ବର ଓ ଆୟୋଜନକୁ ପ୍ରଶ୍ରୟ ଦିଆଯାଏ । ମଣିଷମାନେ ଅସଲ ସୂତ୍ରଗୁଡ଼ିକୁ ଭୁଲି ଜାତୀୟତାର ମାର୍କାକୁ ଦେହରେ ଲଗାଇ ମାନବକରାମତିର ଆଡ଼ମ୍ବର କରନ୍ତି । କଲ୍ୟାଣଗୁଡ଼ାକର ଭୂଗୋଳ ଲେଖାହୁଏ । ତେଣୁ ଯାବତୀୟ କଲ୍ୟାଣଭାବନା ବଡ଼ ବିକୃତ ହୋଇପଡ଼େ । ମଣିଷ ଭିତରେ ରହିଥିବା ଶୁଭ ପ୍ରବୃତ୍ତିଗୁଡ଼ାକ କ୍ରମଶଃ ଗୁଡ଼ାଏ ବିକୃତିରେ ପରିଣତ ହୋଇ ରହେ ।

 

୧୧ । ୧୦ । ୮୧

 

ଛାତ୍ର ଗାଁରୁ ଆସୁଛି, ଆତ୍ମୀୟତା ଭିତରୁ ଆସୁଛି । ଏଠି ସହରରେ ଅବସ୍ଥିତ ତା’ କଲେଜ ଭିତରେ ପଶିବା ମାତ୍ରକେ ତାକୁ କେତେ ନା କେତେ କୃତ୍ରିମତା ଆକ୍ରମଣ କରିବାକୁ ଆସୁଛନ୍ତି । ତା’ ନିଜ ଗାଁରେ ସିଏ ଜୀବନ ବୋଲି ଯେଉଁସବୁ ଡୋରକୁ ଅତ୍ୟନ୍ତ ସହଜ ଭାବରେ ଅନୁଭବ କରି ପାରୁଥିଲା, ଏଠି ସହରରେ ସେଗୁଡ଼ାକ କୁଆଡ଼େ ଅଦୃଶ୍ୟ ହୋଇ ଗଲାପରି ମନେ ହେଉଛି । ବିଦ୍ୟା ପଢ଼ିବାକୁ ହେଲେ ବିଭକ୍ତ ହେବାକୁ ପଡ଼ିବ, କୃତ୍ରିମ ହେବାକୁହିଁ ପଡ଼ିବ, ଏହିପରି ଗୋଟାଏ ଅପଶିକ୍ଷା ଛାତ୍ରର ସବୁଯାକ ଆସ୍ଥାସ୍ତମ୍ଭକୁ ଟାଳି ଚୂରମାର କରିଦେବାର ଚକ୍ରାନ୍ତ କରୁଛି । ବିଦ୍ୟାଲାଭ କରି ସେଇ ସତେଅବା ଆପଣାର ଅସଲ କେନ୍ଦ୍ରଗୁଡ଼ିକରୁ ବିତାଡ଼ିତ ହୋଇ ରହୁଛି ।

 

ବିଦ୍ୟା ଅଧିକରୁ ଅଧିକ ସଂଯୁକ୍ତ କରି ପାରୁଥାନ୍ତା । ଘରକୁ ବାହାର ସହିତ ସଂଯୁକ୍ତ କରି ପାରୁଥାନ୍ତା, ଗାଁକୁ ସହର ସହିତ ସଂଯୁକ୍ତ କରୁଥାନ୍ତା, ନିକଟକୁ ଦୂର ସହିତ ସଂପୃକ୍ତ କରି ପାରୁଥାନ୍ତା-। ବିଦ୍ୟାଦ୍ୱାରା ଆତ୍ମୀୟତା ବଢ଼ୁଥାନ୍ତା କୃତ୍ରିମତାଗୁଡ଼ାକ କୃତ୍ରିମତା ବୋଲି ଧରା ପଡ଼ି ଯାଉଥାନ୍ତା ବିଦ୍ୟା ଯାବତୀୟ ପ୍ରକାରର ବିଭାଜନ ଉପରେ ବିଜୟ ଘୋଷଣା କରି ପାରୁଥାନ୍ତା । ଏବେ ତାହା ହୋଇ ପାରୁନାହିଁ । କାରଣ ସହରର ଶିକ୍ଷାଳୟଗୁଡ଼ାକ ଛାତ୍ରକୁ ଆଉ ମଣିଷପରି ଦେଖୁନାହାନ୍ତି । ସେମାନେ ଛାତ୍ରର କେବଳ ଗୋଟିଏ ଅଂଶକୁ ଦେଖି ପାରୁଛନ୍ତି । ସମଗ୍ର ଭୂମିଟିର କେବଳ ଗୋଟିଏ ପ୍ରସ୍ଥକୁହିଁ ଦେଖୁଛନ୍ତି । ତଥାକଥିତ ଆଚାର୍ଯ୍ୟମାନେ ମଧ୍ୟ ଆପଣାର କେବଳ ଗୋଟିଏ ଅଂଶରହିଁ ପରିଚୟ ଦେଇ ପାରୁଛନ୍ତି । ତେଣୁ ସମ୍ପର୍କଗୁଡ଼ାକ ମୋଟେ ସମଗ୍ର ହୋଇ ପାରୁନାହିଁ । ଏହି ଶିକ୍ଷା ମଣିଷକୁ ଘରଛିଣ୍ଡା କରି ପକାଉଛି । ଚେରଛିଣ୍ଡା କରି ପକାଉଛି । ଆପଣାର ଘରଟାକୁ ମଧ୍ୟ ସତେଅବା ଏକ ପ୍ରତିଭାସ ପରି ଦେଖାଇବାକୁ ଚେଷ୍ଟା କରୁଛି । ତେଣୁ, ଏହି ବିଦ୍ୟାଦ୍ଵାରା ବଳ ବଢ଼ୁନାହିଁ । ବିଶ୍ଵାସ ମୋଟେ ବଢ଼ୁନାହିଁ । ଆପଣାର ଅସମର୍ଥତାଗୁଡ଼ାକ ବିଷୟରେ ଅତିଚେତନାଗୁଡ଼ାକ ପ୍ରବଳ ହେବାରେ ଲାଗିଛି । ଆପଣାର ମନଭିତରେ ମଣିଷ ଭାରି କ୍ଷୁଦ୍ର ହୋଇ ରହିଯାଉଛି ।

 

୧୨ । ୧୦ । ୮୧

 

ଶ୍ରୀ ଅରବିନ୍ଦ ସବାଆଗ ମଣିଷର ତାରୁଣ୍ୟକୁହିଁ ଆଲୋଡ଼ିତ କରି ପାରୁଥାନ୍ତେ । ମୋ’ ଭିତରେ ଯାହା ତରୁଣ ହୋଇ ରହିଛି, ସମ୍ମୁଖସ୍ଥ ଭବିଷ୍ୟତକୁ ଯିଏ ନିଜ ଭିତରେ ଅନୁଭବ କରି ପାରୁଛି ଓ ଦେଖିପାରୁଛି । ସେଇଟିହିଁ ସବାଆଗ ଶ୍ରୀ ଅରବିନ୍ଦଙ୍କୁ ନିଜ ଭିତରକୁ ଡାକି ଆଣି ପାରୁଥାନ୍ତା, ତାଙ୍କୁ ବନ୍ଧୁ ଭଳି ଗ୍ରହଣ କରି ପାରୁଥାନ୍ତା । ଭାରତବର୍ଷରେ ଏତେ ଚକ୍ଷୁଷ୍ମାନ୍ ମଣିଷ ଜନ୍ମଗ୍ରହଣ କରି ମଣିଷ ଭିତରର ତରୁଣକୁ ନୂତନ ଉଦ୍‌ବୋଧନରେ ଜାଗରୁକ ଓ ସଚଳ କରିଦେବାକୁ ଆସିଛନ୍ତି । ମାତ୍ର, ଭାରତବର୍ଷର ବୃଦ୍ଧମାନେ କେଡ଼େ ଚତୁରତା ସହିତ ସେମାନଙ୍କୁ ଆତ୍ମସାତ୍ କରି ପକାଇଛନ୍ତି କେଜାଣି, ସେମାନେ ସତେଅବା ସେହିମାନଙ୍କ ପାଖରେ ଖୁଣ୍ଟରେ ବନ୍ଧାହୋଇ ରହିଛନ୍ତି । ସେମାନେ ଠାକୁର ହୋଇଛନ୍ତି ସେମାନଙ୍କ ନାମରେ ପତାକା ଉଡ଼ିଛି । ସମ୍ପ୍ରଦାୟ ବନ୍ଧା ହୋଇଛି, ମୋକ୍ଷ ଲୋଡ଼ୁଥିବା ପାପସଚେତନ ବିରକ୍ତ ପ୍ରକୁପିତ ବୃଦ୍ଧମାନେ ସେମାନଙ୍କୁ ଆପଣାର ଧର୍ମାଚରଣରେ ସତେଅବା ଗୋଟିଏ ଗୋଟିଏ ପିତୁଳା ପରି ବ୍ୟବହାର କରିଛନ୍ତି । ନିଦ୍ରାଗୁଡ଼ାକୁ ସ୍ଥାୟୀ କରି ରଖିଛନ୍ତି ।

 

ଶ୍ରୀ ଅରବିନ୍ଦଙ୍କୁ ପ୍ରଧାନତଃ ତରୁଣମାନେହିଁ ଆବିଷ୍କାର କରିପାରିବେ । ସ୍ଵାମୀ ବିବେକାନନ୍ଦଙ୍କୁ ସବାଆଗ ତରୁଣମାନେହିଁ ଚିହ୍ନିପାରିବେ । ଭାରତବର୍ଷର ବୈରାଗ୍ୟଲୋଭୀ ଜୀବନନିନ୍ଦୁକ ଭକ୍ତମାନେ ଏହି ମହାମନୁଷ୍ୟମାନଙ୍କୁ ଯେ ଏଡ଼େ ଚମତ୍କାର ଭାବରେ ଅବତାରରେ ପରିଣତ କରି ମ୍ୟୁଜିୟମ୍‌ରେ ସୁରକ୍ଷିତ କରି ରଣିଲେ, ଭାରତବର୍ଷର ତରୁଣମାନେହିଁ ପ୍ରଧାନତଃ ସେହି ପରମ୍ପରାଟି ବିରୁଦ୍ଧରେ ବିଦ୍ରୋହ କରିବେ । ଅବତାରମାନଙ୍କୁ ସତତ ସହଚାରୀ ଏକ ପ୍ରେରଣାରୂପେ ଅନୁଭବ କରିବେ ଏବଂ ସେମାନଙ୍କୁ ସାଙ୍ଗରେ ନେଇ ପୁରାତନ ମଧ୍ୟରୁ ନୂତନ ମଧ୍ୟକୁ ଅଗ୍ରସର ହେବେ । ସେତେବେଳେ ଯାଇ ଆମର ଐତିହ୍ୟଟି ଆମର ଯଥାର୍ଥ କାର୍ଯ୍ୟରେ ଲାଗି ପାରିବ, ସେତେବେଳେ ଯାଇ କୁତ୍ସିତଗୁଡ଼ାକ ବଦଳିବାର ଏକ ମୂଳ-ଭିତ୍ତି ତିଆରି ହୋଇ ପାରିବ ।

 

୧୩ । ୧୦ । ୮୧

 

କେତେକ ବୋଲ ମାନି, ଦେହ ଓ ମନକୁ ବାନ୍ଧି ଆପଣା ପାଖରେ ଆପଣାଲାଗି ଗୋଟାଏ ଉତ୍ପୀଡ଼ନପ୍ରିୟ ପୋଲିସ୍ ହୋଇ ରହିଲେ କଦାପି ନିଜ ଭିତରେ ରହିଥିବା ଫୁଲବଗିଚାଟିକୁ ଅନୁଭବ କରି ହୁଏନାହିଁ ଅଥବା ଏକ ସମୁଦ୍ରବେଳାର ସମତଳଟି ଉପରେ ସୂର୍ଯ୍ୟ ଦର୍ଶନ ସମ୍ଭବ ହୁଏନାହିଁ । ଆପଣାକୁ ଆପଣାର ବନ୍ଧୁ କରିନେଇ ପାରିଲେ ଆପଣାର ଭିତରେ ତଥା ବାହାରେ ପରମବନ୍ଧୁର ସ୍ପର୍ଶନ ମିଳେ । ଏହି ଜୀବନଟା ତା’ପରେ ମୋଟେ ଏକ ବନ୍ଧନପରି ମନେ ହୁଏନାହିଁ । ଆପଣାର ସାହସ ପଡ଼ିବା ଓ ଝୁଣ୍ଟିବା ସତ୍ତ୍ୱେ ତଥାପି ବାଟ ଚାଲିବାର ଉଦ୍‌ବୋଧନ ମିଳେ । ଆପଣା ଭିତରୁ ପ୍ରାୟ ଅବାରିତ ଭାବରେହିଁ ବନ୍ଧୁର ପ୍ରେରଣା ମିଳୁଥାଏ ।

 

ତା’ପରେ କ’ଣ ନୀତି ଓ କ’ଣ ଅନୀତି, ସେହି କଥାଗୁଡ଼ିକ ନିଜର ଭିତରୁହିଁ ଅନୁଭବ କରିହୁଏ । କେଉଁଟା ପ୍ରଭବ ଓ କେଉଁଟା ଅପ୍ରଭବ, ସେକଥା ନିଜ ଭିତରୁ ଭିତରେ ବସିଥିବା କେଉଁ ବନ୍ଧୁର ଇଙ୍ଗିତଦ୍ଵାରା ସ୍ପଷ୍ଟ ହୋଇଯିବାରେ ଲାଗିଥାଏ । ସେହି ବନ୍ଧୁ ଘୃଣା କରେନାହିଁ, ବଞ୍ଚିତ କରିବା ପ୍ରତ୍ୟାଖ୍ୟାନ କରି ମୋଟେ ଚାଲିଯାଏ ନାହିଁ । ତାକୁ ଅନୁଭବ କରୁଥିବା ପର୍ଯ୍ୟନ୍ତ ଆପଣା ଭିତରେ ଆପଣାକୁ ଛୁଇଁଲା ମାତ୍ରକେ ଛାତି ଫୁଲି ଉଠିବାପରି ଲାଗୁଥାଏ । ଆପଣାକୁ କାହାର ସନ୍ତାନ ପରି ଲାଗୁଥାଏ, ସେହି ସନ୍ତାନତ୍ଵକୁହିଁ ଆପଣା ଜୀବନର ପବିତ୍ରତମ ସମ୍ପଦ ବୋଲି ମନେ ହେଉଥାଏ । ସେତେବେଳେ ଏତେ ଶକ୍ତି ମଧ୍ୟ କୁଆଡ଼ୁ ଆସେ କେଜାଣି ? ସେହି ଶକ୍ତିକୁ ଅନୁଭବ କରିବାର ସାମର୍ଥ୍ୟ ଆସିବା ସଙ୍ଗେ ସଙ୍ଗେ ଭିତରକୁ ଅନାଇଦେବା ମାତ୍ରକେ କେବଳ ଏକ ଜ୍ଵଳମାନ ଆଲୋକର ଦର୍ଶନ ମିଳେ । ସେହି ଆଲୋକ ହେଉଛି ନିଜକୁ ପୂର୍ଣ୍ଣ ଭାବରେ ସମର୍ପିତ କରି ରଖିଥିବାର ପୂର୍ଣ୍ଣସମ୍ମତିର ଆଲୋକ । ସେତେବେଳେ ସବୁଯାକ ବୋଲି ମାନିବାକୁ ଭିତରେ ସତେଅବା କିଏ ଆପେଆପେ ପ୍ରସ୍ତୁତ ହୋଇଯାଏ । ଆପଣାକୁ ବାଧ୍ୟ ମନେହୁଏ । କାହାରିଦ୍ଵାରା ବା କାହାରି ପ୍ରତି ରହିଥିବା ଭୟଦ୍ୱାରା ବାଧ୍ୟ ନୁହେଁ, ମାତ୍ର ଆପଣାର ବାଟ ଚାଲିବାକୁ ସ୍ଵଭାବତଃ ମିଳୁଥିବା ଏକ ବିଶ୍ଵାସରୁ ସେହି ନମନୀୟତା ଉପଲବ୍ଧ ହୋଇଥାଏ । ନିଜ ଘରେ ଅବାଧ୍ୟ ହେବାଲାଗି ଆଉ କୌଣସି ଅବକାଶହିଁ ନଥାଏ ।

 

୧୪ । ୧୦ । ୮୧

 

ଆଗେ ଆଚାର୍ଯ୍ୟ ଓ ବିଦ୍ୟାର୍ଥୀ ସାଧନାର ପଥରେ ଅର୍ଥାତ୍ ବିଦ୍ୟାର୍ଜନର ପଥରେ ପରସ୍ପରକୁ ସହଚାରୀ ବୋଲି ଅନୁଭବ କରୁଥିଲେ । ଉପନିଷଦର କେତେ ବାକ୍ୟରୁ ଅନ୍ତତଃ ଏହିପରି ଏକ ସମ୍ବନ୍ଧକୁ ଯେ ବିଦ୍ୟାର୍ଜନର କ୍ଷେତ୍ରରେ ଏକ ଆଦର୍ଶ ସମ୍ବନ୍ଧ ବୋଲି ମନେ କରାଯାଉଥିଲା, ସେହି କଥାଟିର ସ୍ପଷ୍ଟ ପ୍ରମାଣ ମିଳିଯାଉଛି । ଆଚାର୍ଯ୍ୟ ଓ ବିଦ୍ୟାର୍ଥୀ ମଧ୍ୟରେ ରହିଥିବା ସମ୍ବନ୍ଧଟି ଯେ ମୂଳତଃ ସହାନୁଭୂତିର ଏକ ସମ୍ବନ୍ଧ ଥିଲା, ସେହି କଥାଟିର ପ୍ରାସଙ୍ଗିକତା ଏବେ ମଧ୍ୟ ରହିଛି ।

 

ଏବେ ବିଦ୍ୟାସ୍ଥାନମାନଙ୍କରେ ସବୁ ଅଛି, ସହାନୁଭୂତି ନାହିଁ । କୋଠା ଅଛି, ନାନା ପାଣ୍ଡିତ୍ୟର ପ୍ରଦର୍ଶନ ଅଛି, ନିୟମକାନୁନମାନବି ରହିଛି,–ସବୁ କିଛି ଶୃଙ୍ଖଳିତ ଭାବରେ ଚାଲିବ ବୋଲି ମୂଳରୁହିଁ ସୁଚିନ୍ତିତ କେତେ ପ୍ରକାରର ଶୃଙ୍ଖଳା ଜାରି କରି ଦିଆଯାଇଛି । ମାତ୍ର ସହାନୁଭୂତି ନାହିଁ, ସହଭାବବା ନାହିଁ । କେତେକ ମଣିଷ ଏକତ୍ର ରହିଲେ ପରସ୍ପର ମଧ୍ୟରେ ସହଚାରିତାର ଯେଉଁ ଭାବନାଟି ଅତ୍ୟନ୍ତ ସ୍ଵାଭାବିକ ଭାବରେ ସମ୍ଭବ ହୋଇ ପାରୁଥାନ୍ତା, ଏବେ ସେଇଟିକୁ ମୋଟେ ଦେଖିବାକୁ ମିଳୁନାହିଁ । ପ୍ରତ୍ୟେକ ଯେଝା ବାଟରେ ଚାଲିଛନ୍ତି, ଯେଝା ମାର୍ଗରେ ପ୍ରତ୍ୟେକେ ବନ୍ଦୀ ହୋଇ ରହିଛନ୍ତି । ଏମାନେ ହୁଏତ ପ୍ରତ୍ୟେକେ ପ୍ରତ୍ୟେକର ପ୍ରତିଦ୍ଵନ୍ଦ୍ୱୀ ଭାବରେ ଆପଣାର ବାଟଗୁଡ଼ିକୁ ଚାଲୁଛନ୍ତି ଓ ତେଣୁ ପରସ୍ପର ପ୍ରତି ଏକ ଉପେକ୍ଷାଭାବ ପୋଷଣ କରିବାକୁହିଁ ଉଚିତ ପଦ୍ଧତି ବୋଲି ଭାବୁଛନ୍ତି । ବଡ଼ମାନେ ବଡ଼ମାନଙ୍କ ସଂସାର ଭିତରେ ଅଛନ୍ତି, ସାନମାନେ ସାନମାନଙ୍କ ସଂସାରରେ ରହିଛନ୍ତି । ଭେଟାଭେଟି ହେବାର ମୋଟେ କୌଣସି ସଂସ୍କାର ନାହିଁ । ପରସ୍ପର କେତେ ଔପଚାରିକ ଭାବରେ ପରସ୍ପରକୁ ଭେଟିଲେ ମଧ୍ୟ ସେଥିରେ ଦୂରତାଗୁଡ଼ାକହିଁ ସବୁଠାରୁ ଅଧିକ ଜଳଜଳ ହୋଇ ଦିଶି ଯାଉଛନ୍ତି । କୃତ୍ରିମତାଗୁଡ଼ାକ ପ୍ରଚଣ୍ଡ ହୋଇ ଅସଲ ଦାରିଦ୍ର୍ୟ ଓ ଅସଲ ଅଭାବଗୁଡ଼ାକୁ ଲୁଚାଇ ରଖିଛନ୍ତି । ବିଦ୍ୟା ଓ ବିନୟ ପରାହତ ହୋଇ ରହିଛନ୍ତି ।

 

୧୫ । ୧୦ । ୮୧

 

ଭିତରକୁ ଅନାଇଦେବା ବେଳକୁ ଆଲୋକ ଦେଖାଯାଏ । ପୁଣି କେତେବେଳେ ଖାଲି ସିଂହାସନଟିଏ ଦେଖାଯାଏ, କେତେବେଳେ କେବଳ ପାଦଦୁଇଟି ଦେଖାଯାଏ, କେତେବେଳେ କାହାର ପ୍ରିୟ ଓ ପରିଚିତ ମୁଖଟି ଦେଖାଯାଏ, ଆଉ କେତେବେଳେ କେବଳ ଭାରି ସୁନ୍ଦର ଭାବରେ ଫୁଟି ଉଠିଥିବା ଗୋଟିଏ ପଦ୍ମଫୁଲ ବ୍ୟତୀତ ଆଉ କିଛି ଦେଖାଯାଏ ନାହିଁ । ପୁଣି କେତେବେଳେ ଅରଣ୍ୟ ଆଉ ପର୍ବତ ଦେଖାଯାଆନ୍ତି । ଏବଂ, ଯେତେବେଳେ ଯାହା ଦେଖାଯାଉ ପଛକେ, ଜନନୀ ପରି ଅଭୟ ଦେଇ ରହିଥିବା ଆକାଶଟିଏ ଅତ୍ୟନ୍ତ ସୁନିଶ୍ଚିତ ଭାବରେ ଅନୁଭୂତ ହେବାରେ ଲାଗିଥାଏ । ସେହି ଆକାଶଟି ଭିତରେ ଆପଣାକୁ ଦେଖୁଥିବାରୁହିଁ ସମ୍ଭବତଃ କେବେହେଲେ ଭୟ ଲାଗେନାହିଁ, କେତେବେଳେବି କୋଳାହଳ କିମ୍ବା ଅଭିଯୋଗ କରିବାକୁ ମୋଟେ ଇଚ୍ଛା ହୁଏନାହିଁ । ଏଠି ସଂସାରରେ ମୋଟେ କିଛିହେଲେ ବୋଝପରି ଲାଗେନାହିଁ, କିଛିହେଲେ ଅନିତ୍ୟ ମନେ ହୁଏନାହିଁ, କିଛିହେଲେ ଲେଷ୍ଟ୍ରବତ, ଅର୍ଥାତ୍ ଜଡ଼ବତ୍ ମନେ ହୁଏନାହିଁ ।

 

ମୋ’ର ସେହି ଆଖିଟି ସବୁଦିନେ ମୋ’ ପାଖରେ ରହିଥାଉ । ଏତିକି ବ୍ୟତୀତ ମୋ’ର ଆଉ ମାଗିବାର କିଛିହେଲେ ନାହିଁ । ସମ୍ଭବତଃ ସେହି ଆଖିଟି ରହିଥିବାରୁହିଁ ଆପଣାକୁ କେବେହେଲେ ଦରିଦ୍ର ବୋଲି ମନେ ହୁଏନାହିଁ । ପ୍ରାର୍ଥନାରେ ମୁଁ କେବେହେଲେ ଆପଣାକୁ ଦରିଦ୍ର ମନେକରି କିଛିହେଲେ ମାଗିନାହିଁ । ଆପଣା ଭିତରେ ଆପଣାକୁ ନେଇ କୌଣସି ଅହଂକାର ଅର୍ଥାତ୍ ଭୟ ରହିଥିଲେ ହୁଏତ ମଣିଷ କିଛି ନିର୍ଭରଯୋଗ୍ୟ ଭାବରେ ମାଗିବାକୁ ପ୍ରବୃତ୍ତ ହୋଇଥାଏ-। ମୋ’ ଭିତରେ ଆଉ ଯାହା କିଛି ଥାଉ ପଛକେ, ଏହି ଦୁଇଟି କଥା ମୋଟେ ନାହିଁ । ଶ୍ରଦ୍ଧା ଅଛି, ସ୍ଵାଭିମାନ ଅଛି, ସମ୍ମାନବୋଧ ରହିଛି, ଶକ୍ତିବି ରହିଛି;–ମାତ୍ର ଅହଂକାର ନାହିଁ, ଭୟ ନାହିଁ । ଅଭିଯୋଗ କରିବାର କୌଣସି ସରାଗ ନାହିଁ । କୋଳାହଳ କରି ଆପଣାର ଅସ୍ତିତ୍ଵଟାକୁ ପ୍ରତିପାଦିତ କରିବାଲାଗି ମଧ୍ୟ ଆଦୌ କୌଣସି ଆବଶ୍ୟକତା ମୋ’ର ନାହିଁ ।

 

୧୬ । ୧୦ । ୮୧

 

ଏହି ସବୁକିଛି କେତେ ଅନ୍ୟପ୍ରକାର ହୋଇପାରନ୍ତା ! ଆମେ ନିଜେ ମଧ୍ୟ କେତେ ଅନ୍ୟପ୍ରକାରର ହୋଇ ପାରନ୍ତେ ! ଆମେ ଇଚ୍ଛାକଲେ ଆମ ଚାରିପାଖରେ ବସିଥିବା ବାଡ଼ଗୁଡ଼ାକ କେଡ଼େ ଶୀଘ୍ର ଉଠିଯାଇ ମଧ୍ୟ ପାରନ୍ତା ! ଆମର ନିଜ ଜୀବନରେ କେତେକେତେ ନୂତନ ଦିଗ୍‌ବଳୟର ଉନ୍ମୋଚନବି ଘଟି ପାରନ୍ତା ! ମାତ୍ର ସେପରି ହୋଇ ପାରେନାହିଁ କାହିଁକି କେଜାଣି ? ଆମ ପିଲାଦିନୁଁ ଆମକୁ ଯେଉଁ ସଂସାରଗୁଡ଼ାକରେ ମଣ କରି ଦିଆଯାଇଥାଏ, ହୁଏତ ସେହିଗୁଡ଼ାକହିଁ ଆମ ଜୀବନବିଚରଣର ସବୁଠାରୁ ଅଧିକ ଶକ୍ତିଶାଳୀ ଉତ୍‌ପ୍ରେରକ ହୋଇ ରହିଥାନ୍ତି-। ଆମର ଉପଲବ୍ଧ ଶାସ୍ତ୍ରଜ୍ଞାନ କିମ୍ବା ଧର୍ମୋପଦେଶ ଆମର ସେହି ସଂସ୍କାରଗତ ସତର୍କ ବିଶ୍ଵାସଗୁଡ଼ାକୁ ମୋଟେ ଟଳାଇ ପାରନ୍ତିନାହିଁ । ସମ୍ଭବତଃ ସେହି କାରଣରୁହିଁ ଶାସ୍ତ୍ରଜ୍ଞାନ ଆମେ କହୁଥିବା କଥାଗୁଡ଼ାକର ସ୍ତରରେ ସତେଅବା ଏକ ଭୂଷଣ ହୋଇ ରହିଯାଏ ଏବଂ ଆମର ଧର୍ମ କେବଳ ଆମକୁ ସଫଳତା ଓ ଐଶ୍ଵର୍ଯ୍ୟ ଆଣି ଦେବାର ଏକ ମାଧ୍ୟମରେ ପରିଣତ ହୋଇ ରହିଥାଏ-। ଆମର ଯାବତୀୟ ଉପଦେଶ ପାଇବା ପରବର୍ତ୍ତୀ କାଳରେ ଉପଦେଶ ଦେବାର ସହଜ ବାଟ ଧରି ଆପଣାର କ୍ଷତିପୂରଣ କରୁଥାଏ । ତେଣୁ ଅସଲ କଥାଗୁଡ଼ାକ ଅସମ୍ଭବପ୍ରାୟ ହୋଇ ରହିଯାଏ ।

 

ତଥାପି ଆମେ ବଦଳିଯାଇ ପାରୁଥାନ୍ତେ । ଉଚିତ ବିଶ୍ଵାସ ଏବଂ ଉଚିତ ସମ୍ମତିଟି ରହିଥିଲେ ଆମେ ଚତୁର୍ଦ୍ଦିଗର ଏହି ସ୍ଥାଣୁତା ଭିତରେ ତଥାପି ନବନବ ଜନ୍ମଲାଭ କରି ଅଗ୍ରସର ହୋଇ ପାରୁଥାନ୍ତେ । ଆମେ ପଢ଼ୁଥିବା ପାଠ ଓ ଆମେ ଆତଯାତ ହେଉଥିବା ସମାଜ ଆମକୁ ଯଦି ସେହି ବିଶ୍ଵାସଟିର ଶିକ୍ଷା ଦେଇପାରନ୍ତା, ତେବେ ତାହା ଅନେକ ପରିମାଣରେ ସମ୍ଭବ ହୁଅନ୍ତା ଆପଣା ଉପରେ ବିଶ୍ଵାସ କମି କମି ଗଲେ ବୋଧହୁଏ ମଣିଷ ଚଲାଖ ହୁଏ, ସତର୍କ ହୁଏ, ଆପଣାର ମନୁଷ୍ୟ ପରିବେଶଟି ଠାରୁ ଆପଣାକୁ ଲୁଚାଇ ରଖିବାକୁ ଚେଷ୍ଟା କରୁଥାଏ ।

 

୧୭ । ୧୦ । ୮୧

 

ପାଖକୁ ଓ ଆହୁରି ପାଖକୁ ଆସିବାକୁ ଅନେକ ମଣିଷ ଭାରି ଶଙ୍କିତ ଏବଂ ସଂକୁଚିତ ଅନୁଭବ କରନ୍ତି । ସମ୍ଭବତଃ ସେହି କାରଣରୁ ସେମାନେ ସର୍ବଦା ଗୋଟାଏ ନିରାପଦ ଦୂରତା ରଖି ଅନ୍ୟମାନଙ୍କ ସହିତ କାରବାର କରୁଥାନ୍ତି । ମାତ୍ର, ତଥାପି ଏପରି କେତେକ ମଣିଷ ରହିଥାନ୍ତି, ଯେଉଁମାନଙ୍କୁ ଦେଖିବା ମାତ୍ରକେ ଏକାବେଳେକେ ପାଖକୁ ଯିବାଲାଗି ଇଚ୍ଛା ହୁଏ । ଯେଉଁମାନେ ଆଦୌ କୌଣସି ଦୂରତାର ମଣ୍ଡଳ ରଖି ସଂସାରରେ ବିଚରଣ କରି ବାହାରି ନଥାନ୍ତି, ଯେଉଁମାନେ ପ୍ରାୟ କବାଟଟିକୁ ଖୋଲି ବସିଥାନ୍ତି । ଆପଣାର କର୍ମ, ଜ୍ଞାନ ଓ ଭକ୍ତି ସବୁକିଛିର ମାଧ୍ୟମରେ ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସିବାକୁ ଇଚ୍ଛା କରୁଥାନ୍ତି ।

 

ହୁଏତ ଅସଲ କଥା ହେଉଛି, ଯେଉଁମାନେ ଆପଣା ପାଖରେ ମଧ୍ୟ ନିକଟବର୍ତ୍ତୀ ହୋଇ ରହିଥାନ୍ତି, ସେହିମାନେହିଁ ଜୀବନରେ ସବୁକିଛିର ନିକଟବର୍ତ୍ତୀ ହେବାକୁ ଆଦୌ କୌଣସି ସଙ୍କୋଚ କରନ୍ତିନାହିଁ । ସେମାନେ ସାହିତ୍ୟ, ସଙ୍ଗୀତ, କଳା, ରାଜନୀତି ଯାହାକିଛି କରନ୍ତି, ସେଗୁଡ଼ିକର ମାଧ୍ୟମରେ ସେମାନେ ସେହି ନିକଟବର୍ତ୍ତୀ ହୋଇ ଆସିବାକୁହିଁ ନିଜର ଅସଲ ଅଭିପ୍ରାୟରୂପେ ଗ୍ରହଣ କରିଥାନ୍ତି । ଏହି ଲୋକମାନଙ୍କର ଚତୁର୍ଦ୍ଦିଗରେ ଏକ ମଧୁରତା ବେଷ୍ଟନ କରି ରହିଥାଏ ଓ ସେହି ମଧୁରତାରେହିଁ ସେମାନେ ସମସ୍ତଙ୍କୁ ଆହୁରି ନିକଟକୁ ଆସିବାଲାଗି ଆମନ୍ତ୍ରଣ ଜଣାଉଥାନ୍ତି । ସେହିମାନଙ୍କ ସକାଶେ ସଂସାରଟା କେଡ଼େ ମମତାପୂର୍ଣ୍ଣ ପରି ମନେ ହୁଏ । ସେମାନେ ଯେଉଁ ପରିବେଶରେ ଥାଆନ୍ତି, ତାହାକୁ ଭାରି ହାଲୁକା କରି ରଖିଥାନ୍ତି । ସେଠାରେ ସବୁ ଆଦର୍ଶର ଆହୁରି ଉପରକୁ ସ୍ଵୟଂ ମଣିଷ ଆସୀନ ହୋଇ ରହିଥାଏ, ଅଥବା ଏକ ଅନ୍ୟପ୍ରକାର ଭାଷାରେ କହିଲେ, ସେଠାରେ ମଣିଷହିଁ ଯାବତୀୟ ଆଦର୍ଶଗତ ଉତ୍ସାହର କେନ୍ଦ୍ର ହୋଇ ରହିଥାଏ । ଆମ ପୃଥିବୀରେ ଏହିଭଳି ଲୋକଙ୍କର ସଂଖ୍ୟା ବଢ଼ୁଥାଉ । ପୃଥିବୀର ବାଟଗୁଡ଼ିକୁ ଏହିପରି ମଣିଷ ଅଧିକରୁ ଅଧିକ ସଂଖ୍ୟାରେ ସବୁଦିନେ ମିଳନ୍ତୁ ।

 

୧୮ । ୧୦ । ୮୧

 

ଏହି ସଂସାରକୁ ଆପଣାର ଘରପରି ମାନିନେଲେ ସଂସାର ମୋଟେ ମାୟାପରି ମନେ ହେବନାହିଁ କି ସଂସାରକୁ ଅଭିଶାପ ଦେବାର ମୋଟେ କୌଣସି ଆବଶ୍ୟକତା ପଡ଼ିବନାହିଁ । ଅନେକ ମଣିଷ ଆପଣାର ଆତ୍ମାର ଆହ୍ଵାନ ମାନି କୁଆଡ଼େ ଏହି ସଂସାର ଭିତରୁ ବାହାରି ଯାଆନ୍ତି-। ସେମାନେ ସଂସାର ବାହାରେ ଥାଇ ଆତ୍ମାର ଉପଲବ୍ଧି କରନ୍ତି । ଅର୍ଥାତ୍, ସଂସାରଠାରୁ ପରାଭବ ମାନି ଆତ୍ମାଭିତରେ ବନ୍ଦୀ ହୋଇ ରହନ୍ତି । ଆତ୍ମାର ଉପଲବ୍ଧି ଏକ ଅନ୍ୟ ପ୍ରକାରର କଥା-। ଆତ୍ମା କହିଲେ ଏହି ସମଗ୍ରଟିର ଅସଲ ତତ୍ତ୍ଵ ଓ ଅସଲ ଉତ୍‌ପ୍ରେରକ । ଏହି ସମଗ୍ର ଭିତରେ ତଥାକଥିତ ସଂସାର ମଧ୍ୟ ଅନ୍ତର୍ଗତ । ଯେଉଁମାନେ ଆତ୍ମାର ସନ୍ଧାନ କରିବାକୁ ଯାଇ ଶେଷରେ କେବଳ ଆତ୍ମ ସମଗ୍ର ହୋଇ ରହନ୍ତି, ସେହିମାନେହିଁ ଛାଡ଼ି ଯାଇଥିବା ଭାଗଟିକୁ ମାୟା ବୋଲି କହନ୍ତି । ମାୟାକୁ ଡରନ୍ତି । ଆପଣା ଉପରେ ଯଥେଷ୍ଟ ବିଶ୍ଵାସ ରଖି ପାରନ୍ତିନାହିଁ ବୋଲି ସେମାନେ ସଂସାରକୁ ମାୟା ବୋଲି କହନ୍ତି । ଆତ୍ମାର ପଥରେ ଅଗ୍ରସର ଓ ଆହୁରି ଅଗ୍ରସର ହୋଇଯିବା ଅପେକ୍ଷା ସଂସାରରୂପୀ ଜାଲକୁ ଏଡ଼ାଇ ରହିବା ଅର୍ଥାତ୍ ଏକ ଅନାସ୍ଥାତ୍ମକ ଆତ୍ମଭ୍ରମ ଓ ଭୟଦ୍ଵାରା ପ୍ରପୀଡ଼ିତ ହୋଇ ସମଗ୍ରଟିକୁ ଏଡ଼ାଇ ରହିବାହିଁ ସେମାନଙ୍କର ପ୍ରଧାନ ଧନ୍ଦା ହୋଇ ରହିଥାଏ-। ସେହି ଧନ୍ଦାକୁ ସେମାନେ ମୁକ୍ତ ପାଇବାର ଧନ୍ଦା ବୋଲି କହିଥାନ୍ତି ।

 

ମୁଁ ଯେମିତି ଅଛି, ଏହି ପୃଥିବୀ ମଧ୍ୟ ଠିକ୍ ସେହିପରି ଅଛି । ଗୋଟିଏ ଆତ୍ମୀୟତାର ସୂତ୍ରରେ ଏହି ସବୁକିଛି ଗୁନ୍ଥାହୋଇ ଓ ଯୁକ୍ତ ହୋଇ ରହିଛି । ଆତ୍ମୀୟତାର ସୂତ୍ର ଅର୍ଥାତ୍ ସତତ କର୍ମର ସୂତ୍ର, ସତେ ସେହି ଆବିଷ୍କାର ସମଗ୍ରଟିକୁ କରିବାର ସୂତ୍ର । ସମଗ୍ରଟିକୁ ମୁଁ ଯେତିକି ଅଧିକ ପରିମାଣରେ ଆବିଷ୍କାର କରିପାରିବି, ଆପଣାକୁ ମଧ୍ୟ ଠିକ୍ ସେତିକି ସମଗ୍ର ବୋଲି ଆବିଷ୍କାର କରି ପାରୁଥିବି । ଏହାହିଁ ରୀତି ।

 

୧୯ । ୧୦ । ୮୧

 

ସମସ୍ତେ ନିଜ ନିଜ ଜୀବନରେ ଚଉହଦିଗୁଡ଼ିକୁ ମାନି ତାହାରି ଭିତରେ କେଡ଼େ ଭଲ, କେଡ଼େ ଶାନ୍ତି ଓ କେଡ଼େ ସନ୍ତୁଷ୍ଟ ହୋଇ ରହିଛନ୍ତି । ସେମାନେ ସୁନାପୁଅ ହୋଇ ରହିଛନ୍ତି । ଚଉହଦିଟି ପାଇଁ ବଞ୍ଚୁଛନ୍ତି, ଶାସ୍ତ୍ର ଅନୁସାରେ ବଞ୍ଚୁଛନ୍ତି, ଜଳାଶୟଗୁଡ଼ାକୁହିଁ ସ୍ଵର୍ଗ ବୋଲି ଗ୍ରହଣ କରି ନେଇଛନ୍ତି । ସମସ୍ତେ ନିଜ ନିଜର ଚାରିକାନ୍ଥ ଭିତରେ ଗାର ମାନି ରହିଲେ ସମାଜ ବୋଲି ଗୋଟାଏ ଅନ୍ୟ ସ୍ଥିତି ଓ ଅନ୍ୟ ଭୂମି କିପରି ସମ୍ଭବ ହେବ, ସେକଥା କଳ୍ପନା କରିବାକୁହିଁ ଆଉ କାହାରିହେଲେ ବେଳ ନାହିଁ ।

 

ଗାର ସେ ପାଖରେ ଅନ୍ୟମାନେ ଅଛନ୍ତି । ଶିକ୍ଷକର ଗାର ସେପାଖରେ ଛାତ୍ରମାନେ ଅଛନ୍ତି, ବଡ଼ମାନଙ୍କର ଗାର ସେପାଖରେ ସାନ ବା କନିଷ୍ଠମାନେ ଅଛନ୍ତି, ତଥାକଥିତ ଉତ୍ତମର୍ଣ୍ଣମାନଙ୍କର ଗାର ସେପାଖର ଅଧମର୍ଣ୍ଣମାନେ ରହିଛନ୍ତି । ଧନାଢ଼୍ୟମାନଙ୍କର ଗାର ସେପାଖରେ ଦରିଦ୍ରମାନେ ଅଛନ୍ତି । ନ୍ୟାୟ, ଭଲ ପାଇବା, ସ୍ଵୀକାର କରିବା, ଦାୟୀ ହୋଇ ରହିବା, ସାଙ୍ଗରେ ରହିବା,–ଏହି ସବୁଯାକ ନୀତିର ମୀମାଂସା ସେହି ଗାରଭିତରେହିଁ ହେଉଛି । ସମସ୍ତେ ନିରାପଦ ଭାବରେ ନିଜନିଜର ଗାରଗୁଡ଼ିକ ଭିତରେ ରହିହିଁ ସେଗୁଡ଼ିକର ମୀମାଂସା କରୁଛନ୍ତି । ଠାକୁରମାନଙ୍କୁ ଅର୍ଥାତ୍ ଜୀବନର ମହତ୍ତମ ମୂଲ୍ୟବୋଧଗୁଡ଼ିକୁ ମଧ୍ୟ ସେହି ଗାର ଭିତରକୁ ଟାଣିଆଣି ଯେଝା ଯେଝାର ଜୀବନ ସୁନିର୍ମଳ ବିବେକିତା ସହିତ ଚାଲିଛି । ରୁଟିନ୍ ପରି ଚାଲିଛି । କେହି କାହାର ଖବର ନେବାକୁ ଅର୍ଥାତ୍ ନିଜ ଅନ୍ତର ଭିତରେ କେହି କାହାରିକୁ ଜାଗା ଦେବା ସକାଶେ ଆଉ ଏତେଟିକିଏ ବେଳ କାହାରିପାଖରେ ନାହିଁ । ତେବେ ଏହି ସମାଜ ବଦଳିବ କିପରି-? ଏହି ଦୁଃସମୟଗୁଡ଼ାକ ଯିବ କିପରି, ନିଜେ ମଣିଷବି ଆପଣା ପାଖରେ ଆଉ ସହଜବି କିପରି ହୋଇ ପାରିବ ? ଗାରଗୁଡ଼ାକୁ ନଡେଇଁଲେ; ଶାସ୍ତ୍ରଗୁଡ଼ାକୁ ଡେଇଁ ନଗଲେ ଏସବୁ ହେବ କିପରି ?

 

୨୦ । ୧୦ । ୮୧

 

ଏହି ଆକର୍ଷଣ,–ଇଏ କଦାପି ମାୟା ନୁହେଁ । ଏହି ଅନୁରାଗ, ଇଏ କଦାପି ଆସକ୍ତି ନୁହେଁ ଅଥବା ଏକ ଜାଲବି ନୁହେଁ । ମାୟା ହୋଇଥିଲେ ତ ମୁଁ ତାହାରି ଭିତରେ ଛନ୍ଦି ହୋଇ ପଡ଼ି ଯାଉଥାନ୍ତି । ବା, କାହାକୁ ପାଖକୁ ଆଣିବାର ଛଳନା କରି ତାକୁ ଗଳି ପକାଉଥାନ୍ତି ଅଥବା ଏଗୁଡ଼ାକ ମତେ ଅଧିକରୁ ଅଧିକ କ୍ଳାନ୍ତ କରି ପକାଉ ଥାଆନ୍ତା, ସତେଅବା ଜ୍ଵରାକ୍ରାନ୍ତ କରି ପକାଉ ଥାଆନ୍ତା । ଏହିସବୁ ଆକର୍ଷଣଦ୍ଵାରା ଟାଣିହୋଇ ମୁଁ ଅଧିକରୁ ଅଧିକ ପାଖକୁ ଯାଉଛି, ତଦ୍ଦ୍ଵାରା ଆପଣାର ମଧ୍ୟ ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସୁଛି; ଏବଂ, ଏହି ଜଗତଟା ଯେ ଆଦୌ ନଶ୍ଵର ନୁହେଁ, ଏହି ସତ୍ୟଟିକୁ ଆହୁରି ଅଧିକ ମର୍ମଗତ ଭାବରେ ଅନୁଭବ କରି ପାରୁଛି । ଏହିସବୁ ଆକର୍ଷଣ ଏବଂ ଅନୁରାଗଦ୍ୱାରା ମୋ’ ଭିତରଗୁଡ଼ାକ ଅଧିକରୁ ଅଧିକ ଉଦ୍‌ଘାଟିତ ହେବାରେ ଲାଗିଛି, ମୁଁ ଅଧିକରୁ ଅଧିକ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହେବାରେ ଲାଗିଛି ଆପଣାକୁ ଅଧିକରୁ ଅଧିକ ପରିମାଣରେ ସମର୍ପିତ କରି ରଖିବାର ବାଟଟିକୁ ପାଇ ଯାଉଛି ।

 

ବାହାରର ଏହି ଆକର୍ଷଣଗୁଡ଼ାକ ମୋତେ ଭିତରର ଅସଲ ସମ୍ପର୍କ ଓ ଅସଲ ଆକର୍ଷଣଗୁଡ଼ିକ ଆଡ଼କୁ ଉଦ୍‌ବୁଦ୍ଧ କରି ଆଣୁଛି । ବାହାରର ଏହି ସୂତ୍ରଗୁଡ଼ାକ ଆମ ସମସ୍ତଙ୍କ ମଧ୍ୟରେ ଲାଗି ରହିଥିବା ସୂତ୍ରଟି ବିଷୟରେ ମୋତେ ଅଧିକରୁ ଅଧିକ ସଜ୍ଞାନ କରି ରଖୁଛି । ଉଜ୍ଜ୍ଵଳ ଆଲୋକ ପଡ଼ି ଧୌତ ଏବଂ ସତୃଷ୍ଣ ହୋଇ ରହିଥିବା ଗଛଟିଏ ଦେଖିଲେ ମୁଁ ଯେପରି ଏକାବେଳେକେ ତା’ର ଅନ୍ତର ଭିତରକୁ ଆକୃଷ୍ଟ ହୋଇ ଯାଉଛି । ଆକାଶରେ ରଙ୍ଗର ଲୀଳା ଯେପରି ଚିହ୍ନାବନ୍ଧୁ ପରି ମୋ’ ନିଜ ଭିତରେ କେତେ ରଙ୍ଗର ଉତ୍ସବ ଲଗାଇଦେଇ ଯାଉଛି । ଆଉ ଜଣେ ମଣିଷ ମୋ’ ଆଡ଼କୁ ଖୁସି ହୋଇ ଅନାଇ ରହିଥିବାର ଦେଖିଲେ ମୋ’ର ଦୁଆରଗୁଡ଼ାକ ସତେଅବା ଆପେଆପେ ଉନ୍ମୋଚିତ ହୋଇ ଯାଉଚନ୍ତି । ଏସବୁ ଯେ କିଛି ନଶ୍ଵର ନୁହନ୍ତି, ମୁଁ ବାରବାର ସେହି ସତ୍ୟଟିକୁ ହୃଦ୍‌ଗତ କରିପାରୁଛି; ବାହାର ଆଉ ଭିତର ମଧ୍ୟରେ ରହିଥିବା ଅସଲ ସୂତ୍ରଟି ଜଳଜଳ ହୋଇ ଦିଶିଯାଉଛି ।

 

୨୧ । ୧୦ । ୮୧

 

ଦିନେ ଦିନେ ଦୂରଗୁଡ଼ାକ ଭାରି ନିକଟ ପରି ଲାଗନ୍ତି । ଯେଉଁଠି ମୁଁ ଦିନେ ଅତି ନିକଟ ହୋଇ ରହିଥିଲି ମାତ୍ର ଇତିମଧ୍ୟରେ କେତେ ଦୂରକୁ ଚାଲି ଆସିଲାଣି ଓ ଯାହାସହିତ ମୁଁ ନିଜେ ଆପଣା ଉତ୍ତାପଗୁଡ଼ାକଦ୍ଵାରା ପ୍ରଲୁବ୍‌ଧ ହୋଇ କେତେ ଅଭିମାନର ବାଡ଼ ଓ ବ୍ୟବଧାନ ସୃଷ୍ଟି କରି ରଖିଛି, ସେମାନେ ଦିନେ ଦିନେ ପୁଣି ଭାରି ପାଖର ବୋଲି ମନେ ହୁଅନ୍ତି, ଏକାବେଳେକେ ନିଜ ପରିଧିଟି ଭିତରେ ରହିଥିବା ପରି ମନେ ହୁଅନ୍ତି । ସତେଯେପରି ମୁଁ ସେମାନଙ୍କୁ ଆହୁରି ସମୀପରେ ଚାହୁଁଥିଲି ବୋଲି ମାନ କରି ସେମାନଙ୍କୁ ଦୂରଛଡ଼ା କରି ରଖିଲି ଓ ଏହି ଦୂରଛଡ଼ା ହେବାର ସବୁଯାକ ଦୋଷକୁ ନେଇ ସେହିମାନଙ୍କ ଉପରେ ଲଦି ଦେଲି, ମୋ’ର ଠିକ୍ ସେହିପରି ମନେହୁଏ । ବାହାର, ଆପଣା ଯୁକ୍ତିର ଉଗ୍ରତାଗୁଡ଼ାକ ଆଗରେ ଆପଣାକୁ ଯେତେ ଦୋଷମୁକ୍ତ ହେବାପରି ମନେ ହେଉଥିଲେ ମଧ୍ୟ ଆପଣା ପାଖରେ ତଥାପି ଭାରି ଦୋଷୀ ପରି ମନେ ହେଉଥାଏ ।

 

ସହୃଦୟତାର ଯୋଗ୍ୟ ହୋଇପାରିବା ଉଚିତ, ନିକଟରେ ରହିପାରିବାର ଅଧିକାରଟିକୁବି ଅର୍ଜନ କରି ପାରିବା ଉଚିତ । ଅର୍ଥାତ୍, ଆପଣାର ଜୀବନକୁ ସମସ୍ତଙ୍କ ପରିପ୍ରେକ୍ଷୀରେ ବଞ୍ଚି ପାରୁଥିବା ଉଚିତ, ମାତ୍ର ତଥାପି କେନ୍ଦ୍ରସ୍ଥ ହୋଇ ରହି ପାରୁଥିବା ଉଚିତ । ସେହି କେନ୍ଦ୍ରର ଅସଂଖ୍ୟ ବ୍ୟାସାର୍ଦ୍ଧ ବୃହତ୍ତର ପରିବେଷ୍ଟିତ ଜୀବନକୁ ବଡ଼ ଅନ୍ତରଙ୍ଗ ଭାବରେ ଛୁଇଁ ପାରୁଥିବା ଉଚିତ । ଆପଣାକୁ ପ୍ରକୃତରେ କେଡ଼େ ଅନ୍ତରଙ୍ଗ ଓ କେଡ଼େ ନିର୍ଭରଯୋଗ୍ୟ ଭାବରେ ଜାଣିଲେ ସେକଥା ସମ୍ଭବ ହୁଏ, ମୁଁ ସେହି କଥାଟିକୁ ଅନେକ ସମୟରେ ଭାରି ବିସ୍ମିତ ହୋଇ ଭାବିଥାଏ । ସେହି ବିସ୍ମୟ ମୋତେ ଆହୁରି ଅନ୍ତରଙ୍ଗ ଭାବରେ ଆପଣାର ସୂତ୍ରଗୁଡ଼ାକୁ ଅନୁଭବ କରି ଶିଖାଏ । ସମସ୍ତଙ୍କୁ ଆପଣା ଭିତରେ ଅନୁଭବ କରି ଶିଖାଏ ।

 

୨୨ । ୧୦ । ୮୧

 

ଯୋଉମାନେ ମଣିଷ ମାରି ପୃଥିବୀଟାକୁ ଭୋଗ କରିବେ ବୋଲି ବାହାରିଛନ୍ତି, ସେମାନେ କ୍ରମେ ଉପରମୁହାଁ ହେବାକୁ ଆରମ୍ଭ କଲେଣି । ପୃଥିବୀରେ ଯାବତୀୟ ଉଦ୍ୟମ ଓ ଯାବତୀୟ ଅଗ୍ରଗତିକୁ ସେମାନେ ଛୁରା ଆଉ ଗୁଳିର, ବନ୍ଧୁକ ଆଉ ବୋମାର ଭୟ ଦେଖାଇ ଯେ ସୁନିଶ୍ଚିତ ଭାବରେ ଅଟାକାଇ ରଖିପାରିବେ, ସତେଅବା ସେହିପରି ବିଶ୍ଵାସ କରୁଥିବା ପରି ମନେ ହେଉଛି ।

 

ଯେଉଁମାନେ ମଣିଷ ମାରିବାକୁହିଁ କାର୍ଯ୍ୟସାଧନର ସର୍ବବଳିଷ୍ଠ ଓ ସର୍ବଫଳପ୍ରଦ ଉପାୟ ବୋଲି ଗ୍ରହଣ କରୁଛନ୍ତି, ସେମାନେବି କଦାପି ପୃଥିବୀଟାକୁ ଭୋଗ କରି ପାରିବେନାହିଁ । ସେମାନେ ନିଜର ଅଭିପ୍ରାୟଗତ ନକ୍ସାଗୁଡ଼ାକ ଅନୁସାରେ କଣ୍ଟକମାନଙ୍କୁ ନିର୍ମୂଳ କରି ଦେବାପରେ ପରସ୍ପରକୁ ମାରିବେ, ପରସ୍ପରକୁ ହାଣିବେ । କାରଣ; କଣ୍ଟା ଦୂର କରିବାର ଅନ୍ୟ କୌଣସି ଉପାୟ ସେମାନଙ୍କୁ ମୋଟେ ଜଣାନଥିବ ଏବଂ ସେମାନଙ୍କର ହୃଦୟଗୁଡ଼ାକ ମଧ୍ୟ କାଳକ୍ରମେ ଭାରି ଅନ୍ଧ ହୋଇ ପଡ଼ିଥିବେ । ସାଧାରଣ ମଣିଷ ଭିତରେ ମଧ୍ୟ କୌଣସି ଏକ ଅପକର୍ମ କରିବାକୁ ଯିବା ପୂର୍ବରୁ ଯେଉଁ ବିବେକଗତ ସଙ୍କୋଚ ରହିଥାଏ, ସେମାନେ ସେହି ସଙ୍କୋଚଟିକୁ ମଧ୍ୟ କେଉଁଦିନୁଁ ହରାଇ ବସିଥିବେ । ମଣିଷ ମାରିବା ଲୋକ କଦାପି ସାହସୀ ନୁହେଁ, ସିଏ ଭୀରୁ । ଖୋଲା ବାଟରେ ସମସ୍ତଙ୍କର ସମ୍ମୁଖୀନ ହୋଇ ପାରିବନାହିଁ ବୋଲି ସିଏ ଭୀରୁତାଦ୍ଵାରାହିଁ ଅନେକ ସମସ୍ୟାର ସମାଧାନ କରିବାକୁ ଗରମ ହୋଇ ବାହାରିଥାଏ । ସାହସ, ଯଥାର୍ଥ ସାହସରୁ ଯେଉଁ ଉଦାରତା ଆସେ, ସେହି ଉଦାରତା ତା’ ଭିତରେ କଦାପି ସମ୍ଭବ ହୁଏନାହିଁ । ଆମ ପୃଥିବୀରେ ସାହସ କ’ଣ ପ୍ରକୃତରେ ଏତେ ଅଯୋଗ୍ୟ ହୋଇ ପଡ଼ିବ ଯେ ଭୀରୁତାହିଁ ଆପଣାକୁ ରାଜା ବୋଲି ଦାଣ୍ଡରେ ବାହାର କରି ନାଟକର ଶେଷଦୃଶ୍ୟଟିକୁ ଲେଖିବ, ମଣିଷ ପକ୍ଷରେ ଏଇଟାହିଁ ସବୁଠାରୁ ବଡ଼ ଲଜ୍ଜା ।

 

୨୩ । ୧୦ । ୮୧

 

ଖାତା ପରେ ଖାତା ସରୁଛି, ମାତ୍ର ଜୀବନ ସରୁନାହିଁ । ଜୀବନ ସରୁନାହିଁ ବୋଲି ହୁଏତ ଖାତାପରେ ଖାତା ସରିଯିବାରେ ଲାଗିଛି । ମାତ୍ର ଆଖି ବୁଢ଼ା ହେଉନାହିଁ, ହୃଦୟ ବୁଢ଼ା ହେଉନାହିଁ, ଏବଂ ସେହି ଆଖି ହୃଦୟର ସ୍ପର୍ଶ ସଂକ୍ରମଣ ଲାଗି ରହିଥିବାରୁ ଏହି ଦେହଟା ମଧ୍ୟ ମୋଟେ ବୁଢ଼ା ହେବାକୁ ଇଚ୍ଛା କରୁନାହିଁ । ଦେହଟାବି ସାଙ୍ଗରେ ରହିବ ବୋଲି ବାହାରିଛି, ପାଖେପାଖେ ରହିବ ଏବଂ ବୋଲ ମାନିବ ବୋଲି ବାହାରିଛି । ଏବଂ ସେହିପରି କରିହିଁ ଦେହ ଆପଣାକୁ ଅଧିକରୁ ଅଧିକ ଅନ୍ତରଙ୍ଗ ଭାବରେ ଚିହ୍ନିବ ବୋଲି ବାହାରିଛି ।

 

ଏହି ଶ୍ରଦ୍ଧାରବି ଅନ୍ତ ନାହିଁ । ଶ୍ରଦ୍ଧାଦ୍ଵାରା ଆପଣାକୁ ଦେବାର ଅନ୍ତ ନାହିଁ ବା ଶ୍ରଦ୍ଧାଦ୍ଵାରା ସଂସାରଠାରୁ ନେବାରବି ଅନ୍ତ ନାହିଁ । ଦେବାର ଓ ନେବାର ସେହି ପ୍ରକ୍ରିୟାଟିରେ ଏପରି ଏକ ସୋପାନବି ଆସି ପହଞ୍ଚି ଯାଉଛି ଯେଉଁଠାରେ କି ଦେବା ଓ ନେବାର ସକଳ ସଚେତନ ମଧ୍ୟ ଲୁପ୍ତ ହୋଇଯାଉଛି, କେବଳ ଶ୍ରଦ୍ଧାହିଁ ମୂଳଭୂତ ରଙ୍ଗଟି ପରି ହୋଇ ରହିଯାଉଛି । ଏହିପରି ଭାବରେ ବାଟକଟି ଯାଉଥିବା ସଙ୍ଗେ ସଙ୍ଗେ ବାଟଗୁଡ଼ାକ ଆଗକୁ ମଧ୍ୟ ଦିଶି ଯିବାରେ ଲାଗିଛି । ଏହି ବାଟ କେବେହେଲେ ସରୁନାହିଁ । ଏବଂ ବାଟ ସରିଯିବାର ବୋଧଟି ନଆସିବା ଯାଏଁ କ୍ଳାନ୍ତିବି କାହିଁକି କୁଆଡ଼ୁ ଆସିବ ? କ୍ଳାନ୍ତି ନଆସିବା ଯାଏଁ କୌଣସି ବସ୍ତୁ ପୁରୁଣା ବୋଲି ବା କାହିଁକି ଲାଗିବ ? ତେଣୁ ଜୀବନରେ ପ୍ରତ୍ୟେକ ସକାଳ ନୂତନ ଲାଗୁଛି, ଜୀବନର ସକଳ ମୁହୂର୍ତ୍ତହିଁ ସକାଳ ପରି ଲାଗୁଛି । ସକଳ ସମ୍ପର୍କଗୁଡ଼ିକ ମଧ୍ୟ ଜୀବନର ନୂଆ ପରିଚୟ ନୂଆ ଆତ୍ମୀୟତା ଏବଂ ନୂଆ ଅଙ୍ଗୀକାରମାନ ଆଣି ଦେଇଯାଉଛି । ତେଣୁ ରୋଗଗୁଡ଼ାକ ମଧ୍ୟ କୁଆଡ଼େ ଛାଡ଼ିକରି ପଳାଇଲେଣି-। କୋଉଦିନ କାହାପାଖରେ କିଛି ଅଭିଯୋଗ କରିଥିଲି ବୋଲି ମୋଟେ ମନେ ପଡ଼ୁନାହିଁ । ଅଭିଯୋଗ ଯାଇ କେବଳ ଏକ ଅନ୍ତରଙ୍ଗତହିଁ ସଂସ୍କାର ହେବାରେ ଲାଗିଛି; ଭିତରଟି ସହିତ ଅନ୍ତରଙ୍ଗତା, ବାହାରଟି ସହିତ ମଧ୍ୟ ଏକ ନିବିଡ଼ ଅନ୍ତରଙ୍ଗତା ।

 

୨୪ । ୧୦ । ୮୧

 

ଯଦି ସ୍ମରଣ କରିବି, ତେବେ ବନ୍ଧୁରୂପେହିଁ ସ୍ମରଣ କରିବି । ଯିଏ ମୋ’ ଭିତରେ ରହି ମୋତେ କେନ୍ଦ୍ରସ୍ଥ କରି ରଖିଛନ୍ତି, ମୋ’ ବାହାରେ ରହି ମୋତେ ଏହି ସବୁଟି ଆଡ଼କୁ ସତତ ଆକର୍ଷିତ କରି ନେଇଛନ୍ତି, ଯିଏ ସାଙ୍ଗରେ ଅଛନ୍ତି ବୋଲି ଜୀବନର ସବୁଠାରୁ ବଳି ଦୁର୍ଗତିମୟ ପରିସ୍ଥିତିରେ ମଧ୍ୟ ମୁଁ ତଥାପି ଆପଣା ଆଡ଼କୁ କୌଣସି ପ୍ରକାର ଗ୍ଳାନି ରଖି ଦେଖିବାର ଦୁର୍ଭାଗ୍ୟରୁ ରକ୍ଷା ପାଇ ଆସିଛି, ମୁଁ ତାଙ୍କୁ କେବଳ ବନ୍ଧୁରୂପେହିଁ ସ୍ମରଣ କରିବି । କାରଣ, ତାଙ୍କୁ ଜୀବନରେ ପ୍ରଧାନତଃ ବନ୍ଧୁ ହିସାବରେହିଁ ଗ୍ରହଣ କରି ଆସିଛି ।

 

ଭୟ ଛାଡ଼ିଲେ ବନ୍ଧୁରୂପେ ଗ୍ରହଣ କରିବା ଓ ବନ୍ଧୁରୂପେ ସ୍ମରଣ କରିବା ଭାରି ସହଜ ହୋଇଯାଏ । ଭୟର ସବାବଡ଼ ଅର୍ଥ ହେଉଛି ଆପଣାକୁ ଲୁଚାଇ ରଖିବାର ପ୍ରବୃତ୍ତି । ମଝିରେ ଏକ ଦୂରତା ରହିଥିଲେ ମଣିଷ ବେଶ୍ ଲୁଚିକରି ରହି ଯାଇପାରେ । ଭୟ ରହିଥିଲେ ଆପଣାକୁ ବାହାରେ ଗୋଟାଏ ଓ ଭିତରେ ଆଉ ଗୋଟାଏ ପରି ଦେଖାଇବା ଲାଗି ହୁଏତ ଭାରି ଶ୍ରଦ୍ଧା ହୁଏ । ଏବଂ ଏହି ଧନ୍ଦା ଲାଗିଥିବା ପର୍ଯ୍ୟନ୍ତ ମଣିଷ ଯେତେ ଯାହା ଉପଚାର ଭିତରେ ଆପଣାକୁ ଗୁରାଇ ତୁରାଇ ରଖିଥିଲେ ମଧ୍ୟ ତଥାପି ପାଖକୁ ଆସି ପାରେ ନାହିଁ । ମନ୍ଦିର ନାମରେ କେତେ ପ୍ରକାରର କାନ୍ଥ ତିଆରି କରିବାରେ ଲାଗିଥାଏ, ମନ ତୋଷିବା ନାଆଁରେ କେତେ ଶାସ୍ତ୍ରର ଭିଆଣ କରୁଥାଏ । ସିଏ ବାଟ ଚାଲି ପାରେନାହିଁ । ସଂସାରକୁ ସ୍ଵୀକାର କରିନେଇ ପାରେନାହିଁ । ଅନେକ ସମୟରେ ବର୍ଜନଗୁଡ଼ାକହିଁ ଧର୍ମ ହୋଇ ରହିଥାଏ ।

 

୨୬ । ୧୦ । ୮୧

 

ଜନ୍ମଦିନର ଅର୍ଥ ହେଉଛି ଜନ୍ମ ହେଉଥିବାର ପ୍ରତ୍ୟେକ ମୁହୂର୍ତ୍ତଟିର ସ୍ମରଣ । ଏହି ସତତ ଜନ୍ମ ହେବାର ବରଦାନଟିକୁ ଯାହାଠାରୁ ଗ୍ରହଣ କରାଯାଉଛି, ତାଙ୍କରିଠାରେ କୃତଜ୍ଞତା ଜ୍ଞାପନ, ଅର୍ଥାତ୍ ତାଙ୍କଠାରେ ଆପଣାର ସମ୍ମତି ଜ୍ଞାପନ ।

 

ଜୀବନରେ ଅସଲ ଆନନ୍ଦଟି ହେଉଛି ଏହି ନବ ନବ ଅବିରାମ ଭାବରେ ଜନ୍ମଗ୍ରହଣ କରୁଥିବାର ଅନୁଭୂତିଜନିତ ଆନନ୍ଦ । ଜନ୍ମଗ୍ରହଣ କରିବାର ଅର୍ଥ ହେଉଛି ଆପଣା ଏକାତ୍ମତାର ପରିଧିଗୁଡ଼ିକୁ ନବ ନବ ଭାବରେ ଆବିଷ୍କାର କରିବାକୁ ସମର୍ଥ ହେବା; ମୁଁ ଯେ ଏହି ସବୁଟି ସହିତ ଗଅଁଠାଇ ହୋଇ ରହିଛି, ତାହାକୁ ନିଜ ଜୀବନର ଏକ ମୂଳଭୂତ ସତ୍ୟରୂପେ ଆବିଷ୍କାର କରିବାକୁ ସମର୍ଥ ହେବା । ଯିଏ ଏହି ଆବିଷ୍କାରଟିକୁ କରିପାରେ, ସିଏ ଅନେକ ମୃତ୍ୟୁରୁ ରକ୍ଷା ପାଇଯାଏ, ସିଏ ନିଜ ଭିତରେ ଏକ ଅମରତ୍ଵ ଅର୍ଥାତ୍ ଅବିଚ୍ଛିନ୍ନତ୍ଵକୁ ଅନୁଭବ କରେ । ମୁଁ ଯେ କାହାରିଠାରୁ ବିଚ୍ଛିନ୍ନ ହୋଇ ରହିନାହିଁ, ତାହାରି ସ୍ଵାଭାବିକ ଅନୁଭୂତି ଜୀବନକୁ ଅନେକ ଅକାରଣ ଅଭିଯୋଗ କରିବାରୁ ରକ୍ଷା କରିଥାଏ । ତା’ପରେ ଏଠି ସମସ୍ତେ ଭଲ ଲାଗନ୍ତି, ବନ୍ଧୁଟି ପରି ଅତ୍ୟନ୍ତ ନିକଟ ହୋଇ ରହିଥାନ୍ତି; ବାହାରେ ଓ ଭିତରେ ସବୁକିଛି ସୁନ୍ଦର ଦିଶନ୍ତି, ତତ୍ତ୍ଵଗୁଡ଼ାକ ମାର୍ଗପରି ଦିଶନ୍ତି ଓ ପ୍ରେରଣାଗୁଡ଼ାକ ଶ୍ରଦ୍ଧାରୂପରେ ଆପଣାର ନିଜସ୍ୱ ହୋଇ ରହନ୍ତି । ଜୀବନଟା ସତେ ଯେପରି ଜଣେ ଅତ୍ୟନ୍ତ ଅନ୍ତରଙ୍ଗ ବନ୍ଧୁର ନିର୍ଦ୍ଦେଶଦ୍ଵାରା ପରିଚାଳିତ ହେବାରେ ଲାଗିଥାଏ । ତାହାହିଁ ଯାବତୀୟ କ୍ଷୟକାରୀ ସଂଶୟ ଭିତରୁ ବଞ୍ଚାଇରଖେ,–ବଞ୍ଚିବାପରି ବଞ୍ଚିବାର ଏକ ସହଜ ଉଜ୍ଜ୍ଵଳତାର ଅନୁଭୂତି ସମ୍ଭବ ହୁଏ ।

 

୨୭ । ୧୦ । ୮୧

 

ଯେତେବେଳେ ଚାରିଆଡ଼େ ଆଲୁଅ ଜଳୁଥିବା ସମୟରେ ଆପଣା ଭିତରେ ଖାଲି ଅନ୍ଧାରଗୁଡ଼ାକହିଁ ଦେଖା ଯାଉଥାଏ, ସେତେବେଳେ ତଥାପି ଆପଣାର ବିଶ୍ଵାସଟିକୁ ଜାବୁଡ଼ିଧରି ଅପେକ୍ଷା କରି ରହିବାକୁ ପଡ଼େ । ଯେତେବେଳେ ପାଖର ମଣିଷମାନେ ସତେଅବା ଅନେକ ଦୂରରେ ରହିଥିବା ପରି ମନେ ହେଉଥାନ୍ତି, ସେତେବେଳେ ତଥାପି ଆଦୌ କୌଣସି ଅଭିଯୋଗ ନ କରି ରହିବାକୁ ହୁଏ । ଆପଣା ଭିତରେ ଆପଣା ସହିତ ହଜି ଯାଇଥିବା ସୂତ୍ରଗୁଡ଼ିକୁ ପୁଣି ଏକତ୍ର କରି ଆଣିବାକୁ ପଡ଼େ । ପୁନର୍ବାର ସଂଯୋଗସ୍ଥାପନଟି ସମ୍ଭବ ହେବା ସକାଶେ ପ୍ରାର୍ଥନା କରିବାକୁ ହୁଏ ଓ ଆପଣାକୁ ଯଥାସମ୍ଭବ ଅଧିକ ପରିମାଣରେ ଗ୍ରହଣଶୀଳ କରି ରଖିବାକୁ ପଡ଼େ ।

 

ଆଜି ଆପଣାକୁ ଭାରି, ଭାରି ଅସହାୟ ଲାଗୁଛି । ଅବଶ୍ୟ ଏକଥା ସତ ଯେ ଅସହାୟ ହୋଇ ପଡ଼ିଥିବା ଅବସ୍ଥାରେ ନିଜ ଭିତରର ଯେଉଁସବୁ ଉତ୍ତେଜନା ଆପଣାକୁ ପ୍ରାୟ ଗୋଟାସୁଦ୍ଧା କାବୁକରି ରଖିଥାଏ, ସେହିସବୁ ଉତ୍ତେଜନାରେ ମୁଁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ ରହିଛି । ଭିତରଟାଯାକ ଶାନ୍ତ ହୋଇ ରହିଛି । ଏବଂ ବାହାରେ ମୁଁ ଅପେକ୍ଷା କରି ରହିଛି । ନିଜ ଭିତରକୁ ବାଟ ନପାଇବା ଯାଏଁ ବାହାରକୁ ମଧ୍ୟ ବାଟ ମିଳି ପାରୁନାହିଁ । ମୁଁ ଜାଣେ, ଏହି ଅବସ୍ଥାଟା ନିଶ୍ଚୟ ଚାଲିଯିବ, ବାହାରର ପବନ ଓ ଆଲୁଅ ଭିତରେ ମଧ୍ୟ ଭଲ ଲାଗିବ । ଭିତରେ ସୂତ୍ରଗୁଡ଼ାକ ପୁଣି ପ୍ରଲମ୍ବିତ ହୋଇଯିବେ ଓ ହଜି ଯାଇଥିବା ଦିଗଗୁଡ଼ିକୁ ପୁନର୍ବାର ଏକତ୍ର କରି ଆଣିବେ । ମୁଁ ସେହି ମୁହୂର୍ତ୍ତଟି ଲାଗି ଅପେକ୍ଷା କରି ରହିଛି ।

 

୨୮ । ୧୦ । ୮୧

 

ଖାଲି ସମସ୍ତେ କହୁଛନ୍ତି ବୋଲି ନୁହେଁ, ବାହାରକୁ ଅନାଇଲା ବେଳକୁ ମଧ୍ୟ ପ୍ରକୃତରେ ଏକ ଭାରି ଖରାପ ସମୟ ଆମ ସମସ୍ତଙ୍କ ଉପରକୁ ମାଡ଼ି ଆସୁଥିବା ପରି ମନେହେଉଛି । ଆମେ ଯେଉଁମାନେ କେବଳ ନିଜକୁ ନେଇ, ନିଜର ଦେଶକୁ ନେଇ ଅଥବା କେବଳ ନିଜର ଜୀବନରକ୍ଷାକୁ ନେଇ ବ୍ୟସ୍ତ ଅଛୁ ଓ ସେହି ବ୍ୟସ୍ତତାକୁ କେନ୍ଦ୍ର କରିହିଁ ଆମର ରାଜନୀତି, ସମ୍ପର୍କନୀତି ଏବଂ ଜୀବନନୀତିର ବ୍ୟାସଗୁଡ଼ାକୁ ନିର୍ଦ୍ଧାରିତ କରିବାରେ ଲାଗିଛୁ, ଆମ ସମସ୍ତଙ୍କ ସମେତ ଏହି ପୃଥିବୀ ଉପରେ ପ୍ରକୃତରେ ଭାରି ଖରାପ ସମୟ ମାଡ଼ି ଆସୁଛି ।

 

ତଥାପି ଭିତରୁ ନିର୍ଭର ଆସୁଛି ଯେ, ଏହି ପୃଥିବୀ ରହିବ । ଏହି ସ୍ନେହ ପ୍ରେମ ରହିବ, ଆତ୍ମଦାନ ରହିବ, କାହାଲାଗି ବା କୌଣସି ବୃହତ୍ତର ଐଶ୍ଵର୍ଯ୍ୟ ସମ୍ଭାବନା ଲାଗି ମଣିଷ ଭିତରର ଏହି ଷଡ଼ଯନ୍ତ୍ରେଚ୍ଛା ମଧ୍ୟ ନିଶ୍ଚୟ ରହିବ । ଏଗୁଡ଼ାକ ବିରୁଦ୍ଧରେ ଆମର ନାନା ଉତ୍ତେଜନାଦ୍ଵାରା ସୃଷ୍ଟି ହେଉଥିବା ଯାବତୀୟ ଷଡ଼ଯନ୍ତ୍ର ଲଜ୍ଜିତ ହୋଇ ଲୁଚିଯିବ । ଜୀବନ ରହିବ । ଜୀବନ ପଛରେ ନିହିତ ଉଦ୍ଦେଶ୍ୟଟି ଅଗ୍ରସର ହୋଇ ଯାଉଥିବ । ଆମେ ଯେଉଁମାନେ ତଥାପି ନାନା ଭୟର ସନ୍ତାପରେ ପଡ଼ି ନିଜଦ୍ୱାରା କଳ୍ପିତ ଓ ସେବିତ ଗୋଟିଏ ଗୋଟିଏ ଗାତ ଭିତରେ ପଶିବାଲାଗି ମୋଟେ ମନ କରିନଥିବା, ଆମରି ବିଶ୍ଵାସ ଆମକୁ ଶେଷଯାଏ ମଧ୍ୟ ବଞ୍ଚାଇ ରଖିବ ସଚଳ କରି ରଖିବ ଆଶାବାନ୍ କରି ରଖିଥିବ । ସେହି ଆଶାଟି ସକାଶେ ଆମେ ବର୍ତ୍ତମାନର ସକାଳ ଓ ସଞ୍ଜଗୁଡ଼ିକ ପାଖରେ ଅନ୍ତରର କୃତଜ୍ଞତା ଜଣାଉଥିବା ।

 

୨୯ । ୧୦ । ୮୧

 

ଆର ଜନ୍ମକୁ ଜଣେ କୋଉଠି କିପରି ପରିବେଶର ଜନ୍ମଗ୍ରହଣ କରିବ, ଏକ ନିର୍ଦ୍ଦିଷ୍ଟ ଚେତନା ଓ ଶ୍ରଦ୍ଧାରେ ସୋପାନକୁ ଆସି ପାରିଥିଲେ ମଣିଷ କୁଆଡ଼େ ନିଜେ ତାହାର ନିର୍ବାଚନ କରି ପାରିବ ବୋଲି କାଲି କୌଣସି ବହିରେ ପଢ଼ୁଥିଲି । ମୁଁ ନିଜପାଇଁ ଏହି କ୍ଷେତ୍ରରେ କିପରି ନିର୍ବାଚନ କରିବି, ସେତେବେଳେ ନିଜକୁ ସେହି କଥାଟି ପଚାରିବାକୁ ଭାରି ମନ ହେଲା ।

 

ମୁଁ ସେସବୁ କିଛିହେଲେ ନିର୍ବାଚନ କରିବିନାହିଁ । କେବଳ ଏହି ପୃଥିବୀକୁହିଁ ଫେରି ଆସିବାକୁ ଚାହିଁବି । ଏତେ ଶ୍ରଦ୍ଧା ଏତେ ଅଶ୍ରୁ ଏତେ ସହାନୁଭୂତି ଓ ଏତେ ସାହଚର୍ଯ୍ୟ ସମ୍ଭବତଃ କେବଳ ଏହି ପୃଥିବୀରେହିଁ ସମ୍ଭବ ହେଉଥିବ । ମୁଁ ଏଠି ଯେଉଁଭଳି ପରିବେଶରେ ରହିଥାଏ ପଛକେ, ସେଠାରେ ନିଶ୍ଚୟ ବନ୍ଧୁମାନେ ଥିବେ, ସବୁ ବନ୍ଧୁଙ୍କର ଆଖି ଭିତରେ ଜଣେ ପରମବନ୍ଧୁ ରହି ମୋତେ ଆକର୍ଷିତ କରିବାରେ ଲାଗିଥିବ, ମୋତେ ଅଧିକରୁ ଅଧିକ ସମର୍ପଣ ଓ ସଙ୍ଗଲାଭ ଲାଗି ଯୋଗ୍ୟ କରି ଆଣୁଥିବ । ମୋ’ରି ଭିତରେ ଦେଇ କେତେ ବଳ ଦେଉଥିବ, ବିଶ୍ଵାସ ଦେଉଥିବ, ଉତ୍ସାହ ଦେଉଥିବ । ଏଗୁଡ଼ାକ ମହଜୁଦ୍‍ ରହିଥିବା ପର୍ଯ୍ୟନ୍ତ ଆଉ କୌଣସି ଦୁଃଖ କଦାପି ଦୁଃଖ ଦେଇ ପାରିବ ନାହିଁ, କୌଣସି ଅଭାବ କଦାପି ଅଭାବବୋଧର ଜ୍ଵାଳା ଆଣି ଦେବନାହିଁ, ଦାରିଦ୍ର୍ୟ ଏକ ଗ୍ଳାନିକର ଆର୍ତ୍ତତା ମଧ୍ୟରେ କଦାପି ବାନ୍ଧି ପକାଇବ ନାହିଁ । ତେଣୁ, ମୁଁ ତୀର୍ଥଗୁଡ଼ାକ ମଧ୍ୟରେ ଆଦୌ କୌଣସି ନିର୍ବାଚନ କରିବିନାହିଁ । ମୁଁ ଜାଣେ, ସେହି ଆଶୀର୍ବାଦ ସବୁଠାରୁହିଁ ମହଜୁଦ୍ ହୋଇ ରହିଥିବ ।

 

୩୦ । ୧୦ । ୮୧

 

ଆଗକୁ ଅନାଇଦେବା ବେଳକୁ ମୁଁ ଅଧିକାଂଶ ସମୟରେ କେବଳ ଏକ ବନ୍ଧୁର ହାତଗୁଡ଼ିକୁହିଁ ଦେଖୁଥିବା ପରି ଅନୁଭବ କରୁଥାଏ । ସେମାନେ ମୋତେ ଅହରହ ଡାକିବାରେ ଲାଗିଥାନ୍ତି । ବାଟରେ ମୋ’ଲାଗି କେବଳ ବନ୍ଧୁମାନେହିଁ ଅପେକ୍ଷା କରି ରହିଛନ୍ତି ଓ ତେଣୁ ମୋ’ର ମୋଟେ କୌଣସି ଭୟ କରିବାର ନାହିଁ ବୋଲି ସେମାନେ କେତେ ନିର୍ଭର ଓ କେତେ ଅଭୟ ଦେଉଥାନ୍ତି । ସେହିମାନଙ୍କର ଆମନ୍ତ୍ରଣକୁ ସମ୍ମତି ଜଣାଇ ପାରିବା ମାତ୍ରକେ ଏଠି ସବୁ ସୁନ୍ଦର ଲାଗେ, ଦିଗ୍‌ବଳୟଗୁଡ଼ାକ ଭାରି ସୁନ୍ଦର ଦିଶେ, ଦିଗ୍‌ବଳୟଗୁଡ଼ିକର ଆହୁରି ସେପାଖରେ ରହିଥିବା ଦୁଆରଗୁଡ଼ିକ ମଧ୍ୟ କେଡ଼େ ସୁନ୍ଦର ଦିଶନ୍ତି । ସେଗୁଡ଼ିକ ସତେଅବା କେଉଁ ବନ୍ଧୁର ଘର ଭିତରକୁ ବାଟ କଢ଼ାଇନେବା ଲାଗି ଅପେକ୍ଷା କରିଥିବା ପରି ମନେ ହୋଇଥାନ୍ତି । ଏବଂ ସେତେବେଳେ ଆପଣାକୁ ଭାରି ପବିତ୍ର ମନେହୁଏ, ଆପଣାକୁ ସତେଅବା ଆସ୍ଥାନଟିଏ ପରି ଲାଗେ, ମନ୍ଦିରଟିଏ ପରି ଲାଗେ । ପାଦତଳର ଏହି ପଥର ଧୂଳିକୁ ନେଇ ମୁଣ୍ଡରେ ମାରିବାକୁ ମନ ହୁଏ ।

 

ଅନାଇବା ବେଳକୁ ଏହି ଗୋଟାଏ ଜୀବନର ଆହୁରି ସେପାଖରେ ରହିଥିବା ଆହୁରି କେତେକଅଣ ଦେଖାଯାଏ । ଜୀବନ ପରେ ଜୀବନ ପଛକୁ ପୁଣି ଜୀବନ,–ଅର୍ଥାତ୍ କେବଳ ଆପଣାକୁ ଅଧିକରୁ ଅଧିକ ସମ୍ପୂର୍ଣ୍ଣ ଭାବରେ ଦେଇଦେବାର ଅଧିକାର, ଧନ୍ୟ ହେବାର ଅଧିକାର, ପରିପୂର୍ଣ୍ଣ ହେବାର ଅଧିକାର । ମୃତ୍ୟୁ ବୋଲି କୋଉଠି କିଛି ନାହିଁ । ପୁରୁଣା ବସ୍ତ୍ରଗୁଡ଼ାକ ଆପେ ଖସିପଡ଼ୁଛି । ଭିତରର ଅସଲ ‘ମୁଁ’ଟି ତୀର୍ଥରୁ ତୀର୍ଥ ଅତିକ୍ରମ କରିଯିବାରେ ଲାଗିଛି ।

 

୩୧ । ୧୦ । ୮୧

 

ଆପେ କିଛି ଲେଖିବାର ଅର୍ଥ ହେଉଛି ଆପଣାକୁ ଅଭିବ୍ୟକ୍ତ କରିବା । ତାହା ଠିକଣା ସମୟରେ ଛାପାକଳରେ ପ୍ରକାଶିତ ହୋଇପାରିଲେ ନିଜକୁ ଭାରି ଖୁସି ଲାଗେ ସତ, ମାତ୍ର ପ୍ରକାଶିତ ହୋଇ ନପାରିଲେ ସେହି କାରଣରୁ ଯେ ଲେଖକ ଭିତରେ ଲେଖିବାର ସରାଗଟି ନିରୁତ୍ସାହିତ ହୋଇଯିବ, ତାହାର ଆଦୌ କୌଣସି କାରଣ ନାହିଁ । ନିଜେ କିଛି ଲେଖିବା ହେଉଛି ଆପେ ଆପଣାର ମାର୍ଗଟିର କଳନା କରି ପାରିବା ।

 

ଆପେ ଆପଣାକୁ ଦେଖିବାକୁ ସମର୍ଥ ହେଲେ ତ ଯାଇ ପ୍ରକୃତରେ ନିଜର ବୋଲି କହିବାଭଳି କିଛି ଲେଖିବା ସମ୍ଭବ ହୋଇଥାଏ ! ଅନେକ ମଣିଷ ଆପଣାକୁ ମୋଟେ ଦେଖି ପାରନ୍ତିନାହିଁ, ଏପରିକି ସେମାନେ ଆପଣାକୁ ସ୍ଵୀକାର କରିନେଇବି ପାରନ୍ତିନାହିଁ । ଆପଣାର ଯେଉଁ ଅଂଶଟିକୁ ସ୍ଵୀକାର କରି ନପାରିଥାନ୍ତି, ସେହି ଅଂଶଟିକୁ ଲୁଚାଇ ରଖିବାରେହିଁ ସ୍ଵୀକାର କରି ପାରୁଥିବା ଅଂଶଟିର ପ୍ରାୟ ସମୁଦାୟ ଶକ୍ତି ନିୟୋଜିତ ହେଉଥାଏ । ଏଭଳି ଜୀବନ ପ୍ରାୟ ଏକ ଅଭିନୟରେ ପରିଣତ ହୁଏ, ତେଣୁ ଆପଣା ସହିତ ତଥା ଅନ୍ୟମାନଙ୍କ ସହିତ ସ୍ଥାପିତ ହୋଇ ପାରୁଥିବା ସମ୍ପର୍କଗୁଡ଼ାକରେ ମଧ୍ୟ ଆଦୌ କୌଣସି ଉଷ୍ମତା ନଥାଏ, ନିକଟ ଓ ନିକଟତର ହେବାଲାଗି ହୁଏତ କୌଣସି ଅନ୍ତର୍ଗତ ଅନୁରାଗବି ନଥାଏ । ତେଣୁ କୌଣସି ଯଥାର୍ଥ ଅଭିବ୍ୟକ୍ତି ସମ୍ଭବ ହୋଇ ପାରେନାହିଁ । ପାଖରେ ନବସିଲେ ଆଦୌ କୌଣସି ଦୁଆର ଖୋଲେନାହିଁ । ନିଜର ସାହିତ୍ୟ ଦେଇ ଯେଉଁମାନେ ଆପଣାଙ୍କୁ ନେଇ ଅନ୍ୟମାନଙ୍କ ଉପରେ ଲଦି ଦେଉଥାନ୍ତି, ସେମାନେ କାହାକୁହିଁ ସଙ୍ଗ ଦେଇ ପାରନ୍ତିନାହିଁ, କେବଳ ଗିଳିପକାନ୍ତି ।

 

୧ । ୧୧ । ୮୧

 

ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେହିଁ ମଣିଷକୁ ଏକ କାହିଁକିର ଜବାବ ଦେବାକୁ ହୋଇଥାଏ-। ଟଙ୍କା କମାଇବି କାହିଁକି, କ୍ଷମତା ଠୁଳ କରି ତାହାରି ଭିତରେ ଗୁରାଇ ତୁରାଇ ହୋଇ ବସିବି କାହିଁକି, ସାହିତ୍ୟ କରିବି କାହିଁକି, ବାଟ ଚାଲିବି କାହିଁକି,–ଏହି ସବୁକିଛିର ଜବାର ଆପଣା ପାଖରେହିଁ ଦେବାକୁ ପଡ଼େ । ଅନେକ ସମୟରେ ଆମପାଖରେ ଏହିସବୁ ପ୍ରଶ୍ନର କୌଣସି ଜବାବ ନଥାଏ ବୋଲି ଆମେ ଯାହା କରୁଥାଉ ବା ଯାହାପଛରେ ଦଉଡ଼ିବାରେ ଲାଗିଥାଉ, ତାହାକୁ ଆହୁରି ଦଶଗୁଣ ଅଧିକ କ୍ଷିପ୍ରତା ସହିତ କରିବାରେ ଲାଗିଥାଉ । ମାତ୍ର ତଦ୍ଦ୍ଵାରା କୌଣସି ସମାଧାନ ହୋଇ ପାରେନାହିଁ । ଆପଣା ପାଖରେ ଅସମାହିତ ହୋଇ ରହିବାର ଯାବତୀୟ ଦୁର୍ଦ୍ଦଶା ଭୋଗ କରିବାକୁ ହୋଇଥାଏ । ଆପଣାର ଦିନଗୁଡ଼ାକ ସତେଅବା ଆପଣାକୁ ଗୁଡ଼ାଏ ଜଟିଳ ଗ୍ରନ୍ଥିରେ ବାନ୍ଧି ଅସମର୍ଥ କରି ରଖିବାରେ ଲାଗିଥାନ୍ତି ।

 

ବିବେକ ବଢ଼ିଲେ ମଣିଷ ଆପଣାକୁ ଯାବତୀୟ ପ୍ରଶ୍ନର କାହିଁକିଟିକୁ ପଚାରିବାର ସାହସ ଅର୍ଜନ କରେ । ଆପଣାର ଅନ୍ଧସୀମାଗୁଡ଼ାକ ଭିତରୁ ବାହାରି ଚାରିପାଖଟି ସହିତ ଯାହାର ଯେତେ ଆତ୍ମୀୟତା ବୃଦ୍ଧିପାଏ, ତା’ର ଜୀବନଗତ ଯଥାର୍ଥ ବିନିମୟଟି ମଧ୍ୟ ଠିକ୍ ସେହି ଅନୁପାତରେ ବୃଦ୍ଧି ପାଇବାରେ ଲାଗିଥାଏ ଏବଂ ସେହି ବିନୟହିଁ ତାକୁ କାହିଁକିଗୁଡ଼ିକ ବିଷୟରେ ଅଧିକ ଧ୍ୟାନ ଦେବାକୁ ପ୍ରବୃତ୍ତ କରାଏ । ତା’ପରେ ଯାଇ ମଣିଷପରି ବଞ୍ଚିହୁଏ । ମଣିଷ ପରି ନିଜକୁ ଦେଇ ହୁଏ ଓ ମଣିଷ ପରି ବାଟଗୁଡ଼ିକୁ ଚାଲିହୁଏ । ସେତେବେଳେ ଯାଇ ଆପଣାର ଯାବତୀୟ କର୍ମ ଓ ଯାବତୀୟ ଯାତ୍ରରେ ଜଣେ କିଏ ସାଙ୍ଗରେ ରହିଥିବା ପରି ମନେ ହେବାକୁ ଲାଗେ । ତା’ପରେ ଆଉ ମୋଟେ ଏକୁଟିଆ ଲାଗେନାହିଁ । ନିଜର ସାନ ବଡ଼ ସବୁ ଧନ୍ଦା ସତେଅବା ଏକ ଧର୍ମରେ ପରିଣତ ହୋଇଯାଏ ଦୂରର ଶୁଭଗୁଡ଼ିକ ଆଶୀର୍ବାଦ ହୋଇ ଅଜାଡ଼ି ହୋଇ ପଡ଼ିବାକୁ ଆରମ୍ଭ କରନ୍ତି ।

 

୨ । ୧୧ । ୮୧

 

ଜାତୀୟଚରିତ୍ରର ଅଭାବ ରହିଥିବାରୁ ଆମ ଦେଶରେ ଯଦି ଯାବତୀୟ ଉନ୍ନତି ଓ ଅଗ୍ରଗତି ଅଟକି କରି ରହିଛି, ତେବେ ସେହି ଜାତୀୟଚରିତ୍ରକୁହିଁ ସବାଆଗ ଖୋଜି ଠାବ କରିବାକୁ ହେବ । ଜାତୀୟଚରିତ୍ରକୁ ଆମେ ଜାତୀୟତା ଭିତରେ ନୁହେଁ, ଆମର ସ୍ଵାର୍ଥାନ୍ୱେଷିତା ମଧ୍ୟରେହିଁ ଖୋଜିବାକୁ ପଡ଼ିବ । ଆମେସବୁ ଆପଣା ଆପଣାର କ୍ଷୁଦ୍ର ସ୍ଵାର୍ଥ ଓ ସେହି ସ୍ଵାର୍ଥଜନିତ ଭୟ ଓ ବିଦ୍ଵେଷ ଭିତରେ ଯାଇ କିଳି ହୋଇ ରହିଛୁ ବୋଲି ଆମର ଚରିତ୍ରଗୁଡ଼ାକ ଅତ୍ୟନ୍ତ ଶୋଚନୀୟ ଭାବରେ ସଂକୁଚିତ ହୋଇ ରହିଛି । ଆମ ବ୍ୟକ୍ତିଗତ ଜୀବନରେ ଆଜି ପ୍ରାୟ କୌଣସି ସାମୂହିକ ଆକାଂକ୍ଷା ନାହିଁ, କୌଣସି ଶ୍ରଦ୍ଧା ନାହିଁ, ମଣିଷର ନିକଟକୁ ଯାଇ ତା’ ଜୀବନରେ ଭାଗୀ ହେବାଲାଗି ଆଦୌ କୌଣସି ବିନୟନାହିଁ । ଗୁଡ଼ାଏ ମିଛ–ନୈତିକତା ରହିଛି, ଅର୍ଥାତ୍ ମିଛ–ବାଧ୍ୟତା ଏବଂ ମିଛ ଅଭିନୟ ରହିଛି । ଶାସ୍ତ୍ରଗୁଡ଼ାକୁ ଅମୋଘ ବୋଲି ମାନି ଆମେ ବାହାରର କେତେଟା ବିଧାନ ମାନିବାରେ ଏପରି ପକ୍କା ହୋଇଗଲୁଣି ଯେ, ଆମଭିତରେ ଯଥାର୍ଥ ବିବେକ ବୋଲି ଆଉ କିଛିହେଲେ ନାହିଁ ।

 

ଯିଏ ଜାତୀୟଚରିତ୍ରକୁ ସବୁକିଛି ଅଭାବ ଏବଂ ମାଳିନ୍ୟପାଇଁ ଦାୟୀ କରୁଛି, ସିଏ ତଦ୍ଦ୍ଵାରା ଅସଲ ଦାୟିତ୍ଵଟି ପାଖରୁ ଚେଷ୍ଟା କରୁନାହିଁ ତ ? ହୁଏତ ସେଇ ଏହି ଦେଶର ଅନେକ ଅଭାବ ଏବଂ ଅନେକ ମାଳିନ୍ୟ ଲାଗି ଅତ୍ୟନ୍ତ ପ୍ରତ୍ୟକ୍ଷ ଭାବରେ ଦାୟୀ ହୋଇ ରହିଛି । ସିଏ ସିଆଣିଆ ହୋଇ ଅରଣ୍ୟଗୁଡ଼ାକ ଭିତରେ ସିଂହ ହୋଇ ରହିବାକୁ ମନ କରୁଛି ଓ ଆପଣା ପାଖରେ ନିଘୋଡ଼ ନିଦରେ ଶୋଇଛି । ସିଏ ନିଜକୁ ଉଠାଇବାକୁ ଚେଷ୍ଟା ନକରିବା ପର୍ଯ୍ୟନ୍ତ ତା’ର ଆଉ ମୁକ୍ତି ନାହିଁ ।

 

୩ । ୧୧ । ୮୧

 

ସଂସାରରେ ଭିତରେ ବଞ୍ଚୁ ବଞ୍ଚୁ ଯେଉଁମାନେ ସଂସାର ଭିତରେ ଗୁରାଇ ତୁରାଇ ହୋଇ ପଡ଼ନ୍ତି, ସେମାନେ ସମ୍ଭବତଃ କେବଳ ନିଜପାଇଁହିଁ ସଂସାରକୁ ବଞ୍ଚୁଥାନ୍ତି; ନିଜ କାନ୍ଥଗୁଡ଼ାକ ପାଇଁ ଓ ନିଜର ପାଚେରୀଗୁଡ଼ାକ ପାଇଁ ଜୀବନ ବଞ୍ଚୁଥାନ୍ତି । ଏହିପରି ଭାବରେ ଆପଣାର ବାନାଟିକୁ ଉଡ଼ାଇ ପାରିବେ ବୋଲି ସେମାନେ ଭ୍ରମ କରିଥାନ୍ତି ।

 

ସେମାନେ ସଂସାରରକୁ ଜଞ୍ଜାଳ ବୋଲି କହନ୍ତି ଓ ଏହି ଜଞ୍ଜାଳ ଭିତରେ ଘୁଷୁରି ହେବାରେହିଁ ପରମ ପ୍ରୀତି ଲାଭ କରନ୍ତି । ଆପଣାକୁ ସଂସାର ଲାଗି ଦେଇ ପାରିଲେ ଯେ ଅସଲ ପ୍ରୀତି ସମ୍ଭବ ହୁଏ, ସେମାନେ ସେହି କଥାଟିକୁ କୁଆଡ଼େ ପାସୋରି ରହିଥାନ୍ତି । କହିବା ବାହୁଲ୍ୟ, ସେମାନେ ସେହି ସଂସାରଟିକୁ ମଧ୍ୟ ଆପଣାର କରି ପାରନ୍ତି ନାହିଁ । ହୁଏତ ନିଜ ଭିତରେ କାହାକୁ ଫାଙ୍କି ଦେଇ ବୁଲୁଥିବା ପରି ସେମାନେ ମଝିରେ ସଂସାରଟାକୁ ରଖି ଲୁଚି ରହିବାକୁ ଅର୍ଥାତ୍ ନିର୍ବିବେକ ହୋଇ ରହିବାକୁ ଏହିପରି ଏକ ରୀତିର ଅନୁସରଣ କରୁଥାନ୍ତି । ସେମାନଙ୍କଦ୍ଵାରା ସଂସାରର ଜଟିଳତା ବଢ଼େ, ସଂସାର ଭିତରେ ଅସଲ ଜୀବନର ସ୍ପର୍ଶଟିକୁ ସମ୍ଭବ କରିବାରେ ସେହିମାନେହିଁ ସର୍ବପ୍ରଧାନ ଅନ୍ତରାୟ ହୋଇ ରହିଥାନ୍ତି ସଂସାରରେ ଏହି ତଥାକଥିତ ସଫଳ ମଣିଷମାନଙ୍କୁ ଦେଖିଲେ ସେମାନଙ୍କର ଆଖିଗୁଡ଼ାକୁ ଲୁଚାଇ ରଖିଥିବା ପାଚେରୀଗୁଡ଼ାକହିଁ ମୋତେ ସବାଆଗ ଦେଖାଯାଏ । ସେମାନେ କେତେ ସୁଶୃଙ୍ଖଳ ଭାବରେ ସକଳ ପରିପାଟୀ ସହିତ ପାଚେରୀଗୁଡ଼ାକ ଭିତରେ କେଡ଼େ ସନ୍ତୋଷର ସହିତ ବିଚରଣ କରୁଥାନ୍ତି; ସେମାନଙ୍କର ସେହି ସନ୍ତୋଷକୁ ଦେଖିଲେ ମତେ ଭାରି ଡର ମାଡ଼େ । ଭଗବାନ ମୋତେ ସେହି ସନ୍ତୋଷରୁ ବଞ୍ଚାଇ ରଖିଥାନ୍ତୁ, ସନ୍ତୋଷର ଯାବତୀୟ ଅଶ୍ରଦ୍ଧାରୁ ମୋତେ ଦୂରରେ ରଖନ୍ତୁ ।

 

୪ । ୧୧ । ୮୧

 

ଜୀବନର ଚାରିପାଖରୁ ଯଦି ସମସ୍ତ ପାଚେରୀଗୁଡ଼ାକୁ ଉଠାଇ ନିଆଯାଏ, ତେବେ ଜୀବନ ଯାହା ହେବ, ତାହାକୁହିଁ ଦିବ୍ୟ ଜୀବନ ବୋଲି କୁହାଯାଇ ପାରିବ । ଆପଣା ଭିତରେ ରହିଥିବା ଗଣ୍ଠିଗୁଡ଼ାକୁ କାଟି ଦେଇ ଏହି ସବୁଟି ସହିତ ସଂଯୁକ୍ତ ହୋଇ ପାରିଲେ ଆପଣା ଭିତରେ ଯେଉଁ ସହଜାନୁଭାବଟି ଉପଲବ୍ଧ ହେବ, ଆମେ ସମ୍ଭବତଃ ତାହାକୁ ଏକ ଦିବ୍ୟ ଜୀବନ ବୋଲି ଅନୁଭବ କରି ପାରିବା । ଦିବ୍ୟ ଜୀବନ ଆଡ଼କୁ ଅଗ୍ରସର ହେଉଥିବା ପର୍ଯ୍ୟନ୍ତ କେବେହେଲେ ଏକୁଟିଆ ମନେ ହେବନାହିଁ; କେବେହେଲେ ଡର ମାଡ଼ିବ ନାହିଁ, କେବେହେଲେ ବିରକ୍ତ ଲାଗିବନାହିଁ । ସତେଅବା କାହାରି ପ୍ରେମରେ ପଡ଼ି ଯାଇଥିବା ପରି ନିତ୍ୟ ଅନୁଭୂତି ମିଳି ଯାଉଥିବ-। ଗୋଟାଏ ପ୍ରକାର ପ୍ରେମ ଅଛି, ଯାହା ସତେଅବା ଅଳ୍ପ ଭିତରେ ଛନ୍ଦି ଦେଇଯାଏ, ଅଳପ ଭିତରେ କିଳି ରଖେ । ମନ୍ଦିର ଗଢ଼େ, ଖୁଣ୍ଟରେ ବାନ୍ଧି ହୋଇ ପାଞ୍ଚଣଦ୍ଵାରା ତାଡ଼ିତ ହୋଇ ଚାଲିବାକୁ ତାହା ଆଦର୍ଶ ବୋଲି କହେ । ଅସଲ ପ୍ରେମଯୁକ୍ତ କରେ; ଯୁକ୍ତ କରିବାଦ୍ଵାରାହିଁ ମୁକ୍ତ କରି କରି ଯାଉଥାଏ-। ଆପଣାର ଅଳ୍ପତାରୂପୀ ନାଗଫାଶରୁ ମୁକ୍ତ କରେ, ଆପଣାକୁ କେଉଁ ଅଳପର କୁଣ୍ଡ ଭିତରେ ପକାଇ ରଖିବା ପ୍ରମାଦରୁ ମୁକ୍ତ କରିରଖେ ।

 

ଦିବ୍ୟ ଜୀବନ ଜୀବନଠାରୁ ଅଲଗା ନୁହେଁ, ଏହା ଏକ ଜୀବନ । ଦିବ୍ୟ ଜୀବନ ଏହି ଜୀବଠାରୁ କଦାପି ଛାଡ଼ିକରି ରହିନାହିଁ । ଏହାକୁହିଁ ଏକ ଶ୍ରଦ୍ଧାମୟ ବିସ୍ତାର ଦେବାଲାଗି ତାହା ଏହି ଜୀବନଟିର ଅତ୍ୟନ୍ତ ନିକଟବର୍ତ୍ତୀ ହୋଇ ଅପେକ୍ଷା କରି ରହିଛି । ଆମର ଲୋଡ଼ିବାକୁ ଅପେକ୍ଷା କରି ରହିଛି । ଆମ ଉପରେ ଅତ୍ୟନ୍ତ ଭରସା ଓ ବିଶ୍ଵାସ ରଖି ଅପେକ୍ଷା କରି ରହିଛି । ଆମକୁ ଆଦୌ ପ୍ରତ୍ୟାଖ୍ୟାନ କରିନାହିଁ । ଆମର କୌଣସି ଅଭାବ ବା ଦାରିଦ୍ର୍ୟ ସକାଶେ ଆମକୁ ପ୍ରତ୍ୟାଖ୍ୟାନ କରିବାକୁ ମୋଟେ ଇଚ୍ଛା କରିନାହିଁ । ସେହି ଜୀବନର ଆହ୍ଵାନଟିକୁ ଆମେ ବନ୍ଧୁର ଆମନ୍ତ୍ରଣ ପରି ଅନୁଭବ କରିବା, ଦୁଆର ଖୋଲି ତାକୁ ଭିତରକୁ ଡାକିନେବା ।

 

୫ । ୧୧ । ୮୧

 

ଅତୀତ ଭିତରକୁ ପଶି ମୁଁ ଭବିଷ୍ୟତର ପ୍ରେରଣା ପାଏ । ଭବିଷ୍ୟତକୁ ସମଗ୍ର ଭାବରେ କଳି ପାରିବା ଲାଗି ଚେଷ୍ଟା କରିବା ମାତ୍ରକେ ଅତୀତଟା ମଧ୍ୟ ତାହା ସହିତ ଅତ୍ୟନ୍ତ ଅବିଚ୍ଛିନ୍ନ ଭାବରେ ଲାଗି ରହିଥିବା ପରି ମନେହୁଏ । ଭବିଷ୍ୟତକୁ ଏଡ଼ି ରହିବାଲାଗି ଇଚ୍ଛା କରୁଥିବା ସମୟରେ ଅର୍ଥାତ୍ ଆପଣାର ସମ୍ମୁଖୀନ ହେବା ବିଷୟରେ ଆପଣା ଭିତରେ କେଉଁଠାରେ ଏକ କୁଣ୍ଠା କାମୁଡ଼ି ରହିଥିବା ପର୍ଯ୍ୟନ୍ତ ଅତୀତ ଭିତରେ ବନ୍ଦି ହୋଇ ରହିବାକୁ ମନହୁଏ, ଅତୀତ ଭିତରେ ଅନେକ ମୋହର ସହିତ ଏକ ସୁଖକର ଦାୟିତ୍ଵହୀନତା ଆମକୁ ସତେଅବା ଭାରି କାମୁଡ଼ିକରି ଧରିଥାଏ ।

 

ଇତିହାସ ଭିତରେ ଆପଣାକୁ ଅନୁଭବ କରିବା, ଅର୍ଥାତ୍ ନିଜର ସମ୍ମୁଖସ୍ଥ ଆହ୍ୱାନଟିକୁ ଦାୟିତ୍ଵପୂର୍ଣ୍ଣ ଭାବରେ ସ୍ଵୀକାର କରିବା । ଆଗକୁ ଯିବାର ଅର୍ଥ ଆଦୌ ପଛଗୁଡ଼ାକୁ ଛାଡ଼ିକରି ଚାଲିଯିବାକୁ ବୁଝାଏ ନାହିଁ । ଇତିହାସ କେବଳ ଯାହା ଥିଲା, କଦାପି ସେତିକିକୁ ବୁଝାଏନାହିଁ । ଯାହା ହେବାକୁ ଯାଉଛି, ଅର୍ଥାତ୍ ଆମେ ଅନାଗତଟି ସହିତ ନିଜକୁ ଯେପରି ପ୍ରକାରେ ସମ୍ବନ୍ଧିତ କରି ରଖିବାକୁ ଇଚ୍ଛା କରୁଛୁ, ତାହାହିଁ ଆମର ଯାବତୀୟ ଇତିହାସ ଚାରଣାକୁ ଅର୍ଥ ଦିଏ, ମୂଲ୍ୟ ଦିଏ, ବ୍ୟଞ୍ଜନା ଦିଏ । ଆମର ବର୍ତ୍ତମାନଟି ଉପରେ ଆମେ ଆଗରେ ରହିଥିବା ପ୍ରେରଣା ଏବଂ ଅଙ୍ଗୀକାରଗୁଡ଼ିକର ମାନଚିତ୍ରଟିକୁ ଯେପରି ଭାବରେ ଦେଖୁଥାଉ, ତାହାରି ଅନୁସାରେହିଁ ଆମର ଇତିହାସ ଦୃଷ୍ଟି ନିର୍ଦ୍ଧାରିତ ହୋଇଥାଏ । ତେଣୁ, ଯାହା ଥିଲା ତାହା ଇତିହାସ ନୁହେଁ । ସେଗୁଡ଼ାକ ତୁଚ୍ଛ ଘଟଣା । ସେହି ଘଟଣାଗୁଡ଼ିକୁ ଆମେ ଯେଉଁଭଳି ଏକ ଗୁଣାତ୍ମକ ଅଙ୍ଗୀକାର ସହିତ ଅନୁଭବ କରିବାକୁ ରାଜୀ ହେଉଛୁ, ଆମର ଅସଲ ଇତିହାସଚାରଣା ତାହାରିଦ୍ଵାରାହିଁ ନିର୍ଣ୍ଣୀତ ହେବ ।

 

୬ । ୧୧ । ୮୧

 

ଦିନେ ଦିନେ କ’ଣ ଲେଖିବାକୁ ଭାବିଥାଏ କିନ୍ତୁ ଲେଖିଲା ବେଳକୁ ମନେ ପଡ଼େନାହିଁ । ତେଣୁ ଆଉ କିଛି ଲେଖେ । ଥିର ହୋଇ ନିଜ ଭିତରକୁ ଅନାଇଲେ ସବାଆଗ ଯାହା କିଛି ଆସି ଧରାଦିଏ, ସେଦିନ ତାହାହିଁ ଲେଖେ । ଯାହା ପାସୋର ଗଲା, ତାହାଲାଗି ମୋଟେ ମନ ଖରାପ ହୁଏ ନାହିଁ ।

 

ଯାହା ପାସୋର ଗଲା, ତାହା ପ୍ରକୃତରେ ମୋଟେ ପାସୋର ଯାଏନାହିଁ । ତାହା ମୋ ନିଜଭିତରେ କେଉଁ ଅକ୍ଷୟ ଭଣ୍ଡାର ଭିତରେହିଁ ସଞ୍ଚିତ ହୋଇ ରହେ । ତାହା ସେଇଠି ରହି ଉଜ୍ଜ୍ୱଳ କରେ, ସେଇଠି ରହି ସବୁ ଅପୂରଣର ପୂରଣ କରୁଥାଏ । ଏବଂ, ସେହି କଥାଟିକୁ ମୁଁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଅନୁଭବ କରୁଥାଏ । ସ୍ମୃତି ଭିତରେ, ଯଦି ସବୁକିଛି ରହୁଥାନ୍ତା ଓ ମାଗିଲା ମାତ୍ରକେ ସେହି ସ୍ମୃତି ମଧ୍ୟରୁ ମୋତେ ତତ୍‌କ୍ଷଣାତ ଆସି ମିଳି ଯାଉଥାନ୍ତା, ତେବେ ମୋ’ର ଯାବତୀୟ ବିଚରଣ କେବଳ ଏହି ମସ୍ତିଷ୍କଟାର ସୀମା ଭିତରେ କିଳି ହୋଇ ରହି ଯାଉଥାନ୍ତା । ମୁଁ ଅଧିକାଂଶ ସମୟରେ ଅନୁଭବ କରେ, ଯେପରି ମୋ’ର ମସ୍ତିସ୍କଟା ମୋ’ର ଅସଲ ଭଣ୍ଡାରଟିର ଅନେକ ବାହାରେ । ଯାହାକିଛି ମୋ’ ଭିତରେ ମୋ’ ନିଜର ବୋଲି ସାଇତା ହୋଇ ରହିଛି, ତାହା ଅନେକ ଗଭୀରରେ ମୋତେ ଗୋଟାସୁଦ୍ଧା ସ୍ପର୍ଶ କରି ରହିଛି । ମୁଁ ସେଗୁଡ଼ିକୁ ଅନୁଭବ କରେ, ସେହିଗୁଡ଼ିକଦ୍ଵାରା ଉଦ୍‌ବୁଦ୍ଧ ହୁଏ, ସେହିଗୁଡ଼ିକ ମୋ’ ସାଙ୍ଗରେ ରହିଛନ୍ତି ବୋଲି ଅନୁଭବ କରିବା ସଙ୍ଗେ ସଙ୍ଗେ ମୋ’ର ଗୋଡ଼ଗୁଡ଼ାକ ମଧ୍ୟ ଆଗକୁ ଆଗକୁ ପଡ଼ିବାକୁ ଆରମ୍ଭ କରନ୍ତି । ସେତେବେଳେ ମସ୍ତିଷ୍କଟା କେବଳ ଗୋଟାଏ ମଧ୍ୟବର୍ତ୍ତୀ ଯନ୍ତ୍ର ବା ମଧ୍ୟବର୍ତ୍ତୀ ପଥରୂପେ କାର୍ଯ୍ୟ କରୁଥାଏ । ସେହି ଯନ୍ତ୍ରଟି ଯେଉଁ ସହଯୋଗ ସବୁବେଳେ କରେ, ସେଥିଲାଗି ସିଏ ମୋ’ର ଆଦୌ କମ୍ ଆପଣାର ବୋଲି ମନେ ହୁଏ ନାହିଁ । ମୋ’ର ଭିତରେ ଏବଂ ବାହାର ଏକାଠି ଗୋଟିଏ ଅନ୍ତର୍ଗତ ସଙ୍ଗତିରେ ବାନ୍ଧିହୋଇ ରହିବାରେ ମୋ’ର ସ୍ମୃତି ଓ ମୋ’ର ମସ୍ତିଷ୍କଯନ୍ତ୍ର ଯେପରି ଅକାତର ଭାବରେ ସହଯୋଗ କରନ୍ତି ଓ କୌଣସି ପ୍ରକାରେ ବାଧା ହୋଇ ଛିଡ଼ା ହୁଅନ୍ତିନାହିଁ, ସେଥିଲାଗି ମୁଁ ନିଜକୁ ଭାରି ଭାଗ୍ୟବାନ ବୋଲି ଅନୁଭବ କରିଥାଏ ।

 

୭ । ୧୧ । ୮୧

 

ବୁଦ୍ଧି ସ୍ତରରୁ ଆହୁରି ଅନେକ ଆଗକୁ ସମ୍ପ୍ରସାରିତ ହୋଇଗଲେ ବୁଦ୍ଧି ଭିତରେ ରହିଥିବା ତା’ର ପ୍ରଦୀପ୍ତିମୟ ସମ୍ଭାବନାଟିକୁ ଆବିଷ୍କାର କରିବା ସମ୍ଭବ ହୋଇଥାଏ । ବୁଦ୍ଧି କେବଳ ଆପଣାର ସୀମାଟି ମଧ୍ୟରେ କାର୍ଯ୍ୟ କରୁଥିବା ସମୟରେ ସତେଅବା କାହାର ଗୋଲାମ ପରି ହୋଇ ରହିଥାଏ-। ଆପଣାର ଉଗ୍ରତା ଏବଂ ଆତ୍ମସର୍ବସ୍ଵତାଗୁଡ଼ାକ ମଧ୍ୟରେ ଭାରି ପାଚିକରି ରହିଥାଏ ସତ, ମାତ୍ର ପ୍ରକୃତରେ ଗୋଲାମ ପରି କାର୍ଯ୍ୟ କରୁଥାଏ । ଆପଣାର କେତେଟା ଅଭ୍ୟସ୍ତ ନିୟମର ବେଡ଼ା ଭିତରେ ବାନ୍ଧିହୋଇ ରହିଥାଏ ଓ ସେହି ବେଡ଼ାଗୁଡ଼ାକୁହିଁ ସବୁଯାକ ସତ୍ୟ ବୋଲି ଭ୍ରମ କରିବାରେ ଲାଗିଥାଏ । ସେହି ସୀମାଗୁଡ଼ିକର ସଂପ୍ରସାରଣ ଘଟାଇ ପାରିଲେ ଯାଇ ବୁଦ୍ଧିର ଅସଲ ମୁକ୍ତି ସମ୍ଭବ ହୁଏ । ଅର୍ଥାତ୍, ଜୀବନର ସମଗ୍ର ବିମୋଚନ ଅର୍ଥାତ୍ ଉତ୍ତରୋତ୍ତର ଉନ୍ମୋଚନ ପଥରେ ସାହାଯ୍ୟ କରି ପାରିଲେ ଯାଇ ବୁଦ୍ଧି ଆମ ସମଗ୍ର ବାସନାଟିର ସ୍ଵୀକୃତି ଲାଭ କରିଥାଏ ।

 

ବୁଦ୍ଧି ବୁଦ୍ଧିର ଆହୁରି ସେପାଖକୁ ବାଟ ଦେଖାଇଦେଇ ଧନ୍ୟ ହୁଏ, ଅର୍ଥାତ୍ ଆପଣାକୁ ପୂର୍ଣ୍ଣତର ଅର୍ଥାତ୍ ବୃହତ୍ତର ଭାବରେ ଆବିଷ୍କାର କରିପାରେ । ଆପଣାର ସୀମାଗୁଡ଼ାକୁ ଅମୋଘ ବୋଲି ମାନିନେଲେ ସମ୍ଭବତଃ ସକଳ କ୍ଷେତ୍ରରେ ଏକ ଉଗ୍ରତା ଆସି ଦେଖାଦିଏ ଓ ସେହି ସୀମାଗୁଡ଼ିକୁ ଟପିଯିବାର ଅନୁରାଗ ଜନ୍ମିବା ମାତ୍ରକେ ମଣିଷ ସେହିସବୁ ଉଗ୍ରତାର ବନ୍ଧନ ମଧ୍ୟରୁ ରକ୍ଷା ପାଇଥାଏ । ତା’ପରେ ବୃତ୍ତପରେ ବୃତ୍ତର ସ୍ପର୍ଶ ମିଳେ, ଶ୍ରଦ୍ଧାପରେ ଶ୍ରଦ୍ଧାର ଦର୍ଶନ ଲାଭ ଘଟେ । ତଦ୍ଦ୍ୱାରା ଚାଲି ଆସିଥିବା କୌଣସି ପାହାଚ ଆଦୌ ଅସ୍ଵୀକୃତ ହୋଇ ରହନ୍ତିନାହିଁ । ସେଗୁଡ଼ିକ ବରଂ ଆପଣାକୁ ଏକ ପୂର୍ଣ୍ଣତର ମଣ୍ଡଳର ପରିପୂରକରୂପେ ଆବିଷ୍କାର କରନ୍ତି ଓ ତଦ୍ଦ୍ୱାରା ଆପଣାର ଅସଲ ସ୍ଵୀକୃତିଟିକୁ ପାଆନ୍ତି । ଆପଣାର ଅସଲ ଶକ୍ତିଗୁଡ଼ିକୁହିଁ ଆବିଷ୍କାର କରନ୍ତି । ମୋ’ ଜୀବନରେ ବୁଦ୍ଧିର ଆଉ କୌଣସି ଦୌରାତ୍ମ୍ୟ ନାହିଁ, ବୁଦ୍ଧି ଆପଣାକୁ ଏକ ନିମିତ୍ତରୂପେ ଆବିଷ୍କାର କରିପାରିଛି ଧନ୍ୟ ହୋଇଛି ।

 

୮ । ୧୧ । ୮୧

 

ଆନନ୍ଦିତ ହେବାର ଅସଲ ଅର୍ଥାତ୍ ସବାଶେଷ ଅର୍ଥ ହେଉଛି କୃତଜ୍ଞତା ପ୍ରକାଶ କରିବା-। ଆନନ୍ଦକୁ ଉପଭୋଗ କରାଯାଏ ନାହିଁ, ଆନନ୍ଦକୁ ପ୍ରକାଶ କରାଯାଏ । ଏବଂ ତାହା ଏକ ସମଗ୍ର କୃତଜ୍ଞତାରୂପେ ପ୍ରକାଶିତ ହୋଇ ଆସିଥାଏ ।

 

ଆନନ୍ଦ ମୋ’ର ବାହାରେ ରହିଛି, ମୋତେ ସେହି ଆନନ୍ଦଟି ପ୍ରାପ୍ତ ହେବ ବୋଲି ମୁଁ ଯାବତୀୟ ଶ୍ରମ ଓ ସାଧନା କରୁଛି,–ଏହିପରି ଭାବୁଥିବା ପର୍ଯ୍ୟନ୍ତ ମଣିଷ ଆନନ୍ଦକୁ ମୁଖ୍ୟତଃ ଏକ ଉପଭୋଗର ବସ୍ତ୍ରପରି ଅନୁଭବ କରୁଥାଏ । ସିଏ ସଂଗ୍ରହ କରେ; ସଞ୍ଚୟ କରେ, ହିସାବ କରେ, ବାଣିଜ୍ୟ କରେ । ଲାଭବାନ୍ ହେଲେ ଖୁସି ହୁଏ, ଲାଭବାନ୍ ନହେଲେ କ୍ଷୁଣ୍ଣ ହୋଇ ରହେ । ଜୀବନଟା ତାକୁ ସତେଅବା କେଉଁ ପ୍ରତିଯୋଗିତାର କରୁଣ ଧାବନ ପରି ପ୍ରତୀତ ହେବାରେ ଲାଗିଥାଏ । ସେହି ପର୍ଯ୍ୟାୟଟି ଯେତିକି ଶୀଘ୍ର କଟିଯାଇ ପାରେ; ମଣିଷ ସକାଶେ ତାହା ସେତିକି ମଙ୍ଗଳମୟ ହୋଇଥାଏ । ମଣିଷ ଏହି ସବୁଟି ଭିତରେ ଆପଣାକୁ ଆବିଷ୍କାର କରେ । ଆପଣା ଭିତରେ ଏହି ସବୁଟିକୁ ଅନୁଭବ କରେ । ଜୀବନକୁ ବଞ୍ଚିବା କହିଲେ ସେତେବେଳେ ସତେଅବା କେଉଁ ସ୍ଵଭାବ ପ୍ରଣୋଦିତ ଅଂଶଗ୍ରହଣକୁହିଁ ବୁଝାଉଥାଏ । ତା’ପରେ ଉପଭୋଗରୂପୀ ସଂଜ୍ଞାଟିର ଯାବତୀୟ ଖିଅ କୁଆଡ଼େ ହାତଛଡ଼ା ହୋଇଯାଏ, ଜୀବନର ଅଭିଧାନରୁ ଏକାବେଳେକେ ପାସୋର ଯାଏଁ । ସେତେବେଳେ ସବୁ ପାଇଥିବା ପରି, ଅର୍ଥାତ୍ ଏହି ସବୁଟି ମଧ୍ୟରେ ରହିଥିବା ପରି ମନେହୁଏ । ସେତେବେଳେ ମାଗିବାପାଇଁ ଆଉ କିଛିହେଲେ ନଥାଏ,–ଆଉ କିଛିହେଲେ ସଂଗ୍ରହ କରିବାର ବା ଛଡ଼ାଇ ଆଣିବାର ନଥାଏ । କୃତଜ୍ଞତାହିଁ ଜୀବନର ସହଜ ରୀତିରେ ପରିଣତ ହୁଏ,–ନିଜର ଜୀବନକୁ ଏକ ଆଶୀର୍ବାଦ, ଅହରହ ଆଶୀର୍ବାଦ ପରି ମନେହୁଏ । ଜୀବନ ଧନ୍ୟ ହୁଏ ।

 

୯ । ୧୧ । ୮୧

 

ମୁଁ ଭୀରୁ ହୋଇ ବସିଥିବା ପର୍ଯ୍ୟନ୍ତ ମୁଁ କେବଳ ନିଜକୁହିଁ ଦେଖୁଥିବି । ଭୀରୁ କେବଳ ନିଜକୁହିଁ ଦେଖେ, ନିଜକୁ ସିଏ ଏକ କାଳ୍ପନିକ ଅତି ଅହଂକାରର ପ୍ରାଚୀର ତିଆରି କରି ତାହାରି ଭିତରେ ଅତିମାତ୍ରାରେ ଲୋଚାକୋଚା ହୋଇ ବସିଥାଏ । ଭୀରୁର କୌଣସି ଦେଶ ନଥାଏ, କୌଣସି ସମାଜ ନଥାଏ, କୌଣସି ଧର୍ମ ନଥାଏ କି କୌଣସି ଭଗବାନ ନଥାନ୍ତି । କାରଣ, ନିଜଲାଗି ଯଥାର୍ଥ ଭାବରେ ଏକ ଦେଶ, ଏକ ସମାଜ, ଏକ ଧର୍ମ ଏବଂ ଏକ ଭଗବାନ ଅର୍ଜନ କରିବାକୁ ହେଲେ ଆଗ ନିଜକୁ ଦେବାଲାଗି ପ୍ରସ୍ତୁତ ହେବାକୁ ହୁଏ, ଆଉ କାହାଲାଗି ବଞ୍ଚିବାର ଯୋଗ୍ୟବି ହେବାକୁ ହୁଏ । ଭୀରୁ ତାହା କରି ପାରେନାହିଁ ।

 

ବର୍ତ୍ତମାନ ଯେଉଁ ଦୁଃସମୟ ଆମ ଚାରିପାଖରେ ଘେରି କରି ରହିଛି, ଏହି ଭୀରୁମାନେହିଁ ଅତ୍ୟଧିକ ସଂଖ୍ୟାରେ ତାହାକୁ ଅତ୍ୟନ୍ତ ଉତ୍ତପ୍ତ ଓ ଅତ୍ୟନ୍ତ ବାସ୍ତବ କରି ରଖିଛନ୍ତି । ଭୀରୁମାନେ ଉଚ୍ଚ ଥାନମାନଙ୍କରେ ବସିଲେ କାଳ ଉପରେ ଯେଉଁ ଦୁର୍ଗତି ଆସି ପହଞ୍ଚେ, ଏବେ ଆମେ ସେହି ଦୁର୍ଗତିଗୁଡ଼ାକ ଭିତରେ ଘାଣ୍ଟି ହେବାରେ ଲାଗିଛୁ । ନିଜକୁ ପ୍ରାୟ ଅସମର୍ଥ କରି ଅଯୋଗ୍ୟ କରି ବାନ୍ଧି ରଖିଥିବା ଦଉଡ଼ିଗୁଡ଼ାକ ଆମେ ମୋଟେ କାଟି ପାରୁନାହୁଁ । ତେଣୁ ଆପଣାକୁ ଘୃଣା କରୁଛୁ, ଆପେ ଆପଣାର ବଇରୀ ହୋଇ ରହିଛୁ ଏବଂ ବାହାରେ ମଞ୍ଚମାନଙ୍କରେ ଚମତ୍କାର ଅଭିନେତା ହୋଇ ରହିଛୁ । ଆମେ ଯାହା ପ୍ରକୃତରେ ନୋହୁ, ବାହାରେ ତାହାହିଁ ଦେଖାଇ ହେବାକୁ ଚେଷ୍ଟା କରୁଛୁ ଏବଂ ଅନ୍ଧାରଗୁଡ଼ାକୁ ଆହୁରି ବହଳ କରି ତାହାରି ଭିତରେ ଆପଣାର ଉତ୍ତାପ ଓ ପ୍ରତାପ ଦେଖାଇ ହେବାରେ ଲାଗିଛୁ । ସ୍ଵୟଂ ଭଗବାନ ମଧ୍ୟ ସତେଅବା ଆମକୁ ଡରି ଆମଭିତରେ ଚୁପ୍ ହୋଇ ରହି ଯାଇଛନ୍ତି ।

 

୧୦ । ୧୧ । ୮୧

 

ଏହି ହସହସ ଧାନବିଲ ପରି ମଣିଷ ମଧ୍ୟ ସଂସାରକୁ ଅନାଇ ଦେବା ମାତ୍ରକେ ହୃଷ୍ଟ ହୋଇଉଠି ପାରୁଥାନ୍ତା । ଗାଁକୁ ବେଷ୍ଟନ କରି ରହିଥିବା ଏହି ସକାଳଟି ଯେପରି ଆକାଶଗୋଟାକୁ ଏପରି ନୀରବ ଅଥଚ ଏପରି ନିକଟ କରି ରଖିଛି । ମଣିଷ ମଧ୍ୟ ଠିକ୍ ସେହିପରି ଭିତରକୁ ଅଥବା ବାହାରକୁ ଅନାଇଦେବା ମାତ୍ରକେ ସେହିପରି ନୀରବ ହୋଇ ପାରୁଥାନ୍ତା । ଓ ଆପଣାର ଅତି ନିକଟରେ ଆସି ବସି ପାରୁଥାନ୍ତା । ଭିତରକୁ ଓ ବାହାରକୁ ଅନାଇଦେବା ମାତ୍ରକେ ସିଏ ସତେଅବା ଅତି ଅନ୍ତରଙ୍ଗ କାହାକୁ ଯାଇ ସ୍ପର୍ଶ କରି ଆସିବାପରି ଅନୁଭବ କରି ପାରୁଥାନ୍ତା । ଆପଣାର ଜୀବନରେ ପରସ୍ପରକୁ ସ୍ଵୀକାର କରିନେଇ ପାରୁଥିଲେ ଅର୍ଥାତ୍ ଆପଣା ଭିତରେ ପରସ୍ପର ଲାଗି ଥାନ କରି ପାରୁଥିଲେ ହୁଏତ ସେକଥା ସମ୍ଭବ ହେଉଥାନ୍ତା । ଦୁଃଖ ଭିତରେବି ସୌହାର୍ଦ୍ଦ୍ୟ ରହିଥାନ୍ତା, ନାନାବିଧ ଅଭାବ ଭିତରେ ତଥାପି କୌଣସି ଅଭାବବୋଧର ତାଡ଼ନା ସହ୍ୟ କରିବାକୁ କଦାପି ପଡ଼ୁନଥାନ୍ତା । ଏକ ସଖ୍ୟଭାବ ମଣିଷର ନିକଟବର୍ତ୍ତୀ କରି ରଖିଥାନ୍ତା ।

 

ସେହିପରି ଏକ ସମାଜ, ଅର୍ଥାତ୍ ସେହିପରି ଏକ ସଖ୍ୟହିଁ ଆମର କାମ୍ୟ ହୋଇ ରହୁ । ଆଧ୍ୟାତ୍ମିକତା କହିଲେ ଆମଲାଗି ପ୍ରାୟ ସେହିପରି ଏକ ଅନ୍ତରଙ୍ଗ ପାରସ୍ପରିକତାକୁ ସବାଆଗ ବୁଝାଉ । ଯେତେପ୍ରକାର ବିଦ୍ଵେଷ, ଦୂରତା ଅର୍ଥାତ୍ ଭୟଭାବନା ଆମକୁ ପରସ୍ପରଠାରୁ ଦୂର କରି ରଖିଛି, ପରସ୍ପର ପାଖରେ ଅତିରିକ୍ତ ପରିମାଣରେ ହିଂସ୍ର କରି ରଖିଛି ଓ ଆପଣା ପାଖରେ ଅତ୍ୟଧିକ ପରିମାଣରେ ଉତ୍ତେଜିତ କରି ରଖିଛି ଏକ ପାରସ୍ପରିକତାର ଅଭାବରୁହିଁ ତାହା ଘଟିଛି । ସାମାଜିକ ଓ ନୈତିକ ସମ୍ପର୍କର ସ୍ତରରେ ହୁଏତ ଆମ ଗାଁମାନଙ୍କରେ ସେହିପରି ଏକ ପାରସ୍ପରିକତା କିଞ୍ଚିତ୍ ପରିମାଣରେ ରହିଥିଲା । ମାତ୍ର, ସମୟ ବଦଳିଯିବା ହେତୁ ତାହା ନଷ୍ଟ ହୋଇଗଲା । ସେହି ପାରସ୍ପରିକତାକୁ ଏକ ଆଧ୍ୟାତ୍ମିକ ଭୂମି ଉପରେ ପ୍ରତିଷ୍ଠିତ କରିବା, ଗାଁର ଯାବତୀୟ ଉଦ୍ୟମ ସବାଆଗ ସେଇଥିଲାଗି ଉଦ୍ଦିଷ୍ଟ ହୋଇ ରହୁ ।

 

୧୧ । ୧୧ । ୮୧

 

କାଲି ବକ୍ତା କହିଲେ, ବର୍ତ୍ତମାନ ସହିତ ଖାପ ଖାଇ ଚଳିବାକୁ ହେବ ଏବଂ ଭବିଷ୍ୟତ ଲାଗି ଅପେକ୍ଷା କରି ରହିବାକୁ ହେବ । ଭବିଷ୍ୟତ ଲାଗି ଅପେକ୍ଷା କରି ରହିଥିଲେ ଭବିଷ୍ୟତ କଦାପି ଆସେନାହିଁ । ଅର୍ଥାତ୍ ଯେଉଁଭଳି ଏକ ଭବିଷ୍ୟତ ଆସୁ ବୋଲି ଆମେ ଇଚ୍ଛା କରୁଛୁ, ସେହି ଭବିଷ୍ୟତଟି କେବେହେଲେ ଆସେନାହିଁ । ଚତୁର ମଣିଷମାନେ ସବୁ ଯୁଗରେ ଭବିଷ୍ୟତ ଲାଗି ଅପେକ୍ଷା କରି ରହିଥିବା ସଙ୍ଗେ ସଙ୍ଗେ ବର୍ତ୍ତମାନ ସହିତ ଖାପ ଖୁଆଇ ନିଜକୁ ଚଳାଇ ନେବାରେ ଲାଗିଥାନ୍ତି । ଅର୍ଥାତ୍, ଯେତେବେଳେ ଭବିଷ୍ୟତ ବର୍ତ୍ତମାନରେ ପରିଣତ ହୁଏ, ସେତେବେଳେ ମଧ୍ୟ ସେଇଟି ସହିତ ଚତୁର ଭାବରେ ଆପଣାକୁ ଖାପ ଖୁଆଇ ନେବାକୁହିଁ ପୁରୁଷପଣ ବୋଲି ମନେ କରୁଥାନ୍ତି ।

 

ଭବିଷ୍ୟତକୁ ସକ୍ରିୟ ଭାବରେ ଆକାଂକ୍ଷା କରିପାରିଲେ ଯାଇ ଭବିଷ୍ୟତ ସମ୍ଭବ ହୁଏ । ତା’ ନହେଲେ ଏକ ପୁନରାବୃତ୍ତିର ଚିତ୍ର ଭିତରେ ସତତ ଘୂରୁଥିବାହିଁ ଭାଗ୍ୟ ହୋଇ ରହିଥାଏ । ଅଧିକାଂଶ ମଣିଷ ଏହିପରି ଘୂରିବାରେ ଲାଗିଥାନ୍ତି । ସେମାନେ ଖାପ ଖାଇ ଚଳିବାକୁ ଧର୍ମ ବୋଲି ଗ୍ରହଣ କରି ନେଇଥାନ୍ତି । ଖାପ ଖାଇଯିବାକୁ ପ୍ରଧାନତମ ନିରାପତ୍ତା ବୋଲି ଗ୍ରହଣ କରୁଥିବା ଲୋକମାନେ କୌଣସି ପରିବର୍ତ୍ତନରେ ଅଂଶଗ୍ରହଣ କରି ପାରନ୍ତି ନାହିଁ । ସେମାନେ ଯଥାର୍ଥ ବଞ୍ଚିବାରେ ଆଦୌ କୌଣସି ଭାଗ ନେଇ ପାରନ୍ତିନାହିଁ । ସେମାନେ ଏହି ଗାଡ଼ଟା ଭିତରେ ସଫଳ ହୁଅନ୍ତି, ଗାଡ଼ର ଜୀବନଟାକୁ ଯଥାସମ୍ଭବ ସରସ କରି ରହିବାକୁ ଚେଷ୍ଟା କରୁଥାନ୍ତି । ତଥାପି ଗାଡ଼ଗୁଡ଼ାକର ଆଦୌ କିଛି କରି ପାରନ୍ତି ନାହିଁ । ନିଜଭିତରେ ରହିଥିବା ଗାଡ଼ଗୁଡ଼ାକୁ ସତେଅବା ଶାଶ୍ଵତ ବୋଲି ମାନି ନେଇଥିଲେ ସମ୍ଭବତଃ ଏହିପରି ଦୁର୍ଦ୍ଦଶା ଭୋଗ କରିବାକୁ ପଡ଼ିଥାଏ ।

 

୧୨ । ୧୧ । ୮୧

 

ବେଳେବେଳେ ଆପଣା ଭିତରେ ରହିଥିବା ଅଭ୍ୟସ୍ତ ଓ ଅତୀତଟା ଭାରି ଟାଣୁଥାଏ । ତଳ ପାହାଚଟା ଭାରି ଟାଣୁଥାଏ । କେତେ ପ୍ରକାରର ମୋହ ସେହି ତଳଟା ସହିତ ବାନ୍ଧିକରି ରଖିଥାଏ, ଛାଡ଼ି ଆସିଥିବା ସେହି ନାଟକମାନେ ପୁନର୍ବାର ଅଭିନୀତ ହେବାକୁ ମନ କରୁଥାନ୍ତି, ମୋତେ ତାହାରି ଭିତରେ ସତେଅବା ଏକ ପରାଭୂତ ହିରୋ କରି ରଖିବାକୁ ମନ କରୁଥାନ୍ତି ।

 

ସେତିକିବେଳେ ଆପଣା ଭିତରେ ନାନା ଦୁର୍ଗତି ଭୋଗ କରିବାକୁ ପଡ଼ିଥାଏ । ଯେତେବେଳେ ସବୁକିଛିକୁ ପ୍ରସ୍ତୁତ କରି ଆଗକୁ ଯିବାଲାଗି ଗୋଡ଼ଗୁଡ଼ାକ ତିଆରି ହୋଇ ବସିଥାନ୍ତି ସେତିକିବେଳେ ହଠାତ୍ ଆପଣା ଭିତରର ପୁରୁଣାଗୁଡ଼ାକ ଦଉଡ଼ି ଧରି ଗୋଡ଼କୁ ବାନ୍ଧି ରଖିବାପାଇଁ ବାହାରି ପଡ଼ନ୍ତି । ହଠାତ୍ ମନେ ହୁଏ, ମୁଁ ଯେପରି ପ୍ରକୃତରେ ଯଥାର୍ଥ ଭାବରେ ପ୍ରସ୍ତୁତ ହୋଇ ପାରିନାହିଁ । ସେତେବେଳେ ଆପଣାପ୍ରତି ସତେଅବା ଗୋଟାଏ ପ୍ରକାରର ଗ୍ଳାନି ଆପଣାକୁ ଆସି ମାଡ଼ି ବସିବାପରି ମନେ ହୁଏ । ଆପଣାକୁ ଭାରି ଦରିଦ୍ର ପରି ଲାଗେ, ଆପଣାର ସବୁ ଦେବତା ସତେଅବା ଭୂମିଟିକୁ ଛାଡ଼ି ଚାଲି ଯାଇଥିବା ପରି ମନେ ହୁଅନ୍ତି । ତଥାପି ସେତେବେଳେ ମଧ୍ୟ ଆପଣା ଉପରେ କୌଣସି ବିରକ୍ତି ପ୍ରକାଶ କଲେ ମୋଟେ ଚଳେନାହିଁ । ଭିତରେ ତଥାପି ହୃତ ସୂତ୍ରଗୁଡ଼ିକୁ ସଂଗୃହୀତ କରି ଆଣିବାକୁ ହୋଇଥାଏ । ଆପଣାର ଘରଟି ଭିତରେ ପଶି ତଥାପି ଆହୁରି ଅଧିକ ଶାନ୍ତଭାବରେ ଓ ଅଧିକ ଶ୍ରଦ୍ଧାର ସହିତ ଆପଣାକୁ ଫେରି ପାଇବା ଓ ଆପଣାକୁ ଅନୁଭବ କରିବା ଆବଶ୍ୟକ ହୋଇଥାଏ । ତାହାରି ଫଳରେ କ୍ରମେ ନିଜକୁ ଫେରିପାଇବା ସମ୍ଭବ ହୁଏ, ଆପଣାକୁ ପୁଣି ସ୍ଵୀକାର କରି ଆଣିହୁଏ ।

 

୧୩ । ୧୧ । ୮୧

 

ଏହି କ୍ଳାନ୍ତି,–ଏହା ଏକ ନୂତନ କର୍ମବେଗର ପୂର୍ବସୂଚନା; ଏହି ଉଦାସୀନତା, ଏହା ଏକ ନୂତନ ଜାଗରଣର ପୂର୍ବସୂଚନା । ଏହି ପ୍ରତ୍ୟାହାର ଏହି ଏକ ନୂତନ ପ୍ରତ୍ୟାବର୍ତ୍ତନର ସୂଚନା । ଭିତରେ ଯେତେବେଳେ ଏହିପରି ଏକ ପ୍ରସ୍ତୁତି ଆରମ୍ଭ ହୋଇଯାଏ, ସେତେବେଳେ ବାହାରେ ଆପଣାକୁ ନେଇ ସବୁ ଯେପରି ଭାରି ଶୂନଶାନ୍ ଲାଗେ । ଅର୍ଥାତ୍ କିଛି ଭଲ ଲାଗେନାହିଁ । ପୁରୁଣା ପାଣ୍ଠିଗୁଡ଼ାକ ଏକାବେଳେକେ ସରି ଯାଇଥିବା ପରି ମନେହୁଏ । ଚିହ୍ନା ବାଟଗୁଡ଼ାକ ସତେଅବା ନିର୍ଜନ ହୋଇ ଆଖିଆଗରେ ପଡ଼ି ରହିଥାନ୍ତି । ସେଗୁଡ଼ାକ ଉପରେ ଯିବାକୁ ମୋଟେ ମନ ହୁଏନାହିଁ-

 

ସେତେବେଳେ ନୀରବ ହୋଇ ଅପେକ୍ଷା କରିବାକୁ ହୁଏ । ଯାହା ଆସୁଛି, ତାହା ଲାଗି ପ୍ରସ୍ତୁତ ହେବାକୁ ହୁଏ । ଆପଣାକୁ ମଙ୍ଗାଇ ଆଣିବାକୁ ପଡ଼େ । ଆପଣା ଭିତରେ ଉପଯୁକ୍ତ ଆସ୍ଥାନଟିଏ ତିଆରି କରି ଆଣିବାକୁ ହୁଏ । ଆପଣାକୁ ବାଧ୍ୟ କରୁଥିବା ପର୍ଯ୍ୟନ୍ତ ଏଗୁଡ଼ାକ ପ୍ରାୟ ମୋଟେ ହୁଏନାହିଁ । ଅଥବା, ଅକାରଣରେ ଅନେକ ଯନ୍ତ୍ରଣା ସହ୍ୟ କରିବାକୁ ହୁଏ । ଆପଣା ପାଖରେ ଅନେକ ଭୁଲ୍‍ବୁଝାର କାରଣ ହେବାକୁ ହୁଏ । ମୁଁ ଆପଣାକୁ ଭୁଲ୍ ବୁଝିବିନାହିଁ । ମୁଁ ଗୋଟିଏ ହୋଇ ଆପଣା ପାଖକୁ ଫେରି ଆସିବି । ଗୋଟିଏ ହୋଇ ଅପେକ୍ଷା କରି ଶିଖିବି । ଚତୁର୍ଦ୍ଦିଗକୁ ସତେଅବା ଗୋଟିଏ ଆତ୍ମୀୟତାରେ ପରିଣତ କରି ଆପଣା ଭିତରେ ସମ୍ଭାରି ରଖିବାକୁ ଚେଷ୍ଟା କରିବି । ବାଟଗୁଡ଼ାକୁ ଗୋଟିଏ କରି ସଜାଡ଼ି ଆଣିବି । ତେବେ ଯାଇ ହେବ । ତେବେଯାଇ ଆଗକୁ ବାଟ ଦେଖାଯିବ । ଆପଣା ପାଖରେ ବିଡ଼ମ୍ବିତ ହେବାକୁ ନ ମଙ୍ଗିବା ପର୍ଯ୍ୟନ୍ତ ସବୁ ହେବ । ଭ୍ରାନ୍ତ ହୋଇ ବୁଲିବାର ସବୁ ଅସ୍ତବ୍ୟସ୍ତତା ସମାପ୍ତ ହେବ । ପରବର୍ତ୍ତୀ ସମର୍ପଣର ମୁହୂର୍ତ୍ତଟି ଆସି ପହଞ୍ଚିଯିବ ।

 

୧୪ । ୧୧ । ୮୧

 

ପ୍ରତ୍ୟେକଟି ଦିବସ ଶିଶୁଦିବସ, ଅର୍ଥାତ୍ ଶିଶୁଲାଗି ଉତ୍‌ସୃଷ୍ଟ ହୋଇ ରହିଥିବା ଗୋଟିଏ ଦିବସ । ଶିଶୁ ମୋ’ ବାହାରେ ନାହିଁ, ଶିଶୁ ମୋ’ ଭିତରେ ମଧ୍ୟ ରହିଛି । ନିଜଭିତରେ ଶିଶୁଟିକୁ ଅନୁଭବ କରି ନପାରିଲେ ବାହାରେ ତଥାକଥିତ ଶିଶୁମାନଙ୍କୁ ମଧ୍ୟ ଶିଶୁ ବୋଲି ସ୍ଵୀକାର କରି ହୁଏନାହିଁ । ସେମାନଙ୍କୁ କେହି ସମ୍ପତ୍ତିରୂପେ ଦେଖେ, କେହି କଞ୍ଚା ମାଟିପରି ଦେଖେ ଏବଂ ଆଉ କେହି ଆନନ୍ଦଦାୟକ ଏକ ଖେଳନା ପରି ଦେଖିଥାଏ । ନିଜଭିତରେ ବୟସ୍କଟାର ଦୌରାତ୍ମ୍ୟ ଏତେ ପ୍ରବଳ ହୋଇ ରହିଥାଏ ଯେ, ଆପଣା ସହିତ ଏକ ଶିଶୁର ଆଖି ଓ ଶିଶୁର ହୃଦୟକୁ ଜିଆଇ ରଖିବା ମୋଟେ ସମ୍ଭବ ହୁଏନାହିଁ । ସେତେବେଳେ ଶିଶୁମାନଙ୍କ ଭବିଷ୍ୟତ ବୋଲି କହି ସେମାନଙ୍କୁ ନାନାପ୍ରକାରେ ପ୍ରବଞ୍ଚିତ କରାଯାଏ । ସେମାନଙ୍କର ବର୍ତ୍ତମାନକୁ ନାନାଭାବେ ଅବହେଳିତ କରି ରଖାଯାଇଥାଏ ।

 

ରାଜନୀତିଠାରୁ ଆରମ୍ଭ କରି ବିଦ୍ୟାଳୟଗୃହ ପର୍ଯ୍ୟନ୍ତ ଯେତେବେଳେ କେବଳ ବୟସ୍କମନର ଉତ୍ତପ୍ତତାମାନ ଜାରି ହୋଇ ରହିଥାଏ, ସେତେବେଳେ ବାହାରେ ଅଳପବୟସମାନଙ୍କୁ ସନ୍ତୁଷ୍ଟ କରି ରଖିବାର କାର୍ଯ୍ୟକ୍ରମଦ୍ଵାରା ସଂସାରର ବିଶେଷ କୌଣସି ଲାଭ ହୁଏନାହିଁ । ଆଜିର ପିଲାମାନେ କାଲି ଗୋଟିଏ ଗୋଟିଏ ବୟସ୍କ ହୋଇ ପାରିବେ ବୋଲି ବୟସ୍କମାନଙ୍କୁ ମଡ଼େଲ୍‍ରୂପେ ମାନି ତିଆରି ହେବାରେ ଲାଗିଥାନ୍ତି । ସମ୍ପର୍କ ଓ ଜୀବନଦୃଷ୍ଟିର ଜଞ୍ଜିରଗୁଡ଼ାକ ଆମର ଯାବତୀୟ ଶିକ୍ଷା ଓ ନୈତିକତା ସମ୍ବନ୍ଧୀ ବରାଦଗୁଡ଼ାକୁ କଷିକରି ବାନ୍ଧି ରହିଥାଏ । ତେଣୁ, ତଥାକଥିତ ଶିଶୁମାନେ ମଧ୍ୟ ଶିଶୁଦିବସର ସମାରୋହଦ୍ଵାରା ଖୁବ୍ ବେଶୀ ଉପକୃତ ହୋଇ ପାରନ୍ତିନାହିଁ ।

 

୧୫ । ୧୧ । ୮୧

 

ସୌଭାଗ୍ୟ ପିଲାଦିନେ ଗାଁକୁ ନେଇ ସ୍ଵପ୍ନ ଦେଖୁଥିଲା । ଗାଁର ସକାଳ ଆଉ ସଞ୍ଜ ତାକୁ କେଡ଼େ ଭଲ ଲାଗୁଥିଲା । କାକରମଡ଼ା ଘାସ ଉପରେ ଚାଲିଗଲା ବେଳକୁ ସିଏ କେତେ ପୁଲକ ଅନୁଭବ କରୁଥିଲା । ବିଲକୁ ବା ଗୋଠକୁ ସଜ ହୋଇ ବାହାରିଥିବା ସହଜ ଓ ସମର୍ପିତ ମଣିଷମାନଙ୍କୁ ଦେଖି ସିଏ କେଡ଼େ ହାଲୁକା ହୋଇ ଯାଉଥିଲା । ଏମାନଙ୍କୁ ସମସ୍ତଙ୍କୁ ନେଇ ସେ କବିତା ଲେଖୁଥିଲା କେଡ଼େ ସୁନ୍ଦର କବିତା ଲେଖିପାରୁଥିଲା । ନିଜକୁ ଗୋଟାସୁଦ୍ଧା ଦେଇଦେଲେ ଅଭିବ୍ୟକ୍ତି ଯେତିକି ସୁନ୍ଦର ହୁଏ, ତା’ କବିତାମାନ ସେତିକି ସୁନ୍ଦର ହେଉଥିଲା । ସଚେତନ ଭାବରେ ସ୍ଵପ୍ନ ଦେଖି ସୌଭାଗ୍ୟ ସମଗ୍ର ପୃଥିବୀ ସହିତ ଆପଣାକୁ ଯୁକ୍ତ କରି ରଖିଥିଲା । ପୃଥିବୀର ଏକ ଭବିଷ୍ୟ ରହିଛି ବୋଲି ବିଶ୍ଵାସ କରୁଥିଲା ଏବଂ ସେହି ଭବିଷ୍ୟଟିକୁ ସମ୍ଭବ କରିବାର ଅଭିକ୍ରମରେ ନିଜକୁ ସଂଯୁକ୍ତ କରି ରଖିବାକୁହିଁ ସର୍ବୋଚ୍ଚ ଶ୍ରଦ୍ଧା ବୋଲି ଦେଖୁଥିଲା ।

 

ସୌଭାଗ୍ୟ ବଡ଼ ହୋଇ ଏବେ କେବଳ ନିଜକୁ ନେଇ ସ୍ଵପ୍ନ ଦେଖୁଛି । କଲେଜରେ ପିଲାମାନଙ୍କୁ ପାଠ ପଢ଼ାଇଲାବେଳେ ମଧ୍ୟ ସିଏ ତଥାପି ନିଜକୁ ଅର୍ଥାତ୍ ନିଜର ନାନା ଭବିଷ୍ୟର ସମ୍ଭାବ୍ୟ ଗଣ୍ଠିଗୁଡ଼ାକୁ ମୋଟେ ଭୁଲି ପାରୁନାହିଁ । ନିଜ ଚାକିରି ନିଜର ଅଗ୍ରଗତି ଅର୍ଥାତ୍ ଉଚ୍ଚରୁ ଉଚ୍ଚତର ସ୍ଥାନରେ ଅବସ୍ଥାପିତ ହେବା ଓ ପ୍ରତିଯୋଗିତାଗୁଡ଼ିକରେ ଜିତିବା,–ଏବେ ଏଇଗୁଡ଼ାକହିଁ ତା’ର ଆପଣା ପାଖରେ ସର୍ବପ୍ରଧାନ ଦଇନିରେ ପରିଣତ ହୋଇ ସାରିଲାଣି । ସୌଭାଗ୍ୟ ଆଧୁନିକ ହେଲାଣି । ଅର୍ଥାତ୍, ନିଜକୁ ଯଥାସମ୍ଭବ ବିଚ୍ଛିନ୍ନ କରି ରଖି ସିଏ ଆପଣାକୁହିଁ ଯାବତୀୟ ବିଶ୍ଵର କେନ୍ଦ୍ର ବୋଲି ଗଣିଲାଣି । ବିଶ୍ୱକୁ କେନ୍ଦ୍ର ବୋଲି ଜାଣି ଆପଣାକୁ ଏକ ନିମିତ୍ତ ବୋଲି ପ୍ରେମିକ ବୋଲି ଅନୁଭବ କରିବାର ପାଠଟାକୁ ସିଏ କୋଉ ପଛରେ ଛାଡ଼ିଦେଇ ଆସିଲାଣି । ସିଏ ଏବେ ବଡ଼ ହୋଇଗଲାଣି ।

 

୧୬ । ୧୧ । ୮୧

 

ସାହିତ୍ୟରେ ସଭାର ପର୍ଯ୍ୟାୟ ସରି ଆସିଲା । ପ୍ରାୟ ଶହେବର୍ଷରୁ ଅଧିକ କାଳ ହେବ ସାହିତ୍ୟକୁ ନେଇ କେତେ ସଭା ହେଲା । କେତେ କଥାକୁହା ହେଲା,–ସାହିତ୍ୟପ୍ରତି ଆମର ଯେ କେତେ ଆନୁଗତ୍ୟ ଓ ଅନୁରାଗ ରହିଛି, ଆମେ କଥା ଜରିଆରେ ସେହି କଥାଟିକୁ କେତେ ଛଳରେ ପରସ୍ପର ଆଗରେ ପ୍ରକାଶ କରି ଆସିଲୁ । ଏବଂ ସେହି ବାଟ ଦେଇ ପରସ୍ପର ପାଖରେ ଭାରି ଅନ୍ତରଙ୍ଗ ହୋଇ ରହିଗଲୁ ।

 

ଏଥର ସାହିତ୍ୟରେ ଅନ୍ତରଙ୍ଗତାର ପର୍ଯ୍ୟାୟ ଆସିବ । ସାହିତ୍ୟରେ ସଭାର ପର୍ଯ୍ୟାୟରେ ଆମେ ରୋମାଣ୍ଟିକ୍ ପର୍ଯ୍ୟାୟରୁ ଆଧୁନିକ ପର୍ଯ୍ୟାୟ ଯାଏଁ ଆସିଲୁ । ତଥାପି ପ୍ରାୟ ସେହି ଭାବପ୍ରବଣତାର ପର୍ଯ୍ୟାୟ ଭିତରେ ଭାରି ଦୟନୀୟ ଭାବରେ ଅଟକି ରହିଗଲୁ । ପରସ୍ପରର ନିକଟବର୍ତ୍ତୀ ହୋଇ ପାରିଲୁନାହିଁ । ଆଧୁନିକତା ନାଆଁରେ କୃତ୍ରିମତା ବଢ଼ିଲା କୃତ୍ରିମତାରୁ ଏକ ଜ୍ଵରଗ୍ରସ୍ତ ବିଚ୍ଛିନ୍ନତାବୋଧ ଆସି ପହଞ୍ଚିଲା; ସାହିତ୍ୟରେ ମୂଳତଃ ଯାହାକୁ ଲୋଡ଼ିବା କଥା, ତାହାକୁ ଛାଡ଼ି ଆମେ ଆହୁରି ଅନେକ କିଛିକୁ ଲୋଡ଼ିଲୁ । ପରସ୍ପର ପାଖରେ ଅତ୍ୟନ୍ତ ହାସ୍ୟାସ୍ପଦ ଭାବରେ ବର୍ଜିତ ହୋଇ ରହିଗଲୁ । ତଥାପି କଥା କହିବାର ଓ କଥାଦ୍ଵାରା ପରସ୍ପରକୁ ମୋହିତ କରି ରଖିବାର ଜ୍ଵର ଏତେ ଟିକିଏବି କମିଲା ନାହିଁ । ଆମ ସାହିତ୍ୟ ଆମକୁ କେତେଭଳି ଅଭିନୟ ଓ କେତେଭଳି ଅଳଙ୍କାରରେ ମଣ୍ଡାଇ ରଖିଲା । ଏଥର ସାହିତ୍ୟରେ ଅନ୍ତରଙ୍ଗ ଯୁଗ ଆସିବ । ବଡ଼ ସଭାରେ ଧାରାଟିକୁ ଛାଡ଼ି ସାନ ସାନ ଗୋଷ୍ଠୀଆଲୋଚନାର ପର୍ଯ୍ୟାୟଟି ଆରମ୍ଭ ହେବ । ସାହିତ୍ୟର ମାଧ୍ୟମରେ ମଣିଷ ମଣିଷକୁ ଲୋଡ଼ିବ, ମଣିଷର ଅଧିକ ନିକଟବର୍ତ୍ତୀ ହେବାଲାଗି ଆଗ୍ରହୀ ହେବ । ସାହିତ୍ୟ ଆମ ପରସ୍ପର ମୁହଁ ଉପରେ ମୁଖାଗୁଡ଼ାକୁ ଖସାଇ ପକାଇବାକୁହିଁ ଅଧିକ ଆଗ୍ରହ ରଖିବ । ଆମ ସାହିତ୍ୟ ପରସ୍ପର ପାଖରେ ଆମକୁ ଅଧିକ ଉନ୍ମୋଚିତ କରି ପାରିବାର ବାସନା ରଖିବ । ଅନ୍ତରଙ୍ଗତା ବଢ଼ାଇବ । ଏବଂ, ସେହି ଅନ୍ତରଙ୍ଗତାରୁହିଁ ଏକ ନୂତନ ସମ୍ପର୍କର ଭିତ୍ତି ପଡ଼ିବ, ଏକ ନୂତନ ସ୍ଵପ୍ନର ସାହାସ ଆମ ସାମୂହିକ ଭୂମିଗୁଡ଼ିକୁ ମଧ୍ୟ ସଂକ୍ରମିତ ହୋଇଯାଇ ପାରିବ ।

 

୧୭ । ୧୧ । ୮୧

 

ସାହିତ୍ୟପାଇଁ ସମସ୍ତେ ମନ କରନ୍ତିନାହିଁ । ଆପଣାକୁ ଅଭିବ୍ୟକ୍ତ କରିବା ଆପଣାକୁ ଉନ୍ମୋଚିତ କରିଦେବା ଓ ଆପଣାକୁ ସମର୍ପି ଦେବାରେ ଯେତେ ମାଧ୍ୟମ ରହିଛି, ସାହିତ୍ୟ ହେଉଛି ସେଥିଭିତରୁ ଗୋଟିଏ ମାଧ୍ୟମ । ଅବଶ୍ୟ ଏକଥା ସତ ଯେ ଏଗୁଡ଼ାକ ମୋଟେ ମନ ନକରୁଥିବା ଅନେକ ଲୋକ ସାହିତ୍ୟ ନାମରେ କେତେକଅଣ ଲେଖନ୍ତି । ଭାଷାକୁ ଏକ ମଣ୍ଡଳ ଦେବାରେ କେତେ କୌଶଳକୁ ହାସଲ କରନ୍ତି,–ତଥାପି ଆପଣା ଭିତରେ ସେମାନେ ସାହିତ୍ୟର ସୀମାକୁ ମୋଟେ ମାଡ଼ି ପାରନ୍ତିନାହିଁ । ସେମାନେ ତଥାପି ବାହାରେ ବାହାରେ ରହିଛନ୍ତି । ଯେତିକି ଅଧିକ ପରିମାଣରେ ସାହିତ୍ୟକୁ ଆତ୍ମସାତ୍ କରିବାକୁ ମନ କରୁଥାନ୍ତି; ସେତିକି ସାହିତ୍ୟଘରୁ ବାହାର ହୋଇ ରହିଥାନ୍ତି ।

 

ସାହିତ୍ୟ ପ୍ରସାରଣର ଏକ ମାଧ୍ୟମରୂପେ ବ୍ୟବହୃତ ହୋଇପାରେ । ନିଜକୁ ପ୍ରସାରିତ କରିବାକୁ ଯାଇ ଅନେକ ମଣିଷ ଗ୍ରାସ କରିବାର ଏକ ପ୍ରଚଣ୍ଡ ଇଚ୍ଛାକୁହିଁ ପ୍ରକଟ କରି ଦେଇଥାନ୍ତି । ଏଭଳି ମଣିଷମାନେବି କେତେକଅଣ ଲେଖନ୍ତି କେତେ ଶ୍ରୀମନ୍ତ ଶୈଳୀର ଅଧିକାରୀ ହୁଅନ୍ତି, ତଥାପି ଆପଣାର ବାଡ଼ଗୁଡ଼ାକ ଭିତରେ ଏକଘରକିଆ ହୋଇ ରହିଛନ୍ତି । ସେମାନଙ୍କ ଭିତରେ କେତେକଅଣ ଅଧିକାର କରିବାର ପାଚେରୀଗୁଡ଼ାକ କ୍ରମଶଃ ଅଧିକରୁ ଅଧିକ ଉଚ୍ଚ ହେବାରେ ଲାଗିଥାଏ । ପ୍ରସାରଣ ବୋଲି ଗୋଟିଏ ଧର୍ମ ଅଛି ବୋଲି ସେମାନେ କେବେହେଲେ ଶିକ୍ଷା କରି ପାରନ୍ତିନାହିଁ । କାହାରି ଅସଲ ଗାରଗୁଡ଼ାକୁ ସେମାନେ ମୋଟେ ଛୁଇଁ ପାରନ୍ତିନାହିଁ । ଏହି ପ୍ରବୃତ୍ତିଗୁଡ଼ାକ ଯେତେବେଳେ ଅଧିକରୁ ଅଧିକ ବଳିୟାର ହେବାରେ ଲାଗନ୍ତି, ସେତେବେଳେ ଶଗଡ଼ ଶଗଡ଼ ସାହିତ୍ୟ ଲେଖା ଯାଉଥିଲେ ମଧ୍ୟ ତଥାପି ମଣିଷମାନେ ଭାରି ବିଚ୍ଛିନ୍ନ ହୋଇ ରହିଥାନ୍ତି, ଦୂରତାଗୁଡ଼ାକ ମଣିଷମାନଙ୍କର ଜୀବନକୁ ରାକ୍ଷସ ପରି ମାଡ଼ି ବସିଥାଏ ।

 

୧୮ । ୧୧ । ୮୧

 

ଯହୁଁ ଯହୁଁ ପାଖକୁ ଯାଉଛି, ଜନ୍ମ ଆଉ ମୃତୁ ମଧ୍ୟରେ ମୋ’ ଭାବନା ଭିତରେ ରହିଥିବା ବ୍ୟବଧାନଟି ସେତିକି ସେତିକି ହ୍ରାସ ହୋଇ ଆସୁଥିବା ପରି ଲାଗୁଛି । ଏହି ସବୁଯାକ ମୃତ୍ୟୁ ମୋତେ ସତେଅବା ନବ ଜନ୍ମଲାଗି ପ୍ରସ୍ତୁତ କରିନେବାରେ ଲାଗିଛି । ଜନ୍ମ ହେବାଲାଗି ମୃତ୍ୟୁର ଏକ ଆବଶ୍ୟକତା ରହିଛି । ସେହି ଜନ୍ମଭିତରେହିଁ ଯାବତୀୟ ମୃତ୍ୟୁ ଆପଣାର ପରିପୂର୍ଣ୍ଣତା ଅର୍ଥାତ୍ ପରମ ସାର୍ଥକତା ଲାଭ କରିବାରେ ଲାଗିଛି । ତେଣୁ, ମୋ’ ଲାଗି ଆଉ ମୃତ୍ୟୁର ଦିନ ବୋଲି କିଛି ନାହିଁ । ସବୁଯାକ ଦିନ ଜନ୍ମଦିନ ପରି ଲାଗୁଛି, କେବଳ ଜନ୍ମର ସ୍ପର୍ଶହିଁ ଦେଇ ଯାଉଛି । ଅନ୍ୟମାନେ ଯାହାକୁ ଶ୍ରାଦ୍ଧଦିବସ ବୋଲି ପାଳନ କରୁଛନ୍ତି, ମୁଁ ତାହାକୁ କେବଳ ଏକ ଶ୍ରଦ୍ଧାର ଦିବସ ବୋଲି ଅନୁଭବ କରୁଛି । ଶ୍ରଦ୍ଧାଦ୍ଵାରା ସବୁକିଛିକୁ ମୁଁ ଅତ୍ୟନ୍ତ ନିକଟରେ ପାଉଛି । ସ୍ପର୍ଶ କରି ପାରିବାପାଇଁ ଯେତିକି ନୈକଟ୍ୟ ଆବଶ୍ୟକ ସେତିକି ନିକଟରେ ପାଉଛି ।

 

ମୁଁ ହୁଏତ କାହାକୁ କେବେହେଲେ ହରାଇନାହିଁ । ବାହାରକୁ ଯିଏ ପାଖରେ ଥିବାପରି ଦିଶୁନାହିଁ, ତାହାକୁ ମୁଁ ନିଜ ଭିତରେ ଏକାବେଳେକେ ମୋ’ର ଯାବତୀୟ ଗଭୀରତାକୁ ସ୍ପର୍ଶ କରି ରହିଥିବା ପରି ଅନୁଭବ କରୁଛି । ମୋ’ର ଯାବତୀୟ ବାଟ ଚାଲିବାରେ ତାହା ପ୍ରେରଣା ହୋଇ ରହିଛି । ଠିକ୍ ମାଆଟିଏ ପରି ହୋଇ ରହିଛି । ତେଣୁ, ମୁଁ ଯାହାକୁ ନିଜ ଭିତରେ ଦେଖୁଛି, ବିଶ୍ଵମୟ ଦେଖୁଛି, ଠୁଳ ଦିନଗୁଡ଼ିକର ଭିଆଣ କରି ମୁଁ ତାହାକୁ ଠୁଳ ଆୟତନ ଭିତରେ ଠାବ କରିବାକୁ ମନ ବଳାଇବି କାହିଁକି ?

 

୧୯ । ୧୧ । ୮୧

 

କାଲି ସିନେମାଘରେ ଦେଢ଼ଘଣ୍ଟା ବସି ଆଖି କ’ଣ ହୋଇଗଲା । ଅନ୍ତରୀକ୍ଷର ବିଭିନ୍ନ ତାରାରେ ବାସ କରୁଥିବା ଯନ୍ତ୍ରଧନୀ ମଣିଷମାନଙ୍କ ଭିତରେ ଯୁଦ୍ଧ ଓ ଗୋଟିଏ ତାରାର ଅଧିବାସୀମାନଙ୍କର ବିଜୟଲାଭ ଏହି ଚିତ୍ରଟିର ବିଷୟବସ୍ତୁ ।

 

ସେଇ ଚିତ୍ରରେ ମଣିଷମାନେ ଅନିଭୟ କରୁଥିଲେ ସତ, ମାତ୍ର ଖାଲି ଅତ୍ୟାଧୁନିକ ଅସ୍ତ୍ରହିଁ ତାହାରି ବଳରେ ଅପରକୁ ହତ୍ୟା କରିବାର ଉଦ୍ଦାମତା,–ଏଇଗୁଡ଼ାକ ଭିତରେ ମଣିଷଗୁଡ଼ାକ ସତେଅବା କୁଆଡ଼େ କେତେ ତଳେ ପୋତିହୋଇ ରହିଥିଲେ । ଦୃଶ୍ୟପରେ ଦୃଶ୍ୟର ସେହି ଘୋ’ ଘୋ’ ଢୋ’ ଢୋ’ ଭିତରେ ମୁଁ କୋଉଠି ହୁଏତ ଗଛଟିଏ କି ଫୁଲଟିଏ ଦେଖିବି ବୋଲି ବ୍ୟାକୁଳ ହୋଇ ରହିଥିଲି । ମଣିଷ କ’ଣ ଅଧିକ ଜ୍ଞାନୀ ଏବଂ ଅଧିକ କୁଶଳ ହେଲେ ଏହିପରି ଦୁର୍ଦ୍ଦାନ୍ତ ହୁଏ-? ମହାକାଶ ଭିତରେ ପ୍ରବେଶ କରି ଚତୁର୍ଦ୍ଦିଗକୁ ଅନାଇଦେବା ବେଳକୁ ମଣିଷ ତ କେଡ଼େ ଶାନ୍ତ ହୋଇ ଯାଉଥାନ୍ତା । ଅସୀମତା ଭିତରେ ତା’ର ସମସ୍ତ ହୃଦୟ ମଧ୍ୟରୁ ଏକ ବିସ୍ମୟମୟ କୃତଜ୍ଞତାହିଁ ପ୍ରକଟ ହୋଇ ଆସୁଥାନ୍ତା,–ସମଗ୍ର ଚିତ୍ରଟି ଭିତରେ ଏଗୁଡ଼ାକ ମୋଟେ କିଛି ନାହିଁ । ଅସ୍ତ୍ର ଫୁଟାଫୁଟିର ଶବ୍ଦଗୁଡ଼ାକ ସତେଅବା ମୋ’ ହୃଦୟ ଉପରେ ଯାଇ ବାଜୁଥିଲା ଏବଂ ମୋ’ର ଆଖିଗୁଡ଼ାକୁ ଭାରି ଯନ୍ତ୍ରଣା ଦେଉଥିଲା । ଯେଉଁମାନେ ଏପରି ଚିତ୍ର ତିଆରି କରନ୍ତି, ସେମାନଙ୍କୁ ପ୍ରକୃତରେ ଧନ୍ୟ ବୋଲି କହିବାକୁ ପଡ଼ିବ । ମଣିଷମାନେ ଦେଖିବେ ବୋଲି ମୋଟେ ମଣିଷ ନଥିବା ଏପରି ଚିତ୍ରଗୁଡ଼ାକୁ ସେମାନେ କାହିଁକି ତିଆରି କରନ୍ତି କେଜାଣି ? ଖାଲି ପଶୁମାନଙ୍କୁ ନେଇ ତିଆରି ହୋଇଥିବା ଚିତ୍ରରେ ମଧ୍ୟ ଅନେକ ସମୟରେ କେତେ କୋମଳତା ଓ ଆର୍ଦ୍ରତା ପୂରି ରହିଥାଏ । ମାତ୍ର, ମଣିଷଗୁଡ଼ାଙ୍କୁ ଏପରି କୁଶଳୀ ପଶୁପରି ଦେଖାଇ ନିର୍ମାତାମାନେ ଆମକୁ କ’ଣ କହିବାକୁ ଇଚ୍ଛା କରୁଥାନ୍ତି ?

 

୨୦ । ୧୧ । ୮୧

 

ସମାଜ ବଦଳି ଯାଉଛି, ତା’ ସହିତ ଆମେବି ବଦଳି ଯାଉଛୁ । ବୈଜ୍ଞାନିକମାନେ ବଦଳିବାର ସେହି ଧାରାଟିର ଅଧ୍ୟୟନ କରୁଛନ୍ତି । ଆମକୁ ତଥ୍ୟ ଯୋଗାଉଛନ୍ତି, ତଥ୍ୟସମ୍ପଦରେ ଆମକୁ ସେମାନେ କେତେପ୍ରକାରେ ଧନୀ କରିବାରେ ଲାଗିଛନ୍ତି । ସମାଜ ସହିତ ମଣିଷ ସ୍ରୋତର କୁଟାଖିଏ ପରି ହୋଇ ଭାସିଯାଉଛି ଏବଂ ଖୁବ୍ ବେଶୀ ହେଲେ ସେହି ସ୍ରୋତଟି ସହିତ ଯତ୍‍ପରୋନାସ୍ତି ଚତୁରତା ଓ ସତର୍କତା ସହିତ ଆପଣାକୁ ଖାପ ଖୁଆଇ ଚଳିବାକୁ ଚେଷ୍ଟା କରୁଛି,–ଏହିସବୁ ତଥ୍ୟସମ୍ପଦରୁ ଆମର ଏତିକି ଯାହା ଲାଭ ହେଉଛି ।

 

ମଣିଷ ଭିତରେ ଅନ୍ତତଃ ଏତିକି ବଳ ମିଳନ୍ତା, ଯାହାଫଳରେ କି ସିଏ ଆପଣାର ମନୋମତ ନହେବା ମାତ୍ରକେହିଁ ସମାଜର ସ୍ରୋତକୁ ବଦଳାଇ ପାରନ୍ତା ଓ ନିତାନ୍ତ ଅସହାୟ ହୋଇ ପଡ଼ିବାକୁହିଁ ସର୍ବୋତ୍କୃଷ୍ଟ ବିଧାନ ବୋଲି ମାନି ନିଅନ୍ତା ନାହିଁ; ମଣିଷଲାଗି ବର୍ତ୍ତମାନ ସେହିପରି ଏକ ବିଧାନର ଆବଶ୍ୟକତା ରହିଛି । ଅନ୍ତତଃ ମଣିଷ ସେହି ସ୍ରୋତର ପ୍ରତିରୋଧ କରି ପାରନ୍ତା, ବଳବାନ୍ ଭାବରେ ସେହି ସ୍ରୋତଗତିର ପ୍ରତିବାଦ କରି ପାରନ୍ତା । ମଣିଷ କାଳକ୍ରମେ ଅଧିକ ଅସହାୟ ହେବାରେ ଲାଗିଛି ଏବଂ ସମାଜ ନାମରେ ନାନା ଦୌରାତ୍ମ୍ୟ ତା’ ଉପରେ ପ୍ରବଳରୁ ପ୍ରବଳତର ହୋଇ ଚାଲିଛି; ଏହି ପ୍ରକ୍ରିୟାଟିକୁ କେବଳ ଭ୍ରାନ୍ତିଶୂନ୍ୟ ବୈଜ୍ଞାନିକ ଢଙ୍ଗରେ ଅଧ୍ୟୟନ କଲେ ମଣିଷର ଅସହାୟତା ତୁଟିବନାହିଁ କି ତାକୁ ସମାଜକୁ ବଦଳାଇ ପାରିବାର ବଳ କଦାପି ମିଳିବ ନାହିଁ । ସେଥିଲାଗି ଏକ ଅନ୍ୟ ବଳ ଦରକାର, ଅନ୍ୟ ସଂକଳ୍ପ ଦରକାର; ଏକ ଅନ୍ୟ ମୂଲ୍ୟବୋଧବି ଦରକାର । ଏବଂ, ସେହି ମୂଲ୍ୟବୋଧଟିକୁ ଆଣିଦେଇ ପାରିବାଲାଗି ଏକ ଅନ୍ୟପ୍ରକାର ଅନ୍ତର୍ବାସନା ଦରକାର, ଏକ ଅନ୍ୟପ୍ରକାରର ଶ୍ରଦ୍ଧା ଦରକାର ।

 

୨୧ । ୧୧ । ୮୧

 

ସେହି ବିଶାଳ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ କହିଲେ, ‘ଘରେ ମୋ’ର ସ୍ତ୍ରୀ ଆଉ ମୁଁ ସର୍ବଦା କଥାବାର୍ତ୍ତା ହେଉଛୁ ମୁଁ କେବେ ଅଧ୍ୟକ୍ଷପଦରୁ ଅବ୍ୟାହତି ପାଇବି, ଅବସର ଗ୍ରହଣ କରିବି । ତା’ପରେ ଯାଇ ମୋ’ର ଯାହାକିଛି କରିବାର ଇଚ୍ଛା ବା କହିବାର ଇଚ୍ଛା, ତାହା କରିପାରିବି ଓ କହି ପାରିବି । ଅବ୍ୟାହତ ଭାବରେ ତାହା କରିପାରିବି ଓ କହିପାରିବି ।

 

ଯିଏ ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ଆପଣାର ଅସଲ କଥାଟିକୁ କହିବ ବୋଲି ଅପେକ୍ଷା କରି ରହିଥାଏ, ସିଏ ଆପଣାର କଥାଗୁଡ଼ିକୁ କହି ପାରିବାର କେତେକେତେ ଅବସର ହରାଇ ପାରିବା ପରେ ହୁଏତ ଚାକିରି ସରିଯିବା ପରେ ସବୁକଥା କହିବ ବୋଲି ଅପେକ୍ଷା କରି ରହିଥାଏ । ସିଏ ଅବସର ଗ୍ରହଣ କରି ସାରିବା ପରେ ମଧ୍ୟ ଆଦୌ କିଛି କହି ପାରେ ନାହିଁ । ଅବସରଗୁଡ଼ିକୁ ଗଡ଼ାଇ ଗଡ଼ାଇ ତା’ର ଜୀବନ ଅତିବାହିତ ହୋଇଯାଏ, ତା’ ହାତରୁ ଖସି ଚାଲିଯାଏ । ଯିଏ ଏହି ଯୁଗରେ ନିଜକୁ ଜଣେ ଶିକ୍ଷକ ବୋଲି ଭାବୁଥିବ ଅର୍ଥାତ୍ ଆପଣାକୁ ପ୍ରଧାନତଃ ଏକ ଶିଖିବାର ଦୃଷ୍ଟି ନେଇ ଜଗତରେ ପ୍ରବୃତ୍ତ କରି ରଖିଥିବ, ସିଏ କଦାପି ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ଅପେକ୍ଷା କରି ରହି ପାରିବନାହିଁ । ଏହି ଅପେକ୍ଷା କରି ରହିବାର ସଙ୍କୁଚିତତା ହେତୁ ସିଏ କ୍ରମଶଃ ଆପଣା ପାଖରେ ଆପଣାର ପ୍ରତ୍ୟୟଟିକୁ ମଧ୍ୟ ହରାଇ ଦେବାରେ ଲାଗିଥିବ । ବାହାରେ ଏକ ଚମତ୍କାର ଭୃତ୍ୟ ହିସାବରେ ରାଜାମାନଙ୍କର ସକଳ କାର୍ଯ୍ୟକୁ ସେ ନିଖୁଣ ଭାବରେ କରିବାରେ ଲାଗିଥିବ ଜଣେ ଦକ୍ଷ ପ୍ରଶାସକ ହିସାବରେ ସମସ୍ତଙ୍କ ପାଖରେ ବାହାଦୁରି ପାଉଥିବ । ମାତ୍ର ଆପଣା ସହିତ ତଥା ଜଗତ ସହିତ ଅସଲ ସଖ୍ୟସୂତ୍ରଟିକୁ ହୁଏତ ମୋଟେ ପାଇନଥିବ । ତେଣୁ, ଆପଣା ପାଖରେ ମୁଖ୍ୟତଃ ଚୋର ହୋଇ ରହିଥିବ ଏବଂ ଆପଣା ପାଖରୁ ନାନା ଆଡ଼ମ୍ବର ସହିତ ଲୁଚି ବୁଲିବାରେ ଲାଗିଥିବ ।

 

୨୨ । ୧୧ । ୮୧

 

ଖିଅ ଲଗାଇ ଆପଣାକୁ ଦେଖିଲା ବେଳକୁ ଆପଣାକୁ କେଡ଼େ ଭଲ ଲାଗେ । ଖିଅ ଲଗାଇ ଆପଣାକୁ ଛୁଇଁଲା ବେଳକୁ ଆପଣାକୁ ଭାରି ଆପଣାର ଲାଗେ । ଠିକ୍ ସେହିପରି ଖିଅ ଲଗାଇ ଏହି ଜଗତରେ ଯାହାକିଛିକୁ ଦେଖୁଥିବା ସମୟରେ ସେଗୁଡ଼ିକ କେଡ଼େ ଭଲ ଲାଗନ୍ତି; ଖିଅ ଲଗାଇ ଏହି ଜଗତରେ ଯାହାକିଛିକୁ ସ୍ପର୍ଶ କରୁଥିଲାବେଳେ ମଧ୍ୟ ସେଗୁଡ଼ିକ ପ୍ରକୃତରେ କେଡ଼େ ଭଲ ଲାଗନ୍ତି, କେଡ଼େ ଆପଣାର ଲାଗନ୍ତି । ସୀମାଗୁଡ଼ାକ କେତେ କୁଆଡ଼େ ବିସ୍ତୃତ ହୋଇ ଯାଆନ୍ତି, ସୀମାଗୁଡ଼ାକ ସତେଅବା ପରସ୍ପର ସହିତ ଏକାଠି ଛନ୍ଦି ହୋଇ ଯାଆନ୍ତି ଓ ମିଳାଇ ଯାଉଥିବା ପରି ଲାଗନ୍ତି । ଆପଣାକୁ ଅସୀମ ପରି ଲାଗେ । ମୋ’ର ଏହି ମୁହୂର୍ତ୍ତଗୁଡ଼ାକ ସତେଅବା କୁଆଡ଼େ ମନ କୁଆଡ଼େ ଛନ୍ଦି ହୋଇ ରହିଥିବା ପରି ମନେ ହୁଅନ୍ତି । ତା’ପରେ, ଜୀବନର ସର୍ବପ୍ରଥମ ସଂଜ୍ଞାରୂପେ ଯାହାକିଛି ଚେତନା ଉପରେ ଆସି ଧରାଦିଏ, ତାହାକୁ କେବଳ ଆତ୍ମୀୟତା ବୋଲିହିଁ କୁହାଯାଏ । ଏହି ଆତ୍ମୀୟତା ନିଜକୁ ମଧ୍ୟ ନିଜ ପାଖରେ ଭାରି ଆତ୍ମୀୟ କରି ରଖିଥାଏ ।

 

ଏହି ଖିଅ ପ୍ରକୃତରେ କେତେ କୁଆଡ଼େ ବିସ୍ତୃତ ହୋଇ ରହିଛି । ଲୋଡ଼ିଲା ବେଳକୁ ସେହି ଖିଅ ହାତପାଖରେ ରହିଛି, ପୁଣି ଉଡ଼ିଯିବାକୁ ମନ କଲାବେଳକୁ ତାହା ସତେଅବା ଏହି ସମସ୍ତ ବିଶ୍ଵକୁ ଆଲୋଡ଼ିତ କରି ରହିଛି । ତା’ପରେ; ବାଦ, ମାର୍ଗ, ଧାରା ଓ ରୀତି ପ୍ରଭୃତି ନାମରେ ଆମେ କାଳକ୍ରମେ ଯେତେ ଯେତେ ଆୟତନକୁ ଆବୋରି ଧରି ବସିଛି, ଏବଂ ସେହି ଗଣ୍ଠିଗୁଡ଼ାକୁହିଁ ଆପଣା ଅବଲମ୍ବନର ଅସଲ ହୃଦୟ ବୋଲି ବିଶ୍ଵାସ କରିବାରେ ଅଭ୍ୟସ୍ତ ହୋଇ ରହିଛୁ, ସେହି ଆୟତନର ଗାରଗୁଡ଼ାକ ମଧ୍ୟ କୁଆଡ଼େ ମିଳାଇ ମିଳାଇ ଯାଏଁ । ସେଇଥିଲାଗି ଏଠି ଅନେକ ନୈରାଶ୍ୟରୁ ରକ୍ଷା ମିଳେ । ଅନେକ ବିନାଶରୁ ରକ୍ଷା ମିଳେ । ଆକାଶକୁ ଅନାଇଦେବା ମାତ୍ରକେ ଏହି ସଂସାର ଆପଣାର ଘର ପରି ମନେହୁଏ । ଏଠୁ ଛାଡ଼ି ଆଉ କୁଆଡ଼େ ପଳାଇଯିବା ଲାଗି ଆଦୌ ମନ ହୁଏ ନାହିଁ ।

 

୨୩ । ୧୧ । ୮୧

 

ଗ୍ରାମଜୀବନର ପୁରୁଣା ଗଣ୍ଠିଗୁଡ଼ାକ ଛିଡ଼ିଯାଇ ସାରିଲାଣି । ଆଗେବି ଗାଁରୁ କେତେ ମଣିଷ ବାହାରକୁ ଯାଇ ଚାକିରି କରୁଥିଲେ । ସତ, ମାତ୍ର ସେମାନଙ୍କର ଅସଲ ଜୀବନ ଆସ୍ଥାନଟି ଗାଁ ସହିତହିଁ ଗୁରାଇ ତୁରାଇ ହୋଇ ରହିଥିଲା । ଗାଁର ଜୀବନ ଓ ସଂହତି ଭିତରେହିଁ ସେମାନଙ୍କର ଜୀବନର ପିଣ୍ଡଟି ପୋତାହୋଇ ରହିଥିଲା । ଏବେ ସେକଥା କ୍ରମେ ବଦଳି ଗଲାଣି । ବର୍ତ୍ତମାନ ଯେଉଁମାନେ ଗାଁ ଛାଡ଼ି ସହରରେ ଚାକିରି କରୁଛନ୍ତି, ସେମାନେ ଆପଣାର ପ୍ରାୟ ଯାବତୀୟ ଅନୁରକ୍ତିର ଭୂମିରେବି ସହରକୁ ଆଦରି ଗଲେଣି । ସେମାନେ ସେହି ସହରରୁହିଁ ଦଉଡ଼ିଗୁଡ଼ାକୁ ନେଇ ଗାଁର ଜୀବନରେ ନୂଆ ଗଣ୍ଠିମାନ ପକାଇବାକୁ ଆସୁଛନ୍ତି । ଗାଁ ଭିତରକୁ ସହରିଆ ସଂସ୍କାରର ସଂକ୍ରମଣ ହେଉଛି । ସହରରେ ମଣିଷମାନଙ୍କର କୌଣସି ଚେର ନାହିଁ, ତେଣୁ ଗାଁରେ ଜନ୍ମ ହୋଇଥିବା ବର୍ତ୍ତମାନର ସହରାବଲମ୍ବୀମାନେ ଗ୍ରାମର ଜୀବନରୁ ମଧ୍ୟ ଯାବତୀୟ ଚେରକୁ ଛିଡ଼ାଇ ଦେବାରେ ଭାରି ସାହାଯ୍ୟ କରୁଛନ୍ତି । ସହରର ପଇସା ଗାଁକୁ ଆସି ଗାଁରେ ଅର୍ଥଭିତ୍ତିକ ନୂଆ ଶ୍ରେଣୀ ଓ ତଜ୍ଜନିତ ନୂଆ ବିଚ୍ଛିନ୍ନତାମାନ ସୃଷ୍ଟି ହେଉଛି ଏବଂ ତେଣୁ ଆଗରୁ ରହି ଆସିଥିବା ଗୋଷ୍ଠୀଗତ ମୂଲ୍ୟବୋଧ ଏବଂ ନୈତିକତାଗୁଡ଼ାକ ଭାଙ୍ଗି ଭାଙ୍ଗି ଯାଉଛି । ଏବଂ, ସେହି କାରଣରୁହିଁ, ଗାଁରେ ନୂଆ ରାସ୍ତା, ନୂଆ ବତୀ ଏବଂ ନୂଆ ପକ୍କାଘରମାନ ତିଆରି ହେଉଥିଲେ ମଧ୍ୟ ଗ୍ରାମଜୀବନର ସେହି ସଂହତିଗତ ସରସତା କ୍ରମଶଃ ମରି ମରି ଯିବାରେ ଲାଗିଛି ।

 

ଯେଉଁମାନେ ନାନା କାରଣରୁ ସହରକୁ ଯାଇ ପାରିନାହାନ୍ତି ଓ ସେହି ଗାଁକୁହିଁ ଆପଣାର ଭୂମିରୂପେ ଗ୍ରହଣ କରି ଗାଁରେ ରହିଛନ୍ତି, ଏସବୁ ଦେଖି ସେମାନେ ବୋକାଙ୍କ ପରି ଅନାଇ ରହିଛନ୍ତି-। ଆପଣାର ପୁରୁଣା ଖଡ଼ିଗୁଡ଼ାକୁ ନେଇ ସେମାନେ ଏହି ନୂଆ ସଂକ୍ରମଣର ଅଙ୍କଗୁଡ଼ାକୁ ମୋଟେ ବୁଝି ପାରୁନାହାନ୍ତି । ସେଗୁଡ଼ିକର ସମ୍ମୁଖୀନ ହୋଇ ସେହି ଆକ୍ରମଣଗୁଡ଼ାକୁ ରୋକି ପାରିବା ତ ଆହୁରି ଦୂରର କଥା ।

 

୨୪ । ୧୧ । ୮୧

 

ଅସଲ ଦର୍ଶନ ହେଉଛି ସ୍ପର୍ଶନ । ଅସଲ ଦେଖିବା ହେଉଛି ନିଜଭିତରେହିଁ ଦେଖିବା । ସିଏ ଯେ ମୋଟେ ଦୂରରେ ନାହାନ୍ତି, ସେହି ସତ୍ୟଟିକୁହିଁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଅନୁଭବ କରିବା ।

 

ଆମର ସକଳ କଥା, ସକଳ ପ୍ରାର୍ଥନା ଓ ସକଳ ନୀରବତା ଆମକୁ ପ୍ରଧାନତଃ ସେହି ସ୍ପର୍ଶଟିକୁ ଆଣିଦେବାରେହିଁ ସହାୟକ ହେଉ । ସତତ ନିକଟବର୍ତ୍ତୀ ହୋଇ ଆସୁଥିବାର ଅନୁଭୂତି; ତାହାହିଁ ଯଥାର୍ଥ ଅନୁଭୂତି । ସେହି ଅନୁଭୂତିଟିର ଜାତିନିରୂପଣ କରିବାଲାଗି ତାତ୍ତ୍ୱିକବନ୍ଧର ରଚୟିତାମାନେ କେତେକଅଣ ଶାସ୍ତ୍ରବଖାଣ କରନ୍ତି । ସେହି ଶାସ୍ତ୍ରଗୁଡ଼ାକୁ ଆମେ ମୋଟେ ଗୋଟାସୁଦ୍ଧା ଅସାର ବୋଲି କହି ପାରିବାନାହିଁ ସତ, ମାତ୍ର ଅସଲ ସାରଟି ନିଜଭିତରେହିଁ ଅନୁଭୂତ ହୁଏ । ଭିତରର ସେହି ଅନୁଭୂତି ବାହାରର କୌଣସି ସନ୍ତକ ଉପରେ ନିର୍ଭର କରେନାହିଁ । ଏବଂ, ଭିତରେ ନିକଟବର୍ତ୍ତୀ ହୋଇ ଆସୁଥିବା ପର୍ଯ୍ୟନ୍ତ ବାହାରେ ଖିଅ ଛିଡ଼ିଗଲା ପରି ଆଦୌ ମନ ହୁଏନାହିଁ । ମାତ୍ର, ଭିତରେ ଗତିଟି କୌଣସି କାରଣରୁ ବନ୍ଦ ହୋଇ ଆସୁଥିବା ପରି ଲାଗୁଥିଲେ ବାହାରେ ସେହି ଦାରିଦ୍ର୍ୟଟିକୁ ନାନାପ୍ରକାର ବାହ୍ୟ ଉପଚାରଦ୍ଵାରା ଗୁରାଇ ତୁରାଇ ଲୁଚାଇ ରଖି ଏକ କ୍ଷତିପୂରଣ ସମ୍ଭବ କରାଇବାର ଚେଷ୍ଟା କରାଯାଉଥାଏ । ପୃଥିବୀର ନାନା ଧର୍ମରେ ଏହି କ୍ଷତିପୂରଣ ମୂଳକ ଧନ୍ଦାଗୁଡ଼ାକହିଁ ଅପେକ୍ଷାକୃତ ଅଧିକ ପରିମାଣରେ ଲାଗିଥାଏ । ତାହାପାଇଁ ଧର୍ମଭିତରେ କେତେ ମାମଲତ୍‍କାର ଆସି ପ୍ରବେଶ କରନ୍ତି ଓ ତା’ପରେ ମଠ, ସମ୍ପ୍ରଦାୟ ପ୍ରଭୃତିର ମଣ୍ଡନରେ ଅସଲ ଆକାଶଟି ଘୋଡ଼ାଇ ହୋଇ ରହିଯାଏ । ଅସଲ ବ୍ୟାକୁଳତାଟି ମଧ୍ୟ ପ୍ରତିହତ ହୋଇ ରହିଯାଏ । ଆଜିର ଏହି ପବିତ୍ର ଦିନଟିର ସ୍ପର୍ଶ ମୋତେ ଅଧିକରୁ ଅଧିକ ନିକଟବର୍ତ୍ତୀ ହେବାଲାଗି ଅଧିକ ଯୋଗ୍ୟ କରିଆଣୁ ।

 

୨୫ । ୧୧ । ୮୧

 

ଠିକ୍ ପଇଁଚାଳିଶବର୍ଷ ତଳେ ଯୋଉ ସ୍କୁଲ୍‍ରେ ପାଠ ପଢ଼ିଥିଲି, କାଲି କୌଣସି ଏକ ଉପଲକ୍ଷ୍ୟରେ ସେହିଠାକୁ ଯାଇଥିଲି । ଯିବାମାତ୍ରକେ ପଇଁଚାଳିଶବର୍ଷ ତଳର ସେହି ସ୍ଥାନଟି ସହିତ କେତେ ସ୍ମୃତି ଯୋଡ଼ି ହୋଇଗଲା । ସେହି କାଳର କୌଣସି କଥା ଆଜିପର୍ଯ୍ୟନ୍ତ ରହିଛି କି ନାହିଁ, ମୁଁ ଆଗ ସେଇକଥା ଖୋଜି ବାହାରିଲି । ଏବଂ, ସବାଆଗ ସେହି ପୁରୁଣା ପଣସଗଛଟା ଉପରେ ଯାଇ ଆଖି ପଡ଼ିଗଲା । ସେତେବେଳେ ଯେଉଁ ଘରମାନଙ୍କରେ କ୍ଲାସ୍ ହେଉଥିଲା ସେଗୁଡ଼ାକରେ ଇସ୍କୁଲ୍‍ର ଗୋଦାମଘର ହୋଇଛି । ଏବେ ଦୋ’ ଦୋମହଲା କୋଠାମାନ ତିଆରି ହେଲାଣି । ଆମେ ଯେଉଁ ଛାତ୍ରାବାସରେ ଥିଲୁ, ଖୁବ୍ ସମ୍ଭବ ସେଇଟି ମଧ୍ୟ ଆଉ ଦରକାର ହେଉନାହିଁ ।

 

ପଣସ ଗଛ ପାଖକୁ ପ୍ରଧାନ ଶିକ୍ଷକଙ୍କର ମର୍ମର ମୂର୍ତ୍ତି । ସିଏ ଆମକୁବି ପାଠ ପଢ଼ାଉଥିଲେ । ଆମକୁ କେତେ ପ୍ରେରଣା ଦେଇଥିଲେ, ଜୀବନରେ କେତେ ପଥର ସଙ୍କେତ ଦେଇଥିଲେ । ଏବେ ମଧ୍ୟ ସେହିସବୁ ପ୍ରେରଣା ନିଜ ଜୀବନରେ କେତେକେତେ କ୍ଷେତ୍ରରେ ମୂଳଦୁଆ ହୋଇ ରହିଛି । ପାଠପଢ଼ା କହିଲେ ଶ୍ରେଣୀ ବାହାରର ଶିକ୍ଷକ ଛାତ୍ର ସମ୍ପର୍କକୁ ଯେ ସବାଆଗ ବୁଝାଏ, ଆମର ସେହି ପ୍ରଧାନଶିକ୍ଷକଙ୍କର ମୂର୍ତ୍ତି ପାଖରେ ଠିଆ ହୋଇ ସେହି କଥାଟି ମୋ’ର ସବୁଠାରୁ ଅଧିକ ସ୍ପଷ୍ଟ ଭାବରେ ମନେ ପଡ଼ିଗଲା । ଆଜି ଇସ୍କୁଲ୍‍ମାନଙ୍କରେ ସେହି ସମ୍ପର୍କ ଲାଗି କୌଣସି ସ୍ଥାନ ନାହିଁ । ଏହି ପରିବର୍ତ୍ତନ ଶିକ୍ଷକ ବା ଛାତ୍ର କେଉଁ ତରଫରୁ ଆରମ୍ଭ ହୋଇଛି, ସେକଥା ହିସାବ କରି କହିବାକୁ ବେଳ ନାହିଁ । ସେହି ସମ୍ପର୍କ ପୁଣି ଫେରିଆସିବ, ସେଇଥିଲାଗି ତ ବର୍ତ୍ତମାନ ସୁଅ ବିରୁଦ୍ଧରେ ଏବେ ବାଟ ଚାଲିବାକୁ ପଡ଼ୁଛି !

 

୨୬ । ୧୧ । ୮୧

 

ମଣିଷ ଆଗ ମଣିଷପରି ବଞ୍ଚି ରହିବାକୁ ଚାହେଁ । ସେଇଥିଲାଗି ସିଏ ଏ ଧର୍ମ ବା ସେ ଧର୍ମ ଅବଲମ୍ବନ କରିବାକୁ ମନ କରେ । ନିଜର ମହତ୍ତମ ଓ ସମ୍ମାନିତତମ କଳ୍ପନାଟିକୁ ଆହୁରି ବଢ଼ାଇ ସିଏ ହୁଏତ ଭଗବାନଙ୍କର କଳ୍ପନା କରେ, ମନ୍ଦିରର କଳ୍ପନା କରେ, ନୀତିଶାସ୍ତ୍ରର କଳ୍ପନା କରେ,–ଏକ ସ୍ଵର୍ଗର ମଧ୍ୟ କଳ୍ପନା କରିଥାଏ ।

 

କାହାର ଦାସ ହୋଇ ମଧ୍ୟ ମଣିଷ କମ୍ ସମ୍ମାନିତ ଏବଂ କମ୍ ଉତ୍ତୋଳିତ ମନେ କରେନାହିଁ । ଏକ ସତ୍ୟକୁ, ଏକ ସତ୍ତାକୁ ଏବଂ ଏକ ଶକ୍ତିକୁ ଏହି ବିଶ୍ଵର ଅସଲ କର୍ତ୍ତା ଏବଂ ଅସଲ ମହିମାରୂପେ ସବୁଠାରୁ ବଡ଼ ଏବଂ ସର୍ବୋଚ୍ଚ ବୋଲି ସ୍ଵୀକାର କରିନେଇ ଓ ଆପଣାକୁ ତାହାରି ଦାସ ବୋଲି ମାନିନେଇ ମଣିଷ ଆପଣାକୁ କମ୍ ଐଶ୍ଵର୍ଯ୍ୟଶାଳୀ ଅନୁଭବ କରେନାହିଁ । ମଣିଷ ଥରେ ଆପଣାକୁ ମଣିଷ ବୋଲି ଅନୁଭବ କରି ଶିଖିଲେ ସିଏ ଆପଣାକୁ ତା’ର ଯାବତୀୟ ସନ୍ତକଠାରୁ ଅଧିକ ବଡ଼ ବୋଲି ଅନୁଭବ କରିବାକୁ ଆରମ୍ଭ କରେ । ଆପଣାର ଏହି ପରିଚୟଟିର ଭୂମି ଉପରେହିଁ ସିଏ ଆପଣା ସାମୂହିକ ଅସ୍ତିତ୍ଵର ଯାବତୀୟ ପରିମିତିକୁ ବିଚାର କରିବାକୁ ଲାଗେ-। ଆପଣାର ଭୂମିଟି ଉପରେହିଁ ସିଏ ଆପଣାର ଭଗବାନଙ୍କର ମଧ୍ୟ ବିଚାର କରେ । ମଣିଷ ନିଜ ଭିତରେ ଭଗବତ୍ ସତ୍ତାକୁ ଅନୁଭବ କରିବାର ସେହି ଅସଲ ଦୃଷ୍ଟି ଓ ଅସଲ ଆତ୍ମୀୟତାଟିକୁ ପାଇଗଲେ ସିଏ ଆଉ ବାହାରେ ଅତ୍ୟନ୍ତ ଅସମ୍ମାନିତ ଭାବରେ କାହାର ଖେଳନା ହୋଇ ରହେନାହିଁ । ନିଜ ଭିତରେ ସିଏ ସକଳ ବିଧାନର ଉତ୍ସଟିକୁ ଅନୁଭବ କରେ,–ନିଜ ଭିତରେ ରହିଥିବା ଅସଲ ଉତ୍ସଟିକୁ ଅନୁଭବ କରେ । ତା’ପରେ ସେହି ମଣିଷଦ୍ଵାରାହିଁ ସଂସାର ଏକ ମନ୍ଦିରର ସ୍ଵୀକୃତି ଲାଭ କରେ ।

 

୨୭ । ୧୧ । ୮୧

 

ଭିତରେ ଯଦି ଅନୁରାଗୀ ଅସଲ ‘ମୁଁ’ଟି ସତକୁସତ ସଜ ହୋଇ ରହିଥିବ, ତେବେ ପ୍ରକୃତରେ କେଡ଼େ ସହଜରେ ଏହି ଦୁଆରଟା ଖୋଲି ଯାଉନଥିବ ! ଦୁଆରଗୁଡ଼ାକ ଭିତରକୁ ଭିତରକୁ ପାଖୁଡ଼ା ପାଖୁଡ଼ା ହୋଇ ଫିଟି ଯିବାରେ ଲାଗିଥିବ । ବାହାର ଯେତେବେଳେ ଭିତରକୁ ଚିହ୍ନେ, ଭିତରକୁ ସ୍ପର୍ଶ କରିବାଲାଗି ସମ୍ମତି ପାଇଯାଏ, ଅର୍ଥାତ୍ ଭିତରଟା ଯେତେବେଳେ ବାହାରକୁ ଚିହ୍ନେ ଓ ବାହାରକୁ ଚିହ୍ନିବାଲାଗି ଆକୁଳ ହୋଇଉଠେ, ଯେତେବେଳେ ବାହାରେ ଅଥବା ଭିତରେ କୋଉଠିହେଲେ ଅଳପ ଆଉ ଆତ୍ମସର୍ବସ୍ଵ ହୋଇ ରହିବାକୁ ମୋଟେ ମନ ହୁଏନାହିଁ, ଯେତେବେଳେ ଜୀବନର ଯାବତୀୟ ତପସ୍ୟା ଏକ ଲୋଡ଼ିବାରେ ପରିଣତ ହୋଇଯାଏ, ସେତେବେଳେ ଦୁଆର ଆପେଆପେ ଖୋଲିଯାଏ, ସୀମାଗୁଡ଼ାକ କ୍ରମସମ୍ପ୍ରସାରିତ ହୋଇ ଯାଉଥିବା ଆକର୍ଷଣୀୟ ନାନା ଦିଗ୍‌ବଳୟରେ ପରିଣତ ହୋଇଯାଆନ୍ତି । ଏକଥା ଅତ୍ୟନ୍ତ ସ୍ଵାଭାବିକ ଭାବରେ ହୁଏ ।

 

ସେତେବେଳେ ବାହାରର ଏହି ଆଲୁଅ, ଏହି ସକାଳ, ଜଗତଯାକର ଏହି ସଖ୍ୟ,–ସବୁକିଛି ଏକାବେଳେକେ ଭିତରେ ଯାଇ ଅନୁଭୂତ ହୁଅନ୍ତି । ଭିତରଟା ଏତେଗୁଡ଼ାଏ ଲାଗି ସ୍ଥାନ କରିଦେଇ ମୋଟେ ଭାରି ଲାଗେନାହିଁ । ଆପଣାକୁ ଫୁଟି ଉଠିଥିବା ଫୁଲଟିଏ ପରି ଲାଗେ,–ଜଗତକୁ ଅନୁଭବ କଲା ମାତ୍ରକେ ଅର୍ଥାତ୍ ଅନାଇଦେବା ମାତ୍ରକେ କେବଳ ଯୋଡ଼ିଏ ପାଦହିଁ ଦେଖାଯାଏ, ଯାହାପାଖରେ କି ଆପଣାକୁ ଠିକ୍ ଫୁଲଟିଏ ପରି ନିବେଦନ କରିଦେଇ ହେବ !

 

୨୮ । ୧୧ । ୮୧

 

ଉଚ୍ଚ ଶିକ୍ଷା ପାଇଲେ ମଣିଷ ସଭ୍ୟ ହେବାକୁହିଁ ତା’ର ସ୍ଵାଭାବିକ ରୀତି ବୋଲି ଗ୍ରହଣ କରୁଥାନ୍ତା । ଅର୍ଥାତ୍, ଯେଉଁସବୁ ମୂଳ ପ୍ରବୃତ୍ତି ମଣିଷକୁ ମଣିଷ କରି ରଖେ, ସମ୍ବେଦନଶୀଳ କରେ, ନମନୀୟ କରେ, ଶ୍ରଦ୍ଧାଶୀଳ ଓ ଗ୍ରହଣଶୀଳ ହୋଇ ରହିବାରେ ସାହାଯ୍ୟ କରେ ଅଧିକ ପାଠ ପଢ଼ିଲେ ଓ ବୟସ ଅଧିକ ହେଲେ ମଣିଷ ସେହିସବୁ ପ୍ରବୃତ୍ତିକୁ ନିଜର ଜୀବନରେ ଏବଂ ନିଜର ଆଚରଣରେ ଅତ୍ୟନ୍ତ ସ୍ଵାଭାବିକ ଭାବରେ ସ୍ଵୀକାର କରି ନେଉଥାନ୍ତା । ବୟସର ଗୋଟାଏ ମର୍ଯ୍ୟାଦା ଅଛି, ବୟସରବି ଗୋଟାଏ ବୁଝିବା ଶକ୍ତି ରହିଛି । ପାଠର ଏକ ମର୍ଯ୍ୟାଦା ଓ ବୁଝିବା ଶକ୍ତି ରହିଥିବା ତ ଆହୁରି ଆବଶ୍ୟକ । ମାତ୍ର, ମଣିଷ ଯଦି ତା’ର ପିଲାଦିନେ ଯଥାର୍ଥ ଭାବରେ ପିଲା ହୋଇ ନଥିବ, ମୂଳତଃ ଜଣେ ପିଲା ହିସାବରେ ସ୍ଵୀକୃତି ପାଇନଥିବ, ଯଦି ସେ ସ୍ଵାଭାବିକ ଭାବରେ ଖେଳି ପାରିନଥିବ ଏବଂ ସ୍ନେହ ପାଇ ନଥିବ, ତେବେ ସିଏ ବଡ଼ ହେବା ମାତ୍ରକେ ସର୍ବପ୍ରଥମେ ପିଲାହିଁ ହେବାକୁ ମନ କରିବ । ତେଣୁ, ଅସ୍ଵାଭାବିକ ଭାବରେ ଖଳ ହେବ, ବଡ଼ ଅସ୍ଵାଭାବିକ ଭାବରେ ଉଗ୍ର ହେବ । ପ୍ରତିଶୋଧ ନେବ, ଟିକିଏ ଫାଙ୍କା ପାଇଲେ ଖାଲି ପଛକୁ ଯିବାକୁହିଁ ମନ କରିବ ।

 

ପିଲା ଦିନେ ପିଲା ହୋଇ ପାରିନଥିବା ଏହି ବଡ଼ମାନଙ୍କୁ ସେମାନଙ୍କର ପାଠ ସତେଅବା ଅଧିକ ଉଗ୍ର, ଅଧିକ ହିଂସ ଓ ଅଧିକ ଅନୁଭବହୀନ କରିବାରେ ସାହାଯ୍ୟ କରୁଛି । ତେଣୁ, ବୟସ ଅଧିକ ଦାୟିତ୍ଵସମ୍ପନ୍ନ ନହୋଇ ଅଧିକ ଦୁରାତ୍ମା ହେବାକୁ ମନ କରୁଛି ।

 

୨୯ । ୧୧ । ୮୧

 

ଯାହା ଅନ୍ତରର ପ୍ରାର୍ଥନା, ତାହାହିଁ ଏହି ଦେହର ମଧ୍ୟ ପ୍ରାର୍ଥନା, ଅନ୍ତରଭିତରୁ ଯାହା କିଛି ଆସେ, ତାହା ଦେହକୁ ଭେଦିକରି ଆସେ, ଦେହକୁ ସାଙ୍ଗରେ ନେଇ ଆସିଥାଏ । ଅନ୍ତରର ପ୍ରାର୍ଥନା ହେଉଛି ଏକ ସମଗ୍ର ସମ୍ମତି; ଏହା ସହିତ ଦେହ, ପ୍ରାଣ ଓ ମନ ସବୁଟିର ସମ୍ମତି ରହିଥାଏ । ତେଣୁ ଅନ୍ତର କହିଲେ ମୋ’ ଭିତରେ ତଳ ଛାଡ଼ି ରହିଥିବା ଅର୍ଥାତ୍ ତଳକୁ ଡରି ତଳଠାରୁ ଦୂର ହୋଇ ରହିଥିବା କୌଣସି ବିଶେଷ କ୍ଷେତ୍ର ବିଶେଷ ଯାନ୍ତ୍ରିକ ପ୍ରକ୍ରିୟାକୁ ମୁଁ ବୁଝେନାହିଁ । ଯାହା ସବୁକିଛିକୁ ଏକତ୍ର କରି ରଖିଛି, ମୋ’ର ଯାବତୀୟ ବାସନାକୁ ଗୋଟିଏ ବ୍ୟାକୁଳତାରେ ପରିଣତ କରି ରଖିଛି, ମୁହୂର୍ତ୍ତ ମୁହୂର୍ତ୍ତର କେତେ ଆଖିକୁ ସତେଅବା ଗୋଟିଏ ଆଖିରେ ପରିଣତ କରି ତାହାରିଦ୍ଵାରା ସବୁ ଦେଖୁଛି ଓ ସବୁକିଛିକୁ ଗ୍ରହଣ କରୁଛି, ମୁଁ ଅନ୍ତର କହିଲେ ସେହିପରି ଏକ ସମ୍ପଦକୁ ଅନୁଭବ କରିଥାଏ । ତାହା ମୋତେ କେଡ଼େ ସ୍ଵାଭାବିକ ଭାବରେ ଯେ ଭିତରୁ ସମ୍ପ୍ରସାରିତ ହୋଇ ବାହାର ସହିତ ମିଳାଇ ଦେଇଥାଏ ଓ ବାହାରକୁ ନିଜର ଏକାନ୍ତ ଭିତରକୁ ଠୁଳ କରି ଆଣିଥାଏ, ସେକଥା ମୁଁ ମୋଟେ ବୁଝି ପାରେ ନାହିଁ । ତା’ଲାଗି ବୁଦ୍ଧିର କୌଣସି ବଳ ପାଏନାହିଁ । ସେଇଥିଲାଗି ଭିତରକୁ ଅନାଇଦେବା ମାତ୍ରକେ ମୁଁ ସତେଅବା ଫୁଲଟିଏହିଁ ଦେଖିଥାଏ । ସେହି ଫୁଲଟି ଭିତରେ ଯଦି ମୁଁ ଦେହ, ପ୍ରାଣ ମନକୁ ଅଲଗାଅଲଗା କରି ଦେଖିବାର ଅପାଣ୍ଡିତ୍ୟ କରୁଥାନ୍ତି, ତେବେ ମୁଁ ପ୍ରକୃତରେ କେଡ଼େ ଭାଗ୍ୟହୀନ ନ ହୋଇଥାନ୍ତି !

 

୩୦ । ୧୧ । ୮୧

 

ବିରହ କୌଣସି ବିଶେଷ ବ୍ୟକ୍ତିଲାଗି ନୁହେଁ, ବିରହ ନିଜକୁ ବିଚ୍ଛିନ୍ନ ଓ ବିଲଗ କରି ରଖିବାର ବିରହ । ଏହି ଭିତରେ କୋଉଠି ଅଭିସାରିକାଟିଏ ରହିଛି, ବନ୍ଧୁଟିଏ ରହିଛି, ଯିଏକି ସମ୍ମିଳନ ଚାହୁଁଛି, ସଂସ୍ପର୍ଶ ଚାହୁଁଛି; ମାତ୍ର ମଝିରେ ଏତେସବୁ ନାନା ପାଚେରୀ ଠିଆ ହୋଇ ରହିଛି ଯେ, ସେହି ସମ୍ମିଳନ ସମ୍ଭବ ହୋଇ ପାରୁନାହିଁ ।

 

ତେଣୁ, ବିରହର ସର୍ବମୂଳ କାରଣ ନିଜଭିତରେ । ବାହାରର ଏହି ସବୁଟିକୁ ବନ୍ଧୁରୂପେ ପାଇବାକୁ ଯେଉଁ ବ୍ୟାକୁଳତାଟି ଜୀବନର ଅତ୍ୟନ୍ତ ଗଭୀରରେ ରହିଛି, ସେହି ବ୍ୟାକୁଳତାଟି ନାନା କାରଣରୁ ପ୍ରତିହତ ହୋଇ ରହିଯିବାରୁ ତାହା ବିରହରୂପେ ପ୍ରକଟ ହେଉଥାଏ । ମୋ’ର ଅସଲ ବ୍ୟାକୁଳତାଟି କୌଣସି ଗୋଟିଏ ମୂର୍ତ୍ତିଲାଗି ନୁହେଁ, କୌଣସି ଗୋଟିଏ ସଂସ୍ପର୍ଶ ଲାଗି ନୁହେଁ,–ଅଥବା, ଆପଣାର ଈପ୍‌ସିତଟି ସହିତ ଯେଉଁ ଏକାନ୍ତ ଗର୍ତ୍ତଭିତରେ ଛନ୍ଦିହୋଇ ରହିବାର ଏକ ମୋହଭିତରେ ପଡ଼ିରହିବା ଲାଗିବି ନୁହେଁ । ସେହି ବ୍ୟାକୁଳତା ଆପଣାକୁ ସମ୍ପୂର୍ଣ୍ଣ ଭାବରେ ଦେଇଦେବାର ବ୍ୟାକୁଳତା, ଅର୍ଥାତ୍ ଆପଣାକୁ ଏହି ସବୁଟି ସହିତ ସଂଯୁକ୍ତ ଓ ସମ୍ମିଳିତ କରି ରଖିବାର ବ୍ୟାକୁଳତା, ଆପଣାକୁ ସମ୍ପୂର୍ଣ୍ଣ ଭାବରେ ଉନ୍ମୋଚିତ କରି ରଖିବାର ବ୍ୟାକୁଳତା । ଏଥିଲାଗି, ଅସଲ ବାଧାଗୁଡ଼ାକ ବାହାରୁ ନୁହେଁ, ଅଧିକାଂଶ ସମୟରେ ଆପଣା ଭିତରୁହିଁ ସୃଷ୍ଟି ହୋଇଥାଏ । ଏବଂ ସମ୍ଭବତଃ ସେଇଥିଲାଗିହିଁ ସେହି ବିରହ ଅଧିକ ଆଘାତ ହୁଏ, ଅଧିକ ଯନ୍ତ୍ରଣା ଭିତରେ ଦହିବାରେ ଲାଗିଥାଏ, ନାନାପ୍ରକାର ପ୍ରକ୍ଷେପଣ ଭିତରେ ନାନା ମିଛ ସାନ୍ତ୍ଵନା ଦେବାର ପ୍ରଲୋଭନ ଦେଖାଉଥାଏ । ନିଜର ଦୁର୍ଗତିଲାଗି ସଂସାରଯାକକୁ ଦୋଷ ଦେବାର ଅପଦର୍ଶନରେ ପକାଇ ରଖିବାକୁ ଇଚ୍ଛା କରୁଥାଏ ।

 

୧ । ୧୨ । ୮୧

 

ଅସଲ ଦୁଃଖ ନପାଇବାର ଦୁଃଖ ନୁହେଁ; ଅସଲ ଦୁଃଖ ହେଉଛି ଆପଣାକୁ ଦେଇ ନପାରିବାର ଦୁଃଖ, ଆପଣାକୁ ଯଥାର୍ଥ ଭାବରେ ସମ୍ମିଳିତ କରି ନପାରିବାର ଦୁଃଖ ।

 

ନିଜ ଭିତରେ ଏପରି ଗୋଟିଏ ଗୋଟିଏ ଚେତନା ଅପେକ୍ଷା କରି ରହିଛି, ଯିଏ କି ଆପଣାକୁ ବାହାରର ଏହି ସବୁକିଛିଟି ସହିତ ଯୁକ୍ତ କରି ରଖିବାକୁ ଇଚ୍ଛା କରୁଛି । କାରଣ, ଅସଲ ସାର୍ଥକତାଟି ଯେ ମୁଖ୍ୟତଃ ସେଇଥିରେ ନିହିତ ହୋଇ ରହିଛି, ଅସଲ ଗଭୀରର ବିଶ୍ଵାସଟି ପାଖରେ ସେଥିରେ ଆଦୌ କୌଣସି ଅସ୍ପଷ୍ଟତା ନାହିଁ । ମଝିରେ ବାଧାସ୍ଵରୂପ ବୁଦ୍ଧି ରହିଛି, ବୁଦ୍ଧିଦ୍ଵାରା ବଳ ପାଇ ରହିଥିବା କେତେପ୍ରକାରର ଭୟ ରହିଛି, ଭୟରୁ ଉତ୍ପନ୍ନ ହୋଇଥିବା କେତେ ପ୍ରକାରର ଚତୁରତାବି ରହିଛି । ଏବଂ, ସେହି ଚତୁରତାହିଁ ନାନା ଉନ୍ମୋଚିତ ଲାଗି ସର୍ବପ୍ରଧାନ ପ୍ରତିବନ୍ଧକ ହୋଇ ରହିଛି । ବର୍ତ୍ତମାନ ପୃଥିବୀର ରାଜନୀତି ଚତୁରମାନଙ୍କ ହାତରେ ରହିଛି, ବର୍ତ୍ତମାନର ଧର୍ମକ୍ଷେତ୍ରଗୁଡ଼ାକ ମଧ୍ୟ ଚତୁରମାନଙ୍କ ହାତରେ ରହିଛି । ମନୁଷ୍ୟର ପ୍ରାୟ ସବୁଯାକ ଆକାଂକ୍ଷା କ୍ଷେତ୍ରକୁ ମାଡ଼ି ବସିଥିବା ଚତୁରତା ମଣିଷର ଯାବତୀୟ ପରିବର୍ତ୍ତନକୁ ବିଡ଼ମ୍ବିତ କରି ରଖିଛି । ଆପଣାକୁ ଲୁଚାଇ ରଖିବାର ସହସ୍ର ରଜ୍ଜୁ କୌଶଳମାନ ଲାଗି ରହିଥିବା ପର୍ଯ୍ୟନ୍ତ ପରିବର୍ତ୍ତନର ଅସଲ ମୁହୂର୍ତ୍ତଗୁଡ଼ାକ ପ୍ରଧାନତଃ ପ୍ରତିହତ ହୋଇ ରହିଛି । କେତେପ୍ରକାର ମିଛ ଠାକୁର ଭବିଷ୍ୟତରେ ଏକ ସ୍ଵର୍ଗ ଆଗେ ଆପେ ଆସି ପହଞ୍ଚିଯିବ ବୋଲି ଏକ ମିଛ ସାନ୍ତ୍ଵନା ଦେଇ ମଣିଷକୁ ଆହୁରି ଅଧିକ ଅଳସୁଆ ଅର୍ଥାତ୍ ପରିବର୍ତ୍ତନକାତର କରି ରଖିଛନ୍ତି ।

 

୨ । ୧୨ । ୮୧

 

ଭିତରେ ପୁନର୍ବାର ଚଞ୍ଚଳତା,–ଠିକ୍ ଗୋଟିଏ ଶିଶୁର ଚଞ୍ଚଳତା, ହୁଏତ କୌଣସି ନୂତନ ଅଭିସାରିକାର ଅନ୍ତର ଭିତରେ ଯେଉଁ ଚଞ୍ଚଳତା ରହିଥାଏ, ଠିକ୍ ସେହି ଚଞ୍ଚଳତା । ଗୋଟିଏ ନୂଆବହି ଲେଖିବାକୁ ସାମଗ୍ରୀ ଆଦି ସଂଗୃହୀତ ହୋଇଗଲେ ଯେତେବେଳେ ଲେଖା ଆରମ୍ଭ କରିବାଟାହିଁ ବାକି ରହିଥାଏ, ସେତେବେଳେ ନିଜକୁ ଠିକ୍ ଗୋଟିଏ ଅଭିସାରିକା ପରି ଲାଗେ, ଆପଣାକୁ ଠିକ୍ ଗୋଟିଏ ଶିଶୁ ପରି ମନେହୁଏ । ପ୍ରତ୍ୟେକ ନୂତନ ଆବିଷ୍କାର ସମୟରେ ସମସ୍ତଙ୍କୁ ଠିକ୍ ଏହିପରି ଲାଗୁଥିବ ।

 

ଏହି ଆବିଷ୍କାର ହେଉଛି ଏକ ଆତ୍ମ ଆବିଷ୍କାର । ଯେଉଁ ଲେଖାଟିକୁ ମୁଁ ଲେଖିବାକୁ ଯାଉଛି, ତାହାରି ମାଧ୍ୟମରେ ମୁଁ ନିଜକୁ ଯଥାର୍ଥ ଭାବରେ ଅଭିବ୍ୟକ୍ତ କରିଦେଇ ପାରିବି ତ, ବିଷୟଟିର ଉପଲକ୍ଷ୍ୟ ମଧ୍ୟଦେଇ ମୁଁ ଆପଣାକୁ ସମସ୍ତଙ୍କ ଲାଗି ନିଜସ୍ୱ ଏକ ନିଖୁଣ ଶୈଳୀରେ ବାଢ଼ିଦେଇ ପାରିବି ତ ? ଆପଣାର କେନ୍ଦ୍ରଟିକୁ ଆପଣାର ଚେତନା ଭିତରେ ଠୁଳ କରି ଧରି ନିଜସ୍ୱରୂପେ କିଛି ନିବେଦନ କରିବାକୁ ଗଲାବେଳକୁ ଏହି ଯେଉଁ ଚଞ୍ଚଳତା ମୁଁ ତାହାକୁ ସ୍ଵାଭାବିକ ଭାବରେ ଗ୍ରହଣ କରିବି, ଅର୍ଥାତ୍ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଗ୍ରହଣ କରିବାକୁ ସମର୍ଥ ହେବି । ଲେଖିବାକୁ କେତେ ଲେଖକ ସ୍ଵତନ୍ତ୍ରତା ଲୋଡ଼ିବା ବୋଲି କହିଛନ୍ତି । ଏହି ସ୍ଵତନ୍ତ୍ରତା ହେଉଛି ଏକ ଆତ୍ମୀୟତା ସ୍ଥାପନ ଲାଗି ନିଜକୁ ମନୋମତ ଭାବରେ ସଜ କରି ବାହାର କରି ପାରିବାର ସ୍ଵତନ୍ତ୍ରତା-। ସେହି ସଜ ହେବାରେ ମଧ୍ୟ ଏକ ଅନ୍ତର୍ଗତ ବ୍ରୀଡ଼ା ରହିଥାଏ । ସେଇଥିରୁହିଁ ଏକ ଚଞ୍ଚଳତା ଜାତ ହୁଏ । ସେହି ଚଞ୍ଚଳତା ହେଉଛି ଜଣେ ଅଭିସାରିକାର ଚଞ୍ଚଳତା । ଏକ ନୂତନ ସ୍ଵତନ୍ତ୍ରତାର ପ୍ରବେଶାଧିକାର ଲାଭ କରିଥିବା ଏକ ଶିଶୁହୃଦୟର ଚଞ୍ଚଳତା ।

 

୩ । ୧୨ । ୮୧

 

ସମାଜ ଅନ୍ୟପ୍ରକାରର ହେବ, ସମୟ ଅନ୍ୟପ୍ରକାରରବି ହେବ ମଣିଷ ମଣିଷ ଭିତରେ ରହିଥିବା ସମ୍ପର୍କବି ଅନ୍ୟ ସ୍ତରର ଓ ଅନ୍ୟ ଆବେଦନର ହେବ–ଏଗୁଡ଼ାକ ହେଉଛି ବୋଲି ବୁଝିହେବ ଯଦି ଆମେ ନିଜେ ପ୍ରତ୍ୟେକେ ଅନ୍ୟ ପ୍ରକାରର ହେବାଲାଗି ଆମ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଚେଷ୍ଟା କରୁଥିବା, ଯଦି ଆମ ନିଜ ଭିତରର ଭଲ ଉପରେ ଆମ ନିଜର ଅବିଚଳ ବିଶ୍ଵାସ ରହିଥିବ, ସେଇଟି ଉପରେ ଏକ ଯଥାର୍ଥ ଶ୍ରଦ୍ଧା ରହିଥିବ ।

 

ଯେତେବେଳେ ଆପଣା ଉପରୁ ବିଶ୍ଵାସ ତୁଟିଯାଏ, ଆପଣାର ଭିତରକୁ ଅନାଇବାବେଳେ ଯେତେବେଳେ ନାନାଭଳି ଗ୍ଳାନି ଏବଂ ଈର୍ଷା ଆମର ଯାବତୀୟ ଦୃଷ୍ଟିପାତକୁ ଦୂଷିତ ଏବଂ ଉତ୍ତେଜିତ କରି ରଖିଥିବ, ସେତିକିବେଳେହିଁ ସଂସାରରେ ଆଦୌ କିଛି କେଉଁଠି ବଦଳୁନାହିଁ ବୋଲି ମନେହେବ, ଭାରି ଅସହିଷ୍ଣୁ ଲାଗିବ,–ଆଗକୁ ଅନାଇ କେବଳ ଅରାଜକତା ଦେଖା ଯାଉଥିବ । ସେତେବେଳେ ଭଗବାନଙ୍କର ଅଭିଶାପରୁହିଁ ମଣିଷମାନଙ୍କର ଏପରି ଦଶା ହୋଇଛି ବୋଲି ତତ୍ତ୍ଵ ବାଢ଼ିବାକୁ ଇଚ୍ଛା ହେଉଥିବ । ମଣିଷ ଭିତରେ ଅତ୍ୟନ୍ତ ଦୁଃସାଧ୍ୟ ଭାବରେ ଏକ ଅବାଧ୍ୟ ରହିଛି ଏବଂ ରାଜତ୍ଵ କରିବାରେ ଲାଗିଛି ବୋଲି କେଡ଼େ ଉତ୍ସାହର ସହିତ ଘୋଷଣା କରୁଥିବା ଗୋଟାଏ ତଥାକଥିତ ନୀତିଶାସ୍ତ୍ର ଆମକୁ ବଡ଼ ଉତ୍ତେଜିତବି କରି ରଖିଥିବ । ଆପଣା ପାଖରେ ଆମେ ଯେତିକି ପରାସ୍ତ ହେଉଥିବା ଅର୍ଥାତ୍ ନିଜକୁ ନିଜ ପାଖରୁ ପ୍ରତ୍ୟାଖ୍ୟାତ କରି ରଖିଥିବା, ସଂସାରରେ ମୋଟେ କିଛି ବଦଳିବ ନାହିଁ ଓ କ୍ରମେ ଜୀବନ ନାମରେ କଥିତ ଏହି ସବୁକିଛି କଥାର ସୌଧ ଭାଙ୍ଗି ପଡ଼ିବ ବୋଲି ଆମ ଭିତରେ ଏକ ଅବିଶ୍ଵାସହିଁ ଅଧିକରୁ ଅଧିକ ମୂଳଭୂତ ହେବାରେ ଲାଗିଥିବ ।

 

୪ । ୧୨ । ୮୧

 

ଓଡ଼ିଶାରେ ସାମ୍ପ୍ରତିକ ରାଜନୀତିକ ଏବଂ ସାମ୍ବାଦିକ କ୍ଷେତ୍ରଗୁଡ଼ିକୁ ବୁଝିବାକୁ ହେଲେ ଅନେକ ସମୟରେ ବ୍ୟକ୍ତିଗତ ଶତ୍ରୁତାଗୁଡ଼ାକୁ ମଧ୍ୟ ବୁଝିବାକୁ ପଡ଼ିଥାଏ । ସାହିତ୍ୟକୁ ବୁଝିବାକୁ ବସିଲେ ମଧ୍ୟ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ରହିଥିବା ସାହିତ୍ୟ ବାହାରର ବୈମନସ୍ୟ ଏବଂ ବିଦ୍ଵେଷକୁ ବୁଝିବାକୁ ପଡ଼ିଥାଏ । ଓଡ଼ିଶାରେ ଏଗୁଡ଼ାକ ବୃଦ୍ଧମାନଙ୍କ ମଧ୍ୟରେ ହୁଏତ ଅଧିକ ପରିମାଣରେ ରହିଛି । ମଣିଷର ବୟସ ବଢ଼ିଲେ କୁଆଡ଼େ ମଣିଷର ଆଖିବି ବଢ଼େ, ହୃଦୟ ଅଧିକ ପ୍ରସାରିତ ହୋଇଯାଏ ଓ ସିଏ ଅଧିକ ଉଦାର ଭାବରେ ଅନ୍ୟମାନଙ୍କୁ ଲୋଡ଼େ ଓ ଅନ୍ୟମାନଙ୍କୁ ବୁଝେ । ଓଡ଼ିଶାରେ ଠିକ୍ ଓଲଟା ହୋଇଛି । ଯେଉଁମାନେ ବୟସରେ ଅଶୀ ପାର ହୋଇ ଗଲେଣି ଏବଂ ପ୍ରାୟ ଅଶୀଟା ବିଭିନ୍ନ କ୍ଷେତ୍ରରେ ଡେଇଁ ବୁଲୁଛନ୍ତି, ସେମାନେ ଜଣେ ଅପରକୁ ମୋଟେ ସହି ପାରୁନାହାନ୍ତି । ହୁଏତ ସେମାନେ ପ୍ରତ୍ୟେକେ ଭାବୁଛନ୍ତି ସେମାନେ କେବଳ ଏକୁଟିଆ ଅଶୀ ପାର ହୋଇଥାନ୍ତେ, ତାଙ୍କ ବ୍ୟତୀତ ଆଉ ସମସ୍ତେ ଅଶୀ ପୂର୍ବରୁ ସଂସାରରୁ ବିଦାୟ ନେଇ ଯାଇଥାନ୍ତେ ଓ ତାହାହେଲେ ସେମାନେ କେବଳ ନିଜେ ଏକାଗ୍ର ହୋଇ ରହିଥାନ୍ତେ ଓ ଅନନ୍ୟ ହୋଇ ପୂଜା ପାଉଥାନ୍ତେ ।

 

ଏହା ଓଡ଼ିଶାର ଦୁର୍ଭାଗ୍ୟ । ଏଠି ରାଜନୀତିର ଦୁର୍ଭାଗ୍ୟ, ସାମ୍ବାଦିକତାର ଏବଂ ସାହିତ୍ୟର ଦୁର୍ଭାଗ୍ୟ । ଆମେ ଏହି ଦୁର୍ଭାଗ୍ୟଜନିତ ବ୍ୟକ୍ତିକଳହ ଭିତରେ ମୋଟେ ପଶିବାନାହିଁ, କଳହଗୁଡ଼ାକୁ ଅତିକ୍ରମ କରିଯିବା । ଅଶୀ ପୂରିଥିବା ଏହି ବାଦୁଆ ହାସ୍ୟାସ୍ପଦତାଗୁଡ଼ାକୁ ଆମେ ଅତିକ୍ରମ କରିଯିବା, ସେମାନଙ୍କର କଳହକୁ କେବଳ ବ୍ୟକ୍ତିଗତ କଳହ ବୋଲି ଜାଣିବା ।

 

୫ । ୧୨ । ୮୧

 

ଯେଉଁମାନେ ପିଲାଦିନେ ପିଲା ହୋଇ ନଥାନ୍ତି, ସେମାନେ ବଡ଼ ହୋଇ ପିଲାଦିନର ଯାବତୀୟ ଖଳତାକୁ ବୟସ୍କ ହେବାର ପ୍ରଧାନ ପ୍ରଧାନ ସନ୍ତକରୂପେ ଗ୍ରହଣ କରି ନେଇଥାନ୍ତି । ପିଲାଦିନେ ଯିଏ ପିଲା ହେବାରୁ ବଞ୍ଚିତ ହୋଇଥାଏ ଏବଂ ତେଣୁ ଆପଣା ଭିତରେ ରହିଥିବା ନିତ୍ୟଶିଶୁଟି ସହିତ ଏକ ସ୍ଵାଭାବିକ ସଖ୍ୟ ସ୍ଥାପନ କରିବାରେ ସମର୍ଥ ହୋଇନଥାଏ, ସିଏ ବଡ଼ ହୋଇ ଆପଣକୁ ନଲୋଡ଼ି ଆଗ କ୍ଷମତାକୁ ଲୋଡ଼େ; ତା’ ଜୀବନରେ ସିଏ ଯାହାକିଛି ଲୋଡ଼େ ତାହାକୁ ଆପଣାର ଉଦୟ ତଥା ସମ୍ପ୍ରସାରଣ ଲାଗି ନଲୋଡ଼ି କ୍ଷମତା ଲାଗିହିଁ ଲୋଡ଼ିଥାଏ । ସିଏ ଆପଣା ଭିତରେ କ୍ଷମତାକୁ ବରଣ କରି ଦେଇଥାଏ, ନିଜେ ଘୋଡ଼ା ହୋଇ ଉପରେ କ୍ଷମତାମାନଙ୍କୁ ବସାଇ ଆପଣାର ଏକ ଦୟନୀୟ ପ୍ରଦର୍ଶନ କରିବାରେ ଲାଗିଥାଏ । ବାହାରକୁ ଯେତିକି ଭୟାନକ ପରି ଦିଶେ, ସେତିକି ହାସ୍ୟାସ୍ପଦବି ଦିଶୁଥାଏ ।

 

ଏହିଭଳି ଦୁଃଖୀ ବ୍ୟକ୍ତିମାନେହିଁ ବାନପ୍ରସ୍ଥ ଅବସ୍ଥାରେ ବାଳବତ୍ ଆଚରଣ କରନ୍ତି । ବାଦ କରନ୍ତି, ଆପଣାକୁ ଭିତରେ ଭାରି ସାନ କରି ଦେଖୁଥିବାରୁ ବାହାରେ ଭାରି ପୃଥୁଳ କରି ଦେଖାଇବାକୁ ଚେଷ୍ଟା କରନ୍ତି । ଭାରି ଅସହିଷ୍ଣୁ ହୁଅନ୍ତି,–ପରକୁ ଦେଖିଲେ କାତର ହୋଇ ପଡ଼ନ୍ତି । ସେମାନେ ସ୍ଵାଭାବିକ ଭାବରେ ମୃତ୍ୟୁକୁ ଆଦରିନେଇ ପାରନ୍ତିନାହିଁ । ଯେଉଁ ମୁହୂର୍ତ୍ତ ମୁହୂର୍ତ୍ତର ଓ ପାହାଚ ପାହାଚର ମୃତ୍ୟୁକୁ ସ୍ଵୀକାର କରିନେଇ ପାରୁଥିଲେ ଜୀବନରେ ମୁହୂର୍ତ୍ତ ମୁହୂର୍ତ୍ତକେ ଓ ପାହାଚ ପାହାଚକେ ଜନ୍ମଲାଭ କରିବା ଏବଂ ସମ୍ପ୍ରସାରିତ ହୋଇଯିବା ସମ୍ଭବ ହେଉଥାନ୍ତା, ସେମାନେ ତାହାର ଭାଜନ ହୋଇ ପାରନ୍ତି ନାହିଁ । ତେଣୁ ସଂସାରରେ ଉଗ୍ର ହୁଅନ୍ତି, ଏଠି ଅନେକ ଅନର୍ଥର କାରଣ ହୁଅନ୍ତି ।

 

୬ । ୧୨ । ୮୧

 

ଗଛମାନେ ପ୍ରକୃତରେ କଥା କହନ୍ତି । ଅନେକ ଲୋକ ସଂସାରରୁ ବିରକ୍ତ ହୋଇ ଅରଣ୍ୟକୁ ଯାଆନ୍ତି, ନଈକୂଳକୁ ଯାଆନ୍ତି । ସେମାନେ ଏକାନ୍ତ ନିକାଞ୍ଚନକୁ ପଳାଇଯାଇ ଅଶାନ୍ତିରୁ ଶାନ୍ତି ପାଆନ୍ତି । ଅର୍ଥାତ୍, ଗଛଗୁଡ଼ାକୁ ନଦେଖି ସେମାନେ ଏକାନ୍ତତାକୁ ଖୋଜନ୍ତି । ଏକାନ୍ତତା ସେମାନଙ୍କୁ ଆଶ୍ଵାସନା ଦିଏ, ସାନ୍ତ୍ଵନା ଦିଏ । ଅନେକ ମଣିଷ ସେହି କାରଣରୁ ବନ ଓ ଅରଣ୍ୟକୁ ଭଲ ପାଆନ୍ତି, ପ୍ରକୃତିକୁ ଭଲ ପାଆନ୍ତି । ଅନେକ କବି ମଧ୍ୟ ପ୍ରାୟ ସେହି କାରଣରୁହିଁ ଜଗତର ନିନ୍ଦା କରି ଅରଣ୍ୟର ଶୋଭାକୁ ବର୍ଣ୍ଣନା କରିଥାନ୍ତି । ଆମେ ସେମାନଙ୍କୁ ପ୍ରକୃତିର କବି ବୋଲି କହିଥାଉ ।

 

ମୁଁ ଏକାନ୍ତତା ଖୋଜି କେବେ କେଉଁଠାକୁ ଯାଏନାହିଁ । ମୁଁ ସମ୍ମିଳିତ ହେବାକୁ ଯାଏଁ,–ଆପଣାର କେନ୍ଦ୍ରଟି କିପରି ବହୁବ୍ୟାସ ହୋଇ ଏହି ସୃଜନର ଚାରିଆଡ଼କୁ ଛନ୍ଦିହୋଇ ରହିଛି, ସେହି ଅସଲ ନିର୍ଭରଟିକୁ ମୁଁ ଆବିଷ୍କାର କରିବାକୁ ଯାଏଁ । ମୁଁ ଗଛମାନଙ୍କର କଥା ଶୁଣିବାକୁ ଜଙ୍ଗଲକୁ ଯାଏଁ । ପ୍ରାଣୀମାନଙ୍କର କଥା ଶୁଣିବାକୁ ପ୍ରାଣୀମାନଙ୍କୁ ଲୋଡ଼େ । ମୋ’ ଜୀବନଟା ଯେ କେବଳ ମୋ’ରି ନୁହେଁ, ଅର୍ଥାତ୍ ମୋ’ର ସୁଖ ଯେ କେବଳ ମୋ’ରି ନୁହେଁ, ତାହାକୁହିଁ ବାରବାର ଅନୁଭବ କରିବାକୁ ଓ ସେହି ଅନୁଭବ ମଧ୍ୟରେହିଁ ଆପଣାକୁ ସଚଳ ଓ ଜୀବନମୟ କରି ରଖିବାକୁ ମୁଁ ସଂସାର ଓ ଅରଣ୍ୟ ଦୁଇଟିଯାକର ଭିତରକୁ ଯାଏଁ । ମୋ’ ସୁଖକୁ କେବଳ ମୋ’ରି ସୁଖ ବୋଲି ଅନୁଭବ କରୁଥିବା ପର୍ଯ୍ୟନ୍ତ ମୁଁ ଯେ କେବଳ ଦୁଃଖହିଁ ପାଇବି, ଅନେକ ଦିନରୁ ଜୀବନରେ ଅଙ୍ଗେ ନିଭାଇ ମୁଁ ସେହି କଥାଟିକୁ ଆବିଷ୍କାର କରିପାରିଛି । ଯଦି ବୈରାଗ୍ୟ ଓ ବିରକ୍ତିହିଁ ମୋ’ ଗଭୀରତମ ବ୍ୟାକୁଳତାଗୁଡ଼ିକର ହାତଗୋଡ଼ ହୋଇଥାନ୍ତା, ତେବେ ଅନ୍ତର୍ଗତ ଜୀବନରେ ମୋ’ର ବିଚରଣ ଭୂମିଗୁଡ଼ାକହିଁ ଅଲଗା ପ୍ରକାରର ହୋଇଥାନ୍ତା ।

 

୭ । ୧୨ । ୮୧

 

ସମ୍ପର୍କଗୁଡ଼ାକ ଅନ୍ତରଙ୍ଗ ହେବ, ତେବେଯାଇ ମଣିଷ ଆଧ୍ୟାତ୍ମିକ ପାରସ୍ପରିକ ଜୀବନର ସୀମାଗୁଡ଼ିକୁ ସ୍ପର୍ଶ କରି ପାରିବ । ଅନ୍ତରଙ୍ଗତାର ସ୍ତର ମଧ୍ୟରେ ପ୍ରବେଶ କଲେ କେହି କାହାକୁ କଦାପି ଗିଳି ପକାଇବାର ଅଭିଳାଷ ରଖିବନାହିଁ, କେହି କାହାର ବାଟ ଉଗାଳି ରହିବନାହିଁ ଅଥବା କେହି କାହାଉପରେ ଲଦି ହୋଇ ପଡ଼ିବାକୁବି ମନ କରିବନାହିଁ । ସେତେବେଳେ ଯାଇ ଯଥାର୍ଥରେ ବାଟ ଚାଲିହେବ । ଆପଣା ଆପଣାର ବାଟ ଚାଲିହେବ । ଭିନ୍ନ ଭାବରେ ଓ ଭିନ୍ନ ପ୍ରକାରେ ପଡ଼ିଥିଲେ ମଧ୍ୟ ଯେଉଁ ବାଟ ସେଇ ଗୋଟିଏ ଗନ୍ତବ୍ୟସ୍ଥଳକୁ ପଡ଼ିଛି, ସେଇ ବାଟଗୁଡ଼ିକୁ ଚାଲିହେବ-। ଏବଂ, ସେତେବେଳେ ଯାଇ ଆପଣାର ଜୀବନର ଅସଲ କେନ୍ଦ୍ରଟିକୁ ଅର୍ଥାତ୍ ଅସଲ ଘରଟିକୁ ଫେରି ଆସିବା ସମ୍ଭବ ହେବ ।

 

ଅନ୍ତରଙ୍ଗତା ଆମ ଜୀବନର ସକଳ ସମ୍ପର୍କରେ, ଆମର ସକଳ ସଂଗ୍ରହରେ ଓ ସକଳ ନିବେଦନ କ୍ଷେତ୍ରରେ । ଆମ ଜୀବନରେ ଯେଉଁସବୁ କଥାକୁ ଆମେ ଅତି କ୍ଷୁଦ୍ର ବୋଲି କହିଥାଉ, ସେହିସବୁ କ୍ଷେତ୍ରରେ ମଧ୍ୟ ଅନ୍ତରଙ୍ଗତା । ଜୀବନକୁ ଘନିଷ୍ଠ ଭାବରେ ଭଲ ପାଇ ପାରିଲେ ଯାଇ ସେହି ଅନ୍ତରଙ୍ଗତା ଲାଗି ସାହସ ହେବ । ଏହି ଜଗତକୁ ଗୋଟାସୁଦ୍ଧା ନିଜ ଭିତରେ ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ଅନୁଭବ କଲେ ଯାଇ ତାହା ସମ୍ଭବ ହେବ । ଆମର ଯାବତୀୟ ଜ୍ଞାନ, ଯାବତୀୟ ଅର୍ଜନ ଏବଂ ଯାବତୀୟ ଅଭିବୃଦ୍ଧି ଆମକୁ ମୁଖ୍ୟତଃ ସେହି ଅନ୍ତରଙ୍ଗତା ଆଡ଼କୁହିଁ ପରିଚାଳିତ କରି ନେଇଯାଉ । ଆମର ଯାବତୀୟ ଦେଖିବା, ଯାବତୀୟ କହିବା ଓ ଯାବତୀୟ ଲୋଡ଼ିବାରେ ଅନ୍ତରଙ୍ଗତାହିଁ ସର୍ବମୁଖ୍ୟ ଉତ୍‌ପ୍ରେରକ ହୋଇ ରହିଥାଉ, ତେବେଯାଇ ହେବ ।

 

୮ । ୧୨ । ୮୧

 

ଆଜି ବଡ଼ିସକାଳୁ ‘ପ୍ରଣିପତ୍ୟ ଜଗନ୍ନାଥଂ’ ବୋଲି କହିବାକୁ ଇଚ୍ଛା ହେଉଛି । ନୂଆ ବହିଟିର ଲେଖା ଯେଉଁ ଶୁଭ ମନ ନେଇ ଆରମ୍ଭ କରିବାକୁ ଯାଉଛି, ସେହି ମନ ପ୍ରଥମରୁହିଁ ଜଗନ୍ନାଥଙ୍କୁ ସ୍ମରଣ କରୁଛି । ଜଗନ୍ନାଥଙ୍କୁ ନିଜ ଭିତରେ ଥାପନ କରିବାକୁ ହୁଏ, ତାଙ୍କୁ ବାହାରୁ ସାଉଁଟି ଆଣି ଭିତରେ ଠୁଳ କରି ଅନୁଭବ କରିବାକୁ ହୁଏ । ଅର୍ଥାତ୍, ଆପଣାର ସମସ୍ତ ଶକ୍ତିକୁ ଏକଠୁଳ କରି ଆଣି ଏକ ବିଶେଷ କାର୍ଯ୍ୟରେ ନିୟୋଜିତ କରି ପାରିବା ଲାଗି ପ୍ରସ୍ତୁତ ହେବାକୁ ହୁଏ-

 

Unknown

ଜଗତର ନାଥଙ୍କୁ ଜଗତର ନାଥ ବୋଲି ଆପଣାର ଭୂମିରେ ଥାପି ପାରିବାକୁ ହେଲେ ସମସ୍ତ ଜଗତକୁ ଆପଣା ଭିତରେ ଅନୁଭବ କରିବାକୁ ହୁଏ । ତେଣୁ ତାଙ୍କୁ ଥାପନା କରିବାର କ୍ଷେତ୍ରଟିକୁ ମଧ୍ୟ ଆପଣା ଭିତରେ ଅନୁଭବ କରି ପାରିବାକୁ ହୁଏ । ସେହି କ୍ଷେତ୍ର ମୋ’ ବାହାରେ ନାହିଁ, ମୋ’ ଭିତରେ ରହିଛି । ପୁରୁଷ ସହିତହିଁ ଗଭୀରତର ହୋଇ ପୁରୁଷୋତ୍ତମ ରହିଛନ୍ତି । ଅସଲ ପ୍ରସାଦର ଅଧିକାର ମୋତେ ନିଜ ଜୀବନରେହିଁ ଅର୍ଜନ କରିବାକୁ ହେବ । ଏବଂ, ଏହି ଜଗତକୁ ଅତ୍ୟନ୍ତ ଜୀବନ୍ତ ଭାବରେ ଓ ପ୍ରତ୍ୟକ୍ଷ ଭାବରେ ନିଜଭିତରେ ଅନୁଭବ କରିବାକୁ ପଡ଼ିବ । ଅର୍ଥାତ୍, ମୋତେ ଆପଣାର ଶକ୍ତିକୁ ଏପରି ସମ୍ମତ ଭାବରେ ପ୍ରସ୍ତୁତ କରି ରଖିବାକୁ ପଡ଼ିବ ଯେପରିକି ବାହାର ଜଗତକୁ ସଂକୁଚିତ କରି ନିଜର କୌଣସି ମୋହଭୂମି ଭିତରେ ଆଣି ଭର୍ତ୍ତି କରିବାଲାଗି ଆଉ କୌଣସି ଉତ୍ସାହ କୌଣସିଠାରେ ନଥିବ । ଆପଣାକୁ ଦେବାଲାଗି ସମ୍ମତ ହେଲେହିଁ ସର୍ଜନାତ୍ମକତାର ଦ୍ଵାରଟି ଉନ୍ମୋଚିତ ହୋଇଯାଏ, ଏବଂ ଜଗତର ନାଥଙ୍କୁ ସ୍ମରଣ କରି ଆପଣାକୁ ଦେବାଲାଗି ପ୍ରସ୍ତୁତ ହେବା ଅପେକ୍ଷା ଜଣେ ମଣିଷ ସକାଶେ ବୃହତ୍ତର ଭାଗ୍ୟ ଆଉ କ’ଣ ଥାଇପାରେ ?

 

୯ । ୧୨ । ୮୧

 

ଯେତେବେଳେ କଥାଗୁଡ଼ାକ ଭିତରୁ ଉଦୟ ହୋଇ ବାହାରକୁ ଆସିବାକୁ ଇଚ୍ଛା କରୁଥାଏ ଏବଂ ଆପଣାକୁ ବ୍ୟକ୍ତ କରିବାଲାଗି ଆଗ୍ରହ ପ୍ରକାଶ କରୁଥାଏ, ସେତେବେଳେ ସାଙ୍ଗେ ସାଙ୍ଗେ ଦଉଡ଼ିଯାଇ ଉଚିତ ସ୍ଥାନରେ ସେଇଟିକୁ ଲେଖି ପକାଇବାକୁ ଇଚ୍ଛା ହୁଏ । ମାତ୍ର, ସେହି କଥା ସବୁବେଳେ ସମ୍ଭବ ହୋଇ ପାରେ ନାହିଁ ।

 

ସମ୍ପତ୍ତି ହରାଇ ପକାଇଥିବା ପରି ନୁହେଁ, ସେହି ପରିସ୍ଥିତିରେ ସତେଅବା ଜଣେ ବନ୍ଧୁର କଥାକୁ ଶୁଣି ମଧ୍ୟ ପୁଣି ଭୁଲି ଗଲାପରି ମନେ ହୁଏ । ସେହି ବନ୍ଧୁ ଭିତରେ ଥାଏ, ଭିତରୁ ଇଙ୍ଗିତ ଦିଏ; ଅନେକ ସମୟରେ ସେହି ଭିତରୁହିଁ ଶବ୍ଦଗୁଡ଼ିକ ଆସି ପହଞ୍ଚି ଯାଇଥାଏ । ଭିତର ସହିତ ବାହାରର କେଉଁଠି କି ଅନ୍ତରଙ୍ଗ ସ୍ତରରେ ଖିଅ ଲାଗି ରହିଥାଏ କେଜାଣି, ବାହାରର ସ୍ପର୍ଶଗୁଡ଼ିକ ଭିତରେ ଆସି ଉକୁଟି ଉଠିବାରେ ଲାଗନ୍ତି ଏବଂ ତା’ପରେ ଅସଲ ଶବ୍ଦଗୁଡ଼ିକ ସେହିଥିରୁହିଁ ଜନ୍ମଲାଭ କରନ୍ତି । ଭିତରର ବନ୍ଧୁ ସେହି ଉକୁଟାଇବା ଓ ବ୍ୟକ୍ତ କରିବାର କାର୍ଯ୍ୟଟିକୁ ସତତ କରିବାରେ ଲାଗିଥାଏ । ତେଣୁ, ସେହି ବନ୍ଧୁଟି ଉପରେହିଁ ଅସଲ ବିଶ୍ଵାସ ରଖିବାକୁ ପଡ଼ିଥାଏ, ଅସଲ ଗଣ୍ଠିଟିକୁ ତାହାରି ସହିତ ପକାଇକରି ରଖିବାକୁ ହୁଏ । ତେବେ ପ୍ରକୃତରେ କିଛି ହଜି ଯାଏନାହିଁ ବା କେଉଁଠାରୁ ଏକାବେଳେକେ ସମ୍ପୂର୍ଣ୍ଣଭାବେ ବିଚ୍ଛିନ୍ନ ହୋଇ ଯିବାପରି ମୋଟେ ଅନୁଭବ ହୁଏନାହିଁ । ସେଇଥିପାଇଁ ପ୍ରମାଦଗୁଡ଼ାକରୁ ରକ୍ଷା ମିଳେ । ଯୋଉ ଶବ୍ଦଗୁଡ଼ାକୁ ମୁଁ ହରାଇ ବସିଲି, ସେଗୁଡ଼ିକ ପୁଣି ଆସିବ ଓ ସେପର୍ଯ୍ୟନ୍ତ ସେଗୁଡ଼ିକ ସେହି ବନ୍ଧୁର ଭଣ୍ଡାରରେହିଁ ସଂରକ୍ଷିତ ହୋଇ ରହିଥିବ, ସେହି ବିଶ୍ଵାସଟି ଅତ୍ୟନ୍ତ ଦୃଢ଼ ଭାବରେ ରହିଥାଏ ।

 

୧୦ । ୧୨ । ୮୧

 

ଉତ୍କଳ ସାହିତ୍ୟ ସମାଜ ଯେତେବେଳେ ଆରମ୍ଭ ହୋଇଥିଲା, ସେତେବେଳେ ତାହାକୁ ରାଜାମାନେ ଆରମ୍ଭ କରିଥିଲେ । ସେତେବେଳେ ଯେଉଁ ଜମିଦାର, ହାକିମ ଓ ବାବୁମାନେ ରାଜାମାନଙ୍କର ଆଶ୍ରା ପାଇ ସାହିତ୍ୟ କରୁଥିଲେ ଅଥବା ସାହିତ୍ୟର ଅନୁରାଗୀ ହେବାକୁ ମନ କରୁଥିଲେ, ସେମାନେବି ଉତ୍କଳ ସାହିତ୍ୟ ସମାଜକୁ ଆପଣାର ଏକ ବୈଠକପୀଠ ବୋଲି ମନେ କରୁଥିଲେ । ସେହିଦିନଠାରୁହିଁ ପରମ୍ପରାଟି ଆମ ଆଜିଯାଏଁ ଗଡ଼ିଆସିଛି, ଏବଂ ବର୍ତ୍ତମାନ ଯେଉଁମାନେ ସେଠାରେ କର୍ମକର୍ତ୍ତାରୂପେ ନିର୍ବାଚିତ ହୋଇ ବସିବାକୁ ମନ କରୁଛନ୍ତି, ସେମାନେ ସତେଅବା ରାଜାମାନଙ୍କ ପରି ଆଚରଣ କରୁଛନ୍ତି । ସଭାପତି ଏବଂ ସମ୍ପାଦକର ଦାୟିତ୍ଵକୁ ସତେଅବା ଗୋଟାଏ ପଦ ବା ଆସନ ପରି ମନେ କରୁଛନ୍ତି । ସାହିତ୍ୟର ମାଧ୍ୟମରେ ଆପଣାକୁ ସିଂହାସନାଧିକାରୀ ବୋଲି ପ୍ରତିପାଦିତ କରୁଛନ୍ତି ।

 

ଯେଉଁମାନେ ଇତିପୂର୍ବରୁ ସଭାପତି ବା ସମ୍ପାଦକ ଥିଲେ, ଏବେ ବୁଢ଼ା ହୋଇଗଲେଣି, ସେମାନେବି ଏକଦା ଅଧିକାର କରିଥିବା ସିଂହାସନଗୁଡ଼ାକୁ ମୋଟେ ଭୁଲି ପାରିନାହାନ୍ତି । ସେମାନେ ଯାବତ୍‍ଚନ୍ଦ୍ରାର୍କେ ସିଂହାସନ ଉପରେ ବସିଥିଲେ କେତେଭଳି ହୋଇ ରହିଥାନ୍ତେ ଓ ସାହିତ୍ୟ ମଧ୍ୟ କେଡ଼େ ସୁଶୋଭନ ଦିଶୁଥାନ୍ତା, ସେମାନେ ପ୍ରକାଶ୍ୟରେ ମଧ୍ୟ ସେହି କଥାକୁ ଭାରି ଝୁରି ହେଉଛନ୍ତି । ସେ ରାଜାମାନେ ଏ ରାଜାମାନଙ୍କୁ ମୋଟେ ସହି ପାରୁନାହାନ୍ତି । ଏମାନଙ୍କର କାମଗୁଡ଼ାକ ସେମାନଙ୍କୁ ଖାଲି ଅନାମ ବୋଲିହିଁ ଲାଗୁଛି । ସେମାନଙ୍କର ତଥାପି ବୟସ ଥାଆନ୍ତା, ସେମାନେ ସିଂହାସନଗୁଡ଼ାକ ରହିଥିବା ପର୍ଯ୍ୟନ୍ତ ସିଂହାସନରୂଢ଼ ହୋଇ ରହିଥାନ୍ତେ, ହୁଏତ ଏହିପରି ଏକ ସ୍ଵପ୍ନ ଦେଖୁଛନ୍ତି । ସ୍ଵପ୍ନ ଦେଖି ଛଟପଟ ହେଉଛନ୍ତି । ସାହିତ୍ୟ ଦୋଚାରୁଣୀ ହୋଇଗଲା ବୋଲି ଭାବୁଛନ୍ତି ।

 

୧୧ । ୧୨ । ୮୧

 

ମୁଁ ଶିକ୍ଷାବିଭାଗର ତୁଙ୍ଗତମ ପ୍ରହରୀମାନଙ୍କ ଭିତରେ ଜଣେ ହୋଇ ରହିବି, ଅଥଚ ଶିକ୍ଷାବିଭାଗରେ କାର୍ଯ୍ୟସମ୍ପାଦନର ମାନ କ୍ରମଶଃ ତଳକୁ ତଳକୁ ଯାଉଛି ବୋଲି ନିର୍ବିକାର ଭାବରେ କହି ବୁଲୁଥିବି,–ଏପରି ସ୍ଥିତିତର ମୋ’ ପ୍ରହରୀପଣକୁ ଧିକ୍ ବୋଲି କହିବାକୁ ହେବ । ମୁଁ ଯେ ମୂଳତଃ ଜଣେ ଦାୟିତ୍ଵସଚେତନ ପ୍ରହରୀ ହୋଇ ରହି ପାରିନାହିଁ, ମୁଖ୍ୟତଃ ଜଣେ ଚାକିରିଆ ହୋଇ ରହିଛି, ଏଥିରୁ କେବଳ ତାହାହିଁ ପ୍ରମାଣିତ ହୋଇ ଯାଉଥିବ ।

 

କଲେଜମାନଙ୍କରେ ନିୟମିତ ଭାବରେ ପିଲାମାନଙ୍କର କ୍ଲାସ୍ ହେଉନାହିଁ, କଲେଜର ଅଧ୍ୟକ୍ଷମାନେ ଏହି ଅନିୟମିତତା ବିଷୟରେ କିଛି କରି ପାରୁନାହାନ୍ତି ଓ ଅଧିକାଂଶ ଅଧ୍ୟାପକ ଅଧ୍ୟକ୍ଷଙ୍କର ଅଧ୍ୟକ୍ଷତାକୁ ମାନୁବି ନାହାନ୍ତି । ଅଧ୍ୟକ୍ଷ ସାଧାରଣତଃ ନିଜେ କୌଣସି କ୍ଲାସ୍ ନେଉ ନଥିବାରୁ ଶିକ୍ଷାଦାନର ବାସ୍ତବ ଅବସ୍ଥାଟି ସହିତ ପ୍ରାୟ ସମୁଚିତ ଭାବରେ ପରିଚିତ ରହି ପାରୁନାହାନ୍ତି । ଏସବୁ ଦୁରବସ୍ଥା କ’ଣ ସଂପୃକ୍ତ ସେହି କଲେଜର ସ୍ତରରେ ଦୂର କରାଯାଇପାରନ୍ତା ନାହିଁ ? ଅଧ୍ୟକ୍ଷ ଏବଂ ଅଧ୍ୟାପକମାନେ ଏକାଠି ବସିବେ, ଆହୁରି ଭଲ ହେବ ଯଦି ସେମାନେ ଛାତ୍ର ପ୍ରତିନିଧି କେତେଜଣଙ୍କୁ ମଧ୍ୟ ସେହି ଆଲୋଚନାରେ ସାଙ୍ଗକୁ ଆଣିବେ । ମୁକ୍ତ ମନରେ ସବୁକିଛିର ଆଲୋଚନା ହେବ । ବିଦ୍ୟମାନ ଓ ବିଦ୍ୟାଗ୍ରହଣର ସ୍ତରରେ ଏକ ସର୍ବନିମ୍ନ ଉଚ୍ଚତା ଅବଶ୍ୟ ରହିବ,–ଏହାହିଁ ଆଲୋଚନାର ସର୍ବପ୍ରଧାନ ନିର୍ଣ୍ଣାୟକ ହୋଇ ରହିଥିବ । ମାତ୍ର, କଲେଜଗୋଠରେ ବନ୍ଧା ହୋଇଥିବା ବ୍ୟକ୍ତିମାନେ ନିଜକୁ ଜଣେ ଜଣେ ଚାକିରିଆ ବୋଲି ମନେ କରୁଥିବା ପର୍ଯ୍ୟନ୍ତ ତାହା କଦାପି ହୋଇ ପାରିବନାହିଁ । ମଣିଷ ପରି ସାହସୀ ହୋଇପାରିଲେ ଯାଇ ହେବ ।

 

୧୨ । ୧୨ । ୮୧

 

ଜୀବନ କହିଲେ ଅହୋରାତ୍ର ଅନୁଭୂତ ହେଉଥିବା ଏକ ଜନ୍ମଜୟନ୍ତୀକୁ ବୁଝାଇବାହିଁ ଉଚିତ । କେତେକ ମଣିଷ ବୁଢ଼ା ହେବାପରେ ସେମାନଙ୍କର ବରାଦ ଅନୁସାରେ ସଭାମାନଙ୍କରେ ଯେଉଁ ଜୟନ୍ତୀର ପାଳନ ଅନ୍ୟମାନେ ଦେଉଥିବା ବକ୍ତୃତାର ମାଧ୍ୟମରେ କରାଯାଏ, ତାହା ବୁଢ଼ାମାନଙ୍କୁ ପୂରାପୂରି ବୁଢ଼ା ବୋଲି ଭାରି ହାସ୍ୟଜନକ ଭାବରେ ଧରା ପକାଇଦିଏ । ବୁଢ଼ାଦିନେ ମଧ୍ୟ ସେମାନଙ୍କ ନିଜ ଭିତରେ ପିଲାଟି ବଞ୍ଚି ରହିଥିଲେ ସେମାନେ ଏପରି କଦାପି କରନ୍ତେନାହିଁ । ଆପଣାକୁ ଦେଖି ପାରନ୍ତେ, ଆପଣାକୁ ହସି ପାରନ୍ତେ; ତଥାପି ଅନ୍ୟ ସମସ୍ତଙ୍କୁ ଅଧିକ ବଞ୍ଚିବାର ଓ ଅଧିକ ବାଟ ଚାଲିବାର ପ୍ରେରଣା ଦେଇପାରନ୍ତେ । ଆପଣାକୁ ପିଢ଼ା ଉପରେ ବସାଇ ବନ୍ଦାପନା କରାଇବାର ସଭାଧନ୍ଦାରେ ଅନ୍ୟମାନଙ୍କୁ ଲଗାଇ ସେମାନଙ୍କୁବି ବୁଢ଼ା ଏବଂ ବେରସିକ କରିଦେବାର ମୋଟେ ଫନ୍ଦା କରନ୍ତେ ନାହିଁ ।

 

ମୋ’ ଜନ୍ମ ହେବା ସହିତ ଏହି ସୂର୍ଯ୍ୟର ଏକ ସମ୍ପର୍କ ରହିଛି । ଏହି ସୂର୍ଯ୍ୟ ପ୍ରତି ଦିନ ଉଠେ । ତାକୁ ଆପଣାର ଜୀବନକୁ ଆମନ୍ତ୍ରଣ କରି ଆଣିବାର ଅନେକ ପୂର୍ବରୁ ମୁଁ ନିଜେ ଉଠି ନୂଆ ଖୁସିରେ ଓ ନୂଆ ଆଖିରେ ତା’ ଲାଗି ସଜ ହୋଇ ବସିଥାଏ ଓ ତାକୁ ଦେଖି ମୁଁ ବି ଏକ ନୂତନ ଜନ୍ମ ଲାଭ କଲି ବୋଲି ଅନୁଭବ କରେ । ଏହି ଅନୁଭୂତି ମୋତେ ଆପଣା ଭିତରେ ରହିଥିବା ପଥିକଶିଶୁଟି ପାଖକୁ ସିଧା ବାଟ ଦେଖାଇଦିଏ, ମୋ’ ଭିତରେ ନିତି ସଜ ହେଉଥିବା ଅଭିସାରିକାଟିକୁ ପୁନର୍ବାର ଏକ ସ୍ଵୀକୃତି ଦିଏ । ଏହି ସ୍ଵୀକୃତି ହେଉଛି ଅହୋରାତ୍ର ଜନ୍ମ ଲାଭ କରୁଥିବାର ଅସଲ ରହସ୍ୟ ଓ ଅସଲ ଉପାୟ । ଆପଣାଦ୍ଵାରା ସଜ ହୋଇଥିବା ପିଢ଼ାଟି ଉପରେ ନିତି ପିଲାଟିଏ ହୋଇ ବସିବା,–ଏହି ଦୃଶ୍ୟଟିକୁ ଅନୁଭବ କରୁ କରୁ ଆପଣା ଭିତରେ ନିତ୍ୟନୂତନ ବାସନାରେ ଉକୁଟି ଉଠୁଥିବା ଈଶ୍ଵରଙ୍କର ସାକ୍ଷାତ ପାଇଗଲା ପରି ମନେହୁଏ ।

 

୧୩ । ୧୨ । ୮୧

 

କାଲି ଭାଷଣଗୁଡ଼ାକୁ ଦେଖି ଦେଖି ଭାବୁଥିଲି, ଓଡ଼ିଶାରେ କଥା କହି କହି ପ୍ରାୟ ଚାଳିଶିବର୍ଷ ଚାଲିଗଲା । ଅଧ୍ୟାପକ ଅଧ୍ୟାପନା କଲାନାହିଁ, ଖାଲି କଥା କହିଲା । ସାମ୍ବାଦିକ ସମ୍ବାଦ ଆଣି ଦେଲାନାହିଁ ବା ସମ୍ବାଦର ଅନ୍ତଭିତରେ ଥିବା ସଙ୍କେତଗୁଡ଼ାକୁ କାଢ଼ି ଦେଖାଇବାକୁ ମୋଟେ ମନ କଲାନାହିଁ, ଖାଲି କଥା କହିଲା । ନେତା ନେତୃତ୍ଵ ଦେଲାନାହିଁ, ଖାଲି କଥା କହିଲା । ସମସ୍ତେ ସତେଅବା ନିଜକୁ ଗୋଟାଏ ଗୋଟାଏ ଶ୍ରେଷ୍ଠ ବୋଲି ଦେଖାଇ ହେବାକୁ କଥା କହିଲେ ଏବଂ ତାହା ଫଳରେ ପ୍ରାୟ ଅଭିଶପ୍ତ ହେବାପରି ଆପଣା ଆପଣାର ଗାତକୁ ଆଦରି ରହିଲେ । ଆପଣାକୁ କୋଉଠି କାହାଲାଗି ସମର୍ପଣ କରିବା ପରିବର୍ତ୍ତେ ଆପଣା ସହିତ ମଧୁଶଯ୍ୟା କରି ରହିଲେ ।

 

ଏହିଗୁଡ଼ାକ ବଦଳିବ । ଆମେ ଆଉ କେହି କଥାରେ ଭଳି ଯିବାନାହିଁ । ଆମେ କଥା ଭିତରୁ କଥାଗୁଡ଼ାକୁ କହୁଥିବା ମଣିଷଟାର ଅନ୍ତ କାଢ଼ି ଦେଖିବାର ଚେଷ୍ଟା କରିବା । କଥାଗୁଡ଼ାକର ପଛରେ ରହିଥିବା ଅସାଧୁତାଗୁଡ଼ାକୁ ଚିହ୍ନିବା । ଅଳପ ହୋଇ, ଅଳପ ଚାଲି ଓ ଅଳପରେ ଅବଗାହୀ ଅଧିକ ଦେଖାଇ ହେବାକୁ ମନ କଲେ ମଣିଷ ଯେ ନିଜ ପାଖରେ ନିଜକୁ କିପରି ପ୍ରତ୍ୟାଖ୍ୟାତ କରି ରଖେ, ଏମାନଙ୍କୁ ଦେଖି ଆମେ ତାହାରି କଳନା କରିବା । ଆମେ ସେପରି ମୋଟେ କରିବା ନାହିଁ । ଆମେ ନିଜ ଭିତରେ ରହିଥିବା ଅସଲ କେନ୍ଦ୍ରଟି ସହିତ ଖିଅ ଲଗାଇ ରଖିଥିବା ଆମ ନିଜ ଭିତରେ ରହିଥିବା ଅସଲ ସୂର୍ଯ୍ୟଟିର ଦିଗ୍‍ଦର୍ଶନ ଲୋଡ଼ୁଥିବା । ତେବେ, ଆମ ଭିତରେ ଯାହାକିଛି ସବୁରି ଯୋଗ୍ୟ, ସଂସାରର ଯୋଗ୍ୟ ଏବଂ ଭଗବାନଙ୍କର ଯୋଗ୍ୟ ହୋଇ ପ୍ରସ୍ତୁତ ହୋଇ ପାରିବ, ତାହା ଆପେଆପେ ଫୁଟି ପଦାକୁ ବାହାରି ପାରିବ, କାମରେ ଲାଗି ପାରିବ ।

 

୧୪ । ୧୨ । ୮୧

 

ସଂସାରଟା ଯେ ମୋଟେ ନିତ୍ୟ ନୁହେଁ, ଏହି ଅବିଶ୍ଵାସଟା ସମ୍ଭବତଃ ମଣିଷକୁ ତା’ର ଅତି ବୁଢ଼ାଦିନେ ସବୁଠାରୁ ଅଧିକ ପ୍ରବଳ ଭାବରେ କାମୁଡ଼ି ଧରିଥାଏ । ଆହୁରି ସ୍ପଷ୍ଟ କରି କହିବାକୁ ଗଲେ, ମଣିଷ ଆପଣାକୁ ବୁଢ଼ା ହୋଇ ଯାଉଥିବାର ଅନୁଭବ କରିବାକୁ ଆରମ୍ଭ କରିବା ସଙ୍ଗେ ସଙ୍ଗେ ସଂସାରଟାକୁ ଅନିତ୍ୟ ବୋଲି ଅନୁଭବ କରିବାକୁ ଆରମ୍ଭ କରିଥାଏ । ଅର୍ଥାତ୍, ସେ ଆପଣାକୁ ଅନିତ୍ୟ ବୋଲି ଅନୁଭବ କରିବାକୁ ଆରମ୍ଭ କରିବା ସଙ୍ଗେ ସଙ୍ଗେ ବାହାର ଗୋଟାକଯାକକୁ ଓ ଏହି ସୃଷ୍ଟିର ସବୁକିଛିକୁ ଅନିତ୍ୟ ବୋଲି ଅନୁଭବ କରିବାକୁ ଆରମ୍ଭ କରିଥାଏ ।

 

ଏବଂ, ଏହି ଅନିତ୍ୟତାବୋଧଟି ଆପଣାକୁ କାମୁଡ଼ି ଧରିବାକୁ ଆରମ୍ଭ କରିବା ସଙ୍ଗେ ସଙ୍ଗେ ମଣିଷ ଉଗ୍ର ହୁଏ । ସିଏ ସମସ୍ତଙ୍କୁ କାମୁଡ଼ି, ସମସ୍ତଙ୍କୁ ପାସୋରି ଆପଣାର ମୁହଁଟାକୁ ସବୁବେଳେ ପୂର୍ଣ୍ଣ ଓ ସବୁଠାରୁ ଅଧିକ ଠୋଲା କରି ଦେଖାଇବାକୁ ଭାରି ପ୍ରବଳ ହୋଇ ବାହାରେ । ସିଏ ଅଧିକ କଥା କହିବ ବୋଲି ବାହାରେ । ବର୍ତ୍ତମାନ ସମସ୍ତଙ୍କୁ ମାଡ଼ିଯାଇ ସବୁଠାରୁ ଅଧିକ କଥା କହିଲେ ତା’ କଥା କହିବାର ଅବଦମିତ ବାସନାଗୁଡ଼ାକ ହୁଏତ କେବେ ଚରିତାର୍ଥ ହୋଇ ପାରିବନାହିଁ ବୋଲି ସିଏ ବଡ଼ ଶଙ୍କିତ ହୋଇ ରହିଥାଏ, ବଡ଼ ଉତ୍ତେଜିତ ହୋଇ ରହିଥାଏ । ଏହି ଉଗ୍ରତାରେ ପଡ଼ି ସେ ଅଳ୍ପବୟସ୍କମାନଙ୍କୁ ବାଦ କରେ ଓ ସେମାନଙ୍କୁ ସ୍ଥାନଚ୍ୟୁତ କରି ସବୁଯାକ ସ୍ଥାନ ମାଡ଼ି ବସିବାକୁ ଚାହେଁ । ବୃଦ୍ଧ ଓ ପରିପକ୍ଵ ହେବା ସଙ୍ଗେ ସଙ୍ଗେ, ଅର୍ଥାତ୍ ଆପଣା ଭିତରର ଅସଲ ସଂଗ୍ରହଗୁଡ଼ିକ ବଢ଼ିବା ସଙ୍ଗେ ସଙ୍ଗେ ସିଏ ଆପଣାକୁ ଅଧିକ ନିକଟବର୍ତ୍ତୀ ବୋଲି ଅନୁଭବ କରି ପାରୁଥାନ୍ତା, ଅର୍ଥାତ୍ ସଂସାରରେ ସମସ୍ତଙ୍କୁ ଅଧିକ ଆପଣାର ବୋଲି ଅନୁଭବ କରି ପାରୁଥାନ୍ତା, ଆପଣାକୁ ପଛରେ ରଖି ଅନ୍ୟମାନଙ୍କୁ ଯଥାସମ୍ଭବ ଅଗ୍ରସର କରାଇଦେଇ ପାରୁଥାନ୍ତା-

 

୧୫ । ୧୨ । ୮୧

 

ବାହାରୁ ଥାଇ ମଣିଷକୁ ଓ ସଂସାରକୁ ଦେଖୁଥିବା ପର୍ଯ୍ୟନ୍ତ ଆପଣାକୁ ସତେଅବା ଜଣେ ସାଧୁ ପରି ମନେ ହୁଏ । ମାତ୍ର, ଭିତରେ ପ୍ରବେଶ କଲା ମାତ୍ରକେ ଅର୍ଥାତ୍ ଶ୍ରଦ୍ଧାର ଖିଅ ଯୋଡ଼ି ଆପଣାର ମାନବିକ ତଥା ଜାଗତିକ ପରିବେଶକୁ ଛୁଇଁ ପାରିବା ମାତ୍ରକେ ଆପଣାକୁ ସତେଅବା ସମସ୍ତଙ୍କର ସାଥୀ ପରି ଲାଗିବାକୁ ଆରମ୍ଭ କରେ । ଏବଂ ପର୍ଯ୍ୟାୟରେ ଆପଣା ସହିତ ରହିଥିବା ନାନା ଶତ୍ରୁତା ଓ ନାନା ଦୂରତା ଯେ କେତେବେଳେ କୁଆଡ଼େ ଅନ୍ତର୍ହିତ ହୋଇଯିବାକୁ ଆରମ୍ଭ କରେ, ସେକଥା ମୋଟେ ଜାଣି ହୁଏନାହିଁ ।

 

ମୋ’ର ପୃଥିବୀର ସମସ୍ୟାଗୁଡ଼ିକୁ ମୁଁ ମୋଟେ ବାହାରୁ ଥାଇ ଦେଖିବାର ଚେଷ୍ଟା କରିବି ନାହିଁ, ଏହି ପୃଥିବୀକୁ ନେଇ ଚିନ୍ତା କରୁଥିବାବେଳେ ମୁଁ ମୋଟେ ଆପଣାକୁ ଯେକୌଣସି ପ୍ରକାରେ ନିରାପଦ ଓ ବହିରବସ୍ଥିତ କରି ରଖିବାକୁ ଚେଷ୍ଟା କରିବିନାହିଁ । ଏହି ପୃଥିବୀରେ ଯାହାକିଛି ହେବ, ତାହା ମୋତେ ସାଙ୍ଗରେ ନେଇ ହେବ । ଏହି ପୃଥିବୀର ଯାହାକିଛି ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ମୁଁ ଅନୁଭବ କରୁଛି, ସେସବୁ ମୋତେ ସାଙ୍ଗରେ ନେଇକରିହିଁ ହେବ । ମୁଁ ବାହାରେ ଥିବି,–ଅନମନୀୟ ଭାବରେ ବାହାରେ ରହିଥିବି ଏବଂ ଏହି ପୃଥିବୀ ମୋଟେ ବଦଳିଲା ନାହିଁ ବୋଲି ସାଧୁବାଣୀମାନ ଉଦ୍‌ଗାର କରୁଥିବି;–ଏହାକୁ କଦାପି ସୁସ୍ଥତା ବୋଲି କୁହାଯିବନାହିଁ । ଏବଂ, ଅସୁସ୍ଥ ମଣିଷ ଯାହାକିଛି ଚିନ୍ତା କରିବ ଅଥବା ଯାହାକିଛି ସମାଧାନ ଦେବ, ତାହାକୁ ମଧ୍ୟ ମୂଳତଃ କେବଳ ଅସୁସ୍ଥ ବୋଲିହିଁ କହିବାକୁ ପଡ଼ିବ ।

 

୧୬ । ୧୨ । ୮୧

 

ଓଡ଼ିଶାରେ ସମାଜ ଓ ରାଜନୀତିର କ୍ଷେତ୍ରରେ ଯେଉଁମାନେ ଗତ ଗୋଟାଏ ପୁରୁଷ ଧରି ପ୍ରାୟ ରାକ୍ଷସ ପରି ଆଚରଣ କରି ଆସିଲେ, ଯୋଉମାନେ ନିଜେ ବୁଢ଼ା ହେବା ସଙ୍ଗେ ସଙ୍ଗେ ଏ ଦେଶଟାକୁ ମଧ୍ୟ ବୁଢ଼ା କରି ପକାଇଲେ ଓ ଏହି ଦେଶର ଯାବତୀୟ କର୍ଷଣକୁ ଅଫଳନ୍ତି କରି ରଖିଲେ, ଏବେ ସେମାନେ ଚାରିଆଡ଼କୁ ଅନାଇ କେବଳ ଅନ୍ଧାର ଦେଖୁଛନ୍ତି, ଅନ୍ଧାର ଦେଖି ଉତ୍ତେଜିତ ହୋଇ ପଡ଼ୁଛନ୍ତି ଏବଂ, ଦେଶଟା ଯେ ମୋଟେ ଉଚିତ ବାଟରେ ଯାଉନାହିଁ, ସେଥିଲାଗି ହାହାକାର କରିବାରେ ଲାଗିଛନ୍ତି ।

 

ଏମାନେ ବୁଢ଼ାଦିନେ ପିଲାଙ୍କ ପରି ଆଚରଣ କରୁଛନ୍ତି । ପିଲାବେଳେ ନୀତିକଥା ଶୁଣିଥିଲେ, ପିଲାଦିନେ ପିଲା ନହୋଇ ବଡ଼ଙ୍କ ପରି ଦିଶିବାର ଓ ବଡ଼ଙ୍କ ପରି କଥା କହିବାର ମୁଖାଗୁଡ଼ାକ ପିନ୍ଧିଥିଲେ । ତେଣୁ ବଡ଼ ହେଲେ ମଧ୍ୟ, ତଥାପି ପରିପକ୍ଵ ହୋଇ ପାରିଲେନାହିଁ । ନିଜ ଭିତରେ ମୋଟେ ସ୍ଵାଭାବିକ ଏବଂ ଶାନ୍ତ ହୋଇ ନପାରିଥିବାରୁ ଏଣେ ବାହାରେ ମଧ୍ୟ ଶାନ୍ତ ହୋଇ ପାରିଲେନାହିଁ । ବଡ଼ଦିନେ ପିଲାଙ୍କ ପରି କଥା କହିଲେ । ପିଲାଙ୍କ ପରି ଅଭିଯୋଗ କଲେ ଏବଂ ପିଲାଙ୍କ ପରି ଗଗନ କମ୍ପାଇଲେ । ଗାନ୍ଧୀଙ୍କଠାରୁ ଐତିହ୍ୟଟିକୁ ଗ୍ରହଣ କରି ମଧ୍ୟ ଏହି ଅମଣିଷମାନେ ଗାନ୍ଧୀ ପାଖରେ କପଟୀ ହେଲେ । ଏବଂ, ବର୍ତ୍ତମାନ ବୁଢ଼ାଦିନରେ ଗାନ୍ଧୀକଥା କହି ଆପଣାର ଅସଲ ନୈରାଶ୍ୟଗୁଡ଼ାକୁ ଢାଙ୍କି ରଖିବାକୁ ଚେଷ୍ଟା କଲେ । ହାସ୍ୟାସ୍ପଦ ହେଲେ । ନିଜପାଖରେବି ଏମାନେ କମ୍ ହାସ୍ୟାସ୍ପଦ ହୋଇ ରହିନଥିବେ, ନିଜଠାରୁବି କମ୍ ତାଡ଼ନା ସହୁନଥିବେ । ସେମାନଙ୍କର ଏହି ଦୁଃଖକୁ ନିଜ ପାଖରେ ନିଜର ଜବାବଦ୍ରୋହୀ ଦେଇ ନପାରିବାର ଦୁଃଖ ବୋଲି କହିବାକୁ ହେବ । ଯେତେବେଳେ ଦେଶ ଲାଗି ଏମାନେ କିଛି କରି ପାରିଥାନ୍ତେ, ସେତେବେଳେ ତାହା ନକରି ପାରିବାର ଦୁଃଖ ବୋଲି କହିବାକୁ ହେବ ।

 

୧୭ । ୧୨ । ୮୧

 

କୋଉଠି କେତେ ଜାଗାରେ ଆପଣାକୁ ଖୋଲିଦେଇ ଖାଲି କାନ୍ଦିବାକୁହିଁ ଇଚ୍ଛା ହେଉଛି-। କେତେକେତେ ସ୍ଵପ୍ନ ଯେ ଏହି ସାନ ହୃଦୟଟି ଭିତରେ ରହି ଆସିଛି ଓ ଏପର୍ଯ୍ୟନ୍ତବି ଅପେକ୍ଷା କରି ରହିଛି, ପ୍ରାଣ ଭରି କାନ୍ଦିବା ସମୟରେହିଁ ସେହିସବୁ ସ୍ଵପ୍ନ ସହିତ ଏକ ସଂସ୍ପର୍ଶ ଘଟିଥାଏ । ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ନିଜର ସ୍ଵପ୍ନଗୁଡ଼ାକୁ ଅନ୍ତରାଳସ୍ଥ କେଉଁ ଏକାନ୍ତ ବ୍ୟକ୍ତିଗତ ଅନୁବୋଧର କୋଣରେ ନେଇ ସାଇତି ରଖିଥାନ୍ତି । ସେମାନେ ଉପରେ କେଡ଼େ ସୁନ୍ଦର ଚଳିଯାଆନ୍ତି ଓ ତେଣେ ଆପଣାର ସ୍ଵପ୍ନଗୁଡ଼ିକ ସହିତ ରାତ୍ରିଯାପନ କରୁଥାନ୍ତି । ମୁଁ ପାରେ ନାହିଁ । ମୋ’ର ସ୍ଵପ୍ନଗୁଡ଼ିକ ଏହି ସଂସାରକୁ ନେଇ, ମଣିଷ ମଣିଷ ଭିତରେ ରହିଥିବା ସମ୍ପର୍କଗୁଡ଼ିକୁ ନେଇ, ମୋ’ର ବାଟ ଚାଲିବାକୁ ନେଇ । ମୋ’ର ସ୍ଵପ୍ନଗୁଡ଼ିକୁହିଁ ସାଥିରେ ନେଇ, ସେଗୁଡ଼ିକୁ ଅଭିବ୍ୟକ୍ତ କରି ମୁହୂର୍ତ୍ତ ମୁହୂର୍ତ୍ତର ବାଟ ଚାଲିବାକୁ ନେଇ ।

 

ଭିତରେ ଗୋଟାଏ ପ୍ରକାରର ହୋଇ ବାହାରେ ଆଉଗୋଟାଏ ପ୍ରକାରର ଅଭିନୟ କରିବାର ପାଠ ଜୀବନରେ ମୋଟେ ଶିଖି ହେଲାନାହିଁ । ସେଥିଲାଗି ଆପଣା ଭିତରେ ନିଜର ଗୋଟାଏ ଖଣ୍ଡକୁ ଲୁଚାଇ ମୁଁ ବାହାରେ ଆଉଗୋଟାଏ ଖଣ୍ଡକୁ ନେଇ ପାରିଧି କରି ବାହାରି ପାରିଲିନାହିଁ । ମୋ’ ଭିତରେ ଯିଏ ଅସଲ ଉତ୍‌ପ୍ରେରକ ହୋଇ ରହିଛି, ସେଇ ସବୁରି ଭିତରେ ସମସ୍ତଙ୍କର ଅସଲ ବନ୍ଧୁ ହୋଇ ରହିଛି ବୋଲି ମୋ’ର ଯେଉଁ ବିଶ୍ଵାସ, ସେହି ବିଶ୍ଵାସଟିକୁ ମୁଁ କଦାପି ଛାଡ଼ି ପାରିବିନାହିଁ । ଆବଶ୍ୟକ ହେଲେ ଆଘାତଗୁଡ଼ାକୁ ଆପଣା ଭିତରେ ହଜମ କରିବାକୁ ଆପଣା ପାଖରେ ବସି କାନ୍ଦିବି ପଛକେ, ମାତ୍ର ମୋ’ ଭିତରେ ମୋ’ର ହାଡ଼ମାଂସ ରହିଥିବା ବିଶ୍ଵାସଟିକୁ ମୁଁ କଦାପି ଛାଡ଼ି ପାରିବିନାହିଁ ।

 

୧୮ । ୧୨ । ୮୧

 

ଯେଉଁମାନେ ଆପଣାର ଭିତରୁ ପ୍ରେରଣା ପାଇ ସାହିତ୍ୟ ଭିତରେ ପଶିଛନ୍ତି, ସେମାନଙ୍କ ବିଷୟରେ ମୋ’ର ଆଦୌ କୌଣସି ଅଭିଯୋଗ ନାହିଁ । ମାତ୍ର ଆପଣା ଭିତରୁ ଆସୁଥିବା ପ୍ରେରଣାଟି ଯଦି ଅସଲ ଜାଗାରୁ ଆସୁଥିବା ପ୍ରେରଣା ହୋଇଥାଏ ଓ ଅସଲ ଜାଗାରୁ ଆସୁଥିବାର ଏକ ଭ୍ରମ ଆଣି ଦେଉଥିବା ଆଉ ଅନ୍ୟକୌଣସି ପ୍ରେରଣା ହୋଇନଥାଏ, ତେବେ ସେହି ପ୍ରେରଣା ଆପଣାକୁ ଅନୁଭବ କରୁ କରୁ ଏହି ପୃଥିବୀଯାକର ସବୁ ମଣିଷଙ୍କୁ ମଧ୍ୟ ଅବଶ୍ୟ ଅନୁଭବ କରିବ । ସେହି ପ୍ରେରଣା ମଣିଷକୁ କଦାପି କୌଣସି ବୈରାଗ୍ୟ ବା ବାବାଜି ହେବାର ଧନ୍ଦାରେ ପକାଇ ଦେବନାହିଁ । ଏବଂ, ସେହି ପ୍ରେରଣାରୁ ଯେଉଁ ସାହିତ୍ୟର ଜନ୍ମ ହେବ, ତାହା କଦାପି ଉଦାସୀନ ହେବନାହିଁ, ତାହା ସବୁରି ସହିତ ସମ୍ମିଳିତ ହେବାକୁ ମନ କରିବ, ସାହିତ୍ୟକୁ ମଧ୍ୟ ଏହି ସମ୍ମିଳିତ ହେବାର ଗୋଟିଏ ସାଧନ ବୋଲି ଗ୍ରହଣ କରିବ ।

 

ସାହିତ୍ୟର ପ୍ରେରଣା ଆପଣା ଭିତରେ ସମୁଦାୟ ବିଶ୍ଵକୁ ଅନୁଭବ କରିବାର ପ୍ରେରଣା । ସେହି ବିଶ୍ଵରେ ମଣିଷମାନେବି ରହିଛନ୍ତି । ଅନେକ ମଣିଷ ନାନା ଉପେକ୍ଷାର ଶିକାର ହୋଇ ରହିଛନ୍ତି । ସ୍ଵର୍ଗରାଜ୍ୟର କୌଣସି ଅଭିଶାପଦ୍ଵାରା ନୁହେଁ, ଏଇଠି ଅନ୍ୟ ମଣିଷଙ୍କର ଅମାନୁଷିକତା ହେତୁହିଁ ସେମାନେ ସେହି ଶିକାର ହୋଇ ରହିଛନ୍ତି । ସେହି ଅମାନୁଷିକତା ଆମ ସମାଜ ଓ ସମ୍ପର୍କଗୁଡ଼ାକର ଗହଣକୁ ମଧ୍ୟ ନାନାଭାବେ ବିକୃତକରି ରଖିଛି । ସାହିତ୍ୟର ପ୍ରେରଣା ସେଗୁଡ଼ାକରବି ଖବର ନେବ, ସେଗୁଡ଼ିକରବି ସମାଧାନ ଖୋଜିବ । ତେଣୁ, ବାବାଜି ହୋଇ ବାହାରେ ବାହାରେ କହିବାକୁ କଦାପି ମନ କରିବନାହିଁ ।

 

୧୯ । ୧୨ । ୮୧

 

ପୃଥିବୀରେ ଯେଉଁମାନଙ୍କ ହାତରେ ରାଷ୍ଟ୍ରୀୟ କ୍ଷମତାଗୁଡ଼ାକ ରହିଛି ଓ ତେଣୁ ଯେଉଁମାନେ ପୃଥିବୀଯାକର ଅସ୍ତ୍ର ଭଣ୍ଡାରର ମାଲିକ ହୋଇ ବସିଛନ୍ତି, ସେମାନେ ପରସ୍ପରର ଦର୍ପ ଚୂର୍ଣ୍ଣ କରିଦେବାକୁ ଯାଇ ସାରା ପୃଥିବୀଟାକୁ ଉଚ୍ଛନ୍ନ କରିଦେବେ ବୋଲି ବାହାରିଲେଣି । ପ୍ରାୟ ସବୁଦେଶର ମଣିଷମାନେ ଗୋଟାଏ ପାଖରେ ଓ ସେମାନଙ୍କର ଶାସକମାନେ ଆଉ ଗୋଟାଏ ପାଖରେ,–ଏହିପରି ପରସ୍ପରଠାରୁ ଅଲଗା ହୋଇ ରହିଲେଣି । ମଣିଷମାନଙ୍କ ମଧ୍ୟରେ ଯେଉଁ ସ୍ଵାଭାବିକ ଆଦାନପ୍ରଦାନ, ସହଯୋଗିତା ଏବଂ ମୈତ୍ରୀ ସମ୍ଭବ ହୋଇ ପାରନ୍ତା, ତାହା ପ୍ରାୟ ହୋଇ ପାରୁନାହିଁ । ରାଷ୍ଟ୍ର ଶାସନଗୁଡ଼ାକ ମଣିଷଲାଗି ତିଆରି ହୋଇଥିଲା ସତ, ମାତ୍ର ଆଧୁନିକ ରାଜନୀତିର ଫାଶ ଭିତରେ ପଡ଼ି ମଣିଷମାନେ କେବଳ ରାଷ୍ଟ୍ରଗୁଡ଼ାକର ଅନୁଗ୍ରହରେହିଁ ଯାହାକିଛି ଜାଣିବା ଲାଗି ବାଧ୍ୟ ହେଉଛନ୍ତି ତେଣେ ଶେଷ ହୋଇଯିବାକୁ ବସିଛି ।

 

ତଥାପି ବିଶ୍ଵାସ ହେଉଛି, ପୃଥିବୀ ରହିବ, ମଣିଷ ରହିବ ଓ ଅସଲ ସତ୍ୟଟି ବିଜୟଲାଭ କରିବ । ଏହିପରି ଏକ ବିଶ୍ଵାସ ପଛରେ ରାଜନୀତିକ ଆଦୌ କୌଣସି ଯୁକ୍ତି ଅବଶ୍ୟ ନାହିଁ । ତଥାପି ମଣିଷ ଭିତରେ ଓ ତେଣୁ ପୃଥିବୀରେ ଏପରି ଏକ ବିବେକ ରହିଛି, ଯାହାକି ରାଜନୀତିର ଅନେକ ଉପରେ ଦେଖିପାରୁଛି, ଏବଂ ଯାହାକି ଯାବତୀୟ କ୍ଷମତାର ଦୌରାତ୍ମ୍ୟ ସତ୍ତ୍ୱେ ତଥାପି ବଞ୍ଚି ରହିବ,–ଏବଂ ସେହି ବିବେକର ବିଜୟ ହେବ । ମୋ’ ଭିତରେ ମୁଁ ସେହି ବିବେକଟିକୁହିଁ ଆଜି ସର୍ବପ୍ରଧାନ ଓ ସର୍ବନିୟମାକରୂପେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଅନୁଭବ କରିପାରୁଛି ।

 

୨୦ । ୧୨ । ୮୧

 

ଆଗେ ଶାନ୍ତିନିକେତନ ଏକ ଆଶ୍ରମ ପରି ଥିଲା । କୌଣସି ଏକ ନିର୍ଦ୍ଦିଷ୍ଟ ଶାସ୍ତ୍ର ବା ସଂହିତାର ନୀତିସୂତ୍ର ଅନୁସାରେ ସେହି ଆଶ୍ରମ ଚାଲୁନଥିଲା । ତାହା ସମସ୍ତ ବିଶ୍ଵଲାଗି ଏକ ନୀଡ଼ରୂପେ ନିଜକୁ ପ୍ରସାରିତ କରି ରଖିଥିଲା । ମଣିଷସମାଜର ଅସଲ ଏକତା ରାଜନୀତିରେ ନୁହେଁ, ଏକ କେନ୍ଦ୍ରୀକୃତ ଶାସନରେ ନୁହେଁ, ତାହା ହେଉଛି ତା’ର ଯାବତୀୟ ସାଂସ୍କୃତିକ ସମ୍ଭୂତିର ଯାବତୀୟ ଉଦ୍ୟମରେ, ତା’ର ଗ୍ରହଣଶୀଳତାରେ ଓ ପରସ୍ପର ଲାଗି ଯଥେଷ୍ଟ ସ୍ଥାନ ଛାଡ଼ିଦେଇ ପ୍ରତ୍ୟେକ ମଣିଷ ଆପଣାର ଶୁଭତମ ପ୍ରବୃତ୍ତିଗୁଡ଼ିକର ବିକାଶ କରିବାରେ ।

 

ଜ୍ଞାନ, କର୍ମ, ଭଲ ପାଇବା ଓ ଶ୍ରଦ୍ଧା,–ଏହି ସବୁକିଛି ଯେ ଏକ ତପସ୍ୟାର ସ୍ତରକୁ ଉନ୍ନୀତ ହୋଇ ଯାଇପାରେ, ଶାନ୍ତିନିକେତନର ପ୍ରୟୋଗ ମୂଳତଃ ସେହି ସତ୍ୟାନୁମାନଟିକୁ ନେଇ କରାଯାଇଥିଲା । ଯିଏ ତପସ୍ୟା କରେ, ସିଏ ବିଶେଷ କିଛି ମାଗେନାହିଁ, ସିଏ ଅନ୍ୟ କାହାରି ପରି ହେବାକୁ ବା ଦିଶିବାକୁ ଚାହେଁନାହିଁ, ନିଜ ପାଖରେ ସିଏ କୌଣସି କପଟତାକୁ ଥାନ ଦିଏନାହିଁ । ଏବଂ ଆପଣା ସାଙ୍ଗରେ ଆଉ ଯେଉଁମାନେ ଏକତ୍ର ହୋଇ ତପସ୍ୟା କରିବାକୁ ଆସିଥାନ୍ତି, ସିଏ କୌଣସି ପ୍ରକାରେ ସେମାନଙ୍କ ଉପରେ ମାଡ଼ି ଯିବାକୁ ଚେଷ୍ଟା କରେନାହିଁ । ସିଏ ବାଟ ଚାଲେ, ଆପଣାର ମାର୍ଗରେ ଆପଣାକୁ ଅଧିକରୁ ଅଧିକ ସାର୍ଥକ ଭାବରେ ଦେଇ ପାରିବାକୁ ନିଜ ଭିତରେ ଏକ ଅଜସ୍ର ଶ୍ରଦ୍ଧାଭଣ୍ଡାର ହୋଇ ରହିଥାଏ । ଶାନ୍ତିନିକେତନ ଏହିପରି ଏକ ଆନନ୍ଦମୟ, ଉନ୍ମୋଚନମୟ ଏବଂ ମିତ୍ରତାମୟ ତପସ୍ୟାର ଥଳି ହୋଇ ରହିବାକୁ ଉଦ୍ଦିଷ୍ଟ ହୋଇଥିଲା । ଆଜି ଏହାକୁ ଏକ କାରଖାନାରେ ପରିଣତ କରିବାକୁ ଏମାନେ କାହିଁକି ମନ କରୁଛନ୍ତି କେଜାଣି ?

 

୨୧ । ୧୨ । ୮୧

 

ବର୍ଷ ଶେଷ ହୋଇ ଆସିବା ବେଳକୁ ଭିତରେ ସତେଅବା ମୁଁ କୌଣସି ନୂତନ ବନ୍ଧୁକୁ ସାକ୍ଷାତ କରିବା ଲାଗି ସଜ ହେଉଥିବା ପରି ଅନୁଭବ କରୁଛି ।

 

ଏହି ନୂତନ ବନ୍ଧୁ ପ୍ରକୃତରେ ନୂତନ ନୁହେଁ, ସିଏ ସନାତନ । ସିଏ ନାନା ଭାବରେ, ନାନା ପ୍ରେରଣାରୂପେ ମୋ’ରି ପାଖରେ ଆସି ଧରା ଦେଇଛି । ମୁଁ ପ୍ରକୃତରେ ଚାହିଁଲା ମାତ୍ରକେ, ଅର୍ଥାତ୍ ବ୍ୟାକୁଳ ହୋଇ ଆପଣା ଭିତରେ ଆପଣାକୁ ଲୋଡ଼ିବା ମାତ୍ରକେ ଦୁଆର ଖୋଲିଦେଇ ତାହାକୁହିଁ ଅପେକ୍ଷା କରିଥିବାର ଦେଖିବାକୁ ପାଇଛି । ଏବଂ, ତାକୁ ଦେଖିବା ପରେ ମୋ’ ଭିତରର କେତେ ଜର ଭଲ ହୋଇ ଯାଇଛି । କେତେ ଦୁଃଖ ସତେଅବା ଆହୁରି ଆଗକୁ ଯିବାର ଅର୍ଥାତ୍ ଆହୁରି ନିକଟବର୍ତ୍ତୀ ହେବାର ଏକ ଉତ୍‌ପ୍ରେରକରେ ପରିଣତ ହୋଇଯାଇଛି । ଏହି ବନ୍ଧୁକୁ ମୁଁ ଭିତରେ ଦେଖିବା ମାତ୍ରକେ ବାହାର ଗୋଟାକଯାକବି ମୋତେ ବନ୍ଧୁପରି ଲାଗିଛି । ସେତେବେଳେ ଭୟଗୁଡ଼ାକବି କୁଆଡ଼େ ଲାଜରା ହୋଇ ପଳାଇ ଯାଇଛନ୍ତି । ସବୁଆଡ଼େ କେବଳ ଖିଅ ଲାଗି ରହିଥିବା ପରି ଲାଗିଛି । ଏବଂ, ସେହି ଖିଅଗୁଡ଼ାକହିଁ ମୋ’ ଜୀବନର ପରମ ସମ୍ପଦ ଓ ପରମ ଅବଲମ୍ବନ ବୋଲି ମନେ ହୋଇଛନ୍ତି । ନୂତନ ଆସୁନାହିଁ, ନୂତନ ମୋ’ ପାଖେପାଖେ ରହିଛି; ମୋ’ ଜୀବନର ଏକ ଅଂଶ ହୋଇ ରହିଛି । ମୋ’ ଭିତରେ ତାହା କେତେକେତେ ଗ୍ରହଣଶୀଳତା ଏବଂ ଗ୍ରହଣସମର୍ଥତାରୂପେ ଜନ୍ମଲାଭ କରିବାରେ ଲାଗିଛି । ଯାହାକୁ ମୁଁ ଅତୀତ ବୋଲି କହି ଅତିକ୍ରମି ଯାଉଛି, ତାହା ମୋ’ ଲାଗି ସତେଅବା ଅଗ୍ନିକଣାରେ ପରିଣତ ହୋଇ ମୋତେ ଆଗକୁ ବାଟ ଦେଖାଇ ଚାଲିଛି । ପାଉଁଶଗୁଡ଼ାକ ପଛରେ ପଡ଼ିରହିଛି । ମୃତ୍ୟୁ ସତେଅବା ଏକ ସାଧନ ହୋଇ ମୋତେ ନୂତନ ଭାବରେ ଜନ୍ମ ଲଭିବାର ବାଟ ବତାଇ ଦେଉଛି ।

 

୨୨ । ୧୨ । ୮୧

 

କୁଆଡ଼କୁ ଯାତ୍ରାରେ ବାହାରିଲେ ମୁଁ ନିଜ ଭିତରକୁ ଅନାଇ ଶ୍ୟାମଳ ବନାନୀ ଦେଖିବାକୁ ହୁଏ, ନୂଆ ଆକାଶ ଦେଖିବାକୁ ପାଏ, ମୋତେ ଅତି ପରିଚିତ ବୋଲି ଲାଗୁଥିବା ଓ ତଥାପି ଏପର୍ଯ୍ୟନ୍ତ ପରିଚିତ ହୋଇନଥିବା କେତୋଟି ପ୍ରସନ୍ନ ମୁଖ ଦେଖିବାକୁ ପାଏ । ସବୁଟିକୁ ମିଶାଇ ସତେଅବା କେଉଁ ପୁରୁଣା ବନ୍ଧୁକୁ ସଙ୍ଖୋଳି ଯାଉଥିବା ପରି ମନେ ହୁଏ । ନିଜ ଭିତରର କେତେ ଅଙ୍ଗନରେ ହଠାତ୍ ଦୁଆରଗୁଡ଼ାକ ଫିଟି ଯାଉଥିବା ପରି ଅନୁଭବ ହୁଏ ଓ ମୁଁ ବାହାରୁ ଆହୁରି କେତେକଅଣ ସ୍ନେହ ଓ ଖିଅକୁ ଆପଣା ଭିତରକୁ ବାଟ ଛାଡ଼ି ଦେଉଥିବା ପରି ମନେ ହୁଏ ।

 

ହୃଦୟଟା ସାନ ହୋଇ ଆସୁଥିଲେ ହୁଏତ ଆଖିଗୁଡ଼ାକ ମଧ୍ୟ ସାନ ହୋଇ ଆସୁଥାଏ । ଆପଣାର ଅଳପଟି ପ୍ରତି ଲୋଭଟା ଅଧିକରୁ ଅଧିକ ବଳବାନ୍ ହେଉଥିବା ସଙ୍ଗେ ସଙ୍ଗେ ହୁଏତ ହୃଦୟଟାବି କ୍ରମେ ସାନ ହୋଇ ଆସେ ଓ ସେହିପରି ସାନ ହୋଇ ଆସିବାକୁ ସେତେବେଳେ ସମ୍ଭବତଃ ବେଶ୍ ଭଲବି ଲାଗେ । ହୃଦୟ ସାନ ହୋଇ ଆସିଲେ ମଣିଷ ଜାତି ମାନେ, ଭାଷା ମାନେ, କିଳି ହୋଇ ରହିବାକୁହିଁ ଆପଣା ସହିତ ଅସଲ ପ୍ରୀତି ବୋଲି ମନେ କରେ । ସିଏ ଶୁଦ୍ଧ ହୋଇ ରହେ, ଅର୍ଥାତ୍ ଅଛୁଆଁ ହୋଇ ରହିଯାଏ । ମୁଁ ଆଉ ଯାହା ହୁଏ ନହୁଏ ପଛକେ, କଦାପି ଅଛୁଆଁ ହୋଇ ରହିବି ନାହିଁ ବୋଲି ଆପଣା ପାଖରେ କୋଉଦିନୁଁ ସ୍ଥିର କରି ସାରିଛି । ଏହି ସ୍ଥିର କରି ସାରିବା ପରେ କେବେ ପୁନର୍ବାର ଅଳପ ପାଖକୁ, କାନ୍ଥଗୁଡ଼ାକ ପାଖକୁ ଫେରି ଆସିବାକୁ ମନ ହୋଇନାହିଁ । ମୋ’ ନିଜ ଆକାଶ ମୋ’ ନିଜର ନୁହେଁ, ଏହା ମୋ’ର ଜୀବନ ଉପରେ ସତେଅବା ଏକ ସ୍ନେହମୟୀ ଜନନୀ ପରି ବିସ୍ତାରିତ ହୋଇ ରହିଛି, ଏତିକି ଉପଲବ୍ଧି କରି ସାରିବା ଦିନଠାରୁ ମୁଁ ଯେପରି ନିଜକୁ ଗୋଟାସୁଦ୍ଧା ସେହି ଆକାଶର କରି ରଖି ସାରିଲିଣି । ସେହି ଆକାଶ ପାଖରେ କୌଣସି କାନ୍ଥର ନ୍ୟାୟ ନାହିଁ, ସେହି ଜନନୀ ପାଖରେ କୌଣସି ଅଳପର ନ୍ୟାୟ ମୋଟେ ନାହିଁ ।

 

୨୩ । ୧୨ । ୮୧

 

ଭଗବାନ୍ ପାଖେପାଖେ ରହିଥିଲେ ଯାଇ ଭଗବାନଙ୍କ ଠାରେ ରହିଥିବା ଭୟ ତୁଟିଯାଏ-। ଭଗବାନଙ୍କ ଠାରେ ରହିଥିବା ଭୟଗୁଡ଼ାକ ତୁଟି ତୁଟି ଯାଉଥିଲେ ଯାଇ ଭଗବାନ୍ ପାଖେପାଖେ ରହିଥିବା ପରି ଅନୁଭୂତ ହୋଇ ପାରନ୍ତି । କୋଉଟା ଆଗ ଘଟେ ଓ କୋଉଟା ତା’ପରେ ଯାଇ ଘଟେ, ସେକଥା ମୋଟେ ହିସାବ କରି କହି ହୁଏନାହିଁ । ମାତ୍ର, ଏହି କଥାଟିକୁ ତଥାପି ଭାରି ନିଃସନ୍ଦେହ ଭାବରେ କହିହୁଏ ଯେ, ଏହି ଦୁଇଟି ଭିତରୁ ଗୋଟିଏ ଅନ୍ୟଟି ଲାଗି ବାଟ କଢ଼ାଇ ନିଏ, ଗୋଟିଏ ଅନ୍ୟଟି ଲାଗି ଉତ୍ସାହ ଆଣି ଯୋଗାଇଦିଏ ।

 

ମୂର୍ତ୍ତି ଆକର୍ଷଣ କରେ, ମୂର୍ତ୍ତି ଆମର କେତେକେତେ ପୂଜା ଲାଗି ନାନା ପ୍ରସଙ୍ଗ ଓ ଆନୁଷଙ୍ଗିକ ଆଣି ଯୋଗାଇଦିଏ, ଧର୍ମ ସଂସ୍କୃତିର କେତେକେତେ କାନି ମେଲାଇଦିଏ । ମାତ୍ର, ଭଗବାନଙ୍କୁ ପାଖେପାଖେ ରଖିବାକୁ ମନ କଲେ ଅର୍ଥାତ୍ ଭଗବାନଙ୍କର ପାଖେପାଖେ ରହିବାକୁ ମନ କଲେ ମୂର୍ତ୍ତିରେ ଆଦୌ ମନବୋଧ ହୁଏନାହିଁ । ମୂର୍ତ୍ତିଗୁଡ଼ାକ ସତେଅବା ବାଡ଼ ପରି ବୋଧ ହୁଅନ୍ତି ଓ ସେହି ବାଡ଼ଗୁଡ଼ାକୁ ଡେଇଁ କରି ଚାଲିଯିବାକୁ ମନ ହୁଏ । ଆହୁରି ଅଧିକ ପାଖକୁ ଯିବାକୁ ମନ ହୁଏ, ଆହୁରି ପାଖକୁ ଟାଣି ଆଣିବାକୁ ମନ ହେଉଥାଏ । ଦୂରତାଗୁଡ଼ାକୁ ଡେଇଁବାକୁ ଯାଇ କେତେବେଳେ ଯେ ମୂର୍ତ୍ତିଗୁଡ଼ାକୁ ଡେଇଁ ହୋଇଯାଏ, ସେକଥା ମୋଟେ ଜାଣିବି ହୁଏନାହିଁ । ତା’ ବୋଲି ମୂର୍ତ୍ତିକୁ ଯେ ଏକାବେଳେକେ ଅସ୍ଵୀକାର କରିବାକୁ ପଡ଼ିବ, ସେକଥା କଦାପି ନୁହେଁ । ମୂର୍ତ୍ତି ତଥାପି ରହେ,–ମୂର୍ତ୍ତିଗୁଡ଼ାକର ଉଚ୍ଚାଟନ ଅନବରତ ସାଙ୍ଗରେ ରହିଥାନ୍ତି,–ସେହି ଉଚ୍ଚାଟନ ତଥାପି ମୂର୍ତ୍ତିଗୁଡ଼ାକୁ ଡେଇଁ ଆହୁରି କେତେକଅଣ ଖିଅ ଲଗାଇ ଆସିବାକୁ ଇଚ୍ଛା କରୁଥାନ୍ତି । ସବୁକିଛି ହଠାତ୍ ପବିତ୍ର ବୋଲି ମନେହୁଏ, ଜୀବନର ସମୁଦାୟ କ୍ଷେତ୍ରଟି ସତେଅବା ଏକ ମନ୍ଦିର ବୋଲି ମନେ ହେଉଥାଏ, ଜୀବନର ଯାବତୀୟ ସମ୍ପର୍କ ସତେଅବା ଉପାସନା ପରି ମନେହୁଏ । ମୂର୍ତ୍ତିଗୁଡ଼ାକ ଏକ ଅମୂର୍ତ୍ତ ବିସ୍ତାର ଲାଭ କରି ଦୂରତାଗୁଡ଼ାକୁ ଏକାବେଳେକେ ଅପ୍ରମାଣିତ କରି ପକାନ୍ତି । ଦୂରତାଗୁଡ଼ାକ ଚାଲିଗଲେ ଭୟମାନେବି ବିଦା ହୋଇ ଯାଆନ୍ତି । ଏବଂ, ଭୟ ଛାଡ଼ିଗଲେ ସବୁକିଛି ପାଖରେ ମିଳେ ।

 

୨୪ । ୧୨ । ୮୧

 

ପର୍ବଦିନ ଆନନ୍ଦର ଦିନ, ପର୍ବର ଦିନ ସ୍ମରଣର ଦିନ, ସମ୍ମତିଜ୍ଞାପନର ଦିନ । ଜୀବନର ପ୍ରତ୍ୟେକ ଦିନ ଯଦି ସ୍ଵାଭାବିକ ଆନନ୍ଦ ସହିତ ସ୍ମରଣ କରିବା ସମ୍ଭବ ହୁଏ ଏବଂ ସମ୍ମତିବି ଦେଇ ହୁଏ, ତେବେ ଜୀବନର ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ପର୍ବଦିନ ପରି ନିଶ୍ଚୟ ଲାଗିବ । ନିରନ୍ତର ନିକଟବର୍ତ୍ତୀ ହୋଇ ରହିଥିବା ପରି ଅବଶ୍ୟ ମନେହେବ । ନିଜର ଜୀବନରେ ମୂଳତଃ ଏକ ସମ୍ମତିଜ୍ଞାପନର ସୂତ୍ରଟି ମନେ ଥିଲେ ଜୀବନରେ ସବୁକିଛି ଆନନ୍ଦଦାୟକ ହୋଇ ରହିଥିବ । ଜୀବନର ଘରଟି ଆପଣାର ଘର ପରି ମନେ ହେବ ।

 

ଇଉରୋପର ବଡ଼ଦିନ ପର୍ବ ମୂଳତଃ ଏକ ପାରିବାରିକ ପର୍ବ । ସବୁ ମଣିଷ ଏହି ପର୍ବରେ ଆପଣାକୁ ସତେଅବା ଗୋଟିଏ ପରିବାରର ଅନ୍ତର୍ଗତ ବୋଲି ଅନୁଭବ କରନ୍ତି । ଏକ ସ୍ଵାଭାବିକ ସମ୍ମତି ମହଜୁଦ୍‍ ରହିଥିଲେ ମଣିଷ ଯେଉଁଠି ଥାଏ, ସେଠି ଆପଣାକୁ ଆପଣାର ଘରେ ରହିଥିବା ପରି ଅନୁଭବ କରୁଥାଏ । ଦୁଃଖ ଥାଏ, ତଥାପି ଦୁଃଖ ଦୁଃଖ ଦିଏନାହିଁ; ବାଧା ଥାଏ, ତଥାପି ବାଧାଗୁଡ଼ାକୁ ଦେଖି ମୋଟେ କୌଣସି ଅଭିଯୋଗ କରିବାକୁ ମନ ହୁଏନାହିଁ । ସମ୍ମତିଦ୍ଵାରାହିଁ ଦୁଃଖ କଟି କଟି ଯାଏଁ, ସମ୍ମତିଦ୍ଵାରାହିଁ ବାଧାଗୁଡ଼ାକ ଅତିକ୍ରାନ୍ତ ହୋଇ ଯାଉଥାଏ । ଆମେ ସମସ୍ତେ ନିଜ ପାଖରେ ଯଦି ଏହିପରି ସମ୍ମତ ହୋଇ ରହି ପାରୁଥାନ୍ତେ, ଯଦି ପରସ୍ପର ପାଖରେ ମଧ୍ୟ ସମ୍ମତ ହୋଇ ରହି ପାରୁଥାନ୍ତେ, ଯଦି ପରସ୍ପର ପାଖରେ ମଧ୍ୟ ସମ୍ମତ ହୋଇ ରହି ପାରିବାଲାଗି ବ୍ୟକ୍ତିଗତ ସ୍ତରର ସମ୍ମତଗୁଡ଼ିକୁ ଯଥେଷ୍ଟ ଭାବରେ ପ୍ରସାରିତ କରିଦେଇ ପାରୁଥାନ୍ତେ, ତେବେ ଆମେ ଯଥାର୍ଥରେ ଧର୍ମସ୍ଥ ହୋଇ ରହି ପାରୁଥାନ୍ତେ, ଏହି ପୃଥିବୀରେ ଆମ ଅନ୍ତୁଡ଼ିଶାଳମାନଙ୍କରେ ସ୍ଵୟଂ ଭଗବାନ ଜନ୍ମଗ୍ରହଣ କରିଛନ୍ତି ଓ ଅତି ଶ୍ରଦ୍ଧାରେ ସିଏ ଆମର ସଂସାର ଭିତରକୁ ଅବତରି ଆସିଛନ୍ତି ବୋଲି ଅନୁଭବ କରି ପାରୁଥାନ୍ତେ । ସେତେବେଳେ ଆପଣାକୁ ଛୁଇଁଲାବେଳକୁ ଦେବମନ୍ଦିରରେ ପ୍ରବେଶ କଲାପରି ମନେ ହେଉଥାନ୍ତା ।

 

୨୫ । ୧୨ । ୮୧

 

ଏହି ବଡ଼ଦିନ ପର୍ବ ଏକ ବିଶେଷ ଧର୍ମଘରର ପର୍ବ ନହୋଇ ସାରା ପୃଥିବୀରେ ଯଦି ସମସ୍ତଙ୍କର ପର୍ବ ହୋଇଥାନ୍ତା ! Evangelism ଯଦି ପୃଥିବୀରେ ମନୁଷ୍ୟମାତ୍ରକେ ସମସ୍ତଙ୍କର ହୃଦୟଘରକୁ ଆନନ୍ଦ ସମାଚାର ବହନ କରିନେଇ ପାରୁଥାନ୍ତା, ତେବେ ପୃଥିବୀ କେତେ ଅନ୍ୟ ପ୍ରକାରର ହୋଇଥାନ୍ତା ! ଆନନ୍ଦର କୌଣସି ଜାତିଭେଦ ନଥାନ୍ତା, ଦୁଆର ଖୋଲିବାର କୌଣସି ଜାତିଭେଦ ନଥାନ୍ତା, ମୈତ୍ରୀ, କରୁଣା ଓ ଭବଗତ୍ ପ୍ରସାଦ ଲାଭରବି ଆଦୌ କୌଣସି ଜାତିଭେଦ ନଥାନ୍ତା । ଆପଣାକୁ ସମର୍ପିତ କରି ରଖିବାର ସେହି ନିର୍ମଳ କାହାଣୀଟିକୁ ମଧ୍ୟ ଆଦୌ କୌଣସି ଭେକ ପିନ୍ଧିବାକୁ ପଡ଼ନ୍ତାନାହିଁ । ଫୁଲଟିଏ ଫୁଟି ଉଠିବାଲାଗି ଯେପରି ଆଦୌ କୌଣସି ଭେକ ପିନ୍ଧିବାକୁ ପଡ଼େନାହିଁ, ସତକୁସତ ବନ୍ଧୁଟିଏ ପାଇବାକୁ ମନ କଲେ ଆଗକୁ ପାଦ ପକାଇବା ଲାଗି ଯେପରି ଆଦୌ କୌଣସି ଭେକର ପ୍ରୟୋଜନ ନଥାଏ, ଠିକ୍ ସେହିପରି ।

 

ଅନେକ ଥର ଅନେକ ମନ୍ଦିର ଭିତରକୁ ଯାଇଛି, ଇଉରୋପରେବି କେତେ ଗିର୍ଜାରେ କେତେ ଉପାସନାରେ ଯୋଗ ଦେଇଛି । ମଣିଷମାନଙ୍କର ଯାବତୀୟ ଗ୍ରନ୍ଥବନ୍ଧନ ସତ୍ତ୍ୱେ ମନ୍ଦିର ଭିତରକୁ ଯାଇ ଆପଣାର ଅସଲ ଦ୍ଵାରଗୁଡ଼ିକୁ ଖୋଲି ଦେଇପାରିବା ମାତ୍ରକେ ଆପଣାର ଭେକଗୁଡ଼ାକ ଗୋଟି ଗୋଟି ହୋଇ ତଳକୁ ଖସି ପଡ଼ିଛି, ଆପଣାର ଅସଲ ବନ୍ଧୁଟି ସହିତ ଯେ ଆପଣା ଭିତରେ ସାକ୍ଷାତ୍ ହୋଇଯିବା ପରି ମନେ ହୋଇଛି, ସେକଥାଟିକୁ ମୁଁ କେତେ ଥର ଅନୁଭବ କରିଛି । ଯୋଉ ମଣିଷମାନେ ଆପଣାକୁ ନାନା କାରଣରୁ ଲୁଚାଇ ରହିବାକୁ ଏକ ପ୍ରୟୋଜନ ବୋଲି ମନେ କରନ୍ତି, ସମ୍ଭବତଃ ସେହିମାନେହିଁ ନାନାବିଧ ସୂତ୍ର ବନ୍ଧ ଓ ଗ୍ରନ୍ଥବନ୍ଧ ଦେଇ ମନ୍ଦିରଗୁଡ଼ାକୁ ପାଚେରୀ ଘେରା କରି ରଖିଥାନ୍ତି, ଉପାସନାଗୁଡ଼ାକରେ ଭେକ ଗଳାଇ ରଖିଥାନ୍ତି, ସତ୍ୟଗୁଡ଼ାକୁ ଦୁର୍ଗ ପରି ସଜାଇ ରଖିଥାନ୍ତି । ସେସବୁ ଆକଟ ଭିତରୁ ମୁଁ କୋଉଦିନୁଁ ବାହାରି ଆସିଲିଣି । ତେଣୁ, ମନ୍ଦିର ଭିତରକୁ ଯାଇ ସାକ୍ଷାତ କରିବାରେ ମୋ’ ଲାଗି ଆଉ କୌଣସି ବାଧା ନାହିଁ ।

 

୨୬ । ୧୨ । ୮୧

 

ବର୍ଷ ଶେଷ ହେବା ବେଳକୁ ମୁଁ ଗଛଆଡ଼କୁ ଅନାଇ ସତେଅବା ପତ୍ରଗୁଚ୍ଛ ଭିତରେ କେବଳ କଢ଼ମାନଙ୍କୁ ଦେଖିବାକୁ ପାଏ । ଏହି କଢ଼ଗୁଡ଼ିକ ଆଉ କେତେ ଦିନ ଗଲେ ଫୁଲ ହୋଇ ଫୁଟି ଉଠିବେ ଏବଂ ନୂଆ ବର୍ଷ ଯେ ଆସିଲା, ସମସ୍ତ ଚେତନା ଭରି ସେହି କଥାଟିକୁହିଁ ଘୋଷଣା କରିଦେବେ । ତେଣୁ, ଯାହାକିଛି ଯାଉଛି, ତାହା କେବଳ ପ୍ରସ୍ତୁତି, ତାହା ମୋ’ ତପସ୍ୟାର ଖନ୍ଦାରେ ଅବଶ୍ୟ ଲେଖାହୋଇ ରହିବ ।

 

ଆଉ, ଯାହାକିଛି ଆସୁଛି, ତାହା ମୋ’ ଆକାଶକୁ ଏକାବେଳେକେ ଗିଳି ପକାଉଥିବା କୌଣସି ମେଘଖଣ୍ଡ ପରି ମୋଟେ ଆସିବନାହିଁ । ତାହା ମୋ’ ଗଛକୁ ଧନ୍ୟ କରି ଫୁଲ ହୋଇ ଫୁଟି ଉଠିବ, ମୋ’ ଚେତନାର ଡାଳରେ ନୂଆ ପତ୍ର ହୋଇ ଅର୍ଥାତ୍ ନୂଆ ଦିଗର ନାନା ଅନୁଭବ ହୋଇ ଫୁଟି ଉଠିବ । ମୋ’ ଭିତରେ କେତେ ନୂଆ ଗଭୀରତାକୁ ମୋ ଆକାଶ ସହିତ ଆଣି ମିଳାଇଦେବ,–ମୋତେ ଏକ ନୂତନ ସୋତସ୍ଵିନୀର ସ୍ପର୍ଶ ଆଣି ଦେଇଯିବ । ପ୍ରତ୍ୟେକ ବର୍ଷ ଏହି ନୂଆବର୍ଷ ଆସିବା ପୂର୍ବରୁ ତଥାକଥିତ ପୁରୁଣା ବର୍ଷଟି ବିଦାୟ ନେଇ ଯାଉଥିବା ସମୟରେ ମୁଁ ପ୍ରାୟ ଏହିପରି ଅନୁଭବ କରିଥାଏ । ପୁରୁଣା ହଳଦିଆ କେତେ ପତର ଉପରେ ଡାଳଅଗରେ କଅଁଳି ଉଠୁଥିବା ନୂଆ ପତରର ଆଗମନରେ ସତେଅବା କେତେ ହର୍ଷ ଓ ଆନନ୍ଦରେ ସାର୍ଥକ ହୋଇ ଉଠୁଥାନ୍ତି । ଯାହା ଯାଉଥାଏ, ମୁଁ ତାକୁ ଯାହା ଆସୁଥାଏ, ତାହାରି ଅନୁଭବଟି ସହିତ ବିଦାୟ ଦିଏ । ଅର୍ଥାତ୍, ଯାହାଯାଏ, ତାହା ପ୍ରକୃତରେ ଯାଏନାହିଁ; ତାହା ରୂପାନ୍ତରିତ ହୋଇଯାଏ । ମୋତେ ଭୂମି କରି ତାହା ରୂପାନ୍ତରିତ ହେବାରେ ଲାଗିଥାଏ । ମୋତେ ନୂଆ ନୂଆ ଭୂମି ଲାଗି ନିମିତ୍ତରୂପେ ବ୍ୟବହାର କରି ତାହା ରୂପାନ୍ତରିତ ହେବାରେ ଲାଗିଥାଏ । ମୋ’ ଜୀବନକୁ ପରିପୂର୍ଣ୍ଣ କରିଦେବାରେ ଲାଗିଥାଏ ।

 

୨୭ । ୧୨ । ୮୧

 

କାଲି ପ୍ରାୟ ଗଛେ ଉଚ୍ଚର ବାଉଁଶବନ୍ଧା ଶଙ୍ଖ ପାରିହେବାକୁ ଗଲାବେଳକୁ ହଠାତ୍ ସାହସ ପାଇଲା ନାହିଁ । ଶଙ୍ଖ ଉପରେ ଦୁଇ ଖୋଜ ପାଦ ପକାଇ ଆଗକୁ ଯାଇସାରିବା ପରେ ଗୋଡ଼ ଥରିବା ପରି ମନେ ହେଲା । ତଳର ସାନ ନଈଟି ବ୍ୟତୀତ ସେତେବେଳେ ମୁଁ ସତେଯେପରି ଆଉ କିଛିହେଲେ ଦେଖି ପାରିଲିନାହିଁ । ଜୁଆର ଆସୁଥିବା ନଈରେ ଜଙ୍ଘେ ପଙ୍କ ଓ ପଙ୍କପାଣି ହୋଇ ଅଣ୍ଟାଏ ଦଲମା ବୋଲି ମୋତେ ବନ୍ଧୁମାନେ କହିଲେ । ତଥାପି ତା’ରି ଭିତରେ ପଶି ମୁଁ ନଈ ପାର ହେବି ବୋଲି ମନେମନେ ପ୍ରସ୍ତୁତ ହେଉଥିଲି ।

 

ଏତିକିବେଳେ ଯୁବଳ ଜଣେ ସାଇକଲ୍‍ରେ ସେହିଠାରେ ଆସି ପହଞ୍ଚିଲେ । ମୁଁ ତାଙ୍କୁ ଦେଖୁଦେଖୁ ପଚାରିଲି, ଆପଣ ସେପାଖକୁ ଯିବେ କିପରି ? ସିଏ ଉତ୍ତର ଦେଲେ, ସାଇକଲ୍‍କୁ କାନ୍ଧ ଉପରେ ଧରି ଗୋଟାଏ ହାତରେ ଶଙ୍ଖର ବାଉଁଶକୁ ଧରି ପାର ହୋଇଯିବି । କହିଲେ, ଏବଂ ଠିକ୍ ସେହିପରି ଭାବରେ ପୋଲଟିକୁ ପାରି ହୋଇଗଲେ । ତାଙ୍କୁ ଦେଖି ମୋ’ରବି ସାହସ ଆସିଲା-। ମୁଁ ବି ତାଙ୍କ ପଛେ ପଛେ ଶଙ୍ଖଟିକୁ ପାରି ହେଲି । ଏ ପାଖରେ ପହଞ୍ଚିବା ବେଳକୁ ସଞ୍ଜ ହୋଇ ଆସୁଥାଏ । ଗହୀର ବାଟ ଗୋଟାସୁଦ୍ଧା ଅନ୍ଧାର ହୋଇ ଆସୁଥାଏ । ବନ୍ଧୁମାନଙ୍କ ସହିତ ଆଗକୁ ଗୋଡ଼ ପକାଉ ପକାଉ ଭାବୁଥିଲି, ମୋତେ ଏଇଟିକକ ସାହସ ଦେବାଲାଗିହିଁ ଏହି ଯୁବକ ଜଣକ ଆଉ ଖାସ୍ ଏତିକିବେଳେ ଏଠାରେ ଆସି ପହଞ୍ଚିଗଲେ କି ? ଏମିତି ହୁଏତ ବଡ଼ ଅପ୍ରତ୍ୟାଶିତ ଭାବରେ ଅସଲ ସାହାଯ୍ୟଗୁଡ଼ିକ ଆସି ପହଞ୍ଚିଯାଏ । ଭିତରୁବି ଆସେ, ବାହାରୁବି ଆସେ । କେବଳ ବିଶ୍ଵାସ ରଖିଥିଲେ ହେଲା ।

 

୨୮ । ୧୨ । ୮୧

 

ଜଡ଼ବାଦ ଉପରେ ଅଧ୍ୟାତ୍ମବାଦର ବିଜୟ ହେଉ ବୋଲି ଯେଉଁମାନେ ଭାବନ୍ତି ବା କହନ୍ତି, ସେମାନେ ଜଡ଼ ସହିତ ଲାଗି ରହିଥିବା ଅଧ୍ୟାତ୍ମର ସୂତ୍ରଟିକୁ ପାଇନଥାନ୍ତି ବୋଲି ସେପରି କହନ୍ତି । ଯେଉଁମାନେ ମୋଟେ ଅଧ୍ୟାତ୍ମକୁ ଦେଖି ପାରନ୍ତି ନାହିଁ, କେବଳ ଜଡ଼କୁ ଦେଖନ୍ତି ଓ ଜଡ଼କୁ କାନ୍ଥପରି କରି ତାହାରି ଭିତରେ ଯାବତୀୟ ଉତ୍ସାହଗୁଡ଼ାକର ଆତଯାତ କରାଉଥାନ୍ତି, ସେମାନଙ୍କୁ ସାଧାରଣ ଭାଷାରେ ଆମେ ଜଡ଼ବାଦୀ ବୋଲି କହିପାରିବା । ଅପରପକ୍ଷରେ, ଯେଉଁମାନେ ଖାଲି ଅଧ୍ୟାତ୍ମକୁ ଦେଖିଥାନ୍ତି, ଜଡ଼ ଭିତରେ ଥାଇ ମଧ୍ୟ ତଥାପି ଜଡ଼କୁ ଦେଖି ପାରୁନଥାନ୍ତି, ଜଡ଼ରେ ଥାଇ ତଥାପି ଅଧ୍ୟାତ୍ମ ଆଡ଼କୁ ପଳାଇ ଯିବାକୁହିଁ ଅସଲ ଦର୍ଶନର ଚମତ୍କାରିତା ବୋଲି ବିଚାରୁଥାନ୍ତି, ସେମାନଙ୍କୁ ମୂଳତଃ ପଳାୟନବାଦୀ ବୋଲିହିଁ କୁହାଯାଇ ପାରିବ ।

 

ଅନେକ ମଣିଷ ଅଛନ୍ତି, ଯେଉଁମାନେ ଜଡ଼ ଓ ଅଧ୍ୟାତ୍ମ ଭିତରେ ଆପଣାର ଜୀବନକୁ ସତେଅବା ବାଣ୍ଟିଦେଇ ଜୀବନ ବଞ୍ଚୁଥାନ୍ତି । ଏମାନେ ଜଡ଼ରେ ବଞ୍ଚନ୍ତି ଓ ଅଧ୍ୟାତ୍ମର କଥା କହନ୍ତି । ଦୁଇ କ୍ଷେତ୍ର ଭିତରେ କୌଣସି ସୂତ୍ର ସ୍ଥାପନ କରିବାକୁ ସେମାନଙ୍କର ସାହସ ପାଏ ନାହିଁ । ସେମାନେ ଯେଉଁଠି ଥାଆନ୍ତି, ସେଠି ଆପଣାକୁ ସତେଅବା ପତିତ ପରି ଦେଖୁଥାନ୍ତି । ତେଣୁ, ଉପରୁ ଆଉଗୋଟାଏ କିଛି ଅଧ୍ୟାତ୍ମବାଦ ନାମରେ ଆସି ସେମାନଙ୍କୁ ଅସହାୟ କରି କାମୁଡ଼ି ଧରିଥିବା ଜଡ଼ବାଦ ଉପରେ ବିଜୟଘୋଷଣା କରୁ ବୋଲି ଏଡ଼େ ପାଟିରେ କହୁଥାନ୍ତି । ସେମାନେ ସମ୍ଭବତଃ ଆଦୌ କୌଣସି ବିଜୟବି ଚାହୁଁ ନଥାନ୍ତି । ଆପଣାର ଘରଟି ଭିତରେ କୌଣସି ବିଜୟ ଲାଗି ମୋଟେ ପ୍ରସ୍ତୁତ ହେଉ ନଥାନ୍ତି । ସେମାନେ ଯାହା ଅଛି, ତାହାରି ଆଦର୍ଶ ସହାବସ୍ଥାନକୁ ଭାଗ୍ୟ ବୋଲି ମଣି ଆଦରି ନେଇଥାନ୍ତି ।

 

୨୯ । ୧୨ । ୮୧

 

ପୁରୀର ନାଥ ଆନନ୍ଦର ନାଥ, କାରଣ ପୁରୀର ନାଥ ଜଗତର ନାଥ । ପୁରୀର ଦାଣ୍ଡ ଆନନ୍ଦର ଦାଣ୍ଡ, ସେହି କାରଣରୁହିଁ ତାହା ବଡ଼ଦାଣ୍ଡ । ପୁରୀକୁ ଆସିଲେ ତୀର୍ଥଗତ ସକଳ ସଂକୀର୍ଣ୍ଣ ଭାବନା ସତେଅବା କୁଆଡ଼େ ଅନ୍ତର୍ହିତ ହୋଇ ଗଲାପରି ମନେ ହୁଏ,–ତୀର୍ଥର ସକଳ ସଂକ୍ରମଣ ନିଜ ଭିତରେବି ଅନୁଭୂତ ହୁଏ ।

 

ପୁରୀରେ ଜଗନ୍ନାଥ ଦର୍ଶନ ନହେଲେବି ଜଗନ୍ନାଥ ଦର୍ଶନ ହୁଏ । ଜଗନ୍ନାଥଙ୍କୁ ଦର୍ଶନ କରିବା ଲାଗି ସେଠି ମୋଟେ ମନ୍ଦିର ଭିତରେ ପ୍ରବେଶ କରିବାକୁ ପଡ଼େ ନାହିଁ । ବେଳେବେଳେ ମନ୍ଦିର ଭିତରେବି ସମୁଦ୍ରର ଦର୍ଶନ ଉପଲବ୍ଧ ହୋଇଯାଏ । ସେଠି ଅନେକ ଯାତ୍ରୀ ଗୋଟିକ ପରେ ଗୋଟିଏ କରି ଦେବତାମାନଙ୍କର ଦର୍ଶନ କରନ୍ତି । ଏ ନାଥଙ୍କୁ ସାରି ସେ ନାଥଙ୍କଠାକୁ ଯାଆନ୍ତି । ଏ ଗୌରାଙ୍ଗଙ୍କୁ ଦର୍ଶନ କରି ତା’ପରେ ସେ ଗୌରାଙ୍ଗକୁ ଦର୍ଶନ କରିବାକୁ ଯାଆନ୍ତି । ପୁରୀରେ ମୁଁ ମୋଟେ ଏସବୁ ଭେଦବିଚାର କରିପାରେ ନାହିଁ । ସେଠାରେ ନିଜ ଭିତରେ ସଂସାରକର୍ତ୍ତାଙ୍କର ସବୁଯାକ ମହିମା ଆସି ଆପଣାର ଦେହକୁ ସ୍ପର୍ଶ କରୁଥିବା ପରି ଅନୁଭବ ହୁଏ । ଆପଣାର ହୃଦୟକୁ ଦୁଇଟା ଏଡ଼େ ଏଡ଼େ ଆଖି ହୋଇ ଜଳୁଥିବା ପରି ଓ ପାଚେରୀ ପରେ ପାଚେରୀ ଭାଙ୍ଗି ଦେଉଥିବା ପରି ମନେହୁଏ । ମନ୍ମାଥର ଯାବତୀୟ ବିଚ୍ଛିନ୍ନତାସୂଚକ ଭାବନା କୁଆଡ଼େ ଅନ୍ତର୍ହିତ ହୋଇଯାଏ । ଆପଣାକୁହିଁ ସମସ୍ତଙ୍କର ବୃତ୍ତ ଭିତରେ ଅନ୍ତର୍ଗତ ହୋଇ ରହିଥିବା ଏକ ସହଜ କଳାଟିଏ ପରି ମନେହୁଏ । ଏବଂ ତା’ପରେ ଦୁଃଖ ଜଣାଇବାର ଯାବତୀୟ ଦୈନ୍ୟ ମଧ୍ୟ କୁଆଡ଼େ ଅନ୍ତର୍ହିତ ହୋଇଯାଏ । ବଡ଼ଦାଣ୍ଡରେ ଗୋଡ଼ ପକାଇବା ମାତ୍ରକେ ନିଜ ଦୀନତାର ସାନ ଗଳିଗୁଡ଼ାକ ମୋଟେ ମନେ ପଡ଼େନାହିଁ ।

 

୩୦ । ୧୨ । ୮୧

 

ସମାଜରେ ପ୍ରତ୍ୟେକ ମଣିଷର କର୍ମଜନିତ ଆନନ୍ଦର ଅଧିକାର ରହିବ ବୋଲି ଶ୍ରୀ ଅରବିନ୍ଦ ତାଙ୍କର ଗୋଟିଏ ଗ୍ରନ୍ଥରେ କହିଛନ୍ତି । ବର୍ତ୍ତମାନ ଆମର ତଥାକଥିତ ସମାଜ ଧର୍ମ ଓ ଆନନ୍ଦ ଭିତରେ ପ୍ରାୟ ଦୁଇଖଣ୍ଡ ହୋଇ ରହିଛି । ଗୋଟାଏ ପାଖରେ ଲୋକମାନେ କର୍ମ କରିବାକୁ ବାଧ୍ୟ ହେଉଛନ୍ତି ଏବଂ ବାଧ୍ୟ ହୋଇ କର୍ମ କରୁଛନ୍ତି ବୋଲି ଯାବତୀୟ ଆନନ୍ଦରୁ ବଞ୍ଚିତ ହୋଇ ରହିଛନ୍ତି । ଏବଂ, ଆଉ ଗୋଟାଏ ପାଖରେ, ଥୋକେ ମଣିଷ ସକଳ କର୍ମରୁ ଆପଣାକୁ ଦୂରରେ ନେଇ ରଖିଛନ୍ତି ଏବଂ ସବୁଯାକ ଆନନ୍ଦକୁ ଆତ୍ମସାତ୍ କରି ରଖିବେ ବୋଲି ଯାବତୀୟ ଅପଉଦ୍ୟମ କରିବାରେ ଲାଗିଛନ୍ତି । ସେମାନେ ମଧ୍ୟ ଯଥାର୍ଥ ଆନନ୍ଦରୁ ବଞ୍ଚିତ ହୋଇ ରହିଛନ୍ତି ।

 

ଆମ ସମାଜରେ ଯେଉଁମାନେ ବାବୁ ହୋଇ ରହିଛନ୍ତି, ସେମାନେ ଭୋଗକୁହିଁ ଆନନ୍ଦ ବୋଲି ଭୁଲ୍ କରୁଛନ୍ତି । କର୍ମକୁ ଜାଲ ବୋଲି କହି ସେମାନେ ଆପଣାକୁ ସାଧାରଣ ମଣିଷଙ୍କ ପାଖରୁ ନାନା ଦୂରତାର ଜାଲଦ୍ଵାରା ଛନ୍ଦିକରି ରଖିଛନ୍ତି, ଦୂରତା ନରହିଲେ ଆଦୌ କୌଣସି ସମୃଦ୍ଧି ଓ ସମ୍ଭୋଗ ସମ୍ଭବ ନୁହେଁ ବୋଲି ସେମାନେ ବିଶ୍ଵାସ କରୁଛନ୍ତି । ଆପଣା ଭିତରେ ରହିଥିବା ଅସଲ ମଣିଷଟି ବିଷୟରେ ସେମାନଙ୍କର ନାନା ଭୟ ସେମାନଙ୍କୁ ଅନ୍ୟ ମଣିଷଙ୍କ ଠାରୁବି ଦୂରବର୍ତ୍ତୀ ହୋଇ ରହିବାଲାଗି ଏକ ବିନାଶକାରୀ ପ୍ରରୋଚନା ଦେବାରେ ଲାଗିଛି । ଆମ ପାରମ୍ପରିକ ବାବୁମାନେ ଭଗବାନଙ୍କୁ ନେଇବି ଆପଣା ପାଖରେ ବାନ୍ଧି ରଖିଛନ୍ତି ଓ କର୍ମ କରିବାକୁ ପ୍ରାୟ ଏକ କର୍ମଦୋଷ ବୋଲି ଜାଣି ଆପଣାକୁ କର୍ମଠାରୁ ଦୂରରେ ରଖିଛନ୍ତି, ଆନନ୍ଦଠାରୁବି ଦୂରରେ ରଖିଛନ୍ତି-

 

୩୧ । ୧୨ । ୮୧

 

ଅସରନ୍ତି ଜୀବନର ଏହି ଯୋଜନାଟି ସତେଅବା କୋଉଦିନୁଁ ହୋଇ ରହିଛି । ମଝିରେ ମଝିରେ କେତେ ମଧ୍ୟାନ୍ତର ଓ କେତେ ଶେଷର ବୈଚିତ୍ର୍ୟଗୁଡ଼ିକୁ ତାହାରି ସହିତ ଖଞ୍ଜି ଦିଆଯାଇଛି-

 

ମଣିଷର ସବୁ ଅନୁରାଗ ଓ ସବୁ ଅଭିଳାଷ କୁଆଡ଼େ ମୃତ୍ୟୁଯାଏ ଆସି ସେଇଠି ଧକ୍କା ଖାଇ ଭାଙ୍ଗିଯାଏ ବୋଲି ମୃତ୍ୟୁସଚେତନ ବ୍ୟାଖ୍ୟାକାରମାନେ ଭାରି କହିଥାନ୍ତି । ସେମାନେ କେତେବେଳେ ଆପଣାକୁ ମାୟାବାଦୀ ଓ ବିଜ୍ଞାନବାଦୀ ବୋଲି କହନ୍ତି, ଆଉ କେତେବେଳେ ବାସ୍ତବବାଦୀ ଏବଂ ଅସ୍ତିତ୍ଵବାଦୀ ବୋଲି ମଧ୍ୟ କହିଥାନ୍ତି । ସେମାନେ ବାହାରକୁ ଦିଶୁଥିବା କେବଳ ଏହି ଗୋଟିଏମାତ୍ର ଚନ୍ଦ୍ରକୁ ଦେଖନ୍ତି । ସମ୍ଭବତଃ ସେହିମାନଙ୍କର ବ୍ୟକ୍ତିଗତ ଜୀବନର ଏକକ ଚନ୍ଦ୍ରଟିକୁହିଁ ଦେଖି ପାରୁଥାନ୍ତି । ଏବଂ, ହୁଏତ ସେଇଥିଲାଗି ଆପଣାକୁ ଏକ ପରାଭୂତ ଦାର୍ଶନିକତାର ବେଢ଼ ଭିତରେ ଗୁରାଇ ତୁରାଇ ରଖିଥାନ୍ତି । ଏହି ଚନ୍ଦ୍ରଟିକୁ କାଟି ଆହୁରି ସେପାଖକୁ ଯାଇ ପାରିଲେ ଆପଣାର ଏହି ଚନ୍ଦ୍ରଟି ମଧ୍ୟ ଅନ୍ୟପ୍ରକାରେ ଦେଖାଯିବାକୁ ଆରମ୍ଭ କରେ । ଏହି ଚନ୍ଦ୍ରଟି ମୋଟେ ମାୟା ପରି ଦିଶେନାହିଁ । ସତେଅବା ଏକ ଅନନ୍ତ ଆତ୍ମୀୟତାଦ୍ଵାରା ଅବିଚ୍ଛିନ୍ନ ଭାବରେ ଗଢ଼ା ହୋଇଥିବା ଏକ ଅଶେଷ ଆହ୍ଵାନ ଏକ ଅଶେଷ ଅତିକ୍ରମଣରୂପେ ଅନୁଭୂତ ହୋଇଥାଏ । ଜୀବନକୁ ଏପାଖରୁ ଭାବିଲେ ତାହା ଏକ ଅତିକ୍ରମଣ, ଏବଂ ସେପାଖରୁ ଭାବିଲେ ତାହା ଏକ ଅବତରଣ । ଦୁଇଟିଯାକକୁ ମିଶାଇ କରି ଭାବିଲେ ତାହା ଏକ ଅନନ୍ତ ସମ୍ମିଳନ, ଉଠି ଉଠି ଯିବାର ଏବଂ ଓହ୍ଲାଇ ଓହ୍ଲାଇ ଆସିବାର ଏକ ପରମାତ୍ମୀୟତାମୟ ସମ୍ମିଳନ । ତାହାହିଁ ନିୟତି, ଏହି ଯାବତୀୟ ପଥର ନିୟତି;–ଏସୋଽସ୍ୟ ପରମା ସମ୍ପତ୍ ।

 

୧୯୮୨

୧ । ୧ । ୮୨

 

ଆଗ ଆପଣା ଭିତରେ ରହି ନିତି ନୂଆ ଆଖିରେ ଏହି ବିଶ୍ଵଭୁବନକୁ ଦେଖି ପାରୁଥିବା ନିତ୍ୟନୂତନ ଶିଶୁଟିକୁ ନମସ୍କାର କରିବି । ଆଜି ଅତ୍ୟନ୍ତ ସ୍ପଷ୍ଟ ଭାବରେ ଅନୁଭବ କରି ପାରୁଛି, ମୁଁ ସତେଯେପରି ନିଜେ କୌଣସି କିଛିପାଇଁ ଜୀବନଟିକୁ ବଞ୍ଚିବାଲାଗି ସମର୍ଥ ହୋଇ ପାରିନାହିଁ, ସେହି ଶିଶୁଟି ମୋ’ ଭିତରେ ମୋ’ର ଅତ୍ୟନ୍ତ ପାଖେପାଖେ ରହିଛି ବୋଲି ମୁଁ ହୁଏତ କୌଣସି ଏକ ସ୍ଵକୀୟ ରୀତିରେ ମୋ’ର ଜୀବନଟିକୁ ବଞ୍ଚି ପାରୁଛି । ମନେ ହେଉଛି, ମୁଁ ନିଜେ ଖୋଜି କରି ସତେଯେପରି ଆଦୌ କୌଣସି ପଥ ପାଇନାହିଁ ସେହି ଶିଶୁଟି ମୋ’ ଭିତରେ ରହି ମୋତେ ଯେତେବେଳେ ଯେଉଁ ଆଡ଼କୁ ଯିବାଲାଗି ନିର୍ଦ୍ଦେଶ ଦେଉଛି, ମୁଁ ସେଇଆଡ଼କୁହିଁ ଯିବାରେ ଲାଗିଛି ଓ ତାହାକୁ ମୋ’ ନିଜର ପଥ ବୋଲି ଚିହ୍ନି ନେଉଛି ।

 

ଭିତରେ ଅସଲ ସଖାରୂପେ ଶିଶୁଟିଏ ବସିଛି ବୋଲି ବାହାର ସଂସାରଟା ଏତେ ଭଲ ଲାଗୁଛି, ଅର୍ଥାତ୍ ଆପଣାର କବାଟଗୁଡ଼ାକୁ କେଡ଼େ ସହଜରେ ଚାହିଁଲା ମାତ୍ରକେ ଖୋଲିଦେଇ ହେଉଛି । ଭିତରେ ଅସଲ ଈପ୍‌ସିତଟିକୁ ପାଇଲେ ସଂସାରଟା କୁଆଡ଼େ ମୋଟେ ଭଲ ଲାଗେନାହିଁ ବୋଲି ଏକ ଶାସ୍ତ୍ରାପବାଦ ରହିଛି । ମୋ’ ଜୀବନରେ ମୁଁ ଏକାବେଳେକେ ଓଲଟା କଥାଟାକୁହିଁ ଅଙ୍ଗେ ନିଭାଇଛି । ମୁଁ ଅସଲ ସୂତ୍ରଟି ଦେଇ ସଂସାରକୁ ଦେଖି ଶିଖିଛି । ଅସଲ ସୂତ୍ରଟି ଦେଇ ଆପଣା ସହିତ ବିଶ୍ଵ ସଂସାରକୁ ବାନ୍ଧି ଶିଖିଛି । ତେଣୁ ମୋ’ର ଦୁଆରଗୁଡ଼ାକ କେବେ କୌଣସି ପ୍ରକାରର ଆତ୍ମମନ୍ୟ ଅସମ୍ମତିଦ୍ଵାରା ନିଜକୁ କିଳି ରଖିବାକୁ ମନ କରିନାହାନ୍ତି ।

 

୨ । ୧ । ୮୨

 

ମଣିଷ ଆପଣା ଚାରିପାଖରେ ତା’ ବାହାରେ ରହିଥିବା ସଂସାରଟିକୁ ଅଧିକରୁ ଅଧିକ ଐଶ୍ଵର୍ଯ୍ୟପୂର୍ଣ୍ଣ କରି ରଖିବାଲାଗି ଅନୁକ୍ଷଣ ଏତେ ଚିନ୍ତା କରୁଥାଏ, ମାତ୍ର ନିଜ ଭିତରେ ଏପରି ଭାବରେ ଦରିଦ୍ର ହୋଇ ରହିଯାଏ କାହିଁକି ? ତା’ ନିଜ ଭିତରେ ଯେ ସବାମୂଳ ଐଶ୍ଵର୍ଯ୍ୟଟି ରହିଛି, ସବୁଠାରୁ ଆପଣାର ଘରଟି ଯେ ତା’ର ନିଜ ଭିତରେ ରହିଛି, ସିଏ ସେହି କଥାଟିକୁ ଅନୁଭବ କରିପାରେ ନାହିଁ କାହିଁକି ? ତା’ ନିଜ ଭିତରେ ଏକ ପରମ ଐଶ୍ଵର୍ଯ୍ୟ ରହିଛି ବୋଲି ଯେ ବାହାରେ ଏତେ ଏତେ ଐଶ୍ଵର୍ଯ୍ୟ ତାକୁ ନାନାଭାବେ ଆକର୍ଷିତ କରିବାରେ ଲାଗିଛନ୍ତି, ତା’ ନିଜ ଭିତରେ ଅସଲ ସୌନ୍ଦର୍ଯ୍ୟର ଉତ୍ସଟି ଅବଶ୍ୟ ରହିଛି ବୋଲି ଯେ ସେ ବାହାର ସୌନ୍ଦର୍ଯ୍ୟଗୁଡ଼ିକୁ ମନ କରିପାରୁଛି, ଏହି ସତ୍ୟଟିକୁ ସିଏ ଆବିଷ୍କାର କରି ପାରେନାହିଁ କାହିଁକି ?

 

ବରଷ ପରେ ବରଷ ବୁଢ଼ା ହୋଇ ଚାଲିଥିବା ମଣିଷ ମନ ପାଖରେ ବାରବାର ଏହି ପ୍ରଶ୍ନଟିକୁ ପଚାରିବାକୁ ଇଚ୍ଛା ହୁଏ । ମୁଁ ଭାବେ, ବାହାରର ଏହି ଯାବତୀୟ ସୌନ୍ଦର୍ଯ୍ୟ ଓ ଯାବତୀୟ ଐଶ୍ଵର୍ଯ୍ୟ, ଏସବୁ ମୋ’ ନିଜ ଭିତରେ ରହିଥିବା ସୌନ୍ଦର୍ଯ୍ୟ ଓ ଐଶ୍ଵର୍ଯ୍ୟର ଗନ୍ତାଘରଟି ବିଷୟରେ ଏକ ସୁନିଶ୍ଚିତ ପ୍ରତ୍ୟୟ ଆଣି ଦେବାକୁହିଁ ପ୍ରେରକରୂପେ ଅବସ୍ଥିତ ରହିଛି । ବାହାରେ ଏହିସବୁ ଯାବତୀୟ ଅବଲମ୍ବନକୁ ଖୋଜି ବୁଲିବା, ତାହା ମୋତେ ମୋ’ ନିଜ ଭିତରେ ରହିଥିବା ଅସଲ ଅବଲମ୍ବନଟି ପାଖରେ ଆଣି ପହଞ୍ଚାଇ ଦେବାରେହିଁ ସବୁଠାରୁ ଅଧିକ ସାହାଯ୍ୟ କରୁଛି । ଏବଂ, ମୋ’ ନିଜ ଭିତରେ ଅଭୟ ରହିଛି ବୋଲି ମୋ’ ବାହାରକୁ ମଧ୍ୟ ମୁଁ ଅପ୍ରମତ୍ତ ଭାବରେ ସ୍ଵୀକାର କରିନେଇ ପାରୁଛି ।

 

୩ । ୧ । ୮୨

 

ଯେଉଁମାନେ ଗଣନା କରି ପୃଥିବୀର ଭାଗ୍ୟଫଳ ଜାଣିବାକୁ ଚେଷ୍ଟା କରନ୍ତି, ସେମାନଙ୍କୁ ପ୍ରକୃତରେ ଭାରି ଧୁରନ୍ଧର ବୋଲି କହିବାକୁ ହେବ । ନିଜର ଚାରିପାଖକୁ ଏବଂ ନିଜ ଭିତରକୁ ଯଥାର୍ଥ ଭାବରେ ଅନାଇବାର ସାହସ ଦୃଷ୍ଟି ଯେଉଁମାନଙ୍କର ଥିବ, ସେମାନଙ୍କର ଏହି ଗଣନାସମ୍ରାଟମାନଙ୍କ ପାଖକୁ ଯିବାର ଆଦୌ କୌଣସି ପ୍ରୟୋଜନହିଁ ହେବନାହିଁ । ଯିଏ ଦେଖି ପାରିବ, ସିଏ ନିଶ୍ଚୟ ଦେଖି ପାରିବ ।

 

ଆମେ ସମସ୍ତେ ପ୍ରାୟ ସହଯୋଗ କଲାଭଳି ଯେଉଁଭଳି ପୃଥିବୀଟି ପ୍ରାୟ ଆମନ୍ତ୍ରଣ କରି ଡାକି ଆଣୁଛୁ, ସେହି ପୃଥିବୀରେ ଘୃଣା ଅଛି, ଅବିଶ୍ଵାସ ଅଛି, ଏକ ବିନାଶକାରୀ ଚତୁରତା ରହିଛି, ତେଣୁ ଯୁଦ୍ଧର ଆଶଙ୍କା ରହିଛି, ପ୍ରାଚୁର୍ଯ୍ୟ ଭିତରେ ଦାରିଦ୍ର୍ୟ ରହିଛି ଏବଂ, ପରସ୍ପରର ଅନ୍ତରଙ୍ଗ ହୋଇ ପାରିବାର କେତେକଅଣ ସାଧନ ଆମ ଚତୁର୍ଦ୍ଦିଗରେ ଖୁନ୍ଦି ହୋଇ ରହିଥିଲେ ମଧ୍ୟ ତଥାପି ଦୂରତାଗୁଡ଼ାକ ଏଡ଼େ ଏଡ଼େ ଆଁ କରି ଅନାଇଛନ୍ତି; ଆମକୁ କେବଳ ଅନ୍ୟମାନଙ୍କ ପାଖରେ ନୁହେଁ, ଆମ ନିଜ ପାଖରେ ମଧ୍ୟ ସତେଅବା ଅବିଶ୍ଵସନୀୟ କରି ରଖିଛନ୍ତି, ଅତ୍ୟନ୍ତ ପର କରି ରଖିଛନ୍ତି । ଯିଏ ଏହି ବିଷଚକ୍ରଟି ଭିତରୁ ବାହାରି ପାରିବ, ସେଇ ଆପଣାକୁ ଉଦ୍ଧାର କରି ପାରିବ, ସଂସାରକୁବି ଉଦ୍ଧାର କରିବ । ଏହି ଉଦ୍ଧାର କରିବାର କାର୍ଯ୍ୟଟି ତା’ ନିଜ ପାଖରୁ ଆରମ୍ଭ ହୋଇ ପାରିଲେ ଯାଇ ସେକଥା ହେବ । ମାତ୍ର, ଆପଣା ପାଖରେ ଏକ ସମଗ୍ର ସମ୍ପର୍କ ଓ ସମଗ୍ର ବିଶ୍ଵାସଦ୍ଵାରା ଠିଆ ହୋଇ ପାରିବାଲାଗି ଆଜି ପ୍ରତ୍ୟେକ ମଣିଷକୁ ଯେ ପୁରୁଣା କେତେ ସଂସ୍କାର ଓ ଅଭ୍ୟାସଗୁଡ଼ାକୁ ଛାଡ଼ି ଚାଲି ଆସିବାକୁ ପଡ଼ିବ, ସେକଥା ଅନୁଭବୀ ମାତ୍ରକେ ସମସ୍ତଙ୍କୁ ଅବଶ୍ୟ ଜଣାଥିବ । ତଥାପି, ତାହାହିଁ ରାସ୍ତା । ଆପଣା ଭିତରେ ପରମାତ୍ମୀୟର ଆବିଷ୍କାର କରିପାରିଲେ ଯାଇ ଏକଥା ହେବ ।

 

୪ । ୧ । ୮୨

 

ଅସଲ ପରିକରତ୍ଵଟିକୁ ସ୍ଵୀକାର କରିନେବା ଆମଲାଗି ସମ୍ଭବ ହେଉନାହିଁ ବୋଲି ଆମେ ସମସ୍ତେ କେତେ କୁଆଡ଼େ କେତେକଅଣର ପରିକର ହୋଇ ବୁଲୁଛୁ ଓ ମହତ ହରାଇ ବସୁଛୁ । ହୁଏତ ଏକଥା ମଧ୍ୟ ସତ ଯେ ବାହାରେ ନାନାଭଳି ପରିକର ହୋଇ ରହିବାର ମିଛ ଅଭିନୟ କଲାବେଳେ ଆମେ ପ୍ରଧାନତଃ ଆପଣାର ସାନ ସାନ ଅହଂଗୁଡ଼ାକ ହାତରେହିଁ କ୍ରୀଡ଼ନକ ହୋଇ ରହିଛୁ । ସେହି ସାନ ସାନ ଅହଂକୁ ଆଉ ଟିକିଏ ଅଧିକ ଫୁଲାଇ ବଡ଼ କରି ଅନୁଭବ କରିବାଲାଗି ବାହାରେ ଆମେସବୁ କେତେ ମିଛ ବିନୟ ଦେଖାଇ ହେଉଛୁ, କେତେ ଅକ୍ଷେତ୍ର ଭିତରେ ପଶି କେତେ ହରକତ୍‍ ହେଉଛୁ । କାଳକ୍ରମେ ଆମର ନୈତିକ ଆଚାରଗୁଡ଼ାକ ମଧ୍ୟ କେବଳ କେତେଟା ବୋଲ ମାନିବାର ଅଭିନୟରେ ପରିଣତ ହୋଇ ରହିଲାଣି ।

 

ଆମ ଆଚାରଗୁଡ଼ାକର ଚେର ଆମ ଭିତରେ ଲାଗିଥାନ୍ତା । ସେଇ ଭିତରେ ରହିଥିବା ଅସଲ ବନ୍ଧୁଟି ବାହାରେ ଆମକୁ ଯାବତୀୟ କ୍ଷେତ୍ରରେ ପ୍ରେରିତ ଓ ପରିଚାଳିତ କରି ରଖିଥାନ୍ତା । ଆମର ଅସଲ ପରିକରତ୍ଵଟି ମଧ୍ୟ ତାହାରି ସହିତ ଲାଗି ରହିଥାନ୍ତା । ତେବେ ଯାଇ ଜୀବନରେ ଅସଲ ଅଗ୍ରଗତି ସମ୍ଭବ ହେଉଥାନ୍ତା, ଅର୍ଥାତ୍ ଅସଲ ଉନ୍ମୋଚନ ଏବଂ ଅସଲ ଅଭ୍ୟୁଦୟମାନ ସମ୍ଭବ ହେଉଥାନ୍ତା । ଏବଂ ଜୀବନରେ ବର୍ତ୍ତମାନ ଆମକୁ କେତେକଅଣ କରି ସଜାଇ ଓ ଲୁଚାଇ ରଖିଥିବା ଅଭିନୟଗୁଡ଼ାକ ମଧ୍ୟ ମୋଟେ ଆବଶ୍ୟକ ହେଉନଥାନ୍ତା । ଆମ ନିଜ ଭିତରେ ଆମେ ସକଳ ଜୀବନଚାରଣାର ଅସଲ ଚେରଗୁଡ଼ିକୁ ଅନୁଭବ କରି ପାରୁଥାନ୍ତେ ଓ ଆମେ ଯେଉଁଠାକୁ ଯାଉଥାନ୍ତେ, ସେଠାରେ କେବଳ ଅଧିକ ଜୀବନର କାରଣ ହୋଇ ପାରୁଥାନ୍ତେ ।

 

୫ । ୧ । ୮୨

 

ଆଖି ଆଗରେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ସମୟରେ ପୂର୍ଣ୍ଣ କରିବାର ଦାୟିତ୍ଵଟି ଆସି ଲଟକି ରହିଯିବା ପରେ ମନେ ହେଉଥାଏ, ମାତ୍ର ଏଣେ ମନ ଠିକ୍ ସେହି କାର୍ଯ୍ୟଟି ଲାଗି ଆପଣାକୁ ଯଥାର୍ଥ ଭାବରେ ପ୍ରସ୍ତୁତ କରି ନଥାଏ । ସେତେବେଳେ ମୋଟେ ଅସ୍ଥିର ହୋଇ ପଡ଼ିବା ଉଚିତ ନୁହେଁ । ସେତେବେଳେ ଆହୁରି ଅଧିକ ସ୍ଥିର ହୋଇ ଯାଇ ପାରିବା ଉଚିତ ।

 

ଯିଏ ଧରା ଦେଉନାହିଁ, ତା’ ପାଖରେ ଆହୁରି ଅଧିକ ବନ୍ଧୁ ପରି ବ୍ୟବହାର କରିବା ଉଚିତ । ତା’ର ଅତ୍ୟନ୍ତ ଆପଣାର ହୋଇ ତାକୁ ରାଜୀ କରାଇବା ଉଚିତ । ବାହାରେ ଯାହା, ଭିତରେ ସମ୍ଭବତଃ ଠିକ୍ ସେଇଆ । ଅର୍ଥାତ୍, ଭର୍ତ୍ସନା କଲେ କିଛି ହୁଏନାହିଁ । କେବଳ ଏଇ କ୍ଷୟକାରୀ ଆତ୍ମଗ୍ଳାନିହିଁ ସାର ହୁଏ । ନିଜ ଭିତରେ ରହିଥିବା ଗୋଟାଏ ମଣିଷ ସତେଅବା ଦୁଇଭାଗ ହୋଇଯାଏ ଏବଂ ତା’ପରେ ଗୋଟାଏ ଭାଗ ଆର ଭାଗଟିକୁ ଭର୍ତ୍ସନା କରିବାକୁ ଲାଗେ । ତଦ୍ଦ୍ଵାରା ଆପଣା ଗାଦି ମାଡ଼ି ବସିଥିବା ମିଛ ଗୁରୁଜନଟାକୁ କିଞ୍ଚିତ୍ ସ୍ଵାଧୀନତା ବେଶ୍ ମିଳିଯାଏ ସତ, ମାତ୍ର ବିଶ୍ଵାସର ଘରଟି ଏକାବେଳେକେ ଛିନ୍‌ଛତର ହୋଇଯାଏ । ଭାବରେ ଘରେ ସତେଅବା କବାଟ ପଡ଼ିଯାଏ । ତେଣୁ, ନୀରବ ହୋଇ ଅପେକ୍ଷା କରିବାକୁ ପଡ଼େ । ବିଶ୍ଵାସର ସହିତ ଅପେକ୍ଷା କରିବାକୁହିଁ ହୁଏ । ତା’ପରେ ଯାଇ ଭିତରେ ସମସ୍ତେ ସାଙ୍ଗରେ ଆସିବାକୁ ରାଜୀ ହୋଇ ଯାଆନ୍ତି, ସମସ୍ତେ କେନ୍ଦ୍ରଟି ସହିତ ଯୋଡ଼ି ହୋଇ ଯାଆନ୍ତି । ଖଣ୍ଡଅହଂଗୁଡ଼ାକ, ଯେଉଁମାନେ ନାନା ଆଳସ୍ୟର ରୂପ ଧରି କେତେ ବାହାନା କରୁଥିଲେ, ସେମାନେ ସତେଯେପରି ଆପଣାର ଅସଲ ଘରଟିକୁ ଫେରି ଆସନ୍ତି ଓ ପରିକର ହୋଇ ଶିଖନ୍ତି । ସହଯୋଗୀ ହୋଇ ଶିଖନ୍ତି ।

 

୬ । ୧ । ୮୨

 

ମଣିଷର ଅଧିକ ଶକ୍ତି ଭଗବାନଙ୍କର କାମ କରିବାରେ ନିୟୋଜିତ ହେଉଥାନ୍ତା ସିନା, ମାତ୍ର ମଣିଷ ଯହୁଁ ଯହୁଁ ଅଧିକ ଚତୁର ଏବଂ ଅଧିକ ସତର୍କ ହେବାରେ ଲାଗିଛି, ସିଏ ସେତିକି ଅଧିକ ପରିମାଣରେ ଭଗବାନଙ୍କର ନାମକୁ କୀର୍ତ୍ତନ କରି ସମୟ ସାରିଦେଉଛି । ନାମକୀର୍ତ୍ତନ ସମୟରେ ସେ ଯେତିକି ବେଳ ଭଗବାନଙ୍କ ଭିତରେ ପଶିଛି ବୋଲି ଦେଖାଇ ହେଉଛି, ନାମକୀର୍ତ୍ତନ ସରିଗଲେ ସିଏ ତା’ର ସେହି ପୁରୁଣା ସଂସାର ଭିତରେ ପ୍ରାୟ ସେତିକି ଭୋଳ ହୋଇ ବୁଡ଼ି ରହିବାକୁ ଆସୁଛି ।

 

ମୁଁ ଏହି କପଟତା ଭିତରେ କଦାପି ପଶିବିନାହିଁ । ଜୀବନ ଭିତରେ ସଂସାରର ଏହି ଯାବତୀୟ ସମ୍ପର୍କ ଭିତରେ ମୁଁ ଭଗବାନଙ୍କୁ ଯେତିକି ଅନୁଭବ କରୁଛି, ମୁଁ ସେହି ଅନୁଭବଟିକୁହିଁ ଆପଣା ଜୀବନର ଉପଲବ୍ଧ ସତ୍ୟ ବୋଲି ଗ୍ରହଣ କରିନେବି । ମନ୍ଦିର ଭିତରେ ଆଦୌ କୌଣସି ଅଧିକ କୋଳାହଳ କରିବାକୁ କେଭେଁ ଯିବିନାହିଁ । ମନ୍ଦିର ଭିତରେବି ଭଗବାନ ରହିଛନ୍ତି ସତ, ମାତ୍ର ଆମେ ପ୍ରତ୍ୟେକେ ତାଙ୍କୁ ସଂସାର ଭିତରେ ଯେତିକି ପରିମାଣରେ ଅନୁଭବ କରୁଛୁ, ମନ୍ଦିର ଭିତରେ ଆମକୁ ସିଏ କେବଳ ସେତିକିହିଁ ଦିଶିବେ, ତା’ଠାରୁ କଦାପି ଅଧିକ ଦୃଶ୍ୟ ହେବେନାହିଁ । ଅଧିକ ଯାହାକିଛି ଦୃଶ୍ୟ ହେଉଥିବ, ତାହା ହେଉଛି ଆମ ନିଜର ଅହଂ ଓ ଅହଂଗତ ଯାବତୀୟ ଜୁଗୁପ୍‌ସା ଓ ଛଳନା । ମୁଁ ନିଜର ଛଳନାଗୁଡ଼ାକୁ ନେଇ ଅର୍ଥାତ୍ ନିଜକୁ ଲୁଚାଇ ରଖି କଦାପି ମନ୍ଦିର ଭିତରକୁ ଯିବିନାହିଁ । ମନ୍ଦିର ଭିତରକୁ ଯଥାର୍ଥ ଯିବାର ଅର୍ଥ ହେଉଛି, ଆପଣାର ଯଥାର୍ଥ ଘରଟିକୁ ଖୋଲି ଦେଇ ତାହାରି ଭିତରକୁ ଭଗବାନଙ୍କୁ ଡାକି ଆଣିବା ।

 

୭ । ୧ । ୮୨

 

ଭିତରେ ବିଶ୍ଵାସର ଅଭାବ ନାହିଁ । ଭିତରେ ବିଶ୍ଵାସ ଏବଂ ନିର୍ଭରଟି ରହିଛି ବୋଲି ବାହାରେ ନିର୍ଭର ଭାବରେ ବଞ୍ଚି ହେଉଛି । ଯାବତୀୟ ଅନ୍ଧକାର ଭିତରେ ତଥାପି ଆଲୋକର ସ୍ପର୍ଶକୁ ଅନୁଭବ କରି ହେଉଛି । ମଣିଷକୁ ଦେଖିଲା ବେଳକୁ ଖୁସି ଲାଗୁଛି । ସଂସାର ଆପଣାର ଘରପରି ଲାଗୁଛି ।

 

କିନ୍ତୁ, ଏହି ବିଶ୍ଵାସ ଏକାବେଳେକେ କେତେକଅଣ ଲାଗି କାମରେ ଲାଗିବି ବୋଲି ବେଳେବେଳେ ଭାରି ଅସ୍ଥିର ହୋଇ ପଡ଼ୁଛି । ଆପଣାକୁ କେତେ ଥାନରେ ସମର୍ପିତ କରି ରଖିପାରିବେ ବୋଲି ବ୍ୟାକୁଳ ହେଉଛି । ଏକାବେଳେକେ ସମସ୍ତଙ୍କ ସହିତ ଆତ୍ମୀୟତା ସ୍ଥାପନ କରି ପାରିବ ବୋଲି ଇଚ୍ଛା କରୁଛି । ଏହି ବିଶ୍ଵାସ ପ୍ରସ୍ତୁତ ହୋଇ ବସିଛି, ସାଥୀ ଖୋଜୁଛି, ପରିବେଶଟିଏ ଖୋଜୁଛି ଯେଉଁଠାରେ କି ମୁହୂର୍ତ୍ତ ମୁହୂର୍ତ୍ତର ସମ୍ପର୍କ ମଧ୍ୟରେ ଏହି ସଂସାରକୁ ଏକତ୍ର ଯୋଡ଼ିକରି ରଖିଥିବା ସୂତ୍ରଟିକୁ ପ୍ରତ୍ୟକ୍ଷ ଭାବରେ ଅନୁଭବ କରି ହୁଅନ୍ତା, ଯେଉଁଠାରେ ଆପଣାର ଯାବତୀୟ କର୍ମବିଚରଣ ମାଧ୍ୟମରେ ଭବିଷ୍ୟତକୁ ଅନୁଭବ କରି ହୁଅନ୍ତା । ଯେଉଁଠି କୃତ୍ରିମତା ନଥାନ୍ତା, ବ୍ୟବଧାନ ନଥାନ୍ତା,–ଚାହିଁଦେଲା ମାତ୍ରକେ ଜୀବନର ଅସଲ ଯଥାର୍ଥଟିକୁ ସ୍ପର୍ଶ କରି ହେଉଥାନ୍ତା । ସେହି ପରିବେଶକୁ ଯେଉଁମାନେ କେବଳ ଏକ ଅନ୍ତଃପରିବେଶ ବୋଲି କହନ୍ତି, ସେମାନଙ୍କୁ ମୁଁ ଆଦୌ ବୁଝି ପାରେନାହିଁ । ପରିବେଶ ମଧ୍ୟ ମୋ’ ସହିତ ଆହୁରି ଅନେକଙ୍କର ଏକତ୍ର ସମାବେଶ ଉପରେ ନିର୍ଭରଶୀଳ ହୋଇ ରହିଥାଏ ।

 

୮ । ୧ । ୮୨

 

ସଂସାର ବଦଳୁ । ଅର୍ଥାତ୍ ମଣିଷ ବଦଳୁ । ମଣିଷ ଖାଲି ଭଲ ମଣିଷ ନହେଉ । ଅର୍ଥାତ୍, କେବଳ ଗୁଡ଼ାଏ ସଦାଚାର ଶିଖି ଏହି ପଙ୍କ ଭିତରେ ତଥାପି ସୁନ୍ଦର ସୁଶୋଭିତ ପଦ୍ମ ପରି ଶୋଭା ପାଇବାକୁ ମନ ନକରୁ, ପଙ୍କ ଭିତରେ ରହି ମଧ୍ୟ ଦେହରେ ମୋଟେ ପଙ୍କ ଲାଗୁ ନଥିବା ଜଣେ ମହତ୍ ସଜ୍ଜନ ହୋଇ ରହି ସିଏ ଆପଣାର ସବୁ ଶକ୍ତିକୁ ସେଇଥିରେ ସାରି ନଦେଉ ।

 

ମଣିଷ ଏମିତି ଭାବରେ ବଦଳୁ, ଯେପରିକି ତା’ର ଅନୁଷ୍ଠାନଗୁଡ଼ିକ ମଧ୍ୟ ବଦଳିଯିବ । ଆମ ଭିତରେ ଯେଉଁମାନେ ସାଧୁ ଅଛନ୍ତି, ମହାପୁରୁଷ ପରି ଜୀବନ ବଞ୍ଚୁଛନ୍ତି, ସେମାନେ ମଣିଷକୁ ସେଇଥିଲାଗି ବଳ ଦିଅନ୍ତୁ, ଶକ୍ତି ଦିଅନ୍ତୁ, ଉତ୍ସାହ ଓ ପ୍ରେରଣା ଦିଅନ୍ତୁ । ତା’ ନହେଲେ ସଂସାରର ବିଷଗଣ୍ଠିଗୁଡ଼ାକ ଯେମିତି ଅଛି ସେମିତି ରହିଥିବ ଓ ତେଣେ କିଛି ସମୟପାଇଁ ଏକ ଭାବପ୍ରବଣ ଅନୁପ୍ରେରଣାରେ ମଣିଷମାନେ ସାଧୁମାନଙ୍କର ଦର୍ଶନ କରୁଥିବେ, ସାଧୁମାନଙ୍କର ସଙ୍ଗ ପାଉଥିବେ, ସେମାନଙ୍କର କଥାମୃତ ଶ୍ରବଣ କରୁଥିବେ ଓ ତା’ପରେ ପୁଣି ଆପଣା ଆପଣାର ସଂସାରର ପଙ୍କିଳ ଧନ୍ଦାଗୁଡ଼ିକ ଭିତରକୁ ଫେରି ଆସୁଥିବେ,–ପ୍ରାୟ ଏହି ସଂସାରଟି ଉପରେ ନିର୍ଭର କରି ସାଧୁମାନେ ଧର୍ମର କେତନ ବହନ କରି ବୁଲୁଥିବେ ଏଥିରେ ଭଗବାନଙ୍କର କାର୍ଯ୍ୟରେ କୌଣସି ଯଥାର୍ଥ ସହଯୋଗ ସମ୍ଭବ ହେବନାହିଁ । ତେଣୁ, ସାଧୁମାନେ ସଂସାର ସହିତ ସହଯୋଗ କରନ୍ତୁ, ସମକକ୍ଷ ଭାବରେ ମଣିଷ ସହିତ ଯୋଗ ଦିଅନ୍ତୁ; ମଣିଷ ଭିତରେ ଯେଉଁଠି ଯଥାର୍ଥ ମଣିଷ ବଞ୍ଚିଛି, ସେମାନେ ସେଇଠାରେ ତାକୁ ଉଦ୍‌ବୋଧନ ଦିଅନ୍ତୁ ।

 

୯ । ୧ । ୮୨

 

ସରକାର ଯେତେବେଳେ ସାହିତ୍ୟିକମାନଙ୍କର ସର୍ବପ୍ରଧାନ ବନ୍ଧୁ ହୋଇ ବାହାରନ୍ତି ଓ ସାହିତ୍ୟିକମାନେ ମଧ୍ୟ ଯେତେବେଳେ ସେହି ବନ୍ଧୁତାକୁ ପ୍ରାୟ ଏକ ଅନୁଗ୍ରହ ବୋଲି ସ୍ଵୀକାର କରି ନିଅନ୍ତି, ସେତେବେଳେ ସେହି ସଂପୃକ୍ତ ସାହିତ୍ୟିକମାନେ କରୁଥିବା ସାହିତ୍ୟ ଉପରେ ଚଡ଼କ ପଡ଼ିବାକୁ ଆରମ୍ଭ କରେ । ସାହିତ୍ୟ ସୃଷ୍ଟି ପଛରେ ରହିଥିବା ଅସଲ ବ୍ୟାକୁଳତାଟି ସତେଅବା ମରି ମରି ଯାଏଁ । ବ୍ୟାକୁଳତାଗୁଡ଼ାକ ଏକାବେଳେକେ ଅନ୍ୟଆଡ଼େ ଧାଇଁବାକୁ ଆରମ୍ଭ କରନ୍ତି ଓ ଆପଣାକୁ ସମ୍ପୂର୍ଣ୍ଣ ଭାବରେ ଏକ ସାହିତ୍ୟିକ ବ୍ୟାକୁଳତା ବୋଲି ଜାହିର କରିବା ଲାଗି କେତେ ମନ୍ଦ ଚେଷ୍ଟା କରିବାରେ ଲାଗିଥାନ୍ତି । ସାହିତ୍ୟ ସହିତ ପ୍ରକୃତ ଖିଅଟି ଲାଗିଥିବା ପର୍ଯ୍ୟନ୍ତ ମଣିଷ ମୂଳତଃ ଆପଣାକୁ ଦେବାକୁ ଚାହେଁ । ମାତ୍ର, ସରକାରୀ ଯନ୍ତ୍ରଟିଦ୍ଵାରା ଅନୁଗୃହୀତ ସାହିତ୍ୟିକମାନେ ସତେଅବା ଏକାବେଳେକେ ଖାଲି ପାଇବାକୁହିଁ ମନ କରିବାକୁ ଆରମ୍ଭ କରନ୍ତି । ନାନା ଅନ୍ୟ ସଫଳତାକୁ ମନ କରନ୍ତି । ନାନା ବ୍ୟଭିଚାରକୁ ମଧ୍ୟ ମନ କରନ୍ତି ।

 

ଏଇବି ଗୋଟାଏ ପରୀକ୍ଷା । ଏଇ ଅସଲ ବ୍ୟାକୁଳତାଗୁଡ଼ିକର ପରୀକ୍ଷା । ଆପଣା ସହିତ ଆପଣାର ଦେବା ଓ ଦେବାର ଅସଲ ସମ୍ବନ୍ଧଗୁଡ଼ିକ ପ୍ରକୃତରେ କେଉଁ ସ୍ତରରେ ରହିଛି, ତାହାରି ଏକ ପରୀକ୍ଷା । ଏବଂ, ଆପଣା ବିଷୟରେ ଆପଣାର ରହିଥିବା ଅସଲ ଲାଜଟିର ପରୀକ୍ଷା-। ଯୋଉ ଅନୁଗ୍ରହ ସେହି ଲାଜଟି ବିଷୟରେ ମଣିଷକୁ ଭୁଲାଇ ରଖିବାକୁ ଆସେ, ସେହି ଅନୁଗ୍ରହ ମଣିଷକୁ ଏକ ସଙ୍କଟମୟ ବିମୂଢ଼ତା ଭିତରେ ନେଇ ପକାଇ ଦେବାର ଫନ୍ଦି କରେ ।

 

୧୦ । ୧ । ୮୨

 

ଠାକୁରଙ୍କ ଆଡ଼କୁ ଅନାଇଦେଲା ମାତ୍ରକେ ଭିତର ବାହାର କେଡ଼େ ସୁନ୍ଦର ଲାଗେ, କେଡ଼େ ହାଲୁକା ଲାଗେ । ଖାଲି ଠାକୁର ଯେ ସୁନ୍ଦର ଦିଶନ୍ତି, ମୋଟେ ତାହା ନୁହେଁ; ସେତେବେଳେ ଭିତର ବାହାର ସବୁ ସୁନ୍ଦର ଦିଶେ । ଭିତର ବାହାର ସବୁ ହାଲୁକା ଲାଗେ, ସବୁ ସହଜ ଲାଗେ । ସୃଷ୍ଟିଯାକର ସବୁ ଘରକୁ ସହଜ ପ୍ରବେଶାଧିକାର ପାଇ ଯାଇଥିବା ପରି ଲାଗେ ।

 

ଠାକୁରଙ୍କୁ ଅନାଇଲାବେଳେ ଅନେକ ମଣିଷ ତାଙ୍କୁ କୁଆଡ଼େ ଏଡ଼େ ବଡ଼ ବୋଲି ହଠାତ୍ ଅନୁଭବ କରିବାକୁ ଆରମ୍ଭ କରନ୍ତି ଯେ, ତାଙ୍କ ଆଗରେ ଆପଣାକୁ ଭାରି ଛୋଟ ଓ ଭାରି ହେୟ ବୋଲି ଅନୁଭବ କରିବାକୁ ଲାଗନ୍ତି । ଆପଣାର ସବୁ ପାପ, ସ୍ଖଳନ ଓ ନିକୃଷ୍ଟପଣିଆଗୁଡ଼ାକ କୁଆଡ଼େ ସବୁକିଛି ମନେ ପଡ଼ିଯାଏ । ତେଣୁ ଭାରି ଭୟ ଲାଗେ । ତାଙ୍କପାଖରେ ମୁହଁ ପୋତି ହୋଇଯାଏ, ଆପଣାକୁ ସତେଅବା ଦୋଷୀଟିଏ ପରି ମନେ ହେଉଥାଏ । ମୋ’ର ଏପରି ଅନୁଭୂତି କେବେହେଲେ ହୋଇ ନାହିଁ । ଠାକୁରଙ୍କୁ ଅନାଇବା ମାତ୍ରକେ ଯେପରି ଆପଣାକୁ କେଡ଼େ ସ୍ଵଚ୍ଛ, କେଡ଼େ ନିକଟର ଏବଂ କେଡ଼େ ନିଜର ବୋଲି ମନେ ହୋଇଛି । କଠିନ ଅସମ୍ଭବଗୁଡ଼ାକ ତଥାପି ଏହି ଜୀବନରେ ସମ୍ଭବ ଓ ସହଜ ହୋଇ ପାରିବ ବୋଲି ମନେ ହୋଇଛି । ଏପରି ସବୁକିଛି ସହଜ ହୋଇଯିବା ପଛରେ ତାହାର ପ୍ରତ୍ୟକ୍ଷ ଆଶୀର୍ବାଦ ରହିଥିବା ପରି ମନେ ହୋଇଛି, କେହି ମୋ’ ସାଙ୍ଗେ ସାଙ୍ଗେ ବାଟ ଚାଲି ବାଟ କଢ଼ାଉଥିବା ପରି ମନେ ହୋଇଛି । ସେଥିରୁ କେତେ ବଳ ମିଳିଛି-। ନିଜ ଭିତରେ ଯେ କେତେ ବଳ ଅଛି, ତାହାହିଁ ଅନୁଭବ ହୋଇଛି । ଆଶୀର୍ବାଦଗୁଡ଼ାକ ବନ୍ଦହୋଇ ରୂପାନ୍ତରିତ ହୋଇଯାଇଛି ।

 

୧୧ । ୧ । ୮୨

 

ଶନି ଓ ମଙ୍ଗଳ ଉଭୟ ଗ୍ରହ ଏବର୍ଷ ଦୀର୍ଘ ସାତମାସ ଧରି କନ୍ୟାରାଶିକୁ ଆବୋରି ରହିବେ ବୋଲି ସମୟର ଗଣନାକାରୀମାନେ ସତର୍କବାଣୀ ଶୁଣାଇଛନ୍ତି । ଯେଉଁ ବ୍ୟକ୍ତିମାନଙ୍କର ରାଶି କନ୍ୟାରାଶି, ସେମାନଙ୍କୁ ସାବଧାନ ହେବାକୁ ଏବଂ ଗ୍ରହକୋପର ଶାନ୍ତି ଲାଗି ଆନୁଷ୍ଠାନିକ ଭାବରେ କିଛି କରିବା ଲାଗି ଉପଦେଶ ଦିଆଯାଇଛି । ଶନି ଓ ମଙ୍ଗଳ ମଣିଷର ଶତ୍ରୁ ନୁହନ୍ତି ଯେ ସେମାନେ ମଣିଷ ଉପରେ ବିନା କାରଣରେ ଦୁର୍ବିପାକ ଘଟାଇବାକୁ ଉତ୍ସାହୀ ହୋଇ ଉଠିବେ । ମଣିଷ ଯଦି ନିଜେ ଭୟର ବଶବର୍ତ୍ତୀ ହୋଇ ଆପଣାକୁ ରକ୍ଷା କରିବାର ବିହ୍ଵଳତାରେ ଗ୍ରହଗୁଡ଼ିକ ପ୍ରତି ଦ୍ଵେଷୀ ହୋଇ ପଡ଼ିବ, ତେବେ ତା’ର ନିଶ୍ଚୟ ଅନିଷ୍ଟ ହେବ ।

 

ସମସ୍ତ ବିଶ୍ଵ ସହିତ ଏକ ଆତ୍ମୀୟତାର ସମ୍ପର୍କଦୃଷ୍ଟିରେ ଯୋଡ଼ି ହୋଇ ରହିଥିବା ପର୍ଯ୍ୟନ୍ତ ଗ୍ରହମାନେ ମୋ’ ଜୀବନରେ କେବେହେଲେ କୌଣସି ଦୁର୍ଯୋଗ ଘଟାଇବାକୁ ମନ କରିବେନାହିଁ । ସଂସାର ଭିତରେ ଯିଏ ସମସ୍ତଙ୍କୁ ରକ୍ଷା କରନ୍ତି, ସେହି ଗ୍ରହଗୁଡ଼ିକୁ ସିଏ ଯେଉଁ ଅଭିପ୍ରାୟରେ ଯେଉଁ ସ୍ଥାନରେ ନିର୍ଦ୍ଦିଷ୍ଟ କରି ରଖନ୍ତୁ ପଛକେ, ତଦ୍ଦ୍ଵାରା ସେହି ସୂତ୍ରରେ ଶନି ଓ ମଙ୍ଗଳବି ସେହି ଆତ୍ମୀୟତାର ବେଢ଼ ଭିତରେ ରହିବେ, ପାଖେପାଖେ ରହିବେ, ସାହାଯ୍ୟ କରିବେ, ସହଯୋଗବି କରିବେ । ଭୟରୁହିଁ ଯେଉଁ ବିଚ୍ଛିନ୍ନତା ଜନ୍ମଲାଭ କରିଥାଏ, ତାହାହିଁ ମଣିଷର ଜୀବନ ମଧ୍ୟରେ ନାନା ପ୍ରସ୍ତାବ ତ୍ରାସକୁ ଜନ୍ମ ଦେଇଥାଏ । ସଂସାରକୁ, ଅର୍ଥାତ୍ ମଣିଷମାନଙ୍କୁ ସେହି ତ୍ରାସରୁ ମୁକ୍ତ କରି ରଖିବାକୁ ଜ୍ୟୋତିର୍ବିଜ୍ଞାନୀମାନଙ୍କର ବସ୍ତାନିରେ ଯଦି କୌଣସି ବିଧାନ ଥାଏ, ତେବେ ସେମାନେ ଜଗତକୁ ତାହାହିଁ ଦେବାର ବଡ଼ ଉପକାରଟି କରିବା ଉଚିତ ।

 

୧୨ । ୧ । ୮୨

 

ଏହି ସଂସାର ବଦଳିବ । ଏ ମଣିଷ ବଦଳିବ । ଭଗବାନ୍ ବୋଲି ଆମେ ଯାହାକିଛି ସ୍ଵପ୍ନ ଓ ଶୁଭକୁ ସଂସାରଠାରୁ ଦୂରରେ କଳ୍ପନା କରି ଆସିଛୁ, ସେହି ସବୁକିଛି ସଂସାରର ନିକଟବର୍ତ୍ତୀ ହୋଇ ଆସିବ, ଜୀବନରେ ସଫଳ ହୋଇ ଯାଉଥିବା ପରି ଦେଖାଯିବ, ଅନୁଭୂତ ହେବ । ଶନି ଓ ମଙ୍ଗଳ ଦୁଇ ଗ୍ରହଯାକ ସେଥିରେ ସାହାଯ୍ୟ କରିବେ, ସହଯୋଗ କରିବେ, ଆଶୀର୍ବାଦ ଦେବେ ।

 

ଗ୍ରହମାନେ ମଣିଷକୁ ତା’ର ଏହି ଅଗ୍ରଗତି ପଥରେ ଉତ୍ସାହ ଦେବେ । ମଣିଷ ଯେତେବେଳେ କେବଳ ନିଜର ଭାଗ୍ୟଟାକୁହିଁ ସଂସାରର ଭାଗ୍ୟ ବୋଲି ଜାଣେ, ସେ ଯେତେବେଳେ କେବଳ ନିଜର କାନ୍ଥଗୁଡ଼ାକୁହିଁ ତା’ର ଶ୍ରେଷ୍ଠତମ ସୁରକ୍ଷା ବୋଲି ଗଣନା କରୁଥାଏ, ସେତେବେଳେ ଗ୍ରହମାନଙ୍କ ସହିତ ତା’ର ହୁଏତ ସକଳ ସୂତ୍ର, ଏକାବେଳେକେ ଛିନ୍ନ ହୋଇଯାଏ । ଏବଂ ସମ୍ପର୍କ ଛିନ୍ନ ହୋଇଯିବା ସଙ୍ଗେ ସଙ୍ଗେ ସେମାନଙ୍କଠାରୁ ଯାହାକିଛି ସାହାଯ୍ୟ ମିଳିବାର କଥା, ତାହା ଆଉ ଉପଲବ୍ଧ ହୋଇପାରେ ନାହିଁ । ମଣିଷ ଏକୁଟିଆ ହୋଇଗଲେ ଏହି ସଂସାରକୁ ଯେପରି ଏକ ମିଥ୍ୟା ସଂସାର ବୋଲି କହିଥାଏ, ଠିକ୍ ସେହିପରି ଗ୍ରହମାନଙ୍କୁ ମଧ୍ୟ ସିଏ ଦୁଷ୍ଟ ଗ୍ରହ ବୋଲି କହିଥାଏ । ନାନା ଉପାୟରେ ଦୁଷ୍ଟମାନଙ୍କୁ ଶାନ୍ତ କରିବାଲାଗି ସେତେବେଳେ ଶାସ୍ତ୍ରରେ କେତେ ପ୍ରକାରର ବ୍ୟବସ୍ଥା ଓ ବିଧାନ କରାଯାଏ । ଏହି ଭୟ ଓ ଏହି ବିଧାନଗୁଡ଼ାକୁ ମଧ୍ୟ ଅନେକ ସମୟରେ ଧର୍ମର ଏକ ଅଙ୍ଗରୂପେ ଧରି ନିଆଯାଏ । ତା’ପରେ ହୁଏତ ଶିଷ୍ଟମାନେହିଁ ଅନିଷ୍ଟକାରୀ ପରି ମନେ ହୁଅନ୍ତି । ମଣିଷ ତା’ର ଶୁଭତମ ଓ ଯଥାର୍ଥରେ ଅଭିପ୍ରେତ ନିୟତିଗୁଡ଼ିକୁହିଁ ଜୀବନ ବଞ୍ଚିବାର ସର୍ବଶ୍ରେଷ୍ଠ ପ୍ରେରଣା ବୋଲି ମାନୁଥିବା ପର୍ଯ୍ୟନ୍ତ ଗ୍ରହମାନେ କଦାପି ତା’ର ପରିପନ୍ଥୀ ହୁଅନ୍ତିନାହିଁ ।

 

୧୩ । ୧ । ୮୨

 

ଗୋଟାଏ ପାଖରେ ବ୍ୟକ୍ତି ଓ ଆଉ ଗୋଟାଏ ପାଖରେ ସମାଜ । ପ୍ରତ୍ୟେକ ବ୍ୟକ୍ତି ଯଦି ସ୍ଵାଧୀନ ଭାବରେ ଆପଣାର ସମାଜଟି ସହିତ ଆପଣାକୁ ସମ୍ବନ୍ଧିତ କରି ରଖି ପାରୁଥାନ୍ତେ, ତେବେ ମଣିଷର ସମାଜ ଭାରି ଅନ୍ୟ ପ୍ରକାରର ହୋଇଥାନ୍ତା । ମାତ୍ର, ସବୁଠାରେ ସମାଜ କହିଲେ କେତୋଟି ନ୍ୟସ୍ତ ସ୍ଵାର୍ଥକୁ ବୁଝାଉଛି, କେତେଟା କର୍ତ୍ତୃତ୍ଵକୁ ବୁଝାଉଛି; ସେହି ଅନୁସାରେ ସମାଜକୁ ସ୍ଵୀକାର କରିବା ସେହି କର୍ତ୍ତୃତ୍ଵଗୁଡ଼ାକୁ ସ୍ଵୀକାର କରିବାକୁହିଁ ବୁଝାଉଛି । ସମାଜରେ ସବୁଠାରେ ଗୋଟାଏ ଶାସନବି ରହିଛି, ଯାହାକି ବ୍ୟକ୍ତିକୁ ଆଗକୁ ଯିବାଲାଗି ଯଥାସମ୍ଭବ ସୁଯୋଗ ଦେବା ସକାଶେ ମୋଟେ ରାଜୀ ହେଉନାହିଁ ।

 

ସମାଜ କହିଲେ ଆଦୌ କେତେଟା କର୍ତ୍ତୃତ୍ଵକୁ ବୁଝାଏ ନାହିଁ । ସମାଜ କହିଲେ କେତେଟା ମୂଲ୍ୟବୋଧକୁହିଁ ବୁଝାଉଛି ଏବଂ ବ୍ୟକ୍ତିହିଁ ଯଥାର୍ଥରେ ସେହିସବୁ ମୂଲ୍ୟବୋଧର ସର୍ବମୂଳ ଭୂମି ହୋଇ ରହିଥିବା ଉଚିତ । ଏହି ଦୃଷ୍ଟିରୁ ଦେଖିଲେ ସମାଜର ନିଜର କୌଣସି ଜିଦ୍ ନାହିଁ, ନିଜର କୌଣସି ଇଚ୍ଛାବି ନାହିଁ । ଯେଉଁଠି ସମାଜ ନାମରେ ଧର୍ମ, ନୀତି, କ୍ଷମତା ଓ କର୍ତ୍ତୃତ୍ଵଗୁଡ଼ାକହିଁ ବ୍ୟକ୍ତି ଉପରେ ଘୋଡ଼ା ଚଢ଼ି ରହିଛି ଓ ସେହି ଅନୁସାରେ ବ୍ୟକ୍ତିର ଶିକ୍ଷା ଓ ବିକାଶକୁ ନିୟନ୍ତ୍ରିତ କରି ରଖିଛି, ସେଠାରେ ବ୍ୟକ୍ତି ବଡ଼ ଅବହେଳିତ ହୋଇ ରହିଛି ଏବଂ ତେଣୁ ସମାଜ ମଧ୍ୟ ପ୍ରାୟ ଏକ ବର୍ବର ଅବସ୍ଥାରେ ରହିଛି । ତଥାକଥିତ ସଭ୍ୟତାର ସମସ୍ତ ବାହ୍ୟ ସଜ୍ଜା ସତ୍ତ୍ୱେ ସେଠାରେ ବର୍ବରତା ବୋଲି ଚିହ୍ନିବା, ଜଣେ ମନୁଷ୍ୟବ୍ୟକ୍ତି ଲାଗି ତାହାହିଁ ସର୍ବୋଚିତ କର୍ତ୍ତବ୍ୟ-। ଏହି କର୍ତ୍ତବ୍ୟଟି ବିଷୟରେ ବ୍ୟକ୍ତିକୁ ସଚେତନ କରି ରଖିବାହିଁ ଯଥାର୍ଥ ଶିକ୍ଷାର ଅଭିପ୍ରାୟ ହୋଇ ରହିବା ଉଚିତ । ତେବେ ଯାଇ ଏ ସମାଜ ମଣିଷର ଅନୁକୂଳ ହୋଇ ପାରିବ ।

 

୧୪ । ୧ । ୮୨

 

ବାଟକୁ ବାହାରିଲେ ଭିତରଗୁଡ଼ାକ ସତେଅବା ଆପେଆପେ, ଅର୍ଥାତ୍ ଭାରି ସ୍ଵାଭାବିକ ଭାବରେ ଖୋଲିଯାଏ, ଏହି ଭୁବନଯାକ ସବୁକିଛିକୁ ଆପଣା ଆପଣା ଭିତରକୁ ଟାଣି ଆଣିବାକୁ ମନ ହୁଏ ଆପଣା ଭିତରେ ସବୁ କିଛିକୁ ଛୁଇଁ ଆସିବାକୁ ମନହୁଏ । ମଝିରେ ରହିଥିବା ପାଚେରୀଗୁଡ଼ାକହିଁ ଜୀବନରେ ଅବିଶ୍ଵାସ ଏବଂ ଦୂରତାର ଏକମାତ୍ର ସନ୍ତକ ବୋଲି ମନେ ହୁଅନ୍ତି । ମୋ’ ଭିତରେ ମୁଁ ସେତେବେଳେ ଏପରି କିଛିହେଲେ ଅନୁଭବ କରି ପାରେନାହିଁ, ଯାହାକୁ କି ମୁଁ କେବଳ ମୋ’ରି ବୋଲି କହିପାରିବି, ଯେଉଁଥିରେ କି ଏହି ସବୁକିଛିର ଆଦୌ କୌଣସି ଭାଗ ନାହିଁ-

 

ଏହି ଅନୁଭୂତିଟି ଲାଗିହିଁ ଏହି ସବୁକିଛି ମୋ’ର,–ମୋ’ର ଅତ୍ୟନ୍ତ ଆତ୍ମୀୟ, ମୋ’ଠାରୁ ଏକାବେଳେକେ ଅବିଚ୍ଛିନ୍ନ । ଆଗେ ମୁଁ ଏହି ଜଗତକୁ ଏପରି ଏକ ସମ୍ପତ୍ତିର ଭଣ୍ଡାର ବୋଲି ଭାବୁଥିଲି, ଯେଉଁଥିରୁ କି ମୁଁ ଇଚ୍ଛା ଅନୁସାରେ ଯେତେ ମନ ସେତେ ସମ୍ପତ୍ତି ଆବଶ୍ୟକ ହେଲେ ଲୁଟି କରି ନେଇ ଆସିପାରିବି ଏବଂ ତଦ୍ଦ୍ୱାରା ଆପଣାର ଘରଟିକୁ ଭର୍ତ୍ତିକରି ଦେଇ ପାରିବି । ସେତେବେଳର ବ୍ୟାକୁଳତାଟିକୁ ମୁଁ ବର୍ତ୍ତମାନ ମଧ୍ୟ ଭାରି ଭଲ କରି ବୁଝି ପାରୁଛି । ହୁଏତ ସେତେବେଳେ ତାହାର ଏକ ଆବଶ୍ୟକତା ମଧ୍ୟ ରହିଥିଲା । ବର୍ତ୍ତମାନ ମୁଁ ସେହି ଆବଶ୍ୟକତାର ପରିଧିଟିକୁ ପାର ହୋଇ ଚାଲିଆସିଛି । ବର୍ତ୍ତମାନ ନିଜକୁ ଅନୁଭବ କଲା ମାତ୍ରକେ ମୁଁ ସମସ୍ତ ଜଗତକୁ ଅନୁଭବ କରି ପାରୁଛି । ମୁଁ ଏହି ଜଗତର ଏକ ଅଂଶ ହୋଇ ରହିଛି । ତେଣୁ, କାହାକୁ ଲୁଟିକରି ଆଉ କାହାକୁ ଭର୍ତ୍ତି କରି ଦେବାର ଆଉ କୌଣସି ପ୍ରଶ୍ନହିଁ ଉଠୁନାହିଁ । ବାଟଗୁଡ଼ାକ ଠିକ୍ ଘର ପରି ମନେ ହେଉଛି । ମୋ’ ଘର କହିଲେ ମୁଁ ବର୍ତ୍ତମାନ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଏହି ସମଗ୍ର ଆକାଶଟିକୁହିଁ ଅନୁଭବ କରୁଛି । ଏହି ଆକାଶ ମୋତେ ଛୁଇଁ କରି ରହିଛି, ମୋତେ ଅନ୍ତର୍ଗତ କରି ଅବସ୍ଥିତ ରହିଛି । ମୋତେ ବ୍ୟାସ୍ତ କରି ରଖିଛି ।

 

୧୫ । ୧ । ୮୨

 

ଭାରତବର୍ଷ କହିଲେ କେତେକଅଣ ବୁଝାଏ । ଗୋଟାଏ ଦେଶ କହିଲେ କେତେକଅଣ ବୁଝାଏ । ଗୋଟିଏ ଦେଶ ପ୍ରତି ସେହି ଦେଶର ଜଣେ ମଣିଷର ଆନୁଗତ୍ୟ, ଅନୁରକ୍ତି ଅର୍ଥାତ୍ ସମ୍ବନ୍ଧିତତା କହିଲେ କେତେକଅଣ ବୁଝାଏ । ଭାରତବର୍ଷ କହିଲେ ଅନେକ ଲୋକ ପୋଥିଗୁଡ଼ାକୁ ବୁଝନ୍ତି, ପୁରାଣଗୁଡ଼ାକୁ ବୁଝନ୍ତି, କାହାଣୀଗୁଡ଼ାକୁ ବୁଝନ୍ତି;–ଅତୀତଟାକୁ ଗୋଟାଏ ମଞ୍ଜୁଳ ମୁକୁଟରେ ପରିଣତ କରି ସେମାନେ ତାକୁ ଆପଣାର ମୁଣ୍ଡରେ ଗଳାଇଦେଇ ସତେଅବା କେଡ଼େ ଉଚ୍ଚରେ ବା କେଡ଼େ ବଡ଼ ନଅରଭିତରେ ଥାଇ କେତେ ଫୁଲାଇ ହେଉଥାନ୍ତି । ସେମାନେ ସେହି ଦେଶକୁ ଭଲବି ପାଆନ୍ତି । ଯେଉଁ ଗାତଟି ସେମାନଙ୍କୁ ଏତେ ଉଷୁମ ଦେଇ ରଖିଛି, ସେହି ଗାତଟିକୁ ଭଲ ନପାଇଲେ ସେମାନଙ୍କର ଆଉ ଗତି କାହିଁ ?

 

ମଣିଷ ନିଜେ ଯାହା ଚାହୁଁଥାଏ, ଅର୍ଥାତ୍ ସେ ଯେଉଁଠି ଅଟକି ରହିଯିବାକୁ ଇଚ୍ଛା କରୁଥାଏ, ସେହି ଅନୁସାରେ ସେ ଦେଶକୁ ଲୋଡ଼େ । ତେଣୁ, ତା’ର ଦେଶକୁ ସିଏ ଯେତିକି ଚିହ୍ନେ, ତା’ର ସମ୍ବନ୍ଧଗୁଡ଼ାକ ମଧ୍ୟ ଠିକ୍ ସେହି ଅନୁସାରେ ନିର୍ଦ୍ଧାରିତ ହୁଏ । ଦେଶ କହିଲେ ମଣିଷଙ୍କୁବି ବୁଝାଇ ପାରନ୍ତା । ମାତ୍ର, ହୁଏତ ନିଜ ଜୀବନରେ ସେମାନେ ଆପଣାକୁ ମଧ୍ୟ ଏଠି ସବୁରି ସହିତ ସମ୍ମିଳିତ ହୋଇ ସମୃଦ୍ଧ ହୋଇ ବାଟ ଚାଲିବାକୁ ଆସିଥିବା ମଣିଷଟିଏ ବୋଲି ଗ୍ରହଣ କରି ନଥାନ୍ତି ବୋଲି ସେମାନେ ସେପରି ବୁଝି ପାରନ୍ତିନାହିଁ । ସେମାନଙ୍କ ପାଖରେ ବର୍ତ୍ତମାନଗୁଡ଼ାକ ସତେଅବା ଭୟାନକ ଭୂତ ହୋଇ ଦିଶନ୍ତି, ତେଣୁ ସେମାନେ ତାହାର ସମ୍ମୁଖୀନ ହୋଇ ପାରନ୍ତିନାହିଁ । ଭବିଷ୍ୟ କହିଲେ ଏମାନେ ହୁଏତ କିଛି ଦେଖି ପାରନ୍ତିନାହିଁ ।

 

୧୬ । ୧ । ୮୨

 

ପୋଲାଣ୍ଡ ଦେଶରେ କର୍ତ୍ତାମାନେ ବୁଦ୍ଧିଜୀବୀମାନଙ୍କୁ ଡରୁଛନ୍ତି । ସେମାନେ ଭାବୁଛନ୍ତି ଯେ, ବୁଦ୍ଧିଜୀବୀମାନେହିଁ ଶ୍ରମିକମାନଙ୍କୁ ଅସଲ ବୁଦ୍ଧି ଅର୍ଥାତ୍ ଅସଲ ଭୋକ ଓ ଅସଲ ଜିଜ୍ଞାସାକୁ ଯୋଗାଇ ଦେବାରୁ ଶ୍ରମିକମାନେ ଧାରା ଭିତରୁ ବାହାରିଗଲେ, କେବଳ ରୁଟି ନମାଗି ସ୍ଵାଧୀନତା ମାଗିଲେ ଓ ଆପଣାକୁ କେବଳ ମଜୁରିଆ ଏବଂ ଅନୁସରଣିଆ ବୋଲି ନଭାବି ମଣିଷ ବୋଲି ଭାବିଲେ । ଏଣିକି କର୍ତ୍ତାମାନେ ମୂଳରୁ ନୂଆକରି ଶ୍ରମିକ ସଂଗଠନଗୁଡ଼ିକୁ ଗଢ଼ାଇବେ, ସେଗୁଡ଼ିକୁ ନିରାପଦ ଭାବରେ ଗଢ଼ାଇବେ । ଅର୍ଥାତ୍ ସେଗୁଡ଼ିକ ଉପରେ ବୁଦ୍ଧିଜୀବୀମାନଙ୍କର ଯେପରି କୌଣସି ପ୍ରଭାବ ନରହେ, ସେଥିଲାଗି ମୂଳରୁ ଦଉଡ଼ିମାନଙ୍କୁ କାଟିଦେବେ ।

 

ଭାରତବର୍ଷର ବୁଦ୍ଧିଜୀବୀମାନେ, ଅର୍ଥାତ୍ ଯେଉଁମାନେ ନିଜର ବୁଦ୍ଧିଦ୍ଵାରା ଜୀବିକାର୍ଜନ କରୁଛନ୍ତି, ସେମାନେ କର୍ତ୍ତାମାନଙ୍କର ପକ୍ଷରେ ରହିଛନ୍ତି । ସେମାନେ ଅନୁକର ହୋଇ ରହିଛନ୍ତି, ଅନୁଗୃହୀତ ହୋଇ ରହିବାକୁହିଁ ସର୍ବଶ୍ରେୟଃ ବୋଲି ଭାବୁଛନ୍ତି । ବୁଦ୍ଧି ହେଉଛି ଏକ ଶକ୍ତି । ତାହା କେବଳ ମଣିଷ ଭିତରେ ରହିଥିବା ଅସଲ ଶକ୍ତି ଓ ଅସଲ ଗତିଶୀଳତାର ପରିକର ହୋଇ ରହିପାରିବ । ଭାରତର ବୁଦ୍ଧିଜୀବୀମାନେ ଗୋଲାମ ହୋଇ ଗୁଡ଼ାଏ କର୍ତ୍ତୃତ୍ଵ ବା ଅପକର୍ତ୍ତୃତ୍ଵ ହାସଲ କରି ପାରିଛନ୍ତି ଓ ଇନ୍ଦ୍ରଙ୍କର ଗଣ ପରି ଦେଖାଯାଉଛନ୍ତି ସତ, ମାତ୍ର ସେମାନଙ୍କ ଭିତରେ କୌଣସି ଶକ୍ତିନାହିଁ । ଏଠି କର୍ତ୍ତାମାନେ ସେମାନଙ୍କୁ ମୋତେ ଡରୁନାହାନ୍ତି; ଯାହାକୁ ପଇସା ଦେଇ କିଣିହେବ, ପଦଦେଇ ବଶ କରିହେବ, ତାକୁ କିଏ ଡରିବ କାହିଁକି ?

 

୧୯ । ୧ । ୮୨

 

ଭିତରେ ଆପଣା ପାଖରେ ଯେତେବେଳେ ମୁଁ ମୋଟେ ସହଜ ହୋଇ ହୋଇ ପାରୁନଥାଏ, ସେତେବେଳେ ବାହାରେ ମଧ୍ୟ ମୋଟେ ସହଜ ହୋଇପାରେ ନାହିଁ । ଭିତରେ ଖିଅଗୁଡ଼ାକ ସ୍ଵାଭାବିକ ଭାବରେ ମିଳୁନଥିବା ସମୟରେ ବାହାରେ ମଧ୍ୟ ଖିଅ ମିଳେ ନାହିଁ । ସେତେବେଳେ ଏକ ବଡ଼ କ୍ଷତିକାରକ ଆକୁଳତା ଏବଂ ଆତୁରତାର ଶିକାର ହେବାକୁ ପଡ଼ିଥାଏ । ସେତେବେଳେ ସତେଅବା କୁଆଡ଼ୁ କେତେ ପ୍ରକାର ଦାରିଦ୍ର୍ୟ ଆସି ମୋତେ ଏକାବେଳେକେ ଗ୍ରାସ କରି ରହିଥାନ୍ତି ।

 

ସେତେବେଳେ ସ୍ଥିର ହୋଇ, ଶାନ୍ତ ହୋଇ ଅପେକ୍ଷା କରିବାକୁହିଁ ପଡ଼େ । ବାହାରେ ସବୁପ୍ରକାରେ କର୍ମରତ ହୋଇ ରହିଥିଲେ ମଧ୍ୟ ଭିତରେ ଅପେକ୍ଷା କରିବାକୁ ପଡ଼େ । ଆପଣା ଭିତରେ ଆପଣାର ଅସଲ ଆତ୍ମୀୟତାଗୁଡ଼ିକୁ ଲୋଡ଼ିବାକୁ ପଡ଼ିଥାଏ । ଭିତରେ ଅସଲ ଆକାଶଗୁଡ଼ିକ ଉପରେହିଁ ପୁନର୍ବାର ଆସ୍ଥା ସ୍ଥାପନ କରିବାକୁ ପଡ଼େ । ଭିତରେ ଆପଣାର ସେହି ସମଗ୍ର ବୋଧଟି ଫେରି ଆସିବା ସଙ୍ଗେ ସଙ୍ଗେ ବାହାରେ ପୁଣି ସବୁକିଛି ସମଗ୍ର ଲାଗେ । ବାହାରର ଏହି ବହୁଟି ମଧ୍ୟରେ ଆପଣାକୁ ଠାବ କରି ନେଇପାରିବା ମଧ୍ୟ ପୁଣି ସମ୍ଭବ ହୋଇଯାଏ । ଜୀବନରେ ସେତେବେଳେ ଏକ ନୂତନ ଆବିଷ୍କାର ଆସି ଘଟିଥିଲା ପରି ମନେହୁଏ । ସେହି ପୁରୁଣା ଆତ୍ମୀୟତାଗୁଡ଼ିକ ସତେଅବା ଏକ ନୂତନ ସ୍ପର୍ଶରୂପେ ଅନୁଭୂତ ହୁଏ । ସେହି ସ୍ପର୍ଶ ନୂତନ ବିଶ୍ଵାସ ଆଣିଦିଏ । ସେହି ବିଶ୍ଵାସ ଜୀବନରେ ଗତି ଆଣିଦିଏ । ସେହି ଗତିଶୀଳତା ସତେଅବା ଏହି ଜୀବନକୁ ପୂର୍ଣ୍ଣ କରି ରହିଥିବା ଏକ ଆଶୀର୍ବାଦ ପରିହିଁ ଅନୁଭୂତ ହେବାରେ ଲାଗେ ।

 

୨୦ । ୧ । ୭୨

 

ମୁଁ ଏଠାରେ ଖାତା ବାହାର କରି ବସିଥିବି ଏବଂ ତଥାପି ଆଜି କ’ଣ ଲେଖିବି, ମୋଟେ ଠିକ୍ କରି ପାରୁନଥିବି,–ଏହା ଏକ ଅଦ୍ଭୁତ ଅବସ୍ଥା । ଏହି ଅବସ୍ଥାଟିରେ ପଡ଼ିଥିବା ସମୟରେ ମୁଁ ଆପଣା ଉପରେ ଯେତିକି ବିଗିଡ଼ିବାରେ ଲାଗିଥିବି, ଅବସ୍ଥାଟି ହୁଏତ ସେତିକି ଅଧିକ ବିଗିଡ଼ି ଯିବାରେ ଲାଗିଥିବ । ହାତର ଦଉଡ଼ିଗୁଡ଼ାକ ହାତରେ ଥିବାପରି ଆଦୌ ଲାଗୁନଥିବ ।

 

ସେତେବେଳେ ଆହୁରି ଅଧିକ ସ୍ଥିରତା ଦରକାର, ଆପଣାପ୍ରତି ଆହୁରି ଅଧିକ ଏକ ସ୍ଵୀକାରାତ୍ମକ ମନୋଭାବ ରହିଥିବା ଦରକାର । ଆପଣାକୁ ସ୍ଵୀକାର କରିବାର ଅର୍ଥ ହେଉଛି ଆପଣା ଭିତରେ ରହିଥିବା ଶକ୍ତିଟିକୁ ସ୍ଵୀକାର କରିବା, ଆପଣାକୁ ସମର୍ପିତ କରି ରଖିଥିବା ସେହି ପଥିକଟିକୁ ସ୍ଵୀକାର କରିନେବା । ସେହି ଶକ୍ତିଟି ପ୍ରକୃତରେ ରହିଛି, ସେହି ପଥିକଟି ତଥାପି ବାଟ ଚାଲୁଛି । ସେମାନଙ୍କ ସହିତ ମୋ’ର ଯେଉଁ ସୂତ୍ରଟି ଲାଗି ରହିଥିବା ଦରକାର, ସେହି ସୂତ୍ରଟି ମୋ’ ହାତରୁ ଛାଡ଼ି ଯାଇଥିଲା ପରି ମନେ ହେଉଥିବା ସମୟରେ ଏଡ଼େ ଅସହାୟ ଲାଗୁଛି । ସହାୟ ମଧ୍ୟ ଯେ ସେହି ଭିତରୁହିଁ ମିଳିବ, ଏଥିରେ କୌଣସି ସନ୍ଦେହ ନାହିଁ । ଆପଣାର ଅସଲ ସୂତ୍ରଟି ହାତକୁ ଆସିଯିବା ମାତ୍ରକେହିଁ ମୋ’ର ଆଖିଟାହିଁ ବଦଳିଯିବ, ତା’ପରେ ମୁଁ ସଂସାରକୁ ଅନ୍ୟପ୍ରକାରେ ଦେଖିବି, ମୋ’ ସହିତ ଏହି ସମସ୍ତ ସଂସାରର ସମ୍ମିଳିତ ହୋଇ ରହିଥିବା ପରି ଅନୁଭୂତ ହେବାକୁ ଲାଗିବ । ସେତେବେଳେ ମୁଁ ପୁଣି ଆପଣା ଘରକୁ ଫେରିଆସିବି । ତେଣୁ, ବର୍ତ୍ତମାନ କେବଳ ବିଶ୍ଵାସର ସହିତହିଁ ଅପେକ୍ଷା କରି ରହିବା ଦରକାର ।

 

୨୧ । ୧ । ୮୨

 

ବହି ଲେଖିବା ସମୟରେ ବହିଟି ଯେ ପ୍ରକାଶିତ ହେବ, ମନ ଭିତରେ ଏପରି ଏକ ଅଭିଳାଷ ଅବଶ୍ୟ ରହିଥାଏ ସତ, ମାତ୍ର ତଥାପି ପ୍ରକାଶକଙ୍କ ବିଷୟରେ ଆଦୌ କୌଣସି ଭାବନା ମନ ଭିତରକୁ ଆଣିବାହିଁ ପ୍ରାୟ ପ୍ରମାଦପୂର୍ଣ୍ଣ ବୋଲି ମନେ ହୋଇଥାଏ । ପ୍ରକାଶକଙ୍କର କଥା ଭାବିବା ମାତ୍ରକେ ମନ ଭିତରେ ନାନାବିଧ ଦୁଃଖ ଆସି ସତେଅବା ସବୁ ଉତ୍ସାହକୁ ଭାଙ୍ଗି ଦେବାପରି ମନେ ହୋଇଥାଏ । ପ୍ରକାଶକମାନେ ଲେଖକମାନଙ୍କ ପାଖରେ କେତେ ଯେ ପର ହୋଇ ରହିଥାନ୍ତି, ସେକଥା ଯେତିକି ଯେତିକି ମନେ ପଡ଼େ, ଗୋଟାଏ ପ୍ରକାରର ଅନିଷ୍ଟକାରକ ଗ୍ଳାନି ମନ ଭିତରକୁ ସେତିକି ଗୋଟାସୁଦ୍ଧା ଗ୍ରାସ କରିବାକୁ ମାଡ଼ିଆସେ ।

 

ପ୍ରକାଶକ ଆଗ ପ୍ରକାଶକ, ତା’ପରେ ବ୍ୟବସାୟୀ । ପ୍ରକାଶକ ହିସାବରେ ସେମାନେ ଲେଖକର ବନ୍ଧୁ । ଲେଖକ ଓ ପ୍ରକାଶକ ଉଭୟେ ମିଶି ସାହିତ୍ୟର ସମୃଦ୍ଧିରେ ସହଯୋଗ କରିବା କଥା । ମାତ୍ର, ଯେଉଁଠି ବ୍ୟବସାୟଟାହିଁ ସର୍ବପ୍ରଧାନ ହୋଇ ରହିଥାଏ, ସେହି କ୍ଷେତ୍ରରେ ଲେଖକମାନଙ୍କୁ ଖୋଜି ବାହାର କରିବା ଅପେକ୍ଷା ପ୍ରକାଶକମାନେ ଅନ୍ୟ ନାନାପ୍ରକାର ମତଲବ ନେଇ ଖାସ୍ ଖାସ୍ ଲେଖକମାନଙ୍କ ପାଖକୁ ଯାଆନ୍ତି । ସେମାନଙ୍କଠାରୁ ବ୍ୟବସାୟିକ କ୍ଷେତ୍ରରେ ଅନ୍ୟସବୁ ଉପକାର ପାଆନ୍ତି ବୋଲି ସେମାନେ ସେହି ଲେଖକମାନଙ୍କୁ ସବୁପ୍ରକାରେ ଅନୁଗୃହୀତ କରନ୍ତି । ଉକ୍ତ ଲେଖକମାନେ ପ୍ରକାଶକମାନଙ୍କ ସହିତ ଏକ ସାହିତ୍ୟିକ ସମ୍ବନ୍ଧରେ ନୁହେଁ, ଅସାହିତ୍ୟିକ ସ୍ଵାର୍ଥଜନିତ ନାନା ଅସାଧ୍ୟ ସମ୍ପର୍କରେ ଗୁନ୍ଥାହୋଇ ରହିଥାନ୍ତି । ଏଗୁଡ଼ାକଦ୍ଵାରା ସାହିତ୍ୟର ମହତ ଯାଏଁ, ମାମଲତ୍‍କାରୀଗୁଡ଼ାକ ଭାରି ବଢ଼ିବାରେ ଲାଗିଥାଏ ।

 

୨୨ । ୧ । ୮୨

 

ମୁଁ ଯଦି ଭାବପ୍ରବଣ ହୋଇ ସାହିତ୍ୟ ଲେଖୁଥାନ୍ତି, ତେବେ ପ୍ରକୃତରେ କେଡ଼େ ଲୋକପ୍ରିୟ ହୋଇ ପାରୁଥାନ୍ତି ! କେତେ ନା କେତେ ପ୍ରଶଂସା ଲାଭ କରୁଥାନ୍ତି । ମାତ୍ର, ଭାବର କ୍ଷେତ୍ରରେ ଆପଣା ପାଖରେ ହୁଏତ ଭାରି ଅପଚରା ହୋଇ ରହି ଯାଇଥାନ୍ତି । ବାହାର ସଂସାରରେ ମଧ୍ୟ କାହାରି ଭାବସୀମାଗୁଡ଼ିକର ପ୍ରକୃତ ସ୍ତରକୁ ମୋଟେ ସ୍ପର୍ଶ କରି ପାରୁନଥାନ୍ତି । ଲେଖକ ହୋଇ ପାରିଥାନ୍ତି, ମାତ୍ର ତଥାପି କାହାରି ନିକଟବର୍ତ୍ତୀ ହୋଇ ପାରିନଥାନ୍ତି । ସମସ୍ତ ମୋ’ର ଲେଖାଗୁଡ଼ାକୁ ନେଇ ଭୋଳ ହୋଇ ରହିଥାନ୍ତେ, ଅଥଚ ମୋତେ ସେମାନଙ୍କର ଅତ୍ୟନ୍ତ ଅନ୍ତରଙ୍ଗ ଆଉଜଣେ ମଣିଷ ବୋଲି ମୋଟେ ଅନୁଭବ କରି ପାରୁନଥାନ୍ତେ ।

 

ମୋ’ ଲେଖାଗୁଡ଼ାକ ପ୍ରଧାନତଃ ଆକର୍ଷକ କରିବାଲାଗି ମୁଁ କେବେହେଲେ ଚେଷ୍ଟା କରିନାହିଁ । ସର୍ବଦା ମୁଁ ମୋ’ର ଯଥାର୍ଥ କଥାଗୁଡ଼ିକୁହିଁ କହିବାକୁ ଚେଷ୍ଟା କରିଛି । ଭାବପ୍ରବଣତାର ଅନେକ ତଳେ ଯେଉଁଠି ମଣିଷ ତା’ର ଯାବତୀୟ ଭାବର ଆକାଂକ୍ଷାଟିକୁ ବହନ କରି ଉନ୍ମୋଚନ ଲାଗି ଅପେକ୍ଷା କରି ରହିଥାଏ, ମୁଁ ଅନ୍ୟ ପ୍ରତ୍ୟେକ ମଣିଷର ସେହି ସ୍ଥାନଟିକୁ ସ୍ପର୍ଶ କରିବାର ବ୍ୟାକୁଳତାଟିକୁ ବହନ କରିହିଁ ମୋ’ର ଯାହାକିଛି ଲେଖାଲେଖି ଆସିଛି । ଏହାରିଦ୍ଵାରାହିଁ ମୁଁ ଆପଣା ପ୍ରତି ସବୁଠାରୁ ଅଧିକ ନ୍ୟାୟ ବିଚାର କରିପାରିବି ବୋଲି ଅନୁଭବ କରିଆସିଛି । ଯେଉଁଠି ଲେଖକ ଓ ପାଠକ ଏକ ଯଥାର୍ଥ ସମ୍ମତି ସହିତ ପରସ୍ପରକୁ ପୂର୍ଣ୍ଣ ଅନ୍ତରଙ୍ଗ ଭାବରେ ଭେଟିବାଲାଗି ସମର୍ଥ ହୁଅନ୍ତି, ଆପଣାର ଯାବତୀୟ ସାହିତ୍ୟିକ ବ୍ୟାକୁଳତାକୁ ମୁଁ ସେହି ସ୍ଥାନର ଯୋଗ୍ୟ କରିବା ସକାଶେ ମୋ’ର ସବୁଠାରୁ ଅଧିକ ନିଷ୍ଠାଯୁକ୍ତ ଚେଷ୍ଟାଗୁଡ଼ିକୁ କରିଆସିଛି ।

 

୨୩ । ୧ । ୮୨

 

ଦୁଷ୍ଟମାନେହିଁ ଦୁଷ୍ଟମାନଙ୍କ କଥା ବେଶୀ ପକାନ୍ତି । ମଦୁଆମାନେ ମଦୁଆମାନଙ୍କ କଥା କହନ୍ତି, ମଦୁଆମାନଙ୍କର ନିନ୍ଦା କରି ଆନନ୍ଦ ପାଆନ୍ତି । ଭାରି ଦୁଃଖରେ ପଡ଼ି ସମ୍ଭବତଃ ସେମାନେ ଏପରି କରିଥାନ୍ତି ।

 

ସେମାନଙ୍କ ଭିତରେ ଅତ୍ୟନ୍ତ ଅସହଜ ହୋଇ ରହିଥିବା କୌଣସି ଏକ ସ୍ଥାନରେ ଏପରି ଗୋଟିଏ ଉପାଦାନ ସତେଅବା ଜୀବନ୍ୟାସ ପାଇ ଓ ସତେଅବା ଅମର ହେବାପାଇଁ ବର ପାଇ ରହିଥାଏ, ଯାହାକୁ କି ସେମାନେ ମୋଟେ ପାରୁନଥାନ୍ତି । ବାନ୍ଧିବାକୁ ଚାହୁଁଥାଆନ୍ତି, ଅଥତ ବାନ୍ଧି ପାରୁନଥାନ୍ତି । ଆପଣାର ସମଗ୍ର ରୂପଟି ମଧ୍ୟରେ ସେମାନେ ସେଇଟିକୁ ଆଦୌ ସ୍ଵୀକାର କରିନେଇ ପାରୁନଥାନ୍ତି । ଅନବରତ ନିଜ ଭିତରେ କେବଳ ସେଇଟି ସହିତହିଁ ଯୁଝିବାରେ ଲାଗିଥାଆନ୍ତି ଓ ତଥାପି ହାରିବାରେ ଲାଗିଥାଆନ୍ତି । ସେଇଠୁ କ୍ଷତବିକ୍ଷତ ଓ ଅବମାନିତ ହୋଇ ସେମାନେ ବାହାରେ ଅପର ଅନେକଙ୍କ ମାଧ୍ୟମରେ ସତେଅବା ଆପଣାକୁହିଁ ଭର୍ତ୍ସନା କରି ବୁଲୁଥାନ୍ତି ଏବଂ ଆପଣାକୁ ଶାସ୍ତି ଦେବାରେ ଲାଗିଥାନ୍ତି । ଏହି ଦାରିଦ୍ର୍ୟ ଓ ଏହି ଦୁଃଖ,–ଏହି ଅସମର୍ଥତା ସେମାନଙ୍କୁ ଭାରି ଉତ୍ତେଜିତ ଏବଂ ଅସହିଷ୍ଣୁ କରି ରଖିଥାଏ, ସର୍ବଦା କେବଳ ବାଳବତ୍ କରି ରଖିଥାଏ । ସେମାନେ ସଂସାରଯାକର ନିନ୍ଦା କରିବାରେ ଲାଗି ଥାଆନ୍ତି, ସଂସାରର ମାଧ୍ୟମରେ କେବଳ ଆପଣାରହିଁ ନିନ୍ଦା କରିବାରେ ଲାଗିଥାନ୍ତି । ସେମାନଙ୍କର ଏପରି ଏକ ବନ୍ଧୁ ଲାଗି ସବୁଠାରୁ ଅଧିକ ଆବଶ୍ୟକତା ରହିଥାଏ, ଯିଏକି ସେମାନଙ୍କୁ ନିଜ ଭିତରେ ଆପଣାକୁ ଠାବ କରିନେବାର ଓ ସ୍ଵୀକାର କରିନେଇ ପାରିବାର ଅସଲ ସୂତ୍ରଟିକୁ ଆଣି ଧରାଇ ଦେଇପାରିବ । ତେବେଯାଇ ଦୁଃଖ ଯିବ ।

 

୨୪ । ୧ । ୮୨

 

ଯିଏ ଆପଣା ଭିତରେ ଆପଣାର ଅସଲ ମହତଟିକୁ ଅନୁଭବ କରି ଜାଣିଥିବ, ସିଏ କଦାପି ଆଉ କାହାରି ସହତ ନେବାକୁ ମନ କରିବ ନାହିଁ । ଯିଏ ଆପଣାକୁ ଯଥାର୍ଥ ସମ୍ମାନ ଦେଇ ପାରୁଥିବ, ସିଏ ଅନ୍ୟ ସମସ୍ତଙ୍କୁ ମଧ୍ୟ ସମ୍ମାନ ଦେଇ ଜାଣିବ, ସେମାନଙ୍କୁ ଯଥାର୍ଥ ସ୍ଵୀକୃତି ଦେଇ ସେମାନଙ୍କ ସହିତ ଯାବତୀୟ ସମ୍ପର୍କ ସ୍ଥାପନ କରିବ ।

 

ଆମ ସମାଜରେ ଯେଉଁମାନେ ବାହାରକୁ ଦେଖିବାକୁ କୌଣସି ପ୍ରକାରେ ଉପରେ ରହିଥାନ୍ତି, ସେମାନେ ଆପଣାର ଉଚ୍ଚତରତାର ପ୍ରମାଣ ଦେବାଲାଗି ଅନ୍ୟ ସମସ୍ତଙ୍କୁ ନିମ୍ନସ୍ଥ ପରି ଦେଖୁଥାନ୍ତି । ଅନ୍ୟମାନେ ନିମ୍ନରେ ରହିଥିବା ପରି ଦେଖାନଗଲା ପର୍ଯ୍ୟନ୍ତ ନିଜର ଉଚ୍ଚତରତା ମୋଟେ ପ୍ରତିପାଦିତ ହୋଇ ପାରିବନାହିଁ ବୋଲି ସେମାନେ ଅନୁଭବ କରୁଥାନ୍ତି ଓ ତାହାରି ଅନୁସାରେ ଆପଣାର ଯାବତୀୟ ସମ୍ପର୍କର ନିର୍ଦ୍ଧାରଣ କରୁଥାନ୍ତି । ଏହି ଲୋକମାନେ ବାହାରେ ଯାହାକିଛି କୃତିତ୍ଵ ବା ବୀରତ୍ଵ ହାସଲ କରନ୍ତୁ ବା ନକରନ୍ତୁ ପଛକେ, ଭିତରେ ଆପଣା ପାଖରେ ଭାରି ହାସ୍ୟାସ୍ପଦ ହୋଇ ରହିଥାନ୍ତି, ଭାରି ଅଗୃହୀତ ହୋଇ ରହିଥାନ୍ତି । ଆପଣା ଘରେ ପ୍ରବେଶ କରି ପାରନ୍ତି ନାହିଁ ବୋଲି ହୁଏତ ସେମାନେ ସବୁଘରେ ପଶି ସମସ୍ତଙ୍କର ମହତ ନେବାକୁ ମନ କରୁଥାନ୍ତି । ଅନ୍ୟ ସମସ୍ତଙ୍କୁ କାମୁଡ଼ି ଗୋଡ଼ାଇ ପାରିଲେ ଯାଇ ଭିତରେ ଆପଣାର ବୈରୀ ବୋଲି ଭାବୁଥିବା ଅନ୍ୟ ‘ମୁଁ’ଟା ଉପରେ ଠିକଣା ପ୍ରତିଶୋଧ ନେଇ ପାରିଲେ ବୋଲି ଭାବନ୍ତି । ଏହିସବୁ କରି ପାରିବାଲାଗି ଏକ ଅନୁକୂଳ ପରିବେଶ ସୃଷ୍ଟି କରି ପାରିବା ସକାଶେ ସେମାନେ ବାହାରେ ଆପଣାକୁ କୌଣସି ନା କୌଣସି ଉଚ୍ଚ ସ୍ଥାନରେ ରଖିବାକୁ ଜୀବନର ସର୍ବଶ୍ରେଷ୍ଠ ଚେଷ୍ଟା ବୋଲି ବିଚାର କରୁଥାନ୍ତି ।

 

୨୫ । ୧ । ୮୨

 

ଗାଁରେ ରାସ୍ତା ବଦଳୁଛି, ଘର ବଦଳୁଛି, ନୂଆ ଇସ୍କୁଲ୍‍ ଏବଂ କଲେଜ ବସୁଛି । ଆଗେ ଯେଉଁଠି କେବଳ ଅନ୍ଧାର ଥିଲା, ସେଠି ଏବେ ବିଜୁଳି ଆଲୁଅ ପଡ଼ି ଦିନପରି ଉଜ୍ଜ୍ଵଳ ଦେଖା ଗଲାଣି-। ଆଗେ ବାହାରେ ଅନ୍ଧାର ଥିଲା ତେଣୁ ନିଜନିଜର ଗୋଟିଏ ଲଣ୍ଠନ ଧରି ଯାଇ ବାହାରକୁ ବାହାରିବାକୁ ପଡ଼ୁଥିଲା । ଏବେ ବାହାରେ ଚାରିଆଡ଼େ ଆଲୁଅ ବିଞ୍ଚିହୋଇ ପଡ଼ିଛି ବୋଲି ସମ୍ଭବତଃ ଲୋକମାନଙ୍କ ହାତରେ ଆଉ ନିଜର କୌଣସି ଆଲୁଅ ନାହିଁ ।

 

ବାହାରେ ତ ଅନେକ କିଛି ବଦଳି ଯାଉଛି, ମାତ୍ର ଭିତରେ ମଣିଷମାନେ ସତେଯେପରି ନିଜ ଭିତରକୁ ଅଧିକରୁ ଅଧିକ ପ୍ରତ୍ୟାହୃତ ହୋଇଯିବାରେ ଲାଗିଛନ୍ତି । ଗାଁର ଅନ୍ତଃପରିବେଶଟି ଅଧିକରୁ ଅଧିକ ସାନ ହୋଇଯିବା ପରି ମନେ ହେଉଛି । ଆଗେ ଗାଁର ସମସ୍ତେ ସମସ୍ତଙ୍କ ବିଷୟରେ ଭାବୁଥିଲେ ଏବେ ସମସ୍ତେ ପ୍ରଧାନତଃ ନିଜ ବିଷୟରେହିଁ ଭାବୁଛନ୍ତି । ତେଣୁ ଦାଣ୍ଡଗୁଡ଼ାକ ଶୂନ୍ୟ ପଡ଼ିଛି । ଦାଣ୍ଡକୁ ବାହାରିବା ସଙ୍ଗେ ସଙ୍ଗେ ଲୋକମାନେ ସତେଯେପରି ଆହୁରି ଅଧିକ ଗମ୍ଭୀର ହୋଇ ଯାଉଛନ୍ତି । ପରସ୍ପର ସହିତ ସାକ୍ଷାତ ହେଲା ବେଳକୁ ଗଣ୍ଠିଗୁଡ଼ାକ ଫିଟିଯିବା ପରିବର୍ତ୍ତେ ଆହୁରି କଷ ହେବାରେ ଲାଗୁଛି । ଗାଁରେ ନିଜକୁ କେବଳ ସେହି ଗୋଟିଏ ପ୍ରଶ୍ନ ପଚାରିବାକୁ ଇଚ୍ଛା ହେଉଛି; ଅବସ୍ଥା ଭଲ ହେବା ସଙ୍ଗେ ସଙ୍ଗେ ମଣିଷମାନେ ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ଏପରି ଭାବରେ ନିଜ ନିଜର ଘରଭିତରେ କିଳି ହୋଇ ରହି ଯାଉଛନ୍ତି କାହିଁକି ? ଗାଁରେ ତୋଟା, ବିଲ, ନଈ ଓ ପାଟ ସବୁକିଛିକୁ ଚିହ୍ନି ହେଉଛି, ମାତ୍ର ମଣିଷମାନଙ୍କୁ ସେମାନଙ୍କ ପରିବେଶଟିର ପରିପ୍ରେକ୍ଷୀରେ ମୋଟେ ଚିହ୍ନି ହେଉନାହିଁ ।

 

୨୬ । ୧ । ୮୨

 

ସକାଳ ହେଲେ ଅନେକ ମଣିଷ ବାଧ୍ୟ ହୋଇ ବିଛଣାରୁ ଉଠନ୍ତି । ସକାଳପାଇଁ ଅପେକ୍ଷା କରି ତା’ପରେ ଯେଉଁ ସକାଳ ଆସେ ଓ ସେହି ସକାଳ ନିଜର ସମଗ୍ର ଚେତନାଟି ଭିତରେ ଯେପରି ଅତି ଆପଣାର ହୋଇ ଆମନ୍ତ୍ରିତ ହୋଇ ଆସିଥାଏ ଓ ଭେଦିକରି ରହିଯାଏ, ବାଧ୍ୟ ହୋଇ ବିଛଣାରୁ ଉଠି ସକାଳ ସହିତ ସାକ୍ଷାତ୍ ହେଲେ ସେପରି କଦାପି ହୁଏନାହିଁ ।

 

ଆମେ ଅନେକ ମଣିଷ ସେହିପରି ବାଧ୍ୟ ହୋଇ ସ୍ଵାଧୀନ ହୋଇଥାଉ । ବାଧ୍ୟ ହୋଇ ନିଜକୁ ସ୍ଵାଧୀନ ମଣିଷ ବୋଲି କହୁଥାଉ, ଏପରିକି ହୁଏତ ବାଧ୍ୟ ହୋଇ ଆପଣାକୁ ସ୍ଵାଧୀନ ବୋଲି ଅନୁଭବ କରୁଥାଉ । ସ୍ଵାଧୀନ ହେବାଲାଗି ଆପଣା ହାତରେ ଯେପରି ଆପଣାକୁ ପରସ୍ତ ପରସ୍ତ କରି ଖୋଲିଦେବାକୁ ହୁଏ, ସେକଥା ଆମଦ୍ଵାରା ଆଉ ମୋଟେ ହୋଇ ପାରେନାହିଁ । ସ୍ଵାଧୀନତାକୁ ଆମେ କେବଳ ଗୋଟାଏ ବାହାରର ବସ୍ତୁରୂପେ ଅନୁଭବ କରୁଥାଉ । ଏବଂ, ସ୍ଵାଧୀନତାକୁ ବାହାରେ ଦେଖିଥିବା ପର୍ଯ୍ୟନ୍ତ ମଣିଷମାନଙ୍କୁ ଦେଖିଲେ ସତେଅବା ଭାରି ଈର୍ଷା ହୁଏ ସେମାନଙ୍କୁ ମୋଟେ ସହି ହୁଏନାହିଁ । ସେମାନଙ୍କୁ ଗିଳିପକାଇ ଭୁବନଯାକର ସବୁ ସ୍ଵାଧୀନତାକୁ ଅନ୍ୟମାନଙ୍କଠାରୁ ଛଡ଼ାଇ ଆଣି ଆତ୍ମସାତ୍ କରି ପକାଇବାକୁ ଭାରି ଇଚ୍ଛା ହୁଏ । ଆପଣା ଭିତରେ ଗିଳି ରଖିଥିବା ସ୍ଵାଧୀନତାକୁ ଡର ମାଡ଼ିଥାଏ ବୋଲି ବୋଧହୁଏ ଏପରି ହୁଏ । ଏବଂ ନିଜର ସ୍ଵାଧୀନତାକୁ ଡର ମାଡ଼ୁଥିବା ପର୍ଯ୍ୟନ୍ତ ସଂସାର ଭିତରେ ଏକ ସ୍ଵାଧୀନ ଶାର୍ଦ୍ଦୂଳ ପରି ଡେଇଁ ବୁଲିବାକୁ ଭାରି ମନ ହୁଏ । ଏପରି ତଥାକଥିତ ସ୍ଵାଧୀନ ଓ ପ୍ରମତ୍ତଙ୍କର ସଂଖ୍ୟା ବର୍ତ୍ତମାନର ସଂସାରରେ ଅତି ଅଧିକ ହୋଇ ଯାଇଛି ।

 

୨୭ । ୧ । ୮୨

 

ଏସବୁ ପ୍ରକୃତରେ ଯାହାର କୀର୍ତ୍ତି, ପ୍ରକୃତରେ ତାହାରି କୀର୍ତ୍ତି ରହିବ । Charisma ଶବ୍ଦଟି ପ୍ରକୃତରେ ଯାହାଲାଗି ଯୋଗ୍ୟ, ଶବ୍ଦଟିକୁ ଆମେ ପ୍ରକୃତରେ ତାହାରି ଲାଗି ପ୍ରୟୋଗ କରିବାର ଯୋଗ୍ୟ ହେବା । ଆପଣାର ସକଳ ଅନ୍ଵେଷଣବୃତ୍ତିକୁ ଆମେ ଅଧିକରୁ ଅଧିକ ଅନ୍ଵେଷଣ ଲାଗି ପ୍ରୟୋଗ କରିବାର ଯୋଗ୍ୟ ହୋଇ ପାରିବା,–ଆପଣା ଭିତରେ ଓ ଆପଣା ବାହାରେ ଏହି ବିପୁଳ ବିଶ୍ଵ ଭିତରେ ଆମେ କେବଳ ସେହି ଅନ୍ଵେଷଣର ବାସନାକାଠିଟିକୁ ନେଇ ସବୁକିଛିକୁ କଳିବା, ସବୁକିଛିକୁ ମାପିବା, ସବୁକିଛିକୁ ଗ୍ରହଣ କରିବା ।

 

ମଣିଷ ଭଗବାନଙ୍କର କୀର୍ତ୍ତି ଗାଉ ଗାଉ ଅନେକ ସମୟରେ ନିଜର କୀର୍ତ୍ତି ଗାଇବାରେହିଁ ବାଟରେ ଅଟକି ରହିଗଲା । ଠାକୁରଙ୍କୁ ଆସନରେ ଆଣି ବସାଉ ବସାଉ ସିଏ ଅନେକ ସମୟରେ ଆପଣାକୁହିଁ ଠାକୁର କରି ଆସନ ଉପରେ ଆଣି ବସାଇଦେଲା । ମନ୍ଦିର ଓ ଧ୍ଵଜାଗୁଡ଼ାକ ଅତ୍ୟନ୍ତ ପ୍ରବଳ ହେବାରେ ଲାଗିଛନ୍ତି । ଯାବତୀୟ ପ୍ରକାର ଅନ୍ତରାଳ ସୃଷ୍ଟ କରି ମଣିଷ ପ୍ରଧାନତଃହିଁ ପୂଜା କରିବାରେ ଲାଗିଛି । ଏହାଦ୍ଵାରା ପୁରୁଣାଗୁଡ଼ାକ ପୂରା ପକ୍କା ହୋଇ ରହିଯାଉଛି-। ନୂଆ ଗୁରୁ ଓ ନୂଆ ସମ୍ପ୍ରଦାୟମାନ ନୂଆ ମୋହର ସୃଷ୍ଟି କରି ସେହି ପୁରୁଣାଟାକୁହିଁ ବଳବାନ୍ କରି ରଖିବାର ଚେଷ୍ଟା କରାଯାଉଛି । ପୁରୁଣାଟିକୁ ଛାଡ଼ିଦେଲେ ମଣିଷ ନିଜେ ହୁଏତ କୋଉଠି ହେଲେ ତିଷ୍ଠି ପାରିବନାହିଁ ବୋଲି ସେ ଭୟ କରୁଥିବାରୁହିଁ ଏପରି ବ୍ୟାକୁଳତା ସହିତ ପୁରୁଣାଟାକୁ କାମୁଡ଼ି କରି ରହିଛି । ଭଗବାନ ଅନ୍ତରାଳ ହୋଇ ରହିଛନ୍ତି ।

 

୨୮ । ୧ । ୮୨

 

To own the whole world and lose one’s soul,–କ୍ରିକେଟ୍ ଖେଳର କଥା ଭାବିଲା ବେଳକୁ ମୋ’ର ଠିକ୍ ଏହି ବାକ୍ୟଟି ମନେ ପଡ଼ିଯାଏ, ଆଧୁନିକ ପୃଥିବୀରେ ଆମ ଅନେକଙ୍କର ଜୀବନର ଅନେକ କିଛି ସତେଅବା ଠିକ୍ କୋଉ ଆଡ଼ମ୍ବରଦାଣ୍ଡର କ୍ରିକେଟ୍ ଖେଳ ପରି ଚାଲିବାରେ ଲାଗିଛି ।

 

ଖେଳ କେବଳ ଶରୀରର ନୁହେଁ, ଆତ୍ମାର ମଧ୍ୟ ଅନେକ ପ୍ରସାର ଘଟାଇପାରେ । କେବଳ ଶରୀରକୁ ଆନନ୍ଦ ଦିଏନାହିଁ, ଆତ୍ମାର ସ୍ତରରେ ମଧ୍ୟ ତାହା ଅନେକ ଆନନ୍ଦ ଅର୍ଥାତ୍ ଅନେକ ଉନ୍ମୋଚନର କାରଣ ହୋଇପାରେ । ମାତ୍ର ଆମ ଅନେକଙ୍କର ଜୀବନବାସନାଗୁଡ଼ାକ କାଳକ୍ରମେ ଏପରି ଏକ ସ୍ତରରେ ଆସି ପହଞ୍ଚିଛି, ଯେଉଁଠାରେ କି ଆମେ ଯାବତୀୟ ଆଉ ସବୁକିଛିକୁ ଇଚ୍ଛା କରୁଛୁ,–ଧନ ଇଚ୍ଛା କରୁଛୁ, ଯଶ ଇଚ୍ଛା କରୁଛୁ, କ୍ଷମତା ଇଚ୍ଛା କରୁଛୁ, ଶୋଭା ଇଚ୍ଛା କରୁଛୁ ଏବଂ ସୌନ୍ଦର୍ଯ୍ୟବି ଇଚ୍ଛା କରୁଛୁ, ମାତ୍ର ଏହି ସବୁକିଛି ଆମେ ମୋଟେ ଆମର ଆତ୍ମାଲାଗି ଇଚ୍ଛା କରୁନାହୁଁ,–କେବଳ ଖେଳଗୁଡ଼ାକୁ ଖେଳିବାଲାଗି ଆମେ ଏଗୁଡ଼ାକୁ ଇଚ୍ଛା କରୁଛୁ । ସକାଳୁ ସଞ୍ଜଯାଏଁ କେବଳ ଖେଳହିଁ ଖେଳ ଲାଗିରହିଛି । ଖେଳ ବ୍ୟତୀତ ଏହି ସଂସାରରେ ସତେଯେପରି ଆଉ କିଛିହେଲେ କେଉଁଠି ନାହିଁ । ଭିତରେ ଯେ କେଉଁଠି ଆତ୍ମା ବୋଲି ଗୋଟାଏ କିଛି ରହିଛି ଅର୍ଥାତ୍, ଆମ ଜୀବନ କହିଲେ ଯେ ଆମ ଅନ୍ତରସ୍ଥ ଏକ କେନ୍ଦ୍ରରୁ ପରିପ୍ରେରିତ ଓ ଅଭିବ୍ୟକ୍ତ ହେଉଥିବା ଏକ ସମଗ୍ର ସମ୍ପଦକୁହିଁ ବୁଝାଏ, ନାନା କାରଣରୁ ସେହି ସତ୍ୟଟିକୁ ଭୁଲିଯିବା ଲାଗିହିଁ ଆମେ ଦିନଯାକ କ୍ରିକେଟ୍ ଖେଳୁଛୁ, ଜୀବନର ପଡ଼ିଆରେ ସବୁକିଛିର ଶୋଭା ଜମାଇ ଅସଲ କେନ୍ଦ୍ରଟିକୁ ପୋତି ଦେଇ ଚାଲିଯିବାକୁ ଇଚ୍ଛା କରୁଛୁ ।

 

୨୯ । ୧ । ୮୨

 

ବେଦ, ଉପନିଷଦ ଓ ଗୀତା ପ୍ରଭୃତି ଗ୍ରନ୍ଥରେ ଯାହାସବୁ ଲେଖାହୋଇ ରହିଛି, ସେସବୁ ବିଶ୍ଵସତ୍ୟ । ସେଗୁଡ଼ିକ କେବଳ ଭାରତପାଇଁ ନୁହେଁ, ସେଗୁଡ଼ିକ ପୃଥିବୀର ସକଳ ମଣିଷଙ୍କ ପାଇଁ । ସେଗୁଡ଼ାକ ଭାରତବର୍ଷରେ ଲେଖା ହୋଇଥିଲେ ମଧ୍ୟ ଭାରତବର୍ଷର ସମ୍ପତ୍ତି ନୁହେଁ । ଜଣେ ଭାରତୀୟ ହିସାବରେ ମୁଁ ସେହି ସତ୍ୟକୁ ମୋ’ର ଏତେ ନିକଟରେ ମୋ’ର ଏକ ସ୍ଵାଭାବିକ ସଂସ୍କାର ହିସାବରେ ପାଇ ପାରୁଛି, ତାହା ମୋ’ର ଭାଗ୍ୟ ସେଥିଲାଗି ଭଗବାନଙ୍କ ପାଖରେ ମୋ’ର କୃତଜ୍ଞ ରହିବା ଉଚିତ । ଏବଂ ସେହି ସତ୍ୟଗୁଡ଼ିକ ପ୍ରତିହିଁ ସବୁଠାରୁ ଅଧିକ ପରିମାଣରେ ଆକୃଷ୍ଟ ହେବା ଉଚିତ, ସେଗୁଡ଼ିକୁ ଜୀବନରେ ବଞ୍ଚିବା ଉଚିତ । ସେଗୁଡ଼ିକ ଭାରତବର୍ଷରୁ ପ୍ରଚାରିତ ହୋଇଥିଲା ବୋଲି ଏକ ଅହଂକାରୀ ଗର୍ବ ଅନୁଭବ କରି ସେହି ସତ୍ୟଗୁଡ଼ିକୁ ପଛ କରିଦେଇ ମୋ ଗର୍ବଗୁଡ଼ାକୁହିଁ ସବାଆଗରେ ପ୍ରଦର୍ଶନ କରି ବାହାରିବା; ସେଥିଲାଗି ଆଉ କେଉଁଠି ଅବକାଶ ରହିଲା ?

 

ପୁଣି, ନିଜ ଦେଶରେ ପରସ୍ପର ପାଖରେ ଏହି ଗର୍ବଗୁଡ଼ାକୁ ବଖାଣି ହୋଇ ଅସଲ ସତ୍ୟଗୁଡ଼ିକୁ ଭୁଲିବା ଓ ତଥାପି ସତ୍ୟଗୁଡ଼ିକର ଏତେ ନିକଟବର୍ତ୍ତୀ ହୋଇ ରହିଥିବାର ଏକ ଆତ୍ମସନ୍ତୋଷବି ଅନୁଭବ କରିବା,–ଏହା କେବଳ ଆମ ଅଯୋଗ୍ୟତାରହିଁ ପରିଚୟ ଦେବ । ଆମେ ଯେ ସେହି ସତ୍ୟଗୁଡ଼ିକ ଲାଗି ଅଯୋଗ୍ୟ, ଏପରିକି ଆମେ ଯେ ଏହି ଭାରତବର୍ଷରୂପୀ ଜୀବନସଂସ୍କୃତିଟିର ଏକାନ୍ତ ଅଯୋଗ୍ୟ, ଆମ ଜୀବନରେ ସେହି କଥାଟାହିଁ ପ୍ରମାଣିତ ହୋଇ ଯାଉଥିବ । ଏବଂ ଆମେ ମୂଳତଃ ଏକ ତିମିରରହିଁ ପ୍ରତିନିଧି ହୋଇ ରହିଥିବା ।

 

୩୦ । ୧ । ୮୨

 

ମଣିଷ କହିଲେ ଆଗ ମହାତ୍ମା ଗାନ୍ଧୀଙ୍କ କଥା ମନେ ପଡ଼େ । ଆମେ ଅନେକ ଅମଣିଷ ତାଙ୍କୁ ଯେପରି ବର୍ଜନ କଲେ ଓ ପଥରମୂର୍ତ୍ତିରେ ପରିଣତ କରି ରଖିଲେ, ସେହି କଥାଗୁଡ଼ିକ ଭାରି ମନେ ପଡ଼ିଯାଏ । ଗତ ପଇଁତିରିଶବର୍ଷ ମଧ୍ୟରେ ଗାନ୍ଧୀଙ୍କୁ ଆମର ପ୍ରକୃତ ପ୍ରେରଣାରୂପେ ଗ୍ରହଣ କରିଥିଲେ ଆମେ ଏହି ଦେଶଲାଗି ଓ ଏହି ଯୁଗଟି ଲାଗି କେତେ ପ୍ରକାରେ ଅଧିକ ଯୋଗ୍ୟ ହୋଇ ପାରିଥାନ୍ତୁ । ଭାରତବର୍ଷକୁ ଭାରତବର୍ଷ ପରି ଗଢ଼ିବାରେ ଭିତରୁ କେତେ ଅଧିକ ବଳ ପାଇ ପାରିଥାନ୍ତୁ ।

 

ଗାନ୍ଧୀଙ୍କୁ ଆମ ସହିତ ରଖିଥିଲେ ଆମର ଯୁଗକୁ ଗୋଟାସୁଦ୍ଧା ଆବୋରି ଧରିଥିବା ଏହି ଉଗ୍ର ଭୀରୁତାଗୁଡ଼ାକୁ ଆମେ ନିଜ ଭିତରେ ତଥା ନିଜ ବାହାରେ କେତେ ଯୋଗ୍ୟତର ଭାବରେ ସାମନା କରି ପାରୁଥାନ୍ତୁ । ଆମ ଭିତରର ହୃଦୟଟା ଏପର୍ଯ୍ୟନ୍ତ ମଧ୍ୟ ସକ୍ରିୟଭାବରେ ବଞ୍ଚି ରହିଥାନ୍ତା ଓ ଆମର ଯାବତୀୟ ବୁଦ୍ଧି ସେହି ହୃଦୟଦ୍ଵାରାହିଁ ପରିଚାଳିତ ହୋଇ ପାରୁଥାନ୍ତା । ଆଉ ସେକଥା ହୋଇ ପାରିଲା ନାହିଁ । ଗାନ୍ଧୀ ଗଲାପରେ ଗାନ୍ଧୀଙ୍କର ଦାୟାଦମାନେ ଗାନ୍ଧୀଙ୍କୁ ଦୁଇଭାଗ କରି ବାଣ୍ଟିନେଲେ ଏବଂ ଦୁହେଁ ନରଖର ହେଲେ, ଏହି ଦେଶଟାଯାକକୁ ନରଖର କରି ରଖିବାରେ ସେମାନେ ଭାରି ସହଯୋଗ କଲେ–ଭାରି ପ୍ରସନ୍ନ ବଦନରେ ସହଯୋଗ କଲେ । ସେହି ବିଡ଼ମ୍ବନାର ଯୁଗଟି ଏବେ ମଧ୍ୟ ଚାଲିଛି । ଚତୁରତା ଓ କ୍ଷମତାମାନେ ରାଜା ହୋଇ ବସିଛନ୍ତି । ସମସ୍ତେ ନିଜକୁ ନେଇ ଏତେ କୋଳାହଳ କରିବାରେ ଲାଗିଛନ୍ତି ଯେ, ସେହି small voiceଟିକୁ ଯଥାର୍ଥରେ ଶୁଣି ପାରିବା ଲାଗି ଆଉ କାହାରିହେଲେ କାନ ନାହିଁ । ସେହି voice ତଥାପି ରହିଛି, ସାଥୀ ପରି ଅପେକ୍ଷା କରି ରହିଛି ।

 

୩୧ । ୧ । ୮୨

 

ଜୀବନରେ କେତେ ସ୍ଥାନରୁ କେତେ ପ୍ରେରଣା ମିଳିଲା । ମୁଁ ନିଜେ ସେହି ପ୍ରେରଣାଗୁଡ଼ିକୁ ସାଙ୍ଗରେ ବହନ କରି ନିଜ ବାଟଟିକୁ ଚାଲି ଚାଲି ଆସିଲି । ଏମାନଙ୍କୁ ସମସ୍ତଙ୍କୁ ମୋ’ର ସାଥୀ କରି ପାଇଲି, ଜନନୀ ପରି ପାଇଲି;–ଉତ୍ସାହରୂପେ ପାଇଲି, ଆଦର୍ଶରୂପେ ପାଇଲି;–ତାହାହିଁ ମୋ’ର ଭାଗ୍ୟ । ମୁଁ ସେଥିଲାଗି ବଡ଼ କୃତଜ୍ଞ ।

 

ଜୀବନରେ ମୁଁ କୌଣସି ଆଦର୍ଶ ଓ କୌଣସି ପ୍ରେରଣାକୁ କେବେହେଲେ ଏକ ଗୁହାପରି ଅନୁଭବ କରିନାହିଁ । ଏପରି ଗୋଟିଏ ଗୁହା ପରି ଅନୁଭବ କରିନାହିଁ, ଯାହା ଭିତରେ କି ମୁଁ ଆର୍ତ୍ତ ମଣିଷଙ୍କ ପରି ପଶିଯିବି ଓ ତା’ପରେ ସେହି ଗୁହାଟିର ମୁହଁ ବନ୍ଦ ହୋଇଯିବ । ମୁଁ ଏପରି ଭାବରେ କାହାରିଦ୍ଵାରା ଆତ୍ମସାତ୍ ହୋଇନାହିଁ । ତାହାହିଁ ମୋ’ର ଭଗବାନଙ୍କର ମୋ’ ଉପରେ ସବୁଠାରୁ ବଡ଼ ଆଶୀର୍ବାଦ । ସମସ୍ତଙ୍କୁ ମୁଁ ମୋ’ର ଜଣେ ଆତ୍ମୀୟ ପରି ଗ୍ରହଣ କରିନେଇ ପାରିଛି; ତାହାହିଁ ମୋ’ର ସବୁଠାରୁ ବଡ଼ ଭାଗ୍ୟ । ପ୍ରେରଣାଗୁଡ଼ିକୁ ଆତ୍ମୀୟତା ଦେଇ ଗ୍ରହଣ କରିପାରିଛି ବୋଲି ସମ୍ଭବତଃ ଏହି ଜଗତରେ ସବୁକିଛିକୁ ମୁଁ ଆତ୍ମୀୟତା ସହିତ ଅନୁଭବ କରିପାରୁଛି ଓ ଆତ୍ମୀୟତା ସହିତହିଁ ନିଜକୁ ସକଳ ସ୍ଥାନରେ ଦେଇ ପାରୁଛି । ଯଦି ତା’ ନହୋଇ କୋଉଁଠି କୋଉ ଗୁହାରେ ମୁଁ ବାହାରର ନାନା ବିରକ୍ତି ଓ ନାନା ନୈରାଶ୍ୟ ନେଇ ଆର୍ତ୍ତ ଭାବରେ ସେଠି ସତେଅବା ମୋତେ ସବୁକିଛି ମିଳିବ ବୋଲି ପଶି ଯାଇଥାନ୍ତି, ତେବେ ମୁଁ ସଂସାରରେ ପ୍ରକୃତରେ କୋଉଠିହେଲେ ଥିର ହୋଇ ବନ୍ଧୁ ପରି ପ୍ରବେଶ କରି ପାରୁନଥାନ୍ତି;–ଭାରି ସ୍ପର୍ଶକାତର ହୋଇଥାନ୍ତି, ଭାରି ଆତ୍ମକୈନ୍ଦ୍ରିତ ଓ ଗ୍ରହଣଅକ୍ଷମ ହୋଇ ରହିଥାନ୍ତି ।

 

୧ । ୨ । ୮୨

 

ମୁଁ ଅଗ୍ରସର ହୋଇ ବାଟ ଚାଲି ଯାଉଥିବା ସଙ୍ଗେ ସଙ୍ଗେ ବାଟରେ ଅନେକ ମନ୍ଦିରକୁ ପଛରେ ଛାଡ଼ି ଆସିଲି । ମୂର୍ତ୍ତିଗୁଡ଼ାକୁ ସେହି ମନ୍ଦିର ଭିତରେ ଛାଡ଼ି ଦେଇ ଆସିଲି ପ୍ରେରଣାଗୁଡ଼ିକୁ ମୋ’ ସାଙ୍ଗରେ ନେଇକରି ଆସିଲି । ଏବଂ ଯେଉଁମାନେ ମୂର୍ତ୍ତିଗୁଡ଼ାକୁହିଁ ପ୍ରେରଣା ବୋଲି ଭ୍ରମ କରି ସେଇଠି ଅଟକି ଯିବାକୁ ମନସ୍ଥ କଲେ ଓ ସେଇଠି ଅଟକି ରହିଗଲେ, ମୋତେ ସେମାନଙ୍କୁ ମଧ୍ୟ ପଛରେ ପକାଇଦେଇ ଆସିବାକୁ ପଡ଼ିଲା ।

 

ମୂର୍ତ୍ତିଠାରୁ ପ୍ରେରଣାକୁ ଉଚ୍ଚତର ସ୍ଥାନ ଦେଉଥିବା ମଣିଷ ଆଉ କ’ଣ କରି ପାରିବ ? ଏହିପରି ଭାବରେ ଜୀବନରେ କେତେ ବାଟ ଛାଡ଼ିହୋଇ ଯାଇଛି, କେତେ ବୃଦ୍ଧଙ୍କୁ ମୁଁ ଶ୍ରଦ୍ଧା ସହିତ ପ୍ରଣାମ କରି ସେମାନଙ୍କୁ ସେଇଠି ସେମାନଙ୍କର ମୂର୍ତ୍ତିଗୁଡ଼ାକ ପାଖରେ ଛାଡ଼ିଦେଇ ଆଗକୁ ଚାଲି ଆସିଛି । ଏବଂ, ମୋ’ ମନ୍ଦିରଟି ଯେପରି ସତତ ଗଢ଼ାହେବାରେ ଲାଗିଛି, ମୋ’ ମୂର୍ତ୍ତିଟି ଯେପରି ନିୟତ ମୋତେ ଆଗକୁ ଆଗକୁ ଆକୃଷ୍ଟ କରି ବାଟ ଚଲାଇ ନେବାରେ ଲାଗିଛି, ଜୀବନଯାକ ମୁଁ ଖାଲି ସେହି କଥାଟିକୁ ଅନୁଭବ କରି ଆସିଛି ଏବଂ ଯାବତୀୟ ଗ୍ରହଣ ଓ ଯାବତୀୟ ବର୍ଜନ ସତ୍ତ୍ୱେ ସେହି କଥାଟିକୁହିଁ ଜୀବନରେ ଅସଲ ସତ୍ୟରୂପେ ଅନୁଭବ କରି ଆସିଛି । ବହିଗୁଡ଼ାକୁ ଗାଦିମାରି ପୂଜା କରିବାକୁ କେବେ ମନ କରିନାହିଁ । ମଣିଷମାନଙ୍କୁ ସେମାନଙ୍କର ଭେକ ଦେଖି କଳିବାକୁ ମୋଟେ ମନ ହୋଇନାହିଁ । କୌଣସି ମନ୍ଦିର ବା ମୂର୍ତ୍ତିକୁ ପୂର୍ଣ୍ଣ ସମ୍ମାନ ଦେଇକରି ମଧ୍ୟ ଯାବତୀୟ ଅଟକିଯିବା ଓ ଉଗ୍ର ହେବାକୁ ମୁଁ ଜୀବନର ଏକ ବଡ଼ ପ୍ରମାଦରୂପେ ବିଚାର କରି ଆସିଛି ।

 

୨ । ୨ । ୮୨

 

ମଣିଷ ଯେତେବେଳେ ଆପଣାକୁ ଆବିଷ୍କାର କରେ, ସେତେବେଳେ ସିଏ ସମସ୍ତଙ୍କୁ ଭିତରେହିଁ ଆପଣାକୁ ଆବିଷ୍କାର କରେ । ଆପଣା ସହିତ ଅନ୍ୟ ସମସ୍ତଙ୍କର ଯେଉଁ ସୂତ୍ରଟି ଲାଗି ରହିଛି, ସିଏ ସେହି ସୂତ୍ରଟିକୁହିଁ ଆବିଷ୍କାର କରେ । ଆପଣାର ଅଧିକରୁ ଅଧିକ ଗଭୀରକୁ ପ୍ରବେଶ କରି ସିଏ ସେଇଠି ଆପଣାକୁ ଏହି ପୃଥିବୀର ସମସ୍ତଙ୍କ ସହିତ ସମ୍ମିଳିତ ହୋଇ ରହିଥିବାର ଆବିଷ୍କାର କରେ । ତେଣୁ, ସେଠାରେ ପହଞ୍ଚି ଅହଂ ଓ ସ୍ଵାର୍ଥର ପୁରୁଣା ସଂଜ୍ଞାଗୁଡ଼ାକ ଏକାବେଳେକେ ବଦଳିଯାଏ । ନିଜକୁ ଆବିଷ୍କାର କରିଥିବା ମଣିଷ ସଂସାରର ଖଳତା ଓ ଅଳିକତାରୁ ନିଜକୁ ବଞ୍ଚାଇ ରଖିବାଲାଗି ଏହି ସଂସାରରୁ ଅପସରି ଯାଇ ଏକ ନିଭୃତ ସାଧନା ବା ଆରାଧନା ଭିତରେ ସଂକୁଚିତ ହୋଇ କଦାପି ରହେନାହିଁ । ସିଏ ତା’ପରେ ଆଉ ନିଜର ମୋକ୍ଷ ଇଚ୍ଛା କରେନାହିଁ । ତା’ର ମୋକ୍ଷ-ଇଚ୍ଛା ସମସ୍ତ ବିଶ୍ଵର ବିମୋଚନ ଲାଗି ଉଦ୍ଦିଷ୍ଟ ହୋଇ ରହେ ।

 

ସିଏ ଆପଣାକୁ ଅଧିକରୁ ଅଧିକ ଦିଏ । ଅଧିକରୁ ଅଧିକ ପରିମାଣରେ ତା’ର ସକଳ ଦ୍ଵାର ଉନ୍ମୋଚିତ ହୋଇଯାଏ । ଭିତରେ ସିଏ ଯେତିକି ଦୃଢ଼ ହୁଏ, ବାହାରେ ସେତିକି ନମନୀୟ ହେବାରେ ଲାଗିଥାଏ । ଭିତରେ ଯେତିକି ବିଶ୍ଵାସ ବଢ଼ୁଥାଏ, ବାହାରେ ଏହି ସଂସାରର ବିଷୟରେ ରହିଥିବା ନାନାବିଧ ସଂସ୍କାରବଦ୍ଧ ଅବିଶ୍ଵାସ ସେତିକି ଅନ୍ତର୍ହିତ ହୋଇଯାଏ । ନିର୍ଭୀକତା ବଢ଼େ । ଅଶୁଦ୍ଧଗୁଡ଼ାକ ସହିତ ମିଶିଲେ ଆଉ ଅଶୁଦ୍ଧ ହେବାର କୌଣସି ଭୟ ରହେନାହିଁ । ତେଣୁ, ସାଧନାର ସକଳ ଆଭିମୁଖ୍ୟ ପରିବର୍ତ୍ତିତ ହୁଏ । ସେତେବେଳେ ସଂସାର ଭିତରେ ଆପଣାକୁ ଏକ ନିମିତ୍ତ ପରି ମନେହୁଏ । ଭଗବାନଙ୍କର ଏକ ନିମିତ୍ତ ପରି ମନେହୁଏ; ଅର୍ଥାତ୍, ତାଙ୍କର ଏହି ସଂସାର ଲାଗି ଏକ ନିମିତ୍ତରୂପେ ପ୍ରେରିତ ହୋଇ ରହିଥିବା ପରି ମନେ ହେଉଥାଏ ।

 

୩ । ୨ । ୮୨

 

Charisma ଗିଳି ପକାଏ ନାହିଁ । ଅର୍ଥାତ୍, ବିଶେଷ ଭାବରେ କୌଣସି ଗୋଟିଏ ଗୋଟିଏ ବ୍ୟକ୍ତିଙ୍କର charisma ଥାଏ, ଅନ୍ୟ ଅନେକଙ୍କ ପାଖରେ ସେହି ପଦାର୍ଥଟି ନଥାଏ । ତେଣୁ charisma ରହିଥିହା ବ୍ୟକ୍ତି ତାହା ନରହିଥିବା ବ୍ୟକ୍ତିମାନଙ୍କୁ ମୁଗ୍ଧ କରେ, ଅଭିଭୂତ କରେ, ଗୋଟାଏ ଦୃଷ୍ଟିରୁ ସେମାନଙ୍କୁ ଏକାବେଳେକେ ଯେ ଗିଳି ପକାଏ,–ଏଭଳି ମୋଟେ ହୁଏନାହିଁ ।

 

Charisma ମଣିଷ ମାତ୍ରକେ ସମସ୍ତଙ୍କ ପାଖରେ ଥାଏ । ଏବଂ ସେହି ସମ୍ପଦଟିର ମାଧ୍ୟମରେ ମଣିଷମାନେ ପରସ୍ପରକୁ ଚିହ୍ନନ୍ତି । ସେହି ସମ୍ପଦଟି ଯାହା ପାଖରେ ଯେତିକି ପରିମାଣରେ କାର୍ଯ୍ୟକାରୀ ଭାବରେ ରହିଥାଏ, ସିଏ ଅନ୍ୟମାନଙ୍କ ଭିତରେ ସେତିକି ଗଭୀର ଭାବରେ ସେହି ସମ୍ପଦଟି ରହିଥିବାର ଅନୁଭବ କରିବାକୁ ସମର୍ଥ ହୁଏ । ନାନା ସଂସ୍କାରବଶତଃ ଆମେ ଏହି charismaକୁ ଅନ୍ୟ ବିଶେଷ ବ୍ୟକ୍ତିଙ୍କ ମଧ୍ୟରେ ଖୋଜିବାରେ ଲାଗିଥାଉ । ଆପଣା ଭିତରେ ସେହି ସାମଗ୍ରୀଟିହିଁ ରହିଛି ଓ ତାହାରି ମାଧ୍ୟମରେହିଁ ଆମେ ଯଥାର୍ଥ ଗଭୀର ଭାବରେ ଅନ୍ୟମାନଙ୍କ ଭିତରେ ମଧ୍ୟ ତାହାର ଆବିଷ୍କାର କରିବାକୁ ହୁଏ ବୋଲି ଆମେ ଏକାବେଳେକେ ଭୁଲି ଯାଇଥାଉ । ଆମ ନିଜ ଭିତରେ ଭଗବତ୍‌ସତ୍ତା ସର୍ବଦା ମହଜୁଦ୍‍ ରହିଥାଏ । ଆମେ ସଂସାରରେ ପଡ଼ି କେବଳ ବାହାରେ କୌଣସି କୌଣସି ବିଶେଷ ସ୍ଥାନରେ ଯେପରି ସେହି ଭଗବତ୍‌ସତ୍ତାର ଆରୋପଣ କରିବାରେ ଲାଗିଥାଉ; ଏକଥାଟି ପ୍ରାୟ ସେହିପରି । ମୋ’ ଭିତରେ ଯେଉଁ ଅସଲ କଳାଟି ରହିଛି, ମୁଁ ତାହାରି ମାଧ୍ୟମରେହିଁ ଅନ୍ୟମାନଙ୍କ ଭିତରେ ମଧ୍ୟ ସେମାନଙ୍କର ଅସଲ କଳାଟିକୁ ଚିହ୍ନୁଛି–ଆମ ଜୀବନ ଶିକ୍ଷାରେ ଓ ସମ୍ପର୍କ ନିରୂପଣରେ ତାହାହିଁ ଅସଲ ସୂତ୍ର ହୋଇ ରହିଥିବା ଉଚିତ ।

 

୪ । ୨ । ୮୨

 

ଗୋଡ଼ ଖସିଯିବାକୁ ପ୍ରକୃତରେ କେତେ କମ୍ ସମୟ ଲାଗେ ! ହାତରୁ ନିଜର ଲଗାମଟି ଛାଡ଼ିହୋଇ ଯିବାକୁବି କେତେ କମ୍ ସମୟ ଲାଗେ ! ଏବଂ, ହାତରୁ ଲଗାମ ଛାଡ଼ି ହୋଇଗଲେ ନିଜର ଘରଟିକୁ ସତେଅବା ଆଉ କିଏ ଅଧିକାର କରିନେବାକୁ ଆସି ପହଞ୍ଚିଯାଏ ଓ ତାକୁ ବାଟ ଛାଡ଼ିଦେବା ବ୍ୟତୀତ ଆଉ ଆଦୌ କୌଣସି ଗତି ନଥାଏ । ସେତିକିବେଳେ କ୍ରୋଧ ଆସି ରାଜ୍ୟ ଅଧିକାର କରିବସେ । ଭିତରେ କେତେପ୍ରକାରର ଭୟ ଆଗରୁ କେତେ ଛଦ୍ମବେଶରେ ରହିଥାଏ କେଜାଣି, ତାହାହିଁ ବାହାରକୁ କ୍ରୋଧରୂପେ ପ୍ରକାଶିତ ହେବାକୁ ଲାଗେ ।

 

ଅନ୍ୟକୁ କେତେବେଶୀ ଅସ୍ଵୀକାର କଲେ ଅନ୍ୟ ଉପରେ ରାଗ ହୁଏ, ମୁଁ ସେକଥା କ୍ରମେ ବୁଝିବାକୁ ଆରମ୍ଭ କରୁଛି । ଏବଂ ଥିର ହୋଇ ଏହିକଥା ଭାବିଲା ବେଳକୁ ସ୍ପଷ୍ଟ ବୁଝିହେଉଛି ଯେ, ଭିତରେ ମୁଁ ଏବେ ମଧ୍ୟ ଆପଣାକୁ କେଉଁଠି ନା କେଉଁଠି ଅସ୍ଵୀକାର କରୁଛି ବୋଲି ବାହାରେ ତାହା ଅନ୍ୟକୁ ଅସ୍ଵୀକାର କରିବାର ପ୍ରଚଣ୍ଡତାଗୁଡ଼ାକୁ ମନ କରୁଛି । ଅର୍ଥାତ୍, ନିଜର ଆହୁରି ଅଧିକ ଭିତରକୁ ପ୍ରବେଶ କରିବାକୁ ପଡ଼ିବ, ଆହୁରି ଅଧିକ ବିଶ୍ଵାସର ସହିତ ଆପଣାର ଅସଲ କେନ୍ଦ୍ରଟି ସହିତ ଖିଅ ଲଗାଇ ରହି ପାରିବାକୁ ହେବ । ସେଥିଲାଗି ନିଜ ସହିତ ଲଢ଼ିବାରେ ଲାଗିଥିଲେବି ମୋଟେ କାମ ଚଳିବନାହିଁ । ନିଜ ଭିତରେ କେଉଁଠି ଈର୍ଷାପର ଗୁରୁଜନ ସାଜି ଆପଣାକୁ ଶାସନ କରି ବାହାରିଲେବି ମୋଟେ ଫଳ ଫଳିବନାହିଁ । ଆପଣାର ସବୁକିଛିକୁ ଏକ ସମଗ୍ର ନିବେଦନ ପାତ୍ରରେ ଧରି ତାହାକୁ ଅସଲ ଥାନରେ ନେଇ ରଖିଦେବାକୁ ପଡ଼ିବ । ତେବେଯାଇ ଗଣ୍ଠିଗୁଡ଼ାକ ଛିଡ଼ିବ, ଅହଂକାରମାନେ ପରାଭୂତ ହେବେ ।

 

୫ । ୨ । ୮୨

 

ଯୁବକ କାର୍ଲ୍ ମାର୍କ୍‌ସ୍ ଅଧ୍ୟାପକ ହେବାଲାଗି ବନ୍ ପର୍ଯ୍ୟନ୍ତ ଆସିଥିଲେ । ସେତେବେଳକୁ ସିଏ ଆପଣାର ପ୍ରଥମ ଗବେଷଣା–ଡିଗ୍ରୀ ଲାଭ କରି ସାରିଥିଲେ । ମାତ୍ର ସେତିକିବେଳେ ଜର୍ମାନୀର ବନ୍ ସହରରେ ଏପରି ଏକ ଘଟଣା ଘଟିଲା, ଯାହାକି ମାର୍କ୍‌ସ୍‌ଙ୍କର ଜୀବନଧାରାକୁ ଅନ୍ୟ ଆଡ଼େ ବଦଳାଇ ଦେଲା ।

 

ଅଧ୍ୟାପକମାନେ ନିଜର ସ୍ଵତନ୍ତ୍ର ମତବ୍ୟକ୍ତ କରିପାରିବେ, ସେହି କାରଣରୁ କାର୍ଲ୍ ମାର୍କ୍‌ସ୍‌ ଅଧ୍ୟାପକ ହେବାକୁ ମନ କରିଥିଲେ । ଜର୍ମାନୀରେ ସେତେବେଳେ ଆପଣାର ସ୍ଵତନ୍ତ୍ର ବିଚାର ଓ ମତବ୍ୟକ୍ତ କରିଥିବା ସକାଶେ କେତେକ ଅଧ୍ୟାପକଙ୍କ ଉପରେ ଦଣ୍ଡବିଧାନ ହେଲା ବୋଲି ମାର୍କ୍‌ସ୍‌ ଆପଣାର ଜୀବନାଭିପ୍ରାୟକୁ ବଦଳାଇ ଦେଲେ । ଅଧ୍ୟାପକ ହେବାର ବାସନା ଛାଡ଼ିଲେ । ଆଉ କିଛି ହେଲେ; ଏବଂ ଆପଣାର ସ୍ଵତନ୍ତ୍ର ପଥରେ ଅଗ୍ରସର ହୋଇ ତାଙ୍କର ଯାହା ହେବାର କଥା, ତାହାହିଁ ହେଲେ । ତାଙ୍କର ପ୍ରାୟ ଦୁଇ ଶତାବ୍ଦୀ ପୂର୍ବରୁ ଦାର୍ଶନିକ ସ୍ପିନୋଳା ମଧ୍ୟ ତାହାହିଁ କରିଥିଲେ-। ତାଙ୍କୁ ଜର୍ମାନୀର ହାଇଡ଼୍‌ଲବର୍ଗ ବିଶ୍ଵବିଦ୍ୟାଳୟରୁ ଅଧ୍ୟାପକ ପଦ ଯଚା ହୋଇଥିଲା । ସିଏ ବିଶ୍ଵବିଦ୍ୟାଳୟର ବାହାରେ ରହିହିଁ ପୂର୍ଣ୍ଣ ସ୍ଵତନ୍ତ୍ରତା ସହିତ ନିଜ ବିଚାରଗୁଡ଼ିକର ଅଧିକ ବିକାଶ କରିପାରିବେ ବୋଲି କହି ସେହି ଅଧ୍ୟାପକ ପଦକୁ ସ୍ଵୀକାର କରିନଥିଲେ । ଦରିଦ୍ର ହୋଇ ରହିଲେ, ଅଥଚ ଗତିଶୀଳ ହୋଇ ରହିଲେ । ଏହି ଗତଶୀଳତାର ଗୌରବଟି ଆମ ଦେଶର ଅଧ୍ୟାପକମାନଙ୍କର ଜୀବନରେହିଁ ସର୍ବପ୍ରଧାନ ମାର୍ଗଦର୍ଶକ ହୋଇ ରହିବା ଉଚିତ, ସେମାନଙ୍କର ସର୍ବପ୍ରଧାନ ଇଜ୍ଜତ ହୋଇ ରହିପାରିବା ଉଚିତ । ତେବେଯାଇ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ଇଜ୍ଜତ ମଧ୍ୟ ରହିପାରିବ ।

 

୬ । ୧ । ୮୨

 

ସେଦିନ ଜଣେ ବନ୍ଧୁ କହିଲେ, ଗୋପବନ୍ଧୁ ଜଣେ କପଟ ପ୍ରକୃତିର ମଣିଷ ଥିଲେ । ସିଏ କୁଆଡ଼େ ଉତ୍କଳ ଗୌରବ ମଧୁସୁଦନଙ୍କୁ ହତ୍ୟା କଲେ ଏବଂ ଓଡ଼ିଶାର ସର୍ବନାଶ କଲେ ।

 

ଓଡ଼ିଶାର ଅନେକ ମଣିଷ ଏବେ ମଧ୍ୟ ଏହିପରି ଗୋଟିଏ ଗୋଟିଏ ପକ୍ଷ ଧରି ତିଷ୍ଠି ରହିଛନ୍ତି । ସେମାନେ ପଥନିଷ୍ଠ ହୋଇ ପାରିନାହାନ୍ତି ବୋଲି ସମ୍ଭବତଃ ଅତିରିକ୍ତ ପରିମାଣରେ ବ୍ୟକ୍ତିପକ୍ଷପାତୀ ହୋଇ ରହିଛନ୍ତି । ଆପଣାର କୌଣସି ଏକ ଆକସ୍ମିକ ଭାବପ୍ରବଣତା ହେତୁ ସେମାନେ ଗତ ଇତିହାସର ଜଣେ ବା କେତେଜଣଙ୍କୁ ଆଦରି ନେଇଛନ୍ତି ଓ ସେମାନଙ୍କୁ ଏଡ଼େ ପବିତ୍ର ଓ ବଡ଼ ଓ ସର୍ବବରିଷ୍ଠ କରି ରଖିଛନ୍ତି ଯେ, ସେମାନଙ୍କ ବିଷୟରେ ସେମାନେ କୌଣସି ଆଲୋଚନା ମଧ୍ୟ ସହ୍ୟ କରିବାକୁ ମୋଟେ ରାଜୀ ନୁହନ୍ତି । ସେମାନଙ୍କର କଳ୍ପନା ଭିତରେ ରହିଥିବା ଓଡ଼ିଶାକୁ ସେମାନେ ଏହିପରି ଅନ୍ଧାର ଭିତରେ ପକାଇ ରଖିଛନ୍ତି । ସେମାନେ ଭବିଷ୍ୟତ ମଧ୍ୟକୁ କୌଣସି ପାହାଚ ଚଢ଼ି ପାରୁନାହାନ୍ତି । ଅତୀତରେ କ’ଣ ହୋଇଥାନ୍ତା ଓ କ’ଣ ହୋଇ ପାରିଲା ନାହିଁ, ତାହାରି ବିଷୟରେ ଗୋଟାଏ ବ୍ୟକ୍ତିସ୍ତରୀୟ ବିବାଦରୁ କାହାଣୀବ୍ୟୁହ ଗଢ଼ି ଆପଣାର ଜୀବନକୁ ତାହାରି ଭିତରେ ବାନ୍ଧିକରି ରହିଛନ୍ତି । ଏହି ଅନେକ ଦଶକ ମଧ୍ୟରେ ପୃଥିବୀରେ ଯେ ଅନେକ ବଦଳି ଗଲାଣି, ବର୍ତ୍ତମାନ ମଣିଷ-ଆକାଂକ୍ଷାର ଆଖିରେ ସମଗ୍ର ପୃଥିବୀହିଁ ଯେ ଯାବତୀୟ କଳ୍ପନା ଓ ଅନୁରାଗର ସର୍ବମୂଳ ଏକକ ହୋଇଗଲାଣି, ସେକଥା ସେମାନେ ମୋଟେ ମାନିବେ ନାହିଁ ବୋଲି ଜିଦ୍ ଧରି ବସିଛନ୍ତି । ମୃତମାନେ ଆପଣା ଭିତରୁ ମୃତ ବିଚାରଗୁଡ଼ାକୁ ଦୂର ନକଲେ ସେମାନଙ୍କୁ ପୁଣି ନିଦରୁ ଉଠାଇବ କିଏ ?

 

୭ । ୧ । ୮୧

 

ଅନ୍ୟମାନଙ୍କ ସହିତ ମୋ’ର କଥାବାର୍ତ୍ତା, ମୋ’ର ଆଚରଣ ଓ ମୋ’ର ସମ୍ପର୍କ ଏପରି ହେବା ଉଚିତ, ଯେପରିକି ତଦ୍ଦ୍ଵାରା ଅନ୍ୟମାନେ ଏହି ପୃଥିବୀକୁହିଁ ଏକ ସୁନ୍ଦର ସ୍ଥାନ ପରି ଅନୁଭବ କରି ପାରୁଥିବେ । ମଣିଷ ଓ ମଣିଷ ମଧ୍ୟରେ ଯାବତୀୟ ସମ୍ପର୍କ ମଣିଷକୁ ଜୀବନରେ ଅମରତ୍ଵ ବିଷୟରେହିଁ ଏକ ଅନୁଭୂତି ଆଣି ଦେଇ ପାରୁଥିବା ଉଚିତ । ମୋ’ର ସମ୍ପର୍କରେ ଆସୁଥିବା ପ୍ରତ୍ୟେକ ମନୁଷ୍ୟ ଭିତରେ ବିଶ୍ଵାସ ବଢ଼ାଉ,–ଅର୍ଥାତ୍ ତା’ ଆପଣା ଉପରେ ବିଶ୍ଵାସ ବଢ଼ାଉ, ଜୀବନ ଉପରେ ବିଶ୍ଵାସ ବଢ଼ାଉ, ଆମର ଏହି ପୃଥିବୀର ଭାଗ୍ୟ ବିଷୟରେ ମଧ୍ୟ ଅଧିକ ଆସ୍ଥାର ସଂକ୍ରମଣ କରିପାରୁ ।

 

ମାତ୍ର, ସେଥିପାଇଁ ମୋ’ ନିଜ ଭିତରେ ଯେ ଜୀବନ ଉପରେ ଅସଲ ବିଶ୍ଵାସଗୁଡ଼ିକ ଯେତେ ଅବିଚଳ ହୋଇ ରହି ପାରିଥିବା ଉଚିତ, ମୁଁ ସେହି କଥାଟିକୁ ମଧ୍ୟ ଯଥାର୍ଥ ଭାବରେ ହୃଦୟଙ୍ଗମ କରିପାରୁଛି । ମୁଁ ସମସ୍ତଙ୍କୁ ଖୁସି ଦେଇ ପାରୁଥିବି, ନାନା କାରଣରୁ ମଣିଷ ଭିତରେ ପଡ଼ିକରି ରହିଥିବା ଗଣ୍ଠିଗୁଡ଼ାକୁ ଫିଟିଯିବାର ପ୍ରେରଣା ମଧ୍ୟ ଦେଇ ପାରୁଥିବି,–ବନ୍ଧୁତା ଲାଗି, ନିକଟତା ଲାଗିହିଁ ଅଧିକ ଉଦ୍‌ବୋଧନ ଯୋଗାଇ ଦେଇ ପାରୁଥିବି । ମୋ’ ନିଜ ଭିତରେ ଯେ ମୁଁ ଦୂରତାଗୁଡ଼ାକ କାଟିଦେଇ ପାରିଛି ତାହା ମୋ’ର ଅନ୍ୟମାନଙ୍କ ସହିତ ସମ୍ପର୍କଦ୍ଵାରାହିଁ ଯଥାର୍ଥ ଭାବରେ ପ୍ରମାଣିତ ହୋଇ ପାରିବ । ମୋ’ ସମ୍ପର୍କରେ ଆସୁଥିବା ପ୍ରତ୍ୟେକ ମନୁଷ୍ୟ ଠିକ୍ ସେହିପରି ଭାବରେ ତା’ ଆପଣାର ଦୂରତାଗୁଡ଼ାକ କଟି ଯାଉଥିବା ପରି ଅନୁଭବ କରୁ । ତେବେଯାଇ ହେବ, ତେବେଯାଇ ମୋ’ର ସମ୍ପର୍କଗୁଡ଼ାକୁ ଯଥାର୍ଥ ବୋଲି କୁହାଯାଇ ପାରିବ ।

 

୮ । ୨ । ୮୨

 

ସଂସାର ଦୁଃଖମୟ, ସଂସାର ଭିତରେ କେବଳ ନୈରାଶ୍ୟହିଁ ଭୋଗ କରିବାକୁ ହୁଏ,–ମୋ’ ସହିତ ସମ୍ପର୍କରେ ଆସୁଥିବା କୌଣସି ମଣିଷର ମନରେ ଏପରି ଏକ ଧାରଣା ଦେବାକୁ ମୁଁ ଯେପରି କୌଣସି ପ୍ରୟାସ ନକରେ ! ସଂସାରରେ ଦୁଃଖ ଅଛି, ସଂସାରରେ ନୈରାଶ୍ୟବି ଅଛି;–ମାତ୍ର ତା’ ବୋଲି ସଂସାରଟା ଯେ କେବଳ ଦୁଃଖ ଓ ନୈରାଶ୍ୟଦ୍ଵାରା ପୂର୍ଣ୍ଣ ହୋଇ ରହିଛି, ସେହି କଥାଟିକୁ ଜୀବନରେ ମୁଁ କେବେହେଲେ ଅନୁଭବ କରିନାହିଁ । ଅଧିକନ୍ତୁ, ମୋ’ର ବୟସ ଓ ଅଭିଜ୍ଞତା ବଢ଼ୁଥିବା ସଙ୍ଗେ ସଙ୍ଗେ ମୁଁ ଆହୁରି ଅଧିକ ନିଶ୍ଚିତ ଭାବରେ ଏହି କଥାଟିକୁ ଅନୁଭବ କରୁଛି ଯେ, ଏହି ପୃଥିବୀ ଲାଗି ଅର୍ଥାତ୍ ଏହି ମଣିଷଲାଗି ଏକ ଉଜ୍ଜ୍ଵଳ ଭବିଷ୍ୟତ ଅପେକ୍ଷା କରି ରହିଛି । ମଣିଷ ଭିତରେ ସେହି ଭବିଷ୍ୟତଟିର ଅଧିକାରୀ ହେବାଲାଗି ପୂର୍ଣ୍ଣ ଯୋଗ୍ୟତା ମଧ୍ୟ ରହିଛି-। ତେଣୁ, ନୈରାଶ୍ୟ ଓ ଦୁଃଖ ଆମ ଜୀବନର ଆଦୌ ମୂଳକଥା ନୁହେଁ ।

 

ଆହୁରି ଅନେକ ବାଟ ବାକି ଅଛି, ଏହି ଜୀବନକୁ ଆହୁରି ଅନେକ ସକାଳ ଅପେକ୍ଷା କରି ରହିଛି,–ଏହିପରି ଏକ ଅନୁଭବରୁ ଯେତେବେଳେ ସେହି ସବୁ କିଛି ଲାଗି ଏକ ବ୍ୟାକୁଳତା ସମସ୍ତ ଅନ୍ତଃଭୂମିଟିକୁ ଅଧିକାର କରିବସେ, ସେତିକିବେଳେ ହୁଏତ ଆପଣାର ସାମର୍ଥ୍ୟ ସେଥିଲାଗି କାହିଁକି ଯଥେଷ୍ଟ ହୋଇ ପାରୁନାହିଁ ବୋଲି ଭିତରେ ଦୁଃଖ ହୁଏ, ନୈରାଶ୍ୟବି ହୁଏ । ତାହା ସାମୟିକ । ତେଣୁ ସେଇଟାକୁ ଡେଇଁଯିବାକୁ ହୁଏ । ଡେଇଁଯିବାର ବଳ ମଧ୍ୟ ସେଇ ଭିତରୁହିଁ କୁଆଡ଼ୁ ଆସି ମିଳିଯାଏ । ସାଙ୍ଗରେ କେହି ଆଉଜଣେ ବାଟ ଚାଲୁଥିବା ପରି ଗୋଡ଼ଗୁଡ଼ାକ ଅଧିକ ବେଗର ସହିତ ଅଗ୍ରସର ହୋଇଯିବାରେ ଲାଗନ୍ତି ।

 

୯ । ୨ । ୮୨

 

ଭାବମୟତା ମଧ୍ୟରେ ଏକ ଅଦ୍ଭୁତ ନୀରବତା ରହିଛି, ଯାହାକୁ କି ଆପଣାର ସମସ୍ତ ଅସ୍ତିତ୍ଵ ଦେଇ ଅନୁଭବ କରି ହୁଏ, ଏପରିକି ଯାହାକୁ ଏହି ଦେହର ପ୍ରତ୍ୟେକ କୋଷ ମଧ୍ୟରେ ଅନୁଭବ କରିହୁଏ, ଆପଣାର ସକଳଦ୍ଵାରା ଦେଇ ସବୁଟିକୁ ସ୍ପର୍ଶ କରିହୁଏ ।

 

ମୁଗ୍ଧତା ଭିତରେ ଏପରି ଏକ ସକଳସଞ୍ଚାରୀ ଶକ୍ତି ରହିଛି, ଯାହାଫଳରେ ଆପଣାର ସବୁକିଛି କେବଳ ନୀରବ ହୋଇଆସେ । ଭାବପ୍ରବଣ ଲୋକମାନଙ୍କୁ ଏକଥା ସହଜରେ ବୁଝାଇ ହୁଏନାହିଁ । ସେମାନଙ୍କର ଅସଲ ଭାବର ନିକେତନଟି କୋଉଠି ସତେଅବା କେତେ ଗଭୀରରେ ପୋତି ହୋଇ ରହିଥାଏ, ଏବଂ ସେଠାକୁ ସେମାନେ ନିଜେବି ଯେପରି କେବେହେଲେ ଯାଇ ନପାରିବେ, ସେଥିଲାଗି ସେମାନେ ନାନା ଭାବପ୍ରବଣତାର ଧନୁତୀର ଧରି ଅନୁକ୍ଷଣ ଜଗି ବସିଥାନ୍ତି-। ଆପଣାକୁ ଆପଣା ଭିତରକୁ ମୋଟେ ପୂରାଇ ଦିଅନ୍ତି ନାହିଁ । ଗୋଟାଏ ପ୍ରକାରର ଉଗ୍ରତା ସେମାନଙ୍କ ଭିତରେ ଭାରି ପ୍ରବଳ ହୋଇ ରାଜତ୍ଵ କରୁଥାଏ । ସେହି ଉଗ୍ରତା କେତେକ କଥାକୁ ଅମୋଘ ବୋଲି ଗ୍ରହଣ କରି ନେଇଥାଏ ଏବଂ ଆଉକେତେକ କଥାକୁ ଅନ୍ଧ ହୋଇ ବର୍ଜନ କରିବାରେ ଲାଗିଥାଏ । ସେହି ଗ୍ରହଣ ଏବଂ ବର୍ଜନର ଏକମାତ୍ର ନ୍ୟାୟଦଣ୍ଡ ଦେଇ ସିଏ ସବୁକିଛିର ବିଚାର କରୁଥାଏ । ସେଠାରେ ପ୍ରବେଶ କରିବାକୁ ହୃଦୟ ପ୍ରକୃତରେ ଭାରି ଭୟ କରେ । ଭାବପ୍ରବଣତାର ବହଳ ପରସ୍ତଗୁଡ଼ାକ ଖୋଲିଲେ ଯାଇ ଆମେ ଭାବର ଆୟତନଟିକୁ ନିଜ ଭିତରେ ଅନୁଭବ କରିବାକୁ ଆରମ୍ଭ କରୁ । ତା’ପରେ ଯାଇ ବିଶ୍ଵହୃଦୟଟିକୁ ଯଥାର୍ଥ ଭାବରେ ଅନୁଭବ କରିବା ସମ୍ଭବ ହୁଏ । ତା’ପରେ ଯାଇ ଦୁଆର ଖୋଲେ ।

 

୧୦ । ୨ । ୮୨

 

କଳା ଓ ସାହିତ୍ୟ,–କଳା ଓ ସାହିତ୍ୟ କହିଲେ ସାଧାରଣତଃ ଆମେ ଯାହାବୁଝିଥାଉ, ଆମକୁ କଦାପି ଶେଷଯାଏ ନେଇ ପାରିବନାହିଁ । ଉତ୍ସାହ ଦେବ, ସାନ୍ତ୍ୱନା ଦେବ, ପ୍ରାଣକୁ ସରସତା ଆଣିଦେବ ଓ ମନକୁ ସ୍ଫୂର୍ତ୍ତି ଆଣି ଦେଇପାରିବ ସତ, ମାତ୍ର ଯଥାର୍ଥ ଉନ୍ମୋଚନଟିକୁ ମୋଟେ ଦେଇ ପାରିବନାହିଁ । ଯାହା ପ୍ରକୃତରେ ଉନ୍ମୋଚନ ଦେଇ ପାରିବ, କଳା ଓ ସାହିତ୍ୟ ଆପଣାକୁ ତାହାରି ଅଧୀନ କରି ରଖି ତାହାରି ନିର୍ଦ୍ଦେଶରେ ଆପଣାକୁ ପରିଚାଳିତ କରି ପାରିଲେ ଯାଇ କଳା ଓ ସାହିତ୍ୟ ଆପଣା ସର୍ବଶ୍ରେଷ୍ଠ କର୍ତ୍ତବ୍ୟ ସମ୍ପାଦନ କରିପାରିବେ ।

 

ସାହିତ୍ୟ ଓ କଳା ଯେ ସକଳ ମଣିଷକୁ ସାଧୁ କରିପାରିବ, ଅର୍ଥାତ୍ ଆମ ବ୍ୟକ୍ତିଗତ ତଥା ସାମୂହିକ ଜୀବନରେ ରହିଥିବା ଯାବତୀୟ ଅସାଧୁତାର ସମ୍ମୁଖୀନ ହେବା ଲାଗି ସମର୍ଥ କରିପାରିବ, ସେକଥା କଦାପି ନୁହେଁ । ଅନେକ ସମୟରେ ଏହି ସମ୍ମୁଖୀନ ହେବାରୁ ଆମର ଅନେକ ତଥାକଥିତ କଳା ଓ ସାହିତ୍ୟ ଆମକୁ ଭୁଲାଇ କରି ରଖିଥାଏ ବା ଆଉ କୁଆଡ଼େ ଘଉଡ଼ାଇ ନେଇ ଯାଇଥାଏ, ସେକଥା ମଧ୍ୟ ଆମଭିତରୁ ଅଧିକାଂଶ ଅବଶ୍ୟ ଅଙ୍ଗେ ନିଭାଇଥିବେ । ସେହି କ୍ଷେତ୍ରରେ ଆମ କଳା ଓ ସାହିତ୍ୟ ଆମକୁ ଏକ ମିଛ ସନ୍ତୋଷ ଦିଏ, ଯାହାଫଳରେ କି ଆମେ ଯଥାର୍ଥ ଭାବରେ ନିଜର ଓ ଜୀବନର ସମ୍ମୁଖୀନ ହେବାର ଆହ୍ଵାନଟିକୁ ବେଶ୍ ଏକ ନିରାପଦ ଦୂରତା ରକ୍ଷା କରିଥାଉ ଏବଂ ସବୁକିଛି ଠିକ୍ ରହିଛି ବୋଲି ବାହାରେ ବାହାରେ ଆପଣାକୁ ବେଶ୍ ଆଶ୍ଵାସନାବି ଦେବାରେ ଲାଗିଥାଉ ।

 

୧୧ । ୨ । ୮୨

 

ମୁଁ ଏଇ ସକାଳଟିକୁ ଆଘ୍ରାଣ କରିପାରେ । ଏହି ସକାଳକୁ ମୁଁ ସ୍ପର୍ଶ କରିପାରେ । ଏହି ସକାଳ ମୋତେ ଆନ୍ଦୋଳିତ କରେ । ତାହା ମୋତେ ମୋ’ର କେତେ ଭିତରକୁ ବାଟ କଢ଼ାଇ ନେଇଯାଏ । ସେହି ଆପଣା ଭିତରେ ମୁଁ ଆକାଶ ଦର୍ଶନ କରିପାରେ । ବାହାରେ ଏହି ଗଛ, ପତର, ଆପଣାକୁ ଉଦିତ କରି ଆଣୁଥିବା ଏହି ସମଗ୍ର ଜୀବନ,–ମୁଁ ସବୁକିଛିକୁ ଅନୁଭବ କରେ, ସେଇଠି ଯେଉଁ ଆତ୍ମୀୟତାର ସୂତ୍ରଟି ଆପେ ବାନ୍ଧି ହୋଇଯାଏ, ସେହି ଆତ୍ମୀୟତାକୁହିଁ ଜୀବନର ପରମ ଆଶୀର୍ବାଦ ଓ ପରମ ପାଥେୟ ପରି ଗ୍ରହଣ କରେ । ତା’ପରେ ଆଉ କିଛି ଦୁଃଖ ରହେନାହିଁ-

 

ତା’ପରେ ଏହି ସବୁକିଛି ସଞ୍ଚୟ, ସବୁକିଛି ଅର୍ଜନ ଏବଂ ସବୁକିଛି ସଂଗ୍ରହ ସତେଅବା ଗୋଟିଏ ନମସ୍କାରରେ ପରିଣତ ହୋଇଯାଏ;–ଏହି ଯାବତୀୟ ହେବା ଛୁଇଁବା ଓ ନିକଟରେ ଯାଇ ବସିବା,–ଏହି ସବୁକିଛି ସତେଅବା ଏକ ସହଜ ପ୍ରୀତ୍ୟଭିସାରରେ ପରିଣତ ହୋଇଯାଏ । ମୋ’ର ସବୁକିଛିକୁ ମୁଁ ଗୋଟିଏ ଡାଲାରେ ଧରି କାହାର ମନ୍ଦିର ପାବଚ୍ଛ ପାଖରେ ଆସି ଠିଆ ହୋଇଗଲା ପରି ଅନୁଭବ କରେ । ତା’ପରେ ବଞ୍ଚିବାଲାଗି ଆଉ ବହି ଭିତରୁ କୌଣସି ସୂତ୍ର ଖୋଜିବାକୁ ପଡ଼େନାହିଁ । ଏହି ଯାବତୀୟ ପରିପାର୍ଶ୍ଵ କେବଳ ଗୋଟିଏ ଗୋଟିଏ ସୂତ୍ର ପରି ମନେହୁଏ, ଯାହାକି ମୋତେ ସତତ ଅସଲ ସୂତ୍ରଟିକୁ ନେଇ ଧରାଇ ଦେଇ ପାରନ୍ତି । ସେହି ସୂତ୍ର ମୋ’ ଭିତରେ କି ମୋ’ ବାହାରେ, ସେକଥା ମୁଁ ସେତେବେଳେ ଆଦୌ ଜାଣି ପାରେନାହିଁ । ସେତେବେଳେ ମନେ ହୁଏ, କେବଳ ସବୁଠାରେ ସେହି ଗୋଟିଏ ସୂର୍ଯ୍ୟ ଉଇଁଛି ଓ ମୁଁ ଜଳପାତ୍ରଟିଏ ପରି ସେହି ସୂର୍ଯ୍ୟକୁ ପ୍ରତିଫଳିତ କରି ଏଡ଼େ ସୁନ୍ଦର ଦିଶୁଛି, ଏଡ଼େ ସ୍ଵଚ୍ଛ ହୋଇ ରହିଛି, ଏପରି ଭାବରେ ଆଲୋକିତ ହୋଇ ରହିଛି । ତା’ପରେ ସଂସାରଟାଯାକ ନିଜର ହୋଇ ରହେ, ହୃଦୟ ଭିତରେ ଭକ୍ତ ଜନ୍ମଲାଭ କରେ ।

 

୧୨ । ୨ । ୮୨

 

ଯଦି ମୂଳତଃ କ୍ଷମତା କାମନା କରୁଥିବା ବ୍ୟକ୍ତିମାନଙ୍କ ହାତରେ ସାହିତ୍ୟ ପଡ଼େ, ତେବେ ସାହିତ୍ୟର ମହତ ସରିଯାଏ । ସାହିତ୍ୟକୁ ଅବଲମ୍ବନ କରି କେବଳ କ୍ଷମତାର ଧୃଷ୍ଟତାଗୁଡ଼ାକ ଆମ ସାହିତ୍ୟ-ଜଳବାୟୁକୁ ଅତ୍ୟନ୍ତ ଦୂଷିତ କରି ରଖିଥାଏ ।

 

ଆମର କଲେଜ ଓ ବିଶ୍ଵବିଦ୍ୟାଳୟମାନଙ୍କରେ ସାହିତ୍ୟଲାଗି ଯେଉଁ ମହୁଡ଼ଗୁଡ଼ାକୁ ତିଆରି କରି ରଖାଯାଇଛି, ତାହା ଅଧିକାଂଶ ସମୟରେ ସାହିତ୍ୟ ଅପେକ୍ଷା କ୍ଷମତାରହିଁ ଅଧିକ ଅଧୀନ ହୋଇ ରହିଛି । ସାନ ସାନ ମଣିଷମାନେ ବଡ଼ବଡ଼ କ୍ଷମତା ସ୍ଥାନରେ ରହି ସାହିତ୍ୟକୁ ସତେଅବା ସେହି କ୍ଷମତାରହିଁ ଏକ ଦାସୀ ପରି କରି ରଖିଛନ୍ତି । ସେମାନେ ସାହିତ୍ୟବାସନା ଅର୍ଥାତ୍ ସୃଷ୍ଟିଶୀଳତା ଲାଗି ଏକ ଯଥାର୍ଥ ଶ୍ରଦ୍ଧାର ଉନ୍ମେଷ ଘଟାଇବାରେ ଯେତେ ସହାୟକ ନହେଉଛନ୍ତି, ଆପଣାର କ୍ଷୁଦ୍ର ଅନୁରକ୍ତିଗୁଡ଼ାକର ପ୍ରହାରଦ୍ଵାରା ମଣିଷ ମଣିଷ ଭିତରେ ତିଆରି ହେଉଥିବା ସମ୍ପର୍କଗୁଡ଼ାକୁ ବଡ଼ ଅସାହିତ୍ୟିକ କରି ପକାଇବାରେହିଁ ଅଧିକ ସାହାଯ୍ୟ କରୁଛନ୍ତି । ବାହାରକୁ ବଡ଼ ବୋଲି ଦେଖାଯାଉଥିବା ସେଠମାନଙ୍କଦ୍ଵାରା ସାହିତ୍ୟର ଯଥାର୍ଥ ବିକାଶ କଦାପି ହେବ ନାହିଁ । ସାହିତ୍ୟକୁ ଆଳକରି ମଧ୍ୟ ଏହି କ୍ଷୁଦ୍ର ବ୍ୟକ୍ତିମାନେ ପରସ୍ପର ସହିତ ଲଢ଼ିବାରେ ଲାଗିଥିବେ ଓ ପରସ୍ପରର ମୁହଁକୁ କାଦୁଅ ଫୋପାଡ଼ୁଥିବେ । ଏମାନେ ଗୁଡ଼ାଏ ଭାବପ୍ରବଣତା ଭିତରେ ସାହିତ୍ୟକୁ ନାକେଦମ୍ କରି ରଖିବା ବ୍ୟତୀତ ଆଉ କିଛିହେଲେ କରିପାରିବେ ନାହିଁ ।

 

୧୩ । ୨ । ୮୨

 

ଇଏ ମୋଟେ କ୍ଳାନ୍ତି ନୁହେଁ, ବୈରାଗ୍ୟବି ନୁହେଁ । ଇଏ ଏକ ଅନ୍ତର୍ଗତ ଅସନ୍ତୋଷ । ଏହି ଅସନ୍ତୋଷହିଁ ଏହି ପାହାଚରୁ ଆର ପାହାଚଟି ଉପରକୁ ଉଠାଇ ନେଇଯିବ । ତେଣୁ, ମୁଁ ଯଥାସମ୍ଭବ ଅଧିକ ସ୍ଥିର ହେବି ଓ ଅପେକ୍ଷା କରି ରହିବି । ସେଇ ଭିତରେ ଯିଏ ମୋତେ ହଠାତ୍ ଏହି ଅସନ୍ତୋଷର ସମ୍ମୁଖୀନ କରାଇଛି, ସେଇ ବନ୍ଧୁ ଭାବରେ ମୋ’ ହାତ ଧରି ମୋତେ ଉପର ପାହାଚଟିକୁ ଉଠାଇ ନେଇଯିବ ।

 

ଏହି ଉପର ପାହାଚଟି ମୋ’ ବାହାରେ ନାହିଁ, ମୋ’ ଭିତରେ ରହିଛି ସେହି ପାହାଚଟିର ଉପରକୁ ଉଠିଗଲେ ଅତିକ୍ରମ କରି ଆସିଥିବା ପାହାଚଗୁଡ଼ାକ ଅସ୍ଵୀକୃତ ହୋଇ ଆଦୌ ପଛରେ ପଡ଼ି ରହିବେନାହିଁ । ମାତ୍ର, ସେଗୁଡ଼ିକୁ ମୁଁ ଏକ ବୃହତ୍ତର ଓ ସମଗ୍ରତର ବୃତ୍ତ ଭିତରେ ଦେଖିବାକୁ ପାଇବି । ସେଗୁଡ଼ିକୁ ଅଧିକ ନିବିଡ଼ ଭାବରେ ଜାଣିବି । ବୃହତ୍ତର ସତ୍ୟର ପରିଚୟ ମିଳିଲେ ବର୍ତ୍ତମାନର ସତ୍ୟଟି ଆଦୌ ମାୟାରେ ପରିଣତ ହୋଇଯାଏ ନାହିଁ; ତାହାକୁ ଉପଲବ୍ଧ ବୃହତ୍ତର ସତ୍ୟଟିକୁ ପରିପ୍ରେକ୍ଷୀରେ ସମଗ୍ର ଭାବରେ ଦେଖିହୁଏ, ଅର୍ଥାତ୍ ଅନୁଭବ କରିହୁଏ । ନିଜ ଭିତରେ ନିଜକୁ ଅଧିକ ଅନ୍ତରଙ୍ଗ ଭାବରେ ଚିହ୍ନିହୁଏ । ଜୀବନରେ ବର୍ଜନର ପରିମାଣ କମ୍ ହୋଇଯାଏ, ସ୍ଵୀକାରର ଆୟତନରେ ବୃଦ୍ଧି ହୁଏ । ମୁଁ ବର୍ତ୍ତମାନ ସେହିପରି ଏକ ଅତିକ୍ରମଣ ଲାଗି ଅପେକ୍ଷା କରି ରହିଛି,–ଏହି ଯାବତୀୟ ଅସନ୍ତୋଷ ପଛରେ ଯେ ସେହି ଅତିକ୍ରମଣର ଆହ୍ଵାନଟି ମୋ’ ଲାଗି ଅପେକ୍ଷା କରି ରହିଛି, ସେହି ବିଶ୍ଵାସରେହିଁ ମୁଁ ଅପେକ୍ଷା କରି ରହିଛି ।

 

୧୪ । ୨ । ୮୨

 

ମୁଁ ସବା ବଡ଼ ଚଉକିରେ ଯାଇ ବସିଲେ ଯାଇ ସମସ୍ତଙ୍କଠାରୁ ବଡ଼ ହୋଇ ଦିଶିବି ଏବଂ ତେବେଯାଇ ଯଥାର୍ଥ ପ୍ରସନ୍ନତା ସହିତ କାମ କରିପାରିବି, ଏପର୍ଯ୍ୟନ୍ତବି ମୁଁ ଏହି ଭାବନାଟିଦ୍ଵାରା ମଣ ହୋଇ ପାରିଲି ନାହିଁ । ଚଉକିଗୁଡ଼ାକ ଯେ ମଣିଷଠାର ଆଦୌ ବଡ଼ ନୁହନ୍ତି; ଏକଥା ମୁଁ କେବଳ କୌଣସି ନୀତିଶାସ୍ତ୍ରରୁ ପଢ଼ିଥିଲେ ଓ ସେହି ନୀତିଟି ଅନୁସାରେ ଅଭିନୟ କରିବାକୁହିଁ ଯଥାର୍ଥ ବିନୟ ବୋଲି ମାନିନେଇଥିଲେ ମୁଁ ହୁଏତ ସେପରି କରି ପାରିଥାନ୍ତି । ମୋ’ ନିଜ ଭିତରେ ଯାବତୀୟ ଶ୍ରଦ୍ଧାର ଏକ ଅସଲ ମୂଳ ରହିଛି, ଯାହାକି ମୋତେ ଚଉକିଗୁଡ଼ାକୁ ଦେଖିବା ଆଗରୁ କାମଟିକୁ ଦେଖିବା ଲାଗି ସ୍ଵତଃପ୍ରେରିତ କରି ନେଇଥାଏ । ସେହି ଶ୍ରଦ୍ଧା ପାଖରେ ସମ୍ମତ ହୋଇ ରହିବା ହେଉଛି ଅସଲ ବିନୟ ।

 

ପ୍ରାୟ ଏହି ବିନୟ ଏବଂ ତଜ୍ଜନିତ ଏକ ନୈତିକତାଦ୍ଵାରା ପ୍ରବୃତ୍ତ ହୋଇ ମୁଁ କେବଳ ଯେଉଁ କାର୍ଯ୍ୟକୁ କରିବି ବୋଲି ନିଜେ ଇଚ୍ଛା କରେ, ସେହି କାର୍ଯ୍ୟଟିକୁହିଁ କରିବାକୁ ଯାଏଁ । ତା’ପରେ ଚୌକିଗୁଡ଼ାକ ମୋତେ ଦିଶନ୍ତି ନାହିଁ । କାମଟିହିଁ ଦେଖାଯାଏ । ଅର୍ଥାତ୍, ଆଦେଶଟିହିଁ ଦେଖାଯାଏ । ସେହି ଆଜ୍ଞା ମୋ’ ଭିତରୁ ଆସୁଥାଏ । ସେହି ଆଜ୍ଞା ସହିତ ଏପରି ଏକ ଶ୍ରଦ୍ଧା ଓ ଆଶୀର୍ବାଦ ଅନ୍ତରଙ୍ଗ ଭାବରେ ବିଜଡ଼ିତ ହୋଇ ରହିଥାଏ, ଯାହାକି ମୋ’ ଜୀବନର ଅସଲ ପ୍ରେରକ ଓ ଅସଲ ଅବଲମ୍ବନ ହୋଇ ରହିଥାଏ । ମୋ’ର ଇଜ୍ଜତ ସେହିଠାରେହିଁ ରହେ ବା ସେଇଠାରେହିଁ ଯାଏଁ । ବାହାର ଚଉକିଗୁଡ଼ାକ ସହିତ ମୋ’ ଇଜ୍ଜତଟାକୁ ମୁଁ କେବେହେଲେ ଗୁନ୍ଥି ରଖିବାକୁ ଆଦୌ କୌଣସି ଚେଷ୍ଟା କରିନାହିଁ । ତେଣୁ ଅନେକ ଗୁରୁଜନଙ୍କୁ ମଧ୍ୟ ମୁଁ ଏହି କ୍ଷେତ୍ରରେ ଆଦୌ ବୁଝି ପାରେନାହିଁ ।

 

୧୫ । ୨ । ୮୨

 

ଭିତରର ଅସଲ ଚଉକିଟି ଆପଣାର ଆଖିରେ ଯେଡ଼ିକି ସାନ ହୋଇ ଦିଶୁଥାଏ, ବାହାରେ ସବା ବଡ଼ ଚଉକିଗୁଡ଼ାକରେ ଯାଇ ବସିବାର ଏକ କାମାତୁରତା ପ୍ରାୟ ସେତିକି ପ୍ରଚଣ୍ଡ ହୋଇ ମଣିଷର ଯାବତୀୟ ବିବେକ ଅର୍ଥାତ୍ ଯାବତୀୟ ସହଜତାକୁ କାମୁଡ଼ି ଧରିଥାଏ । ଭିତରେ ମୁଁ ଆପଣା ପାଖରେ ଯେତିକି ଛୋଟ ହୋଇ ବସିଥାଏ, ବାହାରେ ଆପଣାଲାଗି ସେତିକି ବଡ଼ ଚଉକିର ସରଞ୍ଜାମଗୁଡ଼ାକୁ ଯୋଗାଡ଼ କରି ରଖିବାଟାହିଁ ମୋ’ର ଅସଲ ଧନ୍ଦାରେ ପରିଣତ ହୋଇ ରହିଥାଏ ।

 

ଚଉକିଗୁଡ଼ାକର ତୁଳନା କରିବାକୁହିଁ ଯିଏ ଆପଣାକୁ ଅନ୍ୟମାନଙ୍କ ସହିତ ତୁଳନା କରିବାର ଏକମାତ୍ର ବିଧି ବୋଲି ମାନିଥାଏ, ସିଏ ବିଚରା ଆପଣା ଭିତରେ ଅପେକ୍ଷା କରି ରହିଥିବା ଆପଣାର ଅତୁଳନୀୟ ରୂପଟିକୁ ମୋଟେ ପାରେନାହିଁ । ଆପଣା ସହିତ ରହିଥିବା ତା’ର ଆତ୍ମୀୟତାଗୁଡ଼ାକ ବଜାରର ମୂଲ୍ୟରେହିଁ ନିର୍ଦ୍ଧାରିତ ହୋଇ ରହିଯାଏ ଏବଂ ବିଶ୍ଵାସ ବ୍ୟତୀତ ଶ୍ରଦ୍ଧାଗୁଡ଼ାକବି ଅପଚରା ହୋଇ ରହିଯାଆନ୍ତି । ସଂସାରରେ ବାହାରକୁ ବଡ଼ ହୋଇ ଦେଖାଯାଉଥିବା ମଣିଷମାନେ ଅଧିକାଂଶ ସମୟରେ ହୁଏତ ଆପଣା ପାଖରେ ଭାରି ସାନ ହୋଇ ରହିଥାନ୍ତି, ଭାରି ଅନାତ୍ମୀୟବତ୍ ହୋଇ ରହିଥାନ୍ତି । ସେମାନେ ଯୁଆଡ଼େ ଯାଆନ୍ତି, ସେଠାରେ କେବଳ ଚଉକିଗୁଡ଼ାକର ମାପରୁହିଁ ଆପଣାର ଉଚ୍ଚତାଗୁଡ଼ାକୁ ମାପିବାରେ ଲାଗିଥାନ୍ତି,–ଏଠି ରାସ୍ତା ଉପରେ ସବୁଠାରୁ ଅଧିକ ଭାରି ଦୋଳାଗୁଡ଼ାକରେ ଝୁଲିବାରେ ଲାଗିଥିଲେ ମଧ୍ୟ ଭିତରେ ଏକାନ୍ତ ଭାବରେ ଭ୍ରଷ୍ଟ ହୋଇ ରହିଥାନ୍ତି ।

 

୧୬ । ୨ । ୮୨

 

କର୍ତ୍ତାମାନେ କହୁଛନ୍ତି, ସେମାନଙ୍କର ଏତେଗୁଡ଼ାଏ ଯନ୍ତ୍ର ଏକାବେଳେକେ ଲାଗିଥିବା ସତ୍ତ୍ୱେ ଦେଶର ଶିକ୍ଷାପଦ୍ଧତିଗୁଡ଼ାକ ଯେପରି ବଦଳିବାର କଥା, ସେପରି ମୋଟେ ବଦଳି ପାରୁନାହିଁ-। ଏବଂ ଯଦି କେହି ଆଗକୁ ବାହାରି ଆଗ ଗୋଡ଼ ପକାଇ କିଛି କରି ଦେଖାଇଦେଇ ପାରିଲା ଓ ସ୍ଵୀକୃତି ମାଗିଲା, ତେବେ ସେହି ବର୍ତ୍ତମାନ ଆପଣାର ସେଇ ପୁରୁଣା ବହିଗୁଡ଼ାକୁହିଁ ଦେଖାଇ ଏପରି ସ୍ଵୀକୃତି ମୋଟେ ଦିଆଯାଇ ପାରିବନାହିଁ ଓ ସେପରି ହେଲେ ରହିଥିବା ଆଇନଗୁଡ଼ାକର ଭାରି ଖିଲାପ ହୋଇଯିବ ବୋଲି ସେମାନେ କେଡ଼େ ଉତ୍ସାହିତ ଓ ନିର୍ଲିପ୍ତ ଭାବରେ କହିବାରେ ଲାଗିଛନ୍ତି । ସେମାନେ ଯନ୍ତ୍ରଗୁଡ଼ାକୁ ମଣିଷର ସହାୟକରୂପେ ପ୍ରବର୍ତ୍ତନ କରିଥିଲେ, ଏବେ ସେହି ଯନ୍ତ୍ରଗୁଡ଼ାକର ଦ୍ଵାହି ଦେଇ ସେମାନେ ମଣିଷକୁ ଅଟକାଇ ରଖିବାଲାଗି ସବୁପ୍ରକାର ସୂତ୍ର ମେଲାଇ ବସିଛନ୍ତି । ଏବଂ, ସବୁଠାରୁ ଅଧିକ ଦୟନୀୟ କଥା ହେଉଛି ଯେ; ବଡ଼ବଡ଼ ଯନ୍ତ୍ରକୁ ନେଇ ଆମ ସମସ୍ତଙ୍କର ଭାଗ୍ୟ ସହିତ କାରବାର କରୁ କରୁ ସେମାନେ ସ୍ଵୟଂ ଆପଣା ଭିତରେ ରହିଥିବା ମଣିଷଟାକୁ କୋଉ ଭିତରେ ନେଇ ଲୁଚାଇ ରଖିଛନ୍ତି । ନିଜେ କାରବାର କରୁଥିବା ମେସିନ୍‌ଗୁଡ଼ାକ ଆଗରେ ଅଣ୍ଟା ସିଧା କରି ଠିଆ ହେବାକୁ ଆଉ ସାହସ କରି ପାରୁନାହାନ୍ତି ।

 

ମେସିନ୍ ସେମାନଙ୍କୁ ଚଳାଉଛି । ସେମାନେ ମେସିନ୍‌ଗୁଡ଼ାକୁ ମଣିଷର ଉଦ୍ଦେଶ୍ୟସାଧନ ଲାଗି ଚଳାଇବାକୁ ଆଉ ସମର୍ଥ ପାରୁନାହାନ୍ତି । ତେଣୁ, ଆମକୁ ବାଟ କାଢ଼ିବାକୁ ହେଲେ ଆଗ ସେମାନଙ୍କର ମେସିନ୍‌ଗୁଡ଼ାକୁ ଭାଙ୍ଗିବାକୁ ପଡ଼ିବ ଅଥବା ଶୋଇ ପଡ଼ିଥିବା ଖୋଦ୍ ସେମାନଙ୍କରହିଁ ଯାବତୀୟ ନିଦ ଅର୍ଥାତ୍ ଜିଦ୍‌କୁ ଭାଙ୍ଗିବାକୁ ପଡ଼ିବ, ସେକଥା ଠିକ୍ କରିବା ପ୍ରକୃତରେ ଭାରି କଷ୍ଟକର ହୋଇପଡ଼ୁଛି ।

 

୧୭ । ୨ । ୮୨

 

ମଣିଷ ଯନ୍ତ୍ରକୁ ଚଳାଇବ । ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ସ୍ଵୟଂ ଯାନ୍ତ୍ରିକ ହୋଇଗଲେ ଯାଇ ଯନ୍ତ୍ରଗୁଡ଼ାକୁ ସୁଚାରୁରୂପେ ଚଳାଇ ପାରିବେ ବୋଲି ବିଶ୍ଵାସ କରୁଥାନ୍ତି; ଅର୍ଥାତ୍ ଯନ୍ତ୍ରଗୁଡ଼ାକହିଁ ସେମାନଙ୍କୁ ସୁଚାରୁରୂପେ ଚଳାଇ ପାରିଲେ ଯାଇ ସବୁଠାରୁ ଉତ୍ତମ ହେବ ବୋଲି ସେମାନେ ବିଶ୍ଵାସ କରୁଥାନ୍ତି ।

 

ଏହି ଯାନ୍ତ୍ରିକ ସୁନାମଣିଷମାନଙ୍କଦ୍ଵାରା ସମ୍ଭବତଃ ଆମ ପୃଥିବୀରେ ଯନ୍ତ୍ରଗୁଡ଼ାକ ସବୁଠାରୁ ଅଧିକ ଅକାମୀ ହୋଇ ରହିଛି ଏବଂ ମଣିଷଗୁଡ଼ାଙ୍କ ଦେହରେ ନାନାପ୍ରକାରର କଳଙ୍କି ଲଗାଇ ରଖିବାରେ ସବୁଠାରୁ ଅଧିକ ସାହାଯ୍ୟ କରୁଛି । ଏହି ଯନ୍ତ୍ରଗୁଡ଼ାକ ଚାଲୁଥିଲେ ସିନା କ୍ରମଶଃ ଅଧିକରୁ ଅଧିକ କର୍ମକକ୍ଷ ହୋଇ ପାରୁଥାଆନ୍ତେ ! ମାତ୍ର, ସେମାନଙ୍କୁ ଚଳାଇ ପାରିବା ମଣିଷ ଯେତେବେଳେ ସ୍ଵୟଂ ନିଜକୁ ଗୋଟିଏ ଯନ୍ତ୍ର ପରି କରି ରଖିଛି ଏବଂ ଯନ୍ତ୍ରର କୁହା ମାନିବାକୁ ପ୍ରସ୍ତୁତ ହୋଇ ଯାଉଛି; ସେତେବେଳେ ଯନ୍ତ୍ରଗୁଡ଼ାକରୁ ମଣିଷ ଆଦୌ କୌଣସି ଉପକାର ପାଇ ପାରୁନାହିଁ । ବଡ଼ବଡ଼ ଚଉକିରେ ଯେଉଁ ମଣିଷମାନେ ବସିଛନ୍ତି, ସେମାନେ ସମ୍ଭବତଃ ଆପଣାର ବିବେକ ଅପେକ୍ଷା ଚଉକିଗୁଡ଼ାକୁହିଁ ଅଧିକ ପବିତ୍ର ବୋଲି ଜ୍ଞାନ କରୁଛନ୍ତି, ସେଇ ଚଉକିଗୁଡ଼ାକରୁ ମହତ ରଖିବାକୁ ବ୍ୟସ୍ତ ରହି କେବଳ ଆପଣାର ମହତକୁ ସାରିବାରେ ଲାଗିଛନ୍ତି । ଏବଂ ଯାହାର ନିଜର କୌଣସି ମହତ ନାହିଁ, କୌଣସି ଆଖି ନାହିଁ ସିଏ ଆମ ସମସ୍ତଙ୍କର ମହତ ବଞ୍ଚାଇ ରଖିବାରେ ଓ ଆମକୁ ଏକ ନୂତନ ଆଖି ଦେଇ ଆଗକୁ ଚଳାଇବା ପାଇଁ ତାହାର ସାମର୍ଥ୍ୟ ପୁଣି କୁଆଡ଼ୁ ଆସିବ ? ଆମର ଆଧୁନିକ ଶାସନଯନ୍ତ୍ର ପ୍ରଧାନତଃ ଏହିପରି ଭାବରେ ଚାଲିଛି ଓ ମଣିଷଲାଗି ପ୍ରଧାନତଃ ଏକ ପ୍ରତିବନ୍ଧକ ପରି କାର୍ଯ୍ୟ କରୁଛି ।

 

୧୮ । ୨ । ୮୨

 

ଗୌରୀଭାଇ ଅନେକ ସମୟରେ ମନେ ପଡ଼ନ୍ତି । ଗାଁକୁ ଗଲେ ସବାଆଗ ଗୌରୀଭାଇ ଦେଖାଯାଆନ୍ତି । ଭବିଷ୍ୟତ ଉପରେ ଦୃଷ୍ଟି ରଖି ସେତେବେଳେ ଗାଁରେ ଯାହାକିଛି ହେଉଥିଲା, ଗୌରୀଭାଇହିଁ ସବୁକିଛିର ସବାଆଗରେ ଥିଲେ । ଅସମ୍ମତମାନଙ୍କୁ ସମ୍ମତ କରାଉଥିଲେ, ନବୁଝିଥିବା ମଣିଷମାନଙ୍କୁ ବୁଝାଉ ଥିଲେ ଏବଂ ପିଲା ଓ ବଡ଼ ସମସ୍ତଙ୍କୁ ସାଙ୍ଗରେ ନେଇ ଗାଁରେ କିଛି କାର୍ଯ୍ୟ କରିବା ଉପରେ ସବୁଠାରୁ ଅଧିକ ଗୁରୁତ୍ଵ ଦେଉଥିଲେ ।

 

ଗୌରୀଭାଇ ଠିକ୍ ରାଜନୀତି ଭିତରେ ନଥିଲେ । ସିଏ ମଣିଷର ପକ୍ଷରେ ରହିଥିଲେ । ମଣିଷଙ୍କ ଭିତରୁ ଯେଉଁମାନେ ଦୁଃଖୀ, ଯେଉଁମାନେ ସବୁଠାରୁ ଅଧିକ ଅସହାୟ ଓ ବଞ୍ଚିତ, ଗୌରୀଭାଇ ସବାଆଗ ସେହିମାନଙ୍କୁ ଆପଣାର କାର୍ଯ୍ୟକ୍ରମ ଭିତରେ ଅନୁଭବ କରୁଥିଲେ । ସେତେବେଳେ ଦେଶରେ ଭାରି ରାଜନୀତି ଚାଲୁଥିଲେ । ଚାଲାଖ୍‍ ଲୋକମାନେ ସମସ୍ତେ ନେତୃତ୍ଵସ୍ଥାନଗୁଡ଼ିକରେ ଆପଣା ଆପଣାର ସ୍ଥାନକୁ ମଜବୁତ କରିବାରେ ଲାଗିଥିଲେ । ଗୌରୀଭାଇ ଏସବୁର ବାହାରେ ଥିଲେ; ଏମାନଙ୍କ ସାଙ୍ଗରେ ଥିଲେ ସତ, ମାତ୍ର ଏମାନଙ୍କ ଭିତରେ ମୋଟେ ନଥିଲେ ।

 

ଚାଲାଖ୍‍ ଲୋକ ଯେତେବେଳେ ରାଜନୀତିରେ ଅତିବେଶୀ ସଂଖ୍ୟାରେ ଅନୁଭୂତ ହେବାକୁ ଲାଗିଲେ ସେତେବେଳେ ଗୌରୀଭାଇ ଅଭିମାନ କଲେ । ସିଏ ରାଜନୀତିର ମାନବୀୟ ପକ୍ଷଟିକୁ ଅଧିକ ମହତ୍ତ୍ଵ ଦିଆଯାଉନାହିଁ ବୋଲି ଅଭିମାନ କଲେ । ଏବଂ, ସେହି ଚାଲାଖ୍‍ ଲୋକମାନଙ୍କ ପାଖରେ ହାରିଗଲେ । ସେହି ଧକ୍କାକୁ ହୁଏତ ହଜମବି କରି ପାରିଲେନାହିଁ-। ଗୌରୀଭାଇ ମନେ ପଡ଼ିବା ସମୟରେ ଏହି ସବୁକିଛି କଥା ମନେ ପଡ଼ିଯାଏ ।

Image